ପୁରୀ: ଆଜି ଆଷାଢ଼ ମାସ କୃଷ୍ଣ ଚତୁର୍ଦଶୀ ତିଥି। ଶ୍ରୀନଅରକୁ ଖଡ଼ି ପ୍ରସାଦ ବିଜେ ନୀତି ଅନୁଷ୍ଠିତ ହେବ। ପରମ୍ପରା ଅନୁସାରେ ଦତ୍ତମହାପାତ୍ର ଓ ଦଇତାପତି ସେବକମାନେ ଶ୍ରୀନଅରକୁ ଖଡି ପ୍ରସାଦ ବିଜେ କରାଇବେ। ରୂପା ଥାଳିରେ ମହାପ୍ରଭୁଙ୍କ ଲାଗି ଫୁଲ, ତୁଳସୀ ଓ ତିନି ରୂପା ପିଙ୍ଗଣରେ ଖଡି ପ୍ରସାଦ ବିଜେ କରାଇବେ। ଶ୍ରୀନଅରରେ ଖଡି ପ୍ରସାଦ ବିଜେ ନୀତି ପରେ ରାଜଗୁରୁଙ୍କ ହସ୍ତରୁ ଶାଢି ନେଇ ପାଟ୍ଟଶାଣୀ ସେବକ ତଳୁଚ୍ଛ, ଦେଉଳକରଣ, ବେହେରା ଖୁଣ୍ଟିଆ, ପତିମହାପାତ୍ର ଓ ତିନି ବାଡର ଦଇତାପତିଙ୍କୁ ଶାଢି ବାନ୍ଧିବେ। ସ୍ନାନବେଦିରେ ୧୦୮ ଗରା ଅଧିବାସ ଜଳରେ ସ୍ନାନ ପରେ ଜ୍ୱରରେ ପଡ଼ି ମହାପ୍ରଭୁ ଶ୍ରୀମନ୍ଦିର ଅଣସର ପିଣ୍ଡିରେ ଅବସ୍ଥାନ କରୁଥିଲେ। ଦଇତାପତିମାନେ ଅଣସର ଘରେ ନାନାଦି ଗୁପ୍ତନୀତି ସଂପାଦନ କରିବା ପରେ ଅସୁସ୍ଥ ମହାପ୍ରଭୁ ଏହା ଭିତରେ ସୁସ୍ଥ ହୋଇଛନ୍ତି। ମହାପ୍ରଭୁଙ୍କଠାରେ ଫୁଲୁରି ତେଲ, ଓଷ ଲାଗି, ଦଶମୂଳ ଲାଗି, ସର୍ବାଙ୍ଗ ଚନ୍ଦନ, ରାଜପ୍ରସାଦ ବିଜେ ପରେ ଅସୁସ୍ଥ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ବଜ୍ର, ସଶକ୍ତ ଓ ସୁଶୋଭିତ ପାଇଁ ଶ୍ରୀମନ୍ଦିରକୁ ଖଳି ବିଜେ କରାଯାଇଥିଲା। ତିନି ଠାକୁରଙ୍କ ମୁଖ୍ୟ ଶୁଦ୍ଧ ସୁଆର ସେବକମାନେ ଖଳି ପ୍ରସାଦକୁ ନିଜ ନିଜ ଘରେ ପ୍ରସ୍ତୁତ କରି ଶ୍ରୀମନ୍ଦିରକୁ ବିଜେ କରିବା ପରେ ଏହାକୁ ମହାପ୍ରଭୁଙ୍କୁ ବିଳମ୍ବିତ ରାତିରେ ଲାଗି କରାଯାଇଥିଲା। ପରମ୍ପରା ମୁତାବକ ରାଜନଅରକୁ ରାଜପ୍ରସାଦ ବିଜେ ନୀତି ସଂପନ୍ନ ପରେ ଆଜି ଖଡ଼ିପ୍ରସାଦ ବିଜେ କରାଯିବ।
ପୁଟିନଙ୍କୁ ଖାମେନେଇଙ୍କ ଚିଠି: କହିଲେ- ଖାଲି ନିନ୍ଦା କଲେ ଚଳିବନି କିଛି ତ ସାହାଯ୍ୟ କର…
ନନ୍ଦିଘୋଷ ବ୍ୟୁରୋ: ଦିନକୁ ଦିନ ଉଗ୍ର ହେବାରେ ଲାଗିଛି ଇସ୍ରାଏଲ ଓ ଇରାନ ଯୁଦ୍ଧ । ଆଉ ଇରାନର ପରମାଣୁ ଘାଟିକୁ ଆକ୍ରମଣ କରି ଆମେରିକା ଏହି ନିଆଁରେ ଘିଅ ଢାଳିବା କାମ କରିଛି । ଇରାନର ପରମାଣୁ ଘାଟି ଉପରେ ଆକ୍ରମଣ ପରେ ବିଶ୍ବର ପାଓ୍ବାର ହାଉସ ଏବେ ଦୁଇ ଫାଳ ହେବାରେ ଲାଗିଛି । ଗୋଟିଏ ପଟେ ଇସ୍ରାଏଲ ସହ ଆମେରିକା ଛିଡ଼ା ହୋଇଥିବା ବେଳେ ଅନ୍ୟପକ୍ଷେ ଇରାନ ସପକ୍ଷରେ ବାହାରିଛନ୍ତି ଦୁଇ ସୁପର ପାଓ୍ବର ଋଷ ଓ ଚୀନ । ଏମିତି ସ୍ଥିତିରେ ଯେ କୌଣସି ସମୟରେ ତୃତୀୟ ବିଶ୍ବଯୁଦ୍ଧ ଆରମ୍ଭ ହେବାର ଆଶଙ୍କା ଭିତରେ ରହିଛି ସାରା ବିଶ୍ବ । ଆମେରିକାର ଆକ୍ରମଣକୁ ଋଷ ନିନ୍ଦା କରିଥିବା ବେଳେ ଏଥିରେ ଇରାନର ସୁପ୍ରିମ ଲିଡର ଆୟାତୁଲ୍ଲା ଅଲ୍ଲୀ ଖାମେନେଇ ଖୁସି ନୁହଁନ୍ତି । ପୁଟିନଙ୍କୁ ଚିଠି ଲେଖି କହିଛନ୍ତି, ଖାଲି ନିନ୍ଦା କଲେ ଚଳିବନି କିଛି ସାହାଯ୍ୟ କର ।
ସୂଚନାଯୋଗ୍ୟ, ଯୁଦ୍ଧ ଭିତରେ ଇରାନ ବିଦେଶ ମନ୍ତ୍ରୀ ଅବ୍ବାସ ଅରାଧଚି ମସ୍କୋରେ ଋଷ ରାଷ୍ଟ୍ରପତି ବ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି । ଏହି ସମୟରେ ଅରାଧଚି, ପୁଟିନଙ୍କ ଉଦ୍ଦେଶ୍ୟରେ ଖାମେନେଇ ପଠାଇ ଥିବା ଚିଠି ଦେଇଛନ୍ତି । ଅରାଧଚି ସାହାଯ୍ୟ ମାଗିବାକୁ ଋଷରେ ପହଞ୍ଚିଛନ୍ତି ।
ଆମେରିକା ଓ ଇସ୍ରାଏଲ ଖାମେନେଇଙ୍କୁ ହତ୍ୟା ଓ ଇରାନରେ କ୍ଷମତା ପରିବର୍ତ୍ତନ ଲକ୍ଷ୍ୟରେ ରହିଛନ୍ତି । ପୁଟନଙ୍କୁ ଏହି ଭୟ ସତାଉଛିଳ ଯଦି ଏମିତି ହୁଏ ତେବେ ମଧ୍ୟପ୍ରାଚ୍ୟରେ ସ୍ଥିତି ଆହୁରି ସଙ୍ଗୀନ ହୋଇଯିବ । ଏମିତି ସ୍ଥିତିରେ ଇସ୍ରାଏଲ ଆକ୍ରମଣକୁ ପୁଟିନ ନିନ୍ଦା କରିଛନ୍ତି । ହେଲେ, ଇରାନର ପରମାଣୁ ଘାଟି ଉପରେ ଆମେରିକାର ଆକ୍ରମଣକୁ ନେଇ କୌଣସି ବୟାନ ଦେଇନାହାନ୍ତି । ତେବେ ଗତ ସପ୍ତାହରେ ସେ ଶାନ୍ତି ପାଇଁ ଅପିଲ କରିବା ସହ ପରମାଣୁ କାର୍ଯ୍ୟକ୍ରମକୁ ନେଇ ମସ୍କୋ ମଧ୍ୟସ୍ଥତା କରିବାକୁ କହିଥିଲେ ।
ଅବ୍ବାସ ଅରାଧଚି ଯେଉଁ ଚିଠି ନେଇ ଋଷରେ ପହଞ୍ଚିଛନ୍ତି, ସେଥିରେ ଖାମେନେଇ ଋଷକୁ ସାହାଯ୍ୟ ମାଗିଛନ୍ତି । କାରଣ, ଋଷ କରୁଥିବା ସମର୍ଥନକୁ ଇରାନ ପସନ୍ଦ କରୁନାହିଁ । ଇରାନ ଚାହୁଁଛି, ଇସ୍ରାଏଲ ଓ ଆମେରିକା ବିରୋଧରେ ସିଧାସଳଖ ଋଷ ତା’ ସପକ୍ଷରେ ବାହାରୁ ।
