କେନ୍ଦ୍ରାପଡା: ବନ୍ଧୁକ ଦେଖାଇ ପେଟ୍ରୋଲ ପମ୍ପରୁ ଲୁଟ୍ । ସୁରକ୍ଷାକର୍ମୀଙ୍କୁ ମାଡ଼ମାରି ଲୁଟିନେଲେ ଦୁର୍ବୃତ୍ତ । ମାର୍ଶାଘାଇ ଥାନା ଅନ୍ତର୍ଗତ ୫ନମ୍ବର (କ) ଜାତୀୟ ରାଜପଥର ହଜାରୀ ଛକ ନିକଟରେ ଥିବା ଏକ ପେଟ୍ରୋଲ ପମ୍ପରେ ଲୁଟ ଅଭିଯୋଗ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ପେଟ୍ରୋଲ ପମ୍ପର ସୁରକ୍ଷା କର୍ମୀଙ୍କୁ ବନ୍ଧୁକ ଦେଖାଇ ଲୁଟିବାକୁ ଉଦ୍ୟମ କରିଥିଲେ । ସୁରକ୍ଷା କର୍ମୀ ଏହାର ବିରୋଧ କରିବାରୁ ତାଙ୍କୁ ନିସ୍ତୁକ ମାଡ ମାରି ଟଙ୍କା ଲୁଟିନେଇ ଥିବା ସୂଚନା ମିଳିଛି । ଏ ସମ୍ପର୍କରେ ମାର୍ଶାଘାଇ ଥାନାରେ ଏତଲା ପରେ ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିଛି ।
୬ ମହଲା ବିଲ୍ଡିଂରୁ ଠେଲି ଯୁବତୀଙ୍କୁ ହତ୍ୟା !
ନୂଆଦିଲ୍ଲୀ: ନୋଏଡ଼ାରେ ଜଣେ ଓଡ଼ିଆ ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ନୋଏଡ଼ାର ସେକ୍ଟର-୪୯ ସ୍ଥିତ ହନୁମାନ ମୂର୍ତ୍ତି ପାଖରେ ଥିବା ଓୟୋ ଟାଉନସିପ୍ ହୋଟେଲର ୬ ମହଲାରୁ ଖସିପଡ଼ି ସେ ପ୍ରାଣ ହରାଇଥିବା ଜଣାପଡ଼ିଛି ।
ସୂଚନା ଅନୁଯାୟୀ, ମୃତ ଯୁବତୀ ହେଉଛନ୍ତି ପଦ୍ମିନୀ ପାଢ଼ୀ। ସେ ଗଜପତି ଜିଲ୍ଲା ଅନ୍ତର୍ଗତ ପାରଳାଖେମୁଣ୍ଡିର ଶ୍ରୀଧର ନଗର-୧ର ବାସିନ୍ଦା। ସେ ଭୁବନେଶ୍ୱରରେ ଗୋଟିଏ ଆଇଟି କମ୍ପାନିରେ କନସଲଟାଣ୍ଟ୍ ଇଞ୍ଜିନିୟର୍ ରୂପେ କାର୍ଯ୍ୟ କରୁଥିଲେ । ମଙ୍ଗଳବାର ରାତିରେ ଏହି ଘଟଣା ଘଟିବା ସମୟରେ ତାଙ୍କ ସହିତ ତାଙ୍କର ଜଣେ ବନ୍ଧୁ ପୂର୍ଣ୍ଣଚନ୍ଦ୍ର ସାହୁ ମଧ୍ୟ ସେଠାରେ ଉପସ୍ଥିତ ଥିବା ରିପୋର୍ଟରୁ ଜଣା ପଡିଛି । ତେବେ ଘଟଣା ପରେ ପୂର୍ଣ୍ଣଚନ୍ଦ୍ର ସେଠାରୁ ଫେରାର୍ ହୋଇଯାଇଥିବା ନୋଏଡ଼ା ପୁଲିସ୍ ସୂଚନା ଦେଇଛି ।
