spot_img
Home Blog Page 88

ଅମିର ଖାନଙ୍କ ଦ୍ୱିତୀୟ ବିବାହ: ଗୌରୀଙ୍କ ହାତ ଧରିଲେ ମିଷ୍ଟର ପରଫେକ୍ଟନିଷ୍ଟ

ମୁମ୍ବାଇ ବାସଭବନରେ ଅନୁଷ୍ଠିତ ହେଲା ଏକ ଅତି ବ୍ୟକ୍ତିଗତ ବିବାହ ଉତ୍ସବ, ଯେଉଁଠାରେ ୬୧ ବର୍ଷୀୟ ଆମିର ଏବଂ ୪୭ ବର୍ଷୀୟା ଗୌରୀ ପରସ୍ପରର ଜୀବନସାଥୀ ସାଜିଛନ୍ତି। ବଲିଉଡର ସୁପରଷ୍ଟାର ଆମିର ଖାନ ଓ ତାଙ୍କ ପ୍ରେମିକା ଗୌରୀ ସ୍ପ୍ରାଟ୍‌ ଶେଷରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଆମିରଙ୍କ ମୁମ୍ବାଇ ବାସଭବନରେ ଦ୍ୱିପ୍ରହର ପ୍ରାୟ ୧୨:୪୫ ମିନିଟ୍‌ରେ ଉଭୟ ମ୍ୟାରେଜ୍ ପେପରରେ ସ୍ୱାକ୍ଷର କରି ନିଜର ଏହି ନୂତନ ସଫର ଆରମ୍ଭ କରିଛନ୍ତି। ଏହି ଘରୋଇ ଉତ୍ସବରେ ଆମିରଙ୍କ ପୂର୍ବ ବିବାହର ପିଲାମାନଙ୍କ ସମେତ କେବଳ ପରିବାର ଲୋକ ଓ ଆଶୁତୋଷ ଗୋୱାରିକର, ବୀର ଦାସ ଏବଂ ଏଲି ଅବ୍‌ରାମଙ୍କ ଭଳି କିଛି ଅତି ନିକଟତର ସେଲିବ୍ରିଟି ଯୋଗ ଦେଇଥିଲେ। ବିବାହ ସମୟରେ ଉଭୟେ Ivory ରଙ୍ଗର ପାରମ୍ପରିକ ପୋଷାକରେ ବେଶ୍ ଆକର୍ଷଣୀୟ ଦେଖାଯାଉଥିଲେ। ସୂଚନାଯୋଗ୍ୟ ଯେ, ଗତବର୍ଷ ନିଜ ୬୦ତମ ଜନ୍ମଦିନରେ ଆମିର ପ୍ରଥମ ଥର ପାଇଁ ଗୌରୀଙ୍କୁ ସମସ୍ତଙ୍କ ସହ ପରିଚିତ କରାଇଥିଲେ।

ନୟାଗଡ଼ ହତ୍ୟା ମାମଲା: ତଦନ୍ତ କରୁଛି ସାଇଣ୍ଟିଫିକ୍ ଟିମ୍

ନନ୍ଦିଘୋଷ ବ୍ୟୁରୋ: ନୟାଗଡ଼ ସଦର ଥାନା ଅନ୍ତର୍ଗତ ଡାଳିମ୍ବମଡ଼ା ଗାଁର ଯୁବକ ଅଭିମନ୍ୟୁ ସାହୁଙ୍କ ନିର୍ମମ ହତ୍ୟା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ନୟାଗଡ଼ ପୋଲିସ୍ ଏହି ଘଟଣାର ତଦନ୍ତକୁ ତ୍ୱରାନ୍ୱିତ କରିଛି।

ସାଇଣ୍ଟିଫିକ୍ ଟିମ୍ ଓ ଡଗ୍ ସ୍କ୍ୱାଡ୍‌କୁ ନେଇ ଘଟଣାସ୍ଥଳରେ ଛାନଭିନ୍ ଆରମ୍ଭ ହୋଇଛି। ଅତିରିକ୍ତ ଏସ୍‌ପି ଜ୍ୟୋତିରଞ୍ଜନ ସାମନ୍ତରାୟଙ୍କ ନେତୃତ୍ୱରେ ସଦର ଥାନା ଆଇଆଇସି ଓ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛନ୍ତି। ସାଇଣ୍ଟିଫିକ୍ ଟିମ୍ ବିଭିନ୍ନ ପ୍ରମାଣ ସଂଗ୍ରହ କରୁଥିବାବେଳେ ଡଗ୍ ସ୍କ୍ୱାଡ୍ ସହାୟତାରେ ସମ୍ଭାବ୍ୟ ପ୍ରମାଣ ଖୋଜାଯାଉଛି।

ଏହା ସହିତ ମୃତକ ଅଭିମନ୍ୟୁ ସାହୁଙ୍କ ପିତା ଗୁରୁତର ଅଭିଯୋଗ ଆଣିଛନ୍ତି। ତାଙ୍କ କହିବା ଅନୁଯାୟୀ, ଗାଁର କେତେକ ଲୋକଙ୍କ ସହ ଜମି ବିବାଦକୁ ନେଇ ଦୀର୍ଘଦିନ ଧରି ଝଗଡ଼ା ଲାଗି ରହିଥିଲା। ଏହି ବିବାଦ ଯୋଗୁଁ ତାଙ୍କ ପରିବାରକୁ ଗାଁରେ ସାମାଜିକ ଭାବେ ବାସନ୍ଦ କରାଯାଉଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି।

