ନନ୍ଦିଘୋଷ ବ୍ୟୁରୋ: ପ୍ରହସନ ପାଲଟିଛି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି । ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଆସି ହତାଶ ହୋଇ ଦୁଃଖରେ ଫେରିଯାଇଛନ୍ତି ଅଭିଯୋଗକାରୀ । ଭୁବନେଶ୍ଵର ଛାଡ଼ି ସମ୍ବଲପୁରରେ ପ୍ରଥମଥର ପାଇଁ ଜନ ଅଭିଯୋଗ ଶୁଣିବାକୁ ଆସିଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ ସହିତ ୧୧ ଜଣ ମନ୍ତ୍ରୀ ଓ ୧୩ ଜଣ ସଚିବ ମଧ୍ୟ ଆସିଥିଲେ । ତେଣୁ ଲୋକଙ୍କ ଆଶାଥିଲା ଯେଉଁ ଅଭିଯୋଗ ଭୁବନେଶ୍ୱର ଯାଇ କରିପାରୁନଥିଲେ, ସେମାନେ ଏଠାରେ କରିବେ । କିନ୍ତୁ ଜନ ଅଭିଯୋଗ ଶୁଣାଣିରେ ମୁଖ୍ୟମନ୍ତ୍ରୀ କଥା ଶୁଣିଲେନାହିଁ । ଏଠାରେ କାମ ହୋଇପାରିବ ନାହିଁ, ଭୁବନେଶ୍ୱର ଆସନ୍ତୁ ବୋଲି ଅଭିଯୋଗକାରୀଙ୍କୁ କହି ଫେରାଇଦେଲେ ଅଧିକାରୀ । ତେବେ ଭୁବନେଶ୍ୱରରେ ଯଦି ଅଭିଯୋଗ ଶୁଣିବାର ଥିଲା, ତେବେ ସମ୍ବଲପୁରରେ କାହିଁକି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠ ବୋଲି ପ୍ରଶ୍ନ କରିଛନ୍ତି ଅଭିଯୋଗକାରୀ । ଅନ୍ୟପଟେ ଅନେକ ଅଭିଯୋଗକାରୀ କହିଛନ୍ତି ଯେ ତାଙ୍କର ଅଭିଯୋଗକୁ ଜିଲ୍ଲାପାଳଙ୍କ ନିକଟକୁ ପଠାଇ ଦିଆଯାଉଛି । ସବୁଠାରୁ ବଡ଼ କଥା ହେଲା ଯଦି ସରକାର ଏଭଳି ଲୋକଙ୍କୁ ଭୁଆଁ ବୁଲାଇବେ, ତାହେଲେ ଲୋକେ ବିଶ୍ୱାସ କରିବେ ତ ? ଶେଷରେ ଅଭିଯୋଗର ଶୁଣାଣି ହୋଇପାରିନଥିବାରୁ ହତାଶ ହୋଇ ଘରକୁ ଫେରିଛନ୍ତି ଅନେକ ଅଭିଯୋଗକାରୀ ।
ନାହିଁ ନାହିଁରେ ଚାଲିଛି ସ୍ବାସ୍ଥ୍ୟସେବା : ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜରେ ଖାଲି ପଡ଼ିଛି ଡାକ୍ତର ପଦବୀ
ନନ୍ଦିଘୋଷ ବ୍ୟୁରୋ: ସ୍ବାସ୍ଥ୍ୟ ସେବା ଦେଇପାରୁନି ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ । ରେଫେରେଲ୍ ମେଡିକାଲ ପାଲଟିଛି ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଓ ହସପିଟାଲ । ଡାକ୍ତର ନଥିବାରୁ ନାହିଁ ନାହିଁ ଚାଲିଛି ସ୍ବାସ୍ଥ୍ୟସେବା । ଏଥିପାଇଁ ରୋଗୀ ଓ ତାଙ୍କ ସମ୍ପର୍କୀୟ ଅସନ୍ତୋଷ ପ୍ରକାଶ କରୁଥିବେଳେ ବାଧ୍ଯହୋଇ ଲୋକେ ଆନ୍ଧ୍ର ମେଡିକାଲ ଉପରେ ନିର୍ଭର କରୁଛନ୍ତି ।
