spot_img
Home Blog Page 7500

ଧାନ ଗବେଷଣା କେନ୍ଦ୍ରରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି

କଟକ: ଧାନ ଗବେଷଣା କେନ୍ଦ୍ରରେ ଅଗ୍ନିକାଣ୍ଡ । ଧାନ ଗବେଷଣା କେନ୍ଦ୍ରର ନିର୍ମାଣଧୀନ ଅଡିଟୋରିୟମରେ ନିଆଁ ଲାଗିଛି । ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡ଼ି ନଷ୍ଟ ହୋଇଯାଇଛି । ତେବେ, କେଉଁ କାରଣରୁ ନିଆଁ ଲାଗିଲା ତାହା ଅସ୍ପଷ୍ଟ ରହିଛି ।

ଧାନ ଗବେଷଣା କେନ୍ଦ୍ରରେ କିଛି କାମ ଚାଲିଥିବା ବେଳେ ଲୁହା ୱେଲ୍ଡିଂ କରାଯାଉଥିଲା । ତେଣୁ ସେହି ୱେଲ୍ଡିଂ କାମରୁ କିମ୍ବା ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ଖବର ପାଇ ୩ଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ।

ଉନ୍ନାଓ ପୀଡ଼ିତାଙ୍କ ପରିବାରକୁ ସାକ୍ଷାତ ପାଇଁ ପହଞ୍ଚିଲେ ପ୍ରିୟଙ୍କା ଗାନ୍ଧି

ଲକ୍ଷ୍ନୌ: ଉନ୍ନାଓ ପୀଡ଼ିତାଙ୍କ ମୃତ୍ୟୁପରେ ତାଙ୍କ ପରିବାର ସହ ସାକ୍ଷାତ କଲେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି । ପୀଡ଼ିତାଙ୍କ ପରିବାର  ଦୀର୍ଘ ଏକ ବର୍ଷ ହେବ ଲଗାତାର ଅସୁବିଧାର ସମ୍ମୁଖିନ ହେଉଥିଲେ ଏବଂ ଶୁଣିବାକୁ ମିଳୁଛି ଯେ ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତ ମାନଙ୍କର ବିଜେପି ସହିତ ଲିଙ୍କ୍ ଥିବା କହିଛନ୍ତି ପ୍ରିୟଙ୍କା ଗାନ୍ଧି ।

ଦୁଇ ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ଥିବା ପ୍ରିୟଙ୍କା ଗାନ୍ଧି ଶୁକ୍ରବାର ଲକ୍ଷ୍ନୌ ପହଁଞ୍ଚି ଥିଲେ ଏବଂ ଆଜି ସେ ଉନ୍ନାଓ ପୀଡ଼ିତାଙ୍କ ପରିବାର ସହ ସାକ୍ଷାତ କରିଛନ୍ତି । ସେ ଟ୍ୱିଟ କରି କହିଛନ୍ତି, ‘ ମୁଁ ଇଶ୍ୱରଙ୍କୁ ପ୍ରାର୍ଥନା କରୁଛି  ଉନ୍ନାଓ ପୀଡ଼ିତାଙ୍କ ପରିବାରକୁ ଏହି ଦୁଃଖଦ ସମୟରେ ଧୈର୍ଯ୍ୟ ଦିଅନ୍ତୁ । ଏହା ଆମର ଦୁର୍ଭାଗ୍ୟ ଯେ ଆମେ ପୀଡ଼ିତାଙ୍କୁ ନ୍ୟାୟ ଦେଇପାରିଲେ ନାହିଁ ।’

ନିଜ ଛାତ କିମ୍ବା କିଚେନ ଗାର୍ଡେନରେ କରିପାରିବେ ପିଆଜ ଚାଷ

ସାରା ଦେଶରେ ପିଆଜ ପାଇଁ ଏବେ ହାହାକାର । ଆକାଶ ଛୁଆଁ ଦରକୁ ଦୈନନ୍ଦିନ ଖାଇବାରେ ପିଆଜ ବ୍ୟବହାର କରିବା ମଧ୍ୟବିତ୍ତ ପରିବାର ପାଇଁ ଏବେ ବୋଝ ଉପରେ ନଳିତା ବିଡ଼ା ସଦୃଶ । ପିଆଜକୁ ଆମେ ପ୍ରାୟ ସବୁ ତରକାରିରେ ବ୍ୟବହାର କରୁଛେ । ତେବେ ଘରେ ଅନ୍ୟ ସବୁ ଫୁଲ ଫଳ ଲଗାଇଲା ଭଳି ପିଆଜକୁ ମଧ୍ୟ କୁଣ୍ଡରେ ଲଗାଇ ଆପଣ ସାରମୁକ୍ତ ଏବଂ ସ୍ୱାଦିଷ୍ଟ ପିଆଜ ପାଇପାରିବେ ।

ଆଜ୍ଞା ହଁ, ଆପଣ ନିଜ ଘରେ କୁଣ୍ଡ ମାଧ୍ୟମରେ ପିଆଜ ଚାଷ କରିପାରିବେ । ତେବେ ଆସନ୍ତୁ ଜାଣିବା ଖୁବ କମ୍ ପଇସାରେ ଘରେ ବସି କିପରି ପିଆଜ ଚାଷ ହୁଏ ।

