ମାଥିଲି: ଜୀବନ ନେଇଗଲା ଶୋଚନୀୟ ରାସ୍ତା । ପାହାଡ ଉପର ରାସ୍ତାରୁ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିବା ବାଟରେ ଚାଲିଗଲା ଯୁବତୀଙ୍କ ଜୀବନ। ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ କାତ୍ରାକୁଣ୍ତରୁ ଆସିଛି ଏଭଳି ହୃଦୟ ବିଦାରକ ଦୃଶ୍ୟ । ଜ୍ବରରେ ପୀଡିତ ଜିଗୁଡୁ ଗୋଲରୀଙ୍କ ଝିଅ ସଞ୍ଜିତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇଥିଲା । କାତ୍ରାକୁଣ୍ତକୁ ଆମ୍ବୁଲାନ୍ସ ଯାଇପାରୁ ନଥିବାରୁ ପାହାଡ ଓ ଶୋଚନୀୟ ରାସ୍ତାରେ ଝିଅକୁ ଭାରରେ ବୋହି ଆଣୁଥିଲେ ପରିବାର ଲୋକେ । ଗୋବିନ୍ଦପାଲି ସ୍ବାସ୍ଥ୍ୟକେନ୍ଦ୍ର ଆଣିବାବେଳେ ଅଧବାଟରେ ସଞ୍ଜିତାଙ୍କ ମୃତ୍ୟୁ ହୋଇଥିଲା ।ପ୍ରାୟ ୬ କିଲୋମିଟର ପାଦରେ ଚାଲି ସଞ୍ଜିତାଙ୍କୁ ଭାର ବୋହି କରି ଆଣୁଥିଲେ ପରିବାର ଲୋକେ । ହେଲେ ହସ୍ପିଟାଲ ପହଞ୍ଚିବା ପୂର୍ବରୁ ହିଁ ଚାଲିଯାଇଛି ଜୀବନ। ଖରାପ ରାସ୍ତା ପାଇଁ ଠିକ ସମୟରେ ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ନଥିବାରୁ ତାଙ୍କ ଜୀବନ ଯାଇଥିବା ଅଭିଯୋଗ କରିଛନ୍ତି ପରିବାର। ଏଭଳି ଦୃଶ୍ୟ ଦେଖିଲେ ଲାଗୁଛି ସରକାରଙ୍କ ସବୁ ଯୋଜନା ଯେଭଳି ଏଠାରେ ଉପହାସ ପାଲଟିଛି।
ବେଶି ଦିନ ରହିବନି ସୁନା ଦର ହ୍ରାସର ଟ୍ରେଣ୍ଡ !
ନନ୍ଦିଘୋଷ ବ୍ୟୁରୋ: ସୁନା ଦର କମୁଛି । ୨୨ କ୍ୟାରେଟ୍ ସୁନା ୧୦ ଗ୍ରାମ ୫୫ ହଜାର ଛୁଇଁ ପାରେ । ଏଭଳି ହ୍ରାସ ନେଇ ସୁନା ବ୍ୟବସାୟୀ ଓ ବିଶେଷଜ୍ଞ ଦ୍ବନ୍ଦ୍ବରେ । ବିଶେଷଜ୍ଞଙ୍କ ଆକଳନ ସୁନା ଦର ହ୍ରାସ ଏକ ସାମୟିକ ସ୍ଥିତି । ଏବେ ବିଶ୍ବର ସବୁ କେନ୍ଦ୍ରୀୟ ବ୍ୟାଙ୍କ ପାଖରେ ୨ ଲକ୍ଷ ୧୬ ହଜାର ଟନ୍ ସୁନା ମହଜୁଦ ରହିଛି । ଟ୍ରମ୍ପଙ୍କ ଟାରିଫ ରାଜ୍ ଆରମ୍ଭ ହେବା ପରେ ବିଶ୍ବ ବଜାରର ସବୁ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହୋଇଛି । ଭାରତରେ ସୁନା ଦର କମିବା ଆଶା ସେତେଟା ଦୀର୍ଘ ସ୍ଥାୟୀ ହେବନି ବୋଲି ସୁନା ବ୍ୟବସାୟୀ ମତ ରଖିଛନ୍ତି । ସେପଟ ବିଶେଷଜ୍ଞଙ୍କ ଆକଳନ ସୋଭେରିନ୍ ଗୋଲ୍ଡ ବଣ୍ଡ ବନ୍ଦ ହେବା ପରେ ବାସ୍ତବ ସୁନାରେ ପୁଞ୍ଜିନିବେଶ କରିବା ପାଇଁ ନିବେଶକ ଚାହିଁ ବସିଛନ୍ତି । ଯଦି କେନ୍ଦ୍ରୀୟ ବ୍ୟାଙ୍କ ଷ୍ଟକ୍ ବଜାରକୁ ଛାଡ଼ିବେ ତା’ହେଲେ ସୁନା ଦର କମିବ । କିନ୍ତୁ ସେଭଳି ସମ୍ଭାବନା ଆଗାମୀ ଦିନରେ ଦେଖାଯାଉନି ।