ଅଦିନିଆ ରଥଯାତ୍ରା: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ସାମିଲ ହେବାକୁ ନେଇ ତେଜିଲା ବିବାଦ
ନନ୍ଦିଘୋଷ ବ୍ୟୁରୋ: ଜଗନ୍ନାଥ ସଂସ୍କୃତି ବିଶ୍ୱରେ ପରିଚିତ । ପଶ୍ଚିମବଙ୍ଗରେ ଧାମକୁ ନେଇ ତୁମ୍ବି ତୋଫାନ କଲା ରାଜ୍ୟ ବିଜେପି । କିନ୍ତୁ ଦିଲ୍ଲୀରେ ଅଦିନିଆ ରଥଯାତ୍ରାକୁ ନେଇ ଓଡ଼ିଶା ସରକାର ମୁହଁ ଖୋଲି ନାହାନ୍ତି । ଅଣସର ଘରେ ମହାପ୍ରଭୁ ଥିବା ବେଳେ ଦିଲ୍ଲୀରେ ଅଦିନିଆ ରଥଯାତ୍ରା କରାଯାଇଛି । ଏପରିକି ଏହି ଅଦିନିଆ ରଥଯାତ୍ରାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଯୋଗ ଦେବା ମଧ୍ୟ ଲଜ୍ଜା, ଦୁଃଖ ଓ ପରିତାପର ବିଷୟ । ବିଜେପିର ଏହା ଦୋମୁହାଁ ନୀତି ବୋଲି କହି କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବିଜେଡ଼ି ବିଧାୟକ ଗୌତମବୁଦ୍ଧ ଦାସ ।
ସେପଟେ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖନ୍ତୁ ଓ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କଠାରୁ ଉତ୍ତର ମାଗନ୍ତୁ ବୋଲି ଦାବି କରିଛନ୍ତି କଂଗ୍ରେସ ବିଧାୟକ ଅଶୋକ ଦାସ । ଏଭଳି ଅଦିନିଆ ରଥଯାତ୍ରାକୁ ବିଜେପି ବିଧାୟକ ଅଗସ୍ତି ବେହେରା ମଧ୍ୟ ନିନ୍ଦା କରିଛନ୍ତି । ସେପଟେ ଯେଉଁଠି ବି ଅଦିନିଆ ରଥଯାତ୍ରା ହେଉଛି ସରକାର ତା’ ଉପରେ ନଜର ରଖିଛନ୍ତି । ଦିଲ୍ଲୀରେ ଯେଉଁ ଘଟଣା ଘଟିଛି ଆଗରୁ ହେଉ ନଥିଲା । ଘଟଣାକୁ ନେଇ ଦିଲ୍ଲୀ ସରକାରଙ୍କୁ ନିନ୍ଦା କରାଯାଇଛି । ବିଶ୍ଵ ସାରା ନିତିକାନ୍ତୀରେ କେମିତି ରଥଯାତ୍ରା ଶ୍ରୀମନ୍ଦିର ପ୍ରଶାସନ ନିୟମ ଅନୁଯାୟୀ ହେବ ତାକୁ ଧ୍ୟାନ ଦିଆଯାଉଛି ବୋଲି କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।
୧୭ ବର୍ଷ ପରେ ୫୦ ଶତକ କରି ନପାରିବାର ଦୁଃଖ ବଖାଣିଲେ ସୌରଭ ଗାଙ୍ଗୁଲି