୧. ପିଆଜକୁ ଆମେ ଦୁଇ ପ୍ରକାର କୁଣ୍ଡରେ ଲଗାଇପାରିବେ । ଗୋଟେ ହେଲା ପିଆଜ ମଞ୍ଜି କୁଣ୍ଡରେ ପୋଟି ଏବଂ ଅନ୍ୟଟି ହେଉଛି ଛୋଟ ଛୋଟ ପିଆଜକୁ ମାଟିରେ ପୋତି ।

୨. କୁଣ୍ଡରେ ଚାଷ ଉପଯୋଗୀ ମାଟି ଏବଂ କମ୍ପୋଷ୍ଟ  ମିଶାଇ ଭଲ ଭାବରେ ଗୋଳାଇ ଦିଅନ୍ତୁ । ଏହା ଫଳରେ ମାଟି ଉର୍ବର ଏହା ସହିତ ଏଥିରେ  ଚାଷ ହୋଇଥାଏ । ( ୫୦% ମାଟି, ୫୦% କମ୍ପୋଷ୍ଟ ) ।

୩. ପିଆଜକୁ କୁଣ୍ଡରେ ପୋତି ଦୁଅନ୍ତୁ । ପିଆଜ ପୋତିବା ବେଳେ ଧ୍ୟାନ ଦିଅନ୍ତୁ ଯେପରି ଚେର ତଳକୁ ରହିବ  । ପ୍ରତି ପିଆଜକୁ ୩ ଇଞ୍ଚ ବ୍ୟବଧାନରେ ପୋତନ୍ତୁ । ଏଥିରେ ପାଣି ଦେଇନ୍ତୁ ।

୪. ଗୋଟିଏ ପିଆଜ ଗଛରୁ ଆପଣ ସର୍ବାଧିକ ୫-୬ଟି ପିଆଜ ପାଇପାରିବେ ।

୫. ଯଦି ଆପଣଙ୍କ ଘରେ ବାଲକୋନି କିମ୍ବା ଛାତ ଅଛି ତେବେ ଆପଣ ସହଜରେ ୬ରୁ ୭ଟି କୁଣ୍ଡରେ ପିଆଜ ଲଗାଇପାରିବେ । ଏଥିରୁ ଆପଣ ୩ରୁ ୪ କେଜି ପିଆଜ ଅମଳ କରିପାରିବେ ।

ଏହି ପ୍ରଣାଳୀରେ ଆପଣ ଘରେ କୁଣ୍ଡରେ ପିଆଜ ଚାଷ କରିପାରିବେ ।

 

 

ବାରବାଟୀ ଦିନିକିଆ ପୂର୍ବରୁ ସୁରକ୍ଷାର ସମୀକ୍ଷା କଲେ ଗୃହ ରାଷ୍ଟ୍ରମନ୍ତ୍ରୀ

କଟକ : ବାରବାଟୀ ଦିନିକିଆ ପାଇଁ ପୋଲିସ ମୁଖ୍ୟାଳୟରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ଇନଚାର୍ଜ ଡିଜିପି ସତ୍ୟଜିତ୍ ମହାନ୍ତି, ପୋଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଓ ଅନ୍ୟ ବରିଷ୍ଠ ଅଧିକାରୀ ସୁରକ୍ଷା ବ୍ୟବସ୍ଥା ସଂପର୍କରେ ମନ୍ତ୍ରୀଙ୍କୁ ଅବଗତ କରାଇଥିଲେ ।

ଓସିଏ ସଂପାଦକଙ୍କ ସହ ମନ୍ତ୍ରୀ ଆଲୋଚନା କରିବା ସହ ୨୨ ତାରିଖରେ ଭାରତ-ଓ୍ୱେଷ୍ଟ ଇଣ୍ଡିଜ୍ ମ୍ୟାଚ୍ ଯେଭଳି ସୁରୁଖୁରୁରେ ସଂପାଦିତ ହେବ ସେ ନେଇ ଆଲୋଚନା କରିଥିଲେ । ଏହି ଅବସରରେ ବାରବାଟୀ ଗ୍ରାଉଣ଼୍ଡ ମଧ୍ୟ ବୁଲି ଦେଖିଥିଲେ ମନ୍ତ୍ରୀ ।

