ଘଟଗାଁ: ବୃକ୍ଷ ରୋପଣ ନାଁରେ ଦୁର୍ନୀତି ଅଭିଯୋଗ । ଉଚ୍ଚସ୍ତରୀୟ ତଦନ୍ତ ପରେ ୨ ବନ କର୍ମଚାରୀ ନିଳମ୍ବିତ । ଦେଓବନ୍ଧ ଫରେଷ୍ଟର ମୋହିନୀ ମହାନ୍ତ ଓ ଫରେଷ୍ଟ ଗାର୍ଡ ସାଗରିକା ବେଜଙ୍କୁ ନିଳମ୍ବନ କଲେ କେନ୍ଦୁଝର ଡିଏଫଓ ।
କିଏ ମାଷ୍ଟର ବ୍ଲାଷ୍ଟରଙ୍କ ପ୍ରଥମ ପ୍ରେମ ? ଭାଲେଣ୍ଟାଇନ ଡେରେ ଖୁଲାସା କଲେ ସଚିନ୍
ନୂଆଦିଲ୍ଲୀ: ଭାଲେଣ୍ଟାଇନ୍ ଡେ, ଭଲ ପାଇବାର ଦିନ । ଆଉ କୌଣସି ପ୍ରେମୀ ଏହି ଦିନକୁ ଖାସ୍ ବା ସ୍ମରଣୀୟ କରି ରଖିବାକୁ ଚାହେଁ । ଆଉ ଏଥିରୁ ଜମା ପଛରେ ନାହାଁନ୍ତି ଦୁନିଆର ଅନ୍ୟତମ ଜଣାଶୁଣା କ୍ରିକେଟର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । ସଚିନ ଭାଲେଣ୍ଟାଇନ ଡେରେ ନିଜ ଭଲ ପାଇବା ବିଷୟରେ କହିଛନ୍ତି । ଏନେଇ ଫ୍ୟାନ୍ ମାନଙ୍କ ସହ ଟ୍ୱିଟରରେ ସଚିନ୍ ସେୟାର କରିଛନ୍ତି ଏକ ଭିଡିଓ ।
ସଚିନଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରାଯାଇଥିବା ୧୧ ସେକେଣ୍ଡର ଭିଡିଓ ତାଙ୍କ ପ୍ରଥମ ପ୍ରେମକୁ ପ୍ରତିଫଳିତ କରୁଛି । ଆପଣ ଭାବୁଥିବେ ସଚିନ୍ ପ୍ରଥମେ କାହା ପ୍ରେମରେ ପଡ଼ିଥିଲେ । ହଁ ସେ ଏହାର ଖୁଲାସା ଟ୍ୱିଟରେ କରିଛନ୍ତି । ଆଉ ସଚିନଙ୍କ ଏହି ଭଲ ପାଇବାକୁ ଆପଣ ଭଲ ଭାବେ ଜାଣିଛନ୍ତି ।
My First Love! 😀 pic.twitter.com/KsYEYyLaxD
— Sachin Tendulkar (@sachin_rt) February 14, 2020
ପ୍ରକୃତରେ କ୍ରିକେଟର ଏହି ମାଷ୍ଟରଙ୍କ ପ୍ରଥମ ପ୍ରେମ୍ ହେଉଛି କ୍ରିକେଟ । ତାଙ୍କୁ ଯେବେ ବି ସୁଯୋଗ ମିଳେ, ସେ ଚୁପ୍ ନ ବସି କ୍ରିକେଟ୍ ଖେଳିବାକୁ ବାହାରି ପଡ଼ନ୍ତି । ଆଜି ବି ସେ ସେମିତି ନେଟ୍ ପ୍ରାକ୍ଟିସ୍ କରୁଛନ୍ତି । ସଚିନ୍ ନେଟ୍ ପ୍ରାକ୍ଟିସର ଭିଡିଓ ଟ୍ୱିଟରରେ ପୋଷ୍ଟ କରିବା ସହ କ୍ୟାପସନରେ ‘ମୋ ପ୍ରଥମ ଭଲ ପାଇବା’ ଲେଖିଛନ୍ତି ।
ଅନ୍ତର୍ଜାତୀୟ କ୍ରିକେଟରୁ ୭ ବର୍ଷ ପୂର୍ବେ ଅବସର ନେଇଥିବା ସଚିନ୍ ତେନ୍ଦୁଲକର ଏବେ ବି ସମୟ ମିଳିଲେ କ୍ରିକେଟ ଖେଳିବାକୁ ଭଲ ପାଆନ୍ତି । ଯାହାକି କ୍ରିକେଟ ପ୍ରତି ତାଙ୍କର ଥିବା ଭଲପାଇବା ଓ ପ୍ରତିବଦ୍ଧତାର ପରିଚୟ ।
୨୦୨୦ ବିଧାନସଭା ବଜେଟ ଅଧିବେଶନରେ ଅଭିଭାଷଣ ରଖିଲେ ମହାମହିମ ରାଜ୍ୟପାଳ ଗଣେଶୀ ଲାଲ
ଭୁବନେଶ୍ୱର: ମୋ ସରକାର ପ୍ରଶାସନିକ ବ୍ୟବସ୍ଥାର ନୂଆ ପରିମାପକ। ବିନା ଅସୁବିଧାରେ ସ୍ୱଚ୍ଛ ଉପାୟରେ ଲୋକଙ୍କୁ ଉଦ୍ଦିଷ୍ଟ ସେବା ମିଳୁଛି। ପରାମର୍ଶଭିତ୍ତିକ ପ୍ରଶାସନର କାମ କରିବା ମୋ ସରକାରର ଲକ୍ଷ୍ୟ। ୫-ଟି ଭଳି ଅମୂଲ୍ୟ ରତ୍ନ ପ୍ରଶାସନର ମୂଳ ମନ୍ତ୍ର ପାଲଟିଛି। ନୂତନ ଓଡ଼ିଶା ଗଠନରେ ମୋ ସରକାର ଅଙ୍ଗୀକାରବଦ୍ଧ। ମୋ ସରକାର ଆସନ୍ତା ବର୍ଷ ବିଭିନ୍ନ ଯୋଜନାରେ ଅଧିକ ୨୫୦ କୋଟି ସେତୁ ଓ ୨୫୪୨ କିଲୋମିଟର ଗ୍ରାମ୍ୟ ସଡ଼କ ନିର୍ମାଣ କରିବାକୁ ଲକ୍ଷ୍ୟ ରଖିଛି ବୋଲି ରାଜ୍ୟପାଳ ନିଜ ଅଭିଭାଷଣ ରଖିଛନ୍ତି।

