ଦେଶଦ୍ରୋହ ଅଭିଯୋଗରେ ଗିରଫ ହୋଇଥିବା ଦିଶା ରବି କିଏ, ଟୁଲକିଟି ମାମଲା କ’ଣ ?

1 min read

ନୂଆଦିଲ୍ଲୀ: କୃଷି ଆନ୍ଦୋଳନର ନିଆଁ ଥମିବାର ନାଁ ଧରୁନି। ଆନ୍ଦୋଳନରେ ଗୁନ୍ଥି ହୋଇଚାଲିଛି ଗୋଟିଏ ପରେ ଗୋଟିଏ ଦିନ। ନୂଆ କୃଷି ଆଇନ ପ୍ରତ୍ୟାହାର ନହେବା ଯାଏଁ ଆନ୍ଦୋଳନରୁ ତିଳେ ମାତ୍ର ହଲିବୁନାହିଁ ବୋଲି ଚେତାବନି ଦେଇଛିନ୍ତି କୃଷକ। ଏଇ ଭିତରେ ୫୦ ଦିନ ଅତିକ୍ରମ କରିଛି ଏହି ଆନ୍ଦୋଳନ। କେତେ ନୂଆ ନୂଆ ଚେହେରାଙ୍କୁ ମୁଖ୍ୟ ଖବରେ ଆଣି ଛିଡ଼ା କରାଇଛି କୃଷି ଆନ୍ଦୋଳନ। ଏଥିରେ ଆଉଜଣେ ଭାରତୀୟ ଯୋଡ଼ି ହୋଇଛନ୍ତି। ସେହି ନୂଆ ନାଁ ହେଉଛି ଦିଶା ରବି। ତେବେ କୃଷକ ଆନ୍ଦୋଳନରେ ଖାଲିସ୍ତାନୀ  ଲିଙ୍କ ମାମଲାରେ ବାଙ୍ଗାଲୋରର ତଥାକଥିତ ସାମାଜିକ କର୍ମି ଦିଶା ରବିଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ଦିଶା ସ୍ୱିଡେନର ସାମାଜିକ କର୍ମି ଗ୍ରେଟା ଥନବର୍ଗଙ୍କ ଏକ ଟ୍ୱିଟକୁ କୃଷି ଆନ୍ଦୋଳନ ପାଇଁ ପ୍ରଚାର କରିଥିବା ଅଭିଯୋଗ ହୋଇଛି।

ଅଭିଯୋଗ ପରେ ଦିଲ୍ଲୀର ଏକ କୋର୍ଟ ୨୧ ବର୍ଷ ବୟସ୍କା ଦିଶାଙ୍କୁ ପାଞ୍ଚ ଦିନିଆ ରିମାଣ୍ଡରେ ପୋଲିସ ହେପାଜତକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦିଶାଙ୍କୁ ଗିରଫ ପରେ ଏବେ ଅନେକ ପ୍ରଶ୍ନ ଆସି ସାମ୍ନାରେ ଛିଡ଼ା ହୋଇଛି। କାହିଁକି ଦିଶାଙ୍କୁ ଆରେଷ୍ଟ କରାଗଲା ? ଦିଶାଙ୍କ ଉପରେ କଣ ଅଭିଯୋଗ ରହିଛି ? ସର୍ବଶେଷରେ ଗ୍ରେଟାଙ୍କ ଟୁଲକିଟ୍ ସହ ଜଡ଼ିତ ଥିବା ଦିଶା ପ୍ରକୃତରେ କିଏ ବୋଲି ଏବେ ପ୍ରଶ୍ନ ଉଠିଛି। ଆଜି ଆମେ ଏଠାରେ ଆପଣଙ୍କ ମନରେ ଉଠୁଥିବା ସବୁ ପ୍ରଶ୍ନର ଉତ୍ତର ଦେବୁ। ତେବେ ଦିଶାଙ୍କୁ କାହିଁକି ଗିରଫ କରାଗଲା ଜାଣିବା ପୂର୍ବରୁ ଜାଣିବା ଦିଶା ରବି କିଏ ।

