spot_img
Home Blog Page 7305

କରୋନା ରୋଗୀଙ୍କୁ କାଟୁ କଲାନି ପ୍ଲାଜମା ଥେରାପି, ବୁଜିଲେ ଆଖି

ମୁମ୍ବାଇ: ମହାମାରୀ କରୋନାକୁ ନେଇ ଦୁନିଆ ଆତଙ୍କ ଭିତରେ ରହିଛି । ଭ୍ୟାକ୍ସିନ୍ ପ୍ରସ୍ତୁତି ପାଇଁ ସମସ୍ତ ଗବେଷଣା ଜାରି ରହିଛି । ଅନ୍ୟପଟେ କରୋନା ରୋଗୀଙ୍କୁ ସୁସ୍ଥ କରିବାକୁ ଚିକିତ୍ସକ ଆପଣାଉଛନ୍ତି ବିଭିନ୍ନ ପନ୍ଥା । ଦିଲ୍ଲୀରୁ ଟ୍ରାଏଲ୍ ଭାବେ ଆରମ୍ଭ ହୋଇଥିବା ପ୍ଲାଜମା ଥେରାପିରେ ମୁମ୍ବାଇରେ ପ୍ରଥମ ମୃତ୍ୟୁ ହୋଇଛି । ବୁଧବାର ରାତିରେ ମୁମ୍ବାଇ ଲୀଳାବତି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

ମେଡିକାଲ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ସଂକ୍ରମିତ ଜଣଙ୍କୁ ବିଳମ୍ବରେ ଚିକିତ୍ସା ପାଇଁ ଅଣାଯାଇଥିଲା । ସେ ନିମୋନିଆ ସହ କରୋନାରେ ସଂକ୍ରମିତ ଥିଲେ । ୫୩ ବର୍ଷୀୟ ଆକ୍ରାନ୍ତଙ୍କୁ ଏପ୍ରିଲ୍ ୨୫ରେ ଲୀଳାବତି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯାଞ୍ଚ ପରେ ଜଣାପଡ଼ିଥିଲା ତାଙ୍କ ଠାରେ କରୋନା ଭୂତାଣୁ ଅଛି । ICMR ଠାରୁ ପ୍ଲାଜମା ଥେରାପି ଟ୍ରାଏଲ୍ ପାଇଁ ଅନୁମତି ମିଳିବା ପରେ ଆକ୍ରାନ୍ତଙ୍କୁ ପ୍ଲାଜମା ଦିଆଯାଇଥିଲା ।

ହସ୍ପିଟାଲ ସିଇଓ ଡକ୍ଟର ବି. ରବିଶଙ୍କରଙ୍କ ସୂଚନା ମୁତାବକ ଆକ୍ରାନ୍ତଙ୍କୁ ୨୦୦ ଏମ୍ଏଲ୍ ପ୍ଲାଜମା ଦିଆଯାଇଥିଲା । ପରେ ବି ତାଙ୍କୁ ଆଉ ପ୍ଲାଜମା ଦିଆଯାଇଥାନ୍ତା । କିନ୍ତୁ, ତାଙ୍କ ସ୍ଥିତି ବିଗିଡ଼ିବା ଦେଖି ପ୍ଲାଜମା ଦେବା ବନ୍ଦ କରି ଦିଆଯାଇଥିଲା ।

Corona

ପ୍ଲାଜମା ଥେରାପି ପରେ ଆକ୍ରାନ୍ତଙ୍କ ମୃତ୍ୟୁ ପରେ ଏବେ ଏହାକୁ ନେଇ ଆଶଙ୍କା ସୃଷ୍ଟି ହୋଇଛି । ଡାକ୍ତରଙ୍କ କହିବା କଥା ପ୍ଲାଜମା ଥେରାପି ବର୍ତ୍ତମାନ ଯାଏଁ ଗ୍ରହଣୀୟ ଚିକିତ୍ସା ପଦ୍ଧତି ନୁହେଁ । ଏହାକୁ କେବଳ ପରୀକ୍ଷଣ ଭାବେ ନିଆଯିବା ଉଚିତ୍ ।

ପ୍ଲାଜମା ଥେରାପିକୁ ନେଇ କୌଣସି ପ୍ରମାଣ ନାହିଁ,ଏବେ କେବଳ ଟ୍ରାଏଲ ଚାଲିଛି : କେନ୍ଦ୍ର

କଟକରେ ଆମ୍ୱୁଲାନ୍ସ ଦୁର୍ଘଟଣାଗ୍ରସ୍ତ: କରୋନା ରୋଗୀଙ୍କୁ ନେଇ ଆସୁଥିଲା ଆମ୍ୱୁଲାନ୍ସ

କଟକ: ଆମ୍ୱୁଲାନ୍ସ ଦୁର୍ଘଟଣାଗ୍ରସ୍ତ । କଟକ ଓଏମ୍‌ପି ଛକ ନିକଟରେ ଓଲଟିଲା ଆମ୍ୱୁଲାନ୍ସ । ଡିଭାଇଡରକୁ ପିଟିହୋଇ ଆମ୍ୱୁଲାନ୍ସ ଦୁର୍ଘଟଣାଗ୍ରସ୍ତ । କରୋନା ରୋଗୀଙ୍କୁ ନେଇ ଭୁବନେଶ୍ୱରର ସମ୍ ହସ୍ପିଟାଲ ଅଭିମୁଖେ ଆସିଥିଲା ଆମ୍ୱୁଲାନ୍ସ । ଯାଜପୁରରୁ ୩ କରୋନା ରୋଗୀଙ୍କୁ ନେଇ ଆସୁଥିଲା । ଦୁର୍ଘଟଣାଗ୍ରସ୍ତ ହୋଇଥିବା ୩ ଜଣ ରୋଗୀ ଗୋଟିଏ ପରିବାର ।

