spot_img
Home Blog Page 854

ପୂରଣ ହେବାକୁ ଯାଉଛି ରୋହିତଙ୍କ ସ୍ବପ୍ନ

ନନ୍ଦିଘୋଷ ବ୍ୟୁରୋ: ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ଜୀବନର ସବୁଠୁ ବଡ଼ ଖୁସିର ଦିନ ଆସୁଛି । ବାପାଙ୍କ ଦୀର୍ଘଦିନର ସ୍ବପ୍ନ ପୂରଣ ହେବାକୁ ଯାଉଛି । ମୁମ୍ବାଇର ଓ୍ବାଖଡେ ଷ୍ଟାଡିୟମରେ ଏକ ଷ୍ଟାଣ୍ଡ ହେବାକୁ ଯାଉଛି । ରୋହିତ ଶର୍ମା ୧୩ ମଇରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚ୍ ପାଇଁ ମୁମ୍ବାଇରେ ରହିବେ। ଏହି କାରଣରୁ ମୁମ୍ବାଇ କ୍ରିକେଟ ଆସୋସିଏସନ ୱାଙ୍ଖେଡେ ଷ୍ଟାଡିୟମର ଏକ ଷ୍ଟାଣ୍ଡକୁ ତାଙ୍କ ନାମରେ ନାମିତ କରିବା ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ମେ ୧୫ ତାରିଖରେ ୱାଙ୍ଖଡେ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଖେଳିବ।

ଯେତେବେଳେ ରୋହିତ ଶର୍ମାଙ୍କ ନାମରେ ୱାଙ୍ଖଡେରେ ଏକ ଷ୍ଟାଣ୍ଡ ନିର୍ମାଣ କରାଯାଏ, ତାଙ୍କ ବାପାମାଆ ତାଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରୁଥିବାର ଦେଖାଯାଏ। ପ୍ରକୃତରେ, ରୋହିତ ଶର୍ମା ବିମଲ କୁମାରଙ୍କ ସହ କଥାବାର୍ତ୍ତାରେ କହିଥିଲେ ଯେ ତାଙ୍କ ବାପାମା ଷ୍ଟାଡିୟମରେ ଅଧିକ ମ୍ୟାଚ୍ ଦେଖନ୍ତି ନାହିଁ। କିନ୍ତୁ ସେ ସେମାନଙ୍କୁ କହିଛନ୍ତି ଯେ ଯେତେବେଳେ ୱାଙ୍ଖଡେରେ ସେମାନଙ୍କ ନାମରେ ଏକ ଷ୍ଟାଣ୍ଡ ନାମିତ ହେବ, ସେମାନଙ୍କୁ ମ୍ୟାଚ୍ ଦେଖିବା ପାଇଁ ସେଠାରେ ଆସି ବସିବାକୁ ପଡିବ।

ଗାଜା ଦଖଲ ପାଇଁ ଇସ୍ରାଏଲର ବଡ଼ ଯୋଜନା

ନନ୍ଦିଘୋଷ ବ୍ୟୁରୋ: ସଂପୂର୍ଣ୍ଣ ଗାଜା ଦଖଲ ପାଇଁ ଇସ୍ରାଏଲର ବଡ଼ ଯୋଜନା । କ୍ୟାବିନେଟରେ ହେଲା ନିଷ୍ପତ୍ତି। ଆକ୍ରମଣକୁ ଜୋରଦାର କରି ସଂପୂର୍ଣ୍ଣ ଗାଜା ଅକ୍ତିଆର କରିବାକୁ ପ୍ଲାନ କରାଯାଇଛି। ପାଲେଷ୍ଟାଇନବାସୀଙ୍କୁ ତଡ଼ି ଇହୁଦୀଙ୍କୁ ଥଇଥାନ କରିବାକୁ ନେତାନ୍ୟାହୁଙ୍କ ବଡ଼ ଯୋଜନା ରହିଛି। ଇସ୍ରାଏଲ ନୂତନ ଯୋଜନା ଅନୁଯାୟୀ ସମଗ୍ର ଗାଜାକୁ କବଜା କରାଯିବ। ସର୍ତ୍ତ ଅନୁଯାୟୀ ବନ୍ଧକମାନଙ୍କୁ ମୁକ୍ତ କରିବା ଏବଂ ଯୁଦ୍ଧବିରତି ପାଇଁ ହମାସ ଉପରେ ଚାପ ବୃଦ୍ଧି କରିବା ପାଇଁ ଇସ୍ରାଏଲର ପ୍ରୟାସର ଏକ ଅଂଶ ହେଉଛି ଏହି ଯୋଜନା। ଇସ୍ରାଏଲର ସୁରକ୍ଷା କ୍ୟାବିନେଟ ଗତକାଲି ସମସ୍ତ ଗାଜା ଷ୍ଟ୍ରିପକୁ କବଜା କରିବା ଏବଂ ସେଠାରେ ଅନିର୍ଦ୍ଦିଷ୍ଟ ସମୟ ପାଇଁ ରହିବା ପାଇଁ ଏକ ଯୋଜନାକୁ ଅନୁମୋଦନ କରିଛି। ଏହି ଯୋଜନା ହେଉଛି ହମାସ ଉପରେ ବନ୍ଧକମାନଙ୍କୁ ମୁକ୍ତ କରିବା । ଇସ୍ରାଏଲର ସର୍ତ୍ତାବଳୀରେ ଯୁଦ୍ଧବିରତି ପାଇଁ ଆଲୋଚନା କରିବା ପାଇଁ ଚାପ ବୃଦ୍ଧି କରିବା ପାଇଁ ଇସ୍ରାଏଲର ପ୍ରୟାସର ଏକ ଅଂଶ। ଲକ୍ଷ ଲକ୍ଷ ପାଲେଷ୍ଟାଇନବାସୀଙ୍କୁ ଦକ୍ଷିଣ ଗାଜାକୁ ସ୍ଥାନାନ୍ତରିତ କରାଯିବ। ଦରକାର ପଡି଼ଲେ ପରେ ଇସ୍ରାଏଲବାସିନ୍ଦାଙ୍କୁ ଗାଜାରେ ଥଇଥାନ କରିବାକୁ ମଧ୍ୟ ଯୋଜନା କରାଯାଇଛି।

ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା

ନନ୍ଦିଘୋଷ ବ୍ୟୁରୋ: ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ସମ୍ଭାବନା। ୨୪ ଘଣ୍ଟାରେ ୩ ରୁ ୫ ଡିଗ୍ରୀ କମିବ ଦିନର ତାପମାତ୍ରା । ଆଜି ବି ପ୍ରବଳ ବର୍ଷା ନେଇ ୯ ଜିଲ୍ଲାକୁ ୟେଲୋ ଓ୍ବାର୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ସବୁ ଜିଲ୍ଲାରେ ବର୍ଷା ସହିତ ଝଟକା ପବନର ବେଗ ୬୦ ରୁ ୭୦ କିମି ରହିପାରେ। କାଲିଠୁ ୯ ତାରିଖ ପର୍ଯ୍ୟନ୍ତ ବର୍ଷାକୁ ନେଇ କୌଣସି ସତର୍କତା ଜାରି ହୋଇନାହିଁ।୩ ଦିନ ପରେ ତାପମାତ୍ରା ୨ ରୁ ୪ ଡିଗ୍ରୀ ବଢିପାରେ।

ବର୍ଷା ପାଇଁ ପ୍ଲେଅଫରୁ ବାଦ ପଡ଼ିଲା ହାଇଦ୍ରାବାଦ, ଦିଲ୍ଲୀକୁ ହେଲା ଫାଇଦା..

ନନ୍ଦିଘୋଷ ବ୍ୟୁରୋ: ଆଇପିଏଲ ୨୦୨୫ର ପ୍ରତିଟି ମ୍ୟାଚ ବେଶ ରୋମାଞ୍ଚକ ହେଉଛି । ତେବେ ପ୍ଲେଅଫ ରେସରେ ରହିଛନ୍ତି ୭ ଟିମ୍ । ସୋମବାର ଦିଲ୍ଲୀ କ୍ୟାପିଟାଲ ଏବଂ ହାଇଦ୍ରାବାଦ ମଧ୍ୟରେ ଖେଳାଯାଇଥିବା ମ୍ୟାଚରେ ବର୍ଷା ବାଧକ ସାଜିଥିଲା । ଯେଉଁଥିରେ ପଏଣ୍ଟ ଭାଗ ବଣ୍ଟା ହୋଇଥିଲା । ପ୍ରଥମେ ଦିଲ୍ଲୀ ବ୍ୟାଟିଂ କରି ୧୩୩ ରନ କରିଥିଲା । ହାଇଦ୍ରାବାଦ ଆଗରେ ୧୩୪ ରନର ବିଜୟ ଲକ୍ଷ୍ୟ ରହିଥିଲା । ମାତ୍ର ବର୍ଷା କାରଣରୁ ପଏଣ୍ଟ ଭାଗ ବଣ୍ଟା ହୋଇଛି । ଯାହାଦ୍ବାରା ହାଇଦ୍ରାବାଦ ଏକପ୍ରକାର ପ୍ଲେଅଫ୍ ରେସରୁ ବାଦ୍ ପଡ଼ିଛି । ସେପଟେ ଏହି ୧ ପଏଣ୍ଟ ଦ୍ବାରା ଦିଲ୍ଲୀ ୧୩ ପଏଣ୍ଟ ପାଇଛି । ଦଳକୁ ଏହାଦ୍ବାରା ଭଲ ଫାଇଦା ହୋଇଛି ।

ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ମୁନିର ! ମାନିଲା ପାକିସ୍ତାନ..

ନନ୍ଦିଘୋଷ ବ୍ୟୁରୋ: ମାନିଲା ପାକିସ୍ତାନ। ପହଲଗାଁଓ ଆକ୍ରମଣର ମାଷ୍ଟର ମାଇଣ୍ଡ ହେଉଛନ୍ତି ପାକିସ୍ତାନର ଆର୍ମି ଚିଫ୍ ଅସିମ ମୁନିର। ସେ ହିଁ ଏହି ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହା କହିଛନ୍ତି, ପାକ୍ ର ପୂର୍ବତନ ସେନା ମେଜର ଆଦିଲ ରାଜା। ସେ କହିଛନ୍ତି, ଆଉ ଜଣେ ଜିଆ ଉଲ ହକ ହେବାକୁ ଚାହୁଁଛନ୍ତି। ପାକ୍ ଆର୍ମି ଚିଫ୍ ଅସୀମ ମୁନିର ପାକିସ୍ତାନର ସର୍ବେସର୍ବା ଏକଛତ୍ରବାଦୀ ଶାସକ ହେବାକୁ ଚାହୁଁଛନ୍ତି। ସେଥିପାଇଁ ଭାରତ ଉପରେ ଆକ୍ରମଣ କରିଛନ୍ତି ମୁନିର।

ଏହି ଖୁଲାସା କରିଛନ୍ତି ପାକିସ୍ତାନର ପୂର୍ବତନ ମେଜର ଆଦିଲ ରାଜା। ସେ କହିଛନ୍ତି, ଆତଙ୍କୀ ଆକ୍ରମଣ କରିବାକୁ ପାକ୍ ସେନାମୁଖ୍ୟଙ୍କ ନିର୍ଦ୍ଦେଶ ଥିଲା। ପହଲଗାଁଓରେ ଆକ୍ରମଣ କରିବାକୁ ଅସୀମ ମୁନିର ହିଁ ନିର୍ଦ୍ଦେଶ ଦେଇଥିଲେ ବୋଲି କହିଛନ୍ତି ଆଦିଲ ରାଜା।

ଆହୁରି ଶକ୍ତିଶାଳୀ ହେଲା ଭାରତୀୟ ନୌସେନା, MIGM ମିଜାଇଲର ସଫଳ ପରୀକ୍ଷା

ନନ୍ଦିଘୋଷ ବ୍ୟୁରୋ: ଭାରତୀୟ ନୌସେନା ପରୀକ୍ଷା କଲା MIGM ମିଜାଇଲ । MIGM ହେଲା ମଲ୍ଟି ଇନଫ୍ଲୁଏନ୍ସ ଗ୍ରାଉଣ୍ଡ ମାଇନ । ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ହୋଇଛି ଏହି MIGM ମିସାଇଲ । ଏହା ନୌସେନାର ଶକ୍ତି ବୃଦ୍ଧି କରିବାରେ ମାଇଲଖୁଣ୍ଟ ହେବ । ସେଥିପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ  DRDO, ନୌସେନାକୁ ଶୁଭେଚ୍ଛା ଜଣାଇଛନ୍ତି । ପହଲଗାଓଁ ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚି ଥିବା ବେଳେ ଭାରତୀୟ ନୌସେନା ଏହି ମିସାଇଲର ପରୀକ୍ଷା କରିଛି ।

