ହଂକଂ ଚୀନ୍‌ର ସ୍ୱତନ୍ତ୍ର ପ୍ରଶାସନିକ କ୍ଷେତ୍ର ନା ପତିଆରା କ୍ଷେତ୍ର?

1 min read

ଚୀନର ଦକ୍ଷିଣ-ପୂର୍ବ ଉପକୂଳରେ ଥିବା କସ୍ମୋପଲିଟାନ ସିଟି ହଂକଂ ଏବେ ଅଶାନ୍ତ । ପ୍ରାୟ ୭୫ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଏହି ଛୋଟିଆ ଅଞ୍ଚଳରେ ୧୦ ସପ୍ତାହ ହେଲା ଲାଗି ରହିଛି ଅଶାନ୍ତି । ବେଶ ବିକଶିତ ଏହି ଅଞ୍ଚଳରେ ଗଣତନ୍ତ୍ର ପ୍ରତିଷ୍ଠା ଦାବି ଏବେ ଭୟଙ୍କର ରୂପ ନେଇଛି । ଦିନକୁ ଦିନ ଛାତ୍ର ଆନ୍ଦୋଳନ ଉଗ୍ର ରୂପ ନେବାରେ ଲାଗିଛି । ହଂକଂରେ ଥିବା ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଛାତ୍ରମାନେ ଆଇନକୁ ହାତକୁ ନେଲେଣି । ଚୀନ ବିରୋଧୀ ନାରା ଦେଇ ରାସ୍ତା ଜାମ କରିବା ସହିତ ବ୍ୟାପକ ଭଙ୍ଗାରୁଜା କରିବାରେ ଲାଗିଛନ୍ତି  । ଉଗ୍ର ଛାତ୍ର ଅଶାନ୍ତିକୁ ଦେଖି ଡେନମାର୍କ ଟେକ୍ନିକାଲ ୟୁନିଭରସିଟି କର୍ତ୍ତୃପକ୍ଷ ୩୬ ଛାତ୍ରଙ୍କୁ କ୍ୟାମ୍ପସ ଛାଡ଼ିବାକୁ ନିର୍ଦ୍ଦେଶ ଦେବା ପରେ ଛାତ୍ର ଏହାର ପ୍ରତିବାଦ କରିଛନ୍ତି ।

ସେହିପରି ହଂକଂ ବାପିଟିଷ୍ଟ ୟୁନିଭରସିଟି କିଛି ବିଦେଶୀ ଛାତ୍ରଙ୍କୁ ମଧ୍ୟ ରାତାରାତି ବିଦା କରିଦିଆଯାଇଛି । ହଂକଂ ଚାଇନିଜ ୟୁନିଭରସିଟିରେ ପୋଲିସ ରେଡ୍‌ କରିଛି । ଏଠାରେ ଛାତ୍ରମାନେ ବିଶ୍ୱବିଦ୍ୟାଳୟର ପ୍ରବେଶ ପଥକୁ ବାରିକେଡ ଓ ଇଟାରେ କାନ୍ଥ ନିର୍ମାଣ କରି ବନ୍ଦ କରି ଦେଇଥିଲେ ।

ପୋଲିସ କ୍ୟାମ୍ପସରେ ଚଢାଉ କରି ଏହାକୁ ଭାଙ୍ଗି ପରିସ୍ଥିତି ନିୟନ୍ତ୍ରଣକୁ ଆଣିଥିଲା । ଏଥିରୁ ଜଣାପଡୁଛି ହଂକଂ ଏବେ କେତେ ଅସ୍ଥିର । ଚୀନ ସରକାର ଆନ୍ଦୋଳନକୁ ଦୃଢ ହସ୍ତରେ ଦମନ କରୁଥିବା ମଧ୍ୟ ଖବର ଆସିବାରେ ଲାଗିଛି । ଏହା ପୂର୍ବରୁ ବିକ୍ଷୋଭକାରୀ ସଂସଦ ଘେରାଉ କରିବା ସହିତ ବିଶ୍ୱର ଅନ୍ୟତମ ବ୍ୟସ୍ତବହୁଳ ହଂକଂ ବିମାନବନ୍ଦରକୁ ମଧ୍ୟ ଜାମ କରିଦେଇଥିଲେ ।

ହଜାର ହଜାର ସଂଖ୍ୟାରେ ବିକ୍ଷୋଭକାରୀ ଏକାଠି ହୋଇ ଚୀନ ସରକାର ବିରୋଧୀ ନାରାବାଜି କରି ଡ୍ରାଗନ ସରକାରକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏକରକମ ବାଧ୍ୟ କରିଦେଇଥିଲେ । ୨୦ ବର୍ଷରୁ ଅଧିକ ସମୟ ହେଲା ବଳପୂର୍ବକ ଅକ୍ତିଆରକୁ ନେଇ ହଂକଂରେ ଚୀନ ସରକାର ଅତ୍ୟାଚାର ଚଳାଇ ଆସୁଛି ବୋଲି ବିକ୍ଷୋଭକାରୀ ଅଭିଯ଼ୋଗ କରି ଆସୁଛନ୍ତି ।