ନାହିଁ ନାହିଁରେ ଚାଲିଛି ସ୍ବାସ୍ଥ୍ୟସେବା । ନାହାନ୍ତି ଡାକ୍ତର, ହନ୍ତସନ୍ତ ଗୁରୁତର ରୋଗୀ । ଆନ୍ଧ୍ର ହସପିଟାଲ ଉପରେ ନିର୍ଭର କରୁଛନ୍ତି ରୋଗୀ । କୋରାପୁଟ ଜିଲ୍ଲାର ସହିଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ହସପିଟାଲ । ଏଠାରେ ୯୫ଟି ଡାକ୍ତର ପଦବୀ ଖାଲି ପଡିଛି । ମେଡିକାଲ କଲେଜରେ ପିଜି ପାଠ୍ୟକ୍ରମ ଆଜି ଯାଏଁ ଆରମ୍ଭ ହୋଇପାରିଲା ନାହିଁ । ମାତ୍ର ୬ଟି ଆଇସିୟୁରେ ଚାଲିଛି ମେଡିକାଲ କଲେଜ । ସିଟି ସ୍କାନ ସୁବିଧା ମଧ୍ଯ ନାହିଁ । ଡାକ୍ତର ନଥିବାରୁ ଅନ୍ଯ ହସପିଟାଲକୁ ରେଫର ହେଉଛନ୍ତି ରୋଗୀ ।
ଜିଲ୍ଲାରେ ସ୍ବାସ୍ଥ୍ୟ ସେବାକୁ ସୁଦୃଢ କରିବାକୁ ପୂର୍ବ ସରକାରଙ୍କ ସମୟରେ କରାଯାଇଥିଲା ଯୋଜନା । ହେଲେ ରାଜ୍ଯରେ ଡବଲ ଇଞ୍ଜିନ ସରକାର ଆସିବା ପରେ ଦେଖାଦେଇଛି ଡବଲ ସମସ୍ୟା । ସ୍ବାସ୍ଥ୍ୟସେବା ନ ମିଳିବାରୁ ଆନ୍ଧ୍ର ହସପିଟାଲ ମୁହାଁ ହେଉଛନ୍ତି ରୋଗୀ । ଯାହାକୁ ନେଇ ଜିଲ୍ଲାରେ ପ୍ରବଳ ଅସନ୍ତୋଷ ଦେଖାଦେଇଛି । ସ୍ଥିତି ସୁଧାରିବାକୁ ଜିଲ୍ଲାର ସମସ୍ତ ବିଧାୟକ ସମେତ ଜିଲ୍ଲା ପ୍ରଶାସନ ଓ ମେଡିକାଲ କଲେଜର ଡାକ୍ତର ଏକ ବୈଠକ କରି ନିଷ୍ପତ୍ତି ନେବାକୁ କହିଛନ୍ତି ବିଧାୟକ । ସେପଟେ ଡିଏମଏଫ ଫଣ୍ଡରେ ବିଭିନ୍ନ ଡାକ୍ତର ପଦବି ପୂରଣ ପାଇଁ ପ୍ରୟାସ କରାଯାଉଛି ଏନେଇ ରାଜ୍ଯ ସରକାରଙ୍କୁ ଅବଗତ କରାଯାଇଛି ବୋଲି କହିଛନ୍ତି କୋରାପୁଟ ଜିଲ୍ଲାପାଳ । ଆବଶ୍ଯକ ବ୍ଯବସ୍ଥା ନଥିବାରୁ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବେ ରେଫରାଲ ହସପିଟାଲରେ ପରିଣତ ହୋଇଥିବା ଅଭିଯୋଗ କରିଛନ୍ତି ରୋଗୀ
ରେସିଙ୍ଗରେ ଦ୍ବିତୀୟ ସ୍ଥାନ ଅଧିକାର କଲେ ଅଭିନେତା ଅଜିତ କୁମାର
