spot_img
Home Blog Page 97

ମୁରବିଶୂନ୍ୟ ବିଇଓ ଅଫିସ । ୩ ବର୍ଷ ହେଲା ଖାଲି ପଡ଼ିଛି ପଦବୀ

ନନ୍ଦିଘୋଷ ବ୍ୟୁରୋ :  ମୁରବିଶୂନ୍ୟ ବିଇଓ ଅଫିସ । ୩ ବର୍ଷ ହେଲା ଖାଲି ପଡ଼ିଛି ପଦବୀ । ମନଇଚ୍ଛା କାର୍ଯ୍ୟାଳୟକୁ ଆସୁଛନ୍ତି କର୍ମଚାରୀ । ସିଆରସିସି ଓ ଏବିଇଓଙ୍କ ଭରସାରେ ଚାଲିଛି କାମ ।… ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ଅବସ୍ଥା ନ କହିବା ଭଲ । ପରିସର ମଧ୍ୟରେ ଲତାବୁଦା ମାଡ଼ି ଗଲାଣି । ସ୍ଥାୟୀ ବିଇଓ ନଥିବାରୁ କାର୍ଯ୍ୟାଳୟକୁ ଆସୁଥିବା ସାଧାରଣ ଲୋକ, ଶିକ୍ଷକ, ଅଭିଭାବକ ତଥା ଛାତ୍ରଛାତ୍ରୀଙ୍କ କାମ ହୋଇପାରୁନି । ଫଳରେ ସେମାନେ ନିରାଶ ହୋଇ ଫେରୁଛନ୍ତି । ଲାଞ୍ଚ ନ ଦେଲେ ବିଇଓଙ୍କ କାର୍ଯ୍ୟାଳୟରେ କାମ ହୁଏ ନାହିଁ ବୋଲି ଲୋକେ ଅଭିଯୋଗ କରିଛନ୍ତି। …

କୃଷ୍ଣପ୍ରସାଦ ବିଇଓ ପଦବୀ ଖାଲି ପଡ଼ିଥିବା ବେଳେ କଣାସ ବିଇଓଙ୍କୁ ଏହାର ଅସ୍ଥାୟୀ ଦାୟିତ୍ଵ ମିଳିଛି । ହେଲେ ୩ ମାସ ହେବ ସେ କାର୍ଯ୍ୟାଳୟକୁ ଆସୁନାହାନ୍ତି । ବିଦ୍ୟାଳୟ ଗୁଡ଼ିକରେ ପାଠପଢ଼ାର ମାନ ଯାଞ୍ଚ କରିବା ପାଇଁ ନିଯୁକ୍ତ CRCC ମାନଙ୍କ କାର୍ଯ୍ୟକାଳ ୫ ବର୍ଷ ରହିଛି । ହେଲେ କୃଷ୍ଣପ୍ରସାଦ ବ୍ଲକରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି । କିଛି ସିଆରସିସି ୧୦ ବର୍ଷ ଧରି କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି । ସେହିପରି ବିଇଓଙ୍କ କାର୍ଯ୍ୟାଳୟର କର୍ମଚାରୀଙ୍କୁ ହାତବାରିସି କରି କିଛି ଶିକ୍ଷକ ବିଦ୍ୟାଳୟରେ ପାଠପଢ଼ାକୁ ଗୁରୁତ୍ୱ ଦେବା ବଦଳରେ କୋଚିଙ୍ଗ ସେଣ୍ଟରରେ ଶିକ୍ଷାଦାନ କରୁଥିବା ଅଭିଯୋଗ ହୋଇଛି। …

କେବେ କୃଷ୍ଣପ୍ରସାଦ ବ୍ଲକରେ ସ୍ଥାୟୀ ବିଇଓ ନିଯୁକ୍ତ ହେବେ ? କେବେ ସେଠାରେ ଶିକ୍ଷା ବ୍ୟବସ୍ଥା ସୁଦୃଢ଼ ହେବ ? ତା ଉପରେ ରହିଛି ସମସ୍ତଙ୍କ ନଜର ।

ପର୍ଯ୍ୟଟକଙ୍କ ଜୀବନ ସହ ଖେଳ

ନନ୍ଦିଘୋଷ ବ୍ୟୁରୋ :  ପର୍ଯ୍ୟଟକଙ୍କ ଜୀବନ ସହ ଖେଳ । କୋଣାର୍କରୁ ଅସ୍ତରଙ୍ଗ- କାକଟପୁର ଯାଏଁ ଗଢ଼ି ଉଠିଛି ମାଳମାଳ ବେଆଇନ ହୋଟେଲ, ଲଜ୍, ଗେଷ୍ଟ ହାଉସ ଓ ମଣ୍ଡପ । ନା ଅଛି ଅଗ୍ନି ନିରାପତ୍ତା, ନା NOC । ଲଜରେ ଅନୈତିକ କାର୍ଯ୍ୟ ସାଙ୍ଗକୁ ନିଶା କାରବାର ହେଉଥିବା ଅଭିଯୋଗ ହେଉଛି । ହେଲେ ପୋଲିସ ପ୍ରଶାସନ ପକ୍ଷରୁ ଚଢ଼ାଉ କରାଯାଉନି।… କୋଣାର୍କ ସୂର୍ଯ୍ୟ ମନ୍ଦିର, ଅସ୍ତରଙ୍ଗ ଦେବୀ ମୁହାଁଣ, କାକଟପୁରର ମାଆ ମଙ୍ଗଳାଙ୍କୁ ପୀଠକୁ ରାଜ୍ୟର କୋଣ ଅନୁକୋଣରୁ ଦୈନିକ ହଜାର ହଜାର ପର୍ଯ୍ୟଟକ ଆସିଥାନ୍ତି । ଭିଡ଼କୁ ଦୃଷ୍ଟିରେ ରଖି କେବଳ କୋଣାର୍କରେ ୮୦ରୁ ଅଧିକ ହୋଟେଲ ବା ଲଜ୍ ନିର୍ମାଣ ହୋଇଛି । କାକଟପୁର, ଅସ୍ତରଙ୍ଗ ଓ ଚନ୍ଦ୍ରଭାଗାକୁ ମିଶାଇଲେ ସଂଖ୍ୟା ୩ ଶହ ପାର କରିବ । ଏଥିରୁ ୯୦ ପ୍ରତିଶତ ହୋଟେଲ ବେଆଇନ ଭାବେ ନିର୍ମାଣ ହୋଇଛି । …

