spot_img
Home Blog Page 856

ଜଣକ ପରେ ଜଣେ ନେତା ଖୋଲିଲେଣି ତୁଣ୍ଡ, ମୋହନଙ୍କ ଟିମରେ କୁହୁଳିଲାଣି ନିଆଁ

ଭୁବନେଶ୍ବର : ବର୍ଷ ପୂର୍ତ୍ତି ପୂର୍ବରୁ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ! ୬ଟି ମନ୍ତ୍ରିପଦ ପାଇଁ ଆଶାୟୀଙ୍କ ଲମ୍ବା ତାଲିକା । ଜଣକ ପରେ ଜଣେ ନେତା ଖୋଲିଲେଣି ତୁଣ୍ଡ । ମୋହନଙ୍କ ଟିମରେ କୁହୁଳିଲାଣି ନିଆଁ । ବିଜେପି ସରକାର ଗଠନର  ୧୦ମାସ ପରେ ବି ଅଧାଗଢା ମନ୍ତ୍ରିମଣ୍ଡଳ । ମନ୍ତ୍ରିମଣ୍ଡଳରେ ୬ଟି ଆସନ ଖାଲିଥିବାରୁ ଏହି ସ୍ଥାନ ମୁଖ୍ୟମନ୍ତ୍ରୀ ପୂରଣ କରିବେ କି ନାହିଁ ତାହାକୁ ନେଇ କିଛି ଦିନର ନିରବତା ପରେ ବିଜେପି ବିଧାୟକମାନେ ପୁଣି ମୁହଁ ଖୋଲିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ମନ୍ତ୍ରିମଣ୍ଡଳରେ ସାମିଲ ଥିବା ଅନେକ ମନ୍ତ୍ରୀଙ୍କ ପାଖରେ ଏକାଧିକ ବିଭାଗ ଥିବାରୁ ମନ୍ତ୍ରୀମାନେ ଭାରାକାନ୍ତ । ଦଳର ବରିଷ୍ଠ ବିଧାୟକ ପ୍ରକାଶ ସୋରେନଙ୍କ ଯୁକ୍ତି ହେଉଛି ୬ ମନ୍ତ୍ରିପଦ ପୂରଣ ହେବାର ଆବଶ୍ୟକ ରହିଛି । ସେହିପରି ବହୁ ମନ୍ତ୍ରୀଙ୍କ ପାଖରେ ଏକାଧିକ ବିଭାଗ ଥିବାରୁ ଆବଶ୍ୟକ ଅନୁସାରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ମାସକ ମଧ୍ୟରେ ହେବା ଚର୍ଚ୍ଚା ହେଉଥିବା ବିଜେପି ବିଧାୟକ କହିଛନ୍ତି । ବରିଷ୍ଠ ବିଧାୟକଙ୍କ ସ୍ବର ସହ ସ୍ବର ମିଳାଇଛନ୍ତି ଦଳର ଅନ୍ୟକିଛି ବିଧାୟକମାନେ । ଜଣକ ପରେ ଜଣେ ବିଜେପି ବିଧାୟକ ମନ୍ତ୍ରୀ ପଦ ପୂରଣ ନେଇ ମୁହଁ ଖୋଲିବା ପରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ପାଇଁ ପାଓ୍ବାର କରିଡରରେ ଚର୍ଚ୍ଚା ଆରମ୍ଭ ହୋଇଛି ।

ସେପଟେ ମନ୍ତ୍ରିମଣ୍ଡଳରେ ଖାଲିପଡିଥିବା ୬ଟି ଆସନ ପାଇଁ କିଛି ଦିନର ନିରବତା ପରେ ବିଜେପିର ବିଧାୟକମାନେ ମୁହଁ ଖୋଲିଛନ୍ତି । ବିଜେପି ଅନ୍ଦର ମହଲର ଚର୍ଚ୍ଚା ଅନୁସାରେ ମୁଖ୍ୟମନ୍ତ୍ରୀ ବର୍ତ୍ତମାନ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ୨ଜଣ ମନ୍ତ୍ରୀଙ୍କୁ ବାଦ ଦେଇ କିଛି ନୂଆ ମୁହଁକୁ ମନ୍ତ୍ରିମଣ୍ଡଳରେ ସାମିଲ କରିପାରିନ୍ତି । ଏହି ତାଲିକାରେ ଅଛନ୍ତି ବିଜେପି ବିଧାୟକ ଇରାଶିଷ ଆଚାର୍ଯ୍ୟ, ଅମର ନାୟକ, ବାବୁ ସିଂହ, ରଘୁରାମ ମାଛ, ମାନସ ଦତ୍ତ, ମନୋରଞ୍ଜନ ଦ୍ୟାନ ସାମନ୍ତରାୟଙ୍କ ନାଁ ନେଇ ଚାଲିଛି ବିଚାର ବିମର୍ଶ। ରାଜନୈତିକ ସମୀକ୍ଷକଙ୍କ ଆକଳନ ହେଉଛି ମନ୍ତ୍ରିପଦ ପାଇଁ ଅଧିକ ଆଶାୟୀ ଥିବାରୁ ଅଙ୍କ ଛିଣ୍ଡୁନାହିଁ । ତେବେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ କି ନହେବ ତାହା ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାଧୀନ ବ୍ୟାପାର ବୋଲି ବିଜେପି ବିଧାୟକ ଅମର ନାୟକ କହିଛନ୍ତି । ମୋହନଙ୍କ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ନେଇ ବିଜେପି ଅନ୍ଦର ମହଲରେ ସାନି କସରତ ଆରମ୍ଭ ହୋଇଥିବା ବେଳେ କାହାକୁ କେମିତି ଦଳ ଥଇଥାନ କରାଯିବ ସେ ଚିନ୍ତାରେ ବିଜେପିର ଶୀର୍ଷ ନେତୃତ୍ବ ।