ହଂକଂ ଅଶାନ୍ତ ହେବା ପଛର କାରଣ:

ଝିମିଟି ଖେଳରୁ ମହାଭାରତ । ୧୦ ସପ୍ତାହ ହେଲା ହଂକଂରେ ଏକ ଆଇନ ଯାହାକୁ ଚୀନ ସରକାର ଏହି ଦେଶ ଉପରେ ଲଦି ଦେଇଛନ୍ତି ତାକୁ ନେଇ ଏ ମହାଭାରତ । ସେହି ଗୋଟିଏ ଆଇନ ପୁଣି ଥରେ ହଂକଂବାସୀଙ୍କୁ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ କରିଛି । ଅପରାଧିକ ପ୍ରତ୍ୟର୍ପଣ ଚୁକ୍ତି ଆଇନକୁ ଲୋକେ ବିରୋଧ କରୁଛନ୍ତି । ଯଦି ହଂକଂର କୈାଣସି ବ୍ୟକ୍ତି ଚୀନରେ ଅପରାଧ ଘଟାଇଲା ତେବେ ତଦନ୍ତ ପାଇଁ ତାକୁ ଅନ୍ୟ ଦେଶ ହାତରେ ପ୍ରତ୍ୟର୍ପଣ କରାଯିବ । କିନ୍ତୁ ପୂର୍ବରୁ ବିଲ୍‌ରେ ଏହି ଅନୁଚ୍ଛେଦ ନଥିଲା । ଆଇନ ଅନୁସାରେ ଯଦି କେହି ବ୍ୟକ୍ତି ଅପରାଧ କରୁଥିଲା ତେବେ ତାକୁ ଅନ୍ୟ ଦେଶକୁ ପ୍ରତ୍ୟର୍ପଣ କରିବା ସନ୍ଧି ନଥିଲା । କିନ୍ତୁ ୧୦ ସପ୍ତାହ ତଳେ ଚୀନ ସରକାର ଏଥିରେ ସଂଶୋଧନ ଆଣି ଚୀନ, ତାଇଓ୍ୱାନ, ମକାଉ ପରି ଦେଶକୁ ଅପରାଧୀ ହସ୍ତାନ୍ତର କରିବାକୁ ଆଇନ ଆଣିଥିଲେ । ଏହି ବିଲ୍‌କୁ ହଂକଂ ସଂସଦରେ ବେଶ ସହଜରେ ପାରିତ କରିଦିଆଗଲା ।

କାରଣ ହଂକଂ ସଂସଦରେ ଚୀନ ସମର୍ଥନକାରୀ

ନେତା ଅଧିକ ସଂଖ୍ୟାରେ ମହଜୁଦ ଅଛନ୍ତି । ହଂକଂର ପ୍ରମୁଖ ନେତା କ୍ୟାରି ଲ୍ୟାମ ଚୀନ ସମର୍ଥକ ଭାବେ ପରିଚିତ । ସେ ଏହି ବିଲକୁ ସଂସଦରେ ପାସ୍‌ କରିବାରେ ବିଶେଷ ଭୂମିକା ନିର୍ବାହ କରିଥିଲେ । ସମୟ ଅନୁସାରେ ଆଇନରେ ପରିବର୍ତ୍ତନ ଜରୁରୀ । ଏହାକୁ ସମସ୍ତେ ସମର୍ଥନ କରିବା ଆବଶ୍ୟକ ବୋଲି ସେ ସଂସଦରୁ ଆହ୍ଵାନ ଦେଇଥିଲେ ।

ହଂକଂ ଅକ୍ତିଆର ଇତିହାସ:

୧୫୦ ବର୍ଷ ଧରି ବ୍ରିଟିଶ ଶାସନାଧୀନ ଥିଲା ହଂକଂ । ଜୁଲାଇ ୦୧, ୧୯୯୭ ମସିହାରେ ଏହା ଚୀନର ‘ସ୍ୱତନ୍ତ୍ର ପ୍ରଶାସନିକ କ୍ଷେତ୍ର’ର ମାନ୍ୟତା ପାଇଥିଲା । ସେତେବେଳେ ବିଶ୍ୱ ଅର୍ଥନୈତିକ ମାନଚିତ୍ରରେ ଏକ ବିଶେଷ ପାହ୍ୟ। ହାସଲ କରିଥିବା ହଂକଂବାସୀ ସେମାନଙ୍କର ଭବିଷ୍ୟତ ନେଇ ସନ୍ଦିହାନ ହୋଇପଡିଥିଲେ । ବେଜିଂର ଏକଛତ୍ର କମ୍ୟୁନିଷ୍ଟ ଶାସକ କୈାଣସି ରାଜନୈତିକ ଚାଲ୍‌ ଦ୍ଵାରା ପୂରା ହଂକଂକୁ ଅନ୍ଧକାର ଗର୍ତ୍ତକୁ ଠେଲି ଦେବ ବୋଲି ଆଶଙ୍କା କରିଥିଲେ ।