ରିପୋର୍ଟ ଅନୁଯାୟୀ ୧୦ ତାରିଖ ଦିନ ତାଙ୍କ ବନ୍ଧୁ ପୂର୍ଣ୍ଣଚନ୍ଦ୍ରଙ୍କୁ ଦେଖା କରିବା ପାଇଁ ସେ ନୋଏଡାରେ ପହଞ୍ଚିଥିଲେ । ପଦ୍ମିନୀଙ୍କ ପରିବାର ଲୋକ ଏ ସମ୍ପର୍କରେ ଜାଣି ନଥିଲେ। ପୂର୍ଣ୍ଣଚନ୍ଦ୍ର ସାହୁ ନୋଏଡ଼ା ଫେଜ୍-୨ର ଏକ କମ୍ପାନିରେ ଡିଜାଇନର ରୂପେ କାର୍ଯ୍ୟ କରନ୍ତି । ନୋଏଡ଼ା ପହଞ୍ଚିବା ପରେ ସେକ୍ଟର-୪୯ର ଓୟୋ ଟାଉନସିପ୍ ହୋଟେଲର ୬ ମହଲାରେ ୨୦୪ ନମ୍ବର ରୁମ୍ରେ ପଦ୍ମିନୀ ରହୁଥିଲେ । ସେହି ସମୟରେ ପୂର୍ଣ୍ଣଚନ୍ଦ୍ର ମଧ୍ୟ ସେହି ରୁମ୍ରେ ଥିଲେ । ମଙ୍ଗଳବାର ମଧ୍ୟରାତ୍ରୀରେ ୬ ମହଲାରୁ ପଦ୍ମିନୀ ଖସିପଡ଼ିଥିଲେ । ଏସମ୍ପର୍କରେ ହୋଟେଲ ମାଲିକ ପୁଲିସ୍କୁ ସୂଚନା ଦେଇଥିଲେ । ପଦ୍ମିନୀଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଏକ ଘରୋଇ ଚିକିତ୍ସାଳୟକୁ ନିଆଯାଇଥିଲା କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ଅନ୍ୟପକ୍ଷରେ ପଦ୍ମିନୀଙ୍କ ଖୋଜଖବର ନ ମିଳିବାରୁ ପରିବାର ଲୋକ ପ୍ରଥମେ ପୂର୍ଣ୍ଣଚନ୍ଦ୍ରଙ୍କୁ ଫୋନ୍ କରିଥିଲେ । କିନ୍ତୁ ପୂର୍ଣ୍ଣଚନ୍ଦ୍ର କୌଣସି ସୂଚନା ଦେବାକୁ ମନା କରିଦେଇଥିଲେ । ଏହାପରେ ପରିବାର ପକ୍ଷରୁ ଭୁବନେଶ୍ୱରରେ ଏକ ନିଖୋଜ ମାମଲା ରୁଜୁ କରାଯାଇଥିଲା । ତେବେ ପୁଲିସ୍ ପାଖରୁ ସୂଚନା ପାଇ ଗତକାଲି ପଦ୍ମିନୀଙ୍କ ପରିବାର ଲୋକ ନୋଏଡ଼ାରେ ପହଞ୍ଚିଥିଲେ । ପରିବାର ଲୋକ ପୂର୍ଣ୍ଣଚନ୍ଦ୍ର ସାହୁ ଓ ଆଉ ତାଙ୍କର ଅନ୍ୟ ଜଣେ ସହଯୋଗୀ ରୋହନ କୁମାରଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଛନ୍ତି ।
ପୁଲିସ୍ ପଦ୍ମିନୀଙ୍କ ଶବ ଜବତ କରିବା ପରେ ତାଙ୍କ ପରିବାରକୁ ହସ୍ତାନ୍ତର କରିଛି । ପଦ୍ମିନୀଙ୍କ ବାପା ମା’ ଗତକାଲି ପଦ୍ମିନୀଙ୍କ ଶବକୁ ନେଇ ଓଡ଼ିଶା ଫେରିଯାଇଥିବା ଜଣାପଡ଼ିଛି ।
