ଚୀନ ମ୍ୟାପକୁ ନେଇ ବଢୁଛି ବିରୋଧ, ଏକାଠି ଉଦ୍‌ବେଗ ପ୍ରକାଶ କଲେ ୪ ଦେଶ

1 min read

ବେଜିଂ: ଚୀନ ସରକାର ଜାରି କରିଥିବା ମ୍ୟାପକୁ ନେଇ କମ୍ପନ । ସ୍ପାର୍ଟଲି ଓ ପାରାସେଲ ଦ୍ବୀପପୁଞ୍ଜ ଚୀନ ମାନଚିତ୍ରରେ ସ୍ଥାନ ପାଇଥିବାରୁ ଉଦବେଗ ପ୍ରକାଶ କରିଛି ଭିଏତନାମ । ଏହି ଦ୍ବୀପପୁଞ୍ଜ ଭିଏତନାମର ଅନ୍ତର୍ଗତ ହୋଇଥିଲେ ବି ଏହା ଉପରେ ଚୀନର ଅଧିକାରକୁ ବରଦାସ୍ତ କରିନାହିଁ ଭିଏତନାମ ।

ନିଜର ଜଳଭାଗ ଉପରେ ଅନ୍ୟ ଦେଶର ଏହା ଏକ ହସ୍ତକ୍ଷେପ ବୋଲି ଭିଏତନାମ କହିଛି । ଭିଏତନାମ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଫାମ ଥୁ ହାଙ୍ଗ କହିଛନ୍ତି- ଦକ୍ଷିଣ ଚୀନ ସାଗର ଉପରେ ଚୀନର ଅଧିକାରକୁ ତାଙ୍କ ଦେଶ ବିରୋଧ କରୁଛି । ପୂର୍ବରୁ ଚୀନର ନୂଆ ମ୍ୟାପରେ ଅରୁଣାଚଳ ପ୍ରଦେଶର କେତେକ ଅଞ୍ଚଳ ସ୍ଥାନ ପାଇଥିବାରୁ ଭାରତ ବି ବିରୋଧ କରିଥିଲା । ସେହିପରି ଦକ୍ଷିଣ ଚୀନ ସାଗର ଉପରେ ଚୀନର ଅଧିକାରକୁ ନେଇ ବିରୋଧାଭାସ ବ୍ୟକ୍ତ କରିଛି ଫିଲିପାଇନସ୍ ।

ତେଣେ ମାଲେସିଆ ଓ ତାଇଓ୍ବାନ ବି ଚୀନର ନୂଆ ମ୍ୟାପକୁ ବିରୋଧ କରିଛନ୍ତି । ଦକ୍ଷିଣ ଚୀନ ସାଗରର ପ୍ରାୟ ୮୦ ପ୍ରତିଶତ ଅଞ୍ଚଳକୁ ଚୀନ ନିଜର ବୋଲି ଦାବି କରୁଥିବାବେଳେ ୧୯୪୭ରେ ଜାରି ଏକ ମ୍ୟାପକୁ ଆଧାର କରି ଏବେ ନିଜର ସୀମା ସମ୍ପ୍ରସାରିତ କରିବା ପରିଲକ୍ଷିତ ହେଉଛି । ଭିଏତନାମ, ଫିଲିପାଇନସ, ବ୍ରୁନେଇ, ମାଲେସିଆ ଓ ତାଇଓ୍ବାନର ଅନେକ ଅଞ୍ଚଳକୁ ବର୍ତ୍ତମାନ ଚୀନ ଦାବି କରୁଥିବାରୁ ଏହି ଦେଶ ସମୂହରେ ଉଦବେଗ ପ୍ରକାଶ ପାଇଛି ।