ବିଶ୍ବରେ ପ୍ରତିବର୍ଷ ପ୍ରାୟ ୧୩ ଲକ୍ଷ ଲୋକଙ୍କ ଜୀବନ ନେଉଛି ହେପାଟାଇଟିସ

1 min read

ନୂଆଦିଲ୍ଲୀ: ବିଶ୍ବରେ ମାରାତ୍ମକ ରୂପ ନେଉଛି ହେପାଟାଇଟିସ। ବିଶ୍ବରେ ପ୍ରତିବର୍ଷ ପ୍ରାୟ ୧୩ ଲକ୍ଷ ଲୋକଙ୍କ ଜୀବନ ନେଉଛି ହେପାଟାଇଟିସ। ଯକ୍ଷ୍ମାରେ ପ୍ରତିବର୍ଷ ଯେତିକି ଜୀବନ ଯାଉଛି ହେପାଟାଇଟିସରେ ବି ସେତିକି ଜୀବନ ଯାଉଛି ବୋଲି କହିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ। ୧୮୭ଟି ରାଷ୍ଟ୍ରକୁ ନେଇ ପ୍ରସ୍ତୁତ ୨୦୨୪ ଗ୍ଲୋବାଲ ହେପାଟାଇଟିସ ରିପୋର୍ଟରେ କୁହାଯାଇଛି ଯେ, ଭାଇରାଲ ହେପାଟାଇଟିସ ୨୦୧୯ରେ ବିଶ୍ବରେ ପ୍ରାୟ ୧୧ ଲକ୍ଷ ଲୋକ ପ୍ରାଣ ହରାଇଥିଲେ। ୨୦୨୨ରେ ସେହି ସଂଖ୍ୟା ହୋଇଥିଲା ୧୩ ଲକ୍ଷ ।

ସେମାନଙ୍କ ମଧ୍ୟରୁ ହେପାଟାଇଟିସ-ବିରେ ୮୩ ପ୍ରତିଶତ ଓ ହେପାଟାଇଟିସ-ସିରେ ୧୭ ପ୍ରତିଶତ ଲୋକପ୍ରାଣ ହରାଇଥିଲେ। ହେପାଟାଇଟିସ-ବି ଓ ହେପାଟାଇଟିସି-ସି ଯୋଗୁ ଦୈନିକ ୩ ହଜାର ୫୦୦ ଲୋକ ପ୍ରାଣ ହରାଉଥିବା ରିପୋର୍ଟରେ ଦର୍ଶାଯାଇଛି। କେବଳ ଭାରତ, ବାଂଲାଦେଶ, ଚୀନ, ଇଥିଓପିଆ, ଇଣ୍ଡୋନେସିଆ, ନାଇଜେରିଆ, ପାକିସ୍ତାନ, ଫିଲିପାଇନସ, ରୁଷିଆ ଓ ଭିଏତନାମରେ ମୋଟ ମୃତ୍ୟୁ ସଂଖ୍ୟାର ଦୁଇ ତୃତୀୟାଂଶ ଘଟିଥାଏ। ଏହି ୧୦ଟି  ରାଷ୍ଟ୍ରରେ ହେପାଟାଇଟିସର ନିରାକରଣ, ଚିକିତ୍ସା, ନିରୂପଣ ଆଦି  ନିମନ୍ତେ ଗୁରୁତ୍ବ ଦିଆଯାଇଥିବା କହିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ।

ବିଶେଷ କରି ରୋଗ ନିରୂପଣ ଓ ଚିକିତ୍ସାରେ ଅବହେଳା ଯୋଗୁ ମୃତ୍ୟୁ ସଂଖ୍ଯା ଅଧିକ ହେଉଛି ବୋଲି ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ନିର୍ଦ୍ଦେଶକ କହିଛନ୍ତି। ବିଶ୍ବରେ ୨୦୨୨ରେ ହେପାଟାଇଟିସ-ବିରେ ୨୫୪ନିୟୁତ ଲୋକ ଓ ହେପାଟାଇଟିସ-ସିରେ ୫୦ ନିୟୁତ ଲୋକ ଆକ୍ରାନ୍ତ ହୋଇଥିଲେ। ୧୮ ବର୍ଷରୁ କମ୍ ବୟସର ପିଲାଙ୍କ ସଂଖ୍ଯା ୧୨ ପ୍ରତିଶତ ବୋଲି ଜଣାଯାଇଛି। ହେପାଟାଇଟିସର ଲକ୍ଷଣଗୁଡ଼ିକ ହେଲା- ଜ୍ବର, ସ୍ଥାଣୁତା, କ୍ଷୁଧାହାନି, ବାନ୍ତି ବାନ୍ତି ଲାଗିବା, ବାନ୍ତି, ତଳିପେଟ ଯନ୍ତ୍ରଣା, କଳା ପରିସ୍ରା, ଆଣ୍ଠୁଗଣ୍ଠି ଯନ୍ତ୍ରଣା ଓ ଜଣ୍ଡିସ ।