ମିଳିଥିବା ସୂଚନା ଅନୁଯାୟୀ ସେମାନେ ଯାଜପୁର କଟିକଟା ଅଞ୍ଚଳର । ତେବେ ଦୁର୍ଘଟଣାରେ କୌଣସି ରୋଗୀଙ୍କ କିଛି କ୍ଷୟକ୍ଷତି ହୋଇନଥିବା ବେଳେ ଡ୍ରାଇଭର ସାମାନ୍ୟ ଆହତ ହୋଇଥିବା ଚାଉଳିଆଗଞ୍ଜ ଥାନା ଆଇଆଇସି ସୂଚନା ଦେଇଛନ୍ତି । ଘଟଣା ସମ୍ପର୍କରେ ଖବର ପାଇବାରେ ପରେ ଅନ୍ୟ ଏକ ଆମ୍ୱୁଲାନ୍ସ ଯୋଗେ ସମସ୍ତ ରୋଗୀଙ୍କୁ ଉଦ୍ଧାର କରିବା ସହ ହସ୍ପିଟାଲକୁ ପଠାଇଦିଆଯାଇଛି । ଏଥିସହିତ ଡ୍ରାଇଭରଙ୍କୁ ମଧ୍ୟ ଚିକିତ୍ସା ପାଇଁ ପଠାଇଦିଆଯାଇଛି । ମୋଟ ୪ ଟି ଆମ୍ୱୁଲାନ୍ସ ଟିମ୍ ଭୁବନେଶ୍ୱର ଅଭିମୁଖେ ଆସୁଥିଲା । ସେଥିମଧ୍ୟରୁ ଗୋଟିଏ ଆମ୍ୱୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଆମ୍ୱୁଲାନ୍ସଟି ଦୁର୍ଘଟଣାଗ୍ରସ୍ତ ହୋଇଥିବାରୁ କରୋନା ରୋଗୀଙ୍କୁ ମେଡିକାଲକୁ ଆଣିବା ନେଇ ଯେଉଁ ଏସ୍‌ଓପି ପାଳନ ହୁଏ ସେଥିରେ ବ୍ୟତିକ୍ରମ ହୋଇଛି । ଏହାଦ୍ୱାରା ଦୁର୍ଘଟଣାଗ୍ରସ୍ତ ଅଞ୍ଚଳ ସଂକ୍ରମିତ ହେବାର ଆଶଙ୍କା ରହିଛି । ଏଣୁ ଦୁର୍ଘଟଣା ହୋଇଥିବା ସ୍ଥାନଟିକୁ ବିଶେୋଧନ କରାଯାଇଛି । ଏଥିସହିତ ଆମ୍ୱୁଲାନ୍ସଟିକୁ ମଧ୍ୟ ବିଶୋଧନ କରାଯାଇ କ୍ରେନ ସହାୟତାରେ ତାକୁ ଥାନାକୁ ନିଆଯାଇଛି ।

 

ରାଜ୍ୟ ସରକାରଙ୍କ ସହଯୋଗରେ ରାଜସ୍ଥାନରୁ ଫେରୁଛନ୍ତି ୯୭୫ ଜଣ ଛାତ୍ରଛାତ୍ରୀ

ଭୁବନେଶ୍ୱର: ରାଜସ୍ଥାନ କୋଟାରୁ ଯାତ୍ରା ଆରମ୍ଭ କରିଛନ୍ତି ଫସିରହିଥିବା ଓଡ଼ିଆ ଛାତ୍ରଛାତ୍ରୀ । ସମସ୍ତ ଛାତ୍ରଛାତ୍ରୀଙ୍କୁ ଓଡ଼ିଶା ଫେରାଇଆଣିବା ପାଇଁ ବ୍ୟବସ୍ଥା କରିଛନ୍ତି ରାଜ୍ୟସରକାର । ୧୧୩ ଜଣ ଛାତ୍ରଛାତ୍ରୀ ନିଜ ନିଜ ବ୍ୟବସ୍ଥାରେ ଫେରୁଥିବା ବେଳେ ଓଡ଼ିଶା ସରକାର ଗାଡ଼ି ପରମିଟ୍‌ ଓ ଅନ୍ୟାନ୍ୟ ବ୍ୟବସ୍ଥା ଯୋଗାଇ ଦେଇଛନ୍ତି ।

ଏମାନଙ୍କୁ ମିଶାଇ ୯୭୫ ଜଣ ଛାତ୍ରଛାତ୍ରୀଙ୍କ ତାଲିକା ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ସୂଚନା ଦେଇଛନ୍ତି ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବା ଦାୟିତ୍ୱରେ ଥିବା ରାଜ୍ୟର ବରିଷ୍ଠ ଅଧିକାରୀ ସାର୍ଥକ ଷଡ଼ଙ୍ଗୀ ।