୩୦ତମ ରାଜ୍ୟ ଚଳଚ୍ଚିତ୍ର ଉତ୍ସବ ସମ୍ମାନ। ସମ୍ମାନିତ ହେଲେ ୨୦୧୮ର ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ ।
ଭୁବନେଶ୍ୱର: ରଙ୍ଗାରଙ୍ଗ ସନ୍ଧ୍ୟାରେ ଭୁବନେଶ୍ୱର ଉତ୍କଳ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି ୩୦ତମ ରାଜ୍ୟ ଚଳଚ୍ଚିତ୍ର ଉତ୍ସବ ସମ୍ମାନ । ୨୦୧୮ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ବାଜି ମାରି ନେଇଛି ‘ଭିଜା ମାଟିର ସ୍ୱର୍ଗ’ ।

ଏକ ନିଆରା କାହାଣୀ ଉପରେ ପର୍ଯ୍ୟବେଷିତ ଏହି ଚଳଚ୍ଚିତ୍ର ସାଉଁଟିଛି ୬ଟି ରାଜ୍ୟ ପୁରସ୍କାର । ଏହି ଚଳଚ୍ଚିତ୍ର ପାଇଁ ଅଭିନେତା ମିହିର ଦାସଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଛି । ଏବଂ ‘ଚମ୍ପିଆନ’ ଚଳଚ୍ଚିତ୍ର ପାଇଁ ଅର୍ଚ୍ଚିତା ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କୃତ ହୋଇଛନ୍ତି ।

ଜୀବନବ୍ୟାପି ସାଧନା ପାଇଁ ବିଜୟ ମିଶ୍ରଙ୍କୁ ଶ୍ରୀ ଜୟଦେବ ଆଓ୍ବାର୍ଡରେ ସମ୍ମାନିତ କରାଯାଇଛି । ଚଳିତ ବର୍ଷ ଶ୍ରେଷ୍ଠ ଗାୟିକା ଭାବେ ଅନ୍ତରା ଚକ୍ରବର୍ତ୍ତୀଙ୍କୁ ସମ୍ମାନିତ କରାଯାଇଛି ।
ଗରମ ପାଣିରେ ଗାଧୋଇଲେ ଶରୀରରେ ଦେଖାଯାଏ ଏଭଳି ସମସ୍ୟା ।
ଶୀତଦିନ ଗରମ ପାଣିରେ ଗାଧୋଇବା ଏକ ସାଧାରଣ କଥା । କିନ୍ତୁ ଆପଣମାନେ ଜାଣନ୍ତି ଗରମ ପାଣି ଦେହ ପାଇଁ କେତେ ହୀତକର । ଗରମ ପାଣିରେ ଗୋଧୋଇଲେ ଦେହକୁ ଆରାମ ମିଳେ ସତ କିନ୍ତୁ ଏହା ଦେହ ପାଇଁ ଆଦୌ ହୀତକର ନୁହେଁ । ଥରେ ଯଦି ଗରମପାଣିରେ ଗାଧୋଇବା ଆରମ୍ଭ କରିଦେବେ ତା’ହେଲେ ଥଣ୍ଡାପାଣିରେ ଗାଧୋଇବାକୁ ଇଚ୍ଛା ହେବ ନାହିଁ। ମୁଖ୍ୟତଃ ଗରମ ପାଣିରେ ଗାଧୋଇଲେ କିଛି ସମୟ ପାଇଁ ଫୂର୍ତ୍ତି ବା ଆରାମ ଅନୁଭବ ହୋଇଥାଏ। କିନ୍ତୁ ପ୍ରାୟ ସମୟରେ ଗରମ ପାଣିରେ ଗାଧୋଇଲେ ଏହା ଶରୀରକୁ କ୍ଷତି ପହଞ୍ଚାଇବା ସହ ତ୍ୱଚା ନମନୀୟତା ଉପରେ ପ୍ରଭାବ ପଡ଼ିଥାଏ।

