spot_img
Home Blog Page 87

ମାତ୍ର କିଛି ଘଣ୍ଟାରେ ସରିଯାଉଛି ଚାର୍ଜ? ବଦଳାନ୍ତୁ ଏହି ସେଟିଂ

ନନ୍ଦିଘୋଷ ବ୍ୟୁରୋ : ଆଜିକାଲି ସ୍ମାର୍ଟଫୋନ୍ ଆମ ଦୈନନ୍ଦିନ ଜୀବନର ଏକ ଅବିଚ୍ଛେଦ୍ୟ ଅଂଶ। ଫୋନ୍ରେ ଅନେକ ଉନ୍ନତ ବୈଶିଷ୍ଟ୍ୟ ଥିଲେ ମଧ୍ୟ ବ୍ୟାଟେରୀ ଶୀଘ୍ର ସରିଯିବା ସମସ୍ୟା ଅନେକ ବ୍ୟବହାରକାରୀଙ୍କୁ ଚିନ୍ତାରେ ପକାଇଥାଏ। ସକାଳେ ୧୦୦ ପ୍ରତିଶତ ଚାର୍ଜ କରି ବାହାରିବା ପରେ ଅପରାହ୍ନ ବେଳକୁ ବ୍ୟାଟେରୀ ୩୦ ପ୍ରତିଶତକୁ ଖସିଯିବା ଏକ ସାଧାରଣ ଅନୁଭବ। ତେବେ କିଛି ସେଟିଂରେ ପରିବର୍ତ୍ତନ କରି ବ୍ୟାଟେରୀ ବ୍ୟାକଅପ୍କୁ କିଛିଟା ବଢ଼ାଇପାରିବେ।

ଅଟୋ-ବ୍ରାଇଟନେସ୍କୁ ନିୟନ୍ତ୍ରଣ କରନ୍ତୁ

ଅଟୋ-ବ୍ରାଇଟନେସ୍ ସୁବିଧା ଆଲୋକ ଅନୁସାରେ ସ୍କ୍ରିନ୍ର ଉଜ୍ଜ୍ୱଳତା ବଦଳାଇଥାଏ। ତେବେ ଆବଶ୍ୟକତା ଠାରୁ ଅଧିକ ସ୍କ୍ରିନ୍ ବ୍ରାଇଟନେସ୍ ବ୍ୟାଟେରୀ ଖର୍ଚ୍ଚ ବଢ଼ାଇପାରେ। ତେଣୁ ଆବଶ୍ୟକତା ଅନୁସାରେ ବ୍ରାଇଟନେସ୍କୁ କମ୍ କିମ୍ବା ମଧ୍ୟମ ସ୍ତରରେ ରଖନ୍ତୁ। ତୀବ୍ର ଆଲୋକ ଥିବା ସ୍ଥାନରେ ହିଁ ଅଧିକ ବ୍ରାଇଟନେସ୍ ବ୍ୟବହାର କରିବା ଭଲ।

ପୃଷ୍ଠଭୂମିରେ ଚାଲୁଥିବା ଆପ୍ ଉପରେ ନଜର ରଖନ୍ତୁ

କୌଣସି ଆପ୍କୁ ସ୍କ୍ରିନ୍ରୁ ହଟାଇଦେଲେ ଏହା ସବୁବେଳେ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଏ ନାହିଁ। କିଛି ଆପ୍ ପୃଷ୍ଠଭୂମିରେ ଚାଲି ଡାଟା ଓ ବ୍ୟାଟେରୀ ବ୍ୟବହାର କରିପାରେ। ଫୋନ୍ର Battery Usage ବିଭାଗକୁ ଯାଇ କେଉଁ ଆପ୍ ଅଧିକ ବ୍ୟାଟେରୀ ଖର୍ଚ୍ଚ କରୁଛି ଯାଞ୍ଚ କରନ୍ତୁ। ଆବଶ୍ୟକ ନଥିବା ଆପ୍ର ପୃଷ୍ଠଭୂମି କାର୍ଯ୍ୟକଳାପକୁ ସୀମିତ କରିପାରିବେ।

ଆବଶ୍ୟକ ନଥିଲେ ଲୋକେସନ୍ ଓ ବ୍ଲୁଟୁଥ୍ ବନ୍ଦ ରଖନ୍ତୁ

ମ୍ୟାପ୍, କ୍ୟାବ୍ ବୁକିଂ କିମ୍ବା ଅନ୍ୟ କୌଣସି ସେବା ପାଇଁ ଲୋକେସନ୍ ଦରକାର ହୋଇଥାଏ। ସେହିପରି ଇୟରବଡ୍ କିମ୍ବା ଅନ୍ୟ ଡିଭାଇସ୍ ପାଇଁ ବ୍ଲୁଟୁଥ୍ ଆବଶ୍ୟକ। କିନ୍ତୁ କାମ ସରିବା ପରେ ଏଗୁଡ଼ିକ ଅନାବଶ୍ୟକ ଭାବେ ଚାଲୁ ରହିଲେ ବ୍ୟାଟେରୀ ବ୍ୟବହାର ବଢ଼ିପାରେ। ତେଣୁ ଆବଶ୍ୟକ ନଥିବା ସମୟରେ ଲୋକେସନ୍, ବ୍ଲୁଟୁଥ୍ ଓ ଅନ୍ୟ କନେକ୍ଟିଭିଟି ସୁବିଧା ବନ୍ଦ ରଖିବା ଭଲ।

