ହୋମୱାର୍କ ନକରିବାରୁ ୮ ବର୍ଷର ପୁଅକୁ ଛାତରେ ଟାଙ୍ଗି ଅମାନୁଷିକ ଭାବେ ପିଟିଲା ବାପା

1 min read

ଜୟପୁର: ରାଜସ୍ଥାନର ବୁନ୍ଦୀ ଜିଲ୍ଲାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ବିଶ୍ୱାସ କରିବା ସହଜ ନୁହେଁ । ଜଣେ ବାପା ନିଜ ୮ ବର୍ଷର ନିରୀହ ଶିଶୁ ସହ ଏପରି କାମ ବି କରି ପାରେ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ । ବ୍ୟକ୍ତି ଜଣକ ପିଲାଟିର ହାତ ଓ ଗୋଡ଼କୁ ଛାତରେ ବାନ୍ଧି ଛାତରୁ ଅମାନୁଷିକ ଭାବେ ମାଡ଼ ମାରିଥିବା ଘଟଣା ଏବେ ସାଧାରଣରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

ପିଲାଟିର ଦୋଷ କେବଳ ଏତିକି ଥିଲା ଥିଲା ଯେ ସେ ସ୍କୁଲ ହୋମୱାର୍କ ନକରି ଖେଳିବାକୁ ବାହାରକୁ ଯାଇଥିଲା । ଏ କଥା ଜାଣିବା ପରେ ଶିଶୁଟିର ବାପା ତାକୁ ଛାତରେ ଟାଙ୍ଗି ନିର୍ଦ୍ଦୁମ ମାଡ଼ ମାରିବାରେ ଲାଗିଲା । ସ୍ୱାମୀଙ୍କୁ ଏପରି କରିବାକୁ ଅଟକାଇବାରେ ଅସମର୍ଥ ହେବାପରେ ମାଆ ଏହାର ଭିଡିଓ କରି ଭାଇରାଲ କରିଥିଲେ ।

ଏହି ଭିଡିଓ ଭାଇରାଲ ହେବା ପରେ ଘଟଣାଟି ବୁନ୍ଦି ଜିଲ୍ଲାର ଡାବି ପୋଲିସର ନରୋଲି ଗାଁର ବୋଲି ଜଣାପଡ଼ିଛି । ଏହି ମାମଲା ସାମ୍ନାକୁ ଆସିବା ପରେ ରାଜସ୍ଥାନ ରାଜ୍ୟ ଶିଶୁ ସୁରକ୍ଷା ଅଧିକାର କମିଟି (ଆରଏସପିସିଆର) କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛି । ଖଣିରେ ଶ୍ରମିକ ଭାବେ କାମ କରୁଥିବା ଅଭିଯୁକ୍ତ ପୁଷ୍କର ପ୍ରଜାପତ ପଞ୍ଚମ ଶ୍ରେଣୀରେ ପାଠ ପଢ଼ୁଥୁବା ନିଜ ପୁଅ ସହ ଏଭଳି ନୃଶଂସ କାମ କରିଥିଲେ । ପୁଷ୍କରଙ୍କ ପତ୍ନୀ ପୁରା ଘଟଣାର ଏକ ଭିଡିଓ ପ୍ରସ୍ତୁତ କରି ଚିତୋରରେ ରହୁଥିବା ତାଙ୍କ ଭାଇ ଚନ୍ଦ୍ରଭାନ୍ ପ୍ରଜାପତଙ୍କ ନିକଟକୁ ପଠାଇଥିଲେ, ଯାହା ପରେ ଏହି ଭିଡିଓ ଭାଇରାଲ ହୋଇଥିଲା । ଏହି ଭିଡିଓ ପାଇବା ମାତ୍ରେ ଚନ୍ଦ୍ରବାନ୍ ଚିତୋର ଜିଲ୍ଲାର ସ୍ଥାନୀୟ ପୋଲିସ ଷ୍ଟେସନରେ ଏକ ରିପୋର୍ଟ ଦାଖଲ କରିଥିଲେ।

ଅବଶ୍ୟ ଥାନାରେ ଏହା ଅନ୍ୟ ଏକ ଅଞ୍ଚଳର ମାମଲା ବୋଲି ଦର୍ଶାଇ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମନା କରିଦେଇଥିଲା । ଏହା ପରେ ଚନ୍ଦ୍ରବାନ୍ ଚାଇଲ୍ଡ ଲାଇନ୍ ସଂଯୋଜକ ଭୁପେନ୍ଦ୍ର ସିଂଙ୍କ ସହ କଥା ହେବା ପରେ ସେ ବୁନ୍ଦିରେ ଥିବା ତାଙ୍କ ଶାଖାକୁ ଏହି ମାମଲା ପଠାଇଥିଲେ । ବୁନ୍ଦିର ଚାଇଲ୍ଡ ଲାଇନ୍ ସଂଯୋଜକ ଜରିଆରେ ଏହି ଘଟଣା ଡାବି ପୋଲିସ ଷ୍ଟେସନକୁ ଆସିଥିଲା ।

ଡାବି ପୋଲିସର SHO ମହେଶ କୁମାର କହିଛନ୍ତି ଯେ ସେମାନେ ଶିଶୁଙ୍କ ଗାଁକୁ ଯାଞ୍ଚ ପାଇଁ ଯାଇଥିଲେ କିନ୍ତୁ ତାଙ୍କ ଘରେ ତାଲା ପଡ଼ିଥିବା ଦେଖି ସେଠାରୁ ଫେରି ଆସିଥିଲେ। ସେ କହିଥିଲେ- ଶିଶୁର ମା’ର ଉପସ୍ଥିତି ନ ଥିବାରୁ ଆମେ FIR ଲେଖିବାରେ ସକ୍ଷମ ହୋଇ ନାହୁଁ । ତେବେ ଭାଇରାଲ ଭିଡିଓ ଆରଏସସିପିସିଆର ନୋଟିସକୁ ଆସିବା ପରେ ସେ ବୁନ୍ଦି ଏସପିଙ୍କୁ ଏହି ଘଟଣାର ତଦନ୍ତ କରିବାକୁ ଏବଂ ତିନି ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Leave a Reply