ତ୍ୱଚାରେ ଆର୍ଦ୍ରତା: ନିୟମିତ ଭାବେ ଗରମପାଣିରେ ଗାଧୋଇବା ଦ୍ୱାରା ଶରୀର ନମନୀୟତା ହରାଇ ତ୍ୱଚା ଆର୍ଦ୍ର ହୋଇଯାଏ। ବିଶେଷକରି ସମ୍ବେଦନଶୀଳ ତ୍ୱଚା ଥିବା ବ୍ୟକ୍ତି ଗରମପାଣିରେ ଗାଧୋଇବା ଉଚିତ ନୁହେଁ।

ସଂକ୍ରମଣ ଭୟ: ଅତ୍ୟଧିକ ଗରମପାଣିରେ ଗାଧୋଇଲେ ଶରୀରରୁ ପ୍ରାକୃତିକ ତୈଳ ଶେଷ ହୋଇଯିବାରୁ ଆଲର୍ଜି ଓ ସଂକ୍ରମଣ ଭଳି ରୋଗ ହେବାର ଭୟ ଅଧିକ ରହିଥାଏ।

ପ୍ରଜନନ ଉପରେ ପ୍ରଭାବ: ଏକ ଗବେଷଣା ଅନୁସାରେ ଦୀର୍ଘ ଦିନ ପର୍ଯ୍ୟନ୍ତ ଗରମପାଣିରେ ଗାଧୋଇବା ଦ୍ୱାରା ଏହା ପୁରୁଷଙ୍କ ପ୍ରଜନନ କ୍ଷମତା ଉପରେ ପ୍ରଭାବ ପକାଇଥାଏ। ଯେଉଁମାନଙ୍କର ପ୍ରଜନନ ସମ୍ପନ୍ଧୀୟ କିଛି ସମସ୍ୟା ରହିଛି, ସେମାନଙ୍କୁ ସମ୍ପୂର୍ଣ୍ଣ ଭାବେ ଗରମପାଣିରେ ଗାଧୋଇବା ମନା।

ଆଳସ୍ୟ ଅନୁଭବ: ଏଥିରେ ଗାଧୋଇବା ଦ୍ୱାରା ପ୍ରଥମେ ଶରୀରକୁ ବହୁ ଆରାମ ଅନୁଭବ ହୋଇଥାଏ। କିନ୍ତୁ ପରେ ଆଳସ୍ୟ ଅନୁଭବ ହେବା ସହ ନିଦ ଲାଗିଥାଏ। କିନ୍ତୁ ଥଣ୍ଡାପାଣିରେ ଗାଧୋଇଲେ ପୂରା ଦିନ ଫୂର୍ତ୍ତି ଅନୁଭବ ହୋଇଥାଏ।

ତ୍ୱଚାରେ ରିଙ୍କିଲ୍ସ: ଯଦି ବୟସ ପୂର୍ବରୁ ମୁହଁରେ ରିଙ୍କିଲ୍ସ ନ ପଡ଼ିବା ପାଇଁ ଚାହୁଁଛନ୍ତି ତେବେ ଗରମପାଣିରେ ଆଦୌ ଗାଧାନ୍ତୁ ନାହିଁ। କାରଣ ଗରମ ପାଣି ଶରୀରର ପ୍ରାକୃତିକ ତୈଳକୁ ଶେଷ କରିଦେଇଥାଏ। ଏହାଦ୍ୱାରା ମୁହଁରେ ଖୁବ୍ଶୀଘ୍ର ରିଙ୍କିଲ୍ସ ପଡ଼ିଯାଇଥାଏ।

କେଶ ଝଡ଼ିବା: ଏହା କେଶ ପାଇଁ ବହୁ ହାନିକାରକ ହୋଇଥାଏ। ଗରମ ପାଣିରେ ମୁଣ୍ଡ ଧୋଇଲେ ସ୍କଲ୍ପ ଆର୍ଦ୍ର ହୋଇଯାଏ। ଫଳରେ କେଶ ଝଡ଼ିବା ଆରମ୍ଭ ହୋଇଥାଏ।