ରାଜସ୍ଥାନ କୋଟାରୁ ଓଡ଼ିଶା। ଓଡ଼ିଆ ଛାତ୍ରଛାତ୍ରୀଙ୍କ ବାହୁଡ଼ା ଯାତ୍ରା। ରାସ୍ତାରେ ଅଛି ବସ୍‌। ୪ଟି ବସ୍‌ ଯୋଗେ ୧ହଜାର ୩ ଶହ ୩୮ କିଲୋମିଟରର ଯାତ୍ରା ଆରମ୍ଭ କରିଛନ୍ତି ଛାତ୍ରଛାତ୍ରୀ । ଲକ୍‌ଡାଉନ୍‌ ଯୋଗୁ ବିଭିନ୍ନ ଶିକ୍ଷାକ୍ଷେତ୍ରରେ କୋଚିଂ ନେଉଥିବା ରାଉରକେଲାର ୧୧୩ ଜଣ ଛାତ୍ରଛାତ୍ରୀ କୋଟାରେ ଫସି ରହିଥିଲେ ।

ଦୋକାନବଜାର ବନ୍ଦ ଯ଼ୋଗୁଁ ନାନା ସମସ୍ୟାର ସମ୍ମୁଖୀନ ହେଉଥିଲେ । ଏନେଇ ଓଡ଼ିଶା ଫେରିବା ପାଇଁ ରାଜ୍ୟ ସରକାରଙ୍କ ନିକଟରେ ନିବେଦନ କରିଥିଲେ ଛାତ୍ରଛାତ୍ରୀ ଓ ଅଭିଭାବକ।  ଏହାପରେ ଓଡ଼ିଶା ଫେରାଇ ଆଣିବା ପାଇଁ ସମସ୍ତ ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର।

ଓଡ଼ିଶା ସରକାର ଛାତ୍ରଛାତ୍ରୀଙ୍କ ପାଇଁ ଗାଡି ପରମିଟ୍‌ ଓ ଅନ୍ୟାନ୍ୟ ବ୍ୟବସ୍ଥା ଯୋଗାଇ ଦେଇଛନ୍ତି । ଏହି 113 ଜଣଙ୍କୁ ମିଶାଇ ରାଜ୍ୟର ୯୭୫ ଜଣ ଛାଚ୍ରଛାତ୍ରୀଙ୍କ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇଛି ।

ବାକି ଛାତ୍ରଛାତ୍ରୀଙ୍କୁ ମଧ୍ୟ ଖୁବଶୀଘ୍ର ଓଡ଼ିଶାକୁ ଫେରାଇ ଅଣାଯିବ ବୋଲି ରାଜ୍ୟ ସରକାର ସୂଚନା ଦେଇଛନ୍ତି।

ସୁସ୍ଥ ହେଲେ ଆଉ ୨ କରୋନା ରୋଗୀ: ରାଜ୍ୟର ମୋଟ ୪୧ ଜଣ ସୁସ୍ଥ

ଭୁବନେଶ୍ୱର: ସୁସ୍ଥ ହେଲେ ଆଉ ୨ କରୋନା ଆକ୍ରାନ୍ତ । ସୁସ୍ଥ ହୋଇଥିବା ୨ ଜଣ ଆକ୍ରାନ୍ତ ରାଉରକେଲା । ଏଥିସହିତ ରାଜ୍ୟରେ ମୋଟ ସୁସ୍ଥ ହୋଇଥିବା ରୋଗୀଙ୍କ ସଂଖ୍ୟା ୪୧ରେ ପହଞ୍ଚିଛି । ଏ ନେଇ ସ୍ୱାସ୍ଥ୍ୟ ଓ ପରବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି । ରାଉରକେଲାର ମୋଟ ୧୦ ଜଣ ରୋଗୀ ଆକ୍ରାନ୍ତ ହୋଇଥିବା ବେଳେ ସେଥିମଧ୍ୟରୁ ପୂର୍ବରୁ ୩ ଜଣ ସୁସ୍ଥ ହୋଇଥିବା ବେଳେ ଆଜିର ସୁସ୍ଥ ହୋଇଥିବା ରୋଗୀଙ୍କୁ ମିଶାଇ  ଏଯାବତ୍‌ ମୋଟ ୫ ଜଣ ରୋଗୀ ସୁସ୍ଥ ହୋଇଛନ୍ତି ।

ୟୁଜିସି ଗାଇଡଲାଇନ୍‌ର ହେବ ତର୍ଜମା: ପରୀକ୍ଷା ପାଇଁ ପ୍ରସ୍ତୁତ ରଖିବାକୁ ମନ୍ତ୍ରୀଙ୍କ ପରାମର୍ଶ

ଭୁବନେଶ୍ୱର: ଜୁନ ୧୭ ତାରିଖ ପରେ ଯେ କୈାଣସି ସମୟରେ ହୋଇପାରେ ପରୀକ୍ଷା । ଏଥିପାଇଁ ଛାତ୍ରଛାତ୍ରୀମାନେ ପ୍ରସ୍ତୁତ ରହିବା ପାଇଁ ପରାମର୍ଶ ଦେଇଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । କହିଛନ୍ତି, ଲକଡାଉନର ସୁଯୋଗକୁ ହାତଛଡ଼ା କରନ୍ତୁନି ଛାତ୍ରଛାତ୍ରୀ । ସେପଟେ ୟୁଜିସି ଗାଇଡଲାଇନର ତର୍ଜମା କରି ଓଡିଶା ଯାହା ଠିକ ହେବ ତାହା ଗ୍ରହଣ କରିବ ବୋଲି ମନ୍ତ୍ରୀ କହିଛନ୍ତି । କରୋନା ଯୋଗୁଁ ଜୁନ ୧୭ ଯାଏ ବନ୍ଦ ରହିଛି ସମସ୍ତ ଶିକ୍ଷାନୁଷ୍ଠାନ ।