ଓଡ଼ିଶା ଭାରତର ଆତ୍ମା। ଐତିହ୍ୟ କ୍ଷେତ୍ରରେ ବିକାଶ ଓ ସଂରକ୍ଷଣ ଆବଶ୍ୟକ। ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିର ବିକାଶ ମୋ ସରକାରର ଐତିହାସିକ ପଦକ୍ଷେପ। ସ୍ୱତନ୍ତ୍ର କୃଷି ନୀତି ଦ୍ଵାରା କୃଷି କ୍ଷେତ୍ରର ବିକାଶ ଉପରେ ଧ୍ୟାନ ଦିଆଯାଉଛି। କାଳିଆରେ ସାମିଲ ହେବେ ୫୦ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାର। ମୋ ସରକାର ୪ଟି ବୃହତ ପ୍ରକଳ୍ପ ୧୩ଟି ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମୌଳିକ ଭିତ୍ତିଭୂମି ବିକାଶ ପାଇଁ ଲକ୍ଷ୍ୟ ରଖିଛି। ୨୫ ଲକ୍ଷ ଭୂମିହୀନ ଚାଷୀ ପରିବାର ବି ଏକ ବର୍ଷ ମଧ୍ୟରେ ସାମିଲ ହେବେ। ପ୍ରତି ଜିଲ୍ଲାରେ କୃଷକଙ୍କ ପାଇଁ ମୋ ସରକାର ଡେସ୍କ କରାଯାଇଛି। ୭୨ ବ୍ଲକକୁ ମିଲେଟ୍ ମିଶନ ସଂପ୍ରସାରିତ ହୋଇଛି। ୧୧ ଜିଲ୍ଲାର ଜନଜାତି ଅଞ୍ଚଳରେ ୨୩ହଜାର ୨୩୬ ହେକ୍ଟର ଜମିରେ କାର୍ଯ୍ୟକ୍ରମ ଚାଲିଛି ବୋଲି ରାଜ୍ୟପାଳ କହିଛନ୍ତି ।