ପରିବାର ପକ୍ଷରୁ କୁହାଯାଇଛି ଯେ, ଘଟଣା ପୂର୍ବଦିନ ଗାଁରେ ଏକ ସଭା ବସିଥିଲା। ସେହି ସଭାରେ ଅଭିମନ୍ୟୁଙ୍କୁ ଯୋଜନାବଦ୍ଧ ଭାବେ ଟାର୍ଗେଟ୍ କରାଯାଇଥିବା ସନ୍ଦେହ କରାଯାଉଛି। ପ୍ରଥମେ ତାଙ୍କୁ ଅପହରଣ କରି ହତ୍ୟା କରାଯାଇଥିବା ଏବଂ ପ୍ରମାଣ ଲୁଚାଇବା ପାଇଁ ମୃତଦେହକୁ ଅଖାରେ ବାନ୍ଧି ଦାହୁକା ନଦୀରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ କରାଯାଇଛି। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କଠୋର ଦଣ୍ଡ ଦେବାକୁ ପରିବାର ଦାବି କରିଛି।

ଅନ୍ୟପଟେ ଅତିରିକ୍ତ ଏସ୍‌ପି ଜ୍ୟୋତିରଞ୍ଜନ ସାମନ୍ତରାୟ କହିଛନ୍ତି, ପୋଲିସ ସମସ୍ତ ଦିଗକୁ ନେଇ ତଦନ୍ତ କରୁଛି। ସାଇଣ୍ଟିଫିକ୍ ପ୍ରମାଣ, ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନ ଏବଂ ଅନ୍ୟାନ୍ୟ ତଥ୍ୟ ଆଧାରରେ ତଦନ୍ତ ଆଗକୁ ବଢ଼ୁଛି।

ବିରୋଧୀଙ୍କୁ ଅସମ୍ମାନ: ସରକାରଙ୍କ ବିରୋଧରେ ବର୍ଷିଲେ ରାମଚନ୍ଦ୍ର କାଡାମ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ଶାସକ ଦଳ ଏବଂ ବିରୋଧୀଙ୍କ ମଧ୍ୟରେ ରାଜନୈତିକ ସଂଘର୍ଷ ଆହୁରି ତେଜିବାରେ ଲାଗିଛି। ବର୍ତ୍ତମାନର ବିଜେପି ସରକାର ବିରୋଧୀ ଦଳର ବିଧାୟକଙ୍କୁ ସମ୍ମାନ ଦେଉନାହାନ୍ତି ବୋଲି ଏକ ଗମ୍ଭୀର ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ।

ଶ୍ରୀ କାଡାମ ଅଭିଯୋଗ କରିଛନ୍ତି ଯେ, ବିରୋଧୀ ଦଳର ଜନ ପ୍ରତିନିଧିମାନେ ଲୋକଙ୍କ ସମସ୍ୟା ନେଇ ସରକାରଙ୍କୁ ଲେଖୁଥିବା ଚିଠିର କୌଣସି ଉତ୍ତର ମିଳୁନାହିଁ। ଜନସାଧାରଣଙ୍କ ସ୍ୱାର୍ଥ ଜଡ଼ିତ ଅନେକ ଗୁରୁତ୍ୱପୂର୍ଣ୍ଣ ଏବଂ ସମ୍ବେଦନଶୀଳ ବିଷୟରେ ଚିଠି ଲେଖା ଯାଉଥିଲେ ମଧ୍ୟ ସରକାର ସେହି ସମସ୍ୟା ପ୍ରତି ନା ଗୁରୁତ୍ୱ ଦେଉଛନ୍ତି, ନା ବିରୋଧୀ ବିଧାୟକଙ୍କ ସହ କୌଣସି ଆଲୋଚନା କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ରାମଚନ୍ଦ୍ର କାଡାମ ଆହୁରି ମଧ୍ୟ କହିଛନ୍ତି  ବିଧାୟକମାନେ ଜନସାଧାରଣଙ୍କ ସ୍ୱର। ଯଦି ସରକାର ସେମାନଙ୍କ ଚିଠିକୁ ଅଣଦେଖା କରିବେ, ତେବେ ଗଣତନ୍ତ୍ରର ମୂଲ୍ୟବୋଧ ରହିବ କେଉଁଠି?

ଗତ ଦୁଇ ବର୍ଷ ହେବ ସରକାର ବିରୋଧୀ ବିଧାୟକମାନଙ୍କ ପ୍ରତି ଏଭଳି ଉଦାସୀନ ଏବଂ ପାତରଅନ୍ତର ଆଭିମୁଖ୍ୟ ଆପଣାଇଛନ୍ତି ବୋଲି କଂଗ୍ରେସ ବିଧାୟକ ଦଳ ନେତା ସୂଚନା ଦେଇଛନ୍ତି। ସରକାରୀ ବିଭାଗ ଓ ପ୍ରଶାସନିକ ସ୍ତରରେ ବିରୋଧୀଙ୍କ ସ୍ୱରକୁ ଚାପି ଦେବା ପାଇଁ ଏହା ଏକ ସୁଚିନ୍ତିତ ପ୍ରୟାସ ବୋଲି ସେ ଅଭିହିତ କରିଛନ୍ତି।

