ବାପ ଝିଅଙ୍କ ଦୁଃସାହସିକ ଜଳକ୍ରୀଡା; ସମୁଦ୍ରର ୭୦ ଫୁଟ ତଳେ ସାର୍କ ସହ ଜଳକ୍ରୀଡ଼ା

ନନ୍ଦିଘୋଷ ବ୍ୟୁରୋ: ବାପ ଝିଅଙ୍କ ଦୁଃସାହସିକ ଜଳକ୍ରୀଡା । ସମୁଦ୍ରର ୭୦ ଫୁଟ ତଳେ ସାର୍କ ସହ ଜଳକ୍ରୀଡ଼ା । ଦୁବାଇରେ ରହୁଥିବା ଓଡ଼ିଆ ପ୍ରିୟଦର୍ଶୀ ପାଣିଗ୍ରାହୀ ଓ ତାଙ୍କର ୧୨ବର୍ଷୀୟା ଝିଅ ତିସ୍ୟା ଗତ ସପ୍ତାହରେ ମାଲଦ୍ୱୀପ ଯାଇ ସ୍କୁବା ଡାଇଭିଂ କରିଛନ୍ତି । ମାଲଦ୍ବୀପ ଫୁଲିଢୋ ଦ୍ଵୀପର ଡାଇଭ୍ ସାଇଟରେ ପ୍ରିୟଦର୍ଶୀ ତାଙ୍କର ୫୦ତମ ଡାଇଭ୍ କରିଛନ୍ତି । ଏହି ସମୟରେ ତାଙ୍କ ସାଥୀରେ ଥିଲେ ଝିଅ ତିସ୍ୟା । ସମୁଦ୍ରର ଗଭୀର ୭୦ଫୁଟ୍ ତଳେ ସାର୍କ ସହ ଡାଇଭ୍ କରିବା ମୁଖ୍ୟ ଆକର୍ଷଣ ଥିଲା ।

ଡାଇଭ ସମୟରେ ସାର୍କ ମଧ୍ୟ ପାଖକୁ ଆସିଥିଲେ । ସାଢ଼େ ୭ରୁ ୮ଫୁଟ ପର୍ଯ୍ୟନ୍ତ ଅନେକ ଲମ୍ବା ସାର୍କ ସେମାନଙ୍କ ସହିତ ପହଁରିଥିଲେ । କେତେକ ସାର୍କ ତିସ୍ୟାଙ୍କୁ ଛୁଇଁ ଚାଲିଯାଇଥିଲେ । ଡାଇଭିଂ ଶେଷ ଆଡକୁ, ମୁଣ୍ଡ ଉପରେ ୩୦ରୁ ୪୦ସାର୍କ ପହଁରିଥିବା ରୋମାଞ୍ଚକର ଅନୁଭୁତି ଥିଲା ବୋଲି ତିସ୍ୟା କହିଛନ୍ତି । ୨୦୨୦ରେ ତିସ୍ୟା ଓଡିଶାର ସର୍ବ କନିଷ୍ଠ ସ୍କୁବା ଡାଇଭର ହୋଇଥିଲେ ।

୧୦ ବର୍ଷ ବୟସରେ ସେ ଜୁନିଅର ଓପନ୍ ୱାଟର ସ୍କୁବା ଡାଇଭର୍ ଲାଇସେନ୍ସ ହାସଲ କରିଥିଲେ । ଚଳିତ ବର୍ଷ ଜୁନରେ ନିଜର ୧୨ତମ ଜନ୍ମଦିନ ୭୦ଫୁଟ ସମୁଦ୍ର ଗର୍ଭରେ ପାଳନ କରି ଓଡ଼ିଶାର ସର୍ବକନିଷ୍ଠ ଆଡଭାନ୍ସଡ ଓପନ ୱାଟର ସ୍କୁବା ଡାଇଭର୍ ହୋଇଥିଲେ ତିସ୍ୟା । ଗତବର୍ଷ ଅଗଷ୍ଟରେ ସମୁଦ୍ରର ୪୦ ଫୁଟ ଗର୍ଭରୁ ନୂଆଁଖାଇ ଶୁଭେଚ୍ଛା ବାର୍ତ୍ତା ଦେଇଥିଲେ ତିସ୍ୟା ଓ ପ୍ରିୟଦର୍ଶୀ । ସମ୍ବଲପୁରର ପ୍ରିୟଦର୍ଶୀ ପାଣିଗ୍ରାହୀ ଏବଂ କଟକର ସୌମିତ୍ରି ନନ୍ଦଙ୍କ ଝିଅ ତିସ୍ୟା ଦୁବାଇରେ ସପ୍ତମ ଶ୍ରେଣୀରେ ପଢୁଛନ୍ତି ।