C- FORM ନିୟମ ଅନୁଯାୟୀ ବିଦେଶୀ ପର୍ଯ୍ୟଟକ ଓ ଦେଶ ତଥା ରାଜ୍ୟର ଅତିଥିଙ୍କ ସଂପୂର୍ଣ୍ଣ ଡାଟା ପ୍ରତିଦିନ ଥାନାରେ ଦାଖଲ କରିବା ବାଧ୍ୟତାମୂଳକ । ହେଲେ ଏଠି ତାହାର ବ୍ୟତିକ୍ରମ ଦେଖାଦେଇଛି । ବିନା ଆଧାରରେ, ବିନା ବୟସ ଯାଞ୍ଚରେ ଛୋଟ ପିଲାଙ୍କୁ ରୁମ୍ ଦିଆଯାଉଛି । ଅନେକ ମହିଳା ରାତିରେ ଲଜରେ ରହୁଛନ୍ତି  । ଅତିଥି ରେଜିଷ୍ଟର କେବଳ କାଗଜ ପତ୍ରରେ ଚାଲିଛି, ବାସ୍ତବରେ ସବୁ ଫାଙ୍କା । ଯଦି କୌଣସି ଅପରାଧୀ ଲୁଚି ରହେ ତାହେଲେ ଟ୍ରେସ କରିବ କିଏ ? ଗୋଟିଏ ନିଆଁ, ଗୋଟିଏ ଅଘଟଣ ଶହ ଶହ ଜୀବନ ନେଇପାରେ । କିନ୍ତୁ ପୋଲିସ ଓ ପୁରୀ ଜିଲ୍ଲା ପ୍ରଶାସନ କାହିଁକି ଚୁପ୍ ? ଘଟଣା ପଛରେ ମୋଟା ଅଙ୍କର ଟଙ୍କା କାରବାର ନାହିଁ ତ ?

କେବେ ପ୍ରଶାସନର ନିଦ ଭାଙ୍ଗୁଛି ? କେବେ ବେଆଇନ ସାମ୍ରାଜ୍ୟ ଉପରେ ଚାଲିବ ବୁଲଡୋଜର ? ତାହା ଦେଖିବାକୁ ବାକି ରହିଲା ।

ମା’ ତାରିଣୀଙ୍କ ପୀଠରେ ଅଳିଆର ପାହାଡ଼!

ନନ୍ଦିଘୋଷ ବ୍ୟୁରୋ :  ରାସ୍ତା କଡ଼ରେ ପଡ଼ିଛି କୁଢ଼କୁଢ଼ ଅଳିଆ ଆବର୍ଜନା । ଦୁର୍ଗନ୍ଧରେ ଫାଟି ପଡୁଛି ପରିବେଶ । ଏ ହେଉଛି ଘଟଗାଁ ମା’ ତାରିଣୀଙ୍କ ପୀଠ ନିକଟ ବଜାରର ଦୃଶ୍ୟ । ଯୁଆଡ଼େ ଚାହିଁବେ ସିଆଡ଼େ ପଡିରହିଛି ଅଳିଆ । ମନ୍ଦିର ଚାରିପଟର ସ୍ଥିତି ମଧ୍ୟ ସମାନ । ପ୍ରତିଦିନ ଘଟଗାଁକୁ ରାଜ୍ୟ ସମେତ ବାହାର ରାଜ୍ୟରୁ ହଜାର ହଜାର ଶ୍ରଦ୍ଧାଳୁ ଆସୁଛନ୍ତି । କିନ୍ତୁ ବଜାର ଭିତରକୁ ପ୍ରବେଶ କରିବା ମାତ୍ରେ ଅଳିଆ ଆବର୍ଜନାର ଦୃଶ୍ୟ ଭକ୍ତଙ୍କୁ ନିରାଶ କରୁଛି ।…

ମନ୍ଦିର ପକ୍ଷରୁ ୧୦ ଜଣ ଏବଂ ରାଜ୍ୟ ଟୁରିଜିମ ବିଭାଗ ବଜାରର ସଫେଇ ପାଇଁ L&K ଠିକା ସଂସ୍ଥାକୁ ୩ ମାସ ହେବ ଟେଣ୍ଡର ଦେଇଛି । ଯେଉଁଥିରେ ୪୫ ଜଣ ସଫେଇ କର୍ମୀ ନିୟୋଜିତ ଅଛନ୍ତି । ଅର୍ଥାତ ମୋଟ ୫୫ ଜଣ କର୍ମଚାରୀ ନିୟୋଜିତ ଅଛନ୍ତି । ତଥାପି ବଜାରରୁ ଅଳିଆ ହଟୁନାହିଁ କାହିଁକି ? ୫୫ ଜଣ ସଫେଇ କର୍ମଚାରୀ କରୁଛନ୍ତି କଣ ? ଅନ୍ୟପଟେ ଆମକୁ ସଫେଇ ଉପକରଣ ମିଳିନି ବୋଲି କହିଛନ୍ତି ହାଉସସ୍କିପିଂ ସୁପରଭାଇଜର ।…