ସୌର ଜଳନିଧି ଯୋଜନାରେ କୃଷି ଯନ୍ତ୍ରପାତି ମିଳୁଛି। ଯନ୍ତ୍ରପାତି ଓ ବ୍ୟବହାରର ତାଲିମ ମଧ୍ୟ ଦିଆଯାଉଛି। କୃଷି ପାଇଁ କାର୍ଯ୍ୟକାରୀ ହୋଇଛି ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା।୨୦୨୦-୨୧ ବର୍ଷରେ ୧.୮୪ଲକ୍ଷ ହେକ୍ଟର ଜମି ଜଳସେଚିତ ହେବ। ଖାଦ୍ୟ ସୁରକ୍ଷା ଯୋଜନାରେ ମୋଟ୍ ଜନସଂଖ୍ୟାର ୭୮ ପ୍ରତିଶତରୁ ଅଧିକ ହିତାଧିକାରୀଙ୍କୁ ସାମିଲ କରାଯାଇଛି। ୧୨ଶହ ଅଚଳ ଉଠା ଜଳସେଚନ କାର୍ଯ୍ୟକ୍ଷମୃ ହେବ। ୨୦୧୮-୧୯ବର୍ଷରେ ଖରିଫ ଧାନ ସଂଗ୍ରହ ରେକର୍ଡ କରିଛି। ମୋଟ୍ ୬୫.୫୦ଲକ୍ଷ ମେଟ୍ରିକ ଟନ୍ ଧାନ ସଂଗ୍ରହ କରାଯାଇଛି। ୨୦୧୪ ସୁଦ୍ଧା ପ୍ରତି ଗ୍ରାମୀଣ ପରିବାରକୁ ଟ୍ୟାପ୍ ଯୋଗେ ପାଣି ମିଳିବ। ମ୍ୟାଲେରିଆ ଦ୍ରୁତ ହ୍ର।ସ ପାଇଁ ଓଡିଶା ମଡେଲକୁ WHO ସ୍ୱୀକୃତି ଦେଇଛି। ମୟୂରଭଞ୍ଜ ବିଶୋଇଠାରେ ଏକ ସିଲକ ପାର୍କ ପାଇଁ ମଂଜୁରୀ ପ୍ରଦାନ କରାଯାଇଛି।
ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫ ପ୍ରତିଶତ ବୃଦ୍ଧି, ଗତ ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ
ରାଜ୍ୟର ସରକାରୀ କର୍ମଚାରୀମାନଙ୍କ ପାଇଁ ଡବଲ୍ ଖୁସି ଖବର । କର୍ମଚାରୀମାନଙ୍କୁ ସେମାନଙ୍କ ବକେୟା ଦରମାର ୧୦ ପ୍ରତିଶତ ପ୍ରଦାନ କରିବାକୁ ରାଜ୍ୟ ସରକାର ଗତକାଲି ନିଷ୍ପତ୍ତି ନେଇଥିଲେ । ତେବେ ଆଜି ମହଙ୍ଗା ଭତ୍ତା ୫ ପ୍ରତିଶତ ବୃଦ୍ଧି କରାଯାଇଛି । ବର୍ଦ୍ଧିତ ୫ ପ୍ରତିଶତ ମହଙ୍ଗା ଭତ୍ତା ଗତ ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ ହେବ ।
![]()
ରାଜ୍ୟ ସରକାର ଗତକାଲି ଘୋଷଣା କରିଥିଲେ ଯେ, ସପ୍ତମ ବେତନ କମିଶନଙ୍କ ସୁପାରିଶ ଲାଗୁ ପରେ ବାକିଥିବା ୬୦ ପ୍ରତିଶତ ବକେୟା ଦରମାରୁ ୧୦ ପ୍ରତିଶତ ଏବେ ଦିଆଯିବ । ସପ୍ତମ ବେତନ କମିଶନଙ୍କ ସୁପାରିଶ୍ ଲାଗୁ ପରେ ୨୦୧୬ ଜାନୁଆରୀରୁ ୨୦୧୭ ଅଗଷ୍ଟ ପର୍ଯ୍ୟନ୍ତ ସରକାରୀ କର୍ମଚାରୀମାନେ ସେମାନଙ୍କ ବକେୟା ଦରମାରୁ ୪୦ ପ୍ରତିଶତ ପାଇଛନ୍ତି । ଆଉ ୬୦ ପ୍ରତିଶତ ବାକି ଥିଲା । ଏବେ ଏଥିରୁ ୧୦ ପ୍ରତିଶତ ପ୍ରଦାନ ମିଳିବ । ବକେୟା ୧୦ ପ୍ରତିଶତ ଦରମା ସହିତ ୫ ପ୍ରତିଶତ ମହଙ୍ଗା ଭତ୍ତା ବୃଦ୍ଧି ରାଜ୍ୟର ସରକାରୀ କର୍ମଚାରୀମାନଙ୍କ ପାଇଁ ଖୁସି ଆଣିଛି ।
କୋରାପୁଟରେ ଅଜଣା ରୋଗ!, ୨ ମୃତ
କୋରାପୁଟ: କୋରାପୁଟକୁ ଘାରିଛି ଅଜଣା ରୋଗ ଆତଙ୍କ । ଲମତାପୁଟ ବ୍ଲକର ଗନେଲ ଗାଁରେ ୨ ଜଣଙ୍କ ଜୀବନ ଯାଇଛି । ସେପଟେ ଜଣେ ଆକ୍ରାନ୍ତଙ୍କୁ ଭୟରେ ଅନ୍ୟତ୍ର ପଠାଯାଇଛି ।

