spot_img
Home Blog Page 871

ପାକିସ୍ତାନରେ ଧଡ଼ାଧଡ଼ ଡ୍ରୋନ୍ ଆକ୍ରମଣ,କୁଆଡ଼ୁ ଆସିଲା ଡ୍ରୋନ୍ ?

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନରେ ଏୟାର ଡିଫେନ୍ସ ୟୁନିଟ ଧ୍ୱଂସ ହୋଇଛି । ଗୁରୁବାରେ ଏହାର ଦୃଶ୍ୟ ଦେଖିବାକୁ ମିଳିଛି । ଲାହୋର ଠାରୁ ନେଇ କରାଚୀ ପର୍ଯ୍ୟନ୍ତ ବଡ ବଡ ସହରରେ ଧଡାଧଡ ଡ୍ରୋନ ଆକ୍ରମଣ ହୋଇଥିଲା । ପାକିସ୍ତାନ ସରକାରଙ୍କ ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ ୨୫ ଟି ଡ୍ରୋନ ଆଟାକ୍ ହୋଇଛି । ଲାହୋର, କରାଚୀ ଏବଂ ରାଓଲପିଣ୍ଡିରେ ୩ଟି ବଡ ଡ୍ରୋନ ଆଟାକ୍ ହୋଇଛି ।

ଏହି ୩ ଟି ସହରରେ ଡ୍ରୋନ ଆଟାକ ଯୋଗୁଁ ପାକିସ୍ତାନରେ ଭୟର ବାତାବରଣ ଖେଳିଯାଇଛି । ରାଓଲପିଣ୍ଡି, କରାଚୀ ଏବଂ ଲାହୋରରେ ଆର୍ମି କ୍ୟାମ୍ପ ଥିବାବେଳେ ରାବଲପିଣ୍ଡରେ ଆଟାକରେ ଆର୍ମି କ୍ୟାମ୍ପ ଉଡିଯାଇଛି ।

ପାକିସ୍ତାନ ମିଡିଆ ସୂଚନା ଅନୁଯାୟୀ, କରାଚୀରେ ଡ୍ରୋନ ବ୍ଲାଷ୍ଟା ହୋଇଛି । ସହରରେ ଆତଙ୍କ ଖେଳିଥିବା ବେଳେ ସେନା ଅଞ୍ଚଳକୁ ନିଜ ନିୟନ୍ତ୍ରଣକୁ ନେଇଛି । ସେହିପରି ଲାହୋରରେ ସିରିଜ ବିସ୍ଫୋରଣ ପରେ ସହରରେ ଆତଙ୍କ ଖେଳିଯାଇଛି।

ପାକିସ୍ତାନର କରାଚୀ, ଗୁଜରାନୱାଲା, ଲାହୋର, ଚକୱାଲ ଏବଂ ଘୋଟକି ସମେତ ୧୨ଟି ସ୍ଥାନରେ ଡ୍ରୋନ ଆକ୍ରମଣ ହୋଇଛି। ଡ୍ରୋନ୍ ଆକ୍ରମଣ ଯୋଗୁଁ ଏହି ଅଞ୍ଚଳଗୁଡ଼ିକରେ ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି। ଏହି ଡ୍ରୋନ୍ କେଉଁଠାରୁ ଆସିଲା ସେ ବିଷୟରେ ଏପର୍ଯ୍ୟନ୍ତ ପାକିସ୍ତାନ କିଛି କହିନାହିଁ। ଡ୍ରୋନ୍ ଆକ୍ରମଣ ପାଇଁ କାହାକୁ ଦାୟୀ କରାଯାଇ ନାହିଁ।

ଲାହୋରରେ ସର୍ବାଧିକ ୩ଟି ଡ୍ରୋନ୍ ବିସ୍ଫୋରଣ ହୋଇଛି। ପାକିସ୍ତାନୀ ଗଣମାଧ୍ୟମ ଅନୁସାରେ, ପାକିସ୍ତାନରେ ଏପର୍ଯ୍ୟନ୍ତ ମୋଟ ୧୨ଟି ବିସ୍ଫୋରଣ ଘଟିଛି। ଲାହୋରରେ ଏକ ସାମରିକ ଘାଟି ନିକଟରେ ଡ୍ରୋନ୍ ବିସ୍ଫୋରଣ ହୋଇଥିବା ଖବର ଆସିଛି।

