spot_img
Home Blog Page 86

ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଭୂମିକମ୍ପ ଝଟକା

ନନ୍ଦିଘୋଷ ବ୍ୟୁରୋ : ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ଅଞ୍ଚଳରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ରାତି ପ୍ରାୟ ୧୦ଟା ୪୮ ମିନିଟ ୨୦ ସେକଣ୍ଡରେ ଏହି ଭୂମିକମ୍ପ ଝଟକା ପ୍ରାୟ ୫ ସେକେଣ୍ଡ ଧରି ଅନୁଭୂତ ହୋଇଥିଲା। ଏହାର କେନ୍ଦ୍ରସ୍ଥଳ ଛେଣ୍ଡିପଦା ବ୍ଲକ ସଦର ମହକୁମାଠାରୁ ପ୍ରାୟ ୨୫ କିମି ଦୂର  ବ୍ଲକର ସୀମାନ୍ତ ଚଢେଇମରା ଜଙ୍ଗଲ ।ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି-NCS ରିପୋର୍ଟ ଅନୁସାରେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୯ ଥିଲା। ଭୂଗର୍ଭର ୨୦ କିମି ଗଭୀରରେ ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର ପ୍ରଭାବ ଚଢ଼େଇମାର ଗ୍ରାମ ନିକଟସ୍ଥ ଦେବଗଡ଼ ଜିଲ୍ଲାର ଚଢେଇମରା, ଆଉଁଳି, ପାଟକମୁଣ୍ଡା, ଟାଙ୍ଗିରି, ରାଇପାଳ, ଛେଣ୍ଡିପଦା, ଖାମର, କୋଶଳା ବାଗଡ଼ିଆ, ପାତ୍ରପଡା ଆଦି ଅଞ୍ଚଳରେ କମ୍ପନ ଅନୁଭୂତ ହୋଇଛି।ହଠାତ୍ ପାଦ ଥରିବାରୁ ଲୋକେ ଭୟଭୀତ ହୋଇ ଯାଇଥିଲେ । ତେବେ କୌଣସି ଧନଜୀବନ ହାନି ହୋଇ ନଥିବା ସୂଚନା

୧୮ ବର୍ଷରୁ କମ୍ ପିଲାଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ ନେଇ ନୂଆ ନିୟମ

ନନ୍ଦିଘୋଷ ବ୍ୟୁରୋ : ୧୮ ବର୍ଷରୁ କମ୍ ବୟସର ପିଲାମାନଙ୍କ ସୋସିଆଲ୍ ମିଡିଆ ଆକାଉଣ୍ଟ ସମ୍ପର୍କିତ ମାମଲାରେ ଜନସ୍ୱାର୍ଥ ମାମଲା। ‘ଜଷ୍ଟ ରାଇଟ୍ସ ଫର୍ ଚିଲ୍ଡ୍ରେନ୍ ଆଲାଏନ୍ସ’ ପକ୍ଷରୁ ସୁପ୍ରିମକୋର୍ଟରେ ହୋଇଥିବା PIL ଉପରେ ଶୁଣାଣି ହୋଇଛି। ଭାରତ ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ୍ ତୁଷାର ମେହତା ଉପସ୍ଥିତ ହୋଇଥିଲେ। ସେ କହିଥିଲେ ଯେ ସରକାର ଏହାକୁ ଏକ ଗୁରୁତର ବିଷୟ ଭାବେ ଗ୍ରହଣ କରୁଛନ୍ତି।

ଆଇନଜୀବୀ ଏଚ୍‌.ଏସ୍‌. ଫୁଲ୍କା କହିଛନ୍ତି, “ଭାରତୀୟ ଆଇନ ଅନୁଯାୟୀ ୧୮ ବର୍ଷରୁ କମ୍ ବୟସର ଜଣେ ଶିଶୁ କୌଣସି ଚୁକ୍ତିରେ ସ୍ୱାକ୍ଷର କରିବାକୁ ସକ୍ଷମ ନୁହେଁ। କେବଳ ଶିଶୁର ମାତାପିତା ଏଭଳି ଚୁକ୍ତିରେ ସ୍ୱାକ୍ଷର କରିପାରିବେ। ୧୮ ବର୍ଷରୁ କମ୍ ପିଲାଙ୍କ ସହ କରାଯାଇଥିବା ଏଭଳି ଚୁକ୍ତିର କୌଣସି ବୈଧତା ନାହିଁ।” ସେ ଆହୁରି କହିଛନ୍ତି ଯେ, ଆଜି ସରକାର ସୁପ୍ରିମକୋର୍ଟଙ୍କୁ ଆଶ୍ୱାସନ ଦେଇଛନ୍ତି ଯେ ଭାରତୀୟ ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ। ଏଥିପାଇଁ ସରକାର ଖୁବଶୀଘ୍ର ଏକ ଆଇନଗତ ଢାଞ୍ଚା ଆଣିବେ। ଏହି ଢାଞ୍ଚା ଅନୁଯାୟୀ, ୧୮ ବର୍ଷରୁ କମ୍ ବୟସର ଶିଶୁଙ୍କ ସହ ସୋସିଆଲ୍ ମିଡିଆ ମଧ୍ୟସ୍ଥ ସଂସ୍ଥା ଓ ପ୍ଲାଟଫର୍ମ ଚୁକ୍ତି କରିବାକୁ ସମ୍ପୂର୍ଣ୍ଣ ଭାବେ ନିଷେଧ କରାଯିବ। ସରକାର ଆଶ୍ୱାସନା ଦେଇଛନ୍ତି, ଭାରତୀୟ ଆଇନକୁ ସମ୍ମାନ ଦିଆଯିବ। ଖୁବଶୀଘ୍ର ଏନେଇ ନିର୍ଦ୍ଦେଶ ଜାରି କରାଯିବ ଏବଂ ଆବଶ୍ୟକ ପଦକ୍ଷେପ ନିଆଯିବ, ଯାହାଦ୍ୱାରା ୧୮ ବର୍ଷରୁ କମ୍ ଶିଶୁ କୌଣସି ସୋସିଆଲ୍ ମିଡିଆ ପ୍ଲାଟଫର୍ମ ସହ ଚୁକ୍ତିରେ ସ୍ୱାକ୍ଷର କରିପାରିବ ନାହିଁ। ଏଭଳି ଚୁକ୍ତିରେ ସ୍ୱାକ୍ଷର କରିବାକୁ କେବଳ ଶିଶୁର ମାତାପିତା ହିଁ ସକ୍ଷମ।

