ଭୁବନେଶ୍ବର : ଆସନ୍ତା ୨୭ ତାରିଖରେ ସୃଷ୍ଟି ହେବ ଏକ ଲଘୁଚାପ। ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପ ସାଗରରେ ଏହି ଲଘୁଚାପ ହେବ ବୋଲି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଲଘୁଚାପ ସୃଷ୍ଟି ହେବା ପରେ ଦୁଇ ଦିନ ଭିତରେ ଏହା ଅଧିକ ଘନୀଭୂତ ହୋଇ ସୁଦୃଶ୍ୟ ଲଘୁଚାପ କ୍ଷେତ୍ରରେ ପରିଣତ ହେବ। ଆଗାମୀ ୭ ଦିନ ରାଜ୍ୟରେ ବର୍ଷା ଜାରି ରହିବ। ୨୬ ଓ ୨୭ ତାରିଖରେ ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି। ଆଜି ଭୁବନେଶ୍ଵର ଓ ଏହାର ଆଖପାଖ ଅଞ୍ଚଳରେ ଝିପିଝିପି ବର୍ଷା ହୋଇଛି। ଆକାଶରେ ଘନ କଳା ହାଣ୍ଡିଆ ମେଘ ମଧ୍ୟାହ୍ନରେ ବି ସଂଧ୍ୟାର ଭ୍ରମ ସୃଷ୍ଟି କରିଥିଲା। ୨୭ ତାରିଖ ଯାଏ କାଳବୈଶାଖୀ ବର୍ଷା ଜାରି ରହିବ। ଏଥିପାଇଁ ଦକ୍ଷିଣ ଉପକୂଳ ଓଡିଶାର ୧୬ ଜିଲ୍ଲାକୁ ୟେଲୋ ଓ୍ବାଣ୍ଣିଂ ଜାରି ହୋଇଛି । ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ମୟୂରଭଞ୍ଜ, କେନ୍ଦୁଝର,ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର,ବରଗଡ଼, ନୂଆପଡ଼ା ବଲାଙ୍ଗୀର ଜିଲ୍ଲାକୁ ସତର୍କତା ଜାରି କରାଯାଇଛି। ଏହି ଜିଲ୍ଲାଗୁଡ଼ିକରେ ବିଜୁଳି ଘଡଘଡି ସହ ୩୦ ରୁ ୪୦ କିମି ଝଡି ପବନର ସମ୍ଭାବନା ରହିଛି ।
ଘର ଭିତରୁ ନାବଳିକାଙ୍କ ସନ୍ଦେହଜନକ ଭାବେ ମୃତଦେହ ଉଦ୍ଧାର
ବାଲେଶ୍ବର : ବାଲେଶ୍ବର ଭୋଗରାଇ ଅଞ୍ଚଳରୁ ଜଣେ ନାବାଳିକାଙ୍କ ସନ୍ଦେହ ଜନକ ଭାବେ ଝୁଲନ୍ତା ମୃତଦେହ ଉଦ୍ଧାର । ଏକ ଘର ଭିତରୁ ଉଦ୍ଧାର ହୋଇଛି ମୃତଦେହ । ତାଙ୍କୁ ଦୁର୍ଷ୍କମ ପରେ ହତ୍ୟା କରି ଟାଙ୍ଗି ଦେଇଥିବା ଭୋଗରାଇ ଥାନାରେ ମୃତା ଛାତ୍ରୀଙ୍କ ଭାଇ ଗତ କାଲି ସନ୍ଧ୍ୟାରେ ଅଭିଯୋଗ କରିଛନ୍ତି । ଭୋଗରାଇ ଥାନା ପୋଲିସ ଘଟଣା ସ୍ଥଳରୁ ମୃତଦେହ ଉଦ୍ଧାର କରି ତଦନ୍ତ ଜାରି ରଖିଛି । ଘଟଣାରେ ବସନ୍ତ ମାଝି ନାମକ ଜଣେ ଯୁବକକୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ପୋଲିସ୍ । ସମ୍ପୃକ୍ତ ନାବାଳିକା ଙ୍କ ବାପା, ମାଆ ଏବଂ ଭାଇ ବାହାର ରାଜ୍ଯ ରେ କାମ କରୁଥିବା ବେଳେ ମୃତ ନାବାଳିକା ଜଣକ ମେସରେ ରହି କଲେଜରେ ପଢୁଥିଲେ । ଗତ ଦୁଇ ଦିନ ପୂର୍ବରୁ ନାବାଳିକା ଜଣକ ଘରକୁ ଆସି ଏକଟିଆ ରହିଥିଲେ । ମୃତ ଛାତ୍ରୀଙ୍କ ଭାଇ ଏତଲାରେ ଦର୍ଶାଇଛନ୍ତି ଯେ ଗତ ମଙ୍ଗଳବାର ଦିନ ବସନ୍ତ ମାଝୀ ଓ ତାଙ୍କର କିଛି ସହଯୋଗୀ ଘରେ କେହି ନଥିବା ବେଳେ ତାଙ୍କ ଭଉଣୀ ଙ୍କ ସହ ଦୁଷ୍କର୍ମ କରିବା ସହିତ ଜୀବନରୁ ମାରି ଦେଇଛନ୍ତି । ଏହାକୁ ଆତ୍ମହତ୍ୟାର ରୁପ ଦେବା ପାଇଁ ଘର ଭିତରେ ବେକରେ ରସି ଦେଇ ଝୁଲାଇ ଦେଇଛନ୍ତି, । ଭୋଗରାଇ ଥାନା ଅଧିକାରୀ ଶ୍ରୀବଲ୍ଲଭ ସାହୁଙ୍କ ନେତୃତ୍ୱରେ ଭୋଗରାଇ ପୋଲିସ ମୃତ ଛାତ୍ରୀଙ୍କ ଶରୀରକୁ ବ୍ଯବଛେଦ କରିବା ପାଇଁ ବାଲେଶ୍ଵର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଛି ।
ଜେଲରେ ଥିବା ଜଣେ ମହିଳାଙ୍କୁ ଜାମିନ ଦେବାକୁ ହାଇକୋର୍ଟଙ୍କ ନିଆରା ସର୍ତ୍ତ
କଟକ: ନିର୍ଦ୍ଦିଷ୍ଟ ସମ୍ପତ୍ତିକୁ ବାରମ୍ବାର ମୋର୍ଟଗେଜ ଦେଇ ବ୍ୟାଙ୍କରୁ ଋଣ ନେବା ଅଭିଯୋଗରେ ଜେଲରେ ଥିବା ଜଣେ ମହିଳାଙ୍କୁ ଜାମିନ ଦେବାକୁ ନିଆରା ସର୍ତ୍ତ ରଖିଛନ୍ତି ହାଇକୋର୍ଟ। ଜାମିନରେ ଯିବା ପରେ ଅଭିଯୁକ୍ତ ମହିଳା ଜଣକ ସମ୍ପୃକ୍ତ ବ୍ୟାଙ୍କ ପରିସରକୁ ଦୁଇ ମାସ ଧରି ସଫା କରିବାକୁ ହାଇକୋର୍ଟ ସର୍ତ୍ତ ବାଢିଛନ୍ତି। ସକାଳ ୮ଟାରୁ ୧୦ଟା ମଧ୍ୟରେ ମହିଳା ଜଣକ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କ ସହାୟତାରେ ସଫା କରିବେ ବୋଲି କୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି। ଅଭିଯୁକ୍ତ ଯଦି ସର୍ତ୍ତ ପୂରଣ ନ କରନ୍ତି, ତେବେ ତାଙ୍କ ଜାମିନ ଖାରଜ କରାଯିବ ବୋଲି ହାଇକୋର୍ଟ ଚେତାଇ ଦେଇଛନ୍ତି। ସୂଚନା ଅନୁଯାୟୀ ଅଭିଯୁକ୍ତ ମହିଳା ଏବଂ ଆଉ ଜଣେ ମିଶି କଟକ ଲିଙ୍କ ରୋଡ ଆଇସିଆଇସିଆଇ ବ୍ୟାଙ୍କରୁ ୩ଟି ପୃଥକ ଲୋନ ଆକାଉଣ୍ଟରେ ୧ କୋଟି ୫ ଲକ୍ଷ ଟଙ୍କା ଋଣ କରିଥିଲେ। ପ୍ରତି ବଦଳରେ ଭୁବନେଶ୍ୱର ଅର୍ଚିଡ ପ୍ରାଇଡରେ ଥିବା ୩ଟି ପୃଥକ ସମ୍ପତ୍ତି ମୋର୍ଟଗେଜ ଭାବେ ଦାଖଲ କରିଥିଲେ। ତେବେ ପରବର୍ତ୍ତୀ ସମୟରେ ସେହି ମୋର୍ଟଗେଜ ଉପରେ ସେ ପୂର୍ବରୁ ଭୁବନେଶ୍ୱର ଅଶୋକ ନଗର ଇଣ୍ଡିଆନ ବ୍ୟାଙ୍କରୁ ଲୋନ କରି ପରିଶୋଧ କରିନଥିବା ଜଣା ପଡିଥିଲା। ଇଣ୍ଡିଆନ ବ୍ୟାଙ୍କ ସମ୍ପୃକ୍ତ ସମ୍ପତ୍ତି ନିଜ ଅକ୍ତିଆରକୁ ନେବାକୁ ଆସିବା ପରେ ଅଭିଯୁକ୍ତଙ୍କ ଠକେଇ ସମ୍ପର୍କରେ କଥା ଜଣାପଡ଼ିଥିଲା। ପରେ କ୍ରାଇମବ୍ରାଞ୍ଚ ଏହାର ତଦନ୍ତ କରି ଅଭିଯୁକ୍ତ ମହିଳାଙ୍କୁ ଗତ ଫେବୃଆରୀ ୫ ତାରିଖରେ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ଅପରେସନ ସିନ୍ଦୂର ନେଇ ସମର୍ଥନ ଯୋଗାଡ଼ରେ ଭାରତ ; ବିଭିନ୍ନ ଦେଶକୁ ଗସ୍ତ କରିଛନ୍ତି ଏହି ୭ଟି ଟିମ୍
ନନ୍ଦିଘୋଷ ବ୍ୟୁରୋ : ପହଲଗାଓଁ ଆତଙ୍କବାଦୀ ଆକ୍ରମଣ ଓ ଅପରେସନ ସିନ୍ଦୂର ନେଇ ଭାରତ ସମର୍ଥନ ଯୋଗାଡ଼ରେ ଲାଗିଛି। ବିଭିନ୍ନ ଦେଶକୁ ଗସ୍ତ କରିଛନ୍ତି ୭ଟି ପ୍ରତିନିଧି ଦଳ। ୭ ସାଂସଦଙ୍କ ନେତୃତ୍ଵରେ ଏହି ପ୍ରତିନିଧି ଦଳ ବିଭିନ୍ନ ଦେଶକୁ ଗସ୍ତ କରିଛନ୍ତି। ବର୍ତ୍ତମାନ ୩ଟି ଟିମ୍ ଯାଇଛନ୍ତି ଜାପାନ, ଆବୁଧାବି ଓ ରୁଷିଆ। ଜାପାନ ଯାଇଥିବା ଟିମ୍ ସେଠାକାର ଅଧିକାରୀଙ୍କ ସହିତ ଆଲୋଚନା କରି ଭାରତର ପକ୍ଷ କରିଛନ୍ତି। କେମିତି ପାକିସ୍ତାନ ପହଲଗାଁଓ ଆକ୍ରମଣର