spot_img

Latest Posts

JTWC ତଥ୍ୟକୁ ବିଶ୍ଳେଷଣ କରି ପୂର୍ବାନୁମାନ କରିଛନ୍ତି ବିଶିଷ୍ଟ ପାଣିପାଗ ବିଜ୍ଞାନୀ ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ

ନନ୍ଦିଘୋଷ ବିୁରୋ:  ସ୍ଥଳଭାଗ ଆଡ଼କୁ ମାଡି଼ ଆସୁଛି ବାତ୍ଯା ଅର୍ଣ୍ଣବ। ଜଏଣ୍ଟ ଟାଇଫୁନ ୱାର୍ଣ୍ଣିଂ ସିଷ୍ଟମ ସେଣ୍ଟର ତଥ୍ଯକୁ ବିଶ୍ଲେଷଣ କରି ପାଣିପାଗ ବିଜ୍ଞାନୀ ଡ.ସୁରେନ୍ଦ୍ର ନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି କି ୨୧୦ କିଲୋମିଟରରୁ ୨୨୨ କିଲୋମିଟର ବେଗରେ ବାତ୍ଯା ଅର୍ଣ୍ଣବ ସ୍ଥଳ ଭାଗ ଛୁଇଁବ। ଝଟକା ପବନର ବେଗ ରହିବ ଘଣ୍ଟାପ୍ରତି ୨୬୯ କିଲୋମିଟର। ଏ ନେଇ ଆନ୍ଧ୍ର ଉପକୂଳରେ ସତର୍କ ସୂଚନା ୦୦୭ ରହିବ। ସ୍ଥଳ ଭାଗେ ଛୁଇଁବା ପରେ ଧୀରେ ଧୀରେ ଦୁର୍ବଳ ହେବ ବାତ୍ଯା ଅର୍ଣ୍ଣବ । ସଂଧ୍ଯା ସାଢ଼େ ୮ଟା ସୁଦ୍ଧା ବାତ୍ଯା ଅର୍ଣ୍ଣବ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ୧୬.୩ ଡିଗ୍ରି ଉତ୍ତର ଅକ୍ଷାଂଶ ଓ ୮୨.୭ ଡିଗ୍ରି ପୂର୍ବ ଦ୍ରାଘିମାରେ ରହିଥିଲା। ଆନ୍ଧ୍ରର କାକିନାଡ଼ାଠାରୁ ପ୍ରାୟ ୮୦ କିଲୋମିଟର ପୂର୍ବ-ଉତ୍ତରପୂର୍ବରେ ଏବଂ ବିଶାଖାପାଟଣାଠାରୁ ପ୍ରାୟ ୧୧୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପଶ୍ଚିମରେ ରହିଛି। ଅର୍ଣ୍ଣବ ଘଣ୍ଟାପ୍ରତି ୨୦ କିଲୋମିଟର ବେଗରେ ପଶ୍ଚିମ ଦିଗକୁ ଗତି କରୁଛି। ଏହି ସମୟରେ କେନ୍ଦ୍ରୀୟ ବାୟୁଚାପ ରହିଛି ୯୪୦ ହେକ୍ଟାପାସ୍କାଲ। ଧୀରେ ଧୀରେ ବାତ୍ଯା ଅର୍ଣ୍ଣବ ଅଧିକ ଶକ୍ତିଶାଳୀ ହେବାରେ ଲାଗିଛି।

