ଏକାମ୍ରକ୍ଷେତ୍ର ସଂପ୍ରସାରଣ: ବଦଳିଯିବ ଲିଙ୍ଗରାଜ ମନ୍ଦିର ଚିତ୍ର,ଭବ୍ୟ ହେବ ନବକଳେବର

ଭୁବନେଶ୍ୱର: ଏକାମ୍ରକ୍ଷେତ୍ର ସଂପ୍ରସାରଣ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଏହି ବୈଠକରେ । ତେବେ ବୈଠକରେ ଏକାମ୍ରକ୍ଷେତ୍ରର ଉନ୍ନତିକରଣକୁ ନେଇ ବିଭିନ୍ନ ପ୍ରକାରର ଆଲୋଚନା ହୋଇଛି । ହୋଇଥିବା ବୈଠକରେ ଯୋଜନା ସଂପର୍କରେ ଏକ ବିସ୍ତୃତ  ଯୋଜନା ଉପସ୍ଥାପନା କରାଯାଇଥିଲା । ଲିଙ୍ଗରାଜ ମନ୍ଦିର ସନ୍ନିକଟ ୬୬ ଏକର ପରିମିତ ଜମି ଉପରେ ଏହି ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି ।  ଲିଙ୍ଗରାଜ ମନ୍ଦିର ଚତୁପାର୍ଶ୍ୱର ଭବ୍ୟ ବିକାଶ  କରାଯିବ ।

ଯାହାପରେ ସେଠାରେ ଏକ ଅଧ୍ୟାତ୍ମିକ, ଶାନ୍ତ ତଥା ଭକ୍ତିମୟ  ପରିବେଶ ସୃଷ୍ଟି ହୋଇ ପାରିବ ।  ନୂଆ  ଯୋଜନା  କାର୍ଯ୍ୟକାରୀ ହେଲେ  ଦୁଇ ଲକ୍ଷରୁ ଅଧିକ ଲୋକ ମନ୍ଦିର ସମ୍ମୁଖରେ ସମବେତ ହୋଇ ପାରିବେ । ଏବେ ୧୦ରୁ ୧୫ ହଜାର ଭକ୍ତ ହିଁ  ମହାପ୍ରଭୁଙ୍କର ଶିବରାତ୍ରି ଉତ୍ସବରେ ସାମିଲ ହୋଇ ମହାଦୀପ ଦର୍ଶନ ଦେଖିପାରୁଛନ୍ତି । ଶିବରାତ୍ରି ସହିତ ଅଶୋକାଷ୍ଟମୀ ରଥଯାତ୍ରା ଏବଂ ମହାପ୍ରଭୁଙ୍କର ଅନ୍ୟ ଯାନିଯାତ୍ରା ସମୟରେ ତୀର୍ଥଯାତ୍ରୀ ପରିଚାଳନାରେ ମଧ୍ୟ ଏହା ବିଶେଷ ସହାୟକ ହେବ ।

ସେପଟେ ବିନ୍ଦୁସାଗର ସହିତ ରହିଛି ମହାପ୍ରଭୁଙ୍କର ଅନନ୍ୟ ସଂପର୍କ ରହିଛି । ମହାପ୍ରଭୁଙ୍କ ବିଭିନ୍ନ ଯାନିଯାତ୍ରା ସହିତ ବିନ୍ଦୁସାଗର ମଧ୍ୟ ସଂପର୍କ ରହିଛି । ଏକାମ୍ରକ୍ଷେତ୍ର ଯୋଜନାରେ ବିନ୍ଦୁସାଗରରୁ ଲିଙ୍ଗରାଜ ମନ୍ଦିର ଓ ରଥଗଡ଼ା ଠାରୁ ଚଦନ ଯାତ୍ରା ତୀର୍ଥଯାତ୍ରୀ ମାନେ ସିଧା ଦେଖିପାରିବେ । ଲିଙ୍ଗରାଜ ମନ୍ଦିର ଓ ବିନ୍ଦୁସାଗର ମଧ୍ୟରେ ଥିବା ବିନ୍ଧ୍ୟବାସିନୀ, ଭବାନୀଶଙ୍କର, ଶୁକଶାରୀ ଏବଂ ମୋହିନୀ ଆଦି ମନ୍ଦିର ମଧ୍ୟ ଯାତ୍ରୀମାନେ ଦେଖି ପାରିବେ । ଐତିହାସିକ ଦଲିଲରେ ୩୫୦ ବର୍ଷ ପୂର୍ବେ ଲିଙ୍ଗରାଜ ମନ୍ଦିର ରଥଗଡାଠାରୁ ବିନ୍ଦୁସାଗର ପର୍ଯ୍ୟନ୍ତ କେବଳ ମନ୍ଦିର ହିଁ ଥିଲା । ତେବେ ସେହି ଦଲିଲ ଅନୁଯାୟୀ ଏହା କାର୍ଯ୍ୟକାରୀ କରାଯାଉଛି । ୩୫୦ ବର୍ଷ ପରେ ଲିଙ୍ଗରାଜ ମନ୍ଦିର ଓ ବିନ୍ଦୁସାଗର ନୂଆ ରୂପ ନେବାକୁ ଯାଉଛି ।

ଖାଲି ସେତିକି ନୁହେଁ ଏକାମ୍ର ଯୋଜନାରେ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବିକାଶ କରାଯିବାର ଲକ୍ଷ ଧାର୍ଯ୍ୟ କରାଯାଇଛି । ଏବେ ଯଦି ଦେଖିବା ତେବେ ମନ୍ଦିର ବୁଲିବାକୁ ଆସୁଥିବା ପର୍ଯ୍ୟଟକ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ତେବେ ଏହି ଯୋଜନା ମାଧ୍ୟମରେ ସମସ୍ତ ପ୍ରକାରର ସୁବିଧା ମିଳିପାରିବ । ଓରିଏଣ୍ଟେସନ ସେଣ୍ଟର, ପାର୍କିଂ, ଫୁଡ ପ୍ଲାଜା, ଭଜନ ମଣ୍ଡପ ସହିତ ଐତିହ୍ୟ ପୁଷ୍କରିଣୀର ପୁନରୁଦ୍ଧାର, କେଦାରଗୌରୀ ପୁଷ୍କରିଣୀର ଜଳନିଷ୍କାସନ ବ୍ୟବସ୍ଥା, ଏକାମ୍ରବାସୀଙ୍କର ସୁବିଧା, ପରିବହନ ବ୍ୟବସ୍ଥା, ଜଳ ନିଷ୍କାସନ, ବର୍ଜ୍ୟବସ୍ତୁ ନିଷ୍କାସନ ଆଦି ବିଭିନ୍ନ ବିଷୟ ଉପରେ ଧ୍ୟାନ ଦିଆଯିବା ପାଇଁ ଯୋଜନାର ବ୍ୟବସ୍ଥା ରହିଛି ।

Leave a Reply