୧୭ ପରେ ଯେକୈାଣସି ସମୟରେ ହେବ ବିଶ୍ୱବିଦ୍ୟାଳୟରେ ପରୀକ୍ଷା । ଏଥିଲାଗି ଛାତ୍ରଛାତ୍ରୀମାନେ ପ୍ରସ୍ତୁତ ରହିବା ପାଇଁ ପୁନର୍ବାର ଅନୁରୋଧ କରିଛନ୍ତୁ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ । ଲକଡାଉନ ସମୟର ସୁଯୋଗକୁ ଭଲଭାବେ ଗ୍ରହଣ କରି ପାଠପଢାରେ ମନୋନିବେଶ କରିବା ପାଇଁ କହିଛନ୍ତି । ବୁଧବାର ୟୁଜିସି ବିଶ୍ୱବିଦ୍ୟାଳୟ ପାଇଁ ପ୍ରସ୍ତୁତ କରିଥିବା ସ୍ୱତନ୍ତ୍ର ଗାଇଡଲାଇନକୁ ଉଚ୍ଚଶିକ୍ଷା ବିଭାଗ ତର୍ଜମା କରି ଓଡ଼ିଶା ପରିପ୍ରେକ୍ଷୀରେ ଯାହା ଠିକ ହେବ ତାକୁ ଗ୍ରହଣ କରିବ । ଏଥିଲାଗି ଖୁବଶୀଘ୍ର ଉଚ୍ଚସ୍ତରୀୟ ବୈଠକ ବସି ନିଷ୍ପତ୍ତି ନିଆଯିବ ।

ସେପଟେ ବିଶ୍ୱବିଦ୍ୟାଳୟ ପାଇଁ ୟୁଜିସିର ଗାଇଡଲାଇନ ସ୍ୱାଗତଯୋଗ୍ୟ ବୋଲି ଶିକ୍ଷାବିତ ଓ ଛାତ୍ରଛାତ୍ରୀମାନେ କହିଛନ୍ତି । ବିଭିନ୍ନ ବିଶ୍ୱବିଦ୍ୟାଳୟରେ ସେମିଷ୍ଟାର, ମୂଲ୍ୟାୟନ ଓ ଶିକ୍ଷାବର୍ଷକୁ ନେଇ ୟୁଜିସି ଗାଇଡଲାଇନ ଛାତ୍ରଛାତ୍ରୀଙ୍କ ମନରେ ଆଶା ଉଜ୍ଜଳ କରିଛି । ତେବେ କଲେଜ ଖୋଲିବା ନେଇ ସ୍ଥିତି ଦେଖି ନିଷ୍ପତ୍ତି ନେଲେ ଭଲ ବୋଲି ଶିକ୍ଷାବିତ କହିଛନ୍ତି । ଛାତ୍ରଛାତ୍ରୀମାନେ ମଧ୍ୟ ୟୁଜିସିର ଗାଇଡଲାଇନକୁ ସ୍ୱାଗତ କରିବା ସହ ଲକାଡାଉନର ସୁବିନିଯୋଗ କରିଛନ୍ତି ବୋଲି କହିଛନ୍ତି ।

ଅର୍ଥନୀତିରେ ସୁଧାର ପାଇଁ ମୋଦିଙ୍କ ଉଚ୍ଚସ୍ତରୀୟ ବୈଠକ, ନିବେଷକଙ୍କୁ ଆକର୍ଷିତ କରିବାକୁ ଯୋଜନା

କରୋନା ମହାମାରୀରୁ ପ୍ରଥମେ ଜୀବନ ରକ୍ଷା କରିବା ପରେ ସରକାର ଏବେ ଆର୍ଥିକ ସ୍ଥିତିରେ ସୁଧାର ଆଣିବାକୁ ଚେଷ୍ଟା ଆରମ୍ଭ କରିଛନ୍ତି । ଗତ ମାର୍ଚ୍ଚ 25ରୁ ସମଗ୍ର ଦେଶରେ ଲକ୍‌ଡାଉନ୍ ସ୍ଥିତି ଜାରି ରହିଛି । ଯେଉଁଥିପାଇଁ ଅର୍ଥନୀତିକୁ ଏକ ବଡ଼ ଝଟକା ଲାଗିଛି । ଅର୍ଥନୈତିକ କାରବାରରେ ଅସ୍ଥିରତା କାରଣରୁ ବିକାଶର ଗତି ଧୀମା ହୋଇଯାଇଛି । ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଦେଶୀ ପୁଞ୍ଜି ନିବେଶକାରୀଙ୍କୁ ଆକର୍ଷିତ କରିବା ଏବଂ ଘରୋଇ ପୁଞ୍ଜି ବିନିଯୋଗକୁ ତ୍ୱରାନ୍ୱିତ କରିବା ସହ ଦେଶର ଅର୍ଥନୀତିକୁ ପୁନର୍ଜୀବିତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି । ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହା, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସମେତ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ ।