ବିକାଶ ପାଇଁ ଦେଇଥିଲେ ଶହେ ଦିନର କଣ୍ଟ, ପୂରିଲାଣି ୩୩୦ ଦିନ; ବିକାଶ କାମ ଠପ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟରେ ସରକାର ଚାଲିବା ଭଳି ଲାଗୁନି । ବିଜେପି ଯେପରି ଭାବେ ସରକାର ଚଳାଇଛି ଲୋକେ ଅତିଷ୍ଟ ହେଲେଣି । ପ୍ରଶ୍ନ ଉଠାଇ ବିଜେଡି ଅଭିଯୋଗ କରିଛି ବିକାଶମୂଳକ କାର୍ଯ୍ୟ ସମ୍ପୂର୍ଣ୍ଣ ଠପ୍‌ । ୧୦୦ ଦିନର ନିର୍ବାଚନୀ ପ୍ରତିଶ୍ରୁତି ଏବେ ୩୩୦ ଦିନରେ ପହଞ୍ଚିଲାଣି । ଆଗେ ସରକାର ବିକାଶର ହିସାବ ଦିଅନ୍ତୁ । ପରେ ରାଜ୍ୟବାସୀଙ୍କ ତରଫରୁ ବିଜେଡି ହିସାବ ମାଗିବ । କଂଗ୍ରେସ ମଧ୍ୟ ଅଭିଯୋଗ କରି କହିଛି, ଏବେର ରାଜ୍ୟ ସରକାର ସବୁ କ୍ଷେତ୍ରରେ ବିଫଳ ।

ବିକାଶ ପାଇଁ ୧୦୦ ଦିନ କଣ୍ଟ ଦେଇଥିଲ । ଏବେ ୩୩୦ ଦିନ ପୂରିବାକୁ ବସିଲାଣ । ରାଜ୍ୟ ସରକାରଙ୍କୁ ବିଜେଡିର ଖୋଲା ଚାଲେଞ୍ଜ୍‌ । କ’ଣ କରିଛ ବିକାଶ ? ଜବାବ ମାଗୁଛନ୍ତି ଲୋକେ । ଆଗ ଲୋକଙ୍କୁ ହିସାବ ଦିଅ । ପରେ ରାଜ୍ୟବାସୀଙ୍କ ତରଫରୁ ସରକାରଙ୍କୁ ହିସାବ ମାଗିବ ବିଜୁ ଜନତା ଦଳ ।  ୨୦୨୪ ନିର୍ବାଚନରେ ବିଜେପି ଓଡିଶାବାସୀଙ୍କ ଦେଇଥିବା ପ୍ରତିଶ୍ରୁତି କେତେ ପାଳନ କରିଛି ? ବିକାଶର ଚିତ୍ର ଦେଖାଇ ଶାସକ ଦଳ ଯେଉଁ ହିସାବ ଦେବ ସେ ସବୁ ବେହିସାବ ବୋଲି ଧରାଯିବ । ୧୧ ମାସର ବିଜେପି ସରକାର ଉପରେ ଅତିଷ୍ଠ ଲୋକେ । ଯଦି ଏବେ ନିର୍ବାଚନ ହୁଏ, ଅବସ୍ଥା ଖରାପ ହୋଇଯିବ । ଏପରି କହି ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି ବରିଷ୍ଠ ବିଜେଡି ବିଧାୟକ ଅରୁଣ ସାହୁ ।  ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଅଭିଯୋଗ କରିଛନ୍ତି, ଓଡିଶାବାସୀଙ୍କୁ ସେବା ଦେବାରେ ରାଜ୍ୟ ସରକାରଙ୍କ ସବୁ ବିଭାଗ ବିଫଳ । ୩୦୦ ୟୁନିଟ ମାଗଣା ବିଜୁଳି, ଚିଟଫଣ୍ଡ, ଧାନର କଟନିଛଟନି ପ୍ରସଙ୍ଗ ଉଠାଇ ବିଜେପିକୁ ନିର୍ବାଚନୀ ପ୍ରତିଶ୍ରୁତି ମନେ ପକାଇଦେଇଛି କଂଗ୍ରେସ । ବର୍ଷ ପୂରିବା ପରେ ମନ୍ତ୍ରୀମାନେ ରିପୋର୍ଟ କାର୍ଡ଼ ସହ ନିଜର ବିଫଳତାର କଥା କହିବେ କି ବୋଲି କଂଗ୍ରେସ ପଚାରିଛି ।

ବିରୋଧୀଙ୍କ ଅଭିଯୋଗର ଜବାବ ଦେଇଛି ଶାସକ ବିଜେପି । ବିଜେପି ବିଧାୟକ ସନ୍ତୋଷ ଖଟୁଆଙ୍କ ଯୁକ୍ତି ସରକାର ବିରୋଧରେ ନ୍ୟାରେଟିଭ ସୃଷ୍ଟି କରୁଛି ବିଜେଡି । ଛାୟା ମନ୍ତ୍ରିମଣ୍ଡଳ ଗଠନ କରି ଏପରି ନ୍ୟାରେଟିଭ ପ୍ରସ୍ତୁତ କରାଯାଉଥିବା ସେ ଅଭିଯୋଗ କରିଛନ୍ତି । ବିଜେପି ଶାସନରେ ଲୋକେ ସନ୍ତୁଷ୍ଟ ଥିବା ସେ ପାଲଟା ଜବାବ ଦେଇଛନ୍ତି । ବରିଷ୍ଠ କଂଗ୍ରେସ ନେତା ସୁରେଶ କୁମାର ରାଉତରାୟ ବିଜେପି ବିଧାୟକଙ୍କ ଏପରି ଯୁକ୍ତିକୁ ନେଇ କଡା ସମାଲୋଚନା କରିଛନ୍ତି ।

