spot_img
Home Blog Page 98

ଆସୁଛି ବାତ୍ୟା ! ଭୟଙ୍କର ରୂପ ନେବା ସମ୍ଭାବନା କମ୍

ଆସୁଛି ବାତ୍ୟା ! ଭୟଙ୍କର ରୂପ ନେବା ସମ୍ଭାବନା କମ୍

ନନ୍ଦିଘୋଷ ବ୍ୟୁରୋ: ଏବେ ଓଡ଼ିଶାର ଲୋକଙ୍କୁ ଘାରିଛି ବାତ୍ୟା ଭୟ । ବଙ୍ଗୋପ ସାଗରରେ ବାତ୍ୟା ସୃଷ୍ଟି ହେଉଥିବା ଖବର ପରେ ଲୋକଙ୍କ ମନରେ ପଶିଛି ଛନକା । ଧୀରେ ଧୀରେ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ କ୍ଷେତ୍ର ସଂଗଠିତ ହେଉଛି ।  ବର୍ତ୍ତମାନ ଲଘୁଚାପ କ୍ଷେତ୍ରଟି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ଆଣ୍ଡାମାନ ସାଗର ଉପରେ ରହିଛି । ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗକୁ ଗତି କରିବା ସହ ଘନୀଭୂତ ହୋଇ ଆଜି ସୁଦ୍ଧା ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଅବପାତର ରୂପ ନେବ । ୨୨ ତାରିଖ ବେଳକୁ ଆହୁରି ଅଧିକ ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଗଭୀର ଅବପାତରେ ପରିଣତ ହେବ । ଏହା ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି ଜାରି ରଖି ୨୩ ତାରିଖ ସକାଳ ବେଳକୁ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ନିକଟ ପଶ୍ଚିମ-କେନ୍ଦ୍ରୀୟ ତଥା ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ପହଞ୍ଚିବ । ଏହା ସମ୍ପୂର୍ଣ୍ଣ ବାତ୍ୟାର ରୂପ ନେବ କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଯଦି ଏହା ଆଶାଠାରୁ ଅଧିକ ସମୟ ସମୁଦ୍ର ଉପରେ ରହେ, ତେବେ ଅଳ୍ପ ସମୟ ପାଇଁ ସାଇକ୍ଲୋନିକ୍ ଷ୍ଟର୍ମ ହୋଇପାରେ । ଏହାଠାରୁ ଅଧିକ ଶକ୍ତିଶାଳୀ ହେବାର ସମ୍ଭାବନା ବର୍ତ୍ତମାନ କମ୍ ରହିଛି ।

ଅନ୍ୟପକ୍ଷେ, ଲଘୁଚପ ପ୍ରଭାବରେ ଆଜି ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ୨୨ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ନେଇ ଆକଳନ କରିଛି ପାଣିପାଗ କେନ୍ଦ୍ର । ୨୨ ତାରିଖରେ ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାର କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି । ସେହିପରି ୨୩ ତାରିଖରୁ କନ୍ଧମାଳ, ଗଜପତି, ଗଞ୍ଜାମ ଓ ପୁରୀର କେତେକ ସ୍ଥାନରେ ଅତି ପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି ।

କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ

କୋଇଲା ବୋଝେଇ ଟ୍ରେନରେ ଲାଗିଲା ନିଆଁ

ନନ୍ଦିଘୋଷ ବ୍ୟୁରୋ: କୋଇଲା ବୋଝେଇ ଟ୍ରେନର ୭ଟି ବଗିରେ ଲାଗିଲା ନିଆଁ ।  ବାଲେଶ୍ୱର ଜିଲ୍ଲା ସୋର ରେଳ ଷ୍ଟେସନରେ ଟ୍ରେନରେ ନିଆଁ ଲଶଗିଥିଲା । ଧାମରାରୁ ଖଡ଼ଗପୁର ଅଭିମୁଖେ କୋଇଲା ନେଇ ଯାଉଥିବା ବେଳେ ରାଣୀତାଲ ନିକଟରେ ଗାର୍ଡ ନିଆଁ ଲାଗିବା ସମ୍ପର୍କରେ ଜାଣିବାକୁ ପାଇ ସୋର ଷ୍ଟେସନ ମାଷ୍ଟରଙ୍କୁ ଖବର ଦେଇଥିଲେ ।