ନନ୍ଦିଘୋଷ ବ୍ୟୁରୋ: ବଲିଉଡ ଅଭିନେତା ଅଜିତ କୁମାର ବିଦେଶରେ ଚମକିଛନ୍ତି । ବେଲଜିୟମରେ ଆୟୋଜିତ ରେସିଙ୍ଗରେ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି । ତାଙ୍କର ଏହି ବିଜୟ ପରେ ଛୁଟିଛି ପ୍ରଶଂସାର ସୁଅ । ତେବେ ସେ ଦୀର୍ଘଦିନ ଧରି ଭାରତକୁ ରେସିଙ୍ଗରେ ଭାରତକୁ ପ୍ରତିନିଧିତ୍ବ କରି ଆସୁଛନ୍ତି । ପୂର୍ବରୁ ଅନେକଥର ଆହତ ହୋଇଛନ୍ତି । ମାତ୍ର ସେ ନିଜର ପ୍ରୟାସ ଛାଡ଼ି ନଥିଲେ । ଅଜିତ କୁମାରଙ୍କ ବିଜୟ କେବଳ ତାଙ୍କ ପ୍ରଶଂସକମାନେ ପାଳନ କରି ନଥିଲେ। ପ୍ରକୃତରେ, ଶିଳ୍ପର ବନ୍ଧୁ ଏବଂ ଦଳ ମଧ୍ୟ ବହୁତ ଉତ୍ସାହ ଦେଖାଇଥିଲେ। ତାଙ୍କ ମ୍ୟାନେଜର ସୁରେଶ ଚନ୍ଦ୍ରଙ୍କ ଛାତି ଗର୍ବରେ ଫୁଲିଗଲା। ସେ ଖୁସିରେ ଫାଟି ପଡୁଥିଲେ। ସେ ନିଜେ ଏହି ଖୁସି ଖବର ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏଥିରେ ଲେଖାଯାଇଥିଲା, ‘ମୋଟରସ୍ପୋର୍ଟ ପାଇଁ ଏକ ଗର୍ବର ମୁହୂର୍ତ୍ତ।’ ଅଜିତ କୁମାର ଏବଂ ତାଙ୍କ ଦଳ ବେଲଜିୟମର ସ୍ପା ଫ୍ରାଙ୍କୋରଚାମ୍ପସ୍ ସର୍କିଟରେ ଏକ ଚମତ୍କାର P2 ପୋଡିୟମ ଫିନିଶ ହାସଲ କରିଛନ୍ତି।
The crowd swells, and so does the love!
People of Belgium form a beeline to meet their idol!
In cinema and sports, #AK continues to spread positivity wherever he goes!
A true global icon#AjithKumar #AjithKumarRacing #AKRacing #AKOnTrack #GT4Europe #SpaFrancorchamps… pic.twitter.com/V5tm0sEfQw— Ajithkumar Racing (@Akracingoffl) April 20, 2025
ମହାରାଷ୍ଟ୍ର ରାଜନୀତିରେ ନୂଆ ଚର୍ଚ୍ଚା, ଏକାଠି ହୋଇପାରନ୍ତି ପାଓ୍ବାର ପରିବାର
ନନ୍ଦିଘୋଷ ବ୍ୟୁରୋ: ମହାରାଷ୍ଟ୍ର ରାଜନୀତିରେ ଘଡିକେ ଘୋଡ଼ା ଛୁଟିଥାଏ । ଏମିତି ଅନେକ ଉଦାହରଣ ପୂର୍ବରୁ ଦେଖିବାକୁ ମିଳିଛି । କେତେବେଳେ କିଏ କାହାକୁ ବିରୋଧ କରୁଛି ତ କେତେବେଳେ ସମର୍ଥନ କରୁଛି ତାହା ସ୍ପଷ୍ଠ ଜଣାପଡ଼ୁନାହିଁ । ଠାକରେ ପରିବାର