କ୍ଲିୟରାନ୍ସ ପ୍ରକ୍ରିୟା ସହଜ ହେବା ଉଚିତ୍

ବୈଠକରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ନିବେଶକମାନେ ଯେଭଳି କୌଣସି ସମସ୍ୟାର ସମ୍ମୁଖୀନ ନହେବେ ସେନେଇ ବିଶେଷ ଧ୍ୟାନ ଦେବା ଉଚିତ୍ । କେନ୍ଦ୍ରୀୟ ଏବଂ ରାଜ୍ୟ ସ୍ତରରେ ସେମାନଙ୍କୁ କ୍ଲିୟରାନ୍ସ ସମ୍ବନ୍ଧରେ ଯେଭଳି କୌଣସି ସମସ୍ୟା ନଉପୁଜେ ଏବଂ ଏହି ପ୍ରକ୍ରିୟାରେ ଲାଗୁଥିବା ସମୟ ଯେଭଳି ହ୍ରାସ କରାଯିବ ସେନେଇ ବ୍ୟବସ୍ଥା କରାଯିବା ଉଚିତ୍‌ । ବୈଠକରେ ଆହୁରି ମଧ୍ୟ କୁହାଯାଇଛି ଯେ, ଦେଶରେ ଶିଳ୍ପ ଜମି/ ପ୍ଲଟ୍ର ଭିତ୍ତିଭୂମିକୁ ପ୍ରୋତ୍ସାହିତ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରାଯିବା ସହ ଆବଶ୍ୟକ ଆର୍ଥିକ ସହାୟତା ପ୍ରଦାନ କରାଯିବା ଉଚିତ୍ ।

MODI

୨୭ ଏପ୍ରିଲରେ, ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ, ସେତେବେଳେ ମଧ୍ୟ ସେ ବିଦେଶୀ ପୁଞ୍ଜି ନିବେଶକାରୀଙ୍କ ପାଇଁ ସମସ୍ତ ସୁବିଧା କରାଇବାକୁ ପରାମର୍ଶ ଦେଇଥିଲେ ।

ନିବେଶକମାନେ ଚୀନ୍‌ର ବିକଳ୍ପ ଖୋଜୁଛନ୍ତି

ବାସ୍ତବରେ, ଅନେକ ରିପୋର୍ଟରେ କୁହାଯାଇଛି ଯେ କରୋନା ମହାମାରୀ ମଧ୍ୟରେ ସମଗ୍ର ବିଶ୍ୱରୁ ବିଭିନ୍ନ କମ୍ପାନୀ ଏବଂ ନିବେଶକମାନେ ଚୀନ୍‌ର ବିକଳ୍ପ ଖୋଜୁଛନ୍ତି ଆଉ ସେମାନେ ଭାରତ ଉପରେ ନଜର ରଖିଛନ୍ତି । ଅର୍ଥନୖତିକ ବିଶେଷଜ୍ଞମାନେ ଏହା ମଧ୍ୟ କହିଛନ୍ତି ଯେ, ଏହା ଭାରତ ପାଇଁ ଏକ ସୁବର୍ଣ୍ଣ ସୁଯୋଗ । ଯଦି ଭାରତ ଏହି ସୁଯୋଗର ଲାଭ ଉଠାଏ, ତେବେ ଆଗାମୀ ଦିନରେ ଭାରତ ସାରା ବିଶ୍ୱରେ ଯୋଗାଣ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ ।

MODI

ତାମିଲନାଡ଼ୁରୁ ଫେରିବେ ଓଡ଼ିଆ, ପାଲାନିସ୍ୱାମୀଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

ଭୁବନେଶ୍ୱର: ପ୍ରବାସୀ ଓଡ଼ିଆଙ୍କୁ ଫେରାଇ ଆଣିବା ପାଇଁ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଇ.କେ ପାଲାନିସ୍ୱାମୀଙ୍କ ସହ ଆଲୋଚନା କରିଛନ୍ତି ନବୀନ ପଟ୍ଟନାୟକ । ତାମିଲନାଡ଼ୁରେ ଥିବା ପ୍ରବାସୀ ଓଡ଼ିଆଙ୍କୁ ଓଡ଼ିଶା ଫେରାଇ ଆଣିବା ପାଇଁ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀଙ୍କ ସହ ବିଶେଷ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ । ଏହି ଭିଡିଓ କନ୍‌ଫରେନ୍ସିଂରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସାମିଲ ଥିଲେ ।

ଲକ୍‌ଡାଉନ୍‌ ସମୟରେ ତାମିଲନାଡ଼ୁରେ ଫଶିଥିବା ପ୍ରବାସୀ ଓଡ଼ିଆଙ୍କ ଯତ୍ନ ନେଇଥିବାରୁ ପାଲାନିସ୍ୱାମୀଙ୍କୁ ଧନ୍ୟବାଦ ଦେଇଛନ୍ତି ନବୀନ । ଯେଉଁ ଓଡ଼ିଆମାନେ ଓଡ଼ିଶା ଫେରିବାକୁ ଚାହୁଛନ୍ତି ସେମାନଙ୍କୁ ଫେରିବା ପାଇଁ ସହଯୋଗ କରନ୍ତୁ ବୋଲି ପାଲାନିସ୍ୱାମୀଙ୍କୁ ନିବେଦନ କରିଛନ୍ତି ନବୀନ । ତେବେ ତାମିଲନାଡ଼ୁ ସରକାର ସମସ୍ତ ସହଯୋଗ ଯୋଗାଇଦେବେ ବୋଲି ନବୀନଙ୍କୁ ପ୍ରତିଶୃତି ଦେଇଛନ୍ତି ପାଲାନିସ୍ୱାମୀ ।

ସେହିଭଳି ଚେନ୍ନାଇର ଗୁରୁନାନକ କଲେଜରେ କରାଯାଇଥିବା ଶିବିରରେ ରହିଥିବା ଓଡ଼ିଆଙ୍କ ସହ ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍ସିଂ ଯୋଗେ କଥା ହୋଇଛନ୍ତି । ଏହାସହ ତାମିଲନାଡ଼ୁ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଋଷିଙ୍କ ଶେଷକୃତ୍ୟକୁ କ’ଣ ପାଇଁ ଆସିଲେନି ଝିଅ ରିଦ୍ଧିମା ? ଜାଣନ୍ତୁ…