କ୍ଷମତାକୁ ଆସିବା ଦିନଠାରୁ ବିଜେପି ସରକାର ଓଡିଶାବାସୀଙ୍କୁ ଭଣ୍ଡାଇ ଚାଲିଛି । ନିର୍ବାଚନୀ ପ୍ରତିଶ୍ରୁତି ପାଳନ କରିବାରେ ଅପାରଗ ଡବଲ ଇଞ୍ଜିନ ସରକାର ଖାଲି ଝୁଣ୍ଟି ଚାଲିଛନ୍ତି ।

ଜୁନ ୩୦ ସୁଦ୍ଧା ସୀମା ପୁନଃନିର୍ଦ୍ଧାରଣ କାମ ସାରିବାକୁ ରାଜସ୍ବ ବିଭାଗର ନିର୍ଦ୍ଦେଶ, ସରକାରଙ୍କୁ ଘେରିଲେ ବିରୋଧୀ

ନନ୍ଦିଘୋଷ ବ୍ୟୁରୋ: ଜୁନ ୩୦ ସୁଦ୍ଧା ପ୍ରଶାସନିକ ସୀମା ପୁନଃ ନିର୍ଦ୍ଧାରଣ କାମ ସାରିବାକୁ ରାଜସ୍ବ ବିଭାଗ ନିଷ୍ପତ୍ତି ନେବା ପରେ ଆରମ୍ଭ ହୋଇଛି ରାଜନୀତି । ହାତରେ ଦୁଇ ମାସରୁ କମ ସମୟ । ଏହା ଭିତରେ ନୂତନ ରାଜସ୍ବ ଗାଁ କି ନୂତନ ପୌର ସଂସ୍ଥା ଗଠନ ହେବାର ଆଶା ମଉଳିଛି । ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ନିଜ ଇଚ୍ଛା ଅନୁସାରେ ଗାଁ ଓ ପୌର ସଂସ୍ଥା ଗଢିବାକୁ ଏହା ସରକାରଙ୍କ ଷଡ଼ଯନ୍ତ୍ର ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ସେପଟେ ସରକାର ବି ଏତେ କମ ସମୟ ଭିତରେ ନୂତନ ରାଜସ୍ବ ଗାଁ କି ନୂତନ ପୌର ସଂସ୍ଥା ଗଠନ କରିବା ନେଇ ସ୍ପଷ୍ଟ ଚିତ୍ର ଦେଇ ପାରିନାହାନ୍ତି ।

ମଉଳିଲା ଆଶା । ପଡ଼ା ଗାଁକୁ ରାଜସ୍ବ ଗାଁ ମାନ୍ୟତା ପାଇଁ ଅପେକ୍ଷାରେ ଅନ୍ତ ଘଟିବାର ସମ୍ଭାବନା କମ୍ । ସେହିପରି ନୂତନ ଏନଏସି କି ପୌର ପରିଷଦ ଗଠନର ବି ଆଶା ନୋହିଲା । ଏପରିକି ପଦମପୁରକୁ ଜିଲ୍ଲା ମାନ୍ୟତା ମିଳିବା ଆଶା ବି ଅନ୍ଧାର ଆଡ଼କୁ ଠେଲି ହୋଇଯାଇଛି । କାରଣ ହଠାତ୍ ରାଜସ୍ବ ବିଭାଗ ଜୁନ ୩୦ ସୁଦ୍ଧା ପ୍ରଶାସନିକ ସୀମା ପୁନଃ ନିର୍ଦ୍ଧାରଣ କାମ ସାରିବାକୁ ନିର୍ଦ୍ଦେଶ ଦେଇଛି । ନବୀନ ପଟ୍ଟନାୟକ ସମୟରେ ଅନେକ ପଡ଼ା ଗାଁ ରାଜସ୍ବ ଗାଁ ଓ ନୂତନ ଏନଏସି ଓ ପୌର ପରିଷଦ ପାଇଁ ଘୋଷଣା ହୋଇଥିଲା । ହେଲେ ସରକାର ବଦଳିବା ପରେ ଏହି କାମକୁ ଆଉ ଆଗେଇ ନାହାନ୍ତି ଡବଲ ଇଂଜିନ ସରକାର । ସେପଟେ ଲୋକଙ୍କ ଅପେକ୍ଷାକୁ ରାଜସ୍ବ ବିଭାଗର ଛାଟ ପଡ଼ିଛି । ହାତରେ ଦୁଇ ମାସରୁ କମ ସମୟ ବାକି ଅଛି । ଏତେ କମ୍ ସମୟରେ କିପରି ପ୍ରଶାସନିକ ସୀମା ପୁନଃ ନିର୍ଦ୍ଧାରଣ ହେବ ବୋଲି ପ୍ରଶ୍ନ କରିଛନ୍ତି ବିରୋଧୀ । ପଞ୍ଚାୟତ ନିର୍ବାଚନ ଓ ଦଳୀୟ ସ୍ବାର୍ଥକୁ ଦୃଷ୍ଟିରେ ରଖି ବିଜେପି ସୀମା ପୁନଃ ନିର୍ଦ୍ଧାରଣରେ ବ୍ରେକ ଲଗାଉଥିବା ବିଜେଡି ଅଭିଯୋଗ କରିଛି । ଜନଗଣନା ପରେ ଏ ସବୁ କାର୍ଯ୍ୟକ୍ରମ ଆଗେଇବାକୁ କଂଗ୍ରେସ ଦାବି କରିଛି । ନୂତନ ରାଜସ୍ବ ଗାଁ କି ନୂତନ ପୌର ସଂସ୍ଥା ଗଠନ ନ ହେଲେ ଲୋକଙ୍କ କ୍ଷତି ହେବ । ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଏପରି କରାଯାଇଥିବା କଂଗ୍ରେସ ଅଭିଯୋଗ କରିଛି । ହାରିଲେ ମନ୍ତ୍ରିମଣ୍ଡଳ ଟଳମଳ ହେବା ଭୟ ଥିବା କଟାକ୍ଷ କରିଛନ୍ତି ବିରୋଧୀ ।