କାଡାମ ଆହୁରି ମଧ୍ୟ କହିଛନ୍ତି,  ଯେହେତୁ ସରକାର ଜନ ପ୍ରତିନିଧିଙ୍କ ମାଧ୍ୟମରେ ଆସୁଥିବା ଲୋକଙ୍କ ସମସ୍ୟା ଶୁଣୁନାହାନ୍ତି, ତେଣୁ କଂଗ୍ରେସ ଏହି ବିଷୟରେ ଚୁପ୍ ବସିବ ନାହିଁ। ଏହି ଗଣତାନ୍ତ୍ରିକ ଅବମାନନା ବିରୋଧରେ ଦଳ ଖୁବଶୀଘ୍ର ରାଜ୍ୟପାଳଙ୍କ ଦ୍ୱାରସ୍ଥ ହେବ ବୋଲି ନିଷ୍ପତ୍ତି ନେଇଛି। ଏଥିସହିତ ରାଜ୍ୟପାଳଙ୍କୁ କଂଗ୍ରେସ ବିଧାୟକ ଦଳ ନେତା ଏକ ସ୍ମାରକପତ୍ର ସ୍ୱରୂପ ଚିଠି ଲେଖି ସମଗ୍ର ସ୍ଥିତି ବିଷୟରେ ଅବଗତ କରାଇଛନ୍ତି। ଆଗାମୀ ବିଧାନସଭା ଅଧିବେଶନରେ କଂଗ୍ରେସ ଏହି ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିସାରିଛି। ବିଧାନସଭା ଗୃହରେ ଏହାକୁ ଏକ ମୁଖ୍ୟ ପ୍ରସଙ୍ଗ କରି ଦଳ ପ୍ରଶ୍ନ ପଚାରିବ ଏବଂ ସରକାରଙ୍କ ଠାରୁ ଜବାବ ମାଗିବ ବୋଲି ଶ୍ରୀ କାଡାମ ଚେତାବନୀ ଦେଇଛନ୍ତି।

ଶେଷରେ ଶାସକ ବିଜେପି ଉପରେ ବାଣ ମାରି କାଡାମ ପ୍ରଶ୍ନ କରିଛନ୍ତି ଯେ, “ଯଦି ମନ୍ତ୍ରୀ ଓ ବିଭିନ୍ନ ବିଭାଗ ଗୁଡିକ ବିରୋଧୀ ଦଳର ବିଧାୟକଙ୍କ କଥା ଶୁଣୁ ନାହାନ୍ତି, ତେବେ ବିଜେପି କେଉଁ ଆଧାରରେ ନିଜକୁ ‘ଲୋକଙ୍କ ସରକାର’ ବୋଲି ଡିଣ୍ଡିମ ପିଟୁଛି?” ସରକାରଙ୍କ ଏହି ଦୋମୁହାଁ ନୀତିକୁ ଜନସାଧାରଣଙ୍କ ସାମ୍ନାକୁ ଅଣାଯିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରଥଯାତ୍ରା ସମନ୍ୱୟ ବୈଠକ

ନନ୍ଦିଘୋଷ ବ୍ୟୁରୋ: ରଥଯାତ୍ରାର ଶେଷ ରଥ ସମନ୍ୱୟ କମିଟି ବୈଠକ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଅଧ୍ୟକ୍ଷତାରେ ବୈଠକରେ ବିଭିନ୍ନ ପ୍ରସଙ୍ଗରେ ହୋଇଛି ଆଲୋଚନା। ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନିକ ସ୍ତରରେ ହୋଇଥିବା ସମସ୍ତ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ।

ପୂର୍ବରୁ ଦ୍ଵିତୀୟ ସମନ୍ୱୟ ବୈଠକରେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଅଧକ୍ଷତା କରିଥିବା ବେଳେ ବିଭିନ୍ନ ବିଭାଗ ପକ୍ଷରୁ ସେମାନଙ୍କ ବିଭାଗର ଆକ୍ସନ ପ୍ଲାନ ରିପୋର୍ଟ ବୈଠକରେ ଉପସ୍ଥାପନ କରିଥିଲେ। ଶେଷ ବୈଠକରେ ମୁଖ୍ୟମନ୍ତ୍ରୀ ରଥନିର୍ମାଣ ଠାରୁ ଆରମ୍ଭ କରି ରଥଯାତ୍ରା କିଭଳି ଶୃଙ୍ଖଳିତ ହୋଇପାରିବ ସେ ନେଇ ସମୀକ୍ଷା କରିଛନ୍ତି।

ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ପରିମଳ ବ୍ୟବସ୍ଥା, ଟ୍ରାଫିକ ସୁପରିଚାଳନା, ସୁରକ୍ଷା ବ୍ୟବସ୍ଥା ଓ ରଥଯାତ୍ରାକୁ ନେଇ ତମାମ୍ ବ୍ୟବସ୍ଥାବଳୀ ଉପରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ବୈଠକରେ ଦୁଇ ଉପ ମୁଖ୍ୟମନ୍ତ୍ରୀ ଙ୍କ ସମେତ ବିଭିନ୍ନ ବିଭାଗର ମନ୍ତ୍ରୀ, ଜିଲ୍ଲାର ସମସ୍ତ ବିଧାୟକ, ମୁଖ୍ୟ ଶାସନ ସଚିବ, ପୋଲିସ ଡିଜି, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି, ସେବାୟତ ଉପସ୍ଥିତ ଥିଲେ।