ଭାଇବ୍ରେସନ୍ ଓ ହାପ୍ଟିକ୍ ଫିଡବ୍ୟାକ୍ କମାନ୍ତୁ

ପ୍ରତ୍ୟେକ କଲ୍, ମେସେଜ୍ କିମ୍ବା ନୋଟିଫିକେସନ୍ରେ ଫୋନ୍ ଭାଇବ୍ରେଟ୍ ହେବା ସହିତ ଟାଇପିଂ ସମୟରେ ହାପ୍ଟିକ୍ ଫିଡବ୍ୟାକ୍ ମଧ୍ୟ ବ୍ୟାଟେରୀ ବ୍ୟବହାର କରେ। ଯଦି ଆପଣଙ୍କୁ ଏହି ସୁବିଧାଗୁଡ଼ିକ ଦରକାର ନାହିଁ, ତେବେ ଭାଇବ୍ରେସନ୍ ଓ ହାପ୍ଟିକ୍ ଫିଡବ୍ୟାକ୍କୁ କମାଇବା କିମ୍ବା ବନ୍ଦ କରିବା ଦ୍ୱାରା ଅନାବଶ୍ୟକ ବ୍ୟାଟେରୀ ବ୍ୟବହାର କିଛିଟା କମାଇପାରିବେ।

ଅଧିକ ବ୍ୟାଟେରୀ ଖର୍ଚ୍ଚ କରୁଥିବା ଆପ୍ ଚିହ୍ନଟ କରନ୍ତୁ

ସୋସିଆଲ୍ ମିଡିଆ, ଭିଡିଓ ଷ୍ଟ୍ରିମିଂ, ଗେମ୍ ଓ ଅନ୍ୟ କିଛି ଭାରୀ ଆପ୍ ଅଧିକ ପ୍ରୋସେସିଂ, ଡିସ୍ପ୍ଲେ ଓ ନେଟୱର୍କ ବ୍ୟବହାର କରିବାରୁ ବ୍ୟାଟେରୀ ଶୀଘ୍ର ଖର୍ଚ୍ଚ କରିପାରନ୍ତି। ତେଣୁ Battery Usage ତାଲିକା ଯାଞ୍ଚ କରି ଅଧିକ ପାୱାର୍ ନେଉଥିବା ଆପ୍ଗୁଡ଼ିକର ବ୍ୟବହାର କମାନ୍ତୁ। ଆବଶ୍ୟକ ହେଲେ ସେହି ଆପ୍ର background activity କୁ ସୀମିତ କରିପାରିବେ।

ଆଉ କିଛି ସରଳ ଟିପ୍ସ : 

ସ୍କ୍ରିନ୍ ଟାଇମ୍-ଆଉଟ୍କୁ କମ୍ ସମୟରେ ସେଟ୍ କରନ୍ତୁ।

ଫୋନ୍ରେ ଥିବା Battery Saver କିମ୍ବା Low Power Mode ଆବଶ୍ୟକ ସମୟରେ ବ୍ୟବହାର କରନ୍ତୁ।
ଅତ୍ୟଧିକ ଗରମ କିମ୍ବା ଥଣ୍ଡା ପରିବେଶରେ ଫୋନ୍ ବ୍ୟବହାର ନକରିବା ଭଲ। ଆବଶ୍ୟକ ନଥିବା ନୋଟିଫିକେସନ୍ ବନ୍ଦ କରନ୍ତୁ। ବ୍ୟାଟେରୀ ହଠାତ୍ ଅସ୍ୱାଭାବିକ ଭାବେ ଶୀଘ୍ର ସରିଲେ Battery Health କିମ୍ବା Battery Usage ଯାଞ୍ଚ କରନ୍ତୁ। ଛୋଟ ଛୋଟ ସେଟିଂରେ ପରିବର୍ତ୍ତନ କରି ଅନାବଶ୍ୟକ ବ୍ୟାଟେରୀ ବ୍ୟବହାରକୁ କିଛିଟା କମାଇହେବ। ତେବେ ବ୍ୟାଟେରୀ କେତେ ସମୟ ଚାଲିବ, ତାହା ଫୋନ୍ର ମଡେଲ୍, ବ୍ୟାଟେରୀର ସ୍ୱାସ୍ଥ୍ୟ, ବ୍ୟବହାର ଓ ନେଟୱର୍କ ପରିସ୍ଥିତି ଉପରେ ମଧ୍ୟ ନିର୍ଭର କରେ।

 

ଅନ୍ଧାରରେ ପିଲାଙ୍କ ଭବିଷ୍ୟତ । ୬ ମାସ ହେଲା ବିଦ୍ୟାଳୟରେ ନାହିଁ ବିଦ୍ୟୁତ

ନନ୍ଦିଘୋଷ ବ୍ୟୁରୋ : ଅନ୍ଧାରରେ ପିଲାଙ୍କ ଭବିଷ୍ୟତ । ୬ ମାସ ହେଲା ବିଦ୍ୟାଳୟରେ ନାହିଁ ବିଦ୍ୟୁତ । ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଛାତ୍ରଛାତ୍ରୀ । ପାଠପଢ଼ାରେ ଉପୁଜୁଛି ସମସ୍ୟା ।…  ଏ ହେଉଛି ବଡ଼ମ୍ବା ବ୍ଲକ ବେଲିଆପାଳ ସରକାରୀ ପ୍ରାଥମିକ ବିଦ୍ୟାଳୟରର ଦୃଶ୍ୟ । ସ୍କୁଲରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଦେଢ଼ ଶହ ପିଲା ପାଠ ପଢୁଛନ୍ତି । ହେଲେ ୬ ମାସ ହେବ ସ୍କୁଲରୁ ବିଦ୍ୟୁତ ସଂଯୋଗ କାଟି ଦିଆଯାଇଛି । ଫଳରେ ପଙ୍ଖା ଚାଲୁନାହିଁ । ବର୍ଷା ଦିନେ ମେଘୁଆ ପାଗ ରହୁଥିବାରୁ ଶ୍ରେଣୀଗୃହ ଅନ୍ଧାର ହୋଇଯାଉଛି । ଶିକ୍ଷାଦାନରେ ନାନା ପ୍ରକାର ସମସ୍ୟା ଉପୁଜୁଛି। …