ନନ୍ଦିଘୋଷ ବ୍ୟୁରୋ: ଦିନ ଥିଲା ଭାରତୀୟ କ୍ରିକେଟ୍ ଦଳରେ ସୌରବ ଗାଙ୍ଗୁଲିଙ୍କ ରାଜ ଚାଲୁଥିଲା । ନିଜ ସମୟରେ ବୋଲରଙ୍କ ପାଇଁ କାଳ ସାଜି କ୍ରିଜକୁ ଓହ୍ଲାଉଥିବା ଗାଙ୍ଗୁଲି ଅନ୍ତରାଷ୍ଟ୍ରିୟ କ୍ରିକେଟରେ ୩୮ ଶତକ ହାସଲ କରିଛନ୍ତି । ହେଲେ ତାଙ୍କୁ ଏହି ସଂଖ୍ୟା ପସନ୍ଦ ନୁହେଁ । ସେ ଚାହିଁଥିଲେ ୫୦ରୁ ଅଧିକ ଶତକ ହାସଲ କରିପାରିଥାନ୍ତି । ଆଉ ଏପରି କରି ପାରି ନଥିବାରୁ ଦୁଃଖ ପ୍ରକାଶ କରିଛନ୍ତି । କ୍ରିକେଟରୁ ଅବସର ନେବାର ୧୭ ବର୍ଷ ପରେ ଗାଙ୍ଗୁଲି ଏଥିପାଇଁ ଦୁଃଖ ପ୍ରକାଶ କରିବା ସହ ସାରା ଜୀବନ ଏହା ମୋ ପାଇଁ ଅବଶୋଷ ହୋଇ ରହିଯିବ ବୋଲି କହିଛନ୍ତି ।
ଗାଙ୍ଗୁଲି ୩୧୧ ଦିନିକିଆ ଓ ୧୧୩ ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ସେ ତାଙ୍କ କ୍ୟାରିୟରରେ ୧୮ ହଜାର ୫୭୫ ରନ୍ କରିଛନ୍ତି । ଯେଉଁଥିରେ ୩୮ଟି ଶତକୀୟ ପାରି ରହିଛି । ଏକ ସାକ୍ଷାତକାରରେ ଗାଙ୍ଗୁଲି କହିଛନ୍ତି, ‘ମୁଁ ବହୁତ ଥର ଶତକ ଲଗାଇବାରୁ ବଞ୍ଚିତ ହୋଇଛି । ମୋତେ ଆହୁରି ଅଧିକ ରନ୍ ବନାଇବାର ଥିଲା । ମୁଁ ଏକାଧିକ ଥର ୯୦ ଓ ୮୦ ରନରୁ ଅଧିକ କରିଛି ।’ ଗାଙ୍ଗୁଲିଙ୍କ କ୍ୟାରିୟରକୁ ଯଦି ଦେଖାଯାଏ ତେବେ ଜାଣିବା ସେ ୩୦ ଥର ୮୦ରୁ ଅଧିକ ରନ୍ କରି ଆଉଟ୍ ହୋଇଛନ୍ତି । ଯଦି ସେ ଏହାକୁ ଶତକରେ ପରିଣତ କରିପାରିଥାନ୍ତେ ତେବେ ତାଙ୍କ ଶତକ ସଂଖ୍ୟା ଆହୁରି ଅଧିକ ହୋଇଥାନ୍ତି । ସୂଚନାଯୋଗ୍ୟ, ଗାଙ୍ଗୁଲି ୨୦୦୮ରେ ଶେଷ ଇନ୍ତରନ୍ୟାସନାଲ ମ୍ୟାଚ୍ ଖେଳିଥିଲେ ।
ସେ ଯେତେବେଳେ ଏକା ଥାନ୍ତି, ସେତେବେଳେ ପୁରୁଣା ଦିନର ନିଜ ଖେଳକୁ ଦେଖିଥାନ୍ତି । ସେ ନିଜେ ଏହା କହିଛନ୍ତି । ସେ ଆଡୁରି କହିଛନ୍ତି, ମୁଁ ମୋ ଖେଳ ଦେଖିବା ବେଳେ ଭାବେ ମୁଁ ଆହୁରି ଅଧିକ ଶତକ ଲଗାଇ ପାରିଥାନ୍ତି । ସେ କହିଛନ୍ତି, ଯେତେବେଳେ ମୋ ସ୍ତ୍ରୀ ଘରେ ନଥାନ୍ତି ମୁଁ ୟୁଟ୍ୟୁବରେ ନିଜର ଖେଳ ଦେଖିଥାଏ । ଆଉ ଯେତେବେଳେ ମୁଁ ୭୦ରୁ ଅଧିକ ରନ୍ କରି ଆଉଟ୍ ହୋଇଯିବା ଦେଖେ, ନିଜକୁ କହିଥାଏ ମୁଁ ଶତକ ମାରି ପାରିଥାନ୍ତି । ହେଲେ ଏହାକୁ ଆଉ ବଦଳାଇ ହେବନି ।
ସୂଚନାଯୋଗ୍ୟ, ଗାଙ୍ଗୁଲି ଦିନିକିଆରେ ୭୨ ଓ ଟେଷ୍ଟରେ ୩୫ ଥର ଅର୍ଦ୍ଧ ଶତକ କରିଥିଲେ ବି ଏହାକୁ ଶତକରେ ପରିଣତ କରିପାରି ନଥିଲେ ।