ବର୍ଷାରେ ବେହାଲ ଓଡ଼ିଶା: ୧୭ ଜିଲ୍ଲାକୁ ହାଇ ଆଲର୍ଟ

ନନ୍ଦିଘୋଷ ବ୍ୟୁରୋ:  ସାରା ରାଜ୍ୟରେ ବର୍ଷା ଜାରି ରହିଛି । ସକ୍ରିୟ ମୌସୁମୀ ସାଙ୍ଗକୁ ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଏବେ ଅବପାତର ରୂପ ନେଇ ସ୍ଥଳଭାଗ ଅତିକ୍ରମ କରିଛି। ଏହାର ପ୍ରଭାବରେ ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି।
ଆଗାମୀ ୨୪ ଘଣ୍ଟା ପାଇଁ ପାଣିପାଗ ଅପଡେଟ୍:
ଏହି ଅବପାତଟି ଉତ୍ତର ଓଡ଼ିଶା ସଂଲଗ୍ନ ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଉତ୍ତର ଛତିଶଗଡ଼ ଆଡ଼କୁ ମୁହାଁଇଛି। ଆଗାମୀ ୨୪ ଘଣ୍ଟାରେ ଏହା ଉତ୍ତର ଓ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ପ୍ରବଳ ବର୍ଷା ଆଶଙ୍କା ନେଇ ରାଜ୍ୟର ୧୭ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଏବଂ  ୭ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ‘ଅରେଞ୍ଜ ୱାର୍ନିଙ୍ଗ’ ଦିଆଯାଇଛି।

ମତ୍ସ୍ୟଜୀବୀଙ୍କୁ କଡ଼ା ନିର୍ଦ୍ଦେଶ: ସମୁଦ୍ର ଅଶାନ୍ତ ରହିଥିବାରୁ ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଭିତରକୁ ମାଛ ଧରିବାକୁ ନଯିବା ପାଇଁ ମତ୍ସ୍ୟଜୀବୀମାନଙ୍କୁ ବାରଣ କରାଯାଇଛି।

ମୁମ୍ବାଇରେ ଭୀଷଣ ବର୍ଷା: ବାଧାପ୍ରାପ୍ତ ଗମନାଗମନ ବ୍ୟବସ୍ଥା

ଲଗାଣ ବର୍ଷାରେ ଭାସୁଛି ମୁମ୍ବାଇ। ମହାରାଷ୍ଟ୍ର ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (SDMA) ମୁମ୍ବାଇର ସମସ୍ତ ଘରୋଇ କମ୍ପାନୀଗୁଡ଼ିକୁ ପରାମର୍ଶ ଦେଇଛି ଯେ, ସେମାନେ କର୍ମଚାରୀମାନଙ୍କୁ ଘରୁ କାମ କରିବାକୁ ଅନୁମତି ଦିଅନ୍ତୁ। ଯେତେବେଳେ ପ୍ରବଳ ମୌସୁମୀ ବର୍ଷା ଯୋଗୁଁ ସୋମବାର ଦିନ ଅଣ-ଅତ୍ୟାବଶ୍ୟକୀୟ ସରକାରୀ ଏବଂ ଅର୍ଦ୍ଧ-ସରକାରୀ କାର୍ଯ୍ୟାଳୟଗୁଡ଼ିକ କେବଳ ଅଧ ଦିନ ପାଇଁ କାର୍ଯ୍ୟ କରିବ। ଭାରତ ପାଣିପାଗ ବିଭାଗ (IMD) ମୁମ୍ବାଇ, ଥାଣେ ଏବଂ ରାୟଗଡ଼ ପାଇଁ ରେଡ୍ ଆଲର୍ଟ ଜାରି ହୋଇଛି। ଏହି ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ଯେଉଁଥିରେ ପ୍ରବଳ ପବନ ସହିତ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ପୂର୍ବାନୁମାନ କରାଯାଇଛି।

ଅନ୍ୟ-ଅତ୍ୟାବଶ୍ୟକୀୟ ସରକାରୀ କର୍ମଚାରୀଙ୍କ ପାଇଁ ଅଧା ଦିନ: ରାଜ୍ୟ ସରକାର ଏହା ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ଯେ ଅଣ-ଅତ୍ୟାବଶ୍ୟକୀୟ ସରକାରୀ ଏବଂ ଅର୍ଦ୍ଧ-ସରକାରୀ ବିଭାଗଗୁଡ଼ିକରେ କର୍ମଚାରୀମାନେ କେବଳ ମଧ୍ୟାହ୍ନ ପର୍ଯ୍ୟନ୍ତ କାମ କରିବେ। ଏହି ନିର୍ଦ୍ଦେଶ ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ, ଯେଉଁମାନେ ଜରୁରୀକାଳୀନ ପ୍ରତିକ୍ରିୟା ଏବଂ ଗୁରୁତ୍ୱପୂର୍ଣ୍ଣ ସାର୍ବଜନୀନ ସେବା ବଜାୟ ରଖିବା ପାଇଁ ସେମାନଙ୍କର କର୍ତ୍ତବ୍ୟ ଜାରି ରଖିବେ ବୋଲି ଆଶା କରାଯାଉଛି।

