ଦରବୃଦ୍ଧି ରାକ୍ଷସ କବଳରେ ଦେଶବାସୀ

1 min read

ଭୁବନେଶ୍ବର: ଦରବୃଦ୍ଧି ରାକ୍ଷସ କବଳରେ ଦେଶବାସୀ, ଉଦାସୀନ କେନ୍ଦ୍ର ସରକାର। ଗଲା ଡିସେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ସବୁ ରେକର୍ଡ ଭାଙ୍ଗି ୫.୬୯ ପ୍ରତିଶତ ହୋଇଛି। ଜାତୀୟ ପରିସଂଖ୍ୟାନ ରିପୋର୍ଟ ଅନୁଯାୟୀ ଖାଦ୍ୟ ସାମଗ୍ରୀ ଦର ଲଗାତର ଭାବେ ବଢୁଥିବାରୁ ଖାଦ୍ୟ ମୁଦ୍ରାସ୍ଫୀତି ହାର ୯.୫୩ ପ୍ରତିଶତକୁ ବୃଦ୍ଧି ହେଲାଣି। ଲୋହିତ ସାଗରରେ ଭାରତୀୟ ପଣ୍ୟବାହୀ ଜାହାଜ ଉପରେ ଆକ୍ରମଣ ଜାରି ଥିବାରୁ ଯୋଗାଣ ଶୃଙ୍ଖଳ ପ୍ରଭାବିତ ହୋଇଛି। ଆଗକୁ ଦରବୃଦ୍ଧି ଆହୁରି ହେବ। ସେପଟେ ଗୃହଋଣ ଉପରେ ସୁଧହାର ବୃଦ୍ଧି ଲୋକଙ୍କ ନିଦ ହଜାଇ ଦେଲାଣି।

ଭାତ, ଡାଲି, ରୁଟି ମହଙ୍ଗା। ନିୟନ୍ତ୍ରଣ ବାହାରକୁ ଗଲାଣି ବଜାର ଦର। କୁମ୍ଭକର୍ଣ୍ଣ ନିଦ୍ରାରେ କେନ୍ଦ୍ର ସରକାର । ଜାତୀୟ ପରିସଂଖ୍ୟାନ ରିପୋର୍ଟ ବଢାଇଲା ଚିନ୍ତା। ୪ମାସର ରେକର୍ଡ ଭାଙ୍ଗିଲା ଖୁଚୁରା ମୁଦ୍ରାସ୍ଫୀତି। ଗତ ଡିସେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ୫.୬୯ ପ୍ରତିଶତକୁ ବୃଦ୍ଧି। ଆଗକୁ ସ୍ଥିତି ଆହୁରି ହେବ ସଙ୍ଗୀନ। ଦରଦାମ ବୃଦ୍ଧିରୁ ଖାଉଟିଙ୍କୁ ମିଳିବନି ନିସ୍ତାର। ଖାଦ୍ୟ ମୁଦ୍ରାସ୍ଫୀତି ସବୁ ସୀମା ପାର୍ କରିଛି। ୨୦୨୩ ନଭେମ୍ବରରେ ଖାଦ୍ୟ ମୁଦ୍ରାସ୍ଫୀତି ୮.୭ ପ୍ରତିଶତ ଥିଲା। ଡିସେମ୍ବରରେ ବଢି ଏହା ହୋଇଛି ୯.୫୩ ପ୍ରତିଶତ। ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତିରେ ଯେତେ ସଂଶୋଧନ କଲେ ବି କିଛି କାମ ଦେଉନି। ଆର୍ବିଆଇ ଗଭର୍ଣ୍ଣର କହିଥିଲେ, ୨୦୨୩-୨୪ ବର୍ଷରେ ଖୁଚୁରା ମୁଦ୍ରାସ୍ଫୀତି ହାର ୫.୪ ପ୍ରତିଶତ ରହିବ। କିନ୍ତୁ ଆରବିଆଇ ଗଭର୍ଣ୍ଣରଙ୍କ ଏହି ଆକଳନ ଗତ ନଭେମ୍ବରରୁ ଫେଲ୍ ମାରିଲାଣି। ଖାଲି ଏତିକି ନୁହେଁ ଋଣ ଆଣି ଘର ଖଣ୍ଡିଏ କରିବା ବି ଅସମ୍ଭବ ହେଲାଣି। କାରଣ ଗୃହ ଋଣ ଉପରେ ସୁଧହାର ଏବେ ବଢ଼ି ୯ ପ୍ରତିଶତରୁ ୯.୧୨ ପ୍ରତିଶତରେ ପହଞ୍ଚିଛି। ଯାହା ଗତ ୫ବର୍ଷରେ ସର୍ବାକାଳୀନ ଅଧିକ ବୃଦ୍ଧି।