ହିନ୍ଦି ସିନେମା ଜଗତର ଲୋକପ୍ରିୟ କଳାକାର ତଥା ସୁପରଷ୍ଟାର ଋଷି କପୁରଙ୍କ ଦେହାନ୍ତ ହୋଇଛି । ତାଙ୍କ ଅନ୍ତିମ ସଂସ୍କାର ବେଳେ ପରିବାରର ୨୦ ଜଣ ସଦସ୍ୟ ଉପସ୍ଥିତ ଥିଲେ । ଦୁଃଖର କଥା ଯେ, ଅନ୍ତିମ ସଂସ୍କାର ସମୟରେ ଋିଷିଙ୍କ ଝିଅ ରିଦ୍ଧିମା ଇଚ୍ଛା ଥାଇ ମଧ୍ୟ ପହଞ୍ଚି ପାରିନଥିଲେ । ତେବେ ରିଦ୍ଧିମାଙ୍କୁ ଗୁରୁବାର ଦିଲ୍ଲୀ ପୋଲିସ ପାସ୍‌ ଦେଇଥିଲେ ମଧ୍ୟ ସେ ପହଞ୍ଚିପାରି ନଥିଲେ । କାରଣ ଦିଲ୍ଲୀରୁ ମୁମ୍ବାଇ ଲମ୍ବା ରାସ୍ତା ରହିଥିବାରୁ ସେ ଅନ୍ତିମ ସଂସ୍କାର ବେଳେ ପହଞ୍ଚି ପାରିନାହାନ୍ତି ।

ଚନ୍ଦନୱାଡିସ୍ଥିତ ସ୍ମସାନରେ ଥିବା ଇଲେକ୍‌ଟ୍ରିକ୍‌ ଚୂଲାରେ ଋଷି କପୁରଙ୍କ ଶବଦାହ କରାଯାଇଥିଲା । ଏହି ଅବସରରେ ସୈଫ୍‌ ଅଲ୍ଲୀ ଖାନ୍‌, କରୀନା କପୁର, ଆଲିଆ ଭଟ୍ଟ, ଅଭିଷେକ ବଚ୍ଚନ, ନୀତୁ କପୁର, ଆଦର ଜୈନ, କୁନାଲ କପୁର ଏବଂ କପୁର ପରିବାରର ଅନ୍ୟ ଘନିଷ୍ଠ ବନ୍ଧୁମାନେ ମଧ୍ୟ ସାମିଲ ହୋଇଥିଲେ । ତାଙ୍କୁ ଅନ୍ତିମ ବିଦାୟ ଦେବା ପାଇଁ ତାଙ୍କର ଅତି ନିକଟତର ଅନ୍ୟ ୫ ଜଣ ବନ୍ଧୁ ମଧ୍ୟ ଯୋଗ ଦେଇଥିଲେ। ଋିଷିଙ୍କ ମୃତ୍ୟୁ ସମଗ୍ର କପୁର ପରିବାର ପାଇଁ ଏକ ବଡ଼ ପ୍ରତିବନ୍ଧକ । ବିଶେଷକରି ନୀତୁ କପୁର, ରଣବୀର ଏବଂ ରିଦ୍ଧିମା କପୁରଙ୍କ ପାଇଁ ଏହା ସବୁଠୁ ଦୁଃଖଦ ଘଟଣା ।

ରିପୋର୍ଟ ଅନୁଯାୟୀ, ରିଦ୍ଧିମା ଦିଲ୍ଲୀରେ ରୁହନ୍ତି । ଲକଡାଉନ୍ ଯୋଗୁଁ ସେ ଏହି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ତେବେ ଦିଲ୍ଲୀରେ ଥିବା ଋିଷିଙ୍କ ସମ୍ପର୍କୀୟଙ୍କୁ ସଡ଼କପଥ ଦେଇ ମୁମ୍ବାଇ ଆସିବାକୁ ଅନୁମତି ମିଳିସାରିଛି । ହେଲେ ସଡ଼କ ପଥ ଦେଇ ଦିଲ୍ଲୀରୁ ମୁମ୍ବାଇ ଆସିବା ପାଇଁ ଅଧିକ ସମୟ ଲାଗିଥାଏ ।

ରିଦ୍ଧିମାଙ୍କୁ ଦକ୍ଷୀଣ ପୂର୍ବ ନୂଆଦିଲ୍ଲୀ ଡିସିପିଙ୍କଠାରୁ ପୂର୍ବାହ୍ନ ୧୦.୩୦ରେ ପାସ୍‌ ମିଳିଥିଲା । ସେ ସଡ଼କ ପଥ ଦେଇ ମୁମ୍ବାଇ ଆସିବାକୁ ଯୋଜନା କରିଥିଲେ । ତାଙ୍କୁ ପହଞ୍ଚିବା ପାଇଁ ୧୪ ରୁ ୧୫ ଘଣ୍ଟା ସମୟ ଲାଗିଥାନ୍ତା । କିନ୍ତୁ ଲକ୍‌ଡାଉନ୍‌ ଭଳି ପରିସ୍ଥିତି ଯୋଗୁଁ ଅପରାହ୍ନ ୩ଟା ସୁଦ୍ଧା ଅନ୍ତିମ ସଂସ୍କାର ଶେଷ କରିବାକୁ ବିଏମ୍‌ସି ନିର୍ଦ୍ଦେଶ ଦେଇଥିଲା । ଏହି କାରଣରୁ ରିଦ୍ଧିମାଙ୍କୁ ମମ୍ବାଇ ଆସିବାକୁ ତାଙ୍କ ପରିବାର ଲୋକ ମନା କରିଥିଲେ ।

