spot_img
Home Blog Page 798

ବଲାଙ୍ଗୀର ବିଜେପିରେ ଫାଟ, କୋଣଠେସା ଅଭିଯୋଗ କରି ଜିଲ୍ଲା ପରିଷଦ କାର୍ଯ୍ଯାଳୟ ଆଗରେ ବସିଲେ ବିଧାୟକ ନବୀନ ଜୈନ

ବଲାଙ୍ଗୀର : ବଲାଙ୍ଗୀର ବିଜେପିରେ ଫାଟ । ସାଂସଦଙ୍କ ଇଚ୍ଛାରେ ବିକାଶ । ସ୍ଥାନୀୟ ବିଧାୟକଙ୍କୁ ଅଣଦେଖା । ମନ୍ତ୍ରୀଙ୍କ ସମୀକ୍ଷା ଚାଲିଥିବାବେଳେ ବାହାରେ ବସି ପ୍ରତିବାଦ କଲେ ବିଧାୟକ ନବୀନ ଜୈନ । ବିଧାୟକଙ୍କ କଥା ଶୁଣୁନାହାନ୍ତି ବରିଷ୍ଠ ଅଧିକାରୀ କି କିରାଣି ।  ଟିଟିଲାଗଡ଼ ବିଜେପି ବିଧାୟକ ନବୀନ ଜୈନଙ୍କ ଗୁରୁତର ଅଭିଯୋଗ ପରେ ଏବେ ଜିଲ୍ଲାରେ ଦଳର ଅନ୍ତଃକନ୍ଦଳ ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲାଣି । ଏପରିକି ତାଙ୍କୁ କୌଣସି ସରକାରଙ୍କୁ ବିଧାୟକଙ୍କୁ ଡକାଯାଉନି । ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ ସମୀକ୍ଷା ବୈଠକ  କରୁଥିବାବେଳେ ବାହାରେ ବସି ପ୍ରତିବାଦ କଲେ ବିଧାୟକ ନବୀନ ଜୈନ ।

କ୍ୟାମେରା ସାମ୍ନାରେ ବିଜେପି ବିଧାୟକ ନିଜ ଅସହାୟତା ପ୍ରକାଶ କରିଥିବା ବେଳେ କିଏ ସେହି ପାୱାରଫୁଲ ମ୍ୟାଡମ୍ ତାକୁ ନେଇ ସୃଷ୍ଟି ହୋଇଛି ଚର୍ଚ୍ଚା । ମ୍ୟାଡମ୍ ଜଣଙ୍କ ଲୋକ ପ୍ରତିନିଧି ନା ସରକାରୀ ଅଧିକାରୀ ତାହା କହିନଥିବା ବେଳେ ମୁଖ୍ୟମନ୍ତ୍ରୀ ବି ଜାଣିଛନ୍ତି ବୋଲି ବକ୍ରୋକ୍ତି କରିଛନ୍ତି ବିଧାୟକ I  ବିଧାୟକଙ୍କ ଏହି ହାଇଡ୍ରାମା ପରେ ବୈଠକ ହୋଇନପାରିବାରୁ ଅଧିକାରୀମାନେ ଉଠି ଚାଲିଯାଇଥିଲେ I

ପୋଲିସର ମୁଣ୍ଡବିନ୍ଧା ସାଜିଛି ସାଇବର ଓ ବାଳ ଅପରାଧ

ଭୁବନେଶ୍ୱର : ଜୁଭେନାଇଲ ଜଷ୍ଟିସ ଉପରେ କମିଶନରେଟ ପୋଲିସର ଫୋକସ୍ । ଶିଶୁ ଚାଲାଣ, ଅପହରଣ, ଚୋରି ରୋକିବା ଦିଗରେ ଗୁରୁତ୍ୱ । ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି ସାଇବର ଓ ବାଳ ଅପରାଧୀ । ଅପ୍ରାକୃତିକ ଯୌନ ଶୋଷଣ ପାଲଟିଛି ମୁଣ୍ଡବିନ୍ଧା । ଚାକଚକ୍ୟ ଜୀବନ ବଞ୍ଚିବା ପାଇଁ କୋମଳମତି ବୟସରେ ଆଇନକୁ ହାତକୁ ହାତକୁ ନେଇ ଅପରାଧୀ ବନୁଛନ୍ତି ନାବାଳକ । ମାତ୍ରାଧିକ ସୋସିଆଲ ମିଡ଼ିଆ ବ୍ୟବହାର, ଗୁଣାତ୍ମକ ଶିକ୍ଷାର ଅଭାବ ଯୋଗୁଁ ବଢୁଛି ଅପ୍ରାକୃତିକ ଯୌନ ସମ୍ପର୍କ । POCSO କେସର ମାତ୍ରାଧିକ ବୃଦ୍ଧି ନେଇ NCRB ରିପୋର୍ଟରେ ଉଦବେଗ ପ୍ରକାଶ ପାଇବା ପରେ ଏବେ ଆରମ୍ଭ ହୋଇଛି ମାନସମନ୍ଥନ । ପର୍ଣ୍ଣଗ୍ରାଫି, ଫେକ ୱେବସାଇଟ ଜରିଆରେ ଠକେଇ, ନିଶା କାରବାର ଭଳି ମିଛ ଅଭିଯୋଗ ଆଣି ଡିଜିଟାଲ ଆରେଷ୍ଟ, ଅବିଭାବକଙ୍କୁ ବ୍ଲାକମେଲ ଭଳି ଅନେକ ଘଟଣା ସାମ୍ନାକୁ ଆସିଛି । ଗେମିଙ୍ଗ ଆପ ଜରିଆରେ ମଧ୍ୟ ସାଇବର ଠକଙ୍କ ଦ୍ୱାରା ନିର୍ଯାତନା ପାଇଛନ୍ତି କୁନି ପିଲା । ବ୍ୟସ୍ତବହୁଳ ଜୀବନରେ ବାପା ମାଆ ଆବଶ୍ୟକ ମୁତାବକ ପିଲାଙ୍କ ଧ୍ୟାନ ରଖୁନଥିବା ଓ ଯୌଥ ପରିବାରର ଅଭାବ ଏଭଳି କ୍ଷେତ୍ରରେ ମୂଳ କାରଣ ବୋଲି ମତ ପ୍ରକାଶ ପାଇଛି ।