ଆଜି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ଅନ୍ତିମ ପର୍ଯ୍ୟାୟ
ଝାଡ଼ଖଣ୍ଡ: ଆଜି ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନର ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ । ୧୬ଟି ବିଧାନସଭା ଆସନ ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି । ସନ୍ଧ୍ୟା ୫ଟା ଯାଏଁ ମତଦାନ ପ୍ରକ୍ରିୟା ଚାଲିବ । ଏହି ପର୍ଯ୍ୟାୟରେ ମତଦାନରେ ୨୩୭ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରାଯିବ । ଶେଷ ପର୍ଯ୍ୟାୟରେ ୪୦ଲକ୍ଷ୫ହଜାର୨୮୭ ମତଦାତା ନିଜର ମତ ଅଧିକାର ସାବ୍ୟସ୍ତ କରିବେ । ୧୬ଟି ଆସନରୁ ୭ଟି ଆସନ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିଛି । ମତଦାନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ମତଦାନ କେନ୍ଦ୍ର ଗୁଡିକରେ ପୋଲିସ ମୁତୟନ ହୋଇଛନ୍ତି । ବିଶେଷ କରି ନକ୍ସଲ ପ୍ରଭାବିତ କେନ୍ଦ୍ରରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଏବଂ ଡିସେମ୍ବର ୨୩ରେ ମତଦାନର ଫଳାଫଳ ପ୍ରକାଶ ପାଇବ ।
ଖେଳାଳିଙ୍କ ପାଇଁ ଆସିଲା ଖାଇବା ତାଲିକା, ଜାଣନ୍ତୁ ହୋଟେଲ ତରଫରୁ କ’ଣ ଅଛି ମେନୁରେ
ଭୁବନେଶ୍ୱର: ଆସନ୍ତା ୨୨ ତାରିଖରେ ବାରବାଟୀରେ ବହୁ ପ୍ରତୀକ୍ଷିତ ଦିନିକିଆ। ଏଥିପାଇଁ ଭାରତ ଓ ୱେଷ୍ଟଇଣ୍ଡିଜ୍ ଦଳ ରାଜଧାନୀ ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି । ଭୁବନେଶ୍ୱର ମେ ଫେୟାର ହୋଟେଲରେ ଗୁରୁବାର ଠାରୁ ସୋମବାର ପର୍ଯ୍ୟନ୍ତ ଦୀର୍ଘ ୫ ଦିନ ଧରି ରହିବେ ୨ ଦେଶର ଖେଳାଳି । ତେଣୁ, ଖେଳାଳିଙ୍କ ଖାଦ୍ୟପେୟ ଉପରେ ହୋଟେଲ୍ ପକ୍ଷରୁ ବିଶେଷ ଦୃଷ୍ଟି ଦିଆଯାଇଛି ।