ଏକାଠି ହେବା ନେଇ ଚର୍ଚ୍ଚା ହୋଇଥିବାବେଳେ ଏବେ ଆଉ ଖବର ସାମ୍ନାକୁ ଆସିଛି କି, ଏବେ ପାଓ୍ବାର ପରିବାର ଏକାଠି ହୋଇପାରନ୍ତି । ତେବେ ଏଥିରେ କେତେ ସତ୍ୟତା ରହିଛି ଯଦିଓ ଜଣା ପଡ଼ିନି ତଥାପି ଏହି କିଛିଦିନ ମଧ୍ୟ ଏକାଠି ନଜର ଆସିଛନ୍ତି ଏହି ପରିବାର । ଦାଦା ଶରଦ ପାଓ୍ବାର ଏବଂ ପୁତୁରା ଅଜିତ୍ ପାଓ୍ବାର ଗୋଟିଏ ମଞ୍ଚରେ ନଜର ଆସିଛନ୍ତି । ଏହି ମାସ ମଧ୍ୟରେ ଉଭୟ ଦୁଇଟି କାର୍ଯ୍ୟକ୍ରମରେ ଏକାଠି ନଜର ଆସିଛନ୍ତି । ସେପଟେ ସାଂସଦ ସୁପ୍ରିୟା ସୁଲେ ତଥା ଶରଦଙ୍କ ଝଅ ସୁପ୍ରିୟା ସବୁବେଳେ ଟାର୍ଗେଟ କରୁଥିଲେ ମାତ୍ରଅ ଏକାଠି ହେବାକୁ ନେଇ ସେ ଦେଇଥିବା ଏକ ପ୍ରତିକ୍ରିୟା ଏହି ଚର୍ଚ୍ଚାକୁ ଅଧିକ ବଢ଼ାଇ ଦେଇଛି । ଅଜିତ ପାଓ୍ବାରଙ୍କ ସାନପୁଅଙ୍କ ନିର୍ବନ୍ଧରେ ଉଭୟ ପରିବାର ନଜର ଆସିଥିଲେ । ଯାହାକୁ ନେଇ ସୁପ୍ରିୟା କହିଥିଲେ କି, ପରିବାର ଏକାଠି କାର୍ଯ୍ୟକ୍ରମରେ ଯୋଗଦେଲେ ସମ୍ପର୍କ ବଢ଼େ ।
ଜୁଲାଇ ୨୦୨୩ ମାସରେ ଦାଦା-ପୁତୁରାଙ୍କ ମଧ୍ୟରେ ଫାଟ ହୋଇଥିଲା । କିଛି ବିଧାୟକଙ୍କ ଧରି ଅଜିତ ପାଓ୍ବାର ମହାୟୁତି ମେଣ୍ଟରେ ଯୋଗ ଦେଇଥିଲେ । ଆରୋପ ପ୍ରତ୍ୟାରୋପ ମଧ୍ୟରେ ଏହି ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଥିଲା । କିନ୍ତୁ ଏବେ ଏକାଠି ହେବେ କି ନାହିଁ ଏହାକୁ ନେଇ ବେଶ ଚର୍ଚ୍ଚା ହେଉଛି । ସେପଟେ ରାଜ ଠାକରେ ଏବଂ ଉଦ୍ଧବ ଠାକରେଙ୍କ ମଧ୍ୟରେ ମଧ୍ୟ ବୁଝାବଣା ହେଉଥିବା କୁହାଯାଉଛି । ତେବେ ଦୁଇ ରାଜନୈତିକ ପରିବାର ଯଦି ଏକାଠି ହୁଅନ୍ତି ତାହେଲେ ଆଗାମୀ ଦିନରେ ରାଜନୈତିକ ଆଭିମୁଖ୍ୟ କଣ ହେବା ତାକୁ ନେଇ ରାଜନୈତିକ ମହଲରେ ଆରମ୍ଭ ହୋଇଛି ନୂଆ ଚର୍ଚ୍ଚା ।
ଅଭିଯୋଗ ଜଣାଇବାକୁ ଖଟିଆରେ ଆସିଲେ ୯୫ ବର୍ଷୀୟା ବୃଦ୍ଧା