ଏପ୍ରିଲ ମାସ ୧୩ ତାରିଖ ଖାରବେଳନଗର ଥାନା ଅନ୍ତର୍ଗତ ରାମମନ୍ଦିର ସମ୍ମୁଖରୁ ଦୃଷ୍ଟିବାଧିତ ମହିଳାଙ୍କ ଠାରୁ ପିଲାଚୋରି । ପରେ ପରେ ଡେଲାଙ୍ଗ ରତନପୁର ଅଞ୍ଚଳରେ ଶିଶୁକୁ ଅପହରଣ । ଏ ଘଟଣା ମନରୁ ନଲିଭୁଣୁ ଏୟାରଫିଲଡ଼ ଥାନା ଅନ୍ତର୍ଗତ ପାଞ୍ଚଗାଁରୁ ପୁଣି ଅପହୃତ ହୋଇଥିଲା ଚତୁର୍ଥ ଶ୍ରେଣୀର ପିଲା । ପରେ ପରେ ଗତ ୧୯ ତାରିଖରେ ପଳାଶୁଣି ଅଞ୍ଚଳରୁ ୧୧ ବର୍ଷୀୟ ନାବାଳକ ନିଖୋଜ ନେଇ  ମଞ୍ଚେଶ୍ୱର ଥାନାରେ ଏତଲା ପରେ ଏହି ଟ୍ରେଣ୍ଡ ଏବେ ପୋଲିସ ପାଇଁ ପାଲଟିଛି ମୁଣ୍ଡବିନ୍ଧା। child trafficking କୁ ରୋକିବା ପାଇଁ technical support agency ପକ୍ଷରୁ ତିଆରି ହୋଇଛି ସ୍ପେଶାଲ ସେଲ । କୋର୍ଟ ପକ୍ଷରୁ ଜାରି ହୋଇଥିବା ମାର୍ଗଦର୍ଶିକାକୁ କଡାକଡି ପାଳନ ପାଇଁ ନିର୍ଦ୍ଦେଶ ରହିଛି । ଏସବୁକୁ ରୋକିବା ସହ ଏକ ସୁସ୍ଥ ସମାଜ ଗଢିବା ଦିଗରେ ପୋଲିସ, NGO ଓ ଅଭିଭାବକଙ୍କ ସହଯୋଗ ଆବଶ୍ୟକ ଥିବା କହିଛନ୍ତି ସମାଜସେବୀ । ନବାଳକଙ୍କ କଣ୍ଡକ୍ଟ ଡିଜର୍ଡର, ଯେପରିକି ଶୀଘ୍ର ରାଗିଯିବା, ଆବେଗଭରା ସ୍ଵଭାବ ପାଇଁ ସେମାନଙ୍କ ମନରେ ହିଂସାତ୍ମକ ମନୋଭାବ ସୃଷ୍ଟି ହେଉଥିବା ମତବ୍ୟକ୍ତ କରିଛନ୍ତି ବୁଦ୍ଧିଜୀବୀ ।

ଜଳଛତ୍ର ନାଁରେ ବ୍ୟାପକ ହରିଲୁଟ

ବ୍ରହ୍ମପୁର : ଜଳଛତ୍ର ନାଁରେ ବାଟମାରଣା । ତା ପୁଣି ବ୍ରହ୍ମପୁର ମହାନଗର ନିଗମରେ । ସୂଚନା ଅଧିକାର ବଳରେ ପଦାକୁ ଆସିଛି  ଏଭଳି ସାଂଘାତିକ ତଥ୍ୟ । ୨୦୨୧ ଓ ୨୦୨୨ରେ ସହରରେ କୌଣସି ଜଳଛତ୍ର ଖୋଲାଯାଇନି । ୨୦୨୩ ଖୋଲାଯାଇଥିଲା ମାତ୍ର ୪ଟି । ୨୦୨୪ରେ ହଠାତ୍ ସହରରେ ୫୩ଟି ଜଳଛତ୍ର ଖୋଲାଗଲା । ଆଉ ସେ ବାବଦରେ ଖର୍ଚ୍ଚ ହେଲା ୨୩ ଲକ୍ଷ ୮୭ ହଜାର ୫୦୫ ଟଙ୍କା । ଗୋଟିଏ ମେସିନର ଦାମ ୪୫ ହଜାର ଟଙ୍କାରୁ ଅଧିକ । ଖୋଲା ବଜାରରେ ପାଣିକୁ ଶୁଦ୍ଧ କରୁଥିବା ୪୦ ଲିଟର ମେସିନ ମୂଲ୍ୟ ୪୦ ହଜାର ଟଙ୍କା । ଏହାକୁ ଯଦି ସହରର ବିଭିନ୍ନ ଛକ ମାନଙ୍କରେ ସ୍ଥାୟୀ ଭାବରେ ପ୍ରତିଷ୍ଠା କରାଯାଇ ପାରିଥାନ୍ତା ତେବେ ପ୍ରାୟ ୪୭ଟି ମେସିନ ଲାଗିପାରିଥାନ୍ତା । ଜଳଛତ୍ର ନାଁରେ ଏତେଟଙ୍କା ଖର୍ଚ୍ଚ କରିବା ପଛରେ ଉଦ୍ଦେଶ୍ୟ କଣ ବୋଲି ପ୍ରଶ୍ନ କରିଛନ୍ତି ଆଇନଜୀବୀ ।