‘କାଳିଆ’ ଯୋଜନାରେ ହେଲା ସଂଶୋଧନ; କିଏ ପାଇବେ, କିଏ ନ ପାଇବେ ପୂରା ପଢ଼ନ୍ତୁ…

ଭୁବନେଶ୍ୱର: ଚାଷୀମାନଙ୍କ ପାଇଁ ରାଜ୍ୟ ସରକାର ଲାଗୁ କରିଥିବା କାଳିଆ ଯୋଜନାର ନିୟମାବଳୀରେ ସଂଶୋଧନ । ରାଜ୍ୟ କ୍ୟାବିନେଟ୍‌ ଏହାକୁ ଅନୁମୋଦନ କରିଛି । ଉଭୟ କାଳିଆ ଓ କିଷାନ ଯୋଜନାର ଗାଇଡ୍‌ଲାଇନ୍‌କୁ ତର୍ଜମା କରିବା ପରେ ନିୟମରେ ସଂଶୋଧନ କରିଛନ୍ତି ରାଜ୍ୟ ସରକାର ।ଭୂମିହୀନ ଭାଗଚାଷୀମାନେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀ ନାହାନ୍ତି । ସେମାନଙ୍କୁ କାଳିଆ ଯୋଜନାରେ ବର୍ଷକୁ ୧୦ ହଜାର ଟଙ୍କା ଲେଖାଏଁ ଦିଆଯିବ । ୨୦୧୮-୧୯ ଆର୍ଥିକ ବର୍ଷରେ ଯେଉଁ ଯୋଗ୍ୟ ହିତାଧିକାରୀ ଏଯାଏଁ କାଳିଆ ଆର୍ଥିକ ସହାୟତା ପାଇ ନାହାନ୍ତି, ସେମାନଙ୍କୁ ଏହି ବର୍ଷ ରବି ଫସଲ ପାଇଁ ସହାୟତା ମିଳିବ । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ୨୦୧୯-୨୦ ଆର୍ଥିକ ବର୍ଷରେ ଆର୍ଥିକ ସହାୟତା ମିଳିବ ।ଏମାନଙ୍କୁ ଆଉ ୨୦୧୯ ରବି ଫସଲ ପାଇଁ କାଳିଆ ସହାୟତା ମିଳିବ ନାହିଁ । ନାମମାତ୍ର ଚାଷୀ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ବର୍ଷକୁ ୬ ହଜାର ଟଙ୍କା ଓ କାଳିଆ ଯୋଜନାରେ ବର୍ଷକୁ ୪ ହଜାର ଟଙ୍କା ପାଇବେ । ମହାନଗର ନିଗମ, ପୌରାଞ୍ଚଳ ଓ ଏନ୍‌ଏସି ଅଧୀନରେ ଆସୁଥିବା ଚାଷୀ କାଳିଆ କିମ୍ବା କିଷାନ ସହାୟତା ପାଇବେ ନାହିଁ ।

କାହିଁକି କରାଯିବ ପାଇକ ବିଦ୍ରୋହ ଡାକ ଟିକଟର ଉନ୍ମୋଚନ ?

ଭୁବନେଶ୍ୱର : ୧୮୫୭ରେ ଇଂରେଜଙ୍କ ବିରୋଧରେ ହୋଇଥିବା ସିପାହୀ ବିଦ୍ରୋହର ବହୁ ପୂର୍ବରୁ ଓଡ଼ିଶାରେ ହୋଇଥିଲା ସଶସ୍ତ୍ର ବିଦ୍ରୋହ । ୧୮୦୩ ମସିହାରେ ବଙ୍ଗ ପରେ ଓଡ଼ିଶା ଦଖଲ ଅଭିଯାନ ଆରମ୍ଭ କରିଥିଲେ ଇଂରେଜ୍ । ସେତେବେଳଠାରୁ କହିବାକୁ ଗଲେ ଓଡ଼ିଶାରେ ପଡ଼ି ସାରିଥିଲା ବିଦ୍ରୋହ ଓ ବିରୋଧର ମୂଳଦୁଆ । ଓଡ଼ିଶାରେ ୧୮୧୭ ମସିହାରେ ଇଷ୍ଟ ଇଣ୍ଡିଆ କମ୍ପାନୀ ବିରୋଧରେ ପ୍ରଥମ ବିଦ୍ରୋହ ହୋଇଥିଲା । ବକ୍ସି ଜଗବନ୍ଧୁଙ୍କ ନେତୃତ୍ୱରେ ହୋଇଥିଲା  ଏହି ବିଦ୍ରୋହ। ତେବେ ପାଇକଙ୍କୁ ବିଦ୍ରୋହସ ସେନାନୀ କହିବାର ଅନେକ କାରଣ ରହିଛି । ଉତ୍କଳୀୟ ପରଂପରା ଓ ରାଜ୍ୟକୁ ସୁରକ୍ଷିତ ରଖିବା ପାଇଁ ଏମାନଙ୍କର ବଳୀଦାନ ଇତିହାସରେ ସ୍ୱାର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ।

ପାଇକଙ୍କ କାର୍ଯ୍ୟ ଓ ସେମାନଙ୍କର ଇତିହାସ :

ପାଇକମାନେ ସାଧାରଣତଃ ଶାନ୍ତି ସମୟରେ ଚାଷ କାମକରୁଥିଲେ ଓ ଅନ୍ୟ ସମୟରେ ରାଜାଙ୍କ ସୈନ୍ୟଭାବେ କାର୍ଯ୍ୟ କରୁଥିଲେ । ୧୮୧୭ରେ ହୋଇଥିବା ବିଦ୍ରୋହରେ ପାଇକମାନେ ପୂର୍ବଭାରତରେ ବ୍ରିଟିସ୍‌ମାନଙ୍କ ଶାସନର ମୂଳଦୁଆକୁ ଦୋହଲାଇ ଦେଇଥିଲେ । ବଙ୍ଗ ପ୍ରଦେଶ ଅପେକ୍ଷା ଇଂରେଜମାନଙ୍କୁ ଓଡ଼ିଶାରେ ହିଁ ଅଧିକ ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା । ଆଉ ପାଇକ ହିଁ ଥିଲେ ତା ମୂଳର ପୁଞ୍ଜି ।