ଆସନ୍ତା ଜୁଲାଇରେ ଜନଗଣନା ହେବା ନେଇ ସରକାର ସ୍ପଷ୍ଟ କରିଛନ୍ତି । ହେଲେ ଏ କଥା ସ୍ପଷ୍ଟ କରି ପାରୁ ନାହାନ୍ତି କି ଏତେ କମ୍ ସମୟ ଭିତରେ ନୂତନ ରାଜସ୍ବ ଗାଁ କି ନୂତନ ପୌର ସଂସ୍ଥା ଗଠନ ହେବ କି ନାହିଁ । ଆବେଦନ ଗୁଡ଼ିକୁ ମଞ୍ଜୁରୀ ଦେବାକୁ ଚେଷ୍ଟା କରିବେ ବୋଲି ସରକାର ସଫେଇ ଦେଇଛନ୍ତି ।

ବିଜେପି ସରକାରକୁ ୧୦ ମାସ ପୂରିଲାଣି । ଏହି ସମୟ ଭିତରେ ପୁରୁଣା ସରକାରଙ୍କ ଗୋହି ଖୋଳାରୁ ନିବୃତ ରହି ବାକି ପଡ଼ିଥିବା ଯୋଜନାକୁ ଆଗେଇ ଥିଲେ, ଆଜି ଠିକ୍ ସମୟରେ ସୀମା ପୁନଃ ନିର୍ଦ୍ଧାରଣ କାମ ସରିଥାନ୍ତା । ଏବେ ଡେଡଲାଇନ ମିଳି ଗଲାଣି । ବାହାଘର ଦିନ ବାଈଗଣ ରୁଆ ପରି ତରବରିଆ ଭାବେ କାମ କଲେ ଭବିଷ୍ୟତ ପାଇଁ ସୁଫଳ ମିଳିବନି ବୋଲି ଚର୍ଚ୍ଚା ହେଉଛି ।

ସରକାରଙ୍କୁ ଦୁଗ୍ଧ ଚାଷୀଙ୍କ ୧୫ ଦିନିଆ କଣ୍ଟ, ଦାବି ପୂରଣ ନହେଲେ ରାଜ୍ୟବ୍ୟାପୀ ଆନ୍ଦୋଳନ

ନନ୍ଦିଘୋଷ ବ୍ୟୁରୋ: ରାଜ୍ୟର ସାଧାରଣ ଚାଷୀ ହେଉ କିମ୍ବା ଦୁଗ୍ଧ ଚାଷୀ, ସମସ୍ତେ ଦୁର୍ଦ୍ଦଶା ମଧ୍ୟରେ । କିଏ ଚାଷ ଛାଡ଼ିଲାଣି ତ କିଏ ଆନ୍ଦୋଳନ ପାଇଁ ସଜବାଜ ହେଉଛନ୍ତି । ଏହି କ୍ରମରେ ଦୁଗ୍ଧର ଉଚିତ ମୂଲ୍ୟ ମାଗି ବିଫଳ ହେବା ପରେ ଏବେ ରାଜ୍ୟ ସରକାରଙ୍କୁ ୧୫ ଦିନର କଣ୍ଟ ଦେଇଛି ଦୁଗ୍ଧ ଚାଷୀ ମହାସଂଘ । ଦାବି ପୂରଣ ନ ହେଲେ ରାଜ୍ୟବ୍ୟାପୀ ବ୍ୟାପକ ଆନ୍ଦୋଳନ ପାଇଁ ସଂଘ ହେଉଛି ପ୍ରସ୍ତୁତି ।

ଓମ୍ଫେଡ଼ ଲିଟର ପିଛା ଲୋକଙ୍କୁ ୬୨ ଟଙ୍କାରେ କ୍ଷୀର ବିକୁଥିଲେ ମଧ୍ୟ ଚାଷୀଙ୍କୁ ୪୦ ଟଙ୍କା ବି ଦେବାକୁ ନାରାଜ । ଏ ସମ୍ପର୍କରେ ବାରମ୍ବାର ଆନ୍ଦୋଳନ ଓ ଦାବି ପରେ ମଧ୍ୟ ସରକାର ଜାଣି ବି ନ ଜାଣିଲା ଭଳି ରହୁଛନ୍ତି । କ୍ଷୀର ଲିଟର ପିଛା ୪୦ ଟଙ୍କା କରିବା, ଗୋଖାଦ୍ୟ ଦର ନିୟନ୍ତ୍ରଣ କରିବା, ଦୁଗ୍ଧ ଚାଷୀଙ୍କୁ ସରକାର ବୀମା ରାଶି ନିଜେ ପ୍ରଦାନ କରିବା ଓ ଡାକ୍ତରୀ ସହାୟତା ଯୋଗାଇ ଦେବା ଆଦି ଦାବି ପୂରଣ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସରକାରଙ୍କ ନିକଟରେ ଦାବି ରଖିଛି ରାଜ୍ୟ ଦୁଗ୍ଧ ଚାଷୀ ମହାସଂଘ । ପ୍ରାଣୀ ସମ୍ପଦ ମନ୍ତ୍ରୀ ଓ ଓମ୍ଫେଡ଼ ଏମଡିଙ୍କୁ ଦାବିପତ୍ର ଦେବା ସହ ୧୫ ଦିନର କଣ୍ଟ ଦେଇଛି ଓଡିଶା ଦୁଗ୍ଧ ଚାଷୀ ମହାସଂଘ । ୧୫ ଦିନ ମଧ୍ୟରେ ଦୁଗ୍ଧ ଲିଟର ପିଛା ଅତି କମରେ ୪୦ ଟଙ୍କା ନକଲେ ୩ ଲକ୍ଷ ଦୁଗ୍ଧ ଚାଷୀ ଓ ତାଙ୍କ ପରିବାର ରାଜ୍ୟବ୍ୟାପୀ କ୍ଷୀର ଢାଳି ପ୍ରତିବାଦ କରିବେ । ଏଥିପାଇଁ ଆସନ୍ତା ୧୫ ତାରିଖରେ ମହାସଂଘର ସାଧାରଣ ପରିଷଦ ବୈଠକ ଡକାଯାଇଛି ।