ସେହି ଆଶଙ୍କା ୨୨ ବର୍ଷ ପରେ ସତ୍ୟରେ ପରିଣତ ହୋଇଛି । ନିୟମିତ ବ୍ୟବଧାନରେ ସେଠାକାର ଲୋକେ ଚୀନ ସରକାର ବିରୋଧରେ ଆନ୍ଦୋଳନ କରିଆସୁଛନ୍ତି । ରାଷ୍ଟ୍ରୀୟ ସୁରକ୍ଷା ଆଇନ (୨୦୦୩), ଅମ୍ୱୁଲାନ୍ସ ଆନ୍ଦୋଳନ (୨୦୧୪)ରେ ହଂକଂବାସୀଙ୍କ କ୍ରୋଧ ସାମ୍ନାକୁ ଆସିଥିଲା । ଏବେ ପ୍ରତ୍ୟର୍ପଣ ଚୁକ୍ତି ଆଇନରେ ସଂଶୋଧନ ହେବାରୁ ହଂକଂବାସୀ ପୁଣି ରାଜରାସ୍ତାକୁ ଆସି ଗତ ଜୁନ ମାସରୁ ପୂର୍ଣ୍ଣ ଗଣତନ୍ତ୍ର ଦାବି କରୁଛନ୍ତି । ବ୍ରିଟିଶ ଉପନିବେଶରୁ ଚୀନକୁ ହସ୍ତାନ୍ତର ପ୍ରକ୍ରିୟା ବେଳେ ହଂକଂକୁ ଚୀନ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିଶ୍ରୁତି ଦେଇଥିଲା । ହଂକଂରେ ଗୋଟିଏ ଦେଶ ଦୁଇଟି ବ୍ୟବସ୍ଥା’ ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲା । ଏହାଦ୍ଵାରା ହଂକଂରେ ସ୍ୱାୟତ୍ତ ଶାସନ, ସ୍ୱତନ୍ତ୍ର ବିଚାରବିଭାଗୀୟ ବ୍ୟବସ୍ଥା, ମୁକ୍ତ ପୁଞ୍ଜିବାଦ, ଫ୍ରି ପ୍ରେସ, ମୁକ୍ତ ଅଭିବ୍ୟକ୍ତି ପରି ସର୍ତ୍ତ ସାମିଲ ରହିଥିଲା । କିନ୍ତୁ ଧୀରେ ଧୀରେ ଏସବୁକୁ ଖିଲାପ କରିବା ଆରମ୍ଭ କରିବାରୁ ଚୀନ ବିରୋଧୀ ଆନ୍ଦୋଳନ ମୁଣ୍ଡ ଟେକି ଏବେ ଏହା ଅଣାୟତ୍ତ ଅବସ୍ଥାକୁ ଆସିଗଲାଣି । ଏପରି ସ୍ଥିତିରେ ଚୀନ କିନ୍ତୁ କଶ୍ମୀର ବ୍ୟାପାରରେ ମୁଣ୍ଡ ପୂରାଇ ଏଠାରେ ମାନବାଧିକାର ଆଇନର ଖୋଲା ଉଲ୍ଲଙ୍ଘନ ହେଉଛି ବୋଲି ବାଜା ବଜାଉଛି । ହଂକଂ ବିଷୟରେ ଦୁନିଆକୁ ଚୀନ କିଛି ବି ଜଣାଉନଥିଲାବେଳେ କାଶ୍ମୀରରେ ୩୭୦ ଧାରା ଉଚ୍ଛେଦ ନେଇ ବିରୋଧ କରୁଛି । ଏହାକୁ ଅନ୍ତର୍ଜାତୀୟ ପ୍ରସଙ୍ଗ କରିବାକୁ ଜାତିସଂଘରେ ପାକିସ୍ତାନକୁ ସମର୍ଥନ ଦେଇଆସୁଛି । ଏହାକୁ ଆମେ କଣ କହିବା ଏବେ ଆପଣମାନେ ବିଚାର କରନ୍ତୁ । ')}

Leave a Reply