ଆଇଏମଡି ମୁମ୍ବାଇ ଅଞ୍ଚଳ ପାଇଁ ରେଡ୍ ଆଲର୍ଟ ଜାରି କରିଛି: ଆଇଏମଡି ମୁମ୍ବାଇ, ଥାଣେ ଏବଂ ରାୟଗଡରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ପ୍ରବଳ ପବନ ବହିବାର ପୂର୍ବାନୁମାନ କରିଛି ଯାହା ଜଳବନ୍ଦୀ, ଟ୍ରାଫିକ୍ ଭିଡ଼ ଏବଂ ସାର୍ବଜନୀନ ପରିବହନରେ ବାଧା ସୃଷ୍ଟି କରିପାରେ। ଏକ ରେଡ୍ ଆଲର୍ଟ ଗମ୍ଭୀର ପାଗ ପରିସ୍ଥିତିର ସମ୍ଭାବନାକୁ ସୂଚିତ କରେ ଏବଂ କର୍ତ୍ତୃପକ୍ଷ ଏବଂ ବାସିନ୍ଦା ଉଭୟଙ୍କୁ ଉଚ୍ଚ ପ୍ରସ୍ତୁତି ପାଇଁ ଆହ୍ୱାନ କରେ।

କର୍ତ୍ତୃପକ୍ଷ ବାସିନ୍ଦାଙ୍କୁ ସୁରକ୍ଷିତ ରହିବାକୁ ଆହ୍ବାନ ଦେଇଛନ୍ତି:
ଯାତ୍ରା ସମ୍ପୂର୍ଣ୍ଣ ଆବଶ୍ୟକ ନ ହେଲେ ଘର ଭିତରେ ରହିବା ଏବଂ ସରକାରୀ ଏଜେନ୍ସି ଏବଂ ପାଣିପାଗ କର୍ତ୍ତୃପକ୍ଷଙ୍କ ଦ୍ୱାରା ଜାରି କରାଯାଇଥିବା ଅପଡେଟ୍ ଅନୁସରଣ କରିବାକୁ ଅଧିକାରୀମାନେ ବାସିନ୍ଦାଙ୍କୁ ଅନୁରୋଧ କରିଛନ୍ତି। ଲୋକମାନଙ୍କୁ ଜଳବନ୍ଦୀ ରାସ୍ତା ଏଡାଇବାକୁ, ବନ୍ୟା ଅଞ୍ଚଳ ନିକଟରେ ସତର୍କତା ଅବଲମ୍ବନ କରିବାକୁ ଏବଂ ଜରୁରୀକାଳୀନ ସେବା ସହିତ ସହଯୋଗ କରିବାକୁ ପରାମର୍ଶ ଦିଆଯାଇଛି। କାରଣ, ସହରରେ ବ୍ୟାପକ ମୌସୁମୀ ସମ୍ବନ୍ଧୀୟ ବାଧା ସୃଷ୍ଟି ହେଉଛି। କର୍ତ୍ତୃପକ୍ଷମାନେ ବିକଶିତ ପାଣିପାଗ ପରିସ୍ଥିତି ଉପରେ କଡ଼ା ନଜର ରଖିଛନ୍ତି ଏବଂ ନାଗରିକମାନଙ୍କୁ ସରକାରୀ ପରାମର୍ଶ ମାଧ୍ୟମରେ ଅବଗତ ରହିବାକୁ ଆହ୍ବାନ କରିଛନ୍ତି।

ବଡ଼ମ୍ବାରେ ଅଭାବନୀୟ ଚିତ୍ର: ଖଟରେ ବୁହାହେଲେ ରୋଗୀ

ନନ୍ଦିଘୋଷ ବ୍ୟୁରୋ: କଟକ ଜିଲ୍ଲା ବଡ଼ମ୍ବା ବ୍ଲକରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ରାସ୍ତା ଯୋଗାଯୋଗ ବନ୍ଦ ହୋଇଯିବାରୁ ଜଣେ ରୋଗୀଙ୍କୁ ପ୍ରାୟ ୧ କିଲୋମିଟର ପର୍ଯ୍ୟନ୍ତ ବୋହି ନେବାକୁ ପଡ଼ିଛି। ବଡ଼ମ୍ବା ବ୍ଲକ ତାଳମୁଣ୍ଡଳୀ ଗ୍ରାମ ପଞ୍ଚାୟତର ଖଳବନ୍ଧ ଶବର ସାହିର ୧୦ ନମ୍ବର ୱାର୍ଡରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ଥିବାରୁ ସ୍ଥାନୀୟ ରୋଗୀ ଆସନ୍ତି ବେହେରାଙ୍କୁ ଗ୍ରାମବାସୀମାନେ ପ୍ରାୟ ଗୋଟିଏ କିଲୋମିଟର ପର୍ଯ୍ୟନ୍ତ ବୋହି ନେଇ ଚିକିତ୍ସା ପାଇଁ ମେଡିକାଲ ଯାଇଛନ୍ତି।