ପାକିସ୍ତାନର ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ଡ୍ରୋନ ବିସ୍ଫୋରଣକୁ ରୋକିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ଜଣାପଡ଼ିଛି। ଆଶ୍ଚର୍ଯ୍ୟଜନକ କଥା ହେଉଛି, ବୁଧବାର ଦିନ ଗୃହରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ପାକିସ୍ତାନ ବାୟୁସେନାର ଉଚ୍ଚ ପ୍ରଶଂସା କରିଥିଲେ।

ମାଟି କାମୁଡିଲା ପାକିସ୍ତାନ; ଡ୍ରୋନ ଓ ମିସାଇଲକୁ ଧ୍ବଂସ କଲା ଭାରତର S-400 ସୁଦର୍ଶନ ଚକ୍ର

ନନ୍ଦିଘୋଷ ବ୍ୟୁରୋ: ଭାରତର “ଅପରେସନ୍ ସିନ୍ଦୂର” ପରେ ଛାନିଆ ହୋଇ ବିଳିବିଳାଉଛି ପାକିସ୍ତାନ । ଗୋଟିଏ ପଟେ ପାକିସ୍ତାନରେ ଅନେକ ଗୁଡିଏ ଆତଙ୍କବାଦୀ ଶିବିର ଧ୍ବସ୍ତବିଧ୍ବସ୍ତ ହୋଇଯାଇଥିବା ବେଳେ ପାକିସ୍ତାନର ଦମ୍ଭ କିନ୍ତୁ କମୁନି ।  ଆକ୍ରମଣର ଗୋଟିଏ ଦିନ ପରେ ନିଜ ଅସଲ ରୂପକୁ ଫେରିଛି ପାକିସ୍ତାନ । ଭାରତଠୁ ପ୍ରତିଶୋଧ ନେବା ପାଇଁ ରାତି ଅଧରେ ଭାରତ ଉପରେ ଆକ୍ରମଣ କରିଥିଲା ପାକିସ୍ତାନ । କିନ୍ତୁ ଭାରତ ଆଗରେ ଫେଲ୍ ମାରିଥିଲା ପାକିସ୍ତାନର ଚାଲାକି ।  ପାକିସ୍ତାନର କ୍ଷେପଣାସ୍ତ୍ର ଧ୍ବଂସ କରି ମାଟିରେ ମିଶାଇଦେଇଛି ଭାରତର ସୁଦର୍ଶନ ଚକ୍ର ।

ଅପରେସନ ସିନ୍ଦୂର ପରେ, ପାକିସ୍ତାନ ଟାର୍ଗେଟରେ ଥିଲା ଭାରତର ୧୫ଟି  ସହର । ଆକ୍ରମଣ ପାଇଁ ଡ୍ରୋନ ଏବଂ ମିସାଇଲ ବ୍ୟବହାର କରିଥିଲା ପାକ୍ । କିନ୍ତୁ ପାକିସ୍ତାନ ଭାରତର ୧୫ଟି ପ୍ରମୁଖ ସୈନ୍ୟ ଠିକଣା ଉପରେ ଆକ୍ରମଣ କରିବା ଚେଷ୍ଟାକୁ ବିଫଳ କରିଛି ଭାରତୀୟ ଏୟାର ଡିଫେନ୍ସ ସିଷ୍ଟମ । ପ୍ରକୃତରେ, ସିନ୍ଦୂର ଅପରେସନ୍ ଦିନ ପାକିସ୍ତାନ ଭାରତର ୧୫ଟି ସହରକୁ ଟାର୍ଗେଟ କରିଥିଲା। କିନ୍ତୁ, ଭାରତୀୟ ସେନାର ସତର୍କତା ଯୋଗୁଁ, ପାକିସ୍ତାନକୁ ପରାଜୟର ସାମ୍ନା କରିବାକୁ ପଡିଲା ।  ଭାରତୀୟ ସେନା ରୁଷିଆର S-400 ସହାୟତାରେ ସେମାନଙ୍କର ସମସ୍ତ କ୍ଷେପଣାସ୍ତ୍ରକୁ ନଷ୍ଟ କରିଦେଇଛି ।