ଦ୍ୱନ୍ଦ୍ୱ ଦୂର କଲେ ବିଏମସି କମିଶନର: ଜାଣନ୍ତୁ କ’ଣ ଖୋଲା ରହିବ, କ’ଣ ବନ୍ଦ

ଭୁବନେଶ୍ୱର: ରାଜଧାନୀରେ ସମାନ୍ତରାଳ ଭାବେ ଚାଲିବ ଲକଡାଉନ କଟକଣା ଓ ଜୀବନଜୀବିକା । ଏଥିପାଇଁ ଲକଡାଉନ ନିୟମରେ କିଛିଟା କୋହଳ କରିଛି ଭୁବନେଶ୍ୱର ମହାନଗର ନିଗମ । କେବଳ ସପିଂ ମଲ କିମ୍ବା ମାର୍କେଟ କମ୍ପ୍ଳେକ୍ସକୁ ଛାଡି ଅନ୍ୟ ସବୁ ଷ୍ଟାଣ୍ଡ ଏଲୋନ ଦୋକାନ ଖୋଲିବ ।

ଦୋକାନ ଖୋଲିବାର ସମୟ ସକାଳ ୮ଟାରୁ ସନ୍ଧ୍ୟା ୬ଟା । ଗୋଟିଏ ବିଲ୍ଡିରେ ୫ରୁ ଅଧିକ ଦୋକାନ ରହିଲେ ତାକୁ ସପିଂ ମଲ ବା ମାର୍କେଟ କମ୍ପ୍ଳେକ୍ସର ମାନ୍ୟତା ଦିଆଯାଇଛି । ତେଣୁ ସପିଂ ମଲ ଓ ମାର୍କେଟ କମ୍ପ୍ଳେକ୍ସକୁ ଖୋଲିବାକୁ ଦିଆଯାଇନି ଅନୁମତି । ଫାଷ୍ଟଫୁଡ କି ଠେଲା ଖୋଲିବନି । ଖୋଲିବନି କୈାଣସି ଜିମ, ସେଲୁନ କିମ୍ବା ମସାଜ ପାର୍ଲର । ତେବେ ଷ୍ଟାଣ୍ଡ ଏଲୋନ ବା ରେସିଡେନସିଆଲ କମ୍ପ୍ଳେକ୍ସ ଥିବା କପଡା ଦୋକାନ, ତେଜରାତି ଦୋକାନ, ହାର୍ଡୱେୟାର, ମୋବାଇଲ ମରାମତି, ଇଲୋକଟ୍ରନିକ୍ସ, ଇଲେକ୍ଟ୍ରିକାଲ ଭଳି ଦୋକାନ ଖୋଲିବାରେ କୈାଣସି ସମସ୍ୟା ନାହିଁ ।

ନିର୍ମାଣ କାମ ଚାଲିପାରିବ । କିନ୍ତୁ ସାଇଟ ଉପରେ ମୂଲିଆ ଥିଲେ କାମ କରିପାରିବେ । ବାହାରୁ ମୂଲିଆ ଆଣିପାରିବେ ନାହିଁ । ନିର୍ମାଣ ସାମଗ୍ରୀ ପରିବହନକୁ କଟକଣାମୁକ୍ତ କରାଯାଇଛି । ତେବେ ରାତିରେ ଏସବୁ ସାମଗ୍ରୀର ପରିବହନ କରିବାକୁ ପରାମର୍ଶ ଦେଇଛନ୍ତି ବିଏମସି କମିଶନର । ଅନୁମତି ପ୍ରାପ୍ତ ଦୋକାନରେ ୫ରୁ ଅଧିକ ଗ୍ରାହକ ଏକ ସମୟରେ ରହିପାରିବେ ନାହିଁ ।

ଯାହାଙ୍କୁ ଫ୍ଲୁ କିମ୍ବା ଥଣ୍ଡାର ଲକ୍ଷଣ ଥିବ ସେମାନଙ୍କ ବାବଦରେ ପ୍ରଶାସନକୁ ଜଣାଇବେ । ଦୋକାନରେ ହାତ ଧୋଇବା ଓ ସାନିଟାଇଜରର ବ୍ୟବସ୍ଥା କରାଯିବ । ମେଡିସିନ ଦୋକାନ ଭଳି ଅତ୍ୟାବଶ୍ୟକ ଦୋକାନକୁ ବାଦ ଦେଲେ ଅନ୍ୟ ସବୁ ଦୋକାନ ସକାଳ ୮ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଖୋଲା ରହିବ । ଦୋକାନୀଙ୍କ ପରିବହନ ପାଇଁ ସମ୍ପୃକ୍ତ ଦୋକାନର ଟ୍ରେଡ ଲାଇସେନ୍ସକୁ ପାସ ଭାବେ ଗ୍ରହଣ କରାଯିବ । ରେଷ୍ଟୁରାଣ୍ଟ ଓ ମିଠା ଦୋକାନ ଖୋଲିପାରିବ । କିନ୍ତୁ ବସି ଖାଇବାକୁ ଅନୁମତି ନାହିଁ । ହୋମ ଡେଲିଭରି କରିପାରିବେ । ଭୁବନେଶ୍ୱରରେ ସବୁ ଅଫିସକୁ ୩୦ ପ୍ରତିଶତ କର୍ମଚାରୀରେ କାର୍ଯ୍ୟକାରୀ କରିବାକୁ ଅନୁମତି ଦିଆଯାଇଛି । ଆଗ୍ରହୀ ଶିଳ୍ପାନୁଷ୍ଠାନ ମଧ୍ୟ ସୀମିତ ସଂଖ୍ୟକ କର୍ମଚାରୀରେ ଖୋଲିପାରିବେ । ସେଥିପାଇଁ ସେମାନେ ବିଏମସିରୁ ଅନୁମତି ନେବେ ।

