୧୦୫ ଦିନ ପରେ ଚିଦାମ୍ବରମଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ, INX ମାମଲାରେ ବଡ଼ ଆଶ୍ୱସ୍ତି

1 min read

ନୂଆଦିଲ୍ଲୀ : ଦେଶର ପୂର୍ବତନ ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦାମ୍ୱରମଙ୍କୁ ବଡ଼ ଆଶ୍ୱସ୍ତି । ଆଇଏନଏକ୍ସ ମିଡିଆ ଡିଲ୍ ଅନିୟମିତତା ମାମଲାରେ ଗିରଫ ହୋଇ ୧୦୫ ଦିନ ଜେଲରେ ରହିବା ପରେ ଆଜି ସୁପ୍ରିମକୋର୍ଟ ତାଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି । ଦିଲ୍ଲୀ ହାଇକୋର୍ଟ ବେଲ୍ ଦେବାକୁ ମନା କରିବା ପରେ ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଚିଦାମ୍ବରମ୍ । ଆଜି କୋର୍ଟ ୨ ଜଣ ଜାମିନଦାର୍ ଓ ୨ ଲକ୍ଷ ଟଙ୍କାର ବେଲ୍ ବଣ୍ଡ ସହ କିଛି ସର୍ତ୍ତ ଆଧାରରେ ଚିଦାମ୍ବରମଙ୍କୁ ଜାମିନ୍ ପ୍ରଦାନ କରିଛନ୍ତି ।

ସୁପ୍ରିମକୋର୍ଟଙ୍କ ସର୍ତ୍ତ ମୁତାବକ ଚିଦାମ୍ବରମ ଦେଶ ଛାଡ଼ି ଯାଇପାରିବେ ନାହିଁ । ସେଥିପାଇଁ ତାଙ୍କ ପାସପୋର୍ଟ ଜବତ କରାଯାଇଛି । ଜେଲରୁ ବାହାରିବା ପରେ ସେ କୈଣସି ମିଡିଆ ସହ ଆଲୋଚନା କରିପାରିବେ ନାହିଁ କିମ୍ବା ଏ ପ୍ରସଙ୍ଗରେ କୌଣସି ସାକ୍ଷାତକାର ଦେଇପାରିବେ ନାହିଁ । ଏହାସହ ଆବଶ୍ୟକ ପଡ଼ିଲେ ତଦନ୍ତକାରୀ ଅଧିକାରୀଙ୍କୁ ସାକ୍ଷାତ କରିବା ସହ ସବୁ ପ୍ରକାର ସହାୟତା କରିବେ ।

ଅଗଷ୍ଟ ୨୧ ତାରିଖରେ ସିବିଆଇ ଅଧିକାରୀ ଚିଦାମ୍ବରମଙ୍କୁ ଆଇଏନଏକ୍ସ ମିଡିଆ ଡିଲ୍ ପ୍ରସଙ୍ଗରେ ଦିଲ୍ଲୀରୁ ଗିରଫ କରିଥିଲେ । ସେହି ମାମଲାରେ ସୁପ୍ରିମକୋର୍ଟ ଅକ୍ଚୋବର ୨୨ ତାରିଖରେ ତାଙ୍କୁ ଜାମିନ୍ ପ୍ରଦାନ କରିଥିଲେ । ତେବେ ସେହି ଅକ୍ଟୋବର ୧୬ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଚିଦାମ୍ବରମଙ୍କୁ ଜେଲରୁ ପୁଣିଥରେ ଗିରଫ କରିଥିଲା । ପଚରା ଉଚୁଚରା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଥିଲା । ପରେ ସେ ଅଧିକାଂଶ ସମୟ ତିହାର ଜେଲରେ ରହିଥିଲେ ।

ଜେଲରେ ଥିବା ସମୟରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧି ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପୂର୍ବତନ ଅର୍ଥମନ୍ତ୍ରୀଙ୍କୁ ସାକ୍ଷାତ କରିବାକୁ ତିହାର ଯାଇଥିଲେ । ବରିଷ୍ଠ କଂଗ୍ରେସ ନେତା ତଥା ସୁପ୍ରିମକୋର୍ଟ ଓକିଲ ଡ. ଅଭିଶେକ ମନୁସିଂଘଭି, ଚିଦାମ୍ବରମଙ୍କ ମାମଲା ଲଢ଼ୁଥିଲେ । ତେବେ ଦିଲ୍ଲୀ ହାଇକୋର୍ଟଙ୍କୁ ସମାଲୋଚନା କରିଛନ୍ତି ସୁପ୍ରିମକୋର୍ଟ । କହିଛନ୍ତି ଯେ, ଚିଦାମ୍ବରମ୍ କେଉଁଠି ବି ସହଯୋଗ କରିବେ ନାହିଁ ବୋଲି କହିନାହାନ୍ତି । ସେ କୌଣସି ସାକ୍ଷୀଙ୍କୁ ପ୍ରଭାବିତ କରିବାର ପ୍ରମାଣ ଉପଲବ୍ଧ ହୋଇନି । ଏଭଳି ସ୍ଥିତିରେ ତାଙ୍କର ଜାମିନକୁ ତର୍ଜମା କରାନଯିବାକୁ ନେଇ ଆପତ୍ତି ପ୍ରକାଶ କରିଛନ୍ତି କୋର୍ଟ ।

୨୦୦୭ରେ ଇନ୍ଦ୍ରାଣୀ ଓ ପିଟର ମୁଖାର୍ଜୀଙ୍କ କଂପାନୀ ଆଇଏନଏକ୍ସରେ ବିଦେଶୀ ପୁଞ୍ଜିନିବେଶ ପାଇଁ କିଛି ଆଇନର ଉଲଙ୍ଘନ କରାଯାଇଥିବା ଅଭିଯୋଗ ହୋଇଛି । ଏଥିପାଇଁ ୟୁପିଏ-୧ରେ ଥିବା ତତ୍କାଳୀନ ଅର୍ଥମନ୍ତ୍ରୀ ଚିଦାମ୍ବରମ ସହଯୋଗ କରିଥିବା ଅଭିଯୋଗ ହୋଇଥିଲା । ତାଙ୍କ ପୁଅ କାର୍ତ୍ତି ଏଥିପାଇଁ ୩୦୦ କୋଟି ଟଙ୍କାର କିକବ୍ୟାକ୍ ନେଇଥିବା ମଧ୍ୟ ଅଭିଯୋଗ ରହିଛି ।

 

Leave a Reply