ସ୍କୁଲ ନାଁରେ ୪୦ ହଜାର ଟଙ୍କାର ଫାଇନ ଥିବାରୁ ବିଦ୍ୟୁତ ସଂଯୋଗ କଟାଯାଇଛି ବୋଲି ବଡ଼ମ୍ବା ବିଦ୍ୟୁତ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି । ଏନେଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛନ୍ତି ପ୍ରଧାନ ଶିକ୍ଷକ । ଏଠି ପ୍ରଶ୍ନ ଉଠୁଛି- ସ୍କୁଲ ନାଁରେ ୪୦ ହଜାର ଟଙ୍କା ଫାଇନ ହେଲା କିପରି ? ଏଥିପାଇଁ ଦାୟୀ କିଏ ? ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ ତ ? ଅନ୍ୟପଟେ ଏ ସଂପର୍କରେ ମୁହଁ ଖୋଲୁନାହାନ୍ତି ବିଇଓ ।…

ତୁରନ୍ତ ସ୍କୁଲକୁ ବିଦ୍ୟୁତ ସଂଯୋଗ କରିବାକୁ ଅଭିଭାବକ ଏବଂ ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଛି । କେବେ ପ୍ରଶାସନର ନିଦ ଭାଙ୍ଗିବ ? କେବେ ସ୍କୁଲକୁ ପୁନଶ୍ଚ ବିଦ୍ୟୁତ ସଂଯୋଗ କରାଯିବ ? ତାହା ଉପରେ ରହିଛି ସମସ୍ତଙ୍କ ନଜର ।

ଅଥଳ ନୀଳ ଜଳରାଶି । ଆଉ ତାହାରି ଭିତରେ ଜୀବନକୁ ବାଜି ଲଗାଇ ଦେଶୀ ଡଙ୍ଗାରେ ଚାଲିଛି ବିପଦପୂର୍ଣ୍ଣ ଯାତ୍ରା ।

ନନ୍ଦିଘୋଷ ବ୍ୟୁରୋ : ଅଥଳ ନୀଳ ଜଳରାଶି । ଆଉ ତାହାରି ଭିତରେ ଜୀବନକୁ ବାଜି ଲଗାଇ ଦେଶୀ ଡଙ୍ଗାରେ ଚାଲିଛି ବିପଦପୂର୍ଣ୍ଣ ଯାତ୍ରା । କେତେବେଳେ କଣ ଅଘଟଣ ଘଟିବ କହିବା ମୁସ୍କିଲ ।… ଏ ହେଉଛି ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ କାଙ୍କଣ ଗ୍ରାମ ନିକଟରେ ଥିବା ପଠାଣଡିଆ ଦ୍ୱୀପର ଦୃଶ୍ୟ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏହି ଦ୍ଵୀପରେ ରହିଛି  ପ୍ରସିଦ୍ଧ ମହାବୀର ପୀଠ । ଏଠାକୁ ପ୍ରତିଦିନ ଶହ ଶହ ଶ୍ରଦ୍ଧାଳୁ ଆସନ୍ତି । ହେଲେ ମନ୍ଦିରକୁ ଯିବା ପାଇଁ ନା ଅଛି ସେତୁ ନା ଲୋକଙ୍କୁ ମିଳୁଛି ବିଶୁଦ୍ଧ ପାନୀୟ ଜଳ ।…

ହଂସୁଆ ନଦୀ ବକ୍ଷରେ ପୂଜା ପାଉଛନ୍ତି ସଙ୍କଟମୋଚନ ମହାବୀର ହନୁମାନ । ସଂକ୍ରାନ୍ତି, ରାମନବମୀ ଓ ହନୁମାନ ଜୟନ୍ତୀରେ ଏଠାକୁ ହଜାର ହଜାର ଭକ୍ତ ଆସନ୍ତି । ହେଲେ ଯାତାୟାତ ପାଇଁ ସେତୁ ନଥିବାରୁ କେବଳ ୨ ଟି ଦେଶୀ ଡଙ୍ଗା ହିଁ ସାହା ଭରସା ପାଲଟିଛି । ଗତ ୨୦୨୪ ଏପ୍ରିଲ ୧୪ରେ ଏକ ଯାତ୍ରୀବାହୀ ଡଙ୍ଗା ଓଲଟି ପଡ଼ିଥିଲା । ଯାହା ଏବେ ବି ସ୍ଥାନୀୟ ଲୋକଙ୍କ ମନରେ କୋକୁଆ ଭୟ ସୃଷ୍ଟି କରୁଛି । …

ବାରମ୍ବାର ପ୍ରଶାସନିକ ଅଧିକାରୀ ପୀଠ ପରିଦର୍ଶନ କରୁଛନ୍ତି । ପ୍ରତିଶୃତିର ପାହାଡ଼ ଲଦି ଦେଉଛନ୍ତି । ହେଲେ ବାସ୍ତବ ଚିତ୍ର ବଦଳୁନି । ପଠାଣଡିଆ ଦ୍ଵୀପକୁ କେବେ ହେଉଛି ବ୍ରିଜ ନିର୍ମାଣ ? କେବେ ସୁବିଧାରେ ଯାଆସ କରୁଛନ୍ତି ଲୋକେ ? ତାହା ଦେଖିବାକୁ ବାକି ରହିଲା। …