ଷଡ଼ଯନ୍ତ୍ର କରିଥିଲା, କେମିତି ମହିଳାଙ୍କ ସିନ୍ଦୂର ପୋଛିଥିଲେ ଆତଙ୍କବାଦୀ, ଜବାବରେ କେମିତି ଭାରତ ଅପରେସନ ସିନ୍ଦୂର କରିଥିଲା, ସେ ସଂପର୍କରେ ଜାପାନ ଅଧିକାରୀଙ୍କୁ ଅବଗତ କରିଛନ୍ତି। ସେହିପରି ଆଉ ଏକ ଟିମ୍ ୟୁଏଇର ଆବୁଧାବି ଯାଇଛି। ସେହିପରି ସାଂସଦ କାନିମୋଇଙ୍କ ନେତୃତ୍ଵରେ ଆଉ ଏକ ଟିମ୍ ଯାଇଛି ରୁଷିଆ। ଏହି ଟିମ୍ ମଧ୍ୟ ଭାରତ ସପକ୍ଷରେ ସମର୍ଥନ ଯୋଗାଡ଼ କରିବେ।
ଇଡିକୁ ସୁପ୍ରିିମକୋର୍ଟଙ୍କ କଡ଼ା ଭର୍ତ୍ସନା, କହିଲେ ନିଜ ସୀମା ଅତିକ୍ରମ କରୁଛି ଇଡି
ନନ୍ଦିଘୋଷ ବ୍ୟୁରୋ : ଇଡିକୁ ସୁପ୍ରିମକୋର୍ଟଙ୍କ କଡ଼ା ଭର୍ତ୍ସନା । ସବୁ ସୀମା ଟପିଲାଣି ଇଡି। ମନ ଇଚ୍ଛା କାମ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଏପରି କଡ଼ା ଭାଷାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ସୁପ୍ରିମକୋର୍ଟ ଭର୍ତ୍ସନା କରିଛନ୍ତି। ତାମିଲନାଡୁର ସରକାରୀ ମଦ ବିକ୍ରି ସଂସ୍ଥା TASMAC କୁ ନେଇ ଏହା କହିଛନ୍ତି ସୁପ୍ରିମକୋର୍ଟ। ଏହା ସହିତ ଏହି ତଦନ୍ତ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ।
TASMAC ର ବିଭିନ୍ନ ସ୍ଥାନରେ ଇଡି ରେଡ୍ କରିଥିଲା। ଏହା ବିରୋଧରେ ସୁପ୍ରିମକୋର୍ଟକୁ ଯାଇଥିଲେ ତାମିଲନାଡୁ ସରକାର। ତାର ଶୁଣାଣି କରି ସୁପ୍ରିମକୋର୍ଟ ଇଡିକୁ ଭର୍ତ୍ସନା କରିଛନ୍ତି ଏବଂ ନୋଟିସ୍ ମଧ୍ୟ ଜାରି କରିଛନ୍ତି। ସୁପ୍ରିମ କୋର୍ଟ କହିଛନ୍ତି, ଆଇନ ଶୃଙ୍ଖଳା ହେଉଛି ରାଜ୍ୟ ବିଷୟ। ଏଠାରେ ଇଡିର କାର୍ଯ୍ୟ ହେଉଛି ଅସାମ୍ବିଧାନିକ । ଇଡି ଏକ ରାଜ୍ୟ ନିଗମକୁ ଟାର୍ଗେଟ କରି “ସମସ୍ତ ସୀମା ଅତିକ୍ରମ କରୁଛି” ଏବଂ “ସଂଘୀୟ ଢାଞ୍ଚାର ଉଲ୍ଲଂଘନ କରୁଛି”। ଇଡି କହିଥିଲା, ତାମିଲନାଡୁରେ 1,000 କୋଟି ଟଙ୍କାର ମଦ ଦୁର୍ନୀତି ହୋଇଛି।