ଖୋର୍ଦ୍ଧା ରାଜା ପାରିବାରିକଭାବେ ଜଗନ୍ନାଥ ମନ୍ଦିରର ସଂରକ୍ଷକ ଥିଲେ । ଜଗନ୍ନାଥଙ୍କ ପ୍ରତିନିଧିଭାବେ ସେମାନେ ଶାସନ କରୁଥିଲେ । ଓଡ଼ିଶା ଲୋକଙ୍କ ରଜନୀତିକ ଓ ସାଂସ୍କୃତିକ ସ୍ୱାଧୀନତାର ପ୍ରତୀକ ଥିଲେ । ଇଂରେଜନମାନେ ବଙ୍ଗଳା ଓ ମାଡ୍ରାସ୍ ପ୍ରାନ୍ତ ଅଧିକାର କରିବା ପରେ ଓଡ଼ିଶାର ଉତ୍ତର ଓ ଦକ୍ଷିଣରେ ନିଜ ଆଧିପତ୍ୟ ସ୍ଥାପନ କରିଥିଲେ । ୧୮୦୩ରେ ଇଂରେଜମାନେ ଏହାକୁ ଅକ୍ତିଆର କରି ନେଇଥିଲେ ।

ପାଇକଙ୍କ ବଂଶଜ :

ମିଲିସିଆ ସେନାର ବଂଶଜ ହିସାବରେ ବକ୍ସି ଜଗବନ୍ଧୁ ମଧ୍ୟ ପାଇକ ଥିଲେ । ୧୮୧୭ରେ ଯେଉଁ ବିଦ୍ରୋହ ଆରମ୍ଭ ହୋଇଥିଲା ସେଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଥିଲେ । ଏଥିରେ ପ୍ରାୟ ସବୁ ବର୍ଗର ଲୋକ ସାମିଲ ହୋଇଥିଲେ । ଘୁମୁସର ବର୍ତ୍ତମାନର ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର ଅଦିବାସୀ ଓ ଅନ୍ୟ ଲୋକେ ମଧ୍ୟ ଏହି ବିଦ୍ରୋହରେ ସାମିଲ ହୋଇଥିଲେ । ଘୁମୁସରର ପ୍ରାୟ ୪୦୦ ଆଦିବାସୀ ଖୋର୍ଦ୍ଧାରେ ବ୍ରଟିସ୍ ସରକାରଙ୍କ ବିରୋଧରେ ଖୋଲାଖୋଲି ପ୍ରତିବାଦ ଆରମ୍ଭ କରିଥିଲେ । ଏହାପରେ ପାଇକ ବିଦ୍ରୋହ ଅଧିକ ପ୍ରଭାବୀ ହୋଇଥିଲା ।

କାହାକୁ ଟାର୍ଗେଟ କରୁଥିଲେ ପାଇକ ଓ କାହିଁକି ? 

ପାଇକମାନେ ବ୍ରିଟସ୍ ସରକାରଙ୍କ ପ୍ରତୀକଭାବେ ଥିବା ପୋଲିସ ଷ୍ଟେସନ୍, ପ୍ରଶାସନିକ କାର୍ଯ୍ୟାଳୟ ଉପରେ ପ୍ରଥମେ ଆକ୍ରମଣ କରିଥିଲେ । ଯାହା ଫଳରେ ଇଂରେଜମାନେ ପ୍ରାରମ୍ଭିକ ପର୍ଯ୍ୟାୟରେ ପଳାୟନ କରିଥିଲେ । ଏହାର ଅନ୍ୟ ଏକ କାରଣ ହେଉଛି ପାଇକମାନଙ୍କୁ କୁଜଙ୍ଗ, ନୟାଗଡ଼ ଏବଂ ଘୁମୁସରର,  ଗ୍ରାମ ପ୍ରଧାନ ଏବଂ ସାଧାରଣ ଚାଷୀ ଓ ରାଜାଙ୍କ ଦ୍ୱାରା ସମର୍ଥନ କରାଯାଇଥିଲା । କନ୍ଧମାଳର ରେଣ୍ଡୋ ମାଝିଙ୍କ ସଂଗ୍ରାମ ଆଜି ବି ପିଲାଙ୍କ ପାଠ୍ୟ ପୁସ୍ତକରେ ରହିଛି । ଚନ୍ଦନୀ ହଜୁର ତଥା ଚାଖୀ ଖୁଣ୍ଟିଆ, ଜୟୀ ରାଜଗୁରୁଙ୍କର ବଳୀଦାନ ବେଶ୍ ଉଲ୍ଲେଖନୀୟ ।