ନନ୍ଦିଘୋଷ ବ୍ୟୁରୋ: ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା। ଖଟିଆରେ ବୁହାହୋଇ ଅଭିଯୋଗ କରିବାକୁ ଆସିଲେ ୯୫ ବର୍ଷୀୟା ବୃଦ୍ଧା। ସୋନପୁର ଜିଲ୍ଲା ତରଭା ବ୍ଲକ କାର୍ଯ୍ୟାଳୟରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଜନ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ଚାଲିଥିବାବେଳେ ସିଂହାରୀ ଗ୍ରାମର ୯୫ ବର୍ଷୀୟା ବୃଦ୍ଧା ପିରା ଚୂହାନ ଏକ ଅଟୋରେ ଖଟିଆରେ ଆସିଥିଲେ। ଅଟୋ ମଧ୍ୟରୁ ତାଙ୍କୁ ଦେଖି କିଛି ଯୁବକ ସେ ଆସିଥିବା ଖଟିଆକୁ ବୋହି ଅଭିଯୋଗ ପ୍ରକୋଷ୍ଠକୁ ନେଇଥିଲେ। ସରକାରଙ୍କ ନିୟମ ଆକାରରେ ତାଙ୍କୁ ୩୫୦୦ ଟଙ୍କା ମାସିକ ଭତ୍ତା ମିଳିବ କଥା। କିନ୍ତୁ ସରପଞ୍ଚଙ୍କ ଠାରୁ ବିଧାୟକ ଏବଂ ଇଓଙ୍କ ଠାରୁ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ବାରମ୍ବାର ଦାବି କରିଥିଲେ ମଧ୍ୟ ଫଳ ଶୂନ।ଏଣୁ ଆଜି ସେ ଖଟିଆରେ ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ ଆସିଥିଲେ। ତାଙ୍କୁ ଶୀଘ୍ର ମାସିକ ୩ ହଜାର ୫ଶହ ଟଙ୍କା ପ୍ରଦାନ କରିବାକୁ ଦାବି କରିଥିଲେ।
୪୪ ଡିଗ୍ରୀ ପାର କଲା ଝାରସୁଗୁଡା ସହର
ନନ୍ଦିଘୋଷ ବ୍ୟୁରୋ: ତତଲା କଢେଇରେ ଭାଜି ହେଉଛି ପଶ୍ଚିମ ଓଡ଼ିଶା। ୪୪ ଡିଗ୍ରୀ ପାର କଲା ଝାରସୁଗୁଡା ସହର। ଝାରସୁଗୁଡାରେ ସର୍ବାଧିକ ତାପମାତ୍ରା ୪୪. ୮ ଡିଗ୍ରୀ ରେକର୍ଡ ହୋଇଛି। ସବୁଠାରୁ ତତଲା ସହର ପାଲଟିଛି ଝାରସୁଗୁଡ଼ା। ଅପରାହ୍ନ ସାଢେ ୨ଟାରେ ଏହି ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ପଶ୍ଚିମ ଓଡ଼ିଶାର ଅନ୍ୟ ସହରରେ ମଧ୍ୟ ତାପମାତ୍ରା ବୃଦ୍ଧି ପାଇଛି। ସମ୍ବଲପୁରରେ ଦ୍ଵିତୀୟ ସର୍ବାଧିକ ୪୨. ୬ ଡିଗ୍ରୀ, ହୀରାକୁଦ ୪୧. ୮, ରାଉରକେଲା ୪୧.୨ ଡିଗ୍ରୀ ରେକର୍ଡ ହୋଇଛି। ତେବେ ଉପକୂଳରେ ତାପମାତ୍ରା ଆଭ୍ୟନ୍ତରୀଣ ତୁଳନାରେ ସାମାନ୍ୟ କମ ରହିଛି। କେନ୍ଦୁଝରରେ 37.8, ଚାନ୍ଦବାଲି 37.6, ବାଲେଶ୍ୱର 36.2 ଓ ରାଜଧାନୀ ଭୁବନେଶ୍ୱରରେ 35.2 ଡିଗ୍ରୀ ରେକର୍ଡ ହୋଇଛି।
ଏହି ଗୋଟିଏ ପ୍ରତିକ୍ରିୟା ପାଇଁ କଟିଗଲା କି ଜିତେଶ ଶର୍ମାଙ୍କ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ?