ସୂଚନା ଅନୁସାରେ ଗତକିଛିଦିନ ହେବ ଗାଁର ଭଗବନ ଖିଲ ଓ ରାଧିକା ବଡ଼ନାୟକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଲମତାପୁଟ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଥିଲେ ।

ତେବେ ଡାକ୍ତର କୈାଣସି କାରଣ ନ ଦର୍ଶାଇ ରୋଗୀଙ୍କୁ ଘରକୁ ନେଇଯିବାକୁ କହିଥିଲେ । ସେପଟେ ଆକ୍ରାନ୍ତ ଲଇଖନ ହନ୍ତାଲଙ୍କୁ ଗ୍ରାମବାସୀ ଭୟରେ ଅନ୍ୟତ୍ର ପଠାଇଦେଇଥିବା ଅଭିଯୋଗ ହୋଇଛି ।

ପ୍ରେମର ଦିବସରେ ରକ୍ତରଞ୍ଜିତ ହୋଇଥିଲା ପୁଲୱାମା, ଆଜି ବି ଶହୀଦଙ୍କୁ ଝୁରୁଛନ୍ତି ଦେଶବାସୀ
ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ଆଜି ବର୍ଷେ ପୁରିଛି । ପ୍ରେମର ଦିବସରେ ରକ୍ତରଞ୍ଜିତ ହୋଇଥିଲା ପୁଲୱାମା । ତିନି ଦଶକରେ ଭାରତରେ ସବୁଠୁ ବଡ଼ ଆତ୍ମଘାତୀ ହମଲା । ଯାହା ସାରା ଦେଶକୁ ଦୋହଲାଇ ଦେଇଥିଲା । ସିଆରପିଏଫ ଯବାନଙ୍କ ଗାଡ଼ି ସହ ମାଡ଼ ହୁଏ ବିସ୍ଫୋରକ ଭର୍ତ୍ତି ଗାଡ଼ି । ଯେଉଁଥିରେ ଉଠିଥିବା ଧୂଆଁ ଛାଡ଼ିବା ବେଳକୁ ଆମର ୪୦ ବୀର ଯବାନ ସହିଦ ହୋଇସାରିଥିଲେ । ଘଟଣାକୁ ବର୍ଷେ ବିତିଜାଇଥିଲେ ବି ଦେଶବାସୀ ଭୁଲିନାହାନ୍ତି ଶହୀଦ୍ ଯବାନଙ୍କୁ।