ବ୍ରହ୍ମପୁର ମହାନଗର ନିଗମ ନାଁରେ ରହିଛି ଦୁର୍ନୀତିର ଲମ୍ବା ତାଲିକା । ପ୍ରତି ବିଭାଗରେ ଅନିୟମିୟତା ଓ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ରାସ୍ତା, ଡ୍ରେନ ଠାରୁ ଆରମ୍ଭ କରି ମଶାମରା ଔଷଧ, ପୋଖରୀ ଖୋଳା,  ବୃକ୍ଷ ରୋପଣ, କାନ୍ଥରେ ଚିତ୍ର ଆଙ୍କିବା, ପାର୍କ ନବୀକରଣ, ବାଉଁଶ ବ୍ୟାରିକେଡ, ସ୍ୱାୟତ୍ତ ଶାସନ ଦିବସ ପାଳନରେ କୋଟି କୋଟି ଟଙ୍କା ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ଲୋକଙ୍କ ଟଙ୍କା ହରିଲୁଟ ହେଉଥିବାରୁ ଘଟଣାର ତଦନ୍ତ ଦାବି କରିଛନ୍ତି ବିଭିନ୍ନ ସଂଗଠନ।  ସେପଟେ ମେୟର କହିଛନ୍ତି ଏନେଇ କୌଣସି ଅଭିଯୋଗ ହସ୍ତଗତ ହୋଇନାହିଁ । ଅଭିଯୋଗ ଆସିଲେ ତଦନ୍ତ କରାଯିବ ।

ଚେନ୍ନାଇରୁ ମିଳିଲା ଦ୍ୱିତୀୟ ବିଶ୍ୱଯୁଦ୍ଧର ବୋମା! ଏହାକୁ ୮୨ ବର୍ଷ ପୂର୍ବେ ଜାପାନ ପକାଇଥିଲା

ନନ୍ଦିଘୋଷ ବ୍ୟୁରୋ ; ତାମିଲନାଡୁର ରାଜଧାନୀ ଚେନ୍ନାଇରେ ଏକ ଘର ନିର୍ମାଣ ପାଇଁ ଖୋଳାଯିବା ବେଳେଏକ ବୋମା ମିଳିଛି ଯାହା ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର ବୋଲି କୁହାଯାଉଛି। ଏହାକୁ ଯୁଦ୍ଧ ସମୟରେ ଜାପାନୀ ସେନା ଦ୍ୱାରା ମାଡ୍ରାସ ଉପରେ ଆକ୍ରମଣର ଏକ ଅଂଶ ବୋଲି କୁହାଯାଉଛି। ଚେନ୍ନାଇର ରାମକୃଷ୍ଣ ନଗରରୁ ମିଳିଥିବା ବୋମାକୁ ପୋଲିସ ଜବତ କରିଛି ।

ଚେନ୍ନାଇର ରାମକୃଷ୍ଣ ନଗରରେ, ଜଣେ ବ୍ୟକ୍ତି ତାଙ୍କ ଘର ତିଆରି କରିବା ପାଇଁ ଖୋଳଶ ଯାଉଥିଲା । କମ୍ପାଉଣ୍ଡ ୱାଲ୍ ନିର୍ମାଣ ପାଇଁ ଖୋଳିବା ସମୟରେ, ଏକ ଭାରୀ ଜିନିଷ ମିଳିଥିଲା ​​ଯାହାକୁ ଖୋଳିବା ଶ୍ରମିକ ମାଟିରୁ ବାହାର କରିଥିଲେ। କୌଣସି ପ୍ରକାରେ ଏଥିରେ ଲାଗିଥିବା କାଦୁଅ ସଫା କରାଯାଇଥିଲା। ସଫା କରିବା ପରେ ଏକ ବଡ ଜିନିଷ ଦେଖାଗଲା ।