JTWCର ପର୍ଯ୍ୟବେକ୍ଷଣ ଓ ପୂର୍ବାନୁମାନ ଅନୁସାରେ ୨୮ ତାରିଖ ସକାଳ ୫ଟା ୩୦ରେ ଆନ୍ଧ୍ରପ୍ରଦେଶ କାକିନାଡ଼ା-ରାଜମହେନ୍ଦ୍ରବରମ ଅଞ୍ଚଳରେ ପହଞ୍ଚିବ। ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ରହିବ ୧୯୪ରୁ ୨୪୧ କିଲୋମିଟର । କାଲି ସନ୍ଧ୍ଯା ୫ଟା ୩୦ ମିନିଟର ବେଳକୁ ଆନ୍ଧ୍ରପ୍ରଦେଶର ଚିନ୍ତୁର ନିକଟରେ ପବନର ବେଗ ରହିବ ଘଣ୍ଟାପ୍ରତି ୧୩୦ କିଲୋମିଟରରୁ ୧୫୭ କିଲୋମିଟର। ୨୯ ତାରିଖ ସକାଳ ୫ଟା ୩୦ ମିନିଟ ବେଳକୁ ଏହା ଦକ୍ଷିଣ ଛତିଶଗଜ, ଜଗଦଲପୁର ନିକଟରେ ଘଣ୍ଟାପ୍ରତି ୬୫ରୁ ୮୩ କିଲୋମିଟର ବେଗରେ ଗତି କରିବ। ୨୯ ତାରିଖ ସନ୍ଧ୍ଯା ୫ଟା ୩୦ ମିନିଟରେ କେନ୍ଦ୍ରୀୟ ଛତିଶଗଡ଼ ଅତିକ୍ରମ କରିବା ବାତ୍ଯା ଅର୍ଣ୍ଣବ। ସେତେବେଳକୁ ପବନର ବେଗ ହ୍ରାସ ପାଇ ଘଣ୍ଟାପ୍ରତି ୪୬ କିଲୋମିଟରରୁ ୬୫ କିଲୋମିଟର ରହିବ। ବାତ୍ଯା ଅର୍ଣ୍ଣବ ଆଜି ବିଳମ୍ବିତ ରାତିରୁ ୨୮ ଅକ୍ଟୋବର ଭୋର ମଧ୍ଯରେ କେନ୍ଦ୍ରୀୟ ଆନ୍ଧ୍ରପ୍ରଦେଶର କାକିନାଡ଼ା-ୟାନାମ ଉପକୂଳ ଅଞ୍ଚଳରେ ସ୍ଥଳଭାଗ ଛୁଇଁବ। ସ୍ଥଳଭାଗ ଅତିକ୍ରମ କରିବା ସମୟରେ ବାତ୍ଯା ଅତ୍ଯନ୍ତ ଶକ୍ତିଶାଳୀ ରହିବ। ଆନ୍ଧ୍ରପ୍ରଦେଶ ଦେଇ ଉତ୍ତର ଦିଗରୁ ଗତି କରି ଦକ୍ଷିଣ ଛତିଶଗଡ଼ରେ ପ୍ରବେଶ କରିବ। ବାତ୍ଯାର କେନ୍ଦ୍ର ଓଡ଼ିଶା ଦେଇ ଗତି କରିବାର ନାହିଁ। ବାତ୍ଯାର ଇନର ଓ ଆଉଟର ବଳୟ ଉତ୍ତର ପୂର୍ବ ଦିଗରେ ୬୩ କିଲୋମିଟର ରହିବ। ଏହାର ବିସ୍ତାର ପ୍ରାୟ ୧୪୮ କିଲୋମିଟର ରହିବବା ପୂର୍ବାନୁମାନ କରାଯାଇଛି। ଏହାସହିତ ଉତ୍ତର ପଶ୍ଚିମ ଦିଗରେ ଏହି ବଳୟର ଆକାର ପ୍ରାୟ ୧୮୫ କିଲୋମିଟର ପର୍ଯ୍ଯନ୍ତ ରହିବା ନେଇ ଆକଳନ କରାଯାଇଛି। ବାତ୍ଯାର ବାହ୍ଯ ପବନ ବଳୟରେ ଓଡ଼ିଶାର ଗଞ୍ଜାମ ଜିଲ୍ଲା ରହିବ। ଯାହାଯୋଗୁ ଗୋପାଳପୁର ଓ ବ୍ରହ୍ମପୁରରେ ଘଣ୍ଟା ପ୍ରତି ୬୩ କିଲୋମିଟର ପବନ ବହିବ। ପୁରୀ, ଖୋର୍ଦ୍ଧା ଓ ଅନ୍ୟାନ୍ୟ ଉତ୍ତର ଉପକୂଳ ଅଞ୍ଚଳ ବାତ୍ୟାର ମୁଖ୍ୟ ପବନ ବଳୟଠାରୁ ଦୂରରେ ରହିବେ। ତେବେ ବାତ୍ଯା ସ୍ଥଳବାଗ ଛୁଇଁ ଅତିକ୍ରମ କରିବା ବେଳେ ମାଲକାନଗିରି ଜିଲ୍ଲାରେ ଅଧିକ କ୍ଷୟକ୍ଷତି ଘଟାଇବା ଆଶଙ୍କା ରହିଛି। ବିଶେଷକରି ମୋଟୁ ଓ କାଲିମେଳା ଅଞ୍ଚଳରେ ବାତ୍ଯାର ବାହ୍ଯ ପବନ ପ୍ରଭାବ ପଡ଼ିପାରେ। କୋରାପୁଟରେ କିଛିଟା ଝଟକା ପବଦର ଅନୁଭୁତ ହୋଇପାରେ। ବାତ୍ଯା ଦକ୍ଷିଣ ଛତିଶଗଡ଼ ଆଡ଼କୁ ଗତି କରିବା ସମୟରେ ନବରଙ୍ଗପୁର ଏହାର ପୂର୍ବ ପାର୍ଶ୍ବରେ ରହିବ। ରାୟଗଡ଼ା ବାତ୍ଯା ବଳୟଠାରୁ ଦୂରରେ ରହୁଥିବାରୁ ସେତେଟା ପ୍ରଭାବ ଅନୁଭୁତ ହେବ ନାହିଁ। ତେବେ କଳାହାଣ୍ଡି ଓ ନୂଆପଡ଼ାରେ ବାତ୍ଯାର ପ୍ରଭାବ କିଛିଟା ଦେଖିବାକୁ ମିଳିପାରେ। ସ୍ଥଳଭାଗ ଅତିକ୍ରମ ପୂର୍ବରୁ ଓଡ଼ିଶାର ଗଞ୍ଜାମ ଏବଂ ପରେ ମାଲକାନଗିରି ବାତ୍ୟାର ବାହ୍ୟ ପବନ ପ୍ରଭାବରେ ଅପେକ୍ଷାକୃତ ନିକଟରେ ରହିବେ।

Latest Posts

Don't Miss