ପାହାନ୍ତି ପହରରେ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ବୁଲି ଦେଖିଲେ ୫-ଟି ସଚିବ

1 min read

ଭୁବନେଶ୍ୱର : ଆଜି ଭୋରୁ ଭୋରୁ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ପରିଦର୍ଶନ କରିଛନ୍ତି ୫-ଟି ସଚିବ ଭି. କାର୍ତ୍ତିକେୟନ୍ ପାଣ୍ଡିୟାନ୍। ମନ୍ଦିର ପରିସରରେ ହେଉଥିବା ଭିତ୍ତିଭୂମି ବିକାଶ କାର୍ଯ୍ୟର ସମୀକ୍ଷା ପାଇଁ ସେ ଏହି ଗସ୍ତ କରିଥିବା ଜଣାପଡ଼ିଛି ।

ବରିଷ୍ଠ ଆଇଏଏସ୍ ଅଫିସର ଭି.କେ ପାଣ୍ଡିଆନ୍ ସକାଳ ୪ଟା ୩୦ରେ ଲିଙ୍ଗରାଜଙ୍କ ମନ୍ଦିର ପରିସରରେ ପହଞ୍ଚିଥିଲେ । ତାଙ୍କ ସହିତ ପୂର୍ତ୍ତ ସଚିବ କ୍ରିଷନ୍ କୁମାର, ଭୁବନେଶ୍ୱର ଡିସିପି ଅନୁପ ସାହୁ, ଖୋର୍ଦ୍ଧା ଏଡିଏମ୍ ମନୋରଂଜନ ମଲ୍ଲିକ ଏବଂ ମନ୍ଦିରର କିଛି ବରିଷ୍ଠ ପ୍ରଶାସକ ଉପସ୍ଥିତ ଥିଲେ ।

ରାଜଧାନୀର ଅନ୍ୟତମ ପ୍ରମୁଖ ପର୍ଯ୍ୟଟନ କ୍ଷେତ୍ର ଲିଙ୍ଗରାଜ ମନ୍ଦିର ଓ ଚତୁର୍ପାଶ୍ୱର ବିକାଶ ପାଇଁ ରାଜ୍ୟ ସରକାର ୮ କୋଟି ୫୦ ଲକ୍ଷ ଟଙ୍କା ପ୍ରଦାନ କରିଥିଲେ । କିଛିଦିନ ତଳେ ଲିଙ୍ଗରାଜ ମାର୍କେଟ୍ କଂପ୍ଲେକ୍ସ ମଧ୍ୟ ମାଟିରେ ମିଶିଥିଲା । ପୁରୀ ଭଳି ଲିଙ୍ଗରାଜଙ୍କ କ୍ଷେତ୍ରରେ ମଧ୍ୟ ବିକାଶ ମୂଳକ କାର୍ଯ୍ୟ କରିବାକୁ ସରକାର ଚେଷ୍ଟା ଜାରି ରଖିଛନ୍ତି । ତେବେ ସେଠାରେ କିଭଳି ବିକାଶ କରାଯାଉଛି ଏବଂ କଣ କଣ ଅଗ୍ରଗତି ହେଲାଣି ସେ ସବୁର ଗ୍ରାଉଣ୍ଡ ସମୀକ୍ଷା କରିଛନ୍ତି ୫-ଟି ସଚିବ ।

ନିକଟରେ, ରାଜ୍ୟ ଦେବୋତ୍ତର କମିଶନର ଏଏସଆଇ ଡିଜିଙ୍କୁ ଏକ ଚିଠି କରିଥିଲେ । ଏଥିରେ ଓଡ଼ିଶାର ମନ୍ଦିର ଗୁଡିକର ସୁରକ୍ଷା ନେଇ ଏଏସଆଇ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦର୍ଶାଯାଇଥିଲା ।

ପୂର୍ବରୁ ଅନେକ ସମୟରେ ବହୁ ଜିଲ୍ଲା ଓ ବ୍ଲକ୍ ସ୍ତରର ହସ୍ପିଟାଲ, ଆହାର କେନ୍ଦ୍ର ଓ ମେଡିକାଲ୍ କଲେଜକୁ ଅଚାନକ ପରିଦର୍ଶନରେ ଯାଇ ୫-ଟି ସଚିବ ଭି.କେ ପାଣ୍ଡିୟାନ୍ ହଇଚଇ ସୃଷ୍ଟି କରିଛନ୍ତି । ତେବେ ଆଜିର ଗସ୍ତ ପରେ ହଜାରେ ଖ୍ରୀଷ୍ଟାଦ୍ଦରେ ନିର୍ମିତ ଏ ମନ୍ଦିରର ରୂପରେଖ ଶୀଘ୍ର ବଦଳିବ ବୋଲି ଚର୍ଚ୍ଚା ହେଉଛି ।

Leave a Reply