ବିଦ୍ୟୁତ କାଟ ନେଇ ରାଜ୍ୟ ସରକାରଙ୍କୁ ଘେରିଲେ ବିରୋଧୀ

ଭୁବନେଶ୍ବର : ଅସହ୍ୟ ତାତିରେ ଜଳୁଛି ଓଡିଶା। ତା ସହ ଗୁଳୁଗୁଳି । ସେପଟେ ରାଜଧାନୀ ଠାରୁ ଆରମ୍ଭ କରି ରାଜ୍ୟସାରା ଅଘୋଷିତ ବିଦ୍ୟୁତ କାଟ । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ। ବିଜେଡି ବିଧାୟକ ପ୍ରଦୀପ ଦିଶାରୀ  ଅଭିଯୋଗ କରିଛନ୍ତି- ସରକାର ୩୦୦ ୟୁନିଟ ମାଗଣା ବିଜୁଳି ପ୍ରତିଶୃତି ଦେଇ ଭୁଲିଗଲେ। ଏବେ ଖୋଦ ରାଜଧାନୀରେ ପାଓ୍ବାର କଟ କରାଯାଉଛି । ସରକାରଙ୍କ ଘୋଷଣା ଗୋଟିଏ ପଟେ ବିଜୁଳି ସମସ୍ୟା ଆଉ ଗୋଟିଏ ପଟେ ବୋଲି ସେ ଅଭିଯୋଗ କରିଛନ୍ତି । ସମାନ ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡାମ । ରାଜଧାନୀରେ ଅଘୋଷିତ ବିଦ୍ୟୁତ କାଟ ହେଉଥିବା ବେଳେ ଗାଁ ଗଣ୍ଡାରେ ବିଦ୍ୟୁତ କାଟ କେତେ ସମୟ ହେଉଛି ତାହାର ହିସାବ ନାହିଁ ବୋଲି  କଂଗ୍ରେସ କହିଛି। ଅନ୍ୟପଟେ ବିଜେପି ବିଧାୟକ ପ୍ରକାଶ ସୋରେନ କହିଛନ୍ତି କାଳବୈଶାଖୀ କାରଣ  ଯୋଗୁଁ କିଛି ସମୟ ବିଦ୍ୟୁତ କାଟ ହେଉଛି ।

ଅଘୋଷିତ ବିଦ୍ୟୁତ କାଟକୁ ନେଇ ପ୍ରଶ୍ନ ଉଠାଇଛି ଉପଭୋକ୍ତା ମହାସଂଘ । ପରିଚାଳନା ତ୍ରୁଟି ଓ ମରାମତି ସଠିକ ଭାବେ କରାଯାଉ ନଥିବାରୁ ବିଦ୍ୟୁତ କାଟ ପରି ସମସ୍ୟା ଦେଖାଦେଉଛି । ସରକାର ଏଥିପ୍ରତି ଗୁରୁତ୍ବ ଦେବା ଆବଶ୍ୟକ ବୋଲି ଉପଭୋକ୍ତା ମହାସଂଘ ସଭାପତି ରମେଶ ଶତପଥୀ କହିଛନ୍ତି । ତେଣେ ଗ୍ରୀଷ୍ମ ପ୍ରବାହ ସମୟରେ ବିଦ୍ୟୁତ କାଟ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଶକ୍ତିମନ୍ତ୍ରୀ କେଭି ସିଂଦେଓ । ଏହାସହ କାଳ ବୈଶାଖୀ କାରଣରୁ କିଛି ସ୍ଥାନରେ ବିଦ୍ୟୁତ୍ ବ୍ୟାହତ ହେଉଥିଲେ ବି ତୁରନ୍ତ ସମାଧାନ କରାଯାଉଛି। ବକେୟା ବିଦ୍ୟୁତ୍ ବିଲ ପ୍ରଦାନ କରି ନଥିଲେ ବି ଏବେ ବିଦ୍ୟୁତ୍ ସଂଯୋଗ କଟାଯିବ ନାହିଁ ବୋଲି ମନ୍ତ୍ରୀ କହିଛନ୍ତି । ନିକଟରେ ରାଜ୍ୟପାଳଙ୍କ ପୁରୀ ଗସ୍ତ ସମୟରେ ବିଦ୍ୟୁତ କାଟ ହୋଇଥିଲା । ଯାହା ଶକ୍ତିବିଭାଗର ପାରିବା ପଣିଆ ଉପରେ ପ୍ରଶ୍ନ ଉଠିଥିଲା । ଯଦି ରାଜ୍ୟପାଳଙ୍କ ଗସ୍ତବେଳେ ଓ ରାଜଧାନୀରେ ବିଦ୍ୟୁତ କାଟ ହେଉଛି ତେବେ ଉପାନ୍ତି ଓ ଗାଁ ଗଣ୍ଡାରେ  ସ୍ଥିତି କଣ ବୋଲି ପ୍ରଶ୍ନ ଉଠିବା ସ୍ବାଭାବିକ।

ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶା ପାଇଁ ପାଲଟିବ କି ଅଭିଶାପ ?

ଭୁବନେଶ୍ବର : ଆୟୁଷ୍ମାନ ଭାରତ ଯୋଜନା ଓଡ଼ିଶା ପାଇଁ ପାଲଟିବ କି ଅଭିଶାପ ? ସରକାର ନେଉଛନ୍ତି ବାହାବା, ହନ୍ତସନ୍ତ ହେଉଛନ୍ତି ସାଧାରଣ ରୋଗୀ। ଯୋଜନାର କାର୍ଯ୍ୟକାରିତାରେ ସମସ୍ୟା ଥିବାରୁ ଘରୋଇ ହସ୍ପିଟାଲ ସଂଘର ଅସନ୍ତୋଷ। ବିଜେପି ଶାସିତ ରାଜ୍ୟରେ ବି ଫେଲ ମାରିଛି ଆୟୁଷ୍ମାନ ଯୋଜନା। ଗୁଜରାଟରେ ଯୋଜନାରେ ଚାଲିଥିବା ସ୍କାମକୁ ନେଇ ରିପୋର୍ଟ କରିଛି ସିଏଜି। ତରବରିଆ ଭାବେ ଓଡ଼ିଶାରେ ଲାଗୁ କରି ପ୍ରଶଂସା ସାଉଣ୍ଟିବାକୁ ଉଦ୍ୟମ, ହେଲେ ବାସ୍ତବତା ସଂପୂର୍ଣ୍ଣ ଭିନ୍ନ। ତେବେ କାହିଁକି ଆୟୁଷ୍ମାନ ଯୋଜନାକୁ ନେଇ ବଢୁଛି ଅସନ୍ତୋଷ ? ମୁଖ୍ୟତଃ ତିନୋଟି ସମସ୍ୟାକୁ ନେଇ ଘରୋଇ ହସ୍ପିଟାଲ ସରକାରଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଛି। ସଫ୍ଟଓ୍ବେର ଓ ପରିଚାଳନାଗତ ସମସ୍ୟା ଏବଂ ପ୍ୟାକେଜ ଦରକୁ ନେଇ ଉଠିଛି ପ୍ରଶ୍ନ। ଘରୋଇ ହସ୍ପିଟାଲ ସଂଘ ପରେ ଯୋଜନାର ବ୍ୟବସ୍ଥାକୁ ନେଇ ମୁହଁ ଖୋଲିଛି ଭାରତୀୟ ଚିକିତ୍ସକ ସଂଘ। ଚିକିତ୍ସା ପରେ ରୋଗୀ ଡିସଚାର୍ଜ ବେଳେ ଡାକ୍ତରଙ୍କ ଫଟୋ ଓ ଫିଙ୍ଗର ପ୍ରିଣ୍ଟକୁ ନେଇ ପ୍ରଶ୍ନ ଉଠାଇଛି ଆଇଏମ୍ଏ।