ଉତ୍ତର ଚେନ୍ନାଇର ଏକ ଘରୁ ଏକ ସନ୍ଦେହଜନକ ଧାତୁ ବସ୍ତୁ ମିଳିଛି। ଘର ନିର୍ମାଣ କାର୍ଯ୍ୟ ସମୟରେ ଏହି ଜିନିଷଟି ମିଳିଥିଲା ​​ଏବଂ ଏହାକୁ ବୋମା ଭାବରେ ଚିହ୍ନଟ କରାଯାଇଥିଲା, ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ଚେନ୍ନାଇର ମନ୍ନାଡି ଅଞ୍ଚଳରେ ଏହି ବୋମା ମିଳିଥିଲା। ମୁସ୍ତାଫା ନାମକ ଜଣେ ବ୍ୟକ୍ତି ଏହି ଘରଟି କିଣିଥିଲେ ଏବଂ କହିଥିଲେ ଯେ କାନ୍ଥ ନିର୍ମାଣ ସମୟରେ ଏକ ସନ୍ଦେହଜନକ ଧାତୁ ବସ୍ତୁ ମିଳିଥିଲା। ସେ କହିଥିଲେ ଯେ କାନ୍ଥ ତିଆରି କରିବା ପାଇଁ ମାଟି ଖୋଳିବା ସମୟରେ ସେ ଏହି ଜିନିଷ ପାଇଥିଲେ। ଯାହାକୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବ୍ୟବହୃତ ଏକ ବୋମା ବୋଲି କୁହାଯାଉଛି। ପୋଲିସ ଏହି ବୋମାକୁ ଜବତ କରିଛି ।

ଦୁଇ ଦିନରେ ଭାଇଜାନଙ୍କ ଘରେ ଦୁଇ ଦୁଇ ଥର ପ୍ରବେଶ ଉଦ୍ୟମ ପଣ୍ଡ

ନନ୍ଦିଘୋଷ ବ୍ୟୁରୋ : ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ଲଗାତାର ଧମକ ପରେ ସଲମାନ ଖାନଙ୍କ ସୁରକ୍ଷା କଡ଼ାକଡ଼ି କରାଯାଇଛି। ତାଙ୍କ ଘର ଗାଲାକ୍ସି ଆପାର୍ଟମେଣ୍ଟରେ କଡ଼ା ସୁରକ୍ଷା ବ୍ୟବସ୍ଥା ରହିଛି, ଏହା ସତ୍ତ୍ୱେ, ୧୯ ଏବଂ ୨୦ ମଇରେ ଦୁଇଜଣ ବ୍ୟକ୍ତି ସଲମାନଙ୍କ ଘରେ ବେଆଇନ ଭାବରେ ପ୍ରବେଶ କରିବାରେ ସଫଳ ହୋଇଥିଲେ। ତଥାପି, ଉଭୟଙ୍କୁ ଆପାର୍ଟମେଣ୍ଟ ତଳେ ଥିବା ସୁରକ୍ଷା କର୍ମୀମାନେ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ।

ସଲମାନଙ୍କ ଘରେ ପଶିବାକୁ ଚେଷ୍ଟା କରିବାର ପ୍ରଥମ ମାମଲା ୧୯ ମଇରେ ଭୋର ପ୍ରାୟ ୩:୩୦ ସମୟରେ ସାମ୍ନାକୁ ଆସିଥିଲା, ଯେତେବେଳେ ଇଶା ଛାବ୍ରା ନାମକ ଜଣେ ୩୨ ବର୍ଷୀୟା ମହିଳା ଗାଲାକ୍ସି ଆପାର୍ଟମେଣ୍ଟରେ ପ୍ରବେଶ କରିଥିଲେ। ସଲମାନଙ୍କ ସୁରକ୍ଷା ଭାଙ୍ଗି, ମହିଳା ଜଣକ ତାଙ୍କ ଆପାର୍ଟମେଣ୍ଟର ଲିଫ୍ଟ ଏରିଆରେ ପହଞ୍ଚିବାରେ ସଫଳ ହୋଇଥିଲେ। ତଥାପି, ଗାଲାକ୍ସି ଆପାର୍ଟମେଣ୍ଟର ସୁରକ୍ଷାକର୍ମୀମାନେ ମହିଳାଙ୍କୁ ଅଟକ ରଖି ବାନ୍ଦ୍ରା ପୋଲିସକୁ ହସ୍ତାନ୍ତର କରିଥିଲେ। ସୁରକ୍ଷା କର୍ମୀଙ୍କ ଅଭିଯୋଗ ଆଧାରରେ, ବାନ୍ଦ୍ରା ପୋଲିସ ମହିଳାଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି ଏବଂ ଘଟଣାର ଅଧିକ ତଦନ୍ତ କରୁଛି।

ସଲମାନ ଖାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟରେ ଅନଧିକୃତ ପ୍ରବେଶର ଦ୍ୱିତୀୟ ମାମଲା ମଇ ୨୦ ତାରିଖରେ ସାମ୍ନାକୁ ଆସିଥିଲା। ସନ୍ଧ୍ୟା ୭:୧୫ ସମୟରେ, ଜିତେନ୍ଦ୍ର କୁମାର ସିଂହ ନାମକ ଜଣେ ବ୍ୟକ୍ତି କାର ପଛରେ ଲୁଚି ଭିତରେ ପ୍ରବେଶ କରି ସଲମାନଙ୍କୁ ଭେଟିବାକୁ ଚେଷ୍ଟା କରିଥିଲେ। କିନ୍ତୁ, ଦୀର୍ଘ ସମୟ ଧରି ଧମକ ମିଳୁଥିବାରୁ, ସଲମାନ ଏବଂ ତାଙ୍କ ଘରର ସୁରକ୍ଷା କଡ଼ାକଡ଼ି ଥିଲା । ତେଣୁ ସୁରକ୍ଷା କର୍ମୀମାନେ ସେଠାରେ ସେହି ବ୍ୟକ୍ତିଙ୍କୁ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ।