ଭାରତୀୟ ଅଧିକାରୀଙ୍କ ଅନୁସାରେ, ପାକିସ୍ତାନ ସୈନ୍ୟ ମେ ୭ ରାତିରେ ଉତ୍ତର ଏବଂ ପଶ୍ଚିମ ଭାରତର ଅବନ୍ତିପୁରା, ଶ୍ରୀନଗର, ଜମ୍ମୁ, ପଠାନକୋଟ, ଅମୃତସର, କପୁରଥଲା, ଜଳନ୍ଧର, ଲୁଧିଆନା, ଆଦମପୁର, ବଥିଣ୍ଡା, ଚଣ୍ଡିଗଡ଼, ଫାଲୋଡି, ଉତ୍ତରଲାଇ ଏବଂ ଭୁଜ ସମେତ ଅନେକ ସାମରିକ ଘାଟି ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା । କିନ୍ତୁ ଭାରତୀୟ ସେନା   ଅତ୍ୟାଧୁନିକ ଏୟାର ଡିଫେନ୍ସ ସିଷ୍ଟମ ଯେଉଁଥିରେ ରୁଷିଆର S-400, ବରାକ-୮ ଏବଂ ଆକାଶ ମିସାଇଲ ସିଷ୍ଟମ ସହାୟତାରେ ଏହି ଆକ୍ରମଣଗୁଡ଼ିକୁ ସଫଳତାର ସହ ଖସାଇ ଦେଇଛି । ଏହି ଆକ୍ରମଣର ଭଗ୍ନାବଶେଷ ଏବେ ଅନେକ ସ୍ଥାନରୁ ଉଦ୍ଧାର କରାଯାଉଛି ଯାହା ପାକିସ୍ତାନୀ ଆକ୍ରମଣକୁ ପ୍ରମାଣିତ କରୁଛି ।

ଭାରତୀୟ ସେନା S-400 ଅର୍ଥାତ୍ ସୁଦର୍ଶନ ଚକ୍ର କ୍ଷେପଣାସ୍ତ୍ର ସହାୟତାରେ, ସେମାନଙ୍କର ସମସ୍ତ କ୍ଷେପଣାସ୍ତ୍ରକୁ ନଷ୍ଟ କରିଦେଇଛି । ପରଦିନ ସକାଳେ ସୀମାବର୍ତ୍ତୀ ଅଞ୍ଚଳରେ କ୍ଷେପଣାସ୍ତ୍ର ଏବଂ ଡ୍ରୋନର ଭଗ୍ନାବଶେଷ ଦେଖାଯାଇଥିଲା। ଏହା ପରେ, ସେନା ଏକ ବିବୃତ୍ତି ଜାରି କରି କହିଛି ଯେ ପାକିସ୍ତାନୀ ସେନା ଭାରତ ଉପରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ଭାରତ S-400 ବାୟୁ ପ୍ରତିରକ୍ଷା କ୍ଷେପଣାସ୍ତ୍ର ପ୍ରଣାଳୀ ସାହାଯ୍ୟରେ ସେମାନଙ୍କର ସମସ୍ତ ଆକ୍ରମଣକୁ ବିଫଳ କରିଦେଇଛି ।