ହୋଟେଲର ମୁଖ୍ୟ ସେଫଙ୍କ ସୂଚନା ଅନୁସାରେ ୱେଷ୍ଟଇଣ୍ଡିଜ ଦଳର ଖେଳାଳିଙ୍କ ମେନ୍ୟୁରେ ରହିବ ଅଧିକାଂଶ ନନଭେଜ୍ ଖାଦ୍ୟ । ଅନ୍ୟପଟେ ଭାରତୀୟ ଖେଳାଳିଙ୍କ ମେନ୍ୟୁରେ ନନଭେଜ୍ ସହ ଭେଜ୍ ଖାଦ୍ୟ ରହିବ । ଉଭୟ ଦେଶର ଖେଳାଳିଙ୍କୁ ସ୍ୱତନ୍ତ୍ର ଭାବେ କିଛି ଓଡ଼ିଆ ଖାଦ୍ୟ ପରଷାଯିବ । ସେପଟେ ସମସ୍ତ ଖାଦ୍ୟ କମ୍ ମସଲା ଓ କମ ତେଲରେ ତିଆରି ହେବ । ହୋଟେଲ୍ ସେଫଙ୍କ ଅନୁସାରେ ଉଭୟ ଦେଶର ଖେଳାଳିଙ୍କ ମେନୁରେ ରୋଷ୍ଟ ଚିକେନ, ଦେଶୀ ଚିକେନ ଝୋଳ, ମଟନ କରି, ଚିଙ୍ଗୁଡ଼ି ଓ ପାମ୍ପ୍ଲେଟ୍ ମାଛ ଭଳି ଆମିଷ ଖାଦ୍ୟ ରହିବ । ସେହପିରି ନିରାମିଷରେ ଡାଲମା, ବଟର ପନିର, ବଡ଼ିଚୁରା, ଛତୁ ବେସର ଓ ଶାଗ ସ୍ୱତନ୍ତ୍ର ଭାବେ ପରଷାଯିବ ।
ଏଥିସହ ଓଡ଼ିଶାର ପାରମ୍ପରିକ କଂସା ଓ ପିତ୍ତଳ ଥାଳି, ଗ୍ଲାସ ସାଙ୍ଗକୁ ଚାମଚରେ ଖାଦ୍ୟ ପରଷା ଯିବାର ବ୍ୟବସ୍ଥା କରାଯାଇଛି । ଖେଳାଳିଙ୍କ ପାଇଁ ସ୍ୱତନ୍ତ୍ର ମେନୁ ଆସି ସାରିଛି ଯାହକୁ ନେଇ ହୋଟେଲ ପକ୍ଷରୁ ଖାଦ୍ୟ ପ୍ରସ୍ତୁତି କରାଯାଉଛି।
ବ୍ରେକ୍ଫାଷ୍ଟ: ଟୋଷ୍ଟେଡ୍ ବ୍ରେଡ, ଡ୍ରାଏ ଫ୍ରୁଟ୍ସ, କଟ୍ ଫ୍ରୁଟ୍ସ, କ୍ଷୀର, ଦହି, ଜୁସ୍, ପଇଡ଼ ପାଣି, ସୁଗାର ଫ୍ରି ଜାମ୍, ଇଡ୍ଲି, ଦୋସା, ସମ୍ବର, ଚଟଣି, ଚା’, କଫି, ଅମ୍ଲେଟ, ଅଳ୍ପ ତେଲ ଓ ମସଲାଯୁକ୍ତ ଚିକେନ୍ ତରକାରୀ ପ୍ରସ୍ତୁତ ରହିବ ।
ଡିନର୍: ୩ ପ୍ରକାରର ଚାଉଳର ଭାତ, ରୁଟି, ଗ୍ରୀନ୍ ସାଲାଡ, ସିଝା ଅଣ୍ଡା, ଗ୍ରୀଲ୍ଡ ଚିକେନ, ଦେଶୀ କୁକୁଡ଼ା ଝୋଳ, ତନ୍ଦୁରୀ ଚିକେନ୍, ଗ୍ରୀଲ୍ଡ ମାଛ, ମଟନ କରି, ଚିଙ୍ଗୁଡ଼ି ଓ ପାମ୍ପ୍ଲେଟ୍ ମାଛ, ଡାଲି, ତଡ଼କା, ପନିର, ଦିୱାନି ଦମ୍ କି ହାଣ୍ଡି, ସମ୍ବର, ପାମ୍ପଡ଼, ଆମ୍ବ ଆଚାର, ଦହି, ରାଇତା ଖାଇବା ପାଇଁ ତାଲିକା ଆସିଛି ।