ଏ ଭୀରୁ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲେ ଜୈସ-ଏ-ମହମ୍ମଦ । ବର୍ଷେ ତଳେ ଆତଙ୍କୀ ଆକ୍ରମଣରେ ସହିଦ ହୋଇଥିଲେ ୪୦ ଯବାନ । ଯେଉଁଥିରେ ଥିଲେ ଓଡ଼ିଶାର ମନୋଜ କୁମାର ବେହେରା ଓ ପି.କେ ସାହୁ । ସେହି ସହିଦଙ୍କ ସ୍ମୃତିରେ ଲେଥପୋରା କ୍ୟାମ୍ପରେ ସହିଦ ସ୍ମାରକ । ଯେଉଁଥିରେ ସହିଦ ଯବାନଙ୍କ ନାଁ ସହ ଫଟୋ ମଧ୍ୟ ରହିବ । ପୁଲୱାମା ଆକ୍ରମଣରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।

ଆତଙ୍କବାଦୀ ଷଡ଼ଯନ୍ତ୍ର ଅନୁସାରେ ସିଆର୍ପିଏଫ୍ ଯବାନଙ୍କ ବସ୍ ସହିତ ବିସ୍ଫୋରକ ଭର୍ତ୍ତି କାରକୁ ଧକ୍କା କରାଯାଇଥିଲା। ରାଜରାସ୍ତା କ୍ଷଣିକ ମଧ୍ୟରେ ଶହୀଦ୍ ରକ୍ତରେ ଜୁଡୁବୁଡୁ ହୋଇଯାଇଥିଲା। ତାପରେ ବି ବି ଜୈଶ୍-ଇ-ମହମ୍ମଦ୍ ଆତଙ୍କବାଦୀଙ୍କ ମନ ଶାନ୍ତ ହୋଇ ନ ଥିଲା। ସେମାନେ ଆଖିବୁଜା ଗୁଳି ଚାଳନା କରିଥିଲେ। ଏହି ଆକ୍ରମଣ ପରେ ଭାରତ ପକ୍ଷରୁ ବାଲାକୋଟ ଏୟାର ଷ୍ଟ୍ରାଇକ୍ କରାଯାଇ ପାକିସ୍ତାନରେ ଥିବା ଆତଙ୍କବାଦୀ ଶିବିରକୁ ଧ୍ୱଂସ କରାଯାଇଥିଲା।
ବଲାଙ୍ଗିର ମେଡିକାଲ କଲେଜ ହସ୍ପିଟାଲରେ ମହିଳା ଆଟେଣ୍ଡାଣ୍ଟଙ୍କୁ ମାଡ଼ ମାରିଲେ ରୋଗୀଙ୍କ ସଂପର୍କୀୟ
ବଲାଙ୍ଗିର: ବଲାଙ୍ଗିର ମେଡିକାଲ କଲେଜ ହସ୍ପିଟାଲରେ ମହିଳା ଆଟେଣ୍ଡାଣ୍ଟଙ୍କୁ ମାଡ଼ ମାରିଲେ ରୋଗୀଙ୍କ ସଂପର୍କୀୟ। ଚିକିତ୍ସାରେ ଅବହେଳା ଦର୍ଶାଇ ୨ଜଣ ନିଶାଶକ୍ତ ଯ଼ୁବକ ମହିଳାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏଥିରେ ମହିଳା କର୍ମଚାରୀ ଗୁରୁତର ହୋଇଛନ୍ତି। ତାଙ୍କ ମୁହଁ, ଆଖି ଓ ମୁଣ୍ଡରେ ଆଘାତ ଲାଗିଛି।