ନନ୍ଦିଘୋଷ ବ୍ୟୁରୋ: ବିସିସିଆଇ ପକ୍ଷରୁ ଘୋଷଣା ହୋଇଛି ନୂତନ କେନ୍ଦ୍ରୀୟ ଚୁକ୍ତିନାମା । ଏଥିରେ ୩୪ ଜଣ ଖେଳାଳି ସ୍ଥାନ ପାଇଛନ୍ତି । ଏଥିରେ ୭ ଜଣ ନୂଆ ମୁହଁ ରହିଛନ୍ତି । ସେପଟେ ୯ ଜଣ ଜଣ ଖେଳାଳି ସେମାନଙ୍କ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ବଜାୟ ରଖି ପାରିନାହାନ୍ତି । ଏଥି ମଧ୍ୟରେ ରହିଛନ୍ତି ଆରସିବିର ଓ୍ବିକେଟ କିପର ବ୍ୟାଟ୍ସମ୍ୟାନ ଜିତେଶ ଶର୍ମା । ତେବେ କାହିଁକି ତାଙ୍କ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ କଟିଛି ଏହାକୁ ନେଇ ଚର୍ଚ୍ଚା ହେଉଛି । ତେବେ ସେ ଏକ ପ୍ରତିକ୍ରିୟାରେ କହିଥିଲେ କି, ମୋତେ ଏତେ ପରିଚୟ RCBରୁ ମିଳିଛି । ମୁଁ ଟିମ ଇଣ୍ଡିଆ ପାଇଁ ଖେଳିଛି କିନ୍ତୁ ଲୋକେ ମୋତେ ଆରସିବି ଦଳରୁ ଚିହ୍ନିଛନ୍ତି । ମୁଁ ଯେବେ ଘରୋଇ ମ୍ୟାଚ ଖେଳିବାକୁ ଯାଏ ମୋତେ ପ୍ରଶଂସକମାନେ ଆରସିବି କହି ଚିୟର ଅପ୍ କରନ୍ତି । ଯାହାକି ବେଶ ଖୁସି ଦିଏ ଆଉ ଲାଗେ କି, ଏତେ ବଡ଼ ଟିମର ସଦସ୍ୟ ହେବାର ସୌଭାଗ୍ୟ ପାଇଛି ।
ଗତଥର ଜିତେଶ ଶର୍ମା ଗ୍ରେଡ୍ ସିରେ ସ୍ଥାନ ପାଇଥିଲେ । କିନ୍ତୁ ଗତବର୍ଷ ସେ ଗୋଟିଏ ବି ମ୍ୟାଚ ଖେଳିବାର ସୁଯୋଗ ପାଇନଥିଲେ । ଯେଉଁ କାରଣ ଚଳିତ ବର୍ଷ ତାଙ୍କର କେନ୍ଦ୍ରୀୟ ଚୁକ୍ତିନାମାରୁ ନାମ କଟିଛି ବୋଲି କୁହାଯାଉଛି । ଅନ୍ୟପଟେ ଆରସିବି ପକ୍ଷରୁ ଏକ ଭିଡିଓ ପୋଷ୍ଟ କରାଯାଇଛି । ସେଉଁଥିରେ ଜିତେଶ ଏଭଳି ନିଜର ପ୍ରତିକ୍ରିୟା ରଖିଥିଲେ । ଯେଉଁଥିପାଇଁ ବିସିସିଆଇ କ୍ଷୁବ୍ଧ ହୋଇ ଏଭଳି ନିଷ୍ପତ୍ତି ନେଇଥିବା ମଧ୍ୟ ଚର୍ଚ୍ଚା ହେଉଛି ।
ଅନୁରାଗ କାଶ୍ୟପଙ୍କ ବିରୋଧରେ ଅଭିଯୋଗ ଆଣିଲେ ଅଭିନେତ୍ରୀ, କହିଲେ..