ପଜିଟିଭ୍ ସଂଖ୍ୟାକୁ ନେଇ ବିବ୍ରତ ହେବାର କୈାଣସି କାରଣ ନାହିଁ: ସଞ୍ଜୟ ସିଂହ

ଭୁବନେଶ୍ୱର: ଲକଡାଉନ୍‌କୁ ନେଇ କାଉଣ୍ଟଡାଉନ୍‌ ଆରମ୍ଭ ହୋଇଯାଇଥିବା ବେଳେ ଆଜି ଗୋଟିଏ ଦିନରେ ଯାଜପୁରରୁ ଚିହ୍ନଟ ହୋଇଛନ୍ତି ୧୭ଜଣ କରୋନା ପଜିଟିଭ । ଯାହା ସାରା ରାଜ୍ୟବାସୀଙ୍କ ଚିନ୍ତା ବଢାଇ ଦେଇଛି। ଆଜି ସକାଳେ ୩ ଓ ଅପରାହ୍ନରେ ୧୪ଜଣ ଚିହ୍ନଟ ହୋଇଛନ୍ତି। ଯାଜପୁରରେ ପଜିଟିଭଙ୍କ ସଂଖ୍ୟା ୩୬କୁ ବୃଦ୍ଧି ପାଇବା ସହ ସଂକ୍ରମଣ ତାଲିକାରେ ରାଜ୍ୟର ଏକ ନମ୍ବର ପାଲଟିଛି ଯାଜପୁର। ଆଜି ଚିହ୍ନଟ ସମସ୍ତ ୧୭ଜଣ ପଜିଟିଭଙ୍କ ମଧ୍ୟରୁ ୧୬ଜଣ ଦଶରଥପୁର କଟିକଟା ଅଂଚଳର । ପୂର୍ବରୁ ଏହି ଅଂଚଳରୁ 6ଜଣ ପଜିଟିଭ ଚିହ୍ନଟ ହୋଇଥିଲେ । ସମସ୍ତଙ୍କର କୋଲକତା ଲିଙ୍କ୍ ରହିଛି କିମ୍ବା କୋଲକତା ଫେରନ୍ତା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଛନ୍ତି । ଏହି ଅଂଚଳକୁ ପୂର୍ବରୁ କଣ୍ଟନମେଣ୍ଟ କରାଯାଇଥିଲା। ଏହି ଅଞ୍ଚଳରେ ରହିଛନ୍ତି ୨୬୯ଟି ପରିବାର । ବର୍ତ୍ତମାନ ସୁଦ୍ଧା ଏହି ଅଞ୍ଚଳରୁ ୨୦୦ ଜଣଙ୍କ ନମୂନା ପରୀକ୍ଷଣ କରାଯାଇଛି । ଗୁରୁବାର ଚିହ୍ନଟ ହୋଇଥିବା ୧୪ ନୂଆ ପଜିଟିଭଙ୍କ ଭିତରେ ୫ଜଣ ମହିଳା, ୭ ଜଣ ପୁରୁଷ ଏହଂ ୨ଜଣ ତିନି ବର୍ଷର ଶିଶୁ ଅଛନ୍ତି । ଚିହ୍ନଟ ହୋଇଥିବା ସମସ୍ତେ ହୋମ କ୍ୱାରେଣ୍ଟାଇନ୍‌ରେ ରହିଥିଲେ ଏବଂ ସେମାନଙ୍କର କୌଣସି ଲକ୍ଷଣ ନଥିଲା । ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଏବେ ଜିଲ୍ଲା ପ୍ରଶାସନ ଟ୍ରାକ କରୁଛି ।

ବଢୁଥିବା ପଜିଟିଭ୍‌ ସଂଖ୍ୟାକୁ ନେଇ ଛାନିଆ ବା ବିବ୍ରତ ହେବାର କୈାଣସି କାରଣ ନାହିଁ । ସରକାର ସରପଞ୍ଚଙ୍କୁ ଦାୟିତ୍ୱ ଦେଇଛନ୍ତି । ସେମାନେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ବାହାରୁ ଆସୁଥିବା ସମସ୍ତଙ୍କୁ କ୍ୱାରେଣ୍ଟାଇନ୍‌ରେ ରଖିବାକୁ ପରାମର୍ଶ ଦେଇଛନ୍ତି ସୂଚନା ଓ ଲୋକ ସମ୍ପର୍କ ସଚିବ ସଂଜୟ ସିଂହ । ଏଥିସହିତ ସରକାର ସବୁ ପଞ୍ଚାୟତରେ ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ପାଇଁ ଅସ୍ଥାୟୀ ମେଡିକାଲ କ୍ୟାମ୍ପ କରିଛନ୍ତି । ଏଥିପ୍ରତି ଦୃଷ୍ଟି ଦେଇ ସରପଞ୍ଚମାନେ ସେମାନଙ୍କ ଦାୟିତ୍ୱ ତୁଲାଇବା ସହ ମାନବିକତା ପ୍ରଦର୍ଶନ କରିବାକୁ ଆହ୍ଵାନ ଦେଇଛନ୍ତି ସରକାର ।