ଆଜି ବିଜେଡି, କାଲି କଂଗ୍ରେସ; MMDR ବିରୋଧରେ ରାଜରାସ୍ତାକୁ ଓହ୍ଲାଇବ କଂଗ୍ରେସ

ନନ୍ଦିଘୋଷ ବ୍ୟୁରୋ : ଆଜି ବିଜେଡି, କାଲି କଂଗ୍ରେସ। ଆସନ୍ତାକାଲି MMDR ବିରୋଧରେ ଆନ୍ଦୋଳନ କରିବ କଂଗ୍ରେସ। ରାଜ୍ୟରୁ ଯାଇଥିବା ୨୦ ସାଂସଦ ସଂସଦରେ ପାଟି ଖୋଲିଲେ ନାହିଁ। ଏହାକୁ ନେଇ ଆସନ୍ତାକାଲି ଜୋରଦାର ପ୍ରତିବାଦ କରିବ କଂଗ୍ରେସ। ରାଜ୍ୟର ହକ୍‌ ପାଇଁ ଲଢେଇ ହେବ। କଂଗ୍ରେସ ଏହି ପ୍ରସଙ୍ଗ ପ୍ରଥମେ ବିଧାନସଭାରେ ଉଠାଇଥିଲା। ହେଲେ ସରକାର ଶୁଣୁନଥିବାରୁ ଏବେ ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ ବୋଲି କହିଛନ୍ତି ବିଧାୟକ ତାରା ବାହିନୀପତି।ସେପଟେ ବରିଷ୍ଠ ନେତା ନରସିଂହ ମିଶ୍ର କହିଛନ୍ତି, ଏହି ଆଇନ ଅନୁସାରେ ରାଜ୍ୟ ସରକାରଙ୍କର କୌଣସି ଅଧିକାର ରହିବ ନାହିଁ। ରାଜ୍ୟ ସରକାରଙ୍କ ପ୍ରାପ୍ୟ କେନ୍ଦ୍ର ସରକାର ଛଡ଼ାଇ ନେଇଛନ୍ତି। ସେ ଆଇନ ମନ୍ତ୍ରୀ ଥିବା ବେଳେ ଭୂମି ତଳେ ଥିବା ଖଣିଜ ସମ୍ପଦରେ ରାଜ୍ୟର ଅଧିକାର ରହିବା ନେଇ ଏକ ଆଇନ ଆଣିଥିଲେ। ଯାହାଦ୍ୱାରା ଖଣିଜ ସମ୍ପଦ ଭରା ଜମି ଉପରେ ରାଜ୍ୟ ସରକାରଙ୍କର ସମ୍ପୂର୍ଣ୍ଣ କ୍ଷମତା ରହିବ। ଯେଉଁ ଜମି ତଳେ ଖଣି ଅଛି, ତାହା ଉପରେ ଟିକସ ନେବେ ରାଜ୍ୟ ସରକାର। ଏହାକୁ ନେଇ ଖଣି କମ୍ପାନୀମାନେ ସୁପ୍ରିମକୋର୍ଟ ଗଲେ ଏବଂ ରାଜ୍ୟ ସରକାର କେସ୍‌ରେ ହାରିଗଲେ। ପରେ ୨୦୦୪ ଜାନୁଆରୀ ୧ ତାରିଖରେ ସୁପ୍ରିମକୋର୍ଟ କହିଲେ, ଯେଉଁ ରାଜ୍ୟର ମାଟି ତଳେ ଖଣିଜ ସମ୍ପଦ ରହିଛି, ସେ ରାଜ୍ୟର ଟିକସ ନେବା ଅଧିକାର ଅଛି।

ସେହି ଅନୁସାରେ ରାଜ୍ୟ ଅଧିକାର ପାଇବା କଥା, କିନ୍ତୁ ସେହି ଅଧିକାର ଆମକୁ ମିଳିଲା ନାହିଁ। କେନ୍ଦ୍ର ସରକାର ଟିକସ ଦେବା କଥା କିମ୍ବା ରାଜ୍ୟ ସରକାର ମାଗିବା କଥା। କିନ୍ତୁ ତାହା ମିଳିଲା ନାହିଁ। ଯାହାଦ୍ୱାରା ରାଜ୍ୟର ବିପୁଳ କ୍ଷତି ହୋଇଛି। ସୁପ୍ରିମକୋର୍ଟ ବେଞ୍ଚ ଯେଉଁ ରାୟ ଦେଇଛନ୍ତି, ଏହା ନିଶ୍ଚୟ କାଟ ଖାଇବ, ଏଥିରେ କୌଣସି ସନ୍ଦେହ ନାହିଁ ବୋଲି ନରସିଂହ ମିଶ୍ର କହିଛନ୍ତି।

