ପାକ୍ ଅଧିକୃତ କାଶ୍ମୀରରେ ବିଦ୍ରୋହ, ରାଷ୍ଟ୍ରପତି ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ମୁଜାଫରାବାଦ: ପାକିସ୍ତାନ ଅଧିକୃତ କାଶ୍ମୀର ପିଓକେରେ ଯୁଦ୍ଧ ପରି ପରିସ୍ଥିତି । କାଶ୍ମୀରବାସୀ ପାକିସ୍ତାନ ଅତ୍ୟାଚାର ବିରୋଧରେ ବିଦ୍ରୋହ ଆରମ୍ଭ କରି ଦେଇଛନ୍ତି । ରାସ୍ତାକୁ ଓହ୍ଲାଇ ଲୋକେ ପାକିସ୍ତାନ ବିରୋଧରେ ପ୍ରଦର୍ଶନ କରୁଛନ୍ତି । ଅସନ୍ତୋଷର ନିଆଁରେ ଜଳୁଥିବା ପିଓକେବାସୀ ପାକିସ୍ତାନୀ ସେନାକୁ ବି ଡରୁ ନାହାନ୍ତି । ଏକାଧିକ ସ୍ଥାନରେ ଆନ୍ଦୋଳନକାରୀ ଓ ପାକିସ୍ତାନୀ ସେନା ମୁହାଁମୁହିଁ ହୋଇଛନ୍ତି । ଏପରିକି ଜଣେ ସବ ଇନ୍ସପେକ୍ଟରର ମୃତ୍ୟୁ ଘଟିଥିବା ଓ ଏକାଧିକ ଆନ୍ଦୋଳନକାରୀ ଆହତ ହୋଇଥିବା ପାକିସ୍ତାନୀ ମିଡିଆ ରିପୋର୍ଟ କରିଛି । ଏମିତି ବିଦ୍ରୋହ ପାକିସ୍ତାନ ସରକାରଙ୍କ ନିଦ ହଜାଇ ଦେଇଛି । ପିଓକେ ସ୍ଥିତିକୁ ନେଇ ରାଷ୍ଟ୍ରପତି ଆସିଫ ଅଲ୍ଲୀ ଜର୍ଦାରୀ ରାଷ୍ଟ୍ରପତି ଭବନରେ ଜରୁରୀକାଳୀନ ବୈଠକ ଡକାଇଛନ୍ତି । ପିଓକେରେ ଶାନ୍ତି ଫେରାଇ ଆଣିବାର ବାଟ ବାହାର କରିବାରେ ସହଯୋଗ କରିବାକୁ ରାଷ୍ଟ୍ରପତି ସବୁ ଅଧିକାରୀଙ୍କୁ କହିଛନ୍ତି ।

ସୂଚନାଯୋଗ୍ୟ ଶୁକ୍ରବାର ପରି ଶନିବାର ମଧ୍ୟ ପିଓକେରେ ଜୋରଦାର ବିରୋଧ ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ଜମ୍ମୁ କାଶ୍ମୀର ସଂଯୁକ୍ତ ଆଓ୍ବାମୀ ଆକ୍ସନ କମିଟି ଡାକରାରେ ହଜାର ହଜାର ଲୋକ ରାସ୍ତାକୁ ଓହ୍ଲାଇ ଆସିଥିଲେ । ସୁରକ୍ଷାକର୍ମୀ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ଏକାଧିକ ସ୍ଥାନରେ ଆନ୍ଦୋଳନ ହିଂସାର ରୂପ ନେଇଥିଲା ।

ଆନ୍ଦୋଳନକୁ ସମର୍ଥନ ଦେଲା ଟିଟିପି

ପିଓକେବାସୀଙ୍କ ଏହି ଆନ୍ଦୋଳନକୁ ଚରମପନ୍ଥି ସଂଗଠନ ଟିଟିପି ସମର୍ଥନ ଜଣାଇଛି । ସଂଗଠନ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି, ଟିଟିପି ପିଓକେରେ ମାଗଣା ବିଜୁଳି ଓ ଗହମରେ ସବସିଡ ଦାବି କରୁଥିବା ପ୍ରଦର୍ଶନକାରୀଙ୍କୁ ସମର୍ଥନ କରୁଛି । ଏହାସହ ପାକିସ୍ତାନ ସେନା ବିପକ୍ଷରେ ସଶସ୍ତ୍ର ସଂଗ୍ରାମ କରିବାକୁ ପିଓକେବାସୀଙ୍କୁ ଅପିଲ କରିଛି ଟିଟିପି । ଆଉ କହିଛି, ପାକିସ୍ତାନୀ ସେନା କେବଳ ସଂଘର୍ଷର ଭାଷା ବୁଝିଥାଏ, ତାକୁ ସେହି ଭାଷାରେ ଜବାବ ଦିଅ ।