ଖାଲି ସେତିକି ନୁହେଁ, ରୋଗୀ ପଞ୍ଜିକରଣ ବେଳେ ଜଟିଳ ଓଟିପି ବ୍ୟବସ୍ଥାକୁ ନାପସନ୍ଦ କରୁଛନ୍ତି ଘରୋଇ ହସ୍ପିଟାଲ। ରୋଗୀର ଚିକିତ୍ସା ସମୟରେ ଯଦି ଏକାଧିକ ରୋଗ ବାହାରେ, ତାହାଲେ ରୋଗ ଯୋଡ଼ିବାର ବ୍ୟବସ୍ଥା ସଫ୍ଟଓ୍ବେରରେ ନଥିବାରୁ ଚିକିତ୍ସା ସମ୍ଭବ ହୋଇପାରିବ ନାହିଁ। ସଫ୍ଟଓ୍ବେର ଓ ପରିଚାଳନା ଗତ ସମସ୍ୟା ସହିତ ରୋଗର ପ୍ୟାକେଜ ଦରକୁ ନେଇ ବି ଘୋର ଅସନ୍ତୋଷ ଦେଖାଦେଇଛି। ୧୦ ବର୍ଷ ତଳେ ଯାହା ରେଟ୍ ଥିଲା, ସେହି ଦର ଆୟୁଷ୍ମାନ ଯୋଜନାରେ ଥିବାରୁ ଏତେ କମ୍ ଦାମରେ ଚିକିତ୍ସା ସମ୍ଭବ ନୁହେଁ। ତରବରିଆ ଭାବେ ଡବଲ ଇଞ୍ଜିନ ସରକାର ନିଜର ପାରିବାପଣିଆ ଦେଖାଇ କେନ୍ଦ୍ର ସରକାରଙ୍କୁ ସନ୍ତୁଷ୍ଟ କରିବାକୁ ଆୟୁଷ୍ମାନ ଯୋଜନା ଲାଗୁ କଲେ। ହେଲେ ଏହା ପୂର୍ବରୁ ଯୋଜନାର କାର୍ଯ୍ୟକାରିତାକୁ ନେଇ ହସ୍ପିଟାଲ ସଂଘ, ଡାକ୍ତର ସଂଘ ଏବଂ ଅନ୍ୟ ଷ୍ଟେକ ହୋଲଡରଙ୍କ ସହ ଆଲୋଚନା କରିଥିଲେ ସମସ୍ୟା ଦୂର ହୋଇଥାନ୍ତା ବୋଲି ମତ ରଖିଛି ଆଇଏମ୍ଏ। ବିଏସକେଓ୍ବାଇରେ ମାଗଣା ଚିକିତ୍ସା ପାଇଁ କୌଣସି ସର୍ତ୍ତ ନଥିଲା। କିନ୍ତୁ ଆୟୁଷ୍ମାନରେ ରହିଛି ଅନେକ ସର୍ତ୍ତ।  ବିଏସକେଓ୍ବାଇରେ ନା ଥିଲା ପ୍ୟାକେଜରେ କ୍ୟାପିଙ୍ଗ, ନା ଥିଲା ପ୍ରଶାସନିକ କଟକଣା। ହେଲେ ଆୟୁଷ୍ମାନରେ ସବୁ ସ୍ତରରେ ରହିଛି ସର୍ତ୍ତମୂଳକ ଆପ୍ରୁଭାଲ ବ୍ୟବସ୍ଥା।