ତୁରନ୍ତ ଅଳିଆ ଆବର୍ଜନା ହଟାଇବା ସହ ଅଞ୍ଚଳରେ ନିୟମିତ ସଫେଇ କରିବାକୁ ଦାବି ହେଉଛି ।

 

ନନ୍ଦନକାନନରେ ପୁଣି ପ୍ରାଣୀ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ :  ନନ୍ଦନକାନନରେ ପୁଣି ମୃତ୍ୟୁ । ପ୍ରାଣୀ ଉଦ୍ୟାନକୁ ମାତ୍ର କିଛିଦିନ ତଳେ ଗୁଜରାଟର ଭାନତାରୁ ୧୪ ପ୍ରଜାତିର ୫୮ଟି ନୂଆ ବିଦେଶୀ ପ୍ରାଣୀ ଆସିଥିଲେ । ହେଲେ କ୍ୱାରେଣ୍ଟାଇନ ସମୟ ନସରୁଣୁ ସାମ୍ନାକୁ ଆସିଲା ଦୁଃଖଦ ଖବର । ନୂଆ ଆସିଥିବା ମିରକାଟ୍ ମଧ୍ୟରୁ ଦୁଇଟିର ମୃତ୍ୟୁ ହୋଇଛି । କେବଳ ସେତିକି ନୁହେଁ, ଆଉ ଗୋଟିଏ ମିରକାଟ୍ ଅସୁସ୍ଥ ଥିବା ଜଣାପଡିଛି । ଗତ ସେପ୍ଟେମ୍ବର ୧୨ ତାରିଖରେ ନନ୍ଦନକାନନକୁ ଗୁଜରାଟର ରାଧାକୃଷ୍ଣ ଟେମ୍ପଲ ଏଲିଫାଣ୍ଟ ୱେଲଫେୟାର ଟ୍ରଷ୍ଟ  ଭାନତାରାରୁ ୫୮ଟି ନୂଆ ପ୍ରାଣୀ ଆସିଥିଲେ । ଏଥିରେ ଜେବ୍ରା, କଙ୍ଗାରୁ, ମିରକାଟ୍, ବ୍ଲୁ-ୱାଇଲ୍ଡବିଷ୍ଟ, ମାକାଓ ଭଳି ୧୪ ପ୍ରଜାତିର ବିରଳ ପ୍ରାଣୀ ସାମିଲ ଥିଲେ । ସମସ୍ତଙ୍କୁ କ୍ୱାରଣ୍ଟାଇନରେ ରଖାଯାଇଥିଲା । ହେଲେ କ୍ୱାରଣ୍ଟାଇନରେ ଦୁଇଟି ପ୍ରାଣୀଙ୍କ ମୃତ୍ୟୁ ହୋଇଛି । ଏନେଇ କାରଣ ସ୍ପଷ୍ଟ ହୋଇ ନଥିବାବେଳେ ପୋଷ୍ଟମର୍ଟମ ପରେ ଜଣାପଡିବ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ସେପଟେ ଆସିଥିବା ମାଈ ଜେବ୍ରାର ବେକରେ ଗଭୀର ଆଘାତ ଲାଗିଥିବା ଦେଖିବାକୁ ମିଳିଛି । ଖୁଆଡ଼ରେ ବାଡ଼ରେ ପିଟି ହୋଇ ଆଘାତ ଲାଗିଛି ନା ଅନ୍ୟ କୌଣସି କାରଣ ରହିଛି, ତାକୁ ନେଇ ସନ୍ଦେହ ବଢ଼ିଛି । ଜେବ୍ରାର ଚିକିତ୍ସା ଜାରି ରହିଛି । ଏତେ ବଡ଼ ସଂଖ୍ୟାରେ ନୂଆ ପ୍ରାଣୀ ଆସିବା ପରେ ପୁଣି ଏଭଳି ମୃତ୍ୟୁ ଖବର ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ପରିଚାଳନା ଓ ଯତ୍ନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।….

ଅପରାଧୀ ଓ ଅସାମାଜିକଙ୍କ ଉପରେ କଡ଼ା ନଜର । ଆଜିଠୁ ରାଜ୍ୟବ୍ୟାପୀ ଦମନ ଅଭିଯାନ

ନନ୍ଦିଘୋଷ ବ୍ୟୁରୋ :  ଅପରାଧୀ ଓ ଅସାମାଜିକଙ୍କ ଉପରେ କଡ଼ା ନଜର । ଆଜିଠୁ ରାଜ୍ୟବ୍ୟାପୀ ଦମନ ଅଭିଯାନ । ଆଗାମୀ ପାର୍ବଣକୁ ଦୃଷ୍ଟିରେ ରଖି ରାଜ୍ୟରେ ଶାନ୍ତି ଓ ଶୃଙ୍ଖଳା ବଜାୟ ରଖିବା ସହ ଅପରାଧୀ ଓ ଅସାମାଜିକଙ୍କ ଉପରେ କଡ଼ା ପଦକ୍ଷେପ ନେବା ପାଇଁ ଓଡ଼ିଶା ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଅଭିଯାନ ଦମନ’ଆରମ୍ଭ କରାଯାଉଛି । ଏହି ଅଭିଯାନ ଆଜିଠାରୁ ୩୦ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଚାଲିବ। ଅଭିଯାନ ସମୟରେ ଅପରାଧୀ ଓ ଅସାମାଜିକଙ୍କ ଗତିବିଧି ଉପରେ କଡ଼ା ନଜର ରଖାଯିବ । ଜାମିନ ବିହୀନ ଗିରଫ ପରୱାନା କାର୍ଯ୍ୟକାରୀ କରିବା ସହ ଆଇନଗତ ପଦକ୍ଷେପ ନିଆଯିବ । ବେଆଇନ କାର୍ଯ୍ୟକଳାପ ବିରୋଧରେ ଚଢ଼ାଉ ଓ ଗିରଫଦାରୀକୁ ମଧ୍ୟ ଗୁରୁତ୍ୱ ଦିଆଯିବ ।