ଟ୍ରେନଟି ଷ୍ଟେସନର ୧ ନମ୍ବର ପ୍ଲାଟ ଫର୍ମରେ ଅଟକିବା ପରେ ସୋର ଅଗ୍ନିଶମ ବାହିନୀର କର୍ମଚାରୀ ସମସ୍ତ ବଗିର ନିଆଁ ଲିଭାଇବାକୁ ଉଦ୍ୟମ ଆରମ୍ଭ କରିଦେଇଥିଲେ । ରାତି ୨ ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଅଗ୍ନିଶମ ବାହିନୀର କର୍ମଚାରୀ ଲାଗି ନିଆଁ ଆୟତ୍ତ ହୋଇଥିଲା । ପରେ ଟ୍ରେନଟି ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରିଛି । ଏହି ସମୟରେ ଟ୍ରେନ ଚଳାଚଳ ବନ୍ଦ କାରଣରୁ ଲୋକେ ନାହିଁ ନଥିବା ଅସୁବିଧାକୁ ସମ୍ମୁଖୀନ ହୋଇଥିଲେ ।

କୁଆଖାଇ ନଦୀକୁ ଡେଇଁଥିବା ଯୁବକ ଗୁରୁତର ଅବସ୍ଥାରେ ଉଦ୍ଧାର

କୁଆଖାଇ ନଦୀକୁ ଡେଇଁଥିବା ଯୁବକ ଗୁରୁତର ଅବସ୍ଥାରେ ଉଦ୍ଧାର

ନନ୍ଦିଘୋଷ ବ୍ୟୁରୋ: କୁଆଖାଇ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକ ଗୁରୁତର ଅବସ୍ଥାରେ ଉଦ୍ଧାର । କ୍ବିକ୍ ରେସପନ୍ସ ପାଇଁ ଯୁବକଙ୍କ ଜୀବନ ବଞ୍ଚି ଯାଇଛି । ବାଲିଅନ୍ତା ଅଗ୍ନିଶମ ବାହିନୀ ଯୁବକଙ୍କୁ ଉଦ୍ଧାର କରିବା ପରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଉଦ୍ଧାର ଯୁବକ ହେଲେ ଦୂର୍ଯ୍ୟ ନାରାୟଣ ଜେନା । ଗତକାଲି ବିଳମ୍ବିତ ରାତିରେ ସେ ଟଙ୍କପାଣି ରୋଡ ବ୍ରିଜ୍ ନିକଟରେ ନଦୀକୁ ଡେଇଁ ପଡ଼ିଥିଲେ । ଖବର ପାଇବା ମାତ୍ରେ ଅଗ୍ନିଶମ ବିଭାଗ ଟିମ ଘଟଣା ସ୍ଥଳରେ ସଙ୍ଗେ ସଙ୍ଗେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଦେଇଥିଲେ । କିଛି ସମୟର ଖୋଜାଖୋଜି ପରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ତେବେ ସୂର୍ଯ୍ୟ ନାରାୟଣ କାହିଁକି ଆତ୍ମହତ୍ୟା ଉଦ୍ୟମ କରିଥିଲେ ତାହା ସ୍ପଷ୍ଟ ହୋଇନି ।

ମୌସୁମୀ ଅଧିବେଶନ ପାଇଁ ଆଜି ସର୍ବଦଳୀୟ ବୈଠକ

ମୌସୁମୀ ଅଧିବେଶନ ପାଇଁ ଆଜି ସର୍ବଦଳୀୟ ବୈଠକ

ନନ୍ଦିଘୋଷ ବ୍ୟୁରୋ: ଆସନ୍ତାକାଲିଠାରୁ ବିଧାନସଭା ମୌସୁମୀ ଅଧିବେଶନ । ଏହା ପୁର୍ବରୁ ଆଜି ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଯାଉଛି ସର୍ବଦଳୀୟ ବୈଠକ । ଦିନ ସାଢ଼ଷ ୧୧ଟାରେ ଏହି ବୈଠକ ବସିବ । ମୌସୁମୀ ଅଧିବେଶନକୁ ସୁରୁଖୁରୁରେ ଶେଷ କରିବାକୁ ବାଚସ୍ପତି ସବୁ ଦଳର ସହଯୋଗ ଲୋଡ଼ିପାରନ୍ତି । ଏ ନେଇ ବୈଠକରେ ଆଲୋଚନା ହୋଇପାରେ ।

ଆସନ୍ତାକାଲିଠାରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ । ଏହା ଅକ୍ଟୋବର ୩ ତାରିଖ ଯାଏଁ ଚାଲିବ । ଅଧିବେଶନରେ ୯ଟି କାର୍ଯ୍ୟ ଦିବସ ରହିଛି ।

ଆଜି ନବୀନଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ

ଆଜି ନବୀନଙ୍କ ଅଧ୍ୟକ୍ଷତାରେ ବିଜେଡି ବିଧାୟକ ଦଳ ବୈଠକ

ନନ୍ଦିଘୋଷ ବ୍ୟୁରୋ: ଆଜି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବାକୁ ଯାଉଛି ବିଜେଡି ବିଧାୟକ ଦଳ ବୈଠକ । ଶଙ୍ଖ ଭବନରେ ଏହି ଗୁରୁତ୍ବପୂର୍ଣ୍ଣ ବୈଠକ ବସିବାକୁ ଯାଉଛି । ବିଧାନସଭାର ମୌସୁମୀ ଅଧିବେଶନ ପାଇଁ ବୈଠକରେ ରଣନୀତି ପ୍ରସ୍ତୁତ କରିବ ଦଳ ।