ମଧ୍ୟରାତ୍ରିରେ ସଲମାନଙ୍କ ଘରେ ପ୍ରବେଶ କରିବାକୁ ଚେଷ୍ଟା କରିଥିବା ମହିଳା ଜଣକ ଖାର ପଶ୍ଚିମ ଅଞ୍ଚଳର ବାସିନ୍ଦା। ଏହି ଅଞ୍ଚଳଟି ସଲମାନଙ୍କ ଘର ପାଖରେ ଅବସ୍ଥିତ। ଅନ୍ୟପଟେ ୨୩ ବର୍ଷୀୟ ଜିତେନ୍ଦ୍ର କୁମାର ସିଂହ ଛତିଶଗଡ଼ର ବାସିନ୍ଦା ବୋଲି ଜଣାପଡ଼ିଛି। ପୋଲିସ ଜିତେନ୍ଦ୍ରଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି ଏବଂ ପ୍ରତ୍ୟେକ ଦୃଷ୍ଟିକୋଣରୁ ତଦନ୍ତ କରାଯାଉଛି। ଏପର୍ଯ୍ୟନ୍ତ ତଦନ୍ତରୁ ଜଣାପଡିଛି ଯେ ସେ କେବଳ ସଲମାନଙ୍କୁ ଭେଟିବା ପାଇଁ ଗାଲାକ୍ସି ଆପାର୍ଟମେଣ୍ଟରେ ପ୍ରବେଶ କରିଥିଲେ।

ଗୋଟିଏ ପରିବାର ଥିବା ଗାଁକୁ ମିଳିଛି ରାଜସ୍ଵ ଗାଁ ମାନ୍ୟତା

ଆନନ୍ଦପୁର : ଗୋଟିଏ ପରିବାର ଥିବା ଗାଁକୁ ମିଳିଛି ରାଜସ୍ଵ ଗାଁ ମାନ୍ୟତା । ଆଶ୍ଟର୍ଯ୍ୟ ଲାଗୁଥିଲେ ବି ସତ । କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଗେଡ଼ମା ପଞ୍ଚାୟତ ଟଙ୍କାଗଡ଼ିଆ ଗାଁକୁ ରାଜସ୍ଵ ଗ୍ରାମର ମାନ୍ୟତା ମିଳିଛି । ହେଲେ ଗାଁରେ ନାହିଁ ବିଦ୍ୟୁତ, ଶିକ୍ଷା, ରାସ୍ତା, ପାନୀୟ ଜଳ ଭଳି ମୌଳିକ ସୁବିଧା ସୁଯୋଗ । ଫଳରେ ଆଗରୁ ଥିବା ଏକାଧିକ ପରିବାର ଗୋଟିଏ ପରେ ଗୋଟିଏ ଅନ୍ୟତ୍ର ଚାଲିଯାଇଛନ୍ତି । କୃଷ୍ଣ ଦାସଙ୍କ ପରଲୋକ ପରେ ତାଙ୍କ ୪ ପୁଅ ଦୀନବନ୍ଧୁ ଦାସ, ଜଗବନ୍ଧୁ ଦାସ, କୃପାସିନ୍ଧୁ ଦାସ, ସୁକାନ୍ତ ଦାସ ଏହି ଗାଁରେ ରହୁଛନ୍ତି।

୨୫ ବର୍ଷ ତଳେ ଟଙ୍କାଗଡ଼ିଆ ଗାଁରେ ୧୦ରୁ ୧୨ ପରିବାର ବସବାସ କରୁଥିଲେ । ୨୦୦୭-୦୮ରେ ଏହି ଗାଁକୁ ରାଜସ୍ଵ ଗ୍ରାମ ଘୋଷଣା କରାଗଲା । ଗାଁରେ ମୌଳିକ ସମସ୍ୟା ପ୍ରତି କେହି ଦୃଷ୍ଟି ଦେଲେନି । ବାରମ୍ବାର ଏନେଇ ଅଭିଯୋଗ କରିବା ପରେ ୨୦୧୨ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାଁକୁ ଆଦର୍ଶ ଗ୍ରାମ ଘୋଷଣା କରାଯାଇଛି । ମୌଳିକ ସୁବିଧା ପାଇଁ କରାଯାଇଥିବା ନଳକୂଅଟି ଅଚଳ । ହାଟଡିହି ବିଡିଓଙ୍କ କହିବା କଥା, ତଦନ୍ତ ପରେ ପଦକ୍ଷେପ ନିଆଯିବ । ପ୍ରଶ୍ନ ଉଠୁଛି, ଯଦି ଗାଁକୁ ରାସ୍ତା ନଥିଲା ତେବେ ରାଜସ୍ଵ ଗ୍ରାମର ମାନ୍ୟତା ମିଳିଥିଲା କିପରି ? ଯେତେବେଳେ ଆଦର୍ଶ ଗାଁର ମାନ୍ୟତା ମିଳିଛି ସେଠି ମୌଳିକ ସୁବିଧା ଉପଲବ୍ଧ ହେଉନାହିଁ କାହିଁକି ?