ତେବେ ଜଳସେଚନ ବିଭାଗର ମନମାନି ଯୋଗୁଁ ଏଭଳି ସ୍ଥିତି ଉପୁଜିଥିବା ଅଭିଯୋଗ ହୋଇଛି। ବିଭାଗୀୟ ଅବହେଳା କାରଣରୁ ଏହି ଅଞ୍ଚଳର ପ୍ରାୟ ୨୦୦ରୁ ଅଧିକ ପରିବାର ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ଚଳିତ ବର୍ଷା ଦିନରେ ଗ୍ରାମବାସୀଙ୍କ ଯାତାୟାତ, ଜରୁରୀକାଳୀନ ଚିକିତ୍ସା ଏବଂ ଦୈନନ୍ଦିନ ଜୀବନଯାପନ ଗୁରୁତର ଭାବେ ପ୍ରଭାବିତ ହେଉଛି।

ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଏହି ସମସ୍ୟା ନେଇ ସେମାନେ ବାରମ୍ବାର ସ୍ଥାନୀୟ ପ୍ରଶାସନ ଓ ଜଳସେଚନ ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି,ହେଲେ ଏପର୍ଯ୍ୟନ୍ତ ଏହାର କୌଣସି ସ୍ଥାୟୀ ସମାଧାନ କରାଯାଇ ନାହିଁ। ତେବେ ପ୍ରଶାସନର ଏଭଳି ଉଦାସୀନତାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଇସ୍ତଫା ଦେଲେ ଭୁବନେଶ୍ୱର ଡିସିପି ଜଗମୋହନ ମୀନା, ଛାଡ଼ିବେ ପୋଲିସ ଚାକିରି!

ଭୁବନେଶ୍ୱର: ଓଡ଼ିଶା ପୋଲିସ ପ୍ରଶାସନରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଭୁବନେଶ୍ୱର ଡିସିପି ଜଗମୋହନ ମୀନା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ପୋଲିସ ସେବା ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ତେବେ ମିଳିଥିବା ସୂଚନା ଅନୁଯାୟୀ, ଶ୍ରୀ ମୀନା ପ୍ରାୟ ୨୫ ଦିନ ତଳୁ ହିଁ ନିଜର ଇସ୍ତଫା ପତ୍ର ସରକାରଙ୍କୁ ପଠାଇ ସାରିଛନ୍ତି। ତେବେ ଏ ପର୍ଯ୍ୟନ୍ତ ତାଙ୍କର ଇସ୍ତଫା ସରକାରଙ୍କ ଦ୍ୱାରା ଗ୍ରହଣ ହୋଇନଥିବା ସେ ସ୍ପଷ୍ଟ କରିଛନ୍ତି। ପୋଲିସ ଚାକିରି ଛାଡ଼ିବା ପରେ ସେ ଏକ ପ୍ରତିଷ୍ଠିତ ଘରୋଇ କମ୍ପାନୀରେ  ଉଚ୍ଚ ପଦବୀରେ ଯୋଗ ଦେବେ ବୋଲି ସୂଚନା ଦେଇଛନ୍ତି ।

ଜଗମୋହନ ମୀନା ହେଉଛନ୍ତି ୨୦୧୩ ବ୍ୟାଚର ଜଣେ ଦକ୍ଷ ଆଇପିଏସ୍  ଅଫିସର। ଓଡ଼ିଶାରେ ନିଜର କାର୍ଯ୍ୟକାଳ ମଧ୍ୟରେ ସେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳିଛନ୍ତି। ସେ ପୂର୍ବରୁ ଗଞ୍ଜାମ ଏବଂ ଅନୁଗୁଳ ଜିଲ୍ଲାର ଏସପି  ଭାବେ ସଫଳତାର ସହ କାର୍ଯ୍ୟ କରିଛନ୍ତି। ଏହା ସହିତ ସେ କଟକର ଡିସିପି ଭାବେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ। ଗତ ୨୦୨୫ ଫେବୃଆରୀ ୨୮ ତାରିଖରେ ସେ ଭୁବନେଶ୍ୱର ଡିସିପି ଭାବେ କାର୍ଯ୍ୟରେ ଯୋଗ ଦେଇଥିଲେ।

ଏଭଳି ଜଣେ ବରିଷ୍ଠ ଓ ଦକ୍ଷ ଅଧିକାରୀ ହଠାତ୍ ଚାକିରି ଛାଡ଼ିବା ନିଷ୍ପତ୍ତି ପୋଲିସ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି। ତାଙ୍କର ଇସ୍ତଫା ପତ୍ରକୁ ତେବେ ସରକାର କେବେ ଗ୍ରହଣ କରୁଛନ୍ତି ଏବଂ ତାଙ୍କ ସ୍ଥାନରେ କିଏ ଭୁବନେଶ୍ୱରର ନୂଆ ଡିସିପି ହେବେ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