MMDR ପ୍ରତ୍ୟାହାର ଦାବିରେ ବିଜେଡିର ରଣହୁଙ୍କାର

ନନ୍ଦିଘୋଷ ବ୍ୟୁରୋ : ବିଜେଡିର ରଣହୁଙ୍କାର। ମାଷ୍ଟରକ୍ୟାଣ୍ଟିନରୁ ପିଏମଜି ଛକ ଲୋକାରଣ୍ୟ। ଶକ୍ତି ପ୍ରଦର୍ଶନ କଲା ବିଜୁ ଜନତା ଦଳ। ବିଧାନସଭା ଘେରାଉ ବେଳେ ହଜାର ହଜାର କର୍ମୀ ଏକାଠି। ସଂଶୋଧିତ ଏମ୍ଏମଡିଆର ଆଇନ ପ୍ରତ୍ୟାହାର ଦାବିରେ ବିଜେଡିର ବିଶାଳ ଗଣବିକ୍ଷୋଭ। ସମସ୍ତ ସାଂସଦ, ବିଧାୟକ, ନେତା ଓ କର୍ମୀ ଏକାଠି ହୋଇ ବିଜେପି ସରକାର ବିରୋଧରେ କରିଛନ୍ତି ଗର୍ଜନ। ଖଣି ଆଇନ ସଂଶୋଧନ ଦ୍ୱାରା ରାଜ୍ୟର ସ୍ୱାର୍ଥ ସହ କରାଯାଇଛି ସାଲିସ। ରାଜ୍ୟର କ୍ଷମତାକୁ ସଙ୍କୁଚିତ କରାଯାଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଖଣି କମ୍ପାନୀ ଠାରୁ ଲକ୍ଷେ କୋଟି ଆଦାୟ କରିବାରେ ରାଜ୍ୟ ସରକାର ବିଫଳ ହୋଇଛନ୍ତି। ଆଇନ ସଂଶୋଧନ ଯୋଗୁଁ ଖଣି କମ୍ପାନୀ ଉପରେ ନିଜସ୍ୱ ଟିକସ ଲଗାଇବାର କ୍ଷମତା ହରାଇଛି ରାଜ୍ୟ। ଏହାଦ୍ୱାରା ରାଜ୍ୟ ବର୍ଷକୁ ପ୍ରାୟ ୧୨ ହଜାର କୋଟି ଟଙ୍କା ହରାଇବ। ତେଣୁ ଏହି କଳା ଆଇନକୁ ପ୍ରତ୍ୟାହାର ଦାବିରେ ବିଶାଳ ବିକ୍ଷୋଭ କରିଛି ବିଜେଡି। ଆରମ୍ଭରୁ ବିଜେଡି ସଂଶୋଧିତ ଏମ୍ଏମ୍ଡିଆର୍ ଆଇନର ବିରୋଧ କରୁଥିବା ବେଳେ, ଆଜି ଲୋୟର ପିଏମଜିରେ ଶକ୍ତି ପ୍ରଦର୍ଶନ କରିଛି। ଏମ୍ଏମ୍ଡିଆର ସଂଶୋଧନ ବିଲ୍ ସଂସଦରେ ପାରିତ ହେଲା ବେଳେ ଚୁପ ରହିଲେ ବିଜେପି ସାଂସଦ। ରାଜ୍ୟର ସ୍ୱାର୍ଥ ସହ ବିଜେପି ସାଲିସ କରିଛି ବୋଲି ଅଭିଯୋଗ କରିଛି ବିଜେଡି।

ବିଜେଡି ସରକାରରେ ଥିଲା ବେଳେ ନିଜ ହକ୍ ପାଇଁ ଲଢେଇ କରୁଥିଲା। ଓଡ଼ିଶା ପ୍ରତି ଅବିଚାର ପାଇଁ କେନ୍ଦ୍ର ସରକାର ସାହସ କରୁନଥିଲେ। ହେଲେ ଏବେ ଡବଲ ଇଞ୍ଜିନରେ ଡବଲ ଧୋକା ଦେଇଛି ବିଜେପି। ରାଜ୍ୟ ବିଜେପି ଓଡ଼ିଶାର ସ୍ୱାର୍ଥକୁ ନ ଦେଖି ସଖି କଣ୍ଢେଇ ସାଜିଛି। ଯାହାକୁ ନେଇ ସାରା ରାଜ୍ୟରେ ତେଜିଲାଣି ପ୍ରତିବାଦର ସ୍ୱର। ଓଡ଼ିଶାର ହକ୍ ପାଇଁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗରେ ବିଜେଡି ଦିଲ୍ଲୀରେ ବିଶାଳ ବିକ୍ଷୋଭ କରିଥିଲା। ଏବେ ବିବାଦୀୟ ଖଣି ଆଇନ ପ୍ରତ୍ୟାହାର ନ ହେବା ଯାଏଁ ଲଢେଇକୁ ଜୋରଦାର କରାଯିବ ବୋଲି କହିଛି ବିଜେଡି।

ଗାନ୍ଧୀ ମାର୍ଗରେ ନବୀନଙ୍କ ରଣହୁଙ୍କାର

ନନ୍ଦିଘୋଷ ବ୍ୟୁରୋ : ଭୁବନେଶ୍ୱର ଗାନ୍ଧୀ ମାର୍ଗରେ ନବୀନଙ୍କ ରଣହୁଙ୍କାର । ଓଡ଼ିଶା ବିରୋଧୀ MMDR ସଂଶୋଧିତ ଆଇନକୁ ତୀବ୍ର ବିରୋଧ । ଏହି କଳା ଆଇନ ପାରିତ ହେବା ପ୍ରଥମ ଦିନରୁ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ବିରୋଧ କରିଥିଲେ । ଆଜି ରାଜରାସ୍ତାରେ ଏହା ବିରୋଧରେ ଜନସଚେତନତା ସୃଷ୍ଟି କରିଛନ୍ତି ନବୀନ । କହିଛନ୍ତି, ସାଢେ ଚାରି କୋଟି ଓଡିଆଙ୍କ ପାଇଁ ବିଜେଡି ଏକାଠି ହୋଇ ଲଢେଇ କରୁଛି । ଜେନ-ଜିଙ୍କ ଭବିଷ୍ୟତ ସୁରକ୍ଷା ପାଇଁ ବିଜେଡି ଲଢେଇ କରୁଛି । ଓଡିଶାର ଅଧିକାର ପାଇଁ ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଲଢିବେ ବୋଲି ଗର୍ଜନ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

ଲୋୟର ପିଏମଜିରେ ବିଜେଡିର ଏମଏମଡିଆର ଲଢେଇରେ ସାମିଲ ହୋଇ ସେ କହିଛନ୍ତି MMDR ସଂଶୋଧନ ବିଲ ଏକ ସାଧାରଣ ବିଲ ନୁହେଁ । ରାଜ୍ୟର ଅଧିକାର ସହ ଏ ବିଲ ଜଡିତ। ଓଡିଶାର ଖଣି, ଓଡିଶାର ଜମି ଉପରେ ଓଡିଶାବାସୀ ହେଉଛନ୍ତି ମାଲିକ। ଦୁଃଖର କଥା ବିନା ଆଲୋଚନାରେ ଏ ଭଳି ଗୁରୁତ୍ବପୂର୍ଣ୍ଣ ବିଲ ପାର୍ଲିଆମେଣ୍ଟରେ ପାସ ହୋଇଗଲା। ଆଉ ଆମର କୋଡିଏ ବିଜେପି ସାଂସଦ ଚୁପ ରହିଲେ । ଓଡିଶା ସରକାର ବି ଚୁପ ରହିଲେ । ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ସହ ଆଇନକୁ ବିରୋଧ କରି ସଂକଳ୍ପ ପାଇଁ ଚିଠି ଲେଖିଲେ ହେଲେ ସରକାରଙ୍କ କୌଣସି ଉତ୍ତର ରଖିଲେନି । ନାହିଁ ନାହିଁର ଏ ସରକାର କେବଳ ବାକ୍ୟବୀର । ଓଡିଶା ହଜାର ହଜାର କୋଟି ଟଙ୍କା କ୍ଷତି ପ୍ରତିବର୍ଷ ସହିବ। ଓଡିଶାର ସ୍ୱାର୍ଥ ପାଇଁ ସରକାର ନିରବ କାହିଁକି ? ସବୁ ଦଳଙ୍କୁ ଅନୁରୋଧ କରି କହିଛନ୍ତି, ଏ ଲଢେଇରେ ସାମିଲ ହୁଅନ୍ତୁ । ସଂକଳ୍ପ କରି ଏମଏମଡିଆର ସଂଶୋଧିତ ଆଇନକୁ ଓଡିଶାରେ କାର୍ଯ୍ୟକାରୀ କରାଇ ଦେବା ନାହିଁ । ଆମେ ଲଢ଼ିବା ଆମ ହକ ଫେରାଇ ଆଣିବା ବୋଲି ନବୀନ ଆହ୍ବାନ ଦେଇଛନ୍ତି ।