ବିଦ୍ରୋହ ପିପିଲି, କଟକ ସମେତ ରାଜ୍ୟର ଅନ୍ୟ ଅଞ୍ଚଳକୁ ମଧ୍ୟ ବ୍ୟାପିବାରେ ଲାଗିଥିଲା । ଆରମ୍ଭରେ ଇଂରେଜମାନଙ୍କୁ ହଟାଇ ଦିଆଗଲା, କିନ୍ତୁ ପରେ ପୁଣି ଜମି ହାତେଇବାପାଇଁ ଚେଷ୍ଟା ଆରମ୍ଭ କରିଥିଲେ । ଏଣୁ ଇଂରେଜମାନଙ୍କୁ କଡ଼ା ବିରୋଧର ସାମ୍ନା କରିବାକୁ ପଡ଼ିଥିଲା । ବିଦ୍ରୋହୀମାନଙ୍କର ଇଂରେଜଙ୍କ ସହ ଯୁଦ୍ଧ ହେଲା । ଶେଷରେ ୩ ମାସ ମଧ୍ୟରେ ଇଂରେଜମାନେ ସେମାନଙ୍କୁ ହରାଇ ଦେଇଥିଲେ ।

ବହୁ ବିଦ୍ରୋହୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଲୋକଙ୍କୁ ବନ୍ଦୀ କରିଥିଲେ ଇଂରେଜମାନେ । ୧୮୧୯ ଯାଏଁ ବିଦ୍ରୋହୀମାନେ ଗରିଲା ଯୁଦ୍ଧ ଲଢ଼ିଥିଲେ । ୧୮୨୫ରେ ବକ୍ସି ଜଗବନ୍ଧୁଙ୍କୁ ଗିରଫ କରାଗଲା । ୧୮୨୯ରେ ବନ୍ଦୀଭାବେ ତାଙ୍କର ମୃତ୍ୟୁ ହୋଇଥିଲା ।

ଇଂରେଜଙ୍କ ବିରୋଧରେ ଏହି ଲଢ଼େଇର କାହାଣୀକୁ ଶୁଣି ଶୁଣି ଓଡ଼ିଶାରେ ପିଲାମାନେ ବଡ଼ ହୋଇଛନ୍ତି । କିନ୍ତୁ ଦୁର୍ଭାଗ୍ୟର କଥା ଜାତୀୟସ୍ତରରେ ଏହା ଉପରେ ଯେତିକି ଧ୍ୟାନ ଦିଆଯିବା କଥା ତାହାଠରୁ କମ୍ ଧ୍ୟାନ ଦିଆଯାଇଛି ।

କିନ୍ତୁ ଖୁସିର କଥା କି ଭାରତ ସରକାର ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତିକୁ ଅତି ଧୁମ୍‌ଧାମରେ ପାଳନ କରିଛନ୍ତି । ଏବେ ବି ଏ ଦିଗରେ ଅନେକ କିଛି କାର୍ଯ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଉଛି । ତେବେ ଏହି ଅବସରେ ଆସନ୍ତାକାଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ ବରୁଣେଇ ପାଦଦେଶରେ ପାଇକ ଭବନର ଶିଳାନ୍ୟାସ କରିବେ । ଏଥିସହ ପ୍ଳାଟିନମ୍‌ ଜୁବଲି ସମାରୋହର ଉଦ୍‌ଯାପନୀ ସମାରୋହରେ ଯୋଗଦେବେ । ଏଥିସହ ପାଇକ ବିଦ୍ରୋହ ସ୍ମୃତିରେ ଏକ ଡାକ ଟିକଟ ଓ ମୁଦ୍ରା ପ୍ରଚଳିତ ହେବ ।

ଆଜିର ରାଶିଫଳ (୦୭.୧୨.୨୦୧୯) ଶନିବାର

ତାରିଖ୦୭.୧୨.୨୦୧୯ ଶନିବାର

ମେଷ- ମାନସିକ ଅସ୍ଥିରତା ବୃଦ୍ଧି ପାଇବ । ଶାରିରୀକ ଅସୁସ୍ଥତା ଜନିତ ସମସ୍ୟା ଦେଖା ଦେଇପାରେ । ଅଯଥା ଭ୍ରମଣ ଓ ଅପବ୍ୟୟ ହୋଇପାରେ ।ପାରିବାରିକ ଜୀବନ ଅଶାନ୍ତ ରହିବ ।

ବୃଷ- ବିଭିନ୍ନ ସୂତ୍ରରୁ ଅର୍ଥ ଆଗମନ ଯୋଗ ରହୁଛି । ଚିନ୍ତା କରିଥିବା କାର୍ଯ୍ୟରେ ମଫଳ ହେବେ । ପିତା, ମାତା, ଗୁରୁ, ଗୁରୁଜନ ମାନଙ୍କର କୃପାଲାଭ କରିବେ । ସାମାଜିକ କର୍ମରେ ତତ୍ପର ହେବେ । ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ ।

ମିଥୁନ- କର୍ମ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିବେ । ସାଂଗଠନିକ କାର୍ଯ୍ୟରେ ନେତୃତ୍ୱଲାଭ କରିବେ । କଳା, ସଙ୍ଗୀତ, ଓ ସାହିତ୍ୟ ପ୍ରତି ରୁଚି ବୃଦ୍ଧି ପାଇବ । ପାରିବାରିକ ଜୀବନ ସୁଖମୟ ହେବ ।