ଏବେ ଓଡ଼ିଶାରେ ନୁହଁ ଆନ୍ଧ୍ରରେ ମିଶିବାକୁ ଇଛା କଲେଣି କୋଟିଆବାସୀ

ଭୁବନେଶ୍ୱର : ରାଜ୍ୟରେ ଚାଲିଛି ଜଙ୍ଗଲୀ ଶାସନ । ଅତିଷ୍ଠ ଆଦିବାସୀ । ଏବେ ଓଡ଼ିଶାରେ ନୁହଁ ଆନ୍ଧ୍ରରେ ମିଶିବାକୁ ଇଛା କଲେଣି କୋଟିଆବାସୀ । ଆନ୍ଧ୍ର ପଶିଲେଣି ଶରଣ । ନିଜଘରେ ହତାଦର ଯୋଗୁ ପରଘରକୁ ମାଗିଲେ ଆଶ୍ରୟ । ବିଜେପି ସରକାରର ଅପାରଗତା ଯୋଗୁ ନିଜ ମାଟି ପ୍ରତି ମୋହ ତୁଟାଇ ଦେଲେଣି ଲୋକେ । ଯାହାକୁ ନେଇ ରାଜ୍ୟ ଉଠୁଛି ପଡୁଛି। କୋଟିଆ ଅଞ୍ଚଳର ଧୂଳିପଦର, ନେରିଡିବାଲସା ଓ ତାଡିବାଲସା ପ୍ରମୁଖ ତିନି ଗ୍ରାମର ଶତାଧିକ ଗ୍ରାମବାସୀ ଆନ୍ଧ୍ରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ରାଜନ ଦୋରାଙ୍କୁ ଭେଟି ସେମାନଙ୍କୁ ଆନ୍ଧ୍ର ସମ୍ପୂର୍ଣ୍ଣ ଭାବେ ଗ୍ରହଣ କରି ପରିଚୟ ଦେଉ ବୋଲି ଦାବି କରିଛନ୍ତି । ଏହାକୁ ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛି ଓଡ଼ିଆ ଅସ୍ମିତା ପରିଷଦ। କୋଟିଆ ସମସ୍ୟାର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ମଧ୍ୟ ଟ୍ୱିଟ କରି ହସ୍ତକ୍ଷେପ କରିବାକୁ ଦାବି ରଖିଛି ପରିଷଦ । ପୂର୍ବ ସରକାର ସମୟରେ କୋଟିଆକୁ ପ୍ରାଧାନ୍ୟ ଦିଆଯାଇଥିଲା । ଅନେକ ଯୋଜନା କାର୍ଯ୍ୟକାରୀ ହୋଇଥିଲା । ହେଲେ ଏବେ ଅବହେଳିତ ଏହି ଅଞ୍ଚଳ । ଯାହାକୁ ନେଇ ବର୍ଷିଛି ଓଡ଼ିଆ ଅସ୍ମିତା ପରିଷଦ । ସେପଟେ ରାଜ୍ୟର ସ୍ୱାର୍ଥ ସମ୍ବଳିତ ସବୁଠୁ ସମ୍ବେଦନଶୀଳ ପ୍ରସଙ୍ଗରେ ସରକାର ଏଯାଏଁ କାହିଁକି ଉଦାସୀନ ବୋଲି ପ୍ରଶ୍ନ କରିଛି ଉତ୍କଳ ସମ୍ମିଳନୀ।

ପ୍ରଥମଥର ପାଇଁ ରାଜ୍ୟରେ ଏଭଳି ଏକ ବିଚିତ୍ର ସ୍ଥିତି ସୃଷ୍ଟି ହୋଇଛି ବୋଲି କହିଛି ବିଜେଡି । ଓଡ଼ିଶା ସରକାର କିଭଳି ଭାବେ କୋଟିଆବାସୀଙ୍କ ସହ ଆଚରଣ କରୁଛନ୍ତି ଏଥିରୁ ସ୍ପଷ୍ଟ ହୋଇଛି। ଯେଉଁଥିପାଇଁ ଗ୍ରାମବାସୀ ଓଡ଼ିଶା ଛାଡିବାକୁ ବସିଲେଣି । ଯଦି ସ୍ୱତଃପ୍ରବୃତ୍ତ ଭାବେ ଅନ୍ୟ ରାଜ୍ୟରେ ଲୋକେ ମିଶିବାକୁ ଚାହିଁବେ ସେମାନଙ୍କୁ ଆଉ ଅଟକାଯାଇପାରିବ ନାହିଁ। ପୂର୍ବ ସରକାର ସମୟରେ ୧୬୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ସରକାର ପରିବର୍ତ୍ତନ ହେବା ପରେ ବିକାଶ ଗୋଟିଏ ଇଞ୍ଚ ବଢିନାହିଁ। ସେପଟେ ଏ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା କରିବାକୁ ନିଷ୍ପତ୍ତି ନେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ତଥା ସ୍ଥାନୀୟ ବିଧାୟକ ରାମଚନ୍ଦ୍ର କାଡାମ । ଭୁବନେଶ୍ୱରର ଏସି ରୁମରେ ନୁହେଁ ଗ୍ରାଉଣ୍ଡ ଜିରୋ ଯାଇ ସ୍ଥିତି ଅନୁଧ୍ୟାନ କରନ୍ତୁ ବୋଲି ଦାବି ହୋଇଛି ।  ସେପଟେ ନାଗରିକ ସୁରକ୍ଷା ମଞ୍ଚ ଏ ପ୍ରସଙ୍ଗରେ ସରକାରଙ୍କୁ କଡା ଚେତାବନୀ ଦେଇଛି। ସେପଟେ କୋଟିଆ ଅଂଚଳ ଛାତ୍ରଛାତ୍ରୀଙ୍କର ଅପାର କାର୍ଡ ଆନ୍ଧ୍ରପ୍ରଦେଶ ଶିକ୍ଷା ବିଭାଗ ପକ୍ଷରୁ କରାଯାଉଛି । ଏହା ଆନ୍ଧ୍ର ସରକାରଙ୍କର କୋଟିଆ ହାତେଇବା ପାଇଁ ଆଉ ଏକ ବଡ଼ ଷଡ଼ଯନ୍ତ୍ର ବୋଲି ବଡ଼ ଅଭିଯୋଗ ଆଣିବା ସହ ମୁଖ୍ୟମନ୍ତ୍ରୀ ତୁରନ୍ତ ଏସବୁ ଉପରେ ହସ୍ତକ୍ଷେପ କରିବାକୁ ଦାବି ହୋଇଛି ।

ନୂଆ ରାସନକାର୍ଡ ପାଇଁ ହିତାଧିକାରୀ ଚୟନରେ ହେଉଛି କି ରାଜନୀତି ?