S-400 କ୍ଷେପଣାସ୍ତ୍ର ଭାରତ ରୁଷଠାରୁ କିଣିଥିଲା। ଭାରତ ବାୟୁ ସୁରକ୍ଷାକୁ ସୁଦୃଢ଼ ​​କରିବା ପାଇଁ ଏହାକୁ କିଣିଥିଲା। ଭାରତ ଏହାକୁ “ସୁଦର୍ଶନ ଚକ୍ର” ନାମ ଦେଇଛି ଯାହା ଏହାର ଶକ୍ତିଶାଳୀ ଏବଂ ଅଭେଦ୍ୟ ପ୍ରକୃତିକୁ ପ୍ରତିଫଳିତ କରେ। ଆନୁଷ୍ଠାନିକ ଭାବରେ ଏହା ରୁଷିଆର S-400 ଟ୍ରାୟମ୍ଫ। ଏହି ସିଷ୍ଟମକୁ ୧୯୯୦ ଦଶକରେ ରୁଷିଆର ଆଲମାଜ୍ ସେଣ୍ଟ୍ରାଲ୍ ଡିଜାଇନ୍ ବ୍ୟୁରୋ ଦ୍ୱାରା ବିକଶିତ କରାଯାଇଥିଲା। ୨୦୦୭ ମସିହାରୁ ରୁଷ ସେନାରେ ନିୟୋଜିତ ଅଛି। ଭାରତ ଏହାକୁ ୨୦୧୮ ମସିହାରେ ୫.୪୩ ବିଲିୟନ ଡଲାର (ପ୍ରାୟ ୩୫,୦୦୦ କୋଟି ଟଙ୍କା) ର ଏକ ଚୁକ୍ତି ଅଧୀନରେ ରୁଷଠାରୁ କିଣିଥିଲା।

ମୋଦିଙ୍କ ଉଚ୍ଚସ୍ତରୀୟ ବୈଠକ: ଲୋକଙ୍କ ଧନ ଜୀବନ ସୁରକ୍ଷା ଉପରେ ଫୋକସ୍

ନନ୍ଦିଘୋଷ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ମନ୍ତ୍ରଣାଳୟ ଏବଂ ବିଭାଗର ସଚିବଙ୍କ ସହ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିଛନ୍ତି। ଜାତୀୟ ସୁରକ୍ଷା ସମ୍ବନ୍ଧୀୟ ସାମ୍ପ୍ରତିକ ଘଟଣାକ୍ରମକୁ ଦୃଷ୍ଟିରେ ରଖି ବୈଠକରେ ଜାତୀୟ ପ୍ରସ୍ତୁତି ଏବଂ ଆନ୍ତଃମନ୍ତ୍ରିସ୍ତରୀୟ ସମନ୍ୱୟର ସମୀକ୍ଷା କରାଯାଇଛି । ବୈଠକରେ ପରିଚାଳନାଗତ ନିରନ୍ତରତା ଏବଂ ସଂସ୍ଥାଗତ ନମନୀୟତା ବଜାୟ ରଖିବା ପାଇଁ ମନ୍ତ୍ରଣାଳୟ ଏବଂ ଏଜେନ୍ସି ଗୁଡ଼ିକ ମଧ୍ୟରେ ନିରବଚ୍ଛିନ୍ନ ସମନ୍ୱୟର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।

ବର୍ତ୍ତମାନର ପରିସ୍ଥିତିର ମୁକାବିଲା ପାଇଁ ମନ୍ତ୍ରଣାଳୟ ଗୁଡ଼ିକ ଦ୍ୱାରା କରାଯାଇଥିବା ଯୋଜନା ଏବଂ ପ୍ରସ୍ତୁତିର ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ। ସଚିବମାନଙ୍କୁ ନିଜ ନିଜ ମନ୍ତ୍ରଣାଳୟର କାର୍ଯ୍ୟକଳାପର ଏକ ବିସ୍ତୃତ ସମୀକ୍ଷା କରିବା ଏବଂ ପ୍ରସ୍ତୁତି, ଜରୁରୀକାଳୀନ ପ୍ରତିକ୍ରିୟା ଓ ଆଭ୍ୟନ୍ତରୀଣ ଯୋଗାଯୋଗ ପ୍ରୋଟୋକଲ ଉପରେ ବିଶେଷ ଧ୍ୟାନ ଦେଇ ଅତ୍ୟାବଶ୍ୟକ ବ୍ୟବସ୍ଥାର ପୂର୍ଣ୍ଣ କାର୍ଯ୍ୟକାରିତା ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସଚିବମାନେ ବର୍ତ୍ତମାନର ପରିସ୍ଥିତିରେ ଏକ ସମ୍ପୂର୍ଣ୍ଣ ସରକାରୀ ଆଭିମୁଖ୍ୟ ସହିତ ସେମାନଙ୍କର ଯୋଜନା ବିସ୍ତୃତ ଭାବରେ ଉଲ୍ଲେଖ କରିଥିଲେ।