ସେପଟେ ଦୁଗ୍ଧ ଚାଷୀ ସରକାରଙ୍କ ପାଖରେ ନିଜର ହକ ପାଇଁ କହି କହି ନିରାଶ । ଏବେ ଚାଷ ଛାଡିବାକୁ ନିଷ୍ପତ୍ତି ନେଲେଣି ଚାଷୀ । ସରକାର ଯାହା କହୁଛନ୍ତି, ତା’ର କିଛି ବି ପ୍ରତିଫଳନ ଦେଖିବାକୁ ମିଳୁ ନାହିଁ ବୋଲି ଅଭିଯୋଗ ହୋଇଛି । କ୍ଷୀରର ଉଚିତ ମୂଲ୍ୟ ମିଳୁ ନ ଥିବାବେଳେ ଗୋଖାଦ୍ୟ ଦାମ ମଧ୍ୟ ଏବେ ଆକାଶଛୁଆଁ । ସେପଟେ ସରକାର ବିଭିନ୍ନ ଯୋଜନା କଥା ଘୋଷଣା କରିଥିଲେ ମଧ୍ୟ ସେସବୁ କେବଳ ଶୁଣିବାକୁ ମିଳୁଛି କିନ୍ତୁ କାମରେ କିଛି ନାହିଁ ବୋଲି ଦୁଗ୍ଧ ଚାଷୀ କହିଛନ୍ତି । ତେଣୁ ଦୁଗ୍ଧ ଚାଷୀ ମହାସଂଘର ରାଜ୍ୟବ୍ୟାପୀ ଆନ୍ଦୋଳନ ଡାକରାକୁ ସମର୍ଥନ ଦେବା ସହ ସମସ୍ତେ ରାସ୍ତାକୁ ଓହ୍ଲାଇବେ ବୋଲି ଦୁଗ୍ଧ ଚାଷୀ କହିଛନ୍ତି ।

ସେପଟେ ସରକାରୀ ସ୍ତରରେ ଅନ୍ୟ କମ୍ପାନୀର ଦୁଗ୍ଧଜାତ ସାମଗ୍ରୀ ବ୍ୟବହାର ନ କରି ଓମ୍ଫେଡ଼ କ୍ଷୀର, ଦହି, ଲସି ଆଦି ଯୋଗାଇବାକୁ ଦାବି କରିଛି ଦୁଗ୍ଧ ଚାଷୀ ମହାସଂଘ । ଯାହା ଫଳରେ ରାଜ୍ୟର ଦୁଗ୍ଧ ଚାଷୀମାନେ ଆର୍ଥିକ କ୍ଷେତ୍ରରେ ଅଧିକ ସମୃଦ୍ଧ ହୋଇପାରିବେ ବୋଲି କୁହାଯାଇଛି ।

କାହିଁକି ବିଜୁ ବାବୁଙ୍କ ମର ଶରୀରରେ ଘୋଡ଼ା ଯାଇଥିଲା ତିନିଟି ଦେଶର ଜାତୀୟ ପତାକା ?

ନନ୍ଦିଘୋଷ ବ୍ୟୁରୋ: ବିଜୁ ପଟ୍ଟନାୟକଙ୍କ ସମ୍ପର୍କରେ ଲେଖିବାକୁ ଯାଇ ପ୍ରତିଥଯଶା କଥାକାର ସୁରେନ୍ଦ୍ର ମହାନ୍ତି ଗୀତାର ଏକ ଶ୍ଳୋକର କିୟଦଂଶ ଉଦ୍ଧାର କରିଥିଲେ । ତାହା ହେଲା- ଅଭିଜାନନ୍ତି ମାଂ ମୁଢା ମାନୁଷୀ ତନୁମାଶ୍ରିତମ । ଅର୍ଥାତ ମୁଁ ମନୁଷ୍ୟ ଦେହରେ ଅଛି ବୋଲି ମୁର୍ଖ ମନୁଷ୍ୟ ମତେ ଚିହ୍ନି ପାରୁନାହିଁ । ବାସ୍ତବରେ ବିଜୁ ବାବୁଙ୍କ କ୍ଷେତ୍ରରେ ଏହା ପ୍ରଯୁଜ୍ୟ । ବିଜୁ ପଟ୍ଟପଟ୍ଟନାୟକ ଜଣେ ମଣିଷ । କିନ୍ତୁ ସେ ଯାହା କରିଯାଇଛନ୍ତି କୌଣସି ମନୁଷ୍ୟ କ୍ଷେତ୍ରରେ ତାହା ସମ୍ଭବ ନୁହେଁ । ରାଜ୍ୟ ବା ଦେଶ ନୁହେଁ, ସମଗ୍ର ବିଶ୍ବରେ ତାଙ୍କ ସାହାସିକତା ଓ ଦୁର୍ଦ୍ଦର୍ଷ ଦେଶପ୍ରେମର ଗାଥାକୁ ନେଇ ହୋଇଛି ଚର୍ଚ୍ଚା । ସେଥିପାଇଁ ତ ତାଙ୍କ ଅବର୍ତ୍ତମାନରେ ମଧ୍ୟ ବିଭିନ୍ନ ରାଷ୍ଟ୍ର ତାଙ୍କୁ ମନେ ପକାଉଛନ୍ତି । ୧୯୯୭ ମସିହା ଏପ୍ରଲ ୧୭ ତାରିଖରେ ତାଙ୍କ ମହାପ୍ରୟଣ ଘଟିବା ପରେ ତାଙ୍କ ମର ଶରୀରରେ ୩ଟି ଦେଶର ଜାତୀୟ ପତାକା ଘୋଡା ଯାଇଥିଲା । ତିନୋଟି ପତାକା ହେଲା ଭାରତ, ଇଣ୍ଡୋନେସିଆ ଓ ଋଷର ଜାତୀୟ ପତାକା । ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ମର ଶରୀରରେ କାହିଁକି ପଡିଥିଲା ତିନି ଦେଶର ଜାତୀୟ ପତାକା ? ୟା ପଛର କାହାଣୀ ପ୍ରତ୍ୟୋକ ଓଡିଆ କାହିଁକି ପ୍ରତ୍ୟୋକ ଭାରତୀୟଙ୍କ ପାଇଁ ଯେତିକି ଗର୍ବର କଥା ସେତିକି ପ୍ରେରଣାଦାୟୀ । ସାମଗ୍ରିକ ହିସାବରେ କୁହାଯାଇପାରେ, ବିଜୁ ପଟ୍ଟନାୟକ ଥିଲେ ଜଣେ ଦୁର୍ଦ୍ଦଶ ଦେଶଭକ୍ତ ।