ଖୋର୍ଦ୍ଧା : ନୂଆ ରାସନକାର୍ଡ ପାଇଁ ହିତାଧିକାରୀ ଚୟନରେ ହେଉଛି କି ରାଜନୀତି । ଆସନ୍ତା ୨୪ ତାରିଖରେ ସରକାର ନୂଆ ରାସନକାର୍ଡ ବାଣ୍ଟିବାକୁ ଘୋଷଣା କରିଥିବା ବେଳେ ଏବେ ଏଭଳି ପ୍ରଶ୍ନ ଉଠିଛି । ଖୋର୍ଦ୍ଧା ଜିଲ୍ଲା ବୋଲଗଡ ବ୍ଲକରେ ୩ହଜାର ଆବେଦନକାରୀଙ୍କ ମଧ୍ୟରୁ ୨୪ ତାରିଖରେ ମାତ୍ର ୬ଜଣଙ୍କୁ କାର୍ଡଧାରୀଙ୍କୁ ତାଲିକାଭୁକ୍ତ କରାଯାଇଛି । ଏହାକୁ ନେଇ ବୋଲଗଡ ବ୍ଲକରେ ଅସନ୍ତୋଷ ଦେଖାଦେଇଛି । ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକର ୧୯ଟି ପଞ୍ଚାୟତରେ ୩୦୦୦ରୁ ଅଧିକ ଆବେଦନ ପତ୍ର ପଡ଼ିଛି । ସେଥିମଧ୍ୟରୁ ୧୪୦୦ ଦରଖାସ୍ତ ଯାଞ୍ଚ ପ୍ରକ୍ରିୟା ଚାଲିଛି। ଆସନ୍ତା ୨୪ ତାରିଖରେ ମାତ୍ର ୬ଜଣଙ୍କୁ ରାସନ କାର୍ଡ ବଣ୍ଟନ କରାଯିବ ବୋଲି ନିଷ୍ପତି ହୋଇଛି। ଏହାକୁ ନେଇ ସାରା ବ୍ଲକରେ ଅସନ୍ତୋଷ ଦେଖାଦେଇଛି। ସବୁ ପଞ୍ଚାୟତର ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ଏକାଠି ହୋଇ ଏହା ବିରୁଦ୍ଧରେ ପ୍ରତିବାଦ କରିଛନ୍ତି । ସେମାନେ ବ୍ଲକ ସମ୍ମିଳନୀ କକ୍ଷରେ ସରକାରଙ୍କ ଏହି ନିଷ୍ପତ୍ତି ବିରୁଦ୍ଧରେ ପ୍ରତିବାଦ କରିଛନ୍ତି ।

ବୋଲଗଡ଼ରେ ପଞ୍ଚାୟତ ଲୋକ ପ୍ରତିନିଧି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ବିଡିଓଙ୍କ ଜରିଆରେ ପ୍ରଦାନ କରିବା ସହ ବିଧାୟକ ପ୍ରଦୀପ କୁମାର ସାହୁଙ୍କ ନେତୃତ୍ୱରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିକଟରେ ମଧ୍ୟ ଫେରାଦ ହୋଇଛନ୍ତି । ଯାଞ୍ଚ ହୋଇନଥିବା ଦରଖାସ୍ତକୁ ତୁରନ୍ତ ଯାଞ୍ଚ କରାଯାଉ ।  ଯୋଗ୍ୟ ହିତାଧିକାରୀଙ୍କୁ ରାସନ କାର୍ଡ ପ୍ରଦାନ କ୍ଷେତ୍ରରେ ପାତର ଅନ୍ତର ନୀତି ପାଳନ କଲେ ଆଗାମୀ ଦିନରେ ରାଜରାସ୍ତାରେ ଆନ୍ଦୋଳନ ହେବ ବୋଲି ବିଜେଡ଼ି ବିଧାୟକ ପ୍ରଦୀପ କୁମାର ସାହୁ ଚେତାବନୀ ଦେଇଛନ୍ତି। ରାଜ୍ୟ ସରକାର ଯୋଗ୍ୟ ହିତାଧିକାରୀ ଚୟନରେ କେତେ ନିରପେକ୍ଷତା ଅବଲମ୍ବନ କରୁଛନ୍ତି ତାଉପରେ ବୋଲଗଡ଼ ବ୍ଲକ ସମେତ ସମଗ୍ର ଜିଲ୍ଲାବାସୀ ଅପେକ୍ଷା କରିଛନ୍ତି।

ଆଶୀର୍ବାଦ ସାହୁ ହତ୍ୟା ଘଟଣା, ଶବ ବ୍ୟବଚ୍ଛେଦ ରିପୋର୍ଟକୁ ପୋଲିସର ଅପେକ୍ଷା

ପୁରୀ ଡେଲାଙ୍ଗ ରତନପୁରର ୧୧ ବର୍ଷର ନାବାଳକ ଆଶୀର୍ବାଦ ସାହୁ ହତ୍ୟା ଘଟଣା । ଆଶୀର୍ବାଦ ନିଖୋଜ ନେଇ ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଏହାକୁ ହତ୍ୟା ମାମଲା ରୁଜୁ କରାଯାଇଛି । ଅଭିଯୁକ୍ତ ଜଣଙ୍କ ମୃତ ନାବାଳକର ସମ୍ପର୍କୀୟ ଦାଦା ହୋଇଥିବା ବେଳେ ସେ ଯୌନ ଲାଳସା ସମ୍ପର୍କରେ ପ୍ରଘଟକୁ ନେଇ ହତ୍ୟାକାଣ୍ଡ ଘଟାଇଥିବା ପୋଲିସ ତଦନ୍ତରୁ ପ୍ରକାଶ କରିଛି । ଅଭିଯୁକ୍ତ ପ୍ରଭାକର ସାହୁ ଓରଫ ବାପି ନାବାଳକକୁ ଏକ ପରିତ୍ୟକ୍ତ ଗୃହକୁ ନେବା ସହ ସେଠାରେ ଟେନିସ ବଲ କିଣିବା ପାଇଁ ଲାଳସା ଦେଖାଇଥିଲା । ବଲ କିଣିବାକୁ ନାବାଳକକୁ ୧୦୦ ଟଙ୍କା ଦେବା ସହ ତାର ପ୍ରାଇଭେଟ ପାର୍ଟରେ ହାତ ମାରି ଯୌନ ଲାଳସା ମେଣ୍ଟାଇଥିଲା । ଏହି ଘଟଣା ବେଶ କିଛି ସମୟ ଚାଲିବା ପରେ ନାବାଳକ ଅଭିଯୁକ୍ତକୁ ଅଧିକ ଟଙ୍କା ମାଗିଥିଲା । ଟଙ୍କା ନଦେଲେ ସେ ସମସ୍ତଙ୍କୁ ଘଟଣା ସମ୍ପର୍କରେ ଜଣାଇ ଦେବ ବୋଲି କହିଥିଲା । ଘଟଣା ପ୍ରଘଟ ହୋଇଯିବା ଭୟରେ ନିଜ ଗଞ୍ଜିରେ ନାବାଳକର ମୁହଁ ଘୋଡାଇବା ସହ ଚାପି ଧରିଥିଲା । ପରବର୍ତୀ ସମୟରେ ସେ ନାବାଳକକୁ ନେଇ ପାଇଖାନା ଟାଙ୍କି ଭିତରେ ପକାଇ ଦେଇଥିଲା । ପୋଷ୍ଟ ମର୍ଟମ ରିପୋର୍ଟକୁ ପୋଲିସ ଅପେକ୍ଷା କରି ରହିଛି । ତେବେ ନାବାଳକ ସହ ସେପରି କୌଣସି ଅପାକୃତିକ ଯୌନ ସମ୍ପର୍କ ହୋଇ ନଥିବା ପୋଲିସ ସ୍ପଷ୍ଟ କରିଥିବା ବେଳେ ମୋବାଇଲ ଫୋନ, ସାଇକେଲ ଚାବି ଓ ପିନ୍ଧିଥିବା ଗଞ୍ଜି ଆଦିକୁ ପୋଲିସ ଜବତ କରିଛି । ଆଜି ଅଭିଯୁକ୍ତକୁ ପୋକସୋ ମାମଲାରେ କୋର୍ଟ ଚାଲାଣ କରାଯାଇଅଛି । ଏହି ଘଟଣାରେ ଅନ୍ୟ କେହି ସହଯୋଗୀ ଅଛି କି ନାହିଁ ସେ ନେଇ ପୋଲିସ ଅଧିକ ତଦନ୍ତ କରୁଛି । ଏହି ମାମଲାର ଶୀଘ୍ର ନ୍ୟାୟିକ ଯାଞ୍ଚ ପାଇଁ ପୋଲିସ ସମସ୍ତ ସହଯୋଗ ଯୋଗାଇ ଦେବାକୁ ପୁରୀ ଏସପି ସାମ୍ବାଦିକ ସମ୍ବିଳନୀରେ ସୂଚନା ଦେଇଛନ୍ତି।

ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀଙ୍କ ଆକ୍ରମଣ : ଓଡିଆ ଯୁବକ ମୃତ

ନନ୍ଦିଘୋଷ ବ୍ୟୁରୋ : ଜାମ୍ମୁ ଓ କାଶ୍ମୀରରେ ଆତଙ୍କବାଦୀ ହମଲା । ଏଥରେ ପର୍ଯ୍ୟଟକଙ୍କ ଉପରେ ହମଲା କରିଛନ୍ତି ଆତଙ୍କବାଦୀ । ପହଲଗାଓଁସ୍ଥିତ ବୈସରନ ପର୍ବତାଞ୍ଚଳରେ ଗୁଳିମାଡ଼ ହୋଇଛି । ଟ୍ରେକିଂ ଟ୍ରିପରେ ଯାଇଥିବା ପର୍ଯ୍ୟଟକଙ୍କୁ ଗୁଳିମାଡ଼ କରାଯାଇଥିବା ସୂଚନା ମିଳିଛି । ଘଟଣାରେ ୨୮ରୁ ଅଧିକ ବ୍ୟକ୍ତି ପ୍ରାଣ ହରାଇଥିବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି । ଜାମ୍ମୁ ଓ କାଶ୍ମୀରରେ ହୋଇଥିବା ଆତଙ୍କୀ ହମଲାରେ ପ୍ରାଣ ହରାଇଛନ୍ତି ବାଲେଶ୍ବରର ପ୍ରଶାନ୍ତ ଶତପଥୀ। ସାରଗାଁ ଇସାଣୀର ସେ ବାସିନ୍ଦା। ଦୁଇ ଦିନ ତଳେ ପତ୍ନୀ ଓ ପୁଅ ସହ ପହଲଗାଓଁ ଯାଇଥିଲେ ପ୍ରଶାନ୍ତ। ପ୍ରଶାନ୍ତଙ୍କ ମୃତଦେହ ଜାମ୍ମୁରେ ଥିବା ନେଇ ଅନନ୍ତନାଗ ପୋଲିସ ପକ୍ଷରୁ ସୂଚନା ମିଳିଛି । ଅନ୍ୟ ଜଣଙ୍କ ନାମ ମଞ୍ଜୁନାଥ ବୋଲି ସୂଚନା ମିଳିଛି। ମଞ୍ଜୁନାଥଙ୍କ ଘର କର୍ଣ୍ଣାଟକ ଶିବମୋଗାରେ । ଆଜି ଅପରାହ୍ଣ ୨.୩୦ଟାରେ ପହଲଗାମ ଅଞ୍ଚଳରେ ପର୍ଯ୍ଯଟକଙ୍କ ଉପରେ ଗୁଳିମାଡ କରିଥିଲେ ଆତଙ୍କବାଦୀ । ପର୍ଯ୍ଯଟକମାନେ ବୈସରନ ଅଞ୍ଚଳରେ ଥିବାବେଳେ ସେମାନଙ୍କ ଉପରେ ଗୁଳିମାଡ କରିଥିଲେ ଆତଙ୍କବାଦୀ ।  ଏହି ଘଟଣା ପରେ ସାରା ଅଞ୍ଚଳରେ ସର୍ଚ୍ଚ ଅପରେସନ ଜାରି ରହିଛି। ହମଲା ଲାଗି ନିଜକୁ ଦାୟୀ କରିଛି ଲସ୍କର ସଂଗଠନରେ ଟିଆରଏଫ ବାହିନୀ । ପହଲଗାଓଁ ହିଲ୍ ଷ୍ଟେସନରୁ ୫ କିଲୋମିଟର ଦୂର ବୈସରାମ ମିଡୋରେ ଏହି ହମଲା ହୋଇଛି । ଘଟଣା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଆଲୋଚନା କରିଛନ୍ତି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଶ୍ରୀନଗର ଗସ୍ତ କରିଛନ୍ତି ଅମିତ ଶାହ। ଏହି ଘଟଣା ପରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଉଚ୍ଚସ୍ତରୀୟ ବୈଠକ ଡକାଯାଇଛି । ଏଥିରେ କେନ୍ଦ୍ର ଗୃହ ସଚିବଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ସାମିଲ ହୋଇଛନ୍ତି। ଗୁଳିକାଣ୍ଡକୁ ଜାମ୍ମୁ ଓ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ନିନ୍ଦା କରିଛନ୍ତି । ଆହତଙ୍କୁ ତୁରନ୍ତ ଚିକିତ୍ସା ଯୋଗାଇଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ଲେଫଟନାଣ୍ଟ ଗଭର୍ଣ୍ଣର ମନୋଜ ସିହ୍ନା।