ବେଆଇନ ମଦ କାରବାର, ନିଶାଦ୍ରବ୍ୟ ଚାଲାଣ, ବେଆଇନ ଅସ୍ତ୍ରଶସ୍ତ୍ର ଓ ବିସ୍ଫୋରକ କାରବାର ଉପରେ ସ୍ୱତନ୍ତ୍ର ନଜର ରଖାଯିବ । ବଳପୂର୍ବକ ଚାନ୍ଦା ଆଦାୟ ଏବଂ ସଂଗଠିତ ଅପରାଧ ବିରୋଧରେ ମଧ୍ୟ କଡ଼ା ଆଇନଗତ ପଦକ୍ଷେପ ନିଆଯିବ । ଅପରାଧୀଙ୍କ ଗତିବିଧି ରୋକିବା ପାଇଁ ସୀମାନ୍ତ ଅଞ୍ଚଳରେ ବ୍ଲକିଂ ଓ ବର୍ଡର ସିଲିଂ କରାଯିବ । ଜିଲ୍ଲା ପୋଲିସ, ରେଳବାଇ ପୋଲିସ, କମିଶନରେଟ୍ ପୋଲିସ ଓ ସମ୍ପୃକ୍ତ ପୋଲିସ ୟୁନିଟ୍‌ଗୁଡ଼ିକ ପରସ୍ପର ସମନ୍ୱୟରେ ଏହି ଅଭିଯାନକୁ କାର୍ଯ୍ୟକାରୀ କରିବେ ।…..

ଶିକ୍ଷାବର୍ଷର ୫ ମାସ ପୁରିଗଲା । ହେଲେ ଏଯାଏଁ ସୁଧୁରିଲାନି ପାଠ୍ୟ ପୁସ୍ତକ ବିଭ୍ରାଟ

ନନ୍ଦିଘୋଷ ବ୍ୟୁରୋ :  ଶିକ୍ଷାବର୍ଷର ୫ ମାସ ପୁରିଗଲା । ହେଲେ ଏଯାଏଁ ସୁଧୁରିଲାନି ପାଠ୍ୟ ପୁସ୍ତକ ବିଭ୍ରାଟ । ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଓ କାକଟପୁର ବ୍ଲକର ଶତାଧିକ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏବେ ପିଲାଙ୍କ ହାତରେ ଭୁଲ ବହି, ଶିକ୍ଷକଙ୍କ ହାତରେ ମୋବାଇଲ PDF । କେନ୍ଦ୍ର ସରକାରଙ୍କ ଜାତୀୟ ଶିକ୍ଷା ନୀତି -2020 ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ ନୂଆ ପାଠ୍ୟକ୍ରମ ଅନୁଯାୟୀ ଚଳିତ ବର୍ଷ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଇଁ ନୂଆ ବହି ଛପା ହୋଇଥିଲା । ହେଲେ ଛପା ପରେ ଜଣାପଡିଲା ବହିରେ ହଜାର ହଜାର ବନାନ ଭୁଲ । ଅଭିଯୋଗ ହେବା ପରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରବରିଆ ଭାବେ ୧୨୨ ପୃଷ୍ଠାର ସଂଶୋଧନ PDF ଜାରି କଲା । ହେଲେ ଏହା ସମସ୍ୟା ସମାଧାନ ବଦଳରେ ବଢାଇ ଦେଇଛି । ପୁରୀ ଜିଲ୍ଲା ଅସ୍ତରଙ୍ଗ ଓ କାକଟପୁର ଭଳି ଗ୍ରାମାଞ୍ଚଳରେ ଅନେକ ସ୍କୁଲରେ ଇଣ୍ଟରନେଟ କି ପ୍ରିଣ୍ଟର ନାହିଁ । ଅନେକ ବୟସ୍କ ଶିକ୍ଷକ PDF ଖୋଲି ପଢାଇ ପାରୁନାହାନ୍ତି । ଡାଉନଲୋଡ୍ କରିବା ଜାଣନ୍ତିନି । ଯେଉଁ ଶିକ୍ଷକ ପଢାଉଛନ୍ତି, ସେମାନେ ମୋବାଇଲ ସ୍କ୍ରିନ ଦେଖି ବ୍ଲାକବୋର୍ଡରେ ଲେଖୁଛନ୍ତି । ପିଲା ଘରକୁ ଯାଇ ପୁଣି ଭୁଲ ବହି ପଢୁଛି । ଆଉ ମାତ୍ର କିଛି ଦିନ ପରେ ଅର୍ଦ୍ଧ ବାର୍ଷିକ ପରୀକ୍ଷା, ଦଶହରା ପରେ ବାର୍ଷିକ ପରୀକ୍ଷା । ଏବେ ପ୍ରଶ୍ନ, ପ୍ରଶ୍ନପତ୍ର ଭୁଲ ବହି ଅନୁଯାୟୀ ଆସିବ ନା ସଂଶୋଧିତ PDF ଅନୁଯାୟୀ ? ଏହାକୁ ନେଇ ଶିକ୍ଷକ, ଅଭିଭାବକ ସମସ୍ତେ ଚିନ୍ତାରେ । ତୁରନ୍ତ ସଂଶୋଧିତ ଛପା ବହି ନ ଆସିଲେ ହଜାର ହଜାର ପିଲାଙ୍କ ଶିକ୍ଷା ଭବିଷ୍ୟତ ଅନ୍ଧାର ଭିତରକୁ ଚାଲିଯିବ ।….