ଯାତାୟତ ପାଇଁ ବ୍ରିଜ ନାହିଁ, ଭରସା ସାଜିଛି ବାଉଁଶ ପୋଲ

ଘଟଗାଁ  : ଗାଁକୁ ବଜାର ଯା ଆସ ପାଇଁ ବ୍ରିଜ୍ଟିଏ ନାହିଁ । ବାଉଁଶ ଧଡ଼ାକୁ ଭରସା କରିଛନ୍ତି ଲୋକେ । ଆଜି ବି ଜୀବନକୁ ବାଜି ଲଗାଇ ବିପଦସଂକୁଳ ସ୍ଥିତିରେ ଯା ଆସ କରୁଛନ୍ତି କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍‌ ବାଘୁଆଖମଣ ସାହିର ୧୮ରୁ ଅଧିକ ପରିବାରର ଲୋକେ । ହେଲେ ନା ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଉଛି ନା ସ୍ଥାନୀୟ ବ୍ଲକ ପ୍ରଶାସନ । କାହା ଆଖିକୁ ବି ଦେଖାଯାଉନି ଲୋକଙ୍କର ଏପରି ଦଶା । ନାଳ ଉପରେ ବ୍ରିଜଟିଏ ନଥିବାରୁ ନିଜସ୍ବ ଉଦ୍ୟମରେ ଲୋକେ ଏପରି ବାଉଁଶ ପୋଲ କରି ଯିବା ଆସିବା କରୁଛନ୍ତି ।

ନାଳ ପାର ହେଲେ ସ୍କୁଲ, ଡାକ୍ତରଖାନା ଓ ନିତିଦିନିଆ ବଜାରକୁ ଯାଇ ହେବ । ହେଲେ ବର୍ଷା ଦିନ ଆସିଲେ ଅବସ୍ଥା ଆହୁରି ସାଂଘାତିକ ହୁଏ । ବାଉଁଶ ପୋଲରେ ତ ଯା ଆସ କରିହୁଏନି । ୧୫ କିଲୋମିଟର ବୁଲି ପଞ୍ଚାୟତ ଓ ସ୍ଵାସ୍ଥ୍ୟ କେନ୍ଦ୍ରକୁ ଯିବାକୁ ପଡେ଼ । ସମସ୍ୟା ସଂପର୍କରେ ଗ୍ରାମବାସୀ ଅନେକ ଥର ପ୍ରଶାସନ ନିକଟରେ ଅଭିଯୋଗ କରିଛନ୍ତି ହେଲେ ଗରିବଙ୍କ କଥା ଶୁଣୁଛି କିଏ ? ଖୋଦ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଲୋକେ ଏପରି ଦୁର୍ଦ୍ଦଶାରେ ଅଛନ୍ତି । ସ୍ଥାୟୀ ପୋଲଟିଏ ପାଇଁ ଦୀର୍ଘ ଦିନରୁ ଦାବି ହେଉଛି । କିନ୍ତୁ ପ୍ରଶାସନ ଏକ ପ୍ରକାର ସ୍ଥାଣୁ । ସେପଟେ ଏ ନେଇ ବ୍ଲକ୍ ବିଡିଓ ମୁହଁ ଖୋଲିବାକୁ ନାରାଜ ।

ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା କଳିଙ୍ଗନଗର ଶିଳ୍ପାଞ୍ଚଳରେ ଇମ୍ଫାର ସମ୍ପ୍ରସାରିତ କାରଖାନାର ଶିଳାନ୍ୟାସ

ଭୁବନେଶ୍ଵର : ଇମ୍ଫା ପକ୍ଷରୁ ଆଜି କଳିଙ୍ଗ ନଗରରେ ଏହାର ନୂତନ ଅତ୍ୟାଧୁନିକ ପ୍ଲାଣ୍ଟର ଶିଳାନ୍ୟାସ ହୋଇଯାଇଛି। ରାଜ୍ୟର  ଶିଳ୍ପ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ସମବାୟ ବିଭାଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ, ଯାଜପୁର ସାଂସଦ ଶ୍ରୀ ରବୀନ୍ଦ୍ର ନାରାୟଣ ବେହେରା, ବିଧାୟକ ଅମର ନାୟକ, ଆକାଶ ଦାସ ନାୟକ ଓ ଇମ୍ଫାର ବରିଷ୍ଠ ସଦସ୍ୟଙ୍କ ଉପସ୍ଥିତିରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀ ବିଧିବଦ୍ଧ ଭାବେ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ।

୧୨୪.୨୬ ଏକରରେ ପରିବ୍ୟାପ୍ତ ଏହି କଳିଙ୍ଗ ନଗର କାରଖାନାରୁ ବାର୍ଷିକ ୧,୦୦,୦୦୦ ମେଟ୍ରିକ୍ ଟନ୍ ଫେରୋକ୍ରୋମ୍ ଉତ୍ପାଦନ ହେବ। ୨୦୨୬-୨୭ ଆର୍ଥିକ ବର୍ଷର ପ୍ରଥମ ତ୍ରୈୟମାସିକ ସୁଦ୍ଧା ଏହି କାରଖାନାର ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି। ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହେବାକୁ ଥିବା ଏହି କାରଖାନା ଚୌଦ୍ୱାର ଏବଂ ଥେରୁବାଲିଠାରେ ଥିବା ଇମ୍ଫାର ସମନ୍ୱିତ କାର୍ଯ୍ୟସ୍ଥଳୀଗୁଡ଼ିକର ପରିପୂରକ ହେବ ଏବଂ ଏହାର ମୋଟ ଉତ୍ପାଦନ କ୍ଷମତା ୩,୮୪,୦୦୦ ଟନ୍ କୁ ବୃଦ୍ଧି ପାଇବା ସହିତ ମୂଲ୍ୟ ଯୁକ୍ତ ଭାରତର ଅଗ୍ରଣୀ ଫେରୋକ୍ରୋମ୍ ଉତ୍ପାଦନକାରୀ ଭାବରେ ଏହାର ସ୍ଥିତିକୁ ସୁଦୃଢ଼ କରିବ ।