ସାମ୍ନାକୁ ଆସିଲା ଅପହରଣ ବେଳର ସିସିଟିଭି ଫୁଟେଜ୍, ସ୍କୁଲରୁ ଫେରିବାବେଳେ ଉଠାଇ ନେଇଥିଲେ ଦୁର୍ବୃତ୍ତ

ଭୁବନେଶ୍ବର : ସାମ୍ନାକୁ ଆସିଲା ଅପହରଣ ବେଳର ସିସିଟିଭି । ସ୍କୁଲରୁ ଫେରିବାବେଳେ ଭୁବନେଶ୍ବରରୁ ଉଠାଇ ନେଇଥିଲେ ଦୁର୍ବୃତ୍ତ । ଇଏ ହେଉଛି ସେହି ସିସିଟିଭି ଭିଜୁଆଲ । ସହର ଉପକଣ୍ଠ ପାଞ୍ଚଗାଁରୁ ବନ୍ଧୁକ ମୁନରେ ୮ ବର୍ଷର ଛୁଆକୁ ଉଠାଇନେଇଥିଲେ ଦୁର୍ବୃତ୍ତ । ନନ୍ଦିଘୋଷ ଟିଭି ହାତରେ ଲାଗିଛି ଅପହରଣ ସମୟର ଏକ୍ସୁସିଭ ସିସିଟିଭି ଭିଜୁଆଲ । ନମ୍ବର ଢାଙ୍କି ଏକ କାରରେ ପିଲାଟିକୁ ଅପହରଣ କରାଯାଇଥିଲା । ଅଭିଯୋଗ ପାଇବା ପରେ ଏୟାରଫିଲ୍ଡ ଥାନା ପକ୍ଷରୁ ହୋଇଥିଲା ଛାନବିନ । ସକାଳ ୧୦ଟାରେ ଶିଶୁକୁ ଅପହରଣ କରାଯାଇଥିଲା । ସ୍କୁଲରୁ ଘରକୁ ଫେରିବାବେଳେ ଆରତ ରଞ୍ଜନ କାଳିଆଙ୍କ ୮ ବର୍ଷର ପୁଅକୁ ଏକ କାରରେ ଅପହରଣ କରାଯିବା ନେଇ ଏୟାରଫିଲ୍ଡ ଥାନାରେ ଅଭିଯୋଗ ହୋଇଥିଲା । ଗାଁରୁ ଗାଡ଼ିଟି ବାହାରିବାବେଳେ କିଛି ଯୁବକ ଗାଡ଼ିଟିକୁ ଅଟକାଇଥିଲେ ମଧ୍ଯ ଦୁର୍ବୃତ୍ତମାନେ ବନ୍ଧୁକ ଓ ଛୁରୀ ଦେଖାଇ ପିଲାଟିକୁ ଅପହରଣ କରି ନେଇଥିଲେ । ଅଭିଯୁକ୍ତଙ୍କୁ ଧରିବା ସହ ପିଲାଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରିବା ପାଇଁ ଗଠନ ହୋଇଥିଲା ସ୍ପେଶାଲ ଟିମ୍ । ଆଖପାଖରେ ଛାନବିନ କରିବା ସହ ସିସିଟିଭି ଯାଞ୍ଚ କରାଯାଇଥିଲା । ଠିକ୍ ଏହି ସମୟରେ ଅପହରଣକାରୀଙ୍କ ପାଖରୁ ଆସିଥିଲା ଏକ ଫୋନକଲ୍ । ପିଲାଟିର ମୁଣ୍ଡ ଜାମିନ ରଖି ୧୦ଲକ୍ଷ ଟଙ୍କା ଦାବି କରିଥିଲେ ଅପହରଣକାରୀ । କିନ୍ତୁ ଟେଲିଫୋନ ନମ୍ବରକୁ ଟ୍ରେସ କରି ଅପହରଣକାରୀଙ୍କ ଲୋକେସନ ମିଳିବା ପରେ ପିଲାଟିକୁ ଉଦ୍ଧାର କରାଯାଇଛି ।

ଦର୍ଶକ ଦେଖିଲେ ପାଇକ ବିଦ୍ରୋହର ଲୋମହର୍ଷକ କାହାଣୀ

ଭୁବନେଶ୍ୱର : ଭୁବନେଶ୍ଵର ରବୀନ୍ଦ୍ର ମଣ୍ଡପରେ ରେ ଦର୍ଶକ ଦେଖିଲେ ପାଇକ ବିଦ୍ରୋହର କାହାଣୀ । ବକ୍ସି ଜଗବନ୍ଧୁଙ୍କ ଡାକରାରେ ବିପ୍ଳବୀ କୃତ୍ତିବାସ ପାଟ୍ଟଶାଣୀ ଆରମ୍ଭ କଲେ ଯୁଦ୍ଧ । ବାଣପୁର ଓ ଖୋର୍ଦ୍ଧାରେ କୃତ୍ତିବାସଙ୍କ ନେତୃତ୍ଵରେ ଇଂରେଜ ନମାନେ ବିରୁଦ୍ଧରେ  ଆରମ୍ଭ ହେଲା ଲଢ଼େଇ । ଆଉ ଏହି ଲଢେଇରେ ପରାଜିତ ହେଲା ବ୍ରିଟିଶ ବାହିନୀ । ଶେଷରେ ଇଂରେଜମାନେ କୂଟନୀତି ପ୍ରୟୋଗ କରି କୃତ୍ତିବାସଙ୍କ ଦାଦା ଶ୍ବଶୁର ବାସୁଦେବ ନରେନ୍ଦ୍ର ସିଂହଙ୍କୁ କରାୟତ କଲେ । ନରେନ୍ଦ୍ର ସିଂହଙ୍କ ଛଳନାରେ ଭୁଲିଯାଇ କୃତ୍ତିବାସ ତାଙ୍କ ଘରକୁ ନିଜ ସ୍ତ୍ରୀ ପଦ୍ମାଙ୍କୁ ଦେଖା କରିବାକୁ ଯାଆନ୍ତି । ଆଉ ଛଳନା କରି ଇଂରେଜ କୃତ୍ତିବାସଙ୍କୁ ବନ୍ଦି କରେ । ଏଭଳି ଦେଶପ୍ରେମର କାହାଣୀକୁ ନେଇ ଅତି ଚମତ୍କାର ଢଙ୍ଗରେ ପରିବେଷଣ କରିଛନ୍ତି ଶତାବ୍ଦୀର କଳାକାର।