ହୋର୍ମୁଜ୍ ସଙ୍କଟ ଶେଷ! ₹୯୫,୦୦୦ କୋଟିର ‘ସମୁଦ୍ର ମନ୍ଥନ’ ପ୍ରୋଜେକ୍ଟ ଆରମ୍ଭ

ନନ୍ଦିଘୋଷ ବ୍ୟୁରୋ: ଭାରତ ନିଜର ତୈଳ ଆବଶ୍ୟକତା ପାଇଁ ପ୍ରାୟ ୮୫ ରୁ ୮୭ ପ୍ରତିଶତ ପର୍ଯ୍ୟନ୍ତ ବିଦେଶୀ ଆମଦାନୀ ଉପରେ ନିର୍ଭର କରିଥାଏ। ଇରାନ ଯୁଦ୍ଧ ସମୟରେ ‘ଷ୍ଟ୍ରେଟ୍ ଅଫ୍ ହୋର୍ମୁଜ୍’ (Strait of Hormuz) ବନ୍ଦ ହେବା କାରଣରୁ ଦେଶକୁ ଯେଉଁ ପ୍ରବଳ ତୈଳ ସଙ୍କଟର ସାମ୍ନା କରିବାକୁ ପଡ଼ିଥିଲା, ତାର ସ୍ଥାୟୀ ସମାଧାନ ପାଇଁ ଏବେ କେନ୍ଦ୍ର ସରକାର ଏକ ମେଗା ପ୍ଲାନ ପ୍ରସ୍ତୁତ କରିଛନ୍ତି। ବର୍ତ୍ତମାନ ଭାରତର ଘରୋଇ ତୈଳ ଉତ୍ପାଦନ ଆବଶ୍ୟକତାର ମାତ୍ର ୧୦ ପ୍ରତିଶତ ପୂରଣ କରୁଥିବାରୁ, କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ନେତୃତ୍ୱରେ ଦେଶର ଶକ୍ତି ସୁରକ୍ଷାକୁ ମଜବୁତ କରିବା ପାଇଁ ‘ସମୁଦ୍ର ମନ୍ଥନ’ ବା ନ୍ୟାସନାଲ ଡିପ୍ ୱାଟର ଏକ୍ସପ୍ଲୋରେସନ ମିଶନ (National Deep Water Exploration Mission) ଆରମ୍ଭ କରାଯାଇଛି। ଏହି ଯୋଜନା ଅଧୀନରେ ଭାରତର ପ୍ରାୟ ୨.୫ ଲକ୍ଷ ବର୍ଗ କିଲୋମିଟରର ଏଭଳି ଦୁର୍ଗମ ଅଞ୍ଚଳରେ ତେଲ ସନ୍ଧାନ କରାଯିବ, ଯେଉଁଠି ଆଜି ପର୍ଯ୍ୟନ୍ତ କେହି ପହଞ୍ଚି ପାରିନାହାନ୍ତି। ଏଥିପାଇଁ ସରକାର ୧୦ ଅରବ ଡଲାର ଅର୍ଥାତ୍ ପ୍ରାୟ ୯୫,୦୦୦ କୋଟି ଟଙ୍କାର ଏକ ବିରାଟ ବଜେଟ୍ ପ୍ରସ୍ତୁତ କରିଛନ୍ତି।

ଏହି ମିଶନ ଅଧୀନରେ ମୁଖ୍ୟତଃ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଚଳର ସମୁଦ୍ର ଗଭୀରତାରେ ଲୁଚି ରହିଥିବା ଅସୀମ ହାଇଡ୍ରୋକାର୍ବନ ଭଣ୍ଡାରର ସନ୍ଧାନ ପାଇଁ ଡିପ୍-ୱାଟର ଏବଂ ଅଲ୍ଟ୍ରା-ଡିପ୍-ୱାଟର କୂଅ ଖୋଳାଯିବ। ଏହି ବଡ଼ ପ୍ରକଳ୍ପକୁ ସଫଳ କରିବା ପାଇଁ ଓଏନଜିସି ଏବଂ ଅଏଲ୍ ଇଣ୍ଡିଆ ଭଳି ଭାରତୀୟ ସଂସ୍ଥା ସହ ବିଶ୍ୱର ସବୁଠାରୁ ପ୍ରତିଷ୍ଠିତ ଆନ୍ତର୍ଜାତୀୟ ତୈଳ କମ୍ପାନୀ ଯଥା Petrobras, TotalEnergies, BP, Shell ଏବଂ ExxonMobil ର ଗଭୀର ସମୁଦ୍ର ବିଶେଷଜ୍ଞମାନେ ଏକାଠି ମିଳିତ ଭାବେ କାମ କରୁଛନ୍ତି। ନିକଟରେ ରାଜସ୍ଥାନର ଥାର୍ ମରୁଭୂମିରେ ଅଏଲ୍ ଇଣ୍ଡିଆକୁ ମିଳିଥିବା ସଫଳତା ଏବଂ ଆଣ୍ଡାମାନ ସମୁଦ୍ରରୁ ମିଳିଥିବା ସକାରାତ୍ମକ ସଙ୍କେତ ଭାରତର ଆଶାକୁ ଆହୁରି ବଢ଼ାଇ ଦେଇଛି। ଏହାସହ ୯ ଅରବ ଡଲାର ବ୍ୟୟରେ ଚାଲିଥିବା ‘ଗ୍ରେଟ୍ ନିକୋବର ଆଇଲ୍ୟାଣ୍ଡ ପ୍ରୋଜେକ୍ଟ’ ମଧ୍ୟ ଏହି ଦିଗରେ ଏକ ଗୁରୁତ୍ୱପୂર્ଣ୍ଣ ଭୂମିକା ଗ୍ରହଣ କରିବ, ଯାହା ଆଗାମୀ ଦିନରେ ଭାରତକୁ ବିଦେଶୀ ତୈଳ ନିର୍ଭରଶୀଳତାରୁ ମୁକ୍ତ କରି ଏକ ଆତ୍ମନିର୍ଭରଶୀଳ ଶକ୍ତି ସମୃଦ୍ଧ ଦେଶ ଭାବେ ଗଢ଼ିତୋଳିବ।