ଇମ୍ଫାର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶୁଭ୍ରକାନ୍ତ ପଣ୍ଡା ଏହି ପ୍ରକଳ୍ପର ମହତ୍ତ୍ୱ ଉପରେ ଆଲୋକପାତ କରି କହିଛନ୍ତି ଯେ, ଓଡ଼ିଶାର ବିକାଶ ପାଇଁ ଆମେ ସର୍ବଦା ପ୍ରତିଶ୍ରୁତିବଦ୍ଧ ରହିଛୁ । ଏହି ନୂତନ ପ୍ରକଳ୍ପ କେବଳ ରାଜ୍ୟର ଶିଳ୍ପ ମାନଚିତ୍ରକୁ ଉନ୍ନତ କରିବ ନାହିଁ ବରଂ ଦୀର୍ଘସ୍ଥାୟୀ ଏବଂ ଉନ୍ନତ ଜ୍ଞାନ କୌଶଳ ମାଧ୍ୟମରେ ଇମ୍ଫାର ଅଭିବୃଦ୍ଧିରେ ମଧ୍ୟ ସହାୟକ ହେବ। ଫେରୋ ଆଲଏଜ୍ କ୍ଷେତ୍ରରେ ଅଗ୍ରଣୀ ଇମ୍ଫା ଜେଏସଡବ୍ଲ୍ୟୁ ଗ୍ରୀନ୍ ଏନର୍ଜି ସହ ମିଳିତ ଉଦ୍ୟମରେ କଳିଙ୍ଗ ନଗର କାରଖାନାରେ ସ୍ମେଲଟିଙ୍ଗ ପ୍ରକ୍ରିୟା ପାଇଁ ୧୧୦ ମେଗାୱାଟ୍ ହାଇବ୍ରିଡ୍ ର ନବିକରଣୀୟ ବିଦ୍ୟୁତ ଶକ୍ତି ଯୋଗାଣ କରିବ। ଏହା କେବଳ ଇମ୍ଫାର ସବୁଜ ପରିବେଶ ସୃଷ୍ଟି ପାଇଁ ଉଦ୍ୟମକୁ ତ୍ୱରାନିତ କରିବା ସହିତ ଏକ ସବୁଜ ଭବିଷ୍ୟତ ନିର୍ମାଣ ଦିଗରେ ଏକ ସକ୍ରିୟ ପଦକ୍ଷେପ ସ୍ୱରୂପ ୨୦୭୦ ସୁଦ୍ଧା ନେଟଶୂନ୍ୟ ନିର୍ଗମନ ହାସଲ କରିବାରେ  ଭାରତର ଅଭିଯାନକୁ ସହାୟତା ମଧ୍ୟ କରିବ ।

ପରିତ୍ୟକ୍ତ ଅବସ୍ଥାରେ କେନ୍ଦ୍ରାପଡ଼ା ତିନିମୁହାଣି ଛକରେ ନିର୍ମିତ ଶତାଧିକ ଦୋକାନ ଘର

କେନ୍ଦ୍ରାପଡ଼ା : ଭେଣ୍ଡିଂ ଜୋନ ନିର୍ମାଣ ହେଲା । କିନ୍ତୁ ବିଦ୍ୟୁତ ସଂଯୋଗ ଦିଆଗଲାନି । ଦୋକାନ ଘର ଏତେ ଛୋଟ ଯେ ବ୍ୟବସାୟୀ ନେବାକୁ ରାଜି ହେଉନାହାନ୍ତି । ୨୦୧୭ରୁ ପରିତ୍ୟକ୍ତ ହୋଇ ପଡ଼ିରହିଛି ଭେଣ୍ଡିଂ ଜୋନ । ଏଭଳି ଅବସ୍ଥା ଦେଖିବାକୁ ମିଳିଛି, କେନ୍ଦ୍ରାପଡ଼ା ତିନିମୁହାଣି ଛକରେ ଶତାଧିକ ଦୋକାନ ଘର ନିର୍ମାଣ ହେଲା । ହେଲେ ଏ ପର୍ଯ୍ୟନ୍ତ ବ୍ୟବହାର ହୋଇପାରିନି । ଏବେ ବି ଜୀବନକୁ ବାଜି ଲଗାଇ ଉଠାଦୋକାନୀ ରାସ୍ତାକଡ଼ରେ ବସି ବେପାର କରୁଛନ୍ତି ।