TIFFରେ ନାଗାଲ୍ୟାଣ୍ଡର ଫିଲ୍ମ ‘ଅଙ୍ଗ’କୁ ପ୍ଲାଟଫର୍ମ ଆଓ୍ବାର୍ଡ, ଓସ୍କାରରେ ଡାଇରେକ୍ଟ ଏଣ୍ଟ୍ରି

TIFFରେ ନାଗାଲ୍ୟାଣ୍ଡର ଫିଲ୍ମ ‘ଅଙ୍ଗ’କୁ ପ୍ଲାଟଫର୍ମ ଆଓ୍ବାର୍ଡ, ଓସ୍କାରରେ ଡାଇରେକ୍ଟ ଏଣ୍ଟ୍ରି

ନନ୍ଦିଘୋଷ ବ୍ୟୁରୋ: ବର୍ତ୍ତମାନ ସାରା ଦୁନିଆରେ ଭାରତୀୟ ସିନେତା ନିଜର ଛାପ ଛାଡିବାରେ ଲାଗିଛି । ଗତ କିଛି ବର୍ଷ ହେବା ଭାରତୀୟ ସିନେମାକୁ ସାରା ବିଶ୍ବରେ ପ୍ରଶଂସା ମିଳୁଛି । କମର୍ସିଆଲ ଫିଲ୍ମ ଦେଶ ବିଦେଶରେ ଧମାଧମ ରୋଜଗାର କରୁଥିବା ବେଳେ ଭାରତର ଭିନ୍ନ ଭିନ୍ନ ଫିଲ୍ମ ଗ୍ରାମୀ ଓ ଓସ୍କାର ଭଳି ପ୍ଲାଟଫର୍ମରେ ନିଜର ଉପସ୍ଥିତି ଜାହିରି କରୁଛନ୍ତି । ଏହି କ୍ରମରେ ଏବେ ଏକ ନୂଆ ଫିଲ୍ମ ଓସ୍କାରର ନୂଆ ଆଶା ଭାରତୀୟ ସିନେ ପ୍ରେମୀଙ୍କ ପାଇଁ ନେଇ ଆସିଛି । ନାଗାଲ୍ୟାଣ୍ଡର ପୃଷ୍ଠଭୂମି ଉପରେ ଆଧାରିତ ଫିଲ୍ମ ‘ଅଙ୍ଗ’ର ପ୍ରତିଷ୍ଠାତା ତେଜା ରିୟୋଙ୍କୁ ଟରୋଣ୍ଟ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲର ୫୧ତମ ସଂସ୍କରଣରେ ସମ୍ମାନିତ କରାଯାଇଛି ।

ସାରା ବିଶ୍ବରେ ଏହି ଫିଲ୍ମକୁ ଭଲ ରେସପନ୍ସ ମିଳିଛି । ଟରୋଣ୍ଟ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ଏହି ଫିଲ୍ମକୁ ପ୍ଲାଟଫର୍ମ ସମ୍ମାନରେ ସମ୍ମାନିତ କରାଯାଇଛି । ଏହାସହ ଭାରତ ତରଫରୁ ଏହା ସିଧାସଳଖ ଓସ୍କାରର ବେଷ୍ଟ ଇଣ୍ଟରନ୍ୟାସନାଲ ଫିଚର ଫିଲ୍ମ କାଟାଗୋରୀରେ ସାମିଲ ହୋଇଛି ।

ଅଙ୍ଗ ଫିଲ୍ମର ନିର୍ଦ୍ଦେଶକ ରିୟୋ ଫିଲ୍ମର ସଫଳତା ଓ ସମ୍ମାନକୁ ନେଇ କହିଛନ୍ତି, ପ୍ଲାଟଫର୍ମ ପ୍ରତିଯୋଗିତା ଜିତିବା ମୋ ପାଇଁ ଏକ ବଡ଼ ସମ୍ମାନ, ମୁଁ ଏହାକୁ ସହଜରେ ଗ୍ରହଣ କରିପାରୁନାହିଁ । ନାଗାଲ୍ୟାଣ୍ଡର ଆଦିବାସୀ ଇଲାକାରେ ହୋଇଥିବା ଏହି ଫିଲ୍ମକୁ ଟରୋଣ୍ଟ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ପୁରସ୍କାର ମିଳିବା ଏକ ବଡ଼ କଥା । ଏହା କେବଳ ମୋ ପାଇଁ ନୁହେଁ, ସେ ସମସ୍ତଙ୍କ ପାଇଁ ଯେଉଁମାନେ ଏହି ଫିଲ୍ମରେ କାମ କରିଛନ୍ତି । ବିଶ୍ବ ସ୍ତରରେ ଆମ ସମ୍ପ୍ରଦାୟକୁ ପ୍ରଶଂସା କରାଯିବା ଦେଖି ବହୁତ ଶନ୍ତି ମିଳୁଛି ।