ସୁନା ଦର ହୁ ହୁ ହୋଇ ବଢୁଥିଲା । ଏବେ ହଠାତ୍ ବ୍ରେକ୍ ଲାଗିଛି । ବଢିବା ପରିବର୍ତ୍ତେ କାହିଁକି କମୁଛି ? ଏ ନେଇ ଦ୍ବନ୍ଦ୍ବରେ ବ୍ୟବସାୟୀ ଓ ଗ୍ରାହକ । ଆଜି ୨୨ କ୍ୟାରେଟ୍ ସୁନା ଦର ଭୁବନେଶ୍ବରରେ ୮୨ ହଜାର ୮୫୦ ଟଙ୍କା ଥିବାବେଳେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୯୦ ହଜାର ୮୦୦ ଟଙ୍କା ରହିଛି । ଏହା ଅସ୍ଥାୟୀ ଅବସ୍ଥା । ଦୀର୍ଘ ଦିନ ପାଇଁ ଏହି ଦର ହ୍ରାସ ନ ରହିପାରେ । ଭାରତ ସରକାର ସୋଭେରିନ୍ ଗୋଲ୍ଡ ବଣ୍ଡ ବନ୍ଦ କଲା ପରେ ବାସ୍ତବ ସୁନାରେ ନିବେଶକ ପୁଞ୍ଜି ଲଗାଉଥିଲେ । କିନ୍ତୁ ଏବେ ସେଥିରେ ବ୍ରେକ୍ ଲାଗିଛି । ଦର କମିବା ଆଶାରେ ନିବେଶକ । ଟ୍ରମ୍ପଙ୍କ ଟାରିଫ ଶୁଳ୍କ ପ୍ରଭାବ ଅନ୍ତରାଷ୍ଟ୍ରୀୟ ସୁନା ବେପାର ଉପରେ ପଡ଼ିଛି । ଅଳଙ୍କାର ବ୍ୟବସାୟୀଙ୍କ କାରବାର ବି ମାନ୍ଦା ଚାଲିଛି । ଗତ ସପ୍ତାହକ ଭିତରେ ସୁନାରେ ୩ ହଜାର ଟଙ୍କାରୁ ୨ ହଜାର ଟଙ୍କା ହ୍ରାସ ହୋଇଥିବାରୁ ଆହୁରି କମିବା ନେଇ ଆଶାରେ ଗ୍ରାହକ । ସେପଟେ କେତେକ ବ୍ୟବସାୟୀଙ୍କ ମତ ଏହା ଆମେରିକା ରାଷ୍ଟ୍ରପତିଙ୍କ ଟାରିଫ ଯୁଦ୍ଧର ପ୍ରଭାବ । ଏହା ବେଶୀ ଦିନ ରହିବନି ।
ବଜାର ବିଶେଷଜ୍ଞ ଆକଳନ, ଅଷ୍ଟ୍ରେଲିଆ ସୁନା ଉତ୍ପାଦନ ବୃଦ୍ଧି କରିଛି । ଏହାସହିତ ସବୁ ରାଷ୍ଟ୍ରର ସେଣ୍ଟ୍ରାଲ ବ୍ୟାଙ୍କ ୨ ଲକ୍ଷ ୧୬ ହଜାର ଟନ୍ ସୁନା ମହଜୁଦ ରଖିଛନ୍ତି । ଆଉ ବିଶ୍ବର ବଡ଼ ବ୍ୟାଙ୍କ ସୁନା କିଣୁ ନାହାନ୍ତି । ଏଭିଳି ସ୍ଥିତିରେ ଚାହିଦା ତୁଳନାରେ ସୁନା ଯୋଗାଣ ଅଧିକ ରହିଛି । ଯଦି ସେଣ୍ଟ୍ରାଲ ବ୍ୟାଙ୍କ ସେମାନଙ୍କ ସୁନା ଷ୍ଟକ୍ କମାଇବାକୁ ଚାହିଁ ଖୋଲା ବଜାରରେ ସୁନା ବିକିବେ ତା’ହେଲେ ସୁନାର ହ୍ରାସ ହେବ । ଏପରି ହେଲେ ବି ଦର ୧ ହଜାର ଟଙ୍କାରୁ ଅତିବେଶୀରେ ୨ ହଜାର ଟଙ୍କା ପର୍ଯ୍ୟନ୍ତ କମିବ, କିନ୍ତୁ ବେଶୀ ନୁହେଁ । ସେପଟେ ଭାରତ ସରକାର ସୋଭେରିନ୍ ଗୋଲ୍ଡ ବଣ୍ଡ ବନ୍ଦ କରିଥିବାରୁ ସୁନା ବିସ୍କୁଟ କିଣାରେ ପୁଞ୍ଜି ନିବେଶ କରିବାକୁ ନିବେଶକ ଆଗ୍ରହୀ ଅଛନ୍ତି । କାରଣ ବାସ୍ତବ ସୁନା ସେମାନଙ୍କୁ ଅଧିକ ରିଟର୍ଣ୍ଣ ଦେଉଛି । ସୁନା ଦର ବଢିଲେ ନିବେଶକଙ୍କ ପାଇଁ ଶୁଭ ସୂଚନା । କିନ୍ତୁ ହ୍ରାସ ହେଲେ ସେମାନେ ନିରୁତ୍ସାହିତ ହେବେ । ଏସବୁ ନିର୍ଭର କରେ କେନ୍ଦ୍ରୀୟ ବ୍ୟାଙ୍କ କେତେ ସୁନା ବଜାରକୁ ଛାଡ଼ିବେ ।
ଭାରତରେ ସୁନାର ଚାହିଦା ସବୁବେଳେ ଗ୍ରାହକଙ୍କ ପାଖରେ ରହିଛି । ଦର ଉଚ୍ଚା ରହିଲେ ଅଳଙ୍କାର ବ୍ୟବସାୟୀ ମେକିଂ ଚାର୍ଜରେ ରିହାତି ଘୋଷଣା କରି ଗ୍ରାହକଙ୍କୁ ଆକୃଷ୍ଟ କରୁଛନ୍ତି । କିନ୍ତୁ ମୂଳ ସୁନା ଦରରେ ଅସ୍ଥିରତା ଏବେ ଉଭୟ ଗ୍ରାହକ ଓ ନିବେଶକଙ୍କୁ ଦ୍ବନ୍ଦ୍ବରେ ପକାଇଛି ।
ତିନିଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ, ବହୁ ରାଷ୍ଟ୍ରୀୟ କମ୍ପାନୀର ବରିଷ୍ଠ ଅଧିକାରୀଙ୍କ ସହ କଲେ ଆଲୋଚନା
ଭୁବନେଶ୍ବର: ତିନି ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହି ଅବସରରେ ଆଜି ଓଡିଶାରେ ଅଧିକ ପୁଞ୍ଜିନିବେଶ ପାଇଁ ବହୁ ରାଷ୍ଟ୍ରୀୟ କମ୍ପାନୀର ବରିଷ୍ଠ ଅଧିକାରୀଙ୍କ ସହ ୱାନ ଟୁ ଓ୍ବାନ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଗୋକଲଦାସ ଏକ୍ସପୋର୍ସର ନିର୍ଦ୍ଦେଶକ ପ୍ରଭାତ କୁମାର ସିଂହ, ଏନଏକ୍ସପି ଟେକ୍ନୋଲୋଜିର ନିର୍ଦ୍ଦେଶକ ଡକ୍ଟର ଅଙ୍କିତ ପାଲ, ହିମାଦ୍ରୀ କେମିକାଲ୍ସର ଅଧ୍ୟକ୍ଷ ଅନୁରାଗ ଚୌଧୁରୀ ଓ କିରି ଇଣ୍ଡଷ୍ଟ୍ରିଜର ପରିଚାଳନା ନିର୍ଦ୍ଦେଶକ ମନିଷ କିରିଙ୍କ ସହ ରାଜ୍ୟରେ ଥିବା ଶିଳ୍ପ ଅନୁକୂଳ ବାତାବରଣ ନେଇ ଆଲୋଚନା କରିଛନ୍ତି ।
ଏହିସବୁ ନିବେଶକଙ୍କୁ ଓଡିଶାରେ ନିବେଶ ପାଇଁ ମୁଖ୍ୟମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି । ଏହି ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ, ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ ଓ ଶିଳ୍ପ ସଚିବଙ୍କ ସହ ନୋଏଡା ସ୍ଥିତ ଏଚସିଏଲ ଟେକ କାର୍ଯ୍ୟାଳୟ ବୁଲି ଦେଖିଥିଲେ । ଓଡିଶାରେ ଆଇଟି ଓ ଆଇଟିଇର ବିକାଶ ଦିଗରେ ଏଚସିଏଲ ଅଧିକାରୀଙ୍କ ସହ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି ।