ଦୁର୍ଘଟଣା ଦୋହଲାଇ ଦେଲା ଜୀବନର ଗତିପଥ

ନନ୍ଦିଘୋଷ ବ୍ୟୁରୋ : ଦୁର୍ଘଟଣା ଦୋହଲାଇ ଦେଲା ଜୀବନର ଗତିପଥ । ଗଳାରେ ଟ୍ରାକିଓଷ୍ଟମୀ ଟ୍ୟୁବ ଲଗାଇ ଦିନ କାଟୁଛନ୍ତି ଭାସ୍କର । ସର୍ଜରୀ ପାଇଁ ଅର୍ଥ ସାଜିଛି ବାଧକ ।… ଏ ହେଉଛନ୍ତି ଘଟଗାଁ ବ୍ଲକ ଦେହୁରୀପଶି ଗାଁର ଭାସ୍କର ବେହେରା । ସ୍ତ୍ରୀ, ଦୁଇ ପୁଅ ଓ ଗୋଟିଏ ଝିଅକୁ ନେଇ ଭାସ୍କରଙ୍କ ପରିବାର । ଭାସ୍କର ଅଟୋ ଚଲାଇ ପରିବାର ପ୍ରତିପୋଷଣ କରନ୍ତି । ହେଲେ ଏକ ଦୁର୍ଘଟଣା ତାଙ୍କ ଜୀବନର ଗତିପଥକୁ ବଦଳାଇ ଦେଇଛି । ଗଳାରେ ଟ୍ରାକିଓଷ୍ଟମୀ ଟ୍ୟୁବ ଲଗାଯାଇଛି । ଫଳରେ ସେ ସ୍ୱାଭାବିକ ଭାବେ କଥା କହିପାରୁ ନାହାନ୍ତି, ନିଶ୍ଵାସ ପ୍ରଶ୍ଵାସ ବି ନେଇ ପାରୁନାହାନ୍ତି । …

ଅଟୋ ଚଲାଇ ଦି ଓଳି ଦି ମୁଠା ଖାଦ୍ୟ ସଂଗ୍ରହ କରିବା ଏବେ ଭାସ୍କରଙ୍କ ପାଇଁ କଷ୍ଟକର ହୋଇପଡିଛି । ପ୍ରଭାବିତ ହେଉଛି ପିଲାଙ୍କ ପାଠପଢା । ଡାକ୍ତରଙ୍କ କହିବା ମୁତାବକ, ଭାସ୍କରଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ପାଇଁ ଦରକାର ମେଜର ଅପରେସନ । ସର୍ଜରୀ ପାଇଁ ଆବଶ୍ୟକ ଅର୍ଥ ଯୋଗାଡ଼ କରିବା ପରିବାର ପକ୍ଷେ ସମ୍ଭବ ହେଉନାହିଁ । ତେଣୁ ସରକାରଙ୍କ ନିକଟରେ ସହାୟତା ଲୋଡିଛନ୍ତି ଭାସ୍କରଙ୍କ ପରିବାର । …

ବନ୍ୟା ଘେରରେ ଶେଷଯାତ୍ରା, ଡଙ୍ଗା ହେଲା ଭରସା

ନନ୍ଦିଘୋଷ ବ୍ୟୁରୋ : ଓଡ୍ରାଫ୍ ଡଙ୍ଗାରେ ଅନ୍ତିମ ସଂସ୍କାର ପାଇଁ ଗଲା ଶବ । ସୁବର୍ଣ୍ଣରେଖାର ବନ୍ୟାରେ ଆସିଲା ହୃଦୟ ବିଦାରକ ଦୃଶ୍ୟ । ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍ ଖରିଦିପିପଳ ପଞ୍ଚାୟତ ନୂଆସାହି ଗାଁର ଵିମ୍ବାଧର ବେହେରା ଦୀର୍ଘଦିନ ଧରି ରୋଗାଗ୍ରସ୍ତ ହୋଇ ଶଯ୍ୟାଶାୟୀ ଥିଲେ । ଆଜି ତାଙ୍କର ଆକସ୍ମିକ ମୃତ୍ୟୁ ପରେ ଶବଦାହ କିପରି ହେବ ତାକୁ ନେଇ ଚିନ୍ତା ବଢିଥିଲା । ଏହି ସମୟରେ ଖବର ପାଇ ମୃତକଙ୍କ ପରିବାର ପାଖରେ ପହଞ୍ଚିଥିଲା ଓଡ୍ରାଫ୍ ଟିମ୍ । ବନ୍ୟା ପାଣିରେ ଓଡ୍ରାଫ ଡଙ୍ଗାରେ ମୃତଦେହ ଆଣି ସୁବର୍ଣ୍ଣରେଖାର ନଦୀ ପଠାର ଏକ ଉଚ୍ଚ ସ୍ଥାନକୁ ନେଇ ଅନ୍ତିମ ସଂସ୍କାର କରିଥିଲେ  ।