ଗତ ଶନିବାର ଦିନ ଗିରଫ ହୋଇଥିବା ଦିଶା ହେଉଛନ୍ତି ‘ଫ୍ରାଇଡେ ଫର ଫ୍ୟୁଚର’ର ଅଭିଯାନର ପ୍ରତିଷ୍ଠାତା। ଦିଶା ଟୁଲକିଟକୁ ନେଇ ସୋସିଆଲ ମିଡିଆରେ କେବଳ ପ୍ରଚାର ପ୍ରସାର କରିନାହାନ୍ତି ସେ ଲୋକଙ୍କୁ ପ୍ରବର୍ତ୍ତାଇଛନ୍ତି ବୋଲି ଅଭିଯୋଗ ହୋଇଛି। ଆମେ ଏଠାରେ ଆପଣଙ୍କୁ କହିବାକୁ ଚାହୁଁ କି, ଟୁଲକିଟ ମାନେ ହେଉଛି କୌଣସି ଆନ୍ଦୋଳନକୁ ଅଧିକରୁ ଅଧିକ କରିବା ପାଇଁ ସୋସିଆଲ ମିଡିଆରେ ଲୋକଙ୍କୁ ପ୍ରବର୍ତ୍ତାଇବା। ଆନ୍ଦୋଳନକୁ ସମର୍ଥନ କରି ସୋସିଆଲ ମିଡିଆରେ କିପରି ଏହି ଆନ୍ଦୋଳନ କରିବେ ସେ ସମ୍ବନ୍ଧରେ ସୂଚନା ଦେବା। ଟୁଲକିଟରେ ରେ ଚାଷୀଙ୍କ ଗତିବିଧି ବୃଦ୍ଧି ପାଇଁ ଆବଶ୍ୟକ ପଦକ୍ଷେପ, ହ୍ୟାସଟ୍ୟାଗ୍, ପ୍ରଚାର ଭଳି ସୂଚନା ଦିଆଯାଇଥାଏ।

ତେବେ କି ଏ ଦିଶା ରବି ? ସେ ଏଥିରେ କେମିତି ଯୋଡ଼ି ହେଲେ ? ନେତାମାନଙ୍କୁ ଜଳବାୟୁ ପରିବର୍ତ୍ତନ ପ୍ରସଙ୍ଗରେ ସଠିକ୍ ନିଷ୍ପତ୍ତି ନେବାକୁ ବାଧ୍ୟ କରିବା ପାଇଁ ଏକ ଆନ୍ତର୍ଜାତୀୟ ଅଭିଯାନ ଅଛି। ଯେଉଁଥିରେ ସ୍କୁଲ ପିଲାମାନେ ପ୍ରତି ଶୁକ୍ରବାର ଦିନ ଶ୍ରେଣୀରେ ଯୋଗଦେବା ପରିବର୍ତ୍ତେ ବିରୋଧ କରନ୍ତି। ଏହି ଅଭିଯାନ ‘ଫ୍ରାଇଡେ ଫର ଫ୍ୟୁଚର’ର ପ୍ରତିଷ୍ଠାତା ହେଉଛନ୍ତି ଦିଶା। ଦିଶା ହେଉଛନ୍ତି ବାଙ୍ଗାଲୁରୁର ଜଣେ କଥାକଥିତ ସାମାଜିକ କର୍ମିଙ୍କ ମଧ୍ୟରେ ଜଣେ । ଏବଂ ସେ ମାଉଣ୍ଟ କାର୍ମେଲ କଲେଜରୁ ସ୍ନାତକ ହାସଲ କରିଛନ୍ତି।

ଏକ ରିପୋର୍ଟ ଅନୁଯାୟୀ ଦିଶାଙ୍କ ପରିବାର ବନ୍ୟାର ଶିକାର ହୋଇଥିଲେ ଏବଂ ସେମାନଙ୍କ ଘର ବନ୍ୟାରେ ପୁରା ଧୋଇଯାଇଥିଲା। ଏହା ଥିଲା ଦିଶାଙ୍କ ଲାଇଫରେ ଏକ ଟର୍ଣ୍ଣିଂ ପଏଣ୍ଠ। ସେହି ସମୟ ଠାରୁ ଦିଶା ଏହାର କାରଣ ଖୋଜିବା ଆରମ୍ଭ କରିବା ସହିତ ସ୍ୱର ଉତ୍ତୋଳନ କରିଥିଲେ। ଦିଶାଙ୍କ କହିବା ଅନୁଯାୟୀ ଏଭଳି ଘଟଣା ପାଇଁ ରାଜନେତା ମାନେ ଉତ୍ତରଦାୟି ହେବା ଉଚିତ। କାରଣ ସେମାନେ ଆଜିର ସମାଜରେ ‘ଖୋଲା ପଦକ୍ଷେପ’ ନେଉଛନ୍ତି।