ସେପଟେ ବିଜେଡିର MMDR ଆଇନ ବିରୋଧୀ ଆନ୍ଦୋଳନରେ ଜନନୀ ଜନ୍ମଭୂମିଷ୍ୟ କହି ଅଭିଭାଷଣ ଆରମ୍ଭ କରିଥିଲେ ବରିଷ୍ଠ ବିଜେଡି ନେତ୍ରୀ ସୁଜାତା ରାଉତ । ଅତି ପ୍ରାଞ୍ଜଳ ଭାବେ ସେ ପୁଣି ଏହି ଆଇନର ଓଡ଼ିଶା ବିରୋଧୀ ଦିଗକୁ ପ୍ରତିପାଦନ କରିଛନ୍ତି । ବିଜେପି ନେତା ମାଆ, ମାଟି ଓ ମାତୃଭୂମି ପ୍ରତି ଅନ୍ୟାୟ କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ସୁପ୍ରିମକୋର୍ଟ ଓଡ଼ିଶା ସପକ୍ଷରେ ଯେଉଁ ନିଷ୍ପତ୍ତି ଦେଇଥିଲେ ତାଦ୍ବାରା ଏକ ଲକ୍ଷ କୋଟି ଆଦାୟ ହୋଇଥାନ୍ତା । ଓଡ଼ିଶା ଋଣମୁକ୍ତ ହୋଇ ରୋଜଗାର ମିଳିଥାନ୍ତା, ପେନସନ ମିଳି ଥାନ୍ତା, ପେନସନ ହାର ବୃଦ୍ଧି ହୋଇ ପାରିଥାନ୍ତା । ଓଡ଼ିଶା ଚାଷୀଙ୍କୁ ଲାଭ ମିଳିଥାନ୍ତା । ଚାଷୀ ଋଣମୁକ୍ତ, ଜଳ ସେଚନ ପ୍ରକଳ୍ପ, ଅନ୍ତର୍ଜାତୀୟ ସ୍ତରର ସ୍କୁଲ, ମଧ୍ୟାହ୍ନ ସହ ପ୍ରାତଃଭୋଜନ, ମେଟ୍ରୋ ହୋଇ ପାରିଥାନ୍ତା । ସମସ୍ତେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ପାଇଥାନ୍ତେ । ବର୍ଷ ବର୍ଷ ଧରି ଏକ ନମ୍ବର ରାଜ୍ୟ ହୋଇ ପାରିଥାନ୍ତା ଓଡ଼ିଶା । କଣ ପାଇଁ ବିଜେପି ଓଡ଼ିଶାରୁ ଲକ୍ଷ୍ମୀଙ୍କୁ ଫେରାଇଦେଲେ ? ଏହାର ଜବାବ ମାଗିଛନ୍ତି ସୁଜାତା । ଏ ମୁରବୀଙ୍କୁ କି ଦଣ୍ଡ ଦିଆଯିବ ? ବିଜେପି ସାଂସଦ କହୁଛନ୍ତି ଖଣି ରାଜସ୍ୱ ଯଥେଷ୍ଟ ଆସୁଛି ଯାହାକି ମିଛ କଥା । ବିଜେପିର ରିମୋଟ କଣ୍ଟ୍ରୋଲ ଦିଲ୍ଲୀରେ ଅଛି ଏହା ପ୍ରମାଣ ହୋଇଗଲା । ବିଜେଡି ଏକ ମାତ୍ର ଦଳ ଯାହାର ରିମୋଟ କଣ୍ଟ୍ରୋଲ ଓଡ଼ିଶାବାସୀଙ୍କ ପାଖରେ ଅଛି । ଯେ ପର୍ଯ୍ୟନ୍ତ ଓଡ଼ିଶାର ଅଧିକାର ନ ମିଳିବ ବିଜେଡି ଏହି ଲଢେଇ ଜାରି ରଖିବ । ସେପଟେ ସଂସଦରେ ବିନା ଆଲୋଚନାରେ ଆଇନ ପାରିତ ହୋଇଥିବାରୁ ବିଜେଡି ସଂସଦୀୟ ଦଳ ନେତା ମାନସ ରଞ୍ଜନ ମଙ୍ଗରାଜ ଆପତ୍ତି ଉଠାଇଛନ୍ତି । ଆଜି ବିଜେପି ନେତା ଖଣି ମାଲିକଙ୍କ ସ୍ୱର ସହ ସ୍ୱର ମିଳାଉଥିବାରୁ ସେ ଉଦବେଗ ପ୍ରକାଶ କରିଛନ୍ତି ।