ଏମଏମଡିଆର ଆଇନ ପ୍ରସଙ୍ଗରୁ ବହି ତ୍ରୁଟି, ବନ୍ୟା ପରିଚାଳନାରେ ବିଫଳତା, ଆଇନଶୃଙ୍ଖଳା ଆଦି ପ୍ରସଙ୍ଗକୁ ମୁଖ୍ୟ ପ୍ରସଙ୍ଗ କରି ଶାସକ ଦଳକୁ ଘେରିବ ବିଜେଡି । ଓଡିଶାର ସ୍ୱାଧୀନତାକୁ କେନ୍ଦ୍ର ଅପହରଣ କରିଥିବାରୁ ଏ ପ୍ରସଙ୍ଗରେ ବିଜେପିକୁ ଘେରିବାକୁ ଦଳ ବିଧାୟକ ଦଳ ବୈଠକରେ ରଣନୀତି ପ୍ରସ୍ତୁତ କରାଯିବ ।

ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କୁ ୨୨ ତାରିଖ ଡେଡଲାଇନ

ସେପଟେ ବିଧାନସଭା ମୌସୁମୀ ଅଧିବେଶନ ପୂର୍ବରୁ ବହି ତ୍ରୁଟିକୁ ନେଇ ନିଜ ଆଭିମୁଖ୍ୟ ଶାଣିତ କରିଛି ଦଳ । ବିଧାନସଭା ଭିତରେ ଓ ବାହାରେ ସରକାରଙ୍କ ତ୍ରୁଟି ବିରୋଧରେ ଦଳ ଜନ ଆନ୍ଦୋଳନକୁ ଓହ୍ଲାଇବ । ତ୍ରୁଟିପୂର୍ଣ୍ଣ ପୁସ୍ତକ ପ୍ରିଣ୍ଟିଂ ପ୍ରସଙ୍ଗରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିକୁ ଆହୁରି ଶାଣିତ କରିଛି ଦଳ । ଆସନ୍ତାକାଲି ଅର୍ଥାତ ୨୨ ତାରିଖ ସୁଦ୍ଧା ମନ୍ତ୍ରୀଙ୍କୁ ଇସ୍ତଫା ଦେବାକୁ ବିଜେଡି ଡେଡଲାଇନ ଦେଇଛି । ଯଦି ମନ୍ତ୍ରୀ ଇସ୍ତଫା ନଦିଅନ୍ତି ତେବେ ଦଳୀୟ ବିଧାୟକ, ସାଂସଦଙ୍କୁ ନେଇ ଯୁବ ଓ ଛାତ୍ର ବିଜେଡି ୨୩ରେ ବିଧାନସଭା ଘେରାଉ କରିବାକୁ ଚେତାବନୀ ଦେଇଛି । ମନ୍ତ୍ରୀ ଇସ୍ତଫା ନଦେଲେ ଭୁବନେଶ୍ବର ଗାନ୍ଧୀ ମାର୍ଗରେ ଅହୋରାତ୍ର ଧାରଣା ସହ ବିଧାନସଭା ଘେରାଉ କରିବାକୁ ନିଷ୍ପତ୍ତି ନେଇଛି ଯୁବ ଓ ଛାତ୍ର ବିଜେଡି ।

ସେହିପରି ୧୧ ଦଫା ଦାବି ନେଇ ଆସନ୍ତା ୨୫ ତାରିଖରେ ବିଶାଳ ରାଲି କରି ବିଧାନସଭା ଘେରିବ ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ ଫେଡେରେସନ ବା AISF ଓ ଅଲ୍ ଇଣ୍ଡିଆ ଯୁବ ଫେଡେରେସନ ବା AIYF ।

ପୁରୀ ସ୍ବର୍ଗଦ୍ବାରରେ ଏକାଠି ଜଳିଲା ମଧ୍ୟପ୍ରଦେଶ ଦୁର୍ଘଟଣାରେ ମୃତ ଗୋଟିଏ ପରିବାରର ୭ ଜଣଙ୍କ ଜୁଇ

ପୁରୀ ସ୍ବର୍ଗଦ୍ବାରରେ ଏକାଠି ଜଳିଲା ମଧ୍ୟପ୍ରଦେଶ ଦୁର୍ଘଟଣାରେ ମୃତ ଗୋଟିଏ ପରିବାରର ୭ ଜଣଙ୍କ ଜୁଇ