ଆଜିର ରାଶିଫଳ (୨୦/୧୨/୨୦୧୯)
ଆଜି ୨୦୧୯ ରିଖ ଡିସେମ୍ବର୨୦ ତାରିଖ, ଶୁକ୍ରବାର ପୌଷ କୃଷ୍ଣପକ୍ଷ, ସୌରମାସ ଧନୁ ଦି୫ନ, ନବମୀତିଥି, ହସ୍ତା ନକ୍ଷତ୍ର, କନ୍ୟା ଚନ୍ଦ୍ର ସୌଭାଗ୍ୟଯୋଗ, ତୈତିଳ କରଣ
ଚନ୍ଦ୍ରଶୁଦ୍ଧ- ମେଷ,ମିଥୁନ, କର୍କଟ, କନ୍ୟା, ତୁଳା, ବିଛା, ଧନୁ, ମୀନ, ରାଶିର ।
ଘାତବାର- ବିଛା, ଧନୁ ଓ ମୀନରାଶିର ।
ଘାତଚନ୍ଦ୍ର- ବୃଷ ରାଶିର
ରାହୁକାଳ- ଦିବା୧୦/୨୩ମି. ରୁ ଦିବା ୧୧/୩୪ମି.
କାଳବେଳା- ଦିବା ୧୦/୨୩ମି ରୁ ଦିବା ୧୧/୩୪ମି.
ଶୁଭବେଳା- ପ୍ରାତଃ ୭/୪୬ମି. ରୁ ଦିବା ୯/୦୨ମି.
ପର୍ବପର୍ବାଣୀ- ଅନ୍ତରାଷ୍ଟ୍ରିୟ ମାନବ ଏକତା ଦିବସ
ଆଜିର ରାଶିଫଳ
ମେଷ– ଶରୀର ସୁସ୍ଥ ରହିବ । କର୍ମ କ୍ଷେତ୍ରରେ ସଫଳତା ଅର୍ଜନ କରିବେ । ବିଭିନ୍ନ ସୂତ୍ରରୁ ଆୟ ହେବ । ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ ।
ବୃଷ– ମାନସିକ ଅସ୍ଥିରତା ଦେଖା ଦେବ । ବନ୍ଧୁମାନେ ଶତ୍ରୁ ପରି ବ୍ୟବହାର କରିବେ । ଆୟ ଠାରୁ ବ୍ୟୟ ମାତ୍ରା ବୃଦ୍ଧି ପାଇବ । ମାନସିକ ଶାନ୍ତି ଅବ୍ୟାହତ ରହିବ। ମଧ୍ୟାହ୍ନ ପରେ ଧନପ୍ରାପ୍ତି ଯୋଗ ।
ମିଥୁନ– ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ । କର୍ମକ୍ଷେତ୍ରରେ ଯଶଖ୍ୟାତି ବୃଦ୍ଧି ପାଇବ । ମାନସିକ ଶାନ୍ତି ଅବ୍ୟାହତ ରହିବ । ମଧ୍ୟାହ୍ନ ପରେ ଧନପ୍ରାପ୍ତି ଯୋଗ ।
କର୍କଟ– ମାନସିକ ଶାନ୍ତି ଅବ୍ୟାହତ ରହିବ । ପାରିବାରିକ ଜୀବନ ସୁଖମୟ ହେବ । କର୍ମକ୍ଷେତ୍ର ପ୍ରତିଷ୍ଠିତ ହେବେ । ବନ୍ଧୁବର୍ଗଙ୍କ ସହଯୋଗ ପ୍ରାପ୍ତି ହେବେ ।
ସିଂହ– ମାନସିକ ସ୍ଥିତି ଅଶାନ୍ତି ରହିବ । ଅପବ୍ୟୟର ମାତ୍ରା ବୃଦ୍ଧି ହେବ । କର୍ମକ୍ଷେତ୍ରରେ ଆଳସ୍ୟ ବୃଦ୍ଧି ପାଇବ । ପାରିବାରିକ ଜୀବନରେ ଅଶାନ୍ତ ରହିବ ।
