ମିଶନ ସୂର୍ଯ୍ୟ ପୂର୍ବରୁ ଭଗବାନଙ୍କ ଶରଣରେ ISRO ବୈଜ୍ଞାନିକ, ତିରୁମାଳା ମନ୍ଦିରରେ ପୂଜାର୍ଚ୍ଚନା

1 min read

ତିରୁପତି: ରାତି ପାହିଲେ ସୂର୍ଯ୍ୟ ମିଶନ । ଆସନ୍ତାକାଲି ଦିନ ୧୧ଟା ୫୦ରେ ଆଦିତ୍ୟ-L1 ଲଞ୍ଚ ହେବା ପୂର୍ବରୁ ଇସ୍ରୋ ବୈଜ୍ଞାନିକ ତିରୁମାଳା ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ଇସ୍ରୋ ବୈଜ୍ଞାନିକମାନେ ଆଜି ସକାଳଉ ତିରୁମାଳା ହିଲ୍ସ ପାଦ ଦେଶରେ ପହଞ୍ଚି ଭେଙ୍କଟେଶ୍ବର ମନ୍ଦିରରେ ବାଲାଜୀଙ୍କୁ ଦର୍ଶନ କରିଛନ୍ତି  ।

ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟାର ଦ୍ବିତୀୟ ଲଞ୍ଚ ପ୍ୟାଡରୁ ଦିନ ସ୍ପେସକ୍ରାଫ୍ଟ ଉତକ୍ଷେପଣ କରାଯିବ । ଇସ୍ରୋ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି ବୋଲି କହିଛନ୍ତି ଇସ୍ରୋ ମୁଖ୍ୟ ଏସ. ସୋମନାଥ । ରକେଟ ଓ ସାଟେଲାଇଟ ପ୍ରସ୍ତୁତ ଅଛନ୍ତି । ରିହରସାଲ ବି ଶେଷ ହୋଇଛି | ଆସନ୍ତାକାଲିର ମିଶନ ଲାଗି ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ସୋମନାଥ । ଭାରତର ପ୍ରଥମ ସୂର୍ଯ୍ୟ ମିଶନ ଲାଗି ସାରା ଦେଶବାସୀ କରିଛନ୍ତି ପ୍ରତୀକ୍ଷା । PSLV-C57  ଜରିଆରେ ଉତକ୍ଷେପଣ ହେବ ଆଦିତ୍ୟ ଏଲ୧ ।

ଇସ୍ରୋର ପ୍ରଥମ ମହାକାଶଭିତ୍ତିକ ସୋଲାର ଅଭଜର୍ଭଟୋରୀ ଆଦିତ୍ୟ ଏଲ୧ର ସଫଳତା ଉପରେ ରହିଛି ନଜର । ସୂର୍ଯ୍ୟ ଓ ପୃଥିବୀ ଅନ୍ତର୍ଗତ ଲାଗରେଞ୍ଜ ପଏଣ୍ଟ ୧ରେ ଏକ କକ୍ଷ ପଥରେ ସ୍ପେସକ୍ରାଫ୍ଟକୁ ମୁତୟନ କରାଯିବ । ପୃଥିବୀ ଠାରୁ ପ୍ରାୟ ୧୫ ଲକ୍ଷ କିଲୋମିଟର ଦୂରରେ ଅବସ୍ଥିତ ସୂର୍ଯ୍ୟ । ସୌରମଣ୍ଡଳରେ ଚାଲିଥିବା ବିଭିନ୍ନ ଆକ୍ଟିଭିଟି ସମ୍ପର୍କରେ ଗବେଷଣା କରିବ ଆଦିତ୍ୟ ଏଲ-୧ ।

ଆଦିତ୍ୟ ଏଲ-୧ରେ ପଠାଯିବ ସାତଟି ପେ-ଲୋଡ । ଏଥି୍ରୁ ୪ଟି ପେଲୋଡ ସୂର୍ଯ୍ୟଙ୍କୁ ସିଧାସଳଖ ପର୍ଯ୍ୟବେକ୍ଷଣ କରିବେ । ଅନ୍ୟ ତିନୋଟି ପେଲୋଡ ଏଲ୧ ପଏଣ୍ଟରେ ବିଭିନ୍ନ କଣିକାର ଗବେଷଣା କରିବେ । ଏହା ସହ କରୋନାଲ ମାସ୍ ଇଜେକ୍ସନ ସମ୍ପର୍କରେ ତଥ୍ୟ ଯୋଗାଡ କରାଯାଇପାରିବ । ମହାକାଶ ଜଳବାୟୁ ସମ୍ପର୍କରେ ବି ତଥ୍ୟ ମିଳିବ । ସୋଲାର ଫିଜିକ୍ସରେ ବି ଆଜି ଯାଏ ରହିଥିବା କେତେକ ଅସମାହିତ ପ୍ରଶ୍ନକୁ ସମାଧାନ କରିପାରେ ଆଦିତ୍ୟ ଏଲ୧ ।

ସୂର୍ଯ୍ୟଙ୍କ ଉପର ପାର୍ଶ୍ବର ଉତ୍ତାପ, ପୃଥିବୀ ଉପରେ ସୂର୍ଯ୍ୟ ବିକିରଣର ପ୍ରଭାବ, ବିଶ୍ବ ଜଳବାୟୁ ସମ୍ପର୍କରେ ବି ଉନ୍ନତ ଗବେଷଣା ହୋଇପାରିବ ବୋଲି ସୂଚନା ମିଳିଛି । ସୂର୍ଯ୍ୟର ଫଟୋସ୍ଫିହର, କ୍ରୋମସ୍ଫିହର ଆଦି ସମ୍ପର୍କରେ କରାଯିବ ଗବେଷଣା । ଏହା ସହ ସୂର୍ଯ୍ୟର ବାହ୍ୟ ଦେଶ ସମ୍ପର୍କରେ ବି ମିଳିପାରିବ ତଥ୍ୟ ।