ନନ୍ଦିଘୋଷ ବ୍ୟୁର: ପୁରୀ ସ୍ବର୍ଗଦ୍ବାରରେ ଶୋକାକୂଳ ପରିବେଶ । ସମସ୍ତଙ୍କ ଆଖିରେ ଲୁହ । ନିରବୀ ଯାଇଥିବା ସ୍ବର୍ଗଦ୍ବାର ଅଞ୍ଚଳ । ଏକା ସାଙ୍ଗରେ ଜଳିଥିଲା ମଧ୍ୟପ୍ରଦେଶ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଗୋଟିଏ ପରିବାରର ୭ ଜଣଙ୍କ ଜୁଇ ।

ମଧ୍ୟପ୍ରଦେଶରେ ଘଟିଥିବା ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ ହରାଇଥିବା ୭ ଓଡ଼ିଆଙ୍କ ଶେଷକୃତ୍ୟ ସ୍ବର୍ଗଦ୍ବାରରେ ସମ୍ପନ୍ନ ହୋଇଛି । ମୃତ ଭଉଣୀ ରୀତାରାଣୀ, ତାଙ୍କ ସ୍ୱାମୀ ଜ୍ଞାନେନ୍ଦ୍ର ଏବଂ ତାଙ୍କ ପୁଅ ସମେତ ଅବିବାହିତ ରାଧାରାଣୀଙ୍କୁ ମୁଖାଗ୍ନି ଦେଇଛନ୍ତି ତାଙ୍କ ଭାଇ ଦିଲ୍ଲୀପ ବେହେରା । ଶିବ ପ୍ରସାଦ ବେହେରା ଓ ତାଙ୍କ ଦୁଇ ପିଲାଙ୍କୁ ନିରଞ୍ଜନ ବେହେରା ମୁଖାଗ୍ନି ଦେଇଥିଲେ ।

ରାଜ୍ୟ ସରାକରଙ୍କ ନିର୍ଦ୍ଦେଶ କ୍ରମେ ସ୍ୱର୍ଗଦ୍ୱାରରେ ଜିଲ୍ଲା ପ୍ରଶାସନ ଓ ସ୍ୱର୍ଗଦ୍ୱାର କମିଟି ପକ୍ଷରୁ ଦାହ ସଂସ୍କାର ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଥିଲା । ପୁରୀ ଅତିରିକ୍ତ ଜିଲ୍ଲାପାଳ ନିଜେ ଉପସ୍ଥିତ ରହି ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଇଥିଲେ ।

ଗତକାଲି ବିଳମ୍ବିତ ରାତିରେ ଭୁବନେଶ୍ବର ପହଞ୍ଚିଥିଲା ମରଶରୀର । ସ୍ବତନ୍ତ୍ର ଆମ୍ବୁଲାନ୍ସ ଯୋଗେ ମରଶରୀର ପହଞ୍ଚିବା ପରେ ଭୁବନେଶ୍ବର ଜୟଦେବ ବିହାରରେ ଦେଖିବାକୁ ମିଳିଥିଲା ଶୋକର ଛାୟା । ଗତ ବୁଧବାର ଉଜ୍ଜୟିନୀରେ ଏକ କାର ଯୋଗେ ସମସ୍ତେ  ଯାଇଥିଲେ ବଗଳାମୁଖି ମନ୍ଦିର । ମାଆଙ୍କ ମନ୍ଦିରରୁ ଫେରିବା ବେଳେ ମଧ୍ୟପ୍ରଦେଶର ମାଲୱା ଅଞ୍ଚଳରେ ଘଟିଥିଲା ଦୁର୍ଘଟଣା । ଡ୍ରାଇଭରଙ୍କ ଦୁଃସାହାସ ଓ ଅବହେଳା କାରଣରୁ ନାଳରେ ଭାସି ଯାଇଥିଲା କାର । ଫଳରେ ଡାଇଭରଙ୍କ ସମେତ ୮ ଜଣଙ୍କ ଅକାଳରେ ଚାଲି ଯାଇଥିଲା ଜୀବନ । ବାନାମ୍ବରଙ୍କ ପୁଅ, ଝିଅ, ଜ୍ବାଇଁଙ୍କ ସମେତ  ପରିବାରର ୭ ଜଣଙ୍କ ମୃତ୍ୟୁ ଘଟିଥିଲା । ମୃତକଙ୍କ ମଧ୍ୟରେ ୩ ଶିଶୁ, ୨ ମହିଳା ଓ ୩ ପୁରୁଷ ଥିଲେ ।