ଗେଷ୍ଟ ହାଉସରେ ଗଣଦୁଷ୍କର୍ମ! ୪ ଗିରଫ

ନନ୍ଦିଘୋଷ ବ୍ୟୁରୋ : ପୁରୀ ଜିଲ୍ଲା ନିମାପଡା ଗେଷ୍ଟ ହାଉସରେ ମହିଳାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗ । ମହିଳା ଜଣଙ୍କ ଅନୁଗୁଳ ଅଞ୍ଚଳ ହୋଇଥିବା ସୂଚନା । ପୀଡିତାଙ୍କ ଅଭିଯୋଗ ଅନୁଯାୟୀ ଦୁଇ ମାସ ପୂର୍ବରୁ ସେ ଭୁବନେଶ୍ୱର ଡେ଼ଲ୍ଟା ସ୍କୋୟାର ସ୍ଥିତ ଏକ ଗେଷ୍ଟ ହାଉସ କାର୍ଯ୍ୟ କରୁଥିଲେ । ପରେ  ନିମାପଡା ଗେଷ୍ଟ ହାଉସରେ ଯୋଗ ଦେଇଥିଲେ । ଗତ ୮ ତାରିଖରେ ଗେଷ୍ଟ ହାଉସରେ କାର୍ଯ୍ୟ କରୁଥିବା ରାଜ ଓରଫ ରାଜେନ୍ଦ୍ର ସ୍ୱାଇଁ, ସୁଶାନ୍ତ, ଅକ୍ଷୟ ନାହାକ, ରମେଶ ଚନ୍ଦ୍ର ଦାସ ନାମକ ୪ଜଣ ବ୍ୟକ୍ତି ଦୁଷ୍କର୍ମ କରିଥିବା ସେ ପ୍ରଥମେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ପରବର୍ତ୍ତୀ ସମୟରେ ଖଣ୍ଡଗିରି ଥାନା ଅଭିଯୋଗକୁ ନିମାପଡା ଥାନାକୁ ହସ୍ତାନ୍ତର କରିଥିଲା । ନିମାପଡା ଥାନା ଏକ ମାମଲା ରୁଜୁ କରିବା ସହିତ ୨ ଜଣଙ୍କୁ ପିପିଲି ଅଞ୍ଚଳରୁ ଏବଂ ଦୁଇ ଜଣଙ୍କୁ ନିମାପଡା ଅଞ୍ଚଳରୁ ଗିରଫ କରିବାରେ ସଫଳ ହୋଇଥିଲା । ହେଲେ ପରବର୍ତ୍ତୀ ସମୟରେ ଅଭିଯୋଗକାରୀଙ୍କ ପରିବାର ଲୋକ ଏବଂ ଅଭିଯୁକ୍ତଙ୍କ ପରିବାରକୁ ଏକାଠି କାରି ନିମାପଡା ପୋଲିସ ଏବଂ ପିପିଲି ଅଞ୍ଚଳର କିଛି ବିଜେପି ନେତା ମାମଲାକୁ ରଫା ଦଫା କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ଘଟଣାଟି ଜଣାପଡିବା ପରେ ସ୍ଥାନୀୟ ବିଜେଡି କାର୍ଯ୍ୟକର୍ତ୍ତା ଏକତ୍ରିତ ହୋଇ ଗେଷ୍ଟ ହାଉସ ଘେରିବା ସହିତ ନିମାପଡା ପୋଲିସ ବିରୋଧରେ ନାରାବାଜି କରିଥିଲେ ।

ହାଇଦ୍ରାବାଦରେ ଚଡ୍ଡି ଗ୍ୟାଙ୍ଗ ଆତଙ୍କ ! ଆପାର୍ଟମେଣ୍ଟରେ ପଶି ଲୁଟ୍, ମହିଳାଙ୍କୁ ଆକ୍ରମଣ

ନନ୍ଦିଘୋଷ ବ୍ୟୁରୋ : ଚଡ୍ଡି ଗ୍ୟାଙ୍ଗର ଚୋରମାନେ ହାଇଦ୍ରାବାଦରରେ ଆତଙ୍କ ସୃଷ୍ଟି କରିଛନ୍ତି । ହାଇଦ୍ରାବାଦ ମଣିକୋଣ୍ଡା ନେକନାମପୁର ଅଞ୍ଚଳରେ ଚୋରି ଘଟଣାକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି । ଫ୍ଲୋଟିଲା ଆପାର୍ଟମେଣ୍ଟରେ ଭୋର ସମୟରେ ଏକ ଦଳ ଦୁର୍ବୃତ୍ତ ପଶି ଲୁଟ୍ କରିଥିବା ଅଭିଯୋଗ ହୋଇଛି। ଘଟଣା ସମୟରେ ଚୋରମାନଙ୍କୁ ଅଟକାଇବାକୁ ଉଦ୍ୟମ କରିଥିବା ଜଣେ ମହିଳାଙ୍କ ଉପରେ ଆକ୍ରମଣ ହୋଇଥିବା ମଧ୍ୟ ଜଣାପଡ଼ିଛି। ସୂଚନା ଅନୁସାରେ, ରବିବାର ଭୋର ପ୍ରାୟ ୩ଟା ୨୦ରେ ଦୁର୍ବୃତ୍ତମାନେ ଆପାର୍ଟମେଣ୍ଟ ପରିସରରେ ପ୍ରବେଶ କରିଥିଲେ। ପରେ ସି-ବ୍ଲକ୍ର ସିଡ଼ି ଦେଇ ଏକ ଫ୍ଲାଟ୍ରେ ପ୍ରବେଶ କରି ମୂଲ୍ୟବାନ ସାମଗ୍ରୀ ଲୁଟ୍ କରିଥିଲେ।

ଚୋରି କରିବା ସମୟରେ ଜଣେ ମହିଳା ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ। ଏହାକୁ ନେଇ ଦୁର୍ବୃତ୍ତମାନେ ତାଙ୍କ ଉପରେ ଅସ୍ତ୍ରରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଘଟଣାର ସମ୍ପୂର୍ଣ୍ଣ ଦୃଶ୍ୟ ଆପାର୍ଟମେଣ୍ଟରେ ଲାଗିଥିବା CCTV କ୍ୟାମେରାରେ କଏଦ ହୋଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି CCTV ଫୁଟେଜ୍ ଯାଞ୍ଚ କରିଛି। ଫୁଟେଜରେ ପ୍ରାୟ ୬ ଜଣ ବ୍ୟକ୍ତି ଆପାର୍ଟମେଣ୍ଟ ପରିସରରେ ଘୁରୁଥିବା ଦେଖାଯାଇଥିବା କୁହାଯାଇଛି। CCTV ଫୁଟେଜ୍ ଆଧାରରେ ପୋଲିସ ଅଭିଯୁକ୍ତମାନଙ୍କୁ ଚିହ୍ନଟ ଓ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି।