ଏସୀୟ କ୍ରୀଡ଼ାରେ ଭାରତର ପଦକ ବର୍ଷା, ଆଥଲେଟ୍‌ଙ୍କ ଚମତ୍କାର ପ୍ରଦର୍ଶନ

ନନ୍ଦିଘୋଷ ବ୍ୟୁରୋ :  ଜାପାନ ଏସୀୟ କ୍ରୀଡ଼ାରେ ଆଜି ଭାରତୀୟ ଆଥଲେଟ୍‌ ଚମତ୍କାର ପ୍ରଦର୍ଶନ କରିଛନ୍ତି। ମୁରଲୀ ଶ୍ରୀ ଶଙ୍କର ପୁରୁଷ ଲଙ୍ଗ ଜମ୍ପ୍ ରେ ୮.୦୭ ମିଟର୍ ଡେଇଁ ରୌପ୍ୟ ଜିତିଛନ୍ତି। ଗୁଲଭୀର ସିଂହ ପୁରୁଷ ୧୫୦୦ ମିଟର ଦୌଡ଼ରେ ଚମତ୍କାର ପ୍ରଦର୍ଶନ କରି ଭାରତକୁ ରୌପ୍ୟ ପଦକ ଦେଇଛନ୍ତି। ଏସା ସିଂ ମହିଳା ୨୫ ମିଟର ପିସ୍ତଲ ସୁଟିଂ ଇଭେଣ୍ଟରେ ଚୀନ୍ ପ୍ରତିଦ୍ୱନ୍ଦ୍ୱୀଙ୍କ ସହ କଡ଼ା ଟକ୍କର ପରେ ରୌପ୍ୟ ପଦକ ହାସଲ କରିଛନ୍ତି। ବିଥ୍ୟା ରାମରାଜ ମହିଳା ୪୦୦ ମିଟର ହର୍ଡଲ୍ସ ରେ ଜାତୀୟ ରେକର୍ଡ ସହ ଭାରତ ପାଇଁ କାଂସ୍ୟ ପଦକ ଜିତିଛନ୍ତି। ପିଙ୍କି ବଲହାରା ମହିଳା ୭୮ କେଜି କୁରାଶ ବିଭାଗରେ କାଂସ୍ୟ ପଦକ ଜିତି ଦେଶକୁ ଗୌରବାନ୍ୱିତ କରିଛନ୍ତି। ପୁରୁଷ କ୍ରିକେଟ ଟିମ୍ ବର୍ଷା ହେତୁ ୱାକ୍ ଓଭର ପାଇ ସେମିରେ ପ୍ରବେଶ କରିଛି। ପୁରୁଷ ଜାଭେଲିନରେ ଭାରତ ଡବଲ ମେଡାଲ ପାଇଛି। ୟଶବୀର ସିଂହ ରୌପ୍ୟ ଏବଂ ରୋହିତ ଯାଦବ କାଂସ୍ୟ ପଦକ ଜିତିଛନ୍ତି ।

କାରଖାନା ଆମର, ଚାକିରି କାହାର? ତାତିଲେ ଲାଠିକଟା ଗ୍ରାମବାସୀ

ନନ୍ଦିଘୋଷ ବ୍ୟୁରୋ : ଧୂଳି ଧୂଆଁ ଖାଉଛନ୍ତି । କଳକାରଖାନା ପାଇଁ ଜମିରୁ ବିସ୍ଥାପିତ ହେଉଛନ୍ତି । ଯାତାୟତ ବେଳେ ଖାଲଖମା ରାସ୍ତା ପାଇଁ ବିପଦରେ ବି ପଡୁଛନ୍ତି । ହେଲେ ନିଜ ଅଞ୍ଚଳର କମ୍ପାନୀରେ ମିଳୁନି ଚାକିରି । ନିଯୁକ୍ତି ପ୍ରଦାନ ବେଳେ ଅନ୍ୟ ରାଜ୍ୟର ଯୁବକ ଯୁବତୀଙ୍କୁ ଦିଆଯାଉଛି ଅଗ୍ରାଧିକାର । କମ୍ପାନୀ ମାନଙ୍କ ଏଭଳି ମନୋଭାବକୁ ନେଇ ଏବେ ତାତିଛନ୍ତି ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ତହସିଲର ଟାଇଁସର ଗ୍ରାମବାସୀ । ମେସର୍ସ ଜୟ ବାଲାଜୀ ଜ୍ୟୋତି ଷ୍ଠିଲପ୍ଲାଣ୍ଟ ଯୋଗୁ ସ୍ଥାନୀୟ ବାସିନ୍ଦାମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଆସୁଛି । ଏତେସବୁ ସମସ୍ୟା ଭେଗୁଥିବା ଲୋକେ କିନ୍ତୁ ନିଯୁକ୍ତି ପାଇବାରୁ ବଞ୍ଚିତ ହେଉଛନ୍ତି । ସ୍ଥାନୀୟ ବେକାର ଯୁବକ ଯୁବତୀଙ୍କୁ ନିଯୁକ୍ତି ଦେବା ପାଇଁ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଦାବି କରିଛନ୍ତି। ସୁନ୍ଦରଗଡ଼ ଜିଲ୍ଲାରେ ବିଭିନ୍ନ ସ୍ଥାନରେ ଥିବା ସ୍ପଞ୍ଜ ଆଇରନ୍ କାରଖାନା ସହ ବିଭିନ୍ନ କାରଖାନା ଯୋଗୁ ସ୍ଥାନୀୟ ଗ୍ରାମରେ ପରିବେଶ ପ୍ରଦ୍ୟୁଷଣ ହେଉଥିବା, ଚାଷ ନଷ୍ଟ ହେଉଥିବା ଅଭିଯୋଗ ହେଉଛି । ଏହି ସମସ୍ୟା ଭୋଗୁଥିବା ଗ୍ରାମବାସୀଙ୍କୁ ଆବଶ୍ୟକ ନିଯୁକ୍ତି ମିଳୁନଥିବା ମଧ୍ୟ ଅଭିଯୋଗ ହେଉଛି । ସେପଟେ ପ୍ରଦ୍ୟୁଷଣ ରୋକିବା ସହ ସ୍ଥାନୀୟ ନିଯୁକ୍ତି ଦେବାର ବ୍ୟବସ୍ଥା କରାଯାଇଥିବା କାରଖାନା କର୍ତ୍ତୃପକ୍ଷ କହିଛନ୍ତି।

କଟକ ବିଶ୍ୱନାଥ ପଣ୍ଡିତ ଲାଇବ୍ରେରୀ ଫିସ୍ ବୃଦ୍ଧିକୁ ନେଇ ତାତିଲେ ଛାତ୍ରଛାତ୍ରୀ, ଦେୟମୁକ୍ତ ପାଠାଗାର ଦାବି