ଡାଲମିଆ ଜୈନ ଏୟାରୱେଜର ମୁଖ୍ୟ ପାଇଲଟ ଭାବେ ବୃତ୍ତିଗତ ଜୀବନ ଆରମ୍ଭରୁ ତାଙ୍କ ସାହସିକତା ଓ ଦେଶ ପ୍ରେମ ହୋଇଥିଲା ବହୁ ଚର୍ଚ୍ଚିତ । ନିଜ ସହଯୋଗୀ ପାଇଲଟମାନଙ୍କୁ ଦେଶପ୍ରେମରେ ଉଦବୁଦ୍ଧ କରି ଅଣ୍ଡର ଗ୍ରାଉଣ୍ଡ ଡାଇରେକ୍ଟୋରେଟ ନାମରେ ଏକ ବ୍ରିଟିଶ ବିରୋଧୀ ଅଭିଯାନ ଚଳାଇଥିବା ଦଳକୁ ବରାବର ସହଯୋଗ କରି ଆସୁଥିଲେ ବିଜୁ ବାବୁ । ଜୟ ପ୍ରକାଶ ନାରାୟଣ, ରାମ ମନୋହର ଲୋହିଆ, ଅଚ୍ୟୁତ ପଟ୍ଟବର୍ଦ୍ଧନ, ଅରୁଣା ଅସଫ ଅଲ୍ଲୀଙ୍କ ଭଳି ନେତୃବୃନ୍ଦ ଥିଲେ ଏହି ଅଣ୍ଡରଗ୍ରାଉଣ୍ଡ ଡାଇରେକ୍ଟୋରେଟର ସଦସ୍ୟ । ଏହି ଗୋଷ୍ଠୀର ଗୁପ୍ତ ନିର୍ଦ୍ଦେଶକୁ କଲିକତା, ବମ୍ବେ, ମାଡ୍ରାସ ଆଦି ସ୍ଥାନରେ ଥିବା ସେମାନଙ୍କ କମ୍ରେଡଙ୍କ ପାଖରେ ପହଞ୍ଚାଇବା ପାଇଁ ବିଜୁ ପଟ୍ଟନାୟକ ନିର୍ଭିକ ଭାବରେ କରୁଥିଲେ ସହଯୋଗ । ୧୯୪୨-୪୩ରେ ଯେତେବେଳେ ଅଣ୍ଡରଗ୍ରାଉଣ୍ଡ ମିଶନର କିଛି ଗୁରୁତ୍ବପୂର୍ଣ୍ଣ ଯୋଜନା କାର୍ଯ୍ୟକାରୀ କରିବା ଲାଗି ଜୟପ୍ରକାଶ ନାରାୟଣଙ୍କ ସହ ରାଜଗୋପାଳଚାରୀଙ୍କ ଭେଟିବା ଏକାନ୍ତ ଜରୁରୀ ଥିଲା, ସେତେବେଳେ ନିଜ ବିମାନରେ ରାଜଗୋପାଳଚାରୀଙ୍କୁ ମାଡ୍ରାସରୁ ଦିଲ୍ଲୀ ପହଞ୍ଚାଇଥିଲେ ବିଜୁ ବାବୁ । ବ୍ରିଟିଶ ଶାସନକୁ ସାମାନ୍ୟ ଭୃକ୍ଷେପ ନଥିଲା ବିଜୁ ବାବୁଙ୍କର । ଏଥିରେ କ୍ଷୁବ୍ଧ ହୋଇଥିଲା ବ୍ରିଟିସ ପ୍ରଶାସନ । ବିଜୁ ବାବୁଙ୍କୁ ଭୋଗିବାକୁ ପଡ଼ିଥିଲା ୨ ବର୍ଷର ଜେଲଦଣ୍ଡ ।

ଜେଲରୁ ବିଜୁ ବାବୁ ମୁକୁଳିବା ପରେ ଯେଉଁ ବିମାନ କମ୍ପାନୀରେ ବିଜୁବାବୁ ଯୋଗ ଦେଇଥିଲେ, ସେହି କମ୍ପାନୀ ବ୍ରିଟିଶମାନଙ୍କ ପାଇଁ ଦ୍ବିତୀୟ ବିଶ୍ବଯୁଦ୍ଧରେ ନିୟୋଜିତ ଥିଲା । ଏହି ସମୟରେ ମଧ୍ୟ ବିଜୁ ବାବୁ ଦେଖାଇଥିଲେ ନିଜ ଦକ୍ଷତା, ଦୁର୍ଦ୍ଦଶ ପଣିଆ । ଦ୍ବିତୀୟ ବିଶ୍ବଯୁଦ୍ଧର ଘମାଘୋଟ ଭିତରେ ଯେତେବେଳେ ଚତୁର୍ଦ୍ଦିଗରେ କମାଣର ଗର୍ଜନ, ଆକାଶରେ ପାଦେ ପାଦେରେ ବିପଦ, ସେତେବେଳେ ହିମାଳୟର ଭୟଙ୍କର ଆକାଶକୁ ଚିରି ସେ ବହୁବାର ଚୀନ ମାଟିରେ ଓହ୍ଲାଇଥିଲେ ନିଜ ବିମାନ । ପହଞ୍ଚାଇ ଥିଲେ ସାମରିକ ସରଞ୍ଜାମ ଓ ସେନା । ସେହି ଯୁଦ୍ଧର ଘନଘଟା ଭିତରେ ଯୁଦ୍ଧ ତୋପର ଛାତିଥରା ଚିତ୍କାର ଭିତରେ ବ୍ରିଟିଶ ପରିବାରଙ୍କୁ ବର୍ମାରୁ ନେଇ ଲଣ୍ଡନରେ ପହଞ୍ଚାଇଥିଲେ । ସର୍ବୋପରି ଦ୍ବିତୀୟ ବିଶ୍ବଯୁଦ୍ଧ ବାରୁଦ ଗନ୍ଧ ଭିତରେ ଋଷର ଷ୍ଟାଲିଂଗ୍ରାଡକୁ ଉଡ଼ି ଯାଇଥିଲେ ବିଜୁ ବାବୁ । ପହଞ୍ଚାଇଥିଲେ ଯୁଦ୍ଧର ଖବର । ଋଷ ସେନାକୁ ଦ୍ବିତୀୟ ବିଶ୍ବଯୁଦ୍ଧରେ ସହାୟତା କରିବାକୁ ତାଙ୍କୁ ମିଳିଥିଲା ଦାୟିତ୍ବ ।  ହିଟଲର ବାୟୁସେନାର ବୋମାମାଡକୁ ପ୍ରତିହତ କରିଥିଲେ । ସେହି ସହଯୋଗର କୃତଜ୍ଞତା ଆକାରରେ ଋଷର ସୁବର୍ଣ୍ଣ ଜୟନ୍ତୀ ଅବସରରେ ବିଜୁବାବୁଙ୍କୁ ମିଳିଥିଲା ମେଡାଲ ଓ ସମ୍ମାନ ।

