‘ଗତ ୩୦ବର୍ଷରୁ ଶିଳ୍ପ ସଂସ୍ଥା ଜମି ନେଇ କରୁନାହାନ୍ତି ଶିଳ୍ପ’ : ଶିଳ୍ପମନ୍ତ୍ରୀ ପ୍ରତାପ ଦେବ

1 min read

ଭୁବନେଶ୍ବର :  ଜାପାନରୁ ଆସିବ ପୁଞ୍ଜି । ଆମେ ଜାପାନ୍ ଯାଉଛୁ , ସେଠାରୁ ଅଧିକ ପୁଞ୍ଜି ନିବେଶ ଓଡ଼ିଶାକୁ ଆସିବ ବୋଲି ବିଧାନସଭାର ପ୍ରଶ୍ନକାଳରେ କହିଛନ୍ତି ଶିଳ୍ପ ମନ୍ତ୍ରୀ ପ୍ରତାପ ଦେବ । ଦୁବାଇ ଇନଭେଷ୍ଟର୍ସ ମିଟରେ ୨୨ ହଜାର କୋଟି ଆସିଥିଲା ଏଥର ତାଠୁ ଅଧିକ ହେବ ବୋଲି ଆଶା ଥିବା ମନ୍ତ୍ରୀ କହିଛନ୍ତି । ସେହିପରି ଜମି ଏକକ ପ୍ରଣାଳୀ ଓ ଇପିକଲ ସୁପାରିଶ କ୍ରମେ IDCO ଦ୍ୱାରା ଶିଳ୍ପ ସଂସ୍ଥାଙ୍କୁ ଜମି ପ୍ରଦାନ କରାଯାଇଥାଏ ।। ସରକାରୀ ସଂସ୍ଥା ଲିଜ ଆକାରରେ ଓ ବେସରକାରୀ ସଂସ୍ଥା ଭୂଅଧିଗ୍ରହଣ ନିୟମ ଅନୁସାରେ ଜମି ପାଇଥାନ୍ତି । ଜମି ଏକକ ପ୍ରଣାଳୀ ଜରିଆରେ ୧୫୬ ବୃହତ ଶିଳ୍ପ ଆଂଶିକ ବା ପୂର୍ଣ୍ଣ କାର୍ଯ୍ୟକ୍ଷମ ଅଛି । ଏଥିରେ ୩ ଲକ୍ଷ ୩୧ହଜାର ୫୦୩ ଦଶମିକ ୯୩କୋଟି ପୁଞ୍ଜି ନିବେଶ ହୋଇଛି । ଯେଉଁଥିରେ ୨ଲକ୍ଷ ୨୪ ହଜାର ୬୬୮ନିଯୁକ୍ତି ସୁଯୋଗ ଅଛି ବୋଲି କହିଛନ୍ତି ଶିଳ୍ପମନ୍ତ୍ରୀ ।

ଗୃହରେ ମନ୍ତ୍ରୀ କହିଛନ୍ତି, ମେକ ଇନ ଓଡ଼ିଶା ୨୦୨୨ରେ ୧ଲକ୍ଷ ୫୩ହଜାର କୋଟିକୁ ମଞ୍ଜୁରୀ ମିଳିଛି । ସେହିପରି ମେକ ଇନ ଓଡ଼ିଶା ୨୦୧୮ରେ ୨୦୨ ଶିଳ୍ପ ପ୍ରସ୍ତାବ ଆସିଥିଲା । ଯେଉଁଥିରୁ ୧୦୯ ଟି ସିଂଙ୍ଗଲ ଓ୍ବିଣ୍ଡୋ କ୍ଲିଅରାନ୍ସ ପାଇଛନ୍ତି । ସେହି୧୦୯ରୁ ୭୧ସଂସ୍ଥା କାର୍ଯ୍ୟକ୍ଷମ ଅଛନ୍ତି । ମେକ ଇନ ଓଡ଼ିଶା ୨୦୧୬ରେ ୮୪ଶିଳ୍ପ ପ୍ରସ୍ତାବ ଆସିଥିଲା । ଏଥିରୁ ୫୮ଟି ମଞ୍ଜୁରୀ ପାଇଛି । ଯେଉଁଥିରୁ ୩୬ସଂସ୍ଥା କାର୍ଯ୍ୟକ୍ଷମ ଅଛି । ୫୦ରୁ ୬୦ କୋଟିର ଶିଳ୍ପ ସଂସ୍ଥା ଯାହା ୧୦ଏକର ଭିତରେ ଜମି ମାଗନ୍ତି, ସେମାନଙ୍କୁ ସିଂଗଲ ଓ୍ବିଣ୍ଡୋ କ୍ଳିଅରାନ୍ସର ମୁଖ୍ୟ ଜିଲ୍ଲାପାଳ ଅନୁମୋଦନ ଦେଇଥାନ୍ତି ।