ଗତକାଲି  ମୃତଦେହ ଭୁବନେଶ୍ବର ପହଞ୍ଚିବା ସମୟରେ ଆଇନମନ୍ତ୍ରୀ, ଭୁବନେଶ୍ବର ବିଧାୟକ ଉପସ୍ଥିତ ଥିଲେ । ଭୁବନେଶ୍ବର ପହଞ୍ଚିବା ପରେ ତାଙ୍କ ଜନ୍ମମାଟି ଗାଡ଼କଣକୁ ଯାଇଥିଲା ମୃତଦେହ । ଏହାପରେ ମୃତଦେହ ପୁରୀ ସ୍ବର୍ଗଦ୍ବାର ନେଇ ସେଠାରେ ସମସ୍ତଙ୍କ ଅନ୍ତିମ ସଂସ୍କାର କରାଯାଇଛି ।

ମୁମ୍ବାଇ କୋଷ୍ଟାଲ ରୋଡରେ ଭୟଙ୍କର BMW ଦୁର୍ଘଟଣା, ୩ ମୃତ; ଜଣେ ଗୁରୁତର

ନନ୍ଦିଘୋଷ ବ୍ୟୁରୋ : ମୁମ୍ବାଇ କୋଷ୍ଟାଲ ରୋଡରେ ଭୟଙ୍କର ସଡ଼କ ଦୁର୍ଘଟଣା। ଭରସାମ୍ୟ ହରାଇ ବ୍ରିଜ୍‌ରୁ ତଳକୁ ଖସିପଡ଼ିଲା ଦ୍ରୁତଗାମୀ BMW କାର। ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ରବିବାର ଭୋର ପ୍ରାୟ ୫ଟା ସମୟରେ ଲୋଟସ୍ ଜେଟି ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ପୋଲିସ ଅନୁସାରେ, କଳା ରଙ୍ଗର BMW କାରଟି ମେରିନ୍ ଡ୍ରାଇଭ୍‌ରୁ ହାଜି ଅଲି ଦିଗକୁ ଯାଉଥିବାବେଳେ ଅତ୍ୟଧିକ ବେଗ ଯୋଗୁଁ ଚାଳକ ନିୟନ୍ତ୍ରଣ ହରାଇଥିଲେ। କାରଟି ପ୍ରଥମେ କୋଷ୍ଟାଲ ରୋଡର ବାହ୍ୟ ପ୍ରାଚୀରରେ ଧକ୍କା ହୋଇ ପ୍ରାୟ ୭୫ ଫୁଟ୍ ତଳକୁ ଖସିପଡ଼ିଥିଲା।

ଦୁର୍ଘଟଣା ପରେ କାରରେ ଥିବା ୪ ଜଣଙ୍କୁ ଉଦ୍ଧାର କରି ନାୟର ହସ୍ପିଟାଲକୁ ନିଆଯାଇଥିଲା। ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିବାବେଳେ ଜଣେ ଯୁବକ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। ମୃତକମାନେ ୧୭, ୧୯ ଓ ୨୧ ବର୍ଷ ବୟସର ବୋଲି ଜଣାପଡ଼ିଛି। ଘଟଣାର CCTV ଭିଜୁଆଲ୍‌ ମଧ୍ୟ ସାମ୍ନାକୁ ଆସିଛି। ଘଟଣାର କାରଣ ନେଇ ପୋଲିସ ତଦନ୍ତ ଜାରି ରଖିଛି। ମୁମ୍ବାଇର ପ୍ରାୟ ୧୦.୫୮ କିଲୋମିଟର ଲମ୍ବା କୋଷ୍ଟାଲ ରୋଡ୍‌ ମେରିନ୍ ଡ୍ରାଇଭ୍‌କୁ ୱର୍ଲି ଓ ବାନ୍ଦ୍ରା-ୱର୍ଲି ସି ଲିଙ୍କ୍‌ ଦିଗ ସହ ଯୋଡ଼ିଥାଏ।