ଏହା ପୂବର୍ରୁ ମଧ୍ୟ ଟରୋଣ୍ଟ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ଭାରତକୁ ସମ୍ମାନିତ କରାଯାଇଛି । ଅଙ୍ଗ ପୂର୍ବରୁ ୨୦୨୩ରେ ତରସେମ ସିଂ ଧନ୍ଧବରଙ୍କ ଫିଲ୍ମ ‘ଡିୟର ଜସି’କୁ ମଧ୍ୟ ଏଠାରେ ସମ୍ମାନିତ କରାଯାଇଥିଲା । ଭାରତ ପାଇଁ ବର୍ତ୍ତମାନ ୨୦୨୭ ଓସ୍କାର ପାଇଁ ଦୁଇଟି ବଡ଼ ଫିଲ୍ମର ନାଁ ଜୋଡି ହୋଇଯାଇଛି । ନିକଟରେ ଫିଲ୍ମ ‘ଗୋନ୍ଧାଲ’ ଭାରତ ତରଫରୁ ଅଫିସିଆଲ ଏଣ୍ଟ୍ରି ନେଇଥିଲା । ଏବେ ଫିଲ୍ମ ‘ଅଙ୍ଗ’ ଏକାଡେମୀକ ଆଓ୍ବାର୍ଡରେ ବେଷ୍ଟ ଫିଲ୍ମ ସମ୍ମାନ ପାଇଁ ପ୍ରତିନିଧିତ୍ବ କରିବ ।

ଆଡଭାନୀଙ୍କୁ ନୋଟିସ; ଖଡଗେ କହିଲେ SIR ଏମିତି ଏକ ବିଧ୍ବଂସକାରୀ ରାକ୍ଷସ ଯିଏ ନିଜ ଲୋକଙ୍କୁ ବି ଛାଡୁନି

ଆଡଭାନୀଙ୍କୁ ନୋଟିସ; ଖଡଗେ କହିଲେ SIR ଏମିତି ଏକ ବିଧ୍ବଂସକାରୀ ରାକ୍ଷସ ଯିଏ ନିଜ ଲୋକଙ୍କୁ ବି ଛାଡୁନି

ନନ୍ଦିଘୋଷ ବ୍ୟୁରୋ: ଦିଲ୍ଲୀରେ SIR ପ୍ରକ୍ରିୟା ଚାଲିଛି । ଏହାରି ଭିତରେ ଏକାଧିକ ବରିଷ୍ଠ ବ୍ୟକ୍ତିଙ୍କୁ ନୋଟିସ ଜାରି କରାଯାଇଛି । ଯେଉଁମାନଙ୍କ ମଧ୍ୟରେ ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ, ପୂର୍ବତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼, ବିଦେଶ ମନ୍ତ୍ରୀ ଏସ. ଜୟଶଙ୍କର, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସମେତ ଏକାଧିକ ବ୍ୟକ୍ତି ରହିଛନ୍ତି । ନିର୍ବାଚନ ଅଧିକାରୀଙ୍କ ଅନୁସାରେ, ଏମାନଙ୍କ ତରଫରୁ ଭୋଟର ଫର୍ମରେ ଦିଆଯାଇଥିବା ସୂଚନାରେ କିଛି ଅସଙ୍ଗତି ଦେଖାଯିବା ପରେ ନୋଟିସ୍ ଜାରି କରାଯାଇଛି । ଯାହାକୁ ନେଇ ଏବେ ରାଜନୀତି ଜୋର ଧରିବାରେ ଲାଗିଛି । ଘଟଣାକୁ ନେଇ କଂଗ୍ରେସ କେନ୍ଦ୍ର ସରକାର ଓ ନିର୍ବାଚନ ଆୟୋଗଙ୍କୁ ଟାର୍ଗେଟ କରିଛି ।

କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ SIR ପ୍ରକ୍ରିୟାକୁ ନେଇ କେନ୍ଦ୍ର ସରକାର ଓ ନିର୍ବାଚନ ଆୟୋଗଙ୍କୁ ଟାର୍ଗେଟ କରିଛନ୍ତି । ସେ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ଏଥିରେ ସେ ଉଲ୍ଲେଖ କରିଛନ୍ତି, ବିହାରରୁ ଆରମ୍ଭ ହୋଇଥିବା SIR ଏବେ ଦିଲ୍ଲୀରେ ପହଞ୍ଚି ସାରିଛି । ଏବେ ଶାସକ ଦଳକୁ ଜଣାପଡୁଛି କଂଗ୍ରେସ କାହିଁକି ଏହି ପୂରା ପ୍ରକ୍ରିୟାକୁ ପ୍ରଥମ ଦିନରୁ ତ୍ରୁଟିପୂର୍ଣ୍ଣ କହୁଥିଲା ।

କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ଖଡଗେ କହିଛନ୍ତି, SIR ବିଜେପିର କେବଳ ଭୋଟ ଚୋରି କି ଲୋକତନ୍ତ୍ରକୁ ଶେଷ କରିବାର ଅସ୍ତ୍ର ନୁହେଁ, ଏହା ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ ପ୍ରକ୍ରିୟା ଓ ଏକ ବିଧ୍ବଂସକାରୀ ରାକ୍ଷସ ଯାହା ନିଜ ଲୋକଙ୍କୁ ବି ସଫାଉଛି ।

ଆଗକୁ ସେ କହିଛନ୍ତି, SIR ପ୍ରକ୍ରିୟା ବେଳେ ବିଜେପିର ଏକାଧିକ ବରିଷ୍ଠ ନେତାଙ୍କୁ ନୋଟିସ କରାଯାଇଛି । ଏଥିରେ ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ, ଏସ. ଜୟଶଙ୍କର, ଦିଲ୍ଲୀ ଉପରାଜ୍ୟପାଳ ତରନଜିତ ସିଂ ସନ୍ଧୁ, ରାଜ୍ୟସଭା ସାଂସଦ, ପୂର୍ବ କେନ୍ଦ୍ରମନ୍ତ୍ରୀ, ପୂର୍ବ ମୁଖ୍ୟମନ୍ତ୍ରୀ ବି ରହିଛନ୍ତି । ସ୍ଥିତି ଏମିତି ଯେ, ଭାରତ ରତ୍ନରେ ସମ୍ମାନିତ ବୈଜ୍ଞାନିକ ଏବଂ ପୂର୍ବତପ ସେନା ପ୍ରମୁଖଙ୍କୁ ମଧ୍ୟ ନୋଟିସ ଜାରି କରାଯାଇଛି ।