କର୍କଟ- ସୁ ସମ୍ବାଦ ପାଇ ମନର ଖୁସି ବହୁ ଗୁଣିତ ହେବ । କର୍ମ କ୍ଷେତ୍ରରେ ଲାଭବାନ ହେବେ । ବନ୍ଧୁ ବର୍ଗଙ୍କ ସହଯୋଗ ପ୍ରାପ୍ତି ହେବେ । ସାମାଜିକ ସ୍ତରରେ ଯଶ, ଖ୍ୟାତି ସମ୍ପନ୍ନ ହେବ ।

ସିଂହ- ପାରିବାରିକ ଜୀବନ ଅଶାନ୍ତ ରହିପାରେ । କୌଣସି କାରଣରୁ ପଡ଼ୋଶୀଙ୍କ ସହିତ ବିବାଦୀୟ ହୋଇପାରନ୍ତି । କର୍ମକ୍ଷେତ୍ରରେ ସମାଲୋଚିତ ହେବେ । ଆୟ ତୁଳନାରେ ବ୍ୟୟ କମ୍ ହେବ ।

କନ୍ୟା- ସାମାନ୍ୟ ଶାରିରୀକ ଅସୁସ୍ଥତା ଦେଖାଦେଇପାରେ । କର୍ମ କ୍ଷେତ୍ରରେ ଉଚ୍ଚ ପ୍ରସଂଶିତ ହେବେ । ଗୃହରେ ମାଙ୍ଗଳିକ କାର୍ଯ୍ୟ ସମ୍ପନ୍ନ ହୋଇପାରେ । ପାରିବାରିକ ଜୀବନ ଶୁଖଶାନ୍ତିରେ କଟିବ ।

ତୁଳା- ବିଭିନ୍ନ ସୂତ୍ରରୁ ଅର୍ଥ ଆଗମନ ହେବ । ବହୁ ଦିନରୁ ଲାଗି ରହିଥିବା ବିବାଦର ସମାଧାନ ହେବ । ଦୃଢ଼ ମନୋବଳ ପାଇଁ କର୍ମ କ୍ଷେତ୍ରରେ ପ୍ରତିଷ୍ଠିତ ହେବେ । ପାରିବାରିକ ଓ ସାମାଜିକ ଜୀବନ ସୁଖମୟ ହେବ ।

ବିଛା- କର୍ମ କ୍ଷେତ୍ରରେ ନିଷ୍ଠାବାନ ହେବେ । ସାମାନ୍ୟ ଶାରିରୀକ ଅସୁସ୍ଥତା ମନକୁ ବିବ୍ରତ କରିବ । ବିଭିନ୍ନ ସୂତ୍ରରୁ ଅର୍ଥ ଆଗମନ ହେବ । ପାରିବାରିକ ଜୀବନ ସୁଖମୟ ହେବ ।

ଧନୁ- ସାନସିକ ଅସ୍ଥିରତା ବୃଦ୍ଧି ପାଇବ । ଗୁପ୍ତ ଶତ୍ରୁମାନେ ନାନା ପ୍ରକାର ଅସୁବିଧାରେ ପକାଇବାକୁ ଚେଷ୍ଟା କରିବେ । କର୍ମ କ୍ଷେତ୍ରରେ ଆଳସ୍ୟତା ବୃଦ୍ଧି ପାଇବ । ପାରିବାରିକ ଜୀବନ ବିଶାଦଗ୍ରସ୍ଥ ରହିପାରେ ।

ମକର- ଦିନଟି ଭଲରେ କଟିବ । ପରିବାର ମଧ୍ୟରେ ସୁଖଶାନ୍ତି ବଜାୟ ରହିବ । ଗବେଷଣାତ୍ମକ ଦିଗରେ ରୁଚି ବଢିବ । ଗୃହରେ ମାଙ୍ଗଳିକ କାର୍ଯ୍ୟ ସଙ୍ଗଛଠିତ ହୋଇପାରେ ।

କୁମ୍ଭ- ଶରୀର ସୁସ୍ଥ ରହିବ । ବ୍ୟୟାଧିକ କାରଣରୁ ମାନସିକ ଚାପଗ୍ରସ୍ଥ ରହିବେ । କର୍ମ କ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଦେଖାଦେଇପାରେ । ପାରିବାରିକ ଜୀବନ ସୁଖମୟ ହେବ ।

ମୀନ- ସ୍ୱାସ୍ଥ୍ୟ ଜନିତ ସମସ୍ୟାରେ ସୁଧାର ଆସିବ । ମାନସିକ ସ୍ଥିତି ଦୃଢ ରହିବ । ବନ୍ଧୁବର୍ଗଙ୍କ ସହଯୋଗ ପ୍ରାପ୍ତି ହେବେ । ପାରିବାରିକ ଜୀବନରେ ସୁଖଶାନ୍ତି ବୃଦ୍ଧି ପାଇବ ।

ଯୋଗାଯୋଗ- ୯୮୬୧୨୭୧୫୫୭

‘ଭୀମସାରରେ ବିକଶିତ ହେବ ସାଟେଲାଇଟ୍ ସେଣ୍ଟର, ୨୪ ମାସରେ ସରିବ ବଲାଙ୍ଗିର ମେଡିକାଲ କଲେଜ କାମ’