୧୧ ଦଫା ଦାବି ନେଇ ୨୫ରେ ଭୁବନେଶ୍ୱର ଚାଲ, ବିଧାନସଭା ଘେରିବ AISF- AIYF

ନନ୍ଦିଘୋଷ ବ୍ୟୁରୋ : ଦିଲ୍ଲୀ ଜନ୍ତରମନ୍ତର ଓ ଝାଡ଼ଖଣ୍ଡରେ ଯୁବ ଆନ୍ଦୋଳନ ପରେ ଏବେ ଓଡ଼ିଶାରେ ବିଶାଳ ଛାତ୍ର-ଯୁବ ଆନ୍ଦୋଳନ ପାଇଁ ପ୍ରସ୍ତୁତି। ଆସନ୍ତା ୨୫ ତାରିଖରେ ଭୁବନେଶ୍ୱରରେ ବିଶାଳ ରାଲି କରି ବିଧାନସଭା ଘେରାଉ କରିବାକୁ ଘୋଷଣା କରିଛି ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ ଫେଡେରେସନ୍ (AISF) ଓ ଅଲ୍ ଇଣ୍ଡିଆ ଯୁବ ଫେଡେରେସନ୍ (AIYF)। ‘ଯୁବ ଛାତ୍ର ଅଧିକାର ପାଇଁ ଭୁବନେଶ୍ୱର ଚାଲ’ ଅଭିଯାନ ଅଧୀନରେ ହେବାକୁ ଥିବା ଏହି ରାଲିରେ ହଜାର ହଜାର ଯୁବକ-ଯୁବତୀ ଓ ଛାତ୍ରଛାତ୍ରୀ ସାମିଲ ହେବେ ବୋଲି କହିଛନ୍ତି AISF ରାଜ୍ୟ ସଭାପତି ସଂଘମିତ୍ରା ଜେନା।

୧୧ ଦଫା ଦାବି ନେଇ ଏହି ଆନ୍ଦୋଳନ ହେବ। ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ପ୍ରତ୍ୟାହାର କରି ନୂଆ ପୁସ୍ତକ ଯୋଗାଣ, ସମସ୍ତଙ୍କ ପାଇଁ ମାଗଣା ଶିକ୍ଷା, ଛାତ୍ର ସଂସଦ ନିର୍ବାଚନର ତାରିଖ ଘୋଷଣା, NEP 2020 ପ୍ରତ୍ୟାହାର, NTA ରଦ୍ଦ ଓ NEET ଉଚ୍ଛେଦ, ଉନ୍ନତ ହଷ୍ଟେଲ ସୁବିଧା ସହ ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ବସ୍ ସେବା ଆଦି ଦାବି ରହିଛି। ଦାବିଗୁଡ଼ିକ ଉପରେ ସରକାର ଶୀଘ୍ର ବିଚାର ନକଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ ବୋଲି AISF ପକ୍ଷରୁ କୁହାଯାଇଛି। ସରକାର, ବିଧାୟକ ଓ ମନ୍ତ୍ରୀଙ୍କୁ ସିଧାସଳଖ ପ୍ରଶ୍ନ କରାଯିବ ବୋଲି ମଧ୍ୟ ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।

ବନ୍ୟା-ନିଅଣ୍ଟିଆ ବର୍ଷାରେ ଦୁଇ ଚିତ୍ର: ଉପକୂଳରେ ଜଳପ୍ରଳୟ, ଦକ୍ଷିଣରେ ଜଳଭଣ୍ଡାର ଖାଲି

ନନ୍ଦିଘୋଷ ବ୍ୟୁରୋ : ଗ୍ଲୋବାଲ ୱାର୍ମିଂ ଯୋଗୁଁ ଜଳବାୟୁ ପରିବର୍ତ୍ତନ। ଓଡ଼ିଶାରେ ସୁପର ଏଲ୍‌ନିନୋର ପ୍ରଭାବ। ଉପକୂଳ ଓଡ଼ିଶାରେ ଲଗାତାର ବନ୍ୟା ଯୋଗୁଁ ୧୦ ଜିଲ୍ଲାରେ ଜଳପ୍ରଳୟ। ପଛକୁ ପଛ ବନ୍ୟା ସ୍ଥିତି। ହେଲେ ଦକ୍ଷିଣ ଓଡ଼ିଶାରେ ଚିତ୍ର ଓଲଟା। ମାଲକାନାଗିରି, କୋରାପୁଟ ଓ କଳାହାଣ୍ଡିରେ ନିଅଣ୍ଟିଆ ବର୍ଷା ଯୋଗୁଁ ଜଳଭଣ୍ଡାର ଖାଲି। ଏହାର ପ୍ରଭାବରେ ବାଧାପ୍ରାପ୍ତ ହୋଇଛି ଜଳ ବିଦ୍ୟୁତ ଉତ୍ପାଦନ। ଅନୁଗୁଳର ରେଙ୍ଗାଲି ୨୫୦ ମେଗାୱାଟ୍ ପ୍ରକଳ୍ପରୁ ବିଜୁଳି ଉତ୍ପାଦନ ବାଧାପ୍ରାପ୍ତ ହୋଇଛି। ମାଲକାନାଗିରି ଜିଲ୍ଲା ବାଲିମେଳାରେ ଥିବା ୫୧୦ ମେଗାୱାଟ୍ ପ୍ରକଳ୍ପ ସମ୍ପୂର୍ଣ୍ଣ ଠପ୍ ହୋଇଥିବା ବେଳେ କୋରାପୁଟ ଜିଲ୍ଲାର ଅପର କୋଲାବ ୩୨୦ ମେଗାୱାଟ୍ ଓ କଳାହାଣ୍ଡି ଜିଲ୍ଲାର ଅପର ଇନ୍ଦ୍ରାବତୀ ୬୦୦ ମେଗାୱାଟ୍ କ୍ଷମତାର ପ୍ରକଳ୍ପ ମଧ୍ୟ ପ୍ରଭାବିତ ହୋଇଛି। ଏପରିକି ହୀରାକୁଦର ୨୮୮ ମେଗାୱାଟ୍ ପ୍ରକଳ୍ପରୁ ମଧ୍ୟ ବିଜୁଳି ଉତ୍ପାଦନ ବନ୍ଦ ରହିଛି। ଜଳ ଅଭାବ ଯୋଗୁଁ ଏହି ସବୁ ପ୍ରକଳ୍ପରେ ଉତ୍ପାଦନ ପ୍ରଭାବିତ ହୋଇଛି। ଗ୍ଲୋବାଲ ୱାର୍ମିଂ, ଜଳବାୟୁ ପରିବର୍ତ୍ତନ ଓ ପରିବେଶରେ ଅସନ୍ତୁଳନ ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା ବେଳେ ଆଗକୁ ମଧ୍ୟ ଏହି ସମସ୍ୟା ଜାରି ରହିପାରେ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଏହାର ଏକମାତ୍ର ସମାଧାନ ହେଉଛି ବର୍ଷା ଦିନେ ଜଳ ସଂରକ୍ଷଣ କରି ରଖିବା। ଭୂତଳ ଜଳ ଉପରେ ନିୟନ୍ତ୍ରଣ ସହ ବର୍ଷାଜଳ ଅମଳ ପ୍ରକଳ୍ପକୁ ବାଧ୍ୟତାମୂଳକ କରାଯିବା ଜରୁରୀ ବୋଲି ବିଶେଷଜ୍ଞମାନେ କହିଛନ୍ତି।