ଅପରେସନ ସିନ୍ଦୂର ପରେ ବାଟବଣା ହୋଇଛି ପାକିସ୍ତାନ

ନନ୍ଦିଘୋଷ ବ୍ୟୁରୋ: ଅପରେସନ ସିନ୍ଦୂର ପରେ ବାଟବଣା ହୋଇଛି ପାକିସ୍ତାନ। ସୀମା ସେପଟୁ ଫାୟାରିଂ ଜାରି ରଖିଥିବାବେଳେ ପୁଞ୍ଚରେ ପ୍ରବଳ ଗୁଳିଗୋଳା ବର୍ଷଣ କରିଛି। ଫଳରେ ସ୍ଥାନୀୟ ଅଞ୍ଚଳରେ ବ୍ଯପକ କ୍ଷୟକ୍ଷତି ଘଟିଛି। ଏପରିକି ସେମାନଙ୍କ ଆକ୍ରମଣରୁ ବର୍ତ୍ତିନି ଜନବସତି। ଗୁଳିଗୋଳାରେ ବହୁ କୋଠା କ୍ଷତିଗ୍ରସ୍ତ ହୋଇଥିବାବେଳେ ବିଭିନ୍ନ ଧାର୍ମିକ ପୀଠ କ୍ଷତିଗ୍ରସ୍ତ ହୋଇଛି। କ୍ରମାଗତ ପ୍ରାୟ ଦୁଇ ସପ୍ତାହ ଧରି ସୀମା ସେପଟୁ ଆତଙ୍କରାଜ ଜାରି ରଖିଛି ପାକିସ୍ତାନ।

ପଣ୍ଡ ହେଲା ପାକିସ୍ତାନର ଉଦ୍ୟମ; ଲାହୋରର ଏୟାର ଡିଫେନ୍ସ ସିଷ୍ଟମ ଧ୍ବଂସ କଲା ଭାରତ

ନନ୍ଦିଘୋଷ ବ୍ୟୁରୋ: ପାକିସ୍ତାନର ଲାହୋର ସ୍ଥିତ ଏୟାର ଡିଫେନ୍ସ ୟୁନିଟ ଧ୍ବଂସ। ଦେଶର ୧୦ ଟି ସହରରେ ହୋଇଥିବା ଡ୍ରୋନ ଆଟାକରେ ବିଭିନ୍ନ ୟୁନିଟଗୁଡିକ ଧ୍ବଂସ ହୋଇଥିବା ସୂଚନା ମିଳିଛି। ପାକିସ୍ତାନ ଓ ପାକ୍ ଅଧିକୃତ କାଶ୍ମୀରରେ ଥିବା ୯ରୁ ଅଧିକ ଆତଙ୍କବାଦୀଙ୍କ କ୍ୟାମ୍ପକୁ ଧ୍ବଂସ କରାଯିବା ପରେ ଏୟାର ଡିଫେନ୍ସ ସିଷ୍ଟମକୁ ନଷ୍ଟ କରାଯାଇଛି। ପାକିସ୍ତାନର ଲାହୋରରେ ମୁତୟନ ତଥା ଚୀନ ନିର୍ମିତ HQ-9 ମିସାଇଲ ସିଷ୍ଟମ ନଷ୍ଟ ହୋଇଥିବା ଜଣାଯାଇଛି। ଲାହୋର ସମେତ ଗୁଜରନୱାଲା, ରାଓଲପିଣ୍ଡି, ଚାକବାଲ, ବାହାବଲପୁର, ମିଆନବାଲି, କରାଚୀ, ମିଆନୋ ଓ ଆଟୋକରେ ଡ୍ରୋନ ଆଟାକ ହୋଇଥିବା ସୂଚନା ମିଳିଛି। ଲାହୋରରେ ସିରିଜ ବିସ୍ଫୋରଣ ପରେ ସହରରେ ଆତଙ୍କ ଖେଳିଯାଇଛି। ଲାହୋର, ସିଆଲକୋଟ ଓ କରାଚୀ ବିମାନ ବନ୍ଦରକୁ ସାମୟିକ ଭାବେ ବନ୍ଦ କରାଯାଇଛି।

ସେପଟେ ମେ ୭ରୁ ୮ ମଧ୍ଯରେ ଭାରତର ଅବନ୍ତୀପୁରା, ଶ୍ରୀନଗର, ଜାମ୍ମୁ, ପଠାନକୋଟ, ଅମୃତସର, କପୁରତାଲା, ଜଳନ୍ଧର, ଲୁଧିଆନା, ଅଦମପୁର, ଭଟିଣ୍ଡା, ଚଣ୍ଡୀଗଡ, ନାଲ, ଫାଲୋଡି, ଭୁଜ ସମେତ ୧୫ ସହରରେ ପାକିସ୍ତାନ ପକ୍ଷରୁ ଡ୍ରୋନ ଓ ମିସାଇଲ ଜରିଆରେ ଟାର୍ଗେଟ କରାଯାଇଥିବା ସୂଚନା ମିଳିଛି। ତେବେ ଏହି ସବୁ ଅସ୍ତ୍ରଗୁଡିକୁ ଇଣ୍ଟିଗ୍ରେଟେଡ କାଉଣ୍ଟର ୟୁଏଏସ ଗ୍ରୀଡ ଓ ରୁଷୀୟ S-400 ଡିଫେନ୍ସ ସିଷ୍ଟମ ଜରିଆରେ ପରାହତ କରାଯାଇଥିବା କୁହାଯାଇଛି। S-400 ଏୟାର ଡିଫେନ୍ସ ସିଷ୍ଟମ ପ୍ରାୟ ୬୦୦ କିଲୋମିଟର ଦୂରରେ କୌଣସି ଜେଟ, ବାଲିଷ୍ଟିକ ମିସାଇଲ, ଡ୍ରୋନକୁ ଟାର୍ଗେଟ କରିପାରେ।

ଭାରତକୁ ଅନୁପ୍ରବେଶ ଉଦ୍ୟମ କରୁଥିବା ବେଳେ ୪ ଚୀନ ନାଗରିକ ଗିରଫ

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ନେପାଳ ବର୍ଡରରେ ସୀମା ସୁରକ୍ଷା ବଳ (ଏସଏସବି) ୪ ଜଣ ଚୀନ ନାଗରିକଙ୍କୁ ଗିରଫ କରିଛି । ଏମାନେ ନେପାଳ ରାସ୍ତା ଦେଇ ଭାରତକୁ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିଲେ । ଭାରତୀୟ ସେନା ପାକିସ୍ତାନ ଓ ପିଓକେରେ ଥିବା ଆତଙ୍କୀ ଆଡ୍ଡାକୁ ଅପରେସନ ସିନ୍ଦୂର ଜରିଆରେ ଧ୍ବଂସ କରିବାର କିଛି ଘଣ୍ଟା ପରେ ଏହି ଘଟଣା ସାମ୍ନାକୁ ଆସିଛି । ବିହାରର ପୂର୍ବ ଚମ୍ପାରଣ ଜିଲ୍ଲାର ରକସୌଲ ସ୍ଥିତ ନେପାଳ ସୀମାରେ ଚେକିଂ ସମୟରେ ଚୀନ ନାଗରିକମାନେ ଧରାପଡ଼ିଥିଲେ । ଗିରଫ ହୋଇଥିବା ଚୀନ ନାଗରିକମାନେ ବିନା ଭିସାରେ ଅନୁପ୍ରବେଶ ଉଦ୍ୟମ କରୁଥିଲେ । ଏସଏସବିର ବାଟାଲିୟନର ଯବାନଙ୍କ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଚୀନ ନାଗରିକ ଦୁଇ ନେପାଳୀ ମହିଳାଙ୍କୁ ଗାଇଡ ଆଳ ଦେଖାଇ ଇ-ରିକ୍ସାରେ ରକସୌଲ ବର୍ଡରରେ ଭାରତୀୟ ସୀମାରେ ଅନୁପ୍ରବେଶ କରିବାକୁ ପ୍ରୟାସ କରୁଥିଲେ । ସେହି ସମୟରେ ଏସଏସବି ଯବାନ ସେମାନଙ୍କୁ ଧରିନେଇଥିଲେ । ତଲାସୀ ବେଳେ ସେମାନଙ୍କ ଠାରୁ ଚାଇନିଜ ପାସପୋର୍ଟ ଜବତ କରାଯାଇଛି ।