ମଦ ଯୋଗାଣ ଅର୍ଡର ସୁରକ୍ଷିତ କରିବା ପାଇଁ ଡିଷ୍ଟିଲେରୀଗୁଡ଼ିକ ବେନାମୀ ଟଙ୍କା ଦିଆଯାଇଥିବା କୁହାଯାଇଥିଲା। ତାମିଲନାଡୁ ସରକାର କହିଥିଲେ, ଭିଜିଲାନସ ଏହାର ତଦନ୍ତତ କରୁଛି। 2014-2021 ମଧ୍ୟରେ ଅନେକ ଆଉଟଲେଟ୍ ଅପରେଟରମାନଙ୍କ ବିରୁଦ୍ଧରେ ୪୦ରୁ ଅଧିକ ଏତଲା ଦିଆଯାଇଛି। କିନ୍ତୁ ଇଡି ନିଜ କ୍ଷମତାର ଅପବ୍ୟବହାର କରି ଏହି ମାମଲାରେ ପ୍ରବେଶ କରିଛି। ରାଜନୈତିକ ପ୍ରତିଶୋଧ ଉଦ୍ଦେଶ୍ୟରେ ଇଡି ଏପରି ରେଡ୍ କରିଥିବା କହିଥିଲା ତାମିଲନାଡୁ ।
ଜାସୁସ୍ ଜ୍ୟୋତି ମାଲହୋତ୍ରାଙ୍କୁ ୪ ଦିନିଆ ରିମାଣ୍ଡରେ ନେଲା ହିସାର ପୋଲିସ
ନନ୍ଦିଘୋଷ ବ୍ୟୁରୋ : ଜାସୁସ୍ ଜ୍ୟୋତି ମାଲହୋତ୍ରାଙ୍କୁ ୪ ଦିନିଆ ରିମାଣ୍ଡରେ ନେଇଛି ହରିୟାଣାର ହିସାର ପୋଲିସ। କୋର୍ଟ ଏଥିପାଇଁ ଅନୁମତି ଦେଇଛନ୍ତି । ଏହି ୪ ଦିନ ଭିତରେ ଜ୍ୟୋତିଙ୍କୁ ଘାଣ୍ଟିବ ହିସାର ପୋଲିସ। ତାଙ୍କଠାରୁ ତଥ୍ୟ ଓଗାଳିବ । ପାକିସ୍ତାନର ଏଜେଣ୍ଟଙ୍କ ସହିତ ଜ୍ୟୋତିଙ୍କ କେମିତି ଲିଙ୍କ୍ ଥିଲା, କେଉଁ କେଉଁ ତଥ୍ୟ ସେ ପାକିସ୍ତାନକୁ ଦେଇଛନ୍ତି, କେମିତି ସେମାନଙ୍କ ସହିତ ସଂପର୍କ ହୋଇଥିଲା, ଜ୍ୟୋତିଙ୍କ ଛଡ଼ା ଆଉ କାହାର ଲିଙ୍କ କଥା ସେ ଜାଣିଛନ୍ତି କି, ଏହି ସବୁ ତଥ୍ୟ ଓଗାଳିବ ହରିୟାଣା ପୋଲିସ ।
ପହଲଗାଁଓ ଆତଙ୍କବାଦୀ ଆକ୍ରମଣ, ତା ପରେ ଅପରେସନ ସିନ୍ଦୂର ପରବର୍ତ୍ତୀ ତନାଘନାରେ ଦେଶର ଧରାପଡ଼ିଛନ୍ତି ୧୦ରୁ ଅଧିକ ଗୁପ୍ତଚର ଯେଉଁମାନେ ପାକିସ୍ତାନ ପାଇଁ କାମ କରୁଥିଲେ। ଏହା ଭିତରେ ଅଛନ୍ତି ଜ୍ୟୋତି ମାଲହୋତ୍ରା। ସେ ପାକିସ୍ତାନ ବି ଯାଇଥିଲେ, ଚୀନ ବୁଲିବାକୁ ଯାଇଥିଲେ। ଭାରତରେ ଥିବା ପାକିସ୍ତାନର ଦୂତାବାସର ଜଣେ ଅଧିକାରୀଙ୍କ ସହିତ ତାଙ୍କର ସଂପର୍କ ଥିଲା। ଏପରିକି ଜଣେ ପାକିସ୍ତାନୀଙ୍କୁ ସେ ବାହା ହେବାକୁ ଚାହୁଁଥିଲେ ବୋଲି ମଧ୍ୟ ଖବର ଆସିଛି।