ଅନ୍ୟପଟେ ଉପକୂଳ ଓଡ଼ିଶାରେ, ବିଶେଷକରି ଯାଜପୁର, ଭଦ୍ରକ ଓ ବାଲେଶ୍ୱରରେ ବନ୍ୟା ସ୍ଥିତି ସମ୍ପୂର୍ଣ୍ଣ ସୁଧୁରିନଥିବା ବେଳେ ସରକାରଙ୍କ ପକ୍ଷରୁ ରିଲିଫ୍ ପ୍ୟାକେଜ୍ ଦିଆଯାଉଛି। ହେଲେ ଦକ୍ଷିଣ ଓଡ଼ିଶାରେ ଜଳ ଅଭାବ ମଧ୍ୟ ସରକାରଙ୍କୁ ଚିନ୍ତାରେ ପକାଇଛି। ଜଳଭଣ୍ଡାରରେ ପାଣି ନଥିବାରୁ ଜଳ ବିଦ୍ୟୁତ ଉତ୍ପାଦନ ବାଧାପ୍ରାପ୍ତ ହେଉଛି। ବର୍ଷା ଦିନେ ଅତିରିକ୍ତ ଜଳ ସମୁଦ୍ରକୁ ବହିଯାଉଥିବାରୁ ଏହାକୁ ସଂରକ୍ଷଣ କରିବା ନେଇ ଯୋଜନା କରାଯାଉଛି। ଏନେଇ ଜଳସମ୍ପଦ ବିଭାଗ ସହ ଆଲୋଚନା କରାଯାଇ ସ୍ୱତନ୍ତ୍ର ଯୋଜନା ପ୍ରସ୍ତୁତ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି। ନଦୀର ଉତ୍ପତ୍ତିସ୍ଥଳରୁ ସମୁଦ୍ରରେ ମିଶିବା ପର୍ଯ୍ୟନ୍ତ ଜମି ରହିଥିବା ପଟୁମାଟି ଓ ବାଲିକୁ କାଢ଼ି ଜଳ ପ୍ରବାହକୁ ବ୍ୟାପକ କରାଯିବ। ଏହା ସହ ନଦୀ କୂଳେ କୂଳେ ଜଳଭଣ୍ଡାର ନିର୍ମାଣ କରାଯାଇ ଖରାଦିନ ପାଇଁ ପାଣି ସଂରକ୍ଷଣ କରିବାକୁ ଉଦ୍ୟମ କରାଯିବ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି।