ପଶ୍ଚିମବଙ୍ଗକୁ ନେଇ ଖଡଗେ କହିଛନ୍ତି, ନାଁ କଟିଥିବା ଲୋକଙ୍କୁ ଭୋଟ ଦେବାରୁ ବଞ୍ଚିତ କରାଗଲା । ବର୍ତ୍ତମାନ ସୁଦ୍ଧା ୯୩ ପ୍ରତିଶତ ଲୋକ କରିଥିବା ଅଭିଯୋଗରେ ଜିତିଛନ୍ତି । ଅର୍ଥଶତ ୧ ଲକ୍ଷ ୧୩ ହଜାର ୯୪୩ ଲୋକଙ୍କୁ ପୁଣି ଥରେ ଭୋଟର ତାଲିକାରେ ସାମିଲ କରାଯାଇଛି । କେଉଁ ଆଧାରରେ ଏମାନଙ୍କ ଭୋଟ ଦେବାର ଅଧିକାରକୁ ଛଡ଼ାଇ ନିଆଯାଇଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି ।

ଏହାସହ ନିର୍ବାଚନ ଆଯୋଗକୁ ମଧ୍ୟ ଖଡଗେ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ନିର୍ବାଚନ ଆୟୋଗ ଅଧିକାରିକ ସ୍ତରରେ ପ୍ରାସ ବିଜ୍ଞପ୍ତି ଜାରି କରି VIP/marked electors ର କଥା କହୁଛନ୍ତି । ସେ ପଚାରିଛନ୍ତି, କ’ଣ ଭାରତର ୟୁନିର୍ଭସାଲ ଆଡଲ୍ଟ ଫ୍ରାନଚାଇଜରେ ମତଦାତାଙ୍କୁ ନେଇ କିଛି ସ୍ପେଶାଲ କାଟାଗୋରୀ ଅଛି କି ? ଅର୍ଥାତ ଭିଆଇପି ଭୋଟର ଏବଂ ସାଧାରଣ ଭୋଟର ।

ସେ କହିଛନ୍ତି, ଏହା କ’ଣ ସମ୍ବିଧାନ ଦେଇଥିବା ଗୋଟିଏ ଲୋକ, ଗୋଟିଏ ଭୋଟ ଓ ଗୋଟିଏ ଭେଲ୍ୟୁ ନୀତିା ଅବହେଳା ନୁହେଁ କି ? କ’ଣ ଭିଆଇପି ଭୋଟ ଅଧିକ ମୂଲ୍ୟବାନ ହୋଇଯାଇଛି ? ସେ କହିଛନ୍ତି, ଏସଆଇଆର ପୂର୍ବରୁ ତିନୋଟି ପର୍ଯ୍ୟାୟରେ ୩୧ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ୧୩.୮ କୋଟି ଭୋଟରଙ୍କୁ ତାଲିକାରୁ ବାହାର କରି ଦିଆଗଲା । କାହା ଇଙ୍ଗିତରେ ନିର୍ବାଚନ ଆୟୋଗ ଚୁପ ରହିଥିଲା ? ନିର୍ବାଚନ ଆୟୋଗ ଭିଆଇପିଙ୍କ ପାଇଁ ସାମ୍ବାଦିକ ସମ୍ମିଳନୀ କରୁଥିବା ବେଳେ କୋଟି କୋଟି ସାଧାରଣ ଭୋଟରଙ୍କୁ ନେଇ କାହିଁକି କିଛି କହୁନାହିଁ ?

କାନାଡାରେ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ଦୁଇ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

 

କାନାଡାରେ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ଦୁଇ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନନ୍ଦିଘୋଷ ବ୍ୟୁରୋ: କାନାଡାରେ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା ଘଟି ଦୁଇ ଜଣ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ଘର ତାମିଲନାଡୁ ଏବଂ ପୁଡୁଚେରୀରେ ବୋଲି ଜଣାପଡିଛି । ମୃତକମାନେ ହେଲେ ମନୋଜ ଶିବକୁମାର ଏବଂ ଶ୍ରୀସରଣ ଥିରୁଗ୍ନାନାସମ୍ପନ୍ଧମ । ଏନେଇ ଭାନକୁବର ସ୍ଥିତି ଭାରତୀୟ ବାଣିଜ୍ୟିକ ଦୂତାବାସ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ଦୂତାବାସ ପକ୍ଷରୁ ସୋସିଆଲ ମିଡିଆରେ ଏକ ପୋଷ୍ଟ କରାଯାଇ ଦୁଃଖ ପ୍ରକାଶ କରାଯାଇଛି । ଏଥିରେ ଦୁଇ ଭାରତୀୟ ଛାତ୍ରଙ୍କ ମୃତ୍ୟୁକୁ ନେଇ ଗଭୀର ଶୋକ ବ୍ୟକ୍ତ କରାଯାଇଛି । ଦୂତାବାସ ପକ୍ଷରୁ ଆଗକୁ କୁହାଯାଇଛି, ଏହି ସମୟରେ ମୃତକଙ୍କ ପରିବାର ସହ ସରକାର ଅଛନ୍ତି । ମୃତକଙ୍କ ମର ଶରୀରକୁ ଭାରତ ଆଣିବାକୁ ପରିବାର ଲୋକଙ୍କୁ ସବୁ ପ୍ରକାର ସହଯୋଗ କରାଯାଉଛି । ମୃତକଙ୍କ ଆତ୍ମାର ସଦଗତି କାମନା କରୁଛୁ । ଏହାସହ ଦୂତାବାସ ପକ୍ଷରୁ ସ୍ପଷ୍ଟ କରାଯାଇଛି, ସେମାନେ ସ୍ତାନୀୟ ଅଧିକାରୀ ଏବଂ ମୃତକଙ୍କ ପରିବାର ସହ ସମ୍ପର୍କରେ ଅଛନ୍ତି ।