ଆହତ ମହିଳା କର୍ମଚାରୀ ହେଉଛନ୍ତି ପ୍ରତିମା ପ୍ରଧାନ। ଅନ୍ୟ ଜଣେ ପୁରୁଷ କର୍ମଚାରୀଙ୍କୁ ମଧ୍ୟ ମାଡ଼ ମାରିଛନ୍ତି। ଉଭୟଙ୍କୁ ଚିକିତ୍ସା ପାଇଁ ୱାର୍ଡରେ ଭର୍ତ୍ତି କରାଯାଇଛି। ତେବେ ମାଡ଼ ମାରିଥିବା ୨ଯୁବକ ଫେରାର ହୋଇଯାଇଛନ୍ତି। ଅଭିଯୁକ୍ତକୁ ଗିରଫ ଦାବିରେ ହସ୍ପିଟାଲର ନର୍ସ ଓ ଅନ୍ୟ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ମେଡିକାଲ କଲେଜ ଅଧୀକ୍ଷକ, ହସ୍ପିଟାଲ ମ୍ୟାନେଜର ଓ ଟାଉନ୍ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମାଡ଼ ମାରିଥିବା ଯ଼ୁବକ କଂସାରିପଡାର ବୋଲି ପୋଲିସ ଚିହ୍ନଟ କରିଛି। ତେବେ ସେମାନଙ୍କୁ ଗିରଫ କରାଯାଇନି।
ପୁରୁଣା ମେଡିକାଲ ବିଲଡ଼ିଂକୁ ସିଟି ହସ୍ପିଟାଲ ମାନ୍ୟତା ଦାବିରେ ଆଜି ୧୨ଘଣ୍ଟିଆ ଢେଙ୍କାନାଳ ବନ୍ଦ
ଢେଙ୍କାନାଳ: ଜୋର ଧରିଲା ଢେଙ୍କାନାଳ ପୁରୁଣା ମେଡିକାଲ ବିଲଡ଼ିଂକୁ ସିଟି ହସ୍ପିଟାଲ ମାନ୍ୟତା ଦାବି କରି କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆଜି ୧୨ଘଣ୍ଟିଆ ଢେଙ୍କାନାଳ ବନ୍ଦ ପାଳନ ।ବନ୍ଦକୁ ସମର୍ଥନ କରୁଛି ଢେଙ୍କାନାଳ ଓକିଲ ସଂଘ, ମିଳିତ ବଜାର ପୂଜା କମିଟି, ବଣିକ ସଂଘ ଓ ରାଜନୈତିକ ଦଳ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ସ୍କୁଲ, କଲେଜ ଓ ଦୋକାନ ବଜାର ବନ୍ଦ ରହିବ ।

ଗାଡ଼ି ମୋଟର ଚଳାଚଳ ମଧ୍ୟ ବନ୍ଦ ରହିବ । ତେବେ ଏହି ବନ୍ଦକୁ ଓକିଲ, ବ୍ୟବସାୟୀ, ବରିଷ୍ଠ ନାଗରିକ ସଂଘ ସହ ବିଭିନ୍ନ ଅନୁଷ୍ଠାନ ନିଜ ସମର୍ଥନ ଜଣାଇଛନ୍ତି ।

ସରକାର ଦାବି ପୂରଣ କଲେ ଆନ୍ଦୋଳନ ସ୍ଥଗିତ ରହିବବୋଲି କମିଟି ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ଆଜିଠୁ ବିଧାନସଭାର ବଜେଟ ଅଧିବେଶନ
ଭୁବନେଶ୍ୱର: ଆଜିଠୁ ବିଧାନସଭାର ବଜେଟ ଅଧିବେଶନ । ରାଜ୍ୟପାଳଙ୍କ ଅଭିଭାଷଣରୁ ବଜେଟ୍ ଅଧିବେଶନ ଆରମ୍ଭ ହେବ । ଚଳିତ ଅଧିବେଶନରେ ମୋଟ ୩୧ଟି କାର୍ଯ୍ୟଦିବସ ରହିଛି । ୧୪ ଦିନ ବଜେଟ ଉପରେ ଆଲୋଚନା ହେବ । ୪ ଦିନ ସରକାରୀ ଓ ୪ ଦିନ ବେସରକାରୀ ଦିବସ ରହିଛି । ଅଧିବେଶନ ସମୟରେ ସବୁ ବିଧାୟକଙ୍କୁ ଉପସ୍ଥିତ ରହିବାକୁ କୁହାଯାଇଛି ।