ବହି ମିଳିଲାନି, ୨୨ ସୁଦ୍ଧା ମନ୍ତ୍ରୀଙ୍କ ଇସ୍ତଫା ଦାବି; ବିଜେଡିର ଆନ୍ଦୋଳନ ଚେତାବନୀ

ନନ୍ଦିଘୋଷ ବ୍ୟୁରୋ : ଦିନ ଗଡ଼ି ଚାଲିଛି। ହେଲେ ଏଯାଏଁ ସଂଶୋଧିତ ପୁସ୍ତକ ପାଉନାହାନ୍ତି ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀ। ଆଉ କିଛି ଦିନ ପରେ ସେମାନେ ଷାଣ୍ମାସିକ ପରୀକ୍ଷା ଦେବେ। ଏହାପରେ ଆସିବ ପୂଜା ଛୁଟି। ଏଭଳି ସମୟରେ ପିଲାଙ୍କ ହାତରେ ପ୍ରଶ୍ନପତ୍ର ରହିବା କଥା, ହେଲେ ଏଯାଏଁ ସେମାନେ ବହି ପାଇନାହାନ୍ତି। ସଂଶୋଧିତ ବହି ନମିଳିବାକୁ ନେଇ ପୁଣି ରାଜରାସ୍ତାକୁ ଓହ୍ଲାଇବାକୁ ସଜବାଜ ହେଉଛି ବିଜୁ ଜନତା ଦଳ। ଦିନକ ପରେ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବା ବେଳେ, ଏହା ପୂର୍ବରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଇସ୍ତଫା ନଦେଲେ ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ଅହୋରାତ୍ର ଧାରଣା ସହ ବିଧାନସଭା ଘେରାଉ କରିବାକୁ ଯୁବ ଓ ଛାତ୍ର ବିଜେଡି ନିଷ୍ପତ୍ତି ନେଇଛି। ଏଥିରେ ବିଧାୟକ, ସାଂସଦଙ୍କ ସମେତ ବୁଦ୍ଧିଜୀବୀମାନେ ମଧ୍ୟ ସାମିଲ ହେବେ ବୋଲି ଦଳ ପକ୍ଷରୁ କୁହାଯାଇଛି। ବହିରେ ୧୬୭୮ରୁ ଅଧିକ ତ୍ରୁଟି ଧରାପଡ଼ିବା ପରଠାରୁ ସରକାରଙ୍କୁ ବିରୋଧୀ ଓ ବିଭିନ୍ନ ସଂଗଠନ ଘେରିଛନ୍ତି। କେତେବେଳେ ଜାତୀୟ ଶିକ୍ଷା ନୀତି-୨୦୨୦ର ଆଳ କରାଯାଉଛି, ତ ଆଉ କେତେବେଳେ ମୁଖ୍ୟମନ୍ତ୍ରୀ ସଂଶୋଧିତ ପୁସ୍ତକ ବିଷୟରେ କହୁଛନ୍ତି। ଏହାପରେ ସଂଶୋଧିତ ବହିକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସସପେନ୍ସ ଜାରି ରଖିଥିବା ବିଜେଡି ଅଭିଯୋଗ କରିଛି।

ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ଷଡ଼ଯନ୍ତ୍ର କଥା କହିଥିଲେ ମଧ୍ୟ ଷଡ଼ଯନ୍ତ୍ରକାରୀଙ୍କ ନାଁ କହିନାହାନ୍ତି ବୋଲି ଦଳ ପକ୍ଷରୁ କୁହାଯାଇଛି। ସିବିଆଇ ତଦନ୍ତ ପରିବର୍ତ୍ତେ କ୍ରାଇମବ୍ରାଞ୍ଚ ତଦନ୍ତ ହୋଇଛି ଏବଂ ବଡ଼ ଅଧିକାରୀମାନେ ଖସିଯାଇଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି। ୨୨ ତାରିଖ ସୁଦ୍ଧା ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ନଦେଲେ ଅହୋରାତ୍ର ଧାରଣା ଏବଂ ଆସନ୍ତା ୨୩ ତାରିଖରେ ବିଧାନସଭା ଘେରାଉ କରିବ ବୋଲି ବିଜୁ ଜନତା ଦଳ ଘୋଷଣା କରିଛି। ବହିରେ ତ୍ରୁଟିକୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ପ୍ରଥମ ଦିନରୁ ମୁହଁ ଖୋଲିଛନ୍ତି ବୋଲି ବିଜେଡି କହିଛି। ତାଙ୍କ ନିର୍ଦ୍ଦେଶରେ ପ୍ରତି ଜିଲ୍ଲାରେ ଯୁବ ଓ ଛାତ୍ର ବିଜେଡି ପକ୍ଷରୁ ‘ଶିକ୍ଷା ବଞ୍ଚାଅ’ ଆନ୍ଦୋଳନ କରାଯାଇଥିଲା। ଏଥର ମଧ୍ୟ ଅଭିଭାବକ, ଛାତ୍ରଛାତ୍ରୀ ଓ ବୁଦ୍ଧିଜୀବୀଙ୍କୁ ଆନ୍ଦୋଳନରେ ସାମିଲ ହେବାକୁ ବିଜେଡି ଆହ୍ୱାନ ଦେଇଛି।