ଦିଲ୍ଲୀ ସ୍କୁଲରେ ବୋମା ଆତଙ୍କ: ପୋଲିସର ଛାନଭିନ ଜାରି

1 min read

ନୂଆଦିଲ୍ଲୀ: ଦିଲ୍ଲୀ ସ୍କୁଲରେ ବୋମା ଆତଙ୍କ। ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଥିବା ଧମକ ମିଳିଛି। ବୋମା ଧମକ ପରେ ଦିଲ୍ଲୀ ଓ ନୋଏଡାର ୫୦ରୁ ଅଧିକ ସ୍କୁଲରେ ଆତଙ୍କ। ସନ୍ଦିଗ୍ଧ ବୋମା ଧମକ ନେଇ ଇମେଲରେ ଖବର ଆସିବା ପରେ ବିଭିନ୍ନ ସ୍କୁଲରେ ହୋଇଛି ଖାନତଲାସି। ଦିଲ୍ଲୀ ଓ ନୋଏଡାରେ ଜାରି ରହିଛି ସର୍ଚ୍ଚ ଅପରେସନ। ସ୍କୁଲକୁ ଏପରି ଇ-ମେଲ୍‌ ଆସିବା ପରେ କର୍ତ୍ତୃପକ୍ଷ ପୋଲିସକୁ ସଙ୍ଗେ ସଙ୍ଗେ ଜଣାଇଛନ୍ତି । ସକାଳୁ ସକାଳୁ ସ୍କୁଲ ପରିସରକୁ ଖାଲି କରି ପୁଲିସ ବୋମା ନିଷ୍କ୍ରିୟକାରୀ ଦଳ ଖୋଜିବାରେ ଲାଗି ପଡ଼ିଛନ୍ତି। ମାତ୍ର ବମ୍‌ର କୌଣସି ସନ୍ଧାନ ମିଳିପାରି ନାହିଁ।

ଦିଲ୍ଲୀର ହାଇ ପ୍ରୋଫାଇଲ ସ୍କୁଲକୁ ଧମକ ଯିଆଯାଇଥିବା ସୂଚନା ମିଳିଛି। ଏଥିରେ ଦ୍ୱାରକାସ୍ଥିତ DPS, ମୟୂରବିହାରସ୍ଥିତ ମଦର ମ୍ୟାରି ସ୍କୁଲ, ଓ ନୂଆଦିଲ୍ଲୀର ସଂସ୍କୃତି ସ୍କୁଲ, ବସନ୍ତକୁଞ୍ଜସ୍ଥିତ DPS ସ୍କୁଲ, ଦକ୍ଷିଣ ପଶ୍ଚିମ ଜିଲ୍ଲାରେ ଥିବା DAV ସ୍କୁଲ, ପୁଷ୍ପବିହାରସ୍ଥିତ AMITY ସ୍କୁଲ ଭଳି ଅନେକ ବିଦ୍ୟାଳୟକୁ ଧମକପୂର୍ଣ୍ଣ ମେଲ ଆସିଛି। ଏହା ପରେ ପୋଲିସ ଏବଂ ସ୍କୁଲ କର୍ତ୍ତୁପକ୍ଷ ସତର୍କ ହୋଇଛନ୍ତି। ପିଲାମାନଙ୍କୁ ସତର୍କତା ଅବଲମ୍ବନ କରାଯାଇଥିଲା।

ସୂଚନା ଅନୁଯାୟୀ, ଆଜି ସକାଳୁ ଏକ ଅଜଣା ସୂତ୍ରରୁ ଏହି ଇମେଲ ଆସିବା ପରେ ଆତଙ୍କ ଖେଳିଥିଲା। କ୍ଯାମ୍ପସ ଭିତରେ ବିସ୍ଫୋରଣ ରହିଛି ବୋଲି ଇମେଲରେ ସୂଚନା ଦିଆଯାଇଥିଲା। ମଦର ମ୍ଯାରି ସ୍କୁଲରେ ପରୀକ୍ଷା ଚାଲିଥିବାବେଳେ ଏହି ସୂଚନା ଆସିବାରୁ ପରୀକ୍ଷା ବାତିଲ କରାଯାଇଛି। ଯେଉଁ ସ୍କୁଲରେ ଧମକ ଆସିଛି ସେଠାରେ ସ୍କୁଲ ଛୁଟି କରାଯାଇଛି। ଘଟଣାସ୍ଥଳରେ ପୁଲିସ୍‌, ଅଗ୍ନିଶମ କର୍ମଚାରୀ ଓ ବମ୍‌ ନିଷ୍କ୍ରିୟକାରୀ ଦଳ ପହଞ୍ଚି ଯାଞ୍ଚ କରୁଛନ୍ତି।