ଘଟଣା ପରେ ଆପାର୍ଟମେଣ୍ଟ ବାସିନ୍ଦାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି। CCTV କ୍ୟାମେରା, ଆଲୋକୀକରଣ ଏବଂ ସୁରକ୍ଷାକର୍ମୀଙ୍କ ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ନେଇ ଆପାର୍ଟମେଣ୍ଟ ଆସୋସିଏସନ୍ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ଜଣାପଡ଼ିଛି।

ଚଡ୍ଡି ଗ୍ୟାଙ୍ଗ୍ ଦ୍ୱାରା କରାଯାଇଥିବା ସମ୍ପୂର୍ଣ୍ଣ ଚୋରି ସି-ବ୍ଲକରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା। ଚୋରି ସମ୍ପର୍କରେ ପୋଲିସକୁ ସୂଚନା ଦିଆଯାଇଥିଲା। ସୂଚନା ପାଇବା ପରେ ପୋଲିସ ଆପାର୍ଟମେଣ୍ଟରେ ପହଞ୍ଚି ଘଟଣା ସହିତ ଜଡିତ ସମସ୍ତ ସୂଚନା ସଂଗ୍ରହ କରିଥିଲା। ସିସିଟିଭି ଫୁଟେଜ୍ ଆଧାରରେ ପୋଲିସ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ଆରମ୍ଭ କରିଛି।

ରାସ୍ତା ନଥିବାରୁ ଆସିଲାନି ଆମ୍ବୁଲାନ୍ସ, ୬ କିମି ଖଟିଆରେ ବୁହା ହେଲେ ରୋଗୀ

ନନ୍ଦିଘୋଷ ବ୍ୟୁରୋ : ଗାଁକୁ ରାସ୍ତା ନଥିବାରୁ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ପୁଣି ୬ କିଲୋମିଟର ଖଟିଆରେ ବୁହା ହେଲେ ରୋଗୀ । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଗୁମିକିଆ ପଞ୍ଚାୟତରେ ଦେଖିବାକୁ ମିଳିଛି ଏଭଳି ଘଟଣା । ନୁଆପଦର ଗାଁର ନଳିନୀ ମଳିକ କୌଣସି କାରଣ ବଶତଃ ତଳେ ପଡ଼ିଯିବା ପରେ ତାଙ୍କ ଗୋଡ଼ ଓ ଅଣ୍ଟାରେ ଗଭୀର ଆଘାତ ଲାଗିଥିଲା । ପରିବାର ଲୋକେ ଆମ୍ବୁଲାନ୍ସକୁ ଡାକିଥିଲେ । ହେଲେ ଗାଁକୁ ଭଲ ରାସ୍ତା ନଥିବାରୁ ଆମ୍ବୁଲାନ୍ସ ଯାଇପାରିଲାନି । ବାଧ୍ୟ ହୋଇ ପରିବାର ଲୋକେ ଖଟିଆରେ ଭାର କରି ମହିଳାଙ୍କୁ ଆଣିଥିଲେ । ସେଠାରୁ ଅଟୋ ଯୋଗେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ନେଇଥିଲେ । ଗୁମିକିଆ ପଞ୍ଚାୟତର ଗୁଡ୍ରିପାଙ୍ଗା, କାଞ୍ଜୁମାହା, ନୁଆପଦର ଭଳି ତିନୋଟି ଗାଁରେ ପ୍ରାୟ ୪୦ ପରିବାର ବସବାସ କରନ୍ତି । ଗାଁକୁ ଭଲ ରାସ୍ତାଟିଏ ନିର୍ମାଣ କରିବା ପାଇଁ ପ୍ରଶାସନ ନିକଟରେ ବାରମ୍ବାର ଅନୁରୋଧ କରିଥିଲେ ମଧ୍ୟ ଏଯାଏଁ କୌଣସି ସୁଫଳ ମିଳିନାହିଁ । ଫଳରେ ବର୍ଷ ବର୍ଷ ଧରି ଅଞ୍ଚଳବାସୀ ଏଭଳି ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି  ।

ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ସୁଜାତା ରାଉତ କାର୍ତ୍ତିକେୟନ

ଭୁବନେଶ୍ବର:“ଜନନୀ ଜନ୍ମଭୂମିଶ୍ଚ ସ୍ବର୍ଗାଦପି ଗରୀୟସୀ।”। ଆଜି ବିଜେପି ସେହି ମାଆ ମାଟି ମାତୃଭୂମି ପ୍ରତି ଅନ୍ୟାୟ କରିଛନ୍ତି । ୨୦୦୪ରେ ଓଡ଼ିଶା ବିକାଶ ପାଇଁ ନବୀନ ପଟ୍ଟନାୟକ ଓରିସେଡ ଆଇନ ଆଣିଥିଲେ । ଏହା ବିରୋଧରେ ଖଣି ମାଲିକମାନେ ସୁପ୍ରିମକୋର୍ଟ ଗଲେ । ୨୦୨୪ରେ ସୁପ୍ରିମକୋର୍ଟ ଓଡ଼ିଶା ସପକ୍ଷରେ ନିଷ୍ପତ୍ତି ଦେଲେ । ନିଷ୍ପତ୍ତି ଅନୁସାରେ ଓଡ଼ିଶା ଏକ ଲକ୍ଷ କୋଟି ପାଇଥାନ୍ତା । ଋଣମୁକ୍ତ ହୋଇପାରିଥାନ୍ତା ଓଡ଼ିଶା । ରୋଜଗାର ମିଳିଥାନ୍ତା । ପେନସନ ମିଳିଥାନ୍ତା । ପେନସନ ହାର ବୃଦ୍ଧି ହୋଇପାରିଥାନ୍ତା । ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ଚାଷୀଙ୍କୁ ଲାଭ ମିଳିଥାନ୍ତା । ଚାଷୀ ଋଣମୁକ୍ତ ହୋଇ ପାରିଥାନ୍ତା । ଜଳ ସେଚନ ପ୍ରକଳ୍ପ, ଅନ୍ତର୍ଜାତୀୟସ୍ତରର ସ୍କୁଲ, ମଧ୍ୟାହ୍ନ ସହ ପ୍ରାତଃଭୋଜନ, ମେଟ୍ରୋ ହୋଇ ପାରିଥାନ୍ତା । ସମସ୍ତେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ପାଇଥାନ୍ତେ । ନିଜ ରାଜସ୍ୱ ନିଜ ରାଜ୍ୟରେ ଖର୍ଚ୍ଚ ହୋଇ ପାରିଥାନ୍ତା । ବର୍ଷ ବର୍ଷ ଧରି ଏକ ନମ୍ବର ରାଜ୍ୟ ହୋଇ ପାରିଥାନ୍ତା ଓଡ଼ିଶା । ଜେନ-ଜିଙ୍କ ଭବିଷ୍ୟତ ସୁରକ୍ଷା ପାଇଥାନ୍ତା । କଣ ପାଇଁ ବିଜେପି ଓଡ଼ିଶାରୁ ଲକ୍ଷ୍ମୀଙ୍କୁ ଫେରାଇଲେ ଏହାର ଜବାବ ଦିଅନ୍ତୁ । ଏପରି ଭାବେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଲୋୟର ପିଏମଜିରୁ ଟାର୍ଗେଟ କରିଛନ୍ତି ବିଜେଡି ନେତ୍ରୀ ସୁଜାତା ରାଉତ କାର୍ତ୍ତିକେୟନ । ଏମଏମଡିଆର ଆଇନ ପ୍ରତ୍ୟାହାର ଦାବିରେ ଲୋୟର ପିଏମଜିରେ ବିଜେଡିର ଆନ୍ଦୋଳନ ବେଳେ ଏପରି ଟାର୍ଗେଟ କରିଛନ୍ତି ସୁଜାତା । ସେ କହିଛନ୍ତି, ନିଜ ପରିଶ୍ରମରେ ଅର୍ଥ ଆସିଥାନ୍ତା । ପରିବାର ଋଣମୁକ୍ତ ହୋଇଥାନ୍ତା । ହେଲେ ବିଜେପି କହିଲା ଆମ ପାଖରେ ଭଣ୍ଡାର ଅଛି ଯାହା ଦେବା କଥା ପଡୋଶୀଙ୍କୁ ଦିଅନ୍ତୁ । ଏ ମୁରବୀଙ୍କୁ କି ଦଣ୍ଡ ଦିଆଯିବ ଜବାବ ମାଗିଛନ୍ତି ସୁଜାତା । ବିଜେପି ଅନ୍ୟାୟ କରିଛି । ଖଣି ଟଙ୍କା କାହିଁକି ବିଜେପି ଫେରାଇଲା ? ଉଦ୍ଦେଶ୍ୟ କଣ ? ବିଜେପି ସାଂସଦ କହୁଛନ୍ତି, ଖଣି ରାଜସ୍ୱ ଯଥେଷ୍ଟ ମିଳୁଛି । ମିଛ କହୁଛନ୍ତି ବିଜେପି ନେତା ଓଡ଼ିଶାକୁ ଠକୁଛନ୍ତି ବିଜେପି ସରକାର । ନବୀନ ପଟ୍ଟନାୟକଙ୍କ କାମ ପାଇଁ ଖଣି ୫୦ ହଜାର କୋଟି ହୋଇଛି । କର୍ଣ୍ଣାଟକର ନୁହେଁ ଓଡ଼ିଶାର ଖଣି ରାଜସ୍ୱ ବଢିଥିବା ନିଜେ ପ୍ରଧାନମନ୍ତ୍ରୀ ପ୍ରଶଂସା କରି କହିଛନ୍ତି । ବିଜେପିର ରିମୋଟ କଣ୍ଟ୍ରୋଲ ଦିଲ୍ଲୀରେ ଅଛି ଏହା ପ୍ରମାଣ ହୋଇଗଲା । ବିଜେଡି ଏକ ମାତ୍ର ଦଳ ଯାହାର ରିମୋଟ କଣ୍ଟ୍ରୋଲ ଓଡ଼ିଶାବାସୀଙ୍କ ପାଖରେ ଅଛି । ଯେ ପର୍ଯ୍ୟନ୍ତ ଓଡ଼ିଶାର ଅଧିକାର ନ ମିଳିଛି ସେପର୍ଯ୍ୟନ୍ତ ବିଜେଡି ଏହି ଲଢେଇ ଜାରି ରଖିବ । ଓଡ଼ିଶାବାସୀଙ୍କ ସୁରକ୍ଷା ପାଇଁ ଏହି ଲଢେଇ ଜାରି ରହିବ ବୋଲି କହିଛନ୍ତି ସୁଜାତା ।