ଡଚଙ୍କ କବଳରେ ଥିବା ଇଣ୍ଡୋନେସିଆର ସ୍ବଧୀନତା ସଂଗ୍ରାମରେ ବିଜୁବାବୁଙ୍କ ଦୁର୍ଦ୍ଦଶ ଭୂମିକା ସମସ୍ତେ ଜାଣନ୍ତି । ୧୯୪୮ ମସିହାରେ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଏସିଆନ ସମ୍ମିଳନୀରେ ଇଣ୍ଡୋନେସିଆର ସଂଗ୍ରାମୀ ନେତା ମହମ୍ମଦ ହଟ୍ଟା ଓ ସାହରିରଙ୍କୁ ବିଜୁ ବାବୁ ଯେଉଁ ଭଳି ସାହସିକତାର ସହ ଜାକର୍ତ୍ତାରୁ ଉଠାଇ ଆଣିଥିଲେ ସେହି କାହାଣୀ ସମସ୍ତଙ୍କୁ ଆଜି ବି ଶିହରିତ କରେ । ଚତୁର୍ଦ୍ଦିଗରୁ ହେଉଥିବା ଡଚ୍ ସେନାର ଗୁଳିବର୍ଷଣକୁ ଭୃକ୍ଷେପ ନକରି ଦୁଇ ସ୍ବାଧୀନତା ସଂଗ୍ରାମୀଙ୍କୁ ରକ୍ଷାକରି ଉଠାଇ ଆଣିଥିଲେ ବିଜୁବାବୁ । ପରବର୍ତ୍ତୀ ସମୟରେ ଇଣ୍ଡୋନେସିଆ ସ୍ବାଧୀନତା ସଂଗ୍ରାମରେ ମଧ୍ୟ ବିଜୁବାବୁଙ୍କ ରହିଥିଲା ଅଶେଷ ଯୋଗଦାନ । ସେଥିପାଇଁ ତ ଇଣ୍ଡୋନସିଆର ଭୂମିପୁତ୍ର ଉପାଧି ପାଇଥିଲେ ବିଜୁବାବୁ । ଏଇ ସାହାଯ୍ୟ କାମ ଦେଇଥିଲା ୧୯୬୫ ମସିହା ଭାରତ-ପାକ ଯୁଦ୍ଧ ବେଳେ । ପାକିସ୍ତାନକୁ ସହାୟତା କରିବା ପାଇଁ ୩ଟି ସବମରିନ ପଠାଇଥିଲା ଇଣ୍ଡୋନେସିଆ । ଶାସ୍ତ୍ରୀଙ୍କ ଅନୁରୋଧରେ ସୁକର୍ଣ୍ଣୋଙ୍କ ସହ କଥା ହେଲେ ବିଜୁ ପଟ୍ଟନାୟକ । ପାକିସ୍ତାନକୁ ସହଯୋଗ କରିବାରୁ ଓହରିଥିଲା ଇଣ୍ଡୋନେସିଆ ।

୧୯୬୨ ମସିହା ଭାରତ-ଚୀନ ଯୁଦ୍ଧ ସମୟ । ବିଜୁ ବାବୁଙ୍କ ସାହସ, କୌଶଳ ଏବଂ ବୁଦ୍ଧିମତ୍ତା ପାଇଁ ପ୍ରଧାନମନ୍ତ୍ରୀ ନେହେରୁ ତାଙ୍କୁ ସ୍ବତନ୍ତ୍ର ଯୁଦ୍ଧ ପରାମର୍ଶଦାତା ଭାବେ ଦେଇଥିଲେ ନିଯୁକ୍ତି । ଏହା ଏକ ବିରଳ ଉପଲବ୍ଧି କହିଲେ ଭୁଲ ହେବନାହିଁ । ଖାଲି ସେତିକି ନୁହେଁ, ନେପାଳରେ ରାଣା ରାଜର ପତନ ହେଉ କି କାଶ୍ମୀରରେ ସେନାଙ୍କୁ ଅବତରଣ, ସବୁ ବିଜୁବାବୁଙ୍କ ସାହସିକତାର ଆଉ ଦୁର୍ଦ୍ଦଶ ପଣିଆର ପରିଚୟ । ପାଇଲଟ ପରବର୍ତ୍ତୀ ଜୀବନରେ ଜଣେ ରାଷ୍ଟ୍ର ନାୟକର ଅବତାରରେ ଅବତୀର୍ଣ୍ଣ ବିଜୁ ବାବୁ ଅନ୍ତର୍ଜାତୀୟ ସ୍ତରରେ ବେଶ ନାଁ କରିଥିଲେ ଏହା କହିବା ବାହୁଲ୍ୟ । ସେଥିପାଇଁ ତ ତାଙ୍କ ଆବର୍ତ୍ତମାନରେ ମଧ୍ୟ ବିଭିନ୍ନ ରାଷ୍ଟ୍ରମନେ ପକାଉଛନ୍ତି ତାଙ୍କୁ ।