କରୋନାକୁ ନେଇ ବିଭାଗ ଆଲର୍ଟ ରହିଛି, ବ୍ୟସ୍ତ ହୁଅନ୍ତୁ ନାହିଁ : ସ୍ୱାସ୍ଥ୍ୟ ସଚିବ
ନନ୍ଦିଘୋଷ ବ୍ୟୁରୋ : ୩ ବର୍ଷ ପରେ ଓଡ଼ିଶାକୁ ଫେରିଛି କରୋନା । ଭୁବନେଶ୍ଵରରେ କୋରୋନା ଆକ୍ରାନ୍ତ ଚିହ୍ନଟ ପରେ ସ୍ଵାସ୍ଥ୍ୟ ବିଭାଗର ତତ୍ପରତା । ଓଡ଼ିଶାରୁ କରୋନା ପଜିଟିଭ ଚିହ୍ନଟ ନେଇ ପ୍ରତିକ୍ରିୟା ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ । ବ୍ୟସ୍ତ ନହେବାକୁ ସ୍ୱାସ୍ଥ୍ୟ ସଚିବଙ୍କ ପରାମର୍ଶ । ଆକ୍ରାନ୍ତଙ୍କ ଅବସ୍ଥା ବର୍ତ୍ତମାନ ଠିକ୍ ଅଛି । କରୋନା ନେଇ ବିଭାଗ ଆଲର୍ଟ ରହିଛି । ମାଇଲ୍ଡ ଷ୍ଟ୍ରେନ ତେଣୁ ବ୍ୟସ୍ତ ହେବାର କୌଣସି କାରଣ ନାହିଁ ।
କେନ୍ଦ୍ରରୁ ମାର୍ଗଦର୍ଶିକା ମିଳିଲେ ସେହି ଅନୁସାରେ କାମ ହେବ । ଏଯାଏଁ ଭାରତ ସରକାର କୌଣସି ମାର୍ଗଦର୍ଶିକା ଜାରି କରିନାହାନ୍ତି । କେବଳ ମନିଟର କରିବାକୁ ଆମକୁ କୁହାଯାଇଛି । ସରକାରଙ୍କ ନିର୍ଦ୍ଦେଶାନୁସାରେ କେବଳ ମନିଟରିଂ ଚାଲିଛି । ରାଜଧାନୀ ଭୁବନେଶ୍ଵରରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ପରେ କ୍ଵାରେଣ୍ଟାଇନରେ ରହିଛନ୍ତି । ଆକ୍ରାନ୍ତଜଣକ କିଛି ଦିନ ତଳେ ଦିଲ୍ଲୀରୁ ଫେରିଥିବା ଜଣାପଡ଼ିଛି ।
ପୁଣି ଖସିଲା ମାର୍କେଟ, ସେନସେକ୍ସ ୮ ଶହ ପଏଣ୍ଟରୁ ଅଧିକ ହ୍ରାସ
ନନ୍ଦିଘୋଷ ବ୍ୟୁରୋ : ପୁଣି ଖସିଲା ସେନସେକ୍ସ। ଆଜି ସେନସେକ୍ସ ୮ ଶହ ପଏଣ୍ଟ ଖସିଛି। ନିଫଟି ଖସିଛି ୫୦ ପଏଣ୍ଟ। ସକାଳୁ ସକାଳୁ ମାର୍କେଟ ଖୋଲୁ ଖୋଲୁ ସେନସେକ୍ସ ଖସିଥିଲା। ଏହାର ୩ଟି ପ୍ରମୁଖ କାରଣ ରହିଛି। ଆମେରିକାରେ ବଢୁଛି ଋଣ। ଏହା ଦ୍ଵାରା ଆମେରିକାର ଆର୍ଥିକ ଅଭିବୃଦ୍ଧି ଖସିବ। ଏହାର ପ୍ରଭାବ ଭାରତରେ ମଧ୍ୟ ପଡ଼ିବାର ଆଶଙ୍କା ଅଛି। ସେହିପରି ମଧ୍ୟପ୍ରାଚ୍ୟରେ ଶାନ୍ତି ଫେରିବା ବଦଳରେ ବଢୁଛି ଉତ୍ତେଜନା। ପାଲେଷ୍ଟାଇନ ଉପରେ ଇସ୍ରାଏଲର ଘନ ଘନ ଆକ୍ରମଣ ଯୋଗୁଁ ଉତ୍ତେଜନ ବଢୁଛି। ଇରାନ ପ୍ରସଙ୍ଗ ମଧ୍ୟ ରହିଛି। ଏହା ବାଦ୍ ଘରୋଇ ମାର୍କେଟରେ ଏମିତି କିଛି ହେଉ ନାହିଁ, ଯାହା କି ମାର୍କେଟରୁ ଉପରକୁ ଉଠାଇବ। କେତେକ ବଡ଼ ବଡ଼ କମ୍ପାନିର ଷ୍ଟକ୍ ମୂଲ୍ୟ ମଧ୍ୟ ଅଧିକ ରହିଥିବା କହିଛନ୍ତି ବିଶେଷଜ୍ଞ। କେତେବେଳେ ବି ଏହା ଖସିପାରେ। ଏହି ସବୁ କାରଣରୁ ସେନସେକ୍ସ ଖସିଥିବା କୁହାଯାଉଛି।
ଜୀବନ ନେଲା ଜୀବିକା, ଡଙ୍ଗା ବୁଡ଼ି ଗୋଟିଏ ପରିବାରର ୨ ଶିଶୁପୁତ୍ର ସହ ସ୍ତ୍ରୀ ମୃତ
ନନ୍ଦିଘୋଷ ବ୍ୟୁରୋ : ଜୀବନ ନେଲା ଜୀବିକା । ଡଙ୍ଗା ବୁଡ଼ି ଗୋଟିଏ ପରିବାରର ୨ ଶିଶୁପୁତ୍ର ସହ ସ୍ତ୍ରୀ ମୃତ । ଦେବଗଡ଼ ଜିଲ୍ଲା ଖିଲେଇ ପଞ୍ଚାୟତ ତଲେଇସର ଗାଁ ନିକଟ ରେଙ୍ଗାଳି ଜଳ ଭଣ୍ଡାରରେ ବୁଡ଼ି ୨ ଶିଶୁପୁତ୍ର ସହିତ ସ୍ତ୍ରୀ ମୃତ । ମୃତକମାନେ ହେଲେ ନୂଆଡ଼ିହ ପଞ୍ଚାୟତ ପୁଡ଼ାଡିହ ଗାଁର ବୁଲୁ ପେଣ୍ଠେଇଙ୍କ ୨ ପୁଅ ୫ ବର୍ଷୀୟ ଆୟୁଷ ପେଣ୍ଠେଇ ଓ ୩ ବର୍ଷୀୟ ରିୟାଂଶ ପେଣ୍ଠେଇ ଓ ୨୬ ବର୍ଷୀୟ ସ୍ତ୍ରୀ ଜ୍ୟୋତ୍ସ୍ନା ପେଣ୍ଠେଇ ।
ମାଛ ଧରିବାକୁ ଯାଇଥିବା ବେଳେ ଗତ ବିଳମ୍ଵିତ ରାତିରେ ତଲେଇସର ଘାଟରେ ଘଟିଛି ଅଘଟଣ । ନଦୀବନ୍ଧର ଗୋଟିଏ ପାର୍ଶ୍ଵରେ ମଞ୍ଚା ବାନ୍ଧି ରାତିରେ ବୁଲୁ ନିଜ ସ୍ତ୍ରୀ ଓ ୨ ପିଲା ମାନଙ୍କ ସହ ଥିବା ବେଳେ ହାତୀ ଆସିଯାଇଥିଲା । ଭୟରେ ବୁଲୁ ନିଜ ସ୍ତ୍ରୀ ଓ ପିଲାଙ୍କୁ ଧରି ଡଙ୍ଗାରେ ନଦୀ ଆରପଟକୁ ଯାଉଥିବା ସମୟରେ ଡଙ୍ଗାଟି ଜଳ ଭଣ୍ଡାର ପାଣିରେ ବୁଡ଼ି ଯାଇଥିଲା । ଡଙ୍ଗାରେ ଥିବା ଦୁଇ ଶିଶୁପୁତ୍ର ଓ ସ୍ତ୍ରୀ ପାଣିରେ ବୁଡ଼ି ଯାଇଥିଲେ । ବୁଲୁ କୌଣସି ପ୍ରକାରେ ନିଜକୁ ବଞ୍ଚାଇବାରେ ସକ୍ଷମ ହୋଇଥିଲେ । ଆଜି ସକାଳୁ ମତ୍ସ୍ୟଜୀବୀଙ୍କ ସହାୟତାରେ ୨ ଶିଶୁପୁତ୍ରଙ୍କ ମୃତଦେହ ଜଳ ଭଣ୍ଡାର ପାଣିରୁ ଉଦ୍ଧାର କରାଯାଇଥିଲା ।