ନୋଏଡା ବାସୀଙ୍କ ପାଇଁ ବଡ଼ ଖବର: ନିର୍ମାଣ ହେବ ୮ଟି ନୂଆ ଷ୍ଟେସନ

ନନ୍ଦିଘୋଷ ବ୍ୟୁରୋ: ନୋଏଡା -ଗ୍ରେଟର ନୋଏଡା ଏକ୍ସପ୍ରେସୱେରେ ପ୍ରତିଦିନ ସୃଷ୍ଟି ହେଉଥିବା ପ୍ରବଳ ଟ୍ରାଫିକ ଜାମରୁ ଲୋକଙ୍କୁ ମୁକ୍ତି ଦେବା ପାଇଁ ଏକ ବଡ଼ ଯୋଜନା ପ୍ରସ୍ତୁତ କରାଯାଇଛି। ଏହି ଯୋଜନା ଅଧୀନରେ ସେକ୍ଟର-୧୪୨ ରୁ ବଟାନିକାଲ ଗାର୍ଡେନ ପର୍ଯ୍ୟନ୍ତ ଏକ ନୂଆ ମେଟ୍ରୋ କରିଡୋର ସହିତ ଏକ୍ସପ୍ରେସୱେର ଦୁଇ ପାର୍ଶ୍ୱରେ ଦୁଇଟି ନୂଆ ଏଲିଭେଟେଡ୍ ସଡ଼କ ନିର୍ମାଣ କରାଯିବ। ପ୍ରାୟ ୧୧.୫୬ କିଲୋମିଟର ଲମ୍ବ ଏହି ମେଟ୍ରୋ ରୁଟ୍‌ର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଯେ, ଏହା କୌଣସି ଘନ ଜନବସତି ବା ଆବାସିକ ଅଞ୍ଚଳ ଦେଇ ଗତି କରିବ ନାହିଁ। ଅଧିକାରୀଙ୍କ ସୂଚନା ଅନୁଯାୟୀ, ଆଇଟି ପାର୍କ, କର୍ପୋରେଟ୍ ଅଫିସ୍, ଶିକ୍ଷାନୁଷ୍ଠାନ ଏବଂ ବ୍ୟବସାୟିକ କେନ୍ଦ୍ରଗୁଡ଼ିକୁ ସାର୍ବଜନୀନ ପରିବହନ ସହ ସିଧାସଳଖ ଯୋଡ଼ିବା ପାଇଁ ଏହି ଲାଇନକୁ ମୁଖ୍ୟତଃ ଏକ୍ସପ୍ରେସୱେ କଡ଼େ କଡ଼େ ବିକଶିତ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଏହି ସମ୍ପୂର୍ଣ୍ଣ ପ୍ରକଳ୍ପ ଦ୍ୱାରା ସ୍ଥାନୀୟ ଏବଂ ଦୂରଗାମୀ ଗାଡ଼ିଗୁଡ଼ିକର ଟ୍ରାଫିକ ଅଲଗା ହୋଇଯିବ, ଯାହାଫଳରେ ଯାତ୍ରୀମାନଙ୍କୁ ଜାମରୁ ବଡ଼ ଆଶ୍ୱସ୍ତି ମିଳିବ। ଏହି ନୂଆ ମେଟ୍ରୋ ରୁଟ୍‌ରେ ମୋଟ ୮ଟି ଏଲିଭେଟେଡ୍ ଷ୍ଟେସନ ନିର୍ମାଣ କରାଯିବ, ଯାହାଦ୍ୱାରା ସେକ୍ଟର-୪୪, ୯୩, ୯୭, ୧୦୫, ୧୦୮ ଏବଂ ୧”୪୨ ଭଳି ପ୍ରମୁଖ ଅଞ୍ଚଳଗୁଡ଼ିକର କନେକ୍ଟିଭିଟି ବହୁତ ମଜବୁତ ହେବ। ଏହାସହ ବଟାନିକାଲ ଗାର୍ଡେନ ଷ୍ଟେସନରେ ଯାତ୍ରୀମାନଙ୍କୁ ଦିଲ୍ଲୀ ମେଟ୍ରୋର ବ୍ଲୁ ଲାଇନ୍ ଏବଂ ମାଜେଣ୍ଟା ଲାଇନ୍ ପାଇଁ ସିଧାସଳଖ ଇଣ୍ଟରଚେଞ୍ଜ ସୁବିଧା ମିଳିବ। ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ନୋଏଡା, ଗ୍ରେଟର ନୋଏଡା ଏବଂ ଦିଲ୍ଲୀ ମଧ୍ୟରେ ଯାତାୟାତ କରୁଥିବା ଲକ୍ଷ ଲକ୍ଷ ଲୋକଙ୍କ ସମୟ ବଞ୍ଚିବା ସହ ବ୍ୟବସାୟିକ କ୍ଷେତ୍ରଗୁଡ଼ିକୁ ମଧ୍ୟ ବଡ଼ ଫାଇଦା ମିଳିବ।