ନନ୍ଦିଘୋଷ ବ୍ୟୁରୋ: ବଲିଉଡ ଫିଲ୍ମ ନିର୍ମାତା ଅନୁରାଗ କାଶ୍ୟପ ପୁଣିଥରେ ବିବାଦରେ ଛନ୍ଦି ହୋଇଛନ୍ତି । ସୋସିଆଲ ମିଡିଆରେ ବ୍ରାହ୍ମଣଙ୍କୁ ନେଇ ଦେଇଥିବା ଏକ ପ୍ରତିକ୍ରିୟାକୁ ନେଇ ସେ ବିବାଦ ଘେରରେ ଛନ୍ଦି ହୋଇଛନ୍ତି । ବ୍ରାହ୍ମଣ ସମାଜକୁ ନେଇ ଦେଇଥିବା ବିବାଦୀୟ ଟିପ୍ପଣୀ ପାଇଁ ବାରମ୍ବାର ସମାଲୋଚନାର ଶିକାର ହେଉଥିବାବେଳେ ଏବେ ଜଣେ ଅଭିନେତ୍ରୀ ତାଙ୍କ ବିପକ୍ଷରେ ଏଫଆଇଆର ଦେଇଛନ୍ତି । ଗେହନା ବଶିଷ୍ଟ ତାଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ବିପକ୍ଷରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ଦାବି କରିଛନ୍ତି । ତେବେ ସେ କହିଛନ୍ତି କି, କଣ ବ୍ରାହ୍ମଣମାନେ ଶୌଚାଳୟ କି? ମନଇଛା ଯିଏ ଯାହା ପାରିବ କହିପାରିବ । ସେପଟେ ଅନୁରାଗ ଦେଇଥିବା ବିବାଦୀୟ ଟିପ୍ପଣୀ ପାଇଁ ପୂର୍ବରୁ କ୍ଷମା ମାଗିଛନ୍ତି । ଏହାସହ ସେ କହିଛନ୍ତି କି, ଏଭଳି ପ୍ରତିକ୍ରିୟା ଦେବା ପରଠାରୁ ତାଙ୍କ ପରିବାରକୁ ଧମକ ମିଳୁଛି । ଏମିତିକି ତାଙ୍କ ଝିଅକୁ ହତ୍ୟା କରିବାକୁ ମଧ୍ୟ ଧମକ ମିଳିଛି ।
ସ୍ତ୍ରୀକୁ ହତ୍ୟା କରି ମୃତଦେହକୁ ବକ୍ସ ଖଟରେ ଭର୍ତ୍ତି କରି ସ୍ବାମୀ ଫେରାର
ନନ୍ଦିଘୋଷ ବ୍ୟୁରୋ: ସ୍ତ୍ରୀକୁ ହତ୍ୟା କରି ମୃତଦେହକୁ ବକ୍ସ ଖଟରେ ଭର୍ତ୍ତି କରି ସ୍ବାମୀ ଫେରାର । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ହଳଦି ଗାଁରେ । ଏହି ଗାଁର ଅନିତା ସୋରିଙ୍କୁ ତାଙ୍କ ସ୍ବାମୀ ଦୁଷ୍ମନ୍ତ ନାୟକ ହତ୍ୟା କରି ମୃତଦେହକୁ ବକ୍ସ ଖଟ ଭିତରେ ଭର୍ତ୍ତି କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଅନିତାଙ୍କ ଖୋଜ ଖବର ନମିଳିବାରୁ ତାଙ୍କ ପରିବାର ଲୋକେ ଚନ୍ଦାହାଣ୍ଡି ଥାନାରେ ଲିଖିତ ଅଭିଯୋଗ ଦେଇଥିଲେ । ଘଟଣାସ୍ଥଳରେ ଥାନା ଅଧିକାରୀ ପହଞ୍ଚି ଘରର ତାଲା ଭାଙ୍ଗି ମହିଳାଙ୍କ ଶବ ଜବତ କରିଛି। ଘଟଣାସ୍ଥଳରେ ଉମରକୋଟ SDPO ଶୁଭେନ୍ଦୁ ଶବର ପହଞ୍ଚି ତଦନ୍ତକୁ ଆଗକୁ ନେଇଛନ୍ତି ।