ନନ୍ଦିଘୋଷ ବ୍ୟୁରୋ : ସରକାରୀ ଲାଇବ୍ରେରୀରେ ବଡ଼ ଅବ୍ୟବସ୍ଥା। କଟକ ବିଶ୍ୱନାଥ ପଣ୍ଡିତ ସେଣ୍ଟ୍ରାଲ ଲାଇବ୍ରେରୀର ଫିସ୍‌କୁ ନେଇ ଚିନ୍ତାରେ ଛାତ୍ରଛାତ୍ରୀ। ପାଠ ପଢ଼ିବେ ନା ଆନ୍ଦୋଳନ କରିବେ? ଆଉ ସହିବାର ସୀମା ନାହିଁ। ପରିବାର ଉପରେ ନିର୍ଭରଶୀଳ ଛାତ୍ରଛାତ୍ରୀ ଏବେ ସରକାରୀ କାର୍ଯ୍ୟାଳୟ ଆଗରେ ବସି ନ୍ୟାୟ ମାଗୁଛନ୍ତି। ଦେୟମୁକ୍ତ ଲାଇବ୍ରେରୀ ପାଇଁ ଏବେ ଅଡ଼ି ବସିଛନ୍ତି ଛାତ୍ରଛାତ୍ରୀ। ବିଶ୍ୱନାଥ ପଣ୍ଡିତ ସେଣ୍ଟ୍ରାଲ ଲାଇବ୍ରେରୀରେ ଛାତ୍ରଛାତ୍ରୀଙ୍କ ଦେୟ ୨୯୦୦ ଟଙ୍କାକୁ ବୃଦ୍ଧି ପାଇବା ଯୋଗୁଁ କେଏମସି ବିକାଶ ଭବନରେ ଆଜି ଶତାଧିକ ଛାତ୍ରଛାତ୍ରୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସେମାନଙ୍କ ମତରେ, ଭୁବନେଶ୍ୱରରେ ଥିବା ଡକ୍ଟର ହରେକୃଷ୍ଣ ମହତାବ ଲାଇବ୍ରେରୀରେ ୨୨୫ ଟଙ୍କା ଦେୟରେ ୪ ବର୍ଷ ପଢ଼ିବାର ସୁଯୋଗ ରହିଛି। କିନ୍ତୁ କଟକରେ ତାହାର ପୂରା ଓଲଟା। ବିଶ୍ୱନାଥ ପଣ୍ଡିତ ପାଠାଗାରରେ ପୂର୍ବରୁ ରେଜିଷ୍ଟ୍ରେସନ ଫିସ୍‌ ୧୦୦ ଟଙ୍କା ଥିବା ବେଳେ ବର୍ତ୍ତମାନ ତାହା ବୃଦ୍ଧି ପାଇ ୨୯୦୦ ଟଙ୍କା ହୋଇଛି। ଯାହା ବୋଝ ଉପରେ ଲଳିତା ବିଡ଼ା ସଦୃଶ୍ୟ। ରାଜ୍ୟ ସରକାର KGରୁ PG ପର୍ଯ୍ୟନ୍ତ ମାଗଣା ଶିକ୍ଷା ବ୍ୟବସ୍ଥା କରିଥିବା ବେଳେ ବିଶ୍ୱନାଥ ପଣ୍ଡିତ ଲାଇବ୍ରେରୀ ବିଦ୍ୟାର୍ଥୀମାନଙ୍କ ପାଇଁ ବୈମାତୃକ ମନୋଭାବ ପୋଷଣ କରୁଛି ବୋଲି କହିଛନ୍ତି ଧାରଣାରତ ଛାତ୍ରଛାତ୍ରୀ।

ଅନ୍ୟପଟେ, କଟକ ବିଶ୍ୱନାଥ ପଣ୍ଡିତ ସେଣ୍ଟ୍ରାଲ ଲାଇବ୍ରେରୀ ଉଦ୍‌ଘାଟନ ପରଠାରୁ ବନ୍ଦ ପଡ଼ିଛି। ପାଠ ପଢ଼ିବା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ବଢ଼ୁଥିବା ବେଳେ ବର୍ଦ୍ଧିତ ଫିସ୍‌ ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ମୁଣ୍ଡରେ ଚଡ଼କ ପକାଇଛି। ତେବେ ଏହି ସଂକ୍ରାନ୍ତରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଛନ୍ତି କେଏମସି ଅଧିକାରୀ। କର୍ପୋରେସନରେ ନିଷ୍ପତ୍ତି ପରେ ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି କେଏମସି ଅତିରିକ୍ତ କମିଶନର।

ବଲାଙ୍ଗୀର ଚାଷୀଙ୍କୁ ଗୁଣ୍ଡିପୋକ ଚିନ୍ତା, ୪୦୦ ହେକ୍ଟରରୁ ଅଧିକ ଧାନ ଫସଲ ନଷ୍ଟ

ନନ୍ଦିଘୋଷ ବ୍ୟୁରୋ : ବର୍ଷ ଆରମ୍ଭରୁ ବର୍ଷାର ଅଭାବ। ଏବେ ଗୁଣ୍ଡିପୋକ ବଲାଙ୍ଗୀର ଚାଷୀଙ୍କ ଚିନ୍ତା ବଢ଼ାଇଛି। ଗୁଣ୍ଡିପୋକ ଆକ୍ରମଣରେ ୪ ଶହ ହେକ୍ଟରରୁ ଅଧିକ ଧାନ ଫସଲ ନଷ୍ଟ ହୋଇଥିବା ଜଣାପଡ଼ିଛି। ଏଭଳି ସ୍ଥିତିରେ ଋଣ ସୁଝିବେ କିପରି, ପରିବାର ପ୍ରତିପୋଷଣ ହେବ କେମିତି—ଏହି ଚିନ୍ତାରେ ମୁଣ୍ଡରେ ହାତ ଦେଇଛି ଚାଷୀ। ଚଳିତ ବର୍ଷ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଧାନ ଚାଷରେ ଗୁଣ୍ଡିପୋକ ବ୍ୟାପିବାରେ ଲାଗିଛି। ଧାନଗଛରୁ କେଣ୍ଡା ବାହାରିବା ପୂର୍ବରୁ ଗୁଣ୍ଡିପୋକ ଆକ୍ରମଣ କରିବାରୁ ଗଛର ପତ୍ର ଲାଲ ଓ ହଳଦିଆ ହୋଇଯାଉଛି। ଔଷଧ ପ୍ରୟୋଗ କରିବା ପରେ ମଧ୍ୟ ପୋକ ଦମନ ହେଉନଥିବା ଚାଷୀମାନେ ଅଭିଯୋଗ କରିଛନ୍ତି। ସମସ୍ୟାର ସମାଧାନ ପାଇଁ ଚାଷୀମାନେ ବ୍ଲକସ୍ତରରେ ଥିବା କୃଷି ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ। ହେଲେ ସେମାନଙ୍କ ଅଭିଯୋଗ ଶୁଣାଯାଉନଥିବାରୁ ଚାଷୀମାନେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଧୀରେନ୍ଦ୍ର ସିଂ ବରିହାଙ୍କ ନିକଟକୁ ଦୌଡ଼ୁଛନ୍ତି। କିନ୍ତୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଅଧିକାଂଶ ସମୟରେ କିଛି ନା କିଛି କାମ ଆଳରେ ଅଫିସରେ ଅନୁପସ୍ଥିତ ରହୁଥିବାରୁ ଚାଷୀମାନେ ନିରାଶ ହୋଇ ଫେରୁଥିବା ଅଭିଯୋଗ କରିଛନ୍ତି।