ପୌର ସଂସ୍ଥା ଦ୍ୱାରା ନିର୍ମିତ ଏହି ଭେଣ୍ଡିଂ ଜୋନଗୁଡିକ ଏବେ ବିପଦସଙ୍କୁଳ ଅବସ୍ଥାରେ । ସ୍ଥାନୀୟ କ୍ଷୁଦ୍ର ବ୍ୟବସାୟୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି କରୁଛି। ଏହାର ତୁରନ୍ତ ସମାଧାନ ପାଇଁ ଦାବି କରିଛନ୍ତି ସ୍ଥାନୀୟ ବୁଦ୍ଧିଜୀବୀ ।କାହା ସ୍ୱାର୍ଥରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହୋଇ ଭେଣ୍ଡିଂ ଜୋନ ନିର୍ମାଣ ହେଲା । ତାକୁ ନେଇ ଉଠିଛି ପ୍ରଶ୍ନ ।

ପିପିଲିରେ ପାନୀୟ ଜଳ ସଙ୍କଟ, ୫ ପଞ୍ଚାୟତର ଲୋକେ ପ୍ରଭାବିତ

ପିପିଲି : ପୁରୀ ଜିଲ୍ଲା ପିପିଲିରେ ପାଣି ମିଳୁନି  । ପିଇବାକୁ ମିଳୁନି ସ୍ବଚ୍ଛ ପାଣି । ପ୍ରଭାବିତେ ହେଲେଣି ୫ ପଞ୍ଚାୟତର ଲୋକେ ।  ନା ଜିଲ୍ଲା ପ୍ରଶାସନ ନା ସ୍ଥାନୀୟ ପ୍ରଶାସନ କେହି ବି ଦୃଷ୍ଟି ଦେଉନାହାନ୍ତି । ବ୍ଲକ୍‌ ବିଡିଓ ବି ଦେଉନାହାନ୍ତି ଧରାଛୁଆଁ । ଦେଖନ୍ତୁ ଏହି ଦୃଶ୍ୟ । କେଉଁଠି ଷ୍ଟାଣ୍ଡପୋଷ୍ଟ ଭାଙ୍ଗିକି ପଡିଛି ତ ଆଉ କେଉଁଠି ଅଧପନ୍ତରିଆ ଅବସ୍ଥାରେ ପଡିରହିଛି ପାଣି ଟାଙ୍କି । ଆଉ କେଉଁଠି ପାଣି ଟାଙ୍କି ଘରେ ତାଲା ପଡିଛି । ପିପିଲି ବ୍ଳକର ଦାଣ୍ଡମୁକୁନ୍ଦପୁର , ରୂପଦେଇପୁର,  ।ଯଶୁଆପୁର, ବୀର ପୁରୁଷୋତ୍ତମପୁର ପଞ୍ଚାୟତର ଅନେକ ଗାଁରେ ଏଭଳି ସମସ୍ୟା । ପାଣି ପାଇଁ ପ୍ରଚଣ୍ଡ ଖରାରେ କଲବଲ ହେଉଛନ୍ତି ଲୋକେ । ବାଧ୍ୟ ହୋଇ ନଦୀ ନାଳ ଗୋଳିଆ ପାଣି ବ୍ୟବହାର କରି ବିଭିନ୍ନ ରୋଗର ଶିକାର ହେଉଛନ୍ତି ଲୋକେ ।ପାନୀୟ ଜଳ ସମସ୍ୟା ନେଇ ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ ଧରଣୀଧର ସାହୁ ଜିଲ୍ଲା ପରିଷଦ ସଭାରେ ଆପତ୍ତି ଉଠାଇଥିଲେ । କୁହାଗଲା ୧୯୧୬ ଟୋଲ ଫ୍ରି ନମ୍ବରରେ କଲ କରି କହିଲେ ସମସ୍ୟାର ସମାଧାନ ହେବ । ଲୋକେ ଏହି ନମ୍ବରରେ କଲ୍‌ କରିବା ପରେ ଉତ୍ତର ଆସିଲା କେବଳ ମରାପତି ହୋଇପାରିବ । କିନ୍ତୁ ଜଳ ଅଭାବ ସମସ୍ୟା ପାଇଁ ଏ ନମ୍ବରଟି ଉଦ୍ଦିଷ୍ଟ ନୁହେଁ ।

ଲୋକେ ବ୍ଲକ୍‌ ବିଡିଓଙ୍କ ପାଖକୁ ଦୌଡ଼ି ଦୌଡ଼ି  ନୟାନ୍ତ ହେଲେଣି । ନନ୍ଦିଘୋଷ ଟିଭି ପ୍ରତିନିଧି ବିଡିଓଙ୍କୁ ବାରମ୍ବାର ଯୋଗାଯୋଗ କଲେ ବି ବିଡିଓ ବାବୁଙ୍କର ଉତ୍ତର ଆସୁନି । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଖୋଦ ବ୍ଲକ୍‌ ଅଧ୍ୟକ୍ଷାଙ୍କ କଥାକୁ ବିଡିଓ ଖାତିର କରୁନାହାନ୍ତି । ପ୍ରଶାସନିକ ଅବହେଳାରୁ ପିପିଲିରେ ଦେଖା ଦେଇଥିବା ପାନୀୟ ଜଳ ସଙ୍କଟର କେବେ ସମାଧାନ ହେଉଛି ତା ଉପରେ ସମସ୍ତଙ୍କର ନଜର ରହିଛି ।