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଆଗେଇ ଚାଲିଛି ତିନି ରଥର ନିର୍ମାଣ କାର୍ଯ୍ୟ: ୪୨ଟି ତୁମ୍ବର ନିର୍ମାଣ କାର୍ଯ୍ୟ ସରିଲା

ପୁରୀ: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ଶ୍ରୀନହର ସମ୍ମୁଖ ରଥଖଳାରେ ଜୋରସୋରରେ ଆଗେଇ ଚାଲିଛି ତିନି ରଥର ନିର୍ମାଣ କାର୍ଯ୍ୟ। ଶିଳ୍ପ ଶାସ୍ତ୍ର ଅନୁଯାୟୀ ତିନି ରଥର ନିର୍ମାଣ କାର୍ଯ୍ୟ ଚକରୁ ଆରମ୍ଭ କରାଯାଇଥାଏ। ତେଣୁ ଗତ ଅକ୍ଷୟ ତୃତୀୟା ପରଦିନ ଠାରୁ ତୁମ୍ବ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଏବେ ସମସ୍ତ ୪୨ଟି ତୁମ୍ବର ନିର୍ମାଣ କାର୍ଯ୍ୟ ସରିଛି। ତୁମ୍ବରେ ସୂତା ବାଡିଆ ପରେ ବିଶ୍ଵକର୍ମା ମହାରଣା ମାନେ ତୁମ୍ବରେ ବିନ୍ଧ କାର୍ଯ୍ୟକୁ ତ୍ବରାନ୍ବିତ କରୁଛନ୍ତି। ତିନି ରଥର ସମୁଦାୟ ୪୨ଟି ଚକରେ ୧୬ ଯୋଡା ହିସାବ ମୁତାବକ ୧୩ ଶହ ୪୪ ବିନ୍ଧ କରାଯିବ ବୋଲି ମୁଖ୍ୟ ବିଶ୍ଵକର୍ମା ମହାରଣା କହିଛନ୍ତି। ସେହିପରି ରଥ ନିର୍ମାଣ କାର୍ଯ୍ୟରେ ଭୋଇ ସେବାୟତ ମାନଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ରଥଖଳାରେ ମହାରଣାଙ୍କ ନିକଟକୁ କାଠ ଯୋଗାଇବା ହେଉଛି ଏମାନଙ୍କର ପ୍ରାଥମିକ କର୍ତ୍ତବ୍ୟ।

ଭାରତ ତରଫରୁ ସୀମାରେ ହାଇ ଆଲର୍ଟ ଜାରି: ରାଜସ୍ଥାନ ଓ ପଂଜାବର ସୀମା ସିଲ୍

ନୂଆଦିଲ୍ଲୀ: ଭାରତ ତରଫରୁ ସୀମାରେ ହାଇ ଆଲର୍ଟ ଜାରି । ରାଜସ୍ଥାନ ଓ ପଂଜାବର ସୀମା ସିଲ୍ । ଜଳ, ସ୍ଥଳ, ଆକାଶ – ତିନି ସେନା ପ୍ରସ୍ତୁତ । ସମସ୍ତ ପୋଲିସ କର୍ମଚାରୀଙ୍କ ଛୁଟି ବାତିଲ । ସୁରକ୍ଷା ଦୃଷ୍ଟିରୁ ଖାଲି କରାଯାଉଛି ସୀମାନ୍ତବର୍ତ୍ତୀ ଗାଁ । ୨୭ ବିମାନ ବନ୍ଦର ବନ୍ଦ କରାଯାଇଛି ।