କୃଷି ମନ୍ତ୍ରୀଙ୍କ ଜିଲ୍ଲାରେ ଚାଷୀଙ୍କ ଏଭଳି ଦୟନୀୟ ସ୍ଥିତି ଏବେ ଚିନ୍ତାର କାରଣ ପାଲଟିଛି। ଚଳିତ ବର୍ଷ ମୌସୁମୀଜନିତ ବର୍ଷା ବିଳମ୍ବ ହେବାରୁ ଚାଷ କାର୍ଯ୍ୟ ମଧ୍ୟ ବିଳମ୍ବରେ ଆରମ୍ଭ ହୋଇଥିଲା। ଏହାପରେ ଲଗାଣ ବର୍ଷା ଓ ବନ୍ୟାରେ ଚାଷ ନଷ୍ଟ ହୋଇଥିଲା। ତଥାପି କ୍ଷତିଗ୍ରସ୍ତ ଚାଷୀ ଅଣ୍ଟା ସଳଖ କରି ପୁଣିଥରେ ଚାଷ ଆରମ୍ଭ କରିଥିଲେ। ବର୍ତ୍ତମାନ ଧାନଗଛ ଦେଢ଼ରୁ ଦୁଇ ମାସରେ ପହଞ୍ଚିଥିବା ବେଳେ ଆଉ ୧୫ରୁ ୨୦ ଦିନ ପରେ ଧାନ କେଣ୍ଡା ବାହାରିବାର ସମୟ ଆସିବ। ଏଭଳି ସମୟରେ ଧାନଗଛରେ ଗୁଣ୍ଡିପୋକ ସଂକ୍ରମଣ ଦେଖାଦେଇଥିବାରୁ ଚିନ୍ତାରେ ପଡ଼ିଛନ୍ତି ଚାଷୀ। ଜିଲ୍ଲାର ବଲାଙ୍ଗୀର, ଲୋଇସିଂହା, ଦେଓଗାଁ, ପୁଇଁତଳା ବ୍ଲକ ସମେତ ବିଭିନ୍ନ ଅଞ୍ଚଳର ଚାଷଜମିରେ ଧାନ ଫସଲ ଗୁଣ୍ଡିପୋକ ଆକ୍ରାନ୍ତ ହୋଇଥିବା କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି। ସେପଟେ ଗୁଣ୍ଡିପୋକ ଦମନ କରାନଗଲେ ଆଗାମୀ ଦିନରେ ଧାନଗଛର ପତ୍ର ହଳଦିଆ ହେବା ସହ ଚକଡ଼ା ପୋକ ସଂକ୍ରମଣ ବଢ଼ିବାର ଆଶଙ୍କା ରହିଛି।

ଏଆଇ ପିଚରେ ସଚିନ ତେନ୍ଦୁଲକର: OpenAI ସହ କଲେ ବଡ଼ ସହଭାଗିତା

ନନ୍ଦିଘୋଷ ବ୍ୟୁରୋ : କ୍ରିକେଟ୍ ପିଚ୍ ରେ ବ୍ୟାଟ୍ରେ ଅଗଣିତ ରେକର୍ଡ ଗଢ଼ିଥିବା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏବେ ପ୍ରଯୁକ୍ତି ଦୁନିଆରେ ନୂଆ ଇନିଂସ ଆରମ୍ଭ କରୁଛନ୍ତି। କ୍ରିକେଟ୍ ପରେ ଏବେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବା ଏଆଇକୁ ନେଇ ସଚିନଙ୍କ ଆଗ୍ରହ ସାମ୍ନାକୁ ଆସିଛି। ସେ ପ୍ରସିଦ୍ଧ ଏଆଇ କମ୍ପାନୀ OpenAI ସହିତ ସହଭାଗିତା କରିଥିବା ଘୋଷଣା କରିଛନ୍ତି। ସୋସିଆଲ୍ ମିଡିଆ ପ୍ଲାଟଫର୍ମ Xରେ ପୋଷ୍ଟ କରି ସଚିନ ଏହି ସହଭାଗିତା ସମ୍ପର୍କରେ ସୂଚନା ଦେଇଛନ୍ତି। ସଚିନଙ୍କ କହିବା ଅନୁସାରେ, ସେ ChatGPT ସହିତ ମିଶି ଏଆଇର ବିଭିନ୍ନ ସମ୍ଭାବନାକୁ ଅନୁସନ୍ଧାନ କରିବା ନେଇ ଉତ୍ସାହିତ। ତାଙ୍କର ନୂଆ ଅଭିଯାନର ଲକ୍ଷ୍ୟ ଏଆଇକୁ କେବଳ ଏକ ପ୍ରଶ୍ନର ଉତ୍ତର ଦେଉଥିବା ଟୁଲ୍ ଭାବେ ନୁହେଁ, ବରଂ ଦୈନନ୍ଦିନ ଜୀବନରେ କିପରି ଉପଯୋଗୀ ଭାବେ ବ୍ୟବହାର କରାଯାଇପାରେ, ସେନେଇ ଲୋକଙ୍କୁ ପରିଚିତ କରାଇବା। ଏହି ସହଭାଗିତା ଘୋଷଣା ସହ ସଚିନ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଭିଡିଓରେ ସେ ChatGPT ସହ ଏକ ମଜାଦାର ଖେଳ ଖେଳୁଥିବା ଦେଖାଯାଇଛି। ମାତ୍ର ୧୦ଟି ପ୍ରଶ୍ନ ମାଧ୍ୟମରେ ତାଙ୍କୁ ଚିହ୍ନିବା ପାଇଁ ସଚିନ ChatGPTକୁ ଚ୍ୟାଲେଞ୍ଜ କରିଥିଲେ। ତାଙ୍କ ବିଷୟରେ ଦିଆଯାଇଥିବା ସଙ୍କେତ ଆଧାରରେ ChatGPT ତାଙ୍କୁ ଚିହ୍ନଟ କରିଥିବା ଭିଡିଓରେ ଦେଖାଯାଇଛି।