୨୦୧୪ରେ ଏବେର କେନ୍ଦ୍ର ସରକାର ଆସିବା ପରଠୁ ଖାଦ୍ୟ ସାମଗ୍ରୀ ଦର ମହଙ୍ଗା ହୋଇଚାଲିଛି। ଲଗାତର ଭାବେ ଖୁଚୁରା ଓ ପାଇକାରୀ ମୁଦ୍ରାସ୍ଫୀତି ବଢ଼ୁଛି। କେନ୍ଦ୍ର ସରକାର ଯୋଗାଣ ଶୃଙ୍ଖଳ ପରିଚାଳନା କରିବାରେ ସବୁବେଳେ ବିଫଳ ହୋଇଛନ୍ତି। ଚଳିତବର୍ଷ ଶୀତଦିନରେ ବି ପନିପରିବାଠୁ ଆରମ୍ଭ କରି ଅତ୍ୟାବଶ୍ୟକ ସାମଗ୍ରୀ ଦର ଆକାଶଛୁଆଁ ହୋଇଛି। ପିଆଜ, ରସୁଣ ଓ ଅଦା ଦର ଅମଳ ସିଜିନରେ ବି ମହଙ୍ଗା ରହିଛି। ନିମ୍ନମଧ୍ୟବିତ୍ତ ଓ ମଧ୍ୟବିତ୍ତ କିଣିବେ ତ କଣ କିଣିବେ? ଯେତେ ରୋଜଗାର କଲେ ବି ଅଣ୍ଟୁନି। ଅଶୋଧିତ ତୈଳ ଦର ଶସ୍ତା ଯୋଗୁ କେନ୍ଦ୍ର ଓ ତୈଳ ବିପଣନ କମ୍ପାନୀ ଲକ୍ଷାଧିକ କୋଟି ଲାଭ କରିଆସୁଛନ୍ତି । କିନ୍ତୁ ଲୋକଙ୍କ ପାଇଁ ପେଟ୍ରୋଲ-ଡିଜେଲ ଦର ଶସ୍ତା ହେଉନି। ଦେଶର ବଡ଼ ବଡ଼ ଅର୍ଥନୀତିଜ୍ଞମାନେ ଏନେଇ ମୁହଁ ଖୋଲିଲେ ବି କେନ୍ଦ୍ର ସରକାରଙ୍କୁ କିଛି ଫରକ୍ ପଡ଼ୁନି।

ଏବର୍ଷ ଦେଶର ଅଭିବୃଦ୍ଧି ୭ପ୍ରତିଶତ ରହିବ ବୋଲି କେନ୍ଦ୍ର ସରକାର ବର୍ଷ ଆରମ୍ଭରୁ କହିଥିଲେ। କିନ୍ତୁ ଆର୍ଥିକ ବର୍ଷ ସରିବାକୁ ବସିଲାଣି ଅଭିବୃଦ୍ଧି ହାର ୬.୫ ପ୍ରତିଶତରେ ସୀମିତ ରହିଛି। ଯଦି ଆଗକୁ ଖାଦ୍ୟସାମଗ୍ରୀ ଦର ଆହୁରି ବଢିବ ତାହେଲେ ଲୋକଙ୍କ କ୍ରୟଶକ୍ତି ସାଂଘାତିକ ଭାବେ ପ୍ରଭାବିତ ହେବ। ପ୍ରଶ୍ନ ଉଠୁଛି, ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ କେନ୍ଦ୍ର ସରକାର ବିକାଶର କେଉଁ ନକ୍ସା ଦେଖାଇ ଚାଲିଛନ୍ତି?