କଂଗ୍ରେସ କର୍ମୀଙ୍କ ଆକ୍ରମଣରେ ବିଜେଡି ନେତା ଗୁରୁତର

ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେବପୁରରେ ରକ୍ତମୁଖା କଂଗ୍ରେସ । କଂଗ୍ରେସ କର୍ମୀଙ୍କ ଆକ୍ରମଣରେ ବିଜେଡିର ସୁଦର୍ଶନପୁର ପଞ୍ଚାୟତର ପର୍ଯ୍ୟବେକ୍ଷକ ଗୌତମ ସେଠୀ ଆହତ ହୋଇଥିବା ଅଭିଯୋଗ ହୋଇଛି । ସୁଦର୍ଶନପୁର ପଞ୍ଚାୟତର ପର୍ଯ୍ଯବେକ୍ଷକ ଭାବେ ପୂର୍ବତନ ସରପଞ୍ଚ ଗୌତମ ସେଠୀଙ୍କୁ ନିଯୁକ୍ତି ଦିଆଯାଇଛି । ସନ୍ଧ୍ୟାରେ ଛଅ ନମ୍ବର ୱାର୍ଡରେ ବୈଠକ ସାରି ସେ ଫେରୁଥିବାବେଳେ କିଛି କଂଗ୍ରେସ କର୍ମୀ ଲୁହା ରଡ଼ରେ ତାଙ୍କ ମୁଣ୍ଡକୁ ଆକ୍ରମଣ କରିଥିଲେ । ସ୍ଥାନୀୟ ଲୋକ ଆସିଯିବାରୁ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି । ଗୌତମଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବାସୁଦେବପୁର ବିଜେଡି ବିଧାୟକ ପ୍ରାର୍ଥୀ ବିଷ୍ଣୁବ୍ରତ ରାଉତରାୟ ମେଡିକାଲରେ ତାଙ୍କ ସ୍ବାସ୍ଥ୍ଯବସ୍ଥା ପଚାରି ବୁଝିଛନ୍ତି ।