ରିଆମାଳ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଖୋଜ ଜ୍ୟୋତ୍ସ୍ନାଙ୍କ ମୃତଦେହକୁ ଉଦ୍ଧାର କରିଛି । ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଅନ୍ୟ ପକ୍ଷରେ ଘଟଣା ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁଙ୍କ ନିର୍ଦ୍ଦେଶରେ ଉପ ଜିଲ୍ଲାପାଳ ପରକ୍ଷିତ ସାହୁ, ତହସିଲଦାର, ଜିଲ୍ଲା ମତ୍ସ୍ୟ ଅଧିକାରୀଙ୍କ ସମେତ ଜିଲ୍ଲା ପ୍ରଶାସନର ବହୁ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।
ଆରବ ସାଗର ଉପରେ ସୃଷ୍ଟି ହୋଇଛି ଲଘୁଚାପ
ନନ୍ଦିଘୋଷ ବ୍ୟୁରୋ : ଆରବ ସାଗର ଉପରେ ସୃଷ୍ଟି ହୋଇଛି ଲଘୁଚାପ। ପୂର୍ବ କେନ୍ଦ୍ରୀୟ ଆରବ ସାଗର ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ପ୍ରଭାବରେ ସୃଷ୍ଟି ହୋଇଛି ଲଘୁଚାପ। ଆସନ୍ତା ୩୬ ଘଣ୍ଟା ଭିତରେ ଏହା ଉତ୍ତର ଦିଗରେ ଗତି କରିବା ସହ ଏହା ଘନୀଭୂତ ହେବ ବୋଲି ସୂଚନା ମିଳିଛି। ସେପଟେ ଆସନ୍ତା ୨୭ ତାରିଖ ଯାଏ ରାଜ୍ୟରେ କାଳବୈଶାଖୀ ବର୍ଷା ଜାରି ରହିବ। ବିଭିନ୍ନ ଜିଲ୍ଲା ପାଇଁ ସତର୍କତା ଜାରି କରିଛି ପାଣିପାଗ କେନ୍ଦ୍ର। ଦକ୍ଷିଣ ଉପକୂଳ ଓଡିଶାର ୧୬ ଜିଲ୍ଲାକୁ ୟେଲୋ ଓ୍ବାଣ୍ଣିଂ ଜାରି ହୋଇଛି । ଗଜପତି, ଗଞ୍ଜାମ, ରାୟଗଡ଼ା, କୋରାପୁଟ, ମାଲକାନଗିରି, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ମୟୂରଭଞ୍ଜ, କେନ୍ଦୁଝର,ସୁନ୍ଦରଗଡ଼, ଝାରସୁଗୁଡା, ସମ୍ବଲପୁର,ବରଗଡ଼, ନୂଆପଡ଼ା ବଲାଙ୍ଗୀର ଜିଲ୍ଲାକୁ ସତର୍କତା। ଏହି ଜିଲ୍ଲାମାନଙ୍କରେ ବିଜୁଳି ଘଡଘଡି ସହ ୩୦ ରୁ ୪୦ କିମି ଝଡି ପବନର ସମ୍ଭାବନା ରହିଛି ।