କନ୍ୟା– କର୍ମକ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରି ପ୍ରଶଂସାର ପାତ୍ର ହେବେ । ସହକର୍ମୀମାନଙ୍କ ସହଯୋଗ ପ୍ରାପ୍ତି ହେବେ । ବିଭିନ୍ନ ସତ୍ରର ଅର୍ଥାଗମନ ଯୋଗ ରହୁଛି । ପାରିବାରିକ ଜୀବନ ସୁଖ ଶାନ୍ତିରେ କଟିବ ।
ତୁଳା– ପାରିବାରିକ ଜୀବନ ସୁଖମୟ ହେବ । ସାମାଜିକ ସ୍ଥରରେ ଯଶ ଖ୍ୟାତି ସଂପନ୍ନ ହେବେ । ସନ୍ତାନବର୍ଗଙ୍କ ଭବିଷ୍ୟତକୁ ନେଇ ନୂତନ ଯୋଜନା ପ୍ରସ୍ତୁତ କରିବେ । କର୍ମମୟ ଜୀବନରେ ସଫଳତା ଅର୍ଜନ କରିବେ ।
ବିଛା– ବିବାଦୀୟ ପରିସ୍ଥିତିର ସମାଧାନ ହେବ । ଶତ୍ରୁମାନଙ୍କର ବଳୟରୁ ମୁକ୍ତ ହେବେ । କର୍ମ କ୍ଷେତ୍ରରେ ଆଶାଜନକ ସଫଳତା ମିଳିବ । ପାରିବାରିକ ଜୀବନ ସୁଖମୟ ହେବ ।
ଧନୁ– ବିଭିନ୍ନ ସୂତ୍ରରୁ ଅର୍ଥାଗମର ଯୋଗ ରହିଛି । ସାମାନ୍ୟ ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଦେଇପାରେ । ମାନସିକ ସ୍ଥିତି ପ୍ରାୟତଃ ଅସ୍ଥିର ରହିବ । ପାରିବାରିକ ଜିନ ସୁଖ ଶାନ୍ତିରେ କଟିବ ।
ମକର– ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ । ମିତ୍ରମାନେ ହଠାତ୍ ଶତ୍ରୁବତ୍ ବ୍ୟବହାର କରିବେ । ଋଣଗ୍ରସ୍ତ ହୋଇପାରନ୍ତି । ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ଗୃହସ୍ଥ ଜୀବନରେ ବିଶାଜିତ ହେବେ ।
କୁମ୍ଭ– ମାନସିକ ଶାନ୍ତି ବ୍ୟାହତ ହେବ । ଭାବପ୍ରବଣତାର ବଶବର୍ତ୍ତୀ ହୋଇ ଠକାମୀର ଶିକାର ହେବେ । କୌଣସି କାରଣରୁ ଦାମ୍ପତ୍ୟକଳହ ଦେଖାଦେବ । ଗୃହସ୍ଥ ଜୀବନ ଅଶାନ୍ତ ରହିବ ।
ମୀନ– କର୍ମକ୍ଷେତ୍ରରେ ସଫଳତା ଅର୍ଜନ କରିବେ । କଳା, ସାହିତ୍ୟ ସହ ସଂଗୀତ ପ୍ରତି ରୁଚି ବଢ଼ିବ । ଆର୍ଥିକ ସ୍ଥରରେ ଅଭିବୃଦ୍ଧି ଘଟିବ । ପାରିବାରିକ ଜୀବନ ସୁଖମୟ ହେବ ।

