ନନ୍ଦିଘୋଷ ବ୍ୟୁରୋ : ଖ୍ରୀଷ୍ଟ ଧର୍ମର ସର୍ବୋଚ୍ଚ ଧର୍ମଗୁରୁ ପୋପ୍ ଫ୍ରାନସିସଙ୍କ ପରଲୋକ। ୮୮ ବର୍ଷ ବୟସରେ ଭାଟିକାନ୍ ସିଟିରେ ତାଙ୍କର ବିୟୋଗ। କିଛି ଦିନ ହେଲା ଅସୁସ୍ଥ ଥିଲେ । ନିମୋନିଆରେ ପୀଡ଼ିତ ଥିବା ସୂଚନା ମିଳିଛି। ଇଷ୍ଟର ଶୁଭେଚ୍ଛା ଜଣାଇବା ପରେ ପରେ ତାଙ୍କର ବିୟୋଗ ହୋଇଛି। ପୋପ୍ ବେନେଡିକ୍ଟ ଷୋଡ଼ଶଙ୍କ ପରେ ପୋପ୍ ହୋଇଥିଲେ ଫ୍ରାନସିସ୍ । ୨୦୧୩ରେ ସେ ଦାୟିତ୍ଵ ନେଇଥିଲେ ଏବଂ ୧୨ ବର୍ଷ ଧରି ପୋପ୍ ଥିଲେ । ଲାଟିନ ଆମେରିକାର ପ୍ରଥମ ବ୍ୟକ୍ତି ଭାବେ ସେ ପୋପ୍ ହୋଇଥିଲେ।
ଶ୍ରୀମନ୍ଦିରରେ ପୁଣି ପଡିଲା ରକ୍ତଛିଟା, ବଡ଼ସ୍ନାନ କଲେ ମହାପ୍ରଭୁ
ନନ୍ଦିଘୋଷ ବ୍ୟୁରୋ : ଶ୍ରୀମନ୍ଦିରରେ ହେଲା ବଡ଼ ମହାସ୍ନାନ ନୀତି । ଭିତର କାଠ ନିକଟରେ ରକ୍ତ ପଡିଥିବାରୁ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା। ଏଥିପାଇଁ ପ୍ରାୟ ଏକ ଘଣ୍ଟାରୁ ଅଧିକ ସମୟ ଧରି ମହାପ୍ରଭୁଙ୍କ ସାଧାରଣ ଦର୍ଶନ ବନ୍ଦ ରହିଥିଲା। ମହାସ୍ନାନ ନୀତି ସରିବା ପରେ ସାଧାରଣ ଦର୍ଶନ ନୀତି ସ୍ବାଭାବିକ ହୋଇଛି। ଆଜି ସକାଳେ ମଙ୍ଗଳା ଆଳତୀ ପରେ ଅବକାଶ ନୀତି ହୋଇଥିଲା। ଏହି ସମୟରେ ଭିତର କାଠ ନିକଟରେ ରକ୍ତ ଛିଟା ପଡ଼ିଛିବାର ନଜରକୁ ଆସିିଥିଲା। ଜଣେ OSAP ଯବାନଙ୍କ ଗୋଡ଼ରେ କାଚ ପଶିଯିବା ଯୋଗୁଁ ରକ୍ତ ପଡ଼ିଥିଲା। ତେଣୁ କରାଯାଇଥିଲା ମହାସ୍ନାନ। ଏଥିପାଇଁ ୮ ଟା ୧୦ ରୁ ୯ଟା ୧୦ ଯାଏ” ସାଧାରଣ ଦର୍ଶନ ବନ୍ଦ ଥିଲା। ମହାସ୍ନାନ ପରେ ନୀତି ସ୍ଵାଭାବିକ ଭାବେ ଚାଲିଛି।
ଆମେରିକାରେ ତେଜୁଛି ଟ୍ରମ୍ପଙ୍କ ବିରୋଧରେ ବିକ୍ଷୋଭ
ନନ୍ଦିଘୋଷ ବ୍ୟୁରୋ : ଦିନକୁ ଦିନ ତୀବ୍ର ହେଉଛି ଟ୍ରମ୍ପଙ୍କ ବିରୋଧରେ ବିକ୍ଷୋଭ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ପ୍ରତ୍ୟର୍ପଣ, ଛଟେଇ, ଗାଜା ଓ ୟୁକ୍ରେନ୍ ଯୁଦ୍ଧ ନୀତି ବିରୋଧରେ ଓ୍ବାଶିଂଟନ୍, ନ୍ୟୁୟର୍କ ଓ ଶିକାଗୋ ସମେତ ଦେଶର ବିଭିନ୍ନ ସହରରେ ଲୋକେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ହ୍ବାଇଟ୍ ହାଉସ୍ ବାହାରେ ବିକ୍ଷୋଭକାରୀ ଟ୍ରମ୍ପ୍ ପ୍ରଶାସନ ବିରୋଧୀ ଓ ଆପ୍ରବାସୀ ସପକ୍ଷବାଦୀ ସ୍ଲୋଗାନ୍ ଦେଇଛନ୍ତି।
ସୂଚନାଯୋଗ୍ୟ ଯେ, ଗତ ଜାନୁଆରୀରେ ଟ୍ରମ୍ପ୍ ଦ୍ୱିତୀୟ ଥର ରାଷ୍ଟ୍ରପତି ହେବା ପରଠୁ ଅଦ୍ୟାବଧି ୨ ଲକ୍ଷ ଲୋକଙ୍କୁ ସରକାରୀ ଚାକିରିରୁ ଛଟେଇ କରିସାରିଲେଣି। ତାଙ୍କ କଠୋର ନୀତି ବିରୋଧରେ ଲୋକେ ଦ୍ୱିତୀୟ ବଡ଼ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏପରିକି ନ୍ୟୁୟର୍କରେ ପ୍ରଦର୍ଶନକରୀମାନେ ସହରର ମୁଖ୍ୟ ପାଠାଗାର ବାହରେ ଏକତ୍ରିତ ହୋଇଥିଲେ ଏବଂ ସେମାନଙ୍କ ହାତରେ ସ୍ଲୋଗାନ ଲେଖାଥିବା ପୋଷ୍ଟର ଥିଲା । ‘ଟ୍ରମ୍ପ ଆମେରିକାର ରାଜା ନୁହନ୍ତି’ , ‘ଏକଛତ୍ରବାଦ ଚଳିବ ନାହିଁ’ ଏହିପରି ଲେଖାଥିବା ପୋଷ୍ଟର ଧରି ବିକ୍ଷୋଭକାରୀ ମାନେ ପ୍ରତିବାଦ କରୁଥିବା ଦେଖିବାକୁ ମିଳିଥିଲା ।