ନାବାଳକ ଆଶୀର୍ବାଦର ହତ୍ୟାର ପର୍ଦ୍ଦାଫାସ : ପୂର୍ବ ବ୍ୟାବସାୟିକ ଶତ୍ରୁତାରୁ ଜଘନ୍ୟ କାଣ୍ଡ
ନନ୍ଦିଘୋଷ ବ୍ୟୁରୋ : ସାତ ଦିନ ପରେ ହଟିଲା ପରଦା । ପୁରୀ ଡେଲାଙ୍ଗ ଥାନା ରତନପୁର ନାବାଳକ ହତ୍ୟାର ପର୍ଦ୍ଦାଫାସ। ବ୍ୟାବସାୟିକ ଶତ୍ରୁତାରୁ ୧୧ ବର୍ଷୀୟ ଆଶୀର୍ବାଦକୁ ହତ୍ୟା କରାଯାଇଛି ବୋଲି ପୁରୀ ଏସପି କହିଛନ୍ତି। ଆଜି ମୃତଦେହର ବ୍ୟବଚ୍ଛେଦ କରାଯାଇଛି । ସ୍ୱତ୍ରନ୍ତ୍ର ଡାକ୍ତରୀ ଟିମ ଦ୍ୱାରା ମୃତ ଆଶୀର୍ବାଦର ଶବ ବ୍ୟବଚ୍ଛେଦ କରାଯାଇଥିବାବେଳେ ଭିଡିଓଗ୍ରାଫି ମଧ୍ୟ କରାଯାଇଛି । ଏପରି କି ଡିଏନଏ ଟେଷ୍ଟ ପାଇଁ ମଧ୍ୟ ସାମ୍ପଲ ସଂଗ୍ରହ କରାଯାଇଛି । ମାମଲାରେ ଜଣକୁ ଅଟକ ରଖାଯାଇ ପଚରା ଉଚରା କରାଯାଉଛି। ଗତ ମଙ୍ଗଳବାର ନିଖୋଜ ହୋଇଥିଲା ମାନସ ସାହୁଙ୍କ ପୁଅ ଆଶୀର୍ବାଦ।
ସୋମବାର ହିଁ ପାଖ ଘରର ପାଇଖାନା ଟାଙ୍କିରୁ ପୋଲିସ ମୃତଦେହ ଉଦ୍ଧାର କରିଥିଲା। ଅଭିଯୁକ୍ତର ନାଁ ହେଲା ବାପି ସାହୁ। ଅଭିଯୁକ୍ତ ବାପି ଆଶୀର୍ବାଦର ପଡୋଶୀ ଘରର ଦାଦା । ଗତକାଲି ତାକୁ ଟାଙ୍ଗୀ ଚାନ୍ଦପୁର ଏକ ଢାବାରୁ ଧରି ପଚାର ଉଚରା ପରେ ଘଟଣାର ପର୍ଦ୍ଦାଫାସହୋଇଛି। ଉତ୍ୟକ୍ତ ଲୋକେ ଅଭିଯୁକ୍ତର ଘର ଭାଙ୍ଗି ଦେଇଥିବାର ଜଣାପଡିଛି । ସୂଚନା ଅନୁସାରେ ଆଶୀର୍ବାଦର ଗୁପ୍ତାଙ୍ଗ କଟାଯାଇଥିବା ନେଇ ନାନା ସନ୍ଦେହ ଉଠିଛି। ଘଟଣାର ଅଧିକ ଅନୁସନ୍ଧାନ ଜାରି ରହିଥିବା ବେଳେ ଡିଏନଏ ଟେଷ୍ଟ ମଧ୍ୟ କରାଯିବ ବୋଲି ପୋଲିସ କହିଛି । ଏଥିରେ କେବଳ ଅଭିଯୁକ୍ତର ସଂପୃକ୍ତି ରହିଛି ନା ଆଉ କିଏ ଏଥିରେ ସାମିଲ ଅଛନ୍ତି ତାହା ତଦନ୍ତ ପରେ ଜଣାପଡିବ ବୋଲି କହିଛନ୍ତି ଏସପି ।