ଭୁବନେଶ୍ୱର : ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ‘ମୋ-ସରକାର’ କାର୍ଯ୍ୟକ୍ରମକୁ ଅଧିକ ଦକ୍ଷ ଓ ଉତ୍ତରଦାୟୀ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ୬ଟି ଜିଲ୍ଲାରେ ରୋଗୀଙ୍କ ପାଇଁ ସିଟ୍ ସଂଖ୍ୟା ବୃଦ୍ଧି କରାଯାଇଥିବା ବେଳେ ରୋଗୀଙ୍କ ଫିଡବ୍ୟାକ୍ ଆଧାରରେ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର ।

ସମ୍ବଲପୁର, ଦେବଗଡ଼, ଅନୁଗୁଳ, କେନ୍ଦ୍ରାପଡ଼ା ଓ ସୋନପୁର ଜିଲ୍ଲାର ସଦର ମହକୁମା ଚିକିତ୍ସାଳୟ ଓ ବଲାଙ୍ଗିରର ସନ୍ଥ ଭୀମଭୋଇ ମେଡିକାଲ୍ କଲେଜର ୬ଟି ରୋଗୀ କଲ୍ୟାଣ ସମିତି ପ୍ରତ୍ୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ୧୫ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯିବ । ଏହି ୬ଟି ଜିଲ୍ଲାର ପୋଲିସ ଏସପି ମାନଙ୍କୁ ରକ୍ତଦାନ କାର୍ଯ୍ୟକ୍ରମକୁ ପ୍ରୋତ୍ସାହିତ କରିବା ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦିଆଯିବ ।

ଏହିସବୁ ଜିଲ୍ଲାର ହସ୍ପିଟାଲ ଗୁଡ଼ିକରେ ରୋଗୀଙ୍କ ଏଟେଣ୍ଡାଣ୍ଟଙ୍କ ପାଇଁ ବିଶ୍ରାମାଗାର ନିର୍ମାଣ କରାଯିବ । ସମ୍ବଲପୁର ଜିଲ୍ଲା ହସ୍ପିଟାଲରେ ମାତୃ ଓ ଶିଶୁ ଚିକିତ୍ସା କେନ୍ଦ୍ରରେ ୫୦ଟି ଅତିରିକ୍ତ ଶଯ୍ୟା ସହିତ, କାଜୁଆଲଟି ଓ ବର୍ହିବିଭାଗ ଚିକିତ୍ସା କୋଠା ନିର୍ମାଣ ହେବ ।

ଜିଲ୍ଲା ସଦର ମହକୁମା ହସ୍ପିଟାଲରେ ମା’ ଗୃହ ପାଇଁ ନୂଆ କୋଠା ନିର୍ମାଣ କରାଯିବ । ସଦର ମହକୁମା ହସ୍ପିଟାଲରେ ରୋଗ ପରୀକ୍ଷା ପାଇଁ ସମନ୍ୱିତ ଲାବରେଟୋରୀର ଉନ୍ନତୀ କରଣ କରାଯିବ ଏବଂ ଡାଏଲିସିସ୍ ୟୁନିଟ୍ ସହ ଆଇସିୟୁ ପ୍ରତିଷ୍ଠା କରାଯିବ । ସମ୍ବଲପୁର ଜିଲ୍ଲା ହସ୍ପିଟାଲକୁ ସ୍ୱତନ୍ତ୍ର ଚିକିତ୍ସା ପାଇଁ ବୁର୍ଲା ସ୍ଥିତ ଭୀମସାରକୁ ଏକ ସାଟେଲାଇଟ୍ ସେଣ୍ଟର ଭାବେ ବିକଶିତ କରାଯିବ । ଡିପିଏମୟୁ କୋଠା ପାଇଁ ଅତିରିକ୍ତ ଭିତ୍ତିଭୂମି ନିର୍ମାଣ ହେବ । ଦେବଗଡ଼ ସଦର ମହକୁମା ହସ୍ପିଟାଲର ଶଯ୍ୟା ସଂଖ୍ୟା ୬୦ରୁ ୨୦୦କୁ ବୃଦ୍ଧି କରାଯିବ ।

ସେହିପରି ଅନୁଗୁଳ ଜିଲ୍ଲା ସଦର ମହକୁମା ହସ୍ପିଟାଲର ଶଯ୍ୟା ସଂଖ୍ୟା ୧୯୨ରୁ ୩୦୦କୁ ବୃଦ୍ଧି କରାଯାଇ କ୍ୟାମ୍ପସ ମଧ୍ୟରେ ନୂଆ କୋଠା ତିଆରି କରାଯିବ । ଡାଏଲିସିସ୍ ୟୁନିଟର ସଂପ୍ରସାରଣ କରାଯିବ । ଆଇସିୟୁ ୟୁନିଟର ସୁଦୃଢୀକରଣ, ଆନେସ୍ଥେସିଆ ୱାର୍କ ଷ୍ଟେସନ୍, ଅତିରିକ୍ତ ଇଲେକଟ୍ରିକ୍ ଅଟୋକ୍ଲି ଏବଂ ଅତିରିକ୍ତ ଇସିଜି ମେସିନ୍ ଯୋଗାଇ ଦିଆଯିବ ।