ଶତାବ୍ଦୀର କଳାକାର ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ନାଟ୍ୟକାର ସ୍ବର୍ଗତ ପର୍ଶୁରାମ ହରିଚନ୍ଦନଙ୍କ ଲିଖିତ ନାଟକ ବିପ୍ଳବୀ କୃତ୍ତିବାସକୁ ଦର୍ଶକ ବେଶ ପସନ୍ଦ କରିଛନ୍ତି । ଧୀର ମଲ୍ଲିକ ଏହାକୁ ନିର୍ଦ୍ଦେଶନା ଦେଇଥିବାବେଳେ ସଂଗୀତରେ ସଜାଇଥିଲେ ପ୍ରତାପ । ଅଭିନୟରେ ସୌମେନ୍ଦ୍ର, ସନ୍ତୋଷ, କାର୍ତ୍ତିକ, ଅନିଲ, ପ୍ରିୟଙ୍କା ରଶ୍ମି ଓ ଅଭିଙ୍କ ଭଳି ଅନେକ ଅଭିଜ୍ଞ କଳାକାରଙ୍କୁ ଦେଖିବାକୁ ମିଳିଥିଲା । ଶତାବ୍ଦୀର କଳାକାରଙ୍କ ପକ୍ଷରୁ ଦ୍ବିତୀୟ ଦିନରେ ପ୍ରସିଦ୍ଧ ନାଟକ ବାଞ୍ଛାର ବଗିଚା ପରିବେଷଣ ହେବ । ମଞ୍ଚ ନାଟକକୁ ବଞ୍ଚାଇ ରଖିବା ପାଇଁ ଶତାବ୍ଦୀର ଏହି ପ୍ରୟାସକୁ ସଭିଏଁ ପ୍ରଶଂସା କରିଛନ୍ତି ।

ଠାକୁରାଣୀ ଯାତ୍ରା ପାଇଁ ଦୁଲୁକୁଛି ବ୍ରହ୍ମପୁର ସହର, ପ୍ରବଳ ଖରା ସତ୍ତ୍ବେ ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ

ବ୍ରହ୍ମପୁର ; କେଉଁଠି ମେଳା ତ କେଉଁଠି ମୀନା ବଜାର । ଖେଳକୁଦ ସାଙ୍ଗକୁ ଖାଦ୍ଯ ପେୟର ଆସର । ହସ୍ତତନ୍ତ ସାମଗ୍ରୀ ସହ ରାଜ୍ଯର ଟେରାକୋଟା ସାମଗ୍ରୀ କିଣାକିଣି ପାଇଁ ଜମିଛି ଆସର । ମହିଶୂର ହସ୍ତଶିଳ୍ପ ଠାରୁ କାଶ୍ମୀରର ପାରମ୍ପରକି ବସ୍ତ୍ର, ରାଜ୍ଯର ହସ୍ତକଳା ସବୁ ଗୋଟିଏ ସ୍ଥାନରେ ମିଳୁଛି । ବ୍ରହ୍ମପୁର ମାଆ ବୁଢୀ ଠାକୁରାଣୀଙ୍କ ଯାତ୍ରା ଆଣି ଦେଇଛି ଲୋକଙ୍କ ପାଇଁ ଏହି ସୁଯୋଗ । ଗତ ୩ ତାରିଖରୁ ମାଆ ବାପା ଘରକୁ ଆସିବା ପରଠାରୁ ଲୋକାରଣ୍ୟ ହୋଇ ଉଠିଛି ବ୍ରହ୍ମପୁର ସହର । ଅସ୍ଥାୟୀ ମଣ୍ଡପରେ ମାଆଙ୍କୁ ଦର୍ଶନ କରି ଯାତ୍ରା ବୁଲୁଛନ୍ତି ପିଲାଠାରୁ ବୁଢା । ପ୍ରବଳ ଖରା ସତ୍ତ୍ବେ ମାଆଙ୍କ ଦର୍ଶନ ପାଇଁ ଜିଲ୍ଲା ଓ ଜିଲ୍ଲା ବାହାରୁ ଶ୍ରଦ୍ଧାଳୁଙ୍କ ସୂଅ ଛୁଟୁଛି ।

ଦୋଳି ଖେଳ ସାଙ୍ଗକୁ ବିଭିନ୍ନ ମଜା ମସ୍ତିରେ ଲାଗି ପଡିଛନ୍ତି ଲୋକେ । ସଂଧ୍ଯା ହେଲା ମାତ୍ରେ ମୀନା ବଜାର ଓ ମେଳାରେ ଜମୁଛି ଖଚାଖଚ ଭିଡ଼ । ରାମ ଦୋଳି ସାଙ୍ଗକୁ ଚକାଭଉଁରି, ଆହୁରି କେତେ କଣ । କିଏ ଦୋଳି ମାୟାରେ ବାୟା ତଦ କିଏ ଚଟପଟି ଖାଦ୍ଯ ଷ୍ଟଲରେ ଭିଡ଼ ଜମାଉଛନ୍ତି । ଦୁଇବର୍ଷ ପରେ ମାଆ ବୁଢୀ ଠାକୁରାଣୀ ଯାତ୍ରା ପଡ଼ିଥିବାରୁ ଏହାକୁ ହାତଛଡ଼ା କରିବାକୁ କେହି ଚାହୁଁ ନାହାନ୍ତି । ମାଆଙ୍କ ଦର୍ଶନ କରି ବିଭିନ୍ନ କଳାକୁଞ୍ଜ ବୁଲି ଦେଖିବା ସହ ମୀନା ବଜାର ଓ ମେଳାରୁ ବିଭିନ୍ନ ସାମଗ୍ରୀ କିଣି ନେଉଛନ୍ତି ଲୋକେ ।