ଦିଶା ଯଦି ଆମ ସମାଜ ପାଇଁ ଏତେ ଭଲ କାମ କରୁଥିଲେ ତେବେ ସେ ଗିରଫ ହେଲେ କାହିଁକି। ଅଭିଯୋଗ ଅନୁଯାୟୀ ଗ୍ରେଟା ଥନବର୍ଗ ତାଙ୍କ ଟ୍ୱିଟରରେ କଷକ ଆନ୍ଦୋଳନକୁ ନେଇ ଏକ ଟୁଲକିଟକୁ ସେୟାର କରିଥିଲେ। ଦିଶା ସେହି ଟୁଲକିଟକୁ ଏଡିଟ କରିବା ସହିତ ତାକୁ ସୋସିଆଲ ମିଡିଆରେ ସେୟାର କରିଥିଲେ। ଏନେଇ ଦିଲ୍ଲୀର ଏକ କୋର୍ଟରେ ପୋଲିସ କହିଛି ଯେ ଭାରତ ସରକାରଙ୍କ ବିରୋଧରେ ଏକ ବଡ ଷଡଯନ୍ତ୍ରରେ ଖାଲିସ୍ତାନୀ ଆନ୍ଦୋଳନର ଭୂମିକା ସମ୍ପର୍କରେ ଦିଶାଙ୍କୁ ପଚରାଯିବା ଆବଶ୍ୟକତା ରହିଛି। ସେପଟେ ଦିଶାଙ୍କ ମୋବାଇଲ୍ ଫୋନ୍ ଜବତ କରାଯିବା ଉଚିତ ବୋଲି ପୋଲିସ କହିଛି। ପୋଲିସର ସୂଚନାନୁସାରେ, ଦିଶା ଏହି ଟୁଲକିଟ ମାମଲାରେ ଗୁରୁତ୍ୱପୂର୍ଣ୍ଣ ଭୁମିକା ଗ୍ରହଣ କରୁଛନ୍ତି । କାରଣ ସେ ଗ୍ରେଟାଙ୍କ ଟୁଲକିଟକୁ ଏଡିଟ ଏବଂ ସେୟାର କରିଥିବା ମାନିଛନ୍ତି। ଖବର ଅନୁଯାୟୀ, ଦିଶା କୋର୍ଟରେ କାନ୍ଦି କାନ୍ଦି କହିଥିଲେ ଯେ କୃଷକ ଆନ୍ଦୋଳନକୁ ସମର୍ଥନ କରିବା ପାଇଁ ସେ ଟୁଲକିଟରେ କେବଳ ଦୁଇଟି ଲାଇନ ବଦଳାଇଥିଲେ।

ସବୁଠାରୁ ବଡ଼ କଥା ହେଉଛି ଏହି ଟୁଲକିଟକୁ ନେଇ କେମିତି ଚାଲିଛି ତଦନ୍ଦ। ସୋସିଆଲ ମିଡିଆରେ ପ୍ରଚାର ପ୍ରସାର ହୋଇଥିବା ଟୁଲ୍କିଟ୍ ସମ୍ବନ୍ଧୀୟ ସୂଚନା ପାଇଁ ଦିଲ୍ଲୀ ପୋଲିସ ଗୁଗୁଲ ସହିତ ଯୋଗାଯୋଗ କରିଛି। ଟୁଲକିଟରେ ଦୁଇଟି ଇମେଲ୍ ଆଇଡି, ଏକ ଇନଷ୍ଟାଗ୍ରାମ ଆକାଉଣ୍ଟ ଏବଂ ଏକ URL ବିଷୟରେ ଉଲ୍ଲେଖ କରାଯାଇଛି। ଯାହା ବିଷୟରେ ପୋଲିସ ଗୁଗୁଲକୁ ସୂଚନା ମାଗିଛି। ଫେବୃଆରୀ ୪ ରେ ଦିଲ୍ଲୀ ପୋଲିସ 124-A, 120-A ଏବଂ 153-A ଅଧୀନରେ ଏକ ଟୁଲ୍କିଟ୍ ତିଆରି କରିଥିବା ବ୍ୟକ୍ତିଙ୍କ ବିରୁଦ୍ଧରେ ଦେଶଦ୍ରୋହ ଅପରାଧିକ ଷଡଯନ୍ତ୍ର ଏବଂ ଘୃଣା ଶୃଷ୍ଟି କରିଥିବା ମାମଲା ରୁଜୁ କରିଥିଲା।

Leave a Reply