କେନ୍ଦ୍ରାପଡ଼ି ଜିଲ୍ଲା ହସ୍ପିଟାଲରେ ଶଯ୍ୟା ସଂଖ୍ୟା ୧୭୫ରୁ ୨୦୦କୁ ବୃଦ୍ଧି କରାଯିବ । ନୂଆ କ୍ୟାମ୍ପସରେ ଷ୍ଟାଫ୍ କ୍ୱାର୍ଟର, ଆଧୁନିକ ଓପିଡି ଓ ଆଇସିୟୁ ସ୍ଥାପନ କରାଯିବ । ଡାଏଲିସିସ୍ ୟୁନିଟର ସଂପ୍ରସାରଣ ସହିତ ୨ଟି ଅତିରିକ୍ତ ଆମ୍ବୁଲାନ୍ସ ଓ ଗୋଟିଏ ଅତିରିକ୍ତ ମହାପ୍ରୟାଣ ଯାନ ଯୋଗାଇ ଦିଆଯିବ ।

ସେନପୁର ଜିଲ୍ଲା ହସ୍ପିଟାଲର ୨୦୦ ଶଯ୍ୟା ବିଶିଷ୍ଟ ନୂଆ ୭ ମହଲା ବିଲ୍ଡିଂର ନିର୍ମାଣ କାର୍ଯ୍ୟ ମାସକ ମଧ୍ୟରେ ଆରମ୍ଭ ହେବ । ଜିଲ୍ଲା ହସ୍ପିଟାଲରେ ସେବାର ମାନ ବୃଦ୍ଧି ପାଇଁ ଅଲଟ୍ରାସାଉଣ୍ଡ ମେସିନ୍, ବିଲରୁ ବାଇନୋମିଟର, ସେମି ଅଟୋ ଆନାଲାଇଡର୍, ମଲଟି ପାରା ମନିଟର ଏବଂ ସିବିସି ମେସିନ୍ ଯୋଗାଇ ଦିଆଯିବ ।

ବଲାଙ୍ଗିର ସନ୍ଥ ଭୀମଭୋଇ ମେଡିକାଲ୍ କଲେଜର ଶିକ୍ଷା ଦାନ ଓ ହସ୍ପିଟାଲ ବିଲଡିଂ ନିର୍ମାଣ ୨୪ ମାସ ମଧ୍ୟରେ ସଂପୂର୍ଣ୍ଣ ହେବ । ଏମସିଏଚର ଏକ ମୋଟୁରାରୀ ୟୁନିଟ୍ ପ୍ରତିଷ୍ଠା କରାଯିବ ।

ଅଟଳ ପେନସନ୍ ଯୋଜନା ଲାଗୁ ନେଇ TOP-10ରେ ଓଡ଼ିଶା

ଭୁବନେଶ୍ୱର : ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅଟଳ ପେନସନ ଯୋଜନା ସଂପର୍କିତ ବୈଠକ ଅନୁଷ୍ଠିତ ହୋଇଛି । ଦେଶରେ ଦୁଇ କୋଟିରୁ ଅଧିକ ଲୋକ ଅଟଳ ପେନସନ ଯୋଜନାରେ ସାମିଲ ହୋଇଥିବା ଜଣାପଡ଼ିଛି । ଓଡ଼ିଶାରୁ ପ୍ରାୟ ୬ ଲକ୍ଷ ୬୦ହଜାର ଲୋକ ସାମିଲ ହୋଇଛନ୍ତି । ଏହି ଯୋଜନାରେ ୮ ପ୍ରତିଶତ IR ରହିଛି।

ଏହି ଯୋଜନାରେ ଓଡ଼ିଶା ସାରା ଦେଶରେ ୧୦ମ ସ୍ଥାନରେ ରହିଛି। ୧୮ରୁ ୪୦ ବର୍ଷ ସମୟସୀମା ମଧ୍ୟରେ ଯେକୋୖଣସି ବ୍ୟକ୍ତି ଏଥିରେ ସାମିଲ ହୋଇ ପାରିବେ ବୋଲି କେନ୍ଦ୍ରରୁ ଆସିଥିବା ପ୍ରତିନିଧି ସୂଚନା ଦେଇଛନ୍ତି ।

ଏଥିରେ ମାସିକ ୧୦୦୦ରୁ ୫୦୦୦ ଟଙ୍କା ପେନସନ୍ ମିଳିପାରିବ। UCO BANK ଏହାର ନୋଡ଼ାଲ ଏଜେନ୍ସି ଭାବେ ଓଡ଼ିଶାରେ କାମ କରୁଛି । ସରକାରଙ୍କ ଏହି ଯୋଜନାକୁ ରାଜ୍ୟରେ ଲୋକପ୍ରିୟ କରିବା ପାଇଁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ପେନସନ୍ ଫଣ୍ଡ ରେଗୁଲେଟୋରି ଏଣ୍ଡ ଡେଭଲପମେଣ୍ଟ ଅଥରିଟିର ସଦସ୍ୟ ସୁପ୍ରୀତମ ବନ୍ଦୋପାଧ୍ୟାୟ।