ଅପରେସନ ସିନ୍ଦୂରରେ ୧୦୦ ଆତଙ୍କବାଦୀ ସଫା: ପ୍ରତିରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ଅପରେସନ ସିନ୍ଦୂରରେ ୧୦୦ ଆତଙ୍କବାଦୀ ସଫା । ସର୍ବଦଳୀୟ ବୈଠକରେ ସୂଚନା ଦେଲେ ରାଜନାଥ ସିଂହ । ଏପରି ଜାରି ରହିଛି ଅପରେସନ ସିନ୍ଦୂର । ପାକିସ୍ତାନ କିଛି କଲେ ଆମେ ଛାଡ଼ିବୁ ନାହିଁ ବୋଲି କହିଛନ୍ତି ଶ୍ରୀ ସିଂହ । ଅନ୍ୟପକ୍ଷରେ ଅପରେସନ ସିନ୍ଦୂରକୁ ନେଇ ଦିଲ୍ଲୀରେ ସର୍ବଦଳୀୟ ବୈଠକ ଶେଷ ହୋଇଛି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ବସିଥିଲା ସର୍ବଦଳୀୟ ବୈଠକ । ସରକାରଙ୍କୁ କଂଗ୍ରେସ ସହ ସବୁଦଳର ସମର୍ଥନ । ଅପରେସନ ସିନ୍ଦୂରକୁ ନେଇ ସମର୍ଥନ ଦେଲା କଂଗ୍ରେସ । ଏହି ସଂକଟ ଘଡ଼ିରେ ଏକଜୁଟ୍ ରହିବାକୁ କହିଛନ୍ତି ରାହୁଲ ଗାନ୍ଧୀ । ଏବେ କାହାକୁ ସମାଲୋଚନା କରାଯିବନି କହିଲେ ଖଡ଼ଗେ ।

ଅପରେସନ ସିନ୍ଦୂରକୁ ନେଇ ଦିଲ୍ଲୀରେ ସର୍ବଦଳୀୟ ବୈଠକ: ସରକାରଙ୍କୁ କଂଗ୍ରେସ ସହ ସବୁଦଳର ସମର୍ଥନ

ନୂଆଦିଲ୍ଲୀ: ଗତକାଲି ପାକିସ୍ତାନ ଉପରେ ଏୟାର ଷ୍ଟ୍ରାଇକ ପରେ ଆଜି ସର୍ବଦଳୀୟ ବୈଠକ ବସିିଥିଲା । ଏହା ମଧ୍ୟରେ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକ ଶେଷ ହୋଇଛି । ଅପରେସନ ସିନ୍ଦୂରରେ ୧୦୦ ଆତଙ୍କବାଦୀ ସଫା ହୋଇଥିବା ନେଇ ସର୍ବଦଳୀୟ ବୈଠକରେ ସୂଚନା ଦେଲେ ରାଜନାଥ ସିଂହ।  ଏବେ ବି ଜାରି ରହିଛି ଅପରେସନ ସିନ୍ଦୂର। ରାଜନାଥ ସିଂହ କହିଛନ୍ତି, ପାକିସ୍ତାନ କିଛି କଲେ ଆମେ ଛାଡ଼ିବୁ ନାହିଁ। ଅପରେସନ ସିନ୍ଦୂରକୁ ନେଇ ଦିଲ୍ଲୀରେ ସର୍ବଦଳୀୟ ବୈଠକ ଶେଷ ହୋଇଛି। ସରକାରଙ୍କୁ କଂଗ୍ରେସ ସହ ସବୁ ଦଳ ସମର୍ଥନ ଜଣାଇଛନ୍ତି। ଅପରେସନ ସିନ୍ଦୂରକୁ ନେଇ ସମସ୍ତେ ସରକାରଙ୍କୁ ସମର୍ଥନ ଦେଇଛନ୍ତି। ମଲ୍ଲିକାର୍ଜୁନ ଖଡ଼ଗେ କହିଛନ୍ତି, ଏବେ କାହାକୁ ସମାଲୋଚନା କରାଯିବନି। ପ୍ରଧାନମନ୍ତ୍ରୀ ମୋଦି ଏହି ବୈଠକରେ ଯୋଗ ଦେଇନଥିଲେ ମଧ୍ୟ ବାର୍ତ୍ତା ଦେଇଛନ୍ତି। ଏପରି ଘଡିସନ୍ଧି ମୁହୂର୍ତ୍ତିରେ ସାରା ଦେଶବାସୀ ଏକଜୁଟ ହୋଇ ରହିବା ବୋଲି କହିଛନ୍ତି। ସମସ୍ତେ ଏକାଠି ହୋଇ ପରିସ୍ଥିତିର ମୁକାବିଲା କରିବା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।