ଅନ୍ୟପକ୍ଷେ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇନି । ସ୍ଥାନୀୟ ପ୍ରଶାସନ ଘଟଣାର ତଦନ୍ତ ଆରମ୍ଭ କରିଛି । କାଡାନା ମିଡିଆ ସିବିସି ଅନୁସାରେ ଶୁକ୍ରବାର ସକାଳରେ ହର୍ସ ଏୟାର ଦ୍ବାରା ପରିଚିାଳିତ ଏକ ସେସନ ୧୭୨ ବିମାନ ସକ୍ସେଚେବାନ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲା । ବିମାନରେ ଥିବା ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି ।

ଗଣପତି ବିସର୍ଜନରେ ଆପାର୍ଟମେଣ୍ଟରୁ ମାଂସ ଖଣ୍ଡ ଫିଙ୍ଗି ଅଶାନ୍ତି ସୃଷ୍ଟି କରିବାକୁ ଉଦ୍ୟମ, ୩ ଗିରଫ

ଗଣପତି ବିସର୍ଜନରେ ଆପାର୍ଟମେଣ୍ଟରୁ ମାଂସ ଖଣ୍ଡ ଫିଙ୍ଗି ଅଶାନ୍ତି ସୃଷ୍ଟି କରିବାକୁ ଉଦ୍ୟମ, ୩ ଗିରଫ

ନନ୍ଦିଘୋଷ ବ୍ୟୁରୋ: ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ରବିବାର ଗଣପତି ବିସର୍ଜନ ବେଳେ ମାଂସ ଖଣ୍ଡ ଫିଙ୍ଗି ଅଶାନ୍ତି ସୃଷ୍ଟି କରିବାକୁ ଉଦ୍ୟମ । ଏକ ଆପାର୍ଟମେଣ୍ଟର ୭ମ ମହଲାରୁ ଏହି ମାଂସ ଖଣ୍ଡ ଫିଙ୍ଗାଯାଇଥିଲା । ଅଭିଯୋଗ ପରେ ପୋଲିସ ତ୍ବରିତ ପଦକ୍ଷେପ ନେଇ ୩ ଜଣଙ୍କୁ ଉଠାଇ ନେଇଛି ।

ରବିବାର ଅପରାହ୍ନ ପ୍ରାୟ ୩ଟାରେ ଘଟଣା ଘଟିଛି । ସ୍ଥିତି ବିଗିଡ଼ାବ ଆଶଙ୍କାରେ ହାଇଦ୍ରାବାଦ ପୋଲିସ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲା । ଖବର ପାଇବା ପରେ ଚାରମୀନାର ଜୋନ ଡିସିପି ପୋଲିସ ପ୍ଲାଟୁନ ସହ ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲେ । ପ୍ରାରମ୍ଭିକ ତଦନ୍ତ ଅନୁସାରେ, ସନ୍ଦିଗ୍ଧ ଆପାର୍ଟମେଣ୍ଟରୁ ୩ ଜଣଙ୍କୁ ପୋଲିସ ଗିରଫ କରି ପଚରାଉଚରା କରୁଛି । ସମସ୍ତଙ୍କୁ କୋର୍ଟରେ ହାଜର କରାଯିବା ପରେ ରିମାଣ୍ଡରେ ନେଇ ଅଧିକ ତଦନ୍ତ କରାଯିବ ବୋଲି ପୋଲିସ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

ମିଳିଥିବା ସୂଚନା ଅନୁସାରେ, ମାଂସ ଖଣ୍ଡ ଫିଙ୍ଗାଯିବା ପରେ ଗଣେଶ କମିଟି କର୍ମକର୍ତ୍ତା ପୋଲିସକୁ ଖବର ଦେବା ସହ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏଥିରେ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି ।

ଘଟଣା ପରେ ପୋଲିସ ପ୍ରଶାସନ ପକ୍ଷରୁ ତ୍ବରିତ ପଦକ୍ଷେପ ନିଆଯିବା ସହ ଦୁଇ ପକ୍ଷଙ୍କ ବରିଷ୍ଠ ବ୍ୟକ୍ତିଙ୍କ ସହଯୋଗରେ ସ୍ଥିତିକୁ ନିୟନ୍ତ୍ରଣକୁ ନେଇଥିଲା । ସାମାଜିକ ଗଣମାଧ୍ୟମରେ ଅପପ୍ରଚାରକୁ ଭରସା ନକରିବାକୁ ପରାମର୍ଶ ଦେଇଛନ୍ତି । ଏହାସହ ଜାଣିଣୁଣି ଅସାମାଜିକ ପୋଷ୍ଟ କରି ସାମ୍ପ୍ରଦାୟିକ ଭାଇଚାରା ବିଗାଡିବାକୁ ଚେଷ୍ଟା କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିନିଆଯିବାକୁ ଚେତାବନୀ ଦିଆଯାଇଛି ।