ଅନ୍ୟପଟେ ଗୃହକୁ ସୁରୁଖୁରୁରେ ଚଳାଇବା ପାଇଁ ବସିଥିଲା ସର୍ବଦଳୀୟ ବୈଠକ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ସରକାରୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ପ୍ରମୁଖ ଯୋଗଦେଇଥିଲେ ।

ଏଥିସହ ବିଜେଡି, ବିଜେପି, କଂଗ୍ରେସ ଓ ଅନ୍ୟ ବିଧାୟକ ମଧ୍ୟ ଉପସ୍ଥିତ ଥିଲେ । ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ବିଧାନସଭାକୁ ପେପରଲେସ୍ କରିବାକୁ ନିଷ୍ପତ୍ତି ହୋଇଛି ବୋଲି ସେ କହିଛନ୍ତି । ଏଥିସହ ଉପସ୍ଥାନ ବଢ଼ିବା ସହ ଗୃହକୁ ସ୍ୱାଭାବିକ ଭାବେ ସୁପରିଚାଳନା କରିବା ପାଇଁ ଆଲୋଚନା ହୋଇଛି ।
ଭାଲେଣ୍ଟାଇନ ଡେ’ କୁ ବିରୋଧ କରିବନି ବଜରଙ୍ଗ ଦଳ
ଆଜି ଭାଲେଣ୍ଟାଇନ ଡେ’ । ପ୍ରେମ ଦିବସକୁ ଧୁମଧାମରେ ପାଳିବାକୁ ପ୍ରସ୍ତୁତ ପ୍ରେମୀ ଯୁଗଳ । ଏପଟେ ଲଭବାର୍ଡଙ୍କ ସେଲିବ୍ରେସନରେ ବାଧା ଦେବାକୁ ସଜବାଜ ହୋଇଛି କଳିଙ୍ଗ ସେନା । ଅସଂଜତ ଅବସ୍ଥାରେ ଥିଲେ ପ୍ରେମୀ ଯୁଗଳଙ୍କୁ ଗିରଫ କରିବା ପାଇଁ ପୋଲିସ କମିଶନରଙ୍କୁ ପୂର୍ବରୁ କଳିଙ୍ଗ ସେନା ପକ୍ଷରୁ ଦାବିପତ୍ର ଦିଆଯାଇଛି । କଳିଙ୍ଗ ସେନାର କହିବା କଥା, ପାର୍କ, ମଲ, ହୋଟେଲ ଓ ରେସ୍ତୋରାଁରେ ପ୍ରେମୀ ଯୁଗଳଙ୍କ କାରନାମା ସମାଜ ଉପରେ ଖରାପ ପ୍ରଭାବ ପକାଉଛି ।

ଅପରପକ୍ଷେ ଭାଲେଣ୍ଟାଇନ ଡେ’ କୁ ବିରୋଧ କରିବନି ବୋଲି କହିଛି ବଜରଙ୍ଗ ଦଳ । ପ୍ରେମୀ ଯୁଗଳଙ୍କ ପ୍ରେମ ସପ୍ତାହରେ ବାଧା ସାଜିବନି ଦଳ । ଯଦି କୈାଣସ ସଂଗଠନ କିମ୍ବା ଯୁବକ, ବଜରଙ୍ଗ ଦଳ ନାଁରେ ଭାଲେଣ୍ଟଇନ ଡେରେ ଅସମାଜିକ କାର୍ଯ୍ୟ କରେ, ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଖୋର୍ଦ୍ଧା ଜିଲ୍ଲା ପ୍ରଭାରୀ କହିଛନ୍ତି ।