୧୦ ଏକରରୁ ଅଧିକ ହେଲେ IDCO ବା ଶିଳ୍ପ ବିଭାଗ ପାଖରେ ଆବେଦନ କରିବାକୁ ପଡିବ ବୋଲି ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ ଗୃହରେ ଉତ୍ତର ରଖିଛନ୍ତି । ସେହିପରି କଂଗ୍ରେସ ଶାସନ ସମୟର ୧୦୦୦ଦିନରେ ୧୦୦୦ ଶିଳ୍ପ କାହିଁକି ଫେଲ ମାରିଲା ବୋଲି ଜବାବ ରଖିଲେ ଶିଳ୍ପ ମନ୍ତ୍ରୀ । ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରଥମ ପଦକ୍ଷେପ ନେଇଥିଲେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକ. ତାଙ୍କ ଉଦ୍ଦେଶ୍ୟ ମହତ ଥିଲା. ହେଲେ ସେ ସମୟରେ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ଆବଶ୍ୟକ ଭିତିଭୂମି ନଥିଲା । ଆଉ ୯୦ ପ୍ରତିଶତ ଲୋକ ଜମି ବନ୍ଧକ ପକାଇ ଫେରାର ହୋଇଯିବାରୁ ଏହା ଫେଲ ମାରିଲା ବୋଲି କହିଥିଲେ ମନ୍ତ୍ରୀ ।

ସେପଟେ ଭୁବନେଶ୍ୱର ଉପକଣ୍ଠରେ ଥିବା ଶିଳ୍ପ ସଂସ୍ଥା ଶିଳ୍ପ ପ୍ରତିଷ୍ଠା ନ କରିବା ନେଇ ପ୍ରଶ୍ନ ଉଠାଇଥିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ଉତ୍ତରରେ ଶିଳ୍ପ ମନ୍ତ୍ରୀ କହିଛନ୍ତି- ଗତ ୩୦ବର୍ଷରୁ ଶିଳ୍ପ ସଂସ୍ଥା ଜମି ନେଇ ଶିଳ୍ପ କରୁନାହାନ୍ତି । ଜମି ଫେରସ୍ତ ପାଇଁ ରାଜ୍ୟ ସରକାର ଯେତେ ଥର ବି ଚିଠି ଲେଖିଲେ, ଶିଳ୍ପ ସଂସ୍ଥାମାନେ କୋର୍ଟରୁ ରହିତାଦେଶ ଆଣୁଛନ୍ତି । ଏପରି ସ୍ଥିତିରେ କେତେ ମାମଲା ଲଢ଼ିବେ ରାଜ୍ୟ ସରକାର ବୋଲି କହିଛନ୍ତି ମନ୍ତ୍ରୀ ।

ଆହୁରି ବିଧାନସଭାରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କୁ କଡା ଜବାବ ଦେଛନ୍ତି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ । ସେ କହିଛନ୍ତି, ମେକ ଇନ ଓଡ଼ିଶା ନାରା, ମେକ ଇନ ଇଣ୍ଡିଆ ପରେ ଆସିଲା । ମେକ ଇନ ଇଣ୍ଡିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୫ ଟ୍ରିଲିୟନ ଇକୋନମି କଥା କହିଥିଲେ । ଯଦି ୩୦ ରାଜ୍ୟ ଆଗକୁ ନ ଆସିବେ ତେବେ ଏହା ପୂରଣ ହୋଇ ପାରିବ ନାହିଁ ବୋଲି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ କହିଛନ୍ତି ।

ଓଡ଼ିଶାରେ ହେଉଥିବା ପୁଞ୍ଜିନିବେଶର ତଦାରଖ କେନ୍ଦ୍ର ବାଣିଜ୍ୟ ମନ୍ତ୍ରାଳୟ କରୁଛି । ଯେଉଁଥିପାଇଁ ଓଡ଼ିଶାକୁ କେନ୍ଦ୍ର ସରକାର ପ୍ରଶଂସା ବି କରିଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ ନିଜେ ସଂସଦରେ କହିଛନ୍ତି ଯେ ସଂଘୀୟ ବ୍ୟବସ୍ଥା ନବୀନ ପଟ୍ଟନାୟକଙ୍କ ଠାରୁ ଶିଖ । ହେଲେ ମୋହନ ମାଝୀ ବିଧାନସଭାରେ କ’ଣ ଶିଖାଉଛନ୍ତି ବୋଲି କଟାକ୍ଷ କରିଛନ୍ତି ଶିଳ୍ପମନ୍ତ୍ରୀ ପ୍ରତାପ ଦେବ ।