ୟୁପିଆଇ ଶୁଣାଣି : କେନ୍ଦ୍ରକୁ ଜବାବ

ନନ୍ଦିଘୋଷ ବ୍ୟୁରୋ : ଅକ୍ଟୋବର ୧୫ ତାରିଖରୁ ୨୦୦୦ ଟଙ୍କା ଓ ତଦୁର୍ଦ୍ଧ୍ବ ୟୁପିଆଇ କାରବାର ଉପରେ ଦାୟର ଏକ ରିଟ ପିଟିସନର ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି । ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲା ବାଗଚି ଓ ଜଷ୍ଟିସ ଭି.ମୋହନାଙ୍କ ଖଣ୍ଡପୀଠ ଏହି ମାମଲାରେ କେନ୍ଦ୍ର ସରକାରଙ୍କୁ ସତ୍ୟପାଠ ଦାଖଲ କରିବାକୁ ଆଦେଶ ଦେଇଛନ୍ତି । ଆଇନଜୀବୀ ଅଞ୍ଜନ ଦତ୍ତଙ୍କ ଦ୍ବାରା ଦାୟର ରିଟ ପିଟିସନର ଶୁଣାଣି କରି ସୁପ୍ରିମକୋର୍ଟଙ୍କ ତିନିଜଣିଆ ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି କେଉଁ ଆଧାରରେ ସେପ୍ଟେମ୍ବର ୧୪ ଓ ୧୫ ତାରିଖରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ବ୍ୟବସାୟୀଙ୍କ ଉପରେ ଏହି ଚାର୍ଜ ଲଗାଇବାକୁ ଘୋଷଣା କଲେ ? ଏହାର ଉତ୍ତର ରଖନ୍ତୁ କେନ୍ଦ୍ର ସରକାର। ମାମଲାର ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କ ଅତିରିକ୍ତ ସଲିସିଟର ଜେନେରାଲ ଏନ. ଭେଙ୍କଟରମଣ ଜବାବ ରଖି କହିଥିଲେ ୯୬ ପ୍ରତିଶତ କାରବାରରେ ଏହି ବ୍ୟବସ୍ଥା ଲାଗିବନି । କିନ୍ତୁ ଅତ୍ୟାଶ୍ୟକ ସେବା ପାଇଁ ୨୦୦୦ ଟଙ୍କା କିମ୍ବା ତାଠାରୁ ଅଧିକ କାରାବାର ଉପରେ ମାତ୍ର ୫ ଟଙ୍କା ଲାଗିବ । ଏହା କୌଣସି ଟିକସ କିମ୍ବା ଫି ନୁହେଁ । ଅତିରିକ୍ତ ସଲିସିଟର ଜେନେରାଲଙ୍କ ପକ୍ଷ ଶୁଣିବା ପରେ ଜଷ୍ଟିସ ଜୟମାଲା ବାଗଚି କହିଥିଲେ ଯାହା ଆପଣ କହୁଛନ୍ତି ତାକୁ ସତ୍ୟପାଠ ଜରିଆରେ ଦାଖଲ କରନ୍ତୁ । ଅତିରିକ୍ତ ସଲିସିଟର ଜେନେରାଲ କୋର୍ଟଙ୍କୁ କହିଛନ୍ତି ଏହି ଅର୍ଥ କେନ୍ଦ୍ର ସରକାର ନେଉନାହାନ୍ତି । ଏହା ସମ୍ପୂର୍ଣ୍ଣ ଭାବେ ଡିଜିଟାଲ ପେମେଣ୍ଟ ସୁବିଧା ଯୋଗାଉଥିବା ସଂସ୍ଥା ଓ ବ୍ୟାଙ୍କ ଖର୍ଚ୍ଚ ଭରଣା ପାଇଁ ଉପଯୋଗ କରାଯିବ । ଡେବିଟ ଓ କ୍ରେଡିଟ କାର୍ଡ କାରବାର ଉପରେ ଫି’ ଲାଗୁଛି । କିନ୍ତୁ ୟୁପିଆଇ କାରବାର ଉପରେ ଏବେ ଫି ଲାଗୁ ନାହିଁ । ସୂଚାରୁରୂପେ ୟୁପିଆଇ ଡିଜିଟାଲ କାରବାର ଚାଲିବା ପାଇଁ କେନ୍ଦ୍ର ସରକାର ଏହି ବ୍ୟବସ୍ଥା କରିଛନ୍ତି । ଜଷ୍ଟିସ ବାଗଚି କହିଥିଲେ ଆୟକର ଆଇନ ଧାରା ୨୯୬-SU ଅନୁଯାୟୀ ଗ୍ରାହକଙ୍କୁ ବୈଦ୍ୟୁତିକ ମାଧ୍ୟମରେ ଟଙ୍କା ନେଣଦେଣ ପାଇଁ ବ୍ୟବସ୍ଥା ରହିଛି । ତାହେଲେ ଏହି ଆଇନର ବ୍ୟବସ୍ଥା କଣ ହେବ ? ଏ ନେଇ କେନ୍ଦ୍ର ସରକାରଙ୍କ ସମେତ ଆରବିଆଇ ଓ ୟୁପିଆଇ କାରବାର ସୁବିଧା ଯୋଗାଉଥିବା NPCIକୁ ମଧ୍ୟ ଜବାବ ଦାଖଲ କରିବାକୁ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ । ଆବେଦନକାରୀ ନିଜ ଆବେଦନରେ ଦର୍ଶାଇଛନ୍ତି ୟୁପିଆଇ କାରବାର ଉପରେ କେନ୍ଦ୍ର ସରକାରଙ୍କ MDR ବ୍ୟବସ୍ଥା ପରୋକ୍ଷରେ ଗ୍ରାହକଙ୍କୁ ଅଧିକ ମହଙ୍ଗା ବଜାରର ଶିକାର କରିବ। ଏହି ଫି ବ୍ୟବସ୍ଥା ଲାଗୁହେଲେ ବ୍ୟବସାୟୀ ଏହି ଆର୍ଥିକ ବୋଝକୁ ବାଧ୍ୟ ହୋଇ ଗ୍ରାହକଙ୍କ ଉପରେ ଲଦିବେ।