ସଚିନ ତାଙ୍କ ପୋଷ୍ଟରେ ଏଆଇ ପ୍ରତି ନିଜର ଉତ୍ସୁକତା ସମ୍ପର୍କରେ ମଧ୍ୟ କହିଛନ୍ତି। ତାଙ୍କ ମନରେ ସବୁବେଳେ ନୂଆ ନୂଆ ପ୍ରଶ୍ନ ଆସୁଥାଏ ଏବଂ ଗୋଟିଏ ପ୍ରଶ୍ନ ଆଉ ଏକ ପ୍ରଶ୍ନର ଦ୍ୱାର ଖୋଲିଥାଏ ବୋଲି ସେ ଉଲ୍ଲେଖ କରିଛନ୍ତି। ChatGPT ଏହି ଉତ୍ସୁକତାକୁ ଆହୁରି ବଢ଼ାଇଛି ବୋଲି ସଚିନଙ୍କ ମତ। ସଚିନ ନିଜର ଏକ ବ୍ୟକ୍ତିଗତ ଅନୁଭୂତି ମଧ୍ୟ ସେୟାର କରିଛନ୍ତି। ପରିବାର ସହ ଏକ ଯାତ୍ରା ସମୟରେ ChatGPT ତାଙ୍କୁ ଟ୍ରାଭେଲ୍ ପ୍ଲାନ୍ ପ୍ରସ୍ତୁତ କରିବାରେ ସହାୟତା କରିଥିବା ସେ କହିଛନ୍ତି। ଏହି ଅନୁଭବ ତାଙ୍କୁ ଦୈନନ୍ଦିନ ଜୀବନରେ ଏଆଇର ବ୍ୟବହାରିକ ଉପଯୋଗିତା ବିଷୟରେ ଅଧିକ ଅନୁଭବ ଦେଇଥିବା ସୂଚନା ମିଳିଛି। ସଚିନଙ୍କ ଉଦ୍ଦେଶ୍ୟ ହେଉଛି ସାଧାରଣ ଲୋକଙ୍କୁ ଏଆଇ ସହ ପରୀକ୍ଷା କରିବାକୁ ଉତ୍ସାହିତ କରିବା। ନିଜ ଆବଶ୍ୟକତା, ପସନ୍ଦ ଓ ଧାରଣା ଅନୁସାରେ ଲୋକମାନେ ଏଆଇକୁ କିପରି ବ୍ୟବହାର କରିପାରିବେ, ସେନେଇ ସଚେତନତା ବଢ଼ାଇବା ଉପରେ ତାଙ୍କର ଗୁରୁତ୍ୱ ରହିଛି।

ସଚିନ ତେନ୍ଦୁଲକରଙ୍କ କ୍ରିକେଟ୍ କ୍ୟାରିୟର ନିଜେ ଏକ ଇତିହାସ। ୧୯୮୯ରୁ ୨୦୧୩ ପର୍ଯ୍ୟନ୍ତ ଦୀର୍ଘ ୨୪ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟରରେ ସେ ୬୬୪ଟି ମ୍ୟାଚ୍ ଖେଳି ୩୪,୩୫୭ ରନ୍ ସଂଗ୍ରହ କରିଥିଲେ। ଏଥିରେ ଟେଷ୍ଟରେ ୧୫,୯୨୧ ଏବଂ ଦିନିକିଆରେ ୧୮,୪୨୬ ରନ୍ ସାମିଲ ରହିଛି। ସଚିନଙ୍କ ନାମରେ ୧୦୦ଟି ଅନ୍ତର୍ଜାତୀୟ ଶତକ ରହିଛି। ୨୦୧୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨୦୦ ରନ୍ର ଅପରାଜିତ ଇନିଂସ ଖେଳି ସେ ପୁରୁଷ ଦିନିକିଆ କ୍ରିକେଟ୍ରେ ପ୍ରଥମ ଦ୍ୱିଶତକ ହାସଲ କରିଥିଲେ। କ୍ରିକେଟ୍ ପ୍ରତି ତାଙ୍କର ଅବଦାନ ପାଇଁ ୨୦୧୪ରେ ସେ ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଭାରତ ରତ୍ନ’ରେ ସମ୍ମାନିତ ହୋଇଥିଲେ।

ଅନ୍ୟପଟେ OpenAI ମଧ୍ୟ ବିଭିନ୍ନ କ୍ଷେତ୍ରରେ ChatGPTର ବ୍ୟବହାର ବଢ଼ାଇବା ଦିଗରେ କାମ କରୁଛି। ବିଭିନ୍ନ ପେସା, ବ୍ୟବସାୟ ଓ ଦୈନନ୍ଦିନ କାର୍ଯ୍ୟରେ ଏଆଇର ବ୍ୟବହାର ବଢ଼ୁଥିବା ବେଳେ ସଚିନଙ୍କ ଭଳି ଜଣେ ପରିଚିତ କ୍ରୀଡ଼ା ବ୍ୟକ୍ତିତ୍ୱଙ୍କ ସହଭାଗିତା ଏଆଇକୁ ନେଇ ସାଧାରଣ ଲୋକଙ୍କ ଆଗ୍ରହକୁ ଆହୁରି ବଢ଼ାଇପାରେ। କ୍ରିକେଟ୍ ପିଚରେ ନିଜ ବ୍ୟାଟରେ ଇତିହାସ ଲେଖିଥିବା ସଚିନ ଏବେ ଏଆଇ ପିଚରେ କିପରି ନୂଆ ଇନିଂସ ଖେଳୁଛନ୍ତି, ତାହା ଉପରେ ଏବେ ନଜର ରହିଛି।