ମଦ ବିକ୍ରି ପାଇଁ ଅନୁମତି ଦେଲେ ୨ ରାଜ୍ୟ ସରକାର: ୭ ଘଣ୍ଟା ପାଇଁ ଖୋଲିବ ମଦ ଦୋକାନ

ଗୌହାଟୀ: ଲକ୍‌ଡାଉନ୍‌ ସମୟରେ ମଦ ବିକ୍ରି କରିବାକୁ ନେଇ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିବା ବେଳେ ମଦ ଦୋକାନ ଖୋଲିବାକୁ ଅନୁମତି ଦେଇଛନ୍ତି ଆସାମ ସରକାର । ସୋମବାରଠାରୁ ରାଜ୍ୟରେ ମଦ ବିକ୍ରି ପାଇଁ ଅନୁମତି ଦିଆଯାଇଛି । ଲକଡାଉନ୍‌ ଲାଗୁ ହେବା ପରେ ମାର୍ଚ୍ଚ ୨୪ ଠାରୁ ରାଜ୍ୟରେ ବନ୍ଦ ରହିଛି ମଦ ବିକ୍ରି ।

ତେବେ ଶନିବାର ମେଘାଳୟ ସରକାରଙ୍କ ପକ୍ଷରୁ ମଧ୍ୟ ରାଜ୍ୟରେ ମଦ ବିକ୍ରି ପାଇଁ ଅନୁମତି ଦିଆଯାଇଛି । ଏପ୍ରିଲ ୧୩ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ୭ଘଣ୍ଟା ପାଇଁ ମଦ ବିକ୍ରି କରିବାକୁ ଅନୁମତି ଦିଆଯାଇଛି ।

ଆସାମ ସରକାରଙ୍କ ଅଫିସିଆଲ୍‌ ଅର୍ଡର ଅନୁଯାୟୀ ଇଣ୍ଡିଆନ୍ ମେଡ୍ ଫରେନ୍ ଲିକ୍ୟୁର୍ ଅଫ୍‌ ସପ୍, ହୋଲ୍‌ସେଲ୍‌ ଗୋଦାମ୍‌ ଘର, ବୋଟଲିଂ ପ୍ଳାଣ୍ଟ ରାଜ୍ୟରେ ଖୋଲାରହିବ । ସକାଳ ୧୦ଟାରୁ ସନ୍ଧ୍ୟା ୫ଟା ଯାଏଁ ଖୋଲା ରଖିବାକୁ ଅନୁମତି ଦିଆଯାଇଛି । ରାଜ୍ୟ ଅବକାରୀ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ, ପଡ଼ୋଶୀ ରାଜ୍ୟ ମେଘାଳୟରେ ମଦ ଦୋକାନ ଖୋଲାଯିବା ନେଇ ଘୋଷଣା ପରେ ଆସାମର ଲୋକେ ମଦ କିଣିବା ନେଇ ସେଠାରେ ଭିଡ଼ ଜମାଇବାର ଆଶଙ୍କା ରହିଛି । ଯାହା ଦ୍ୱାର ଲକ୍‌ଡାଉନ୍‌ ଲାଗୁ କରାଯିବର ଉଦ୍ଦେଶ୍ୟ ବିଫଳ ହେବ  ।

ଏଣୁ ଆସାମ ସରକାରଙ୍କ ପକ୍ଷରୁ ମଧ୍ୟ ରାଜ୍ୟରେ ମଦ ବିକ୍ରି ନେଇ ଅନୁମତି ଦିଆଯାଇଛି ।       ଏହି  ସମୟରେ ଆଇଏମ୍‌ଏଫ୍‌ଏଲ୍‌ ଅଫ୍/ ସିଏସ୍‌ ଅଫ୍ ସପ୍ ଖୋଲାରହିବ ।

ସରକାରଙ୍କ ଏହି ଘୋଷଣା ପରେ ସମ୍ପୃକ୍ତ ରାଜ୍ୟରେ ଖୋଲା ହୋଇଛି ମଦ ଦୋକାନ । ମଦ କିଣିବା ନେଇ ଲୋକଙ୍କ ଭିଡ଼ ମଧ୍ୟ ଦେଖିବାକୁ ମିଳିଛି । ଦୋକାନୀ ମାସ୍କ ପିନ୍ଧି ମଦ ବିକ୍ରି କରୁଥିବା ବେଳେ ଲୋକେ ଧାଡ଼ି ବାନ୍ଧି ସାମାଜିକ ଦୂରତ୍ୱ ରକ୍ଷା କରି ମଦ କିଣୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ସୂଚନା ଯୋଗ୍ୟ ଓଡ଼ିଶାରେ ମଦ ବିକ୍ରି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏଯାବତ୍‌ କୌଣସି ଘୋଷଣା ହୋଇନାହିଁ । ଲକ୍‌ଡାଉନ୍‌ ଆରମ୍ଭ ହେବା ଠାରୁ ରାଜ୍ୟରେ ବନ୍ଦ ରହିଛି ମଦ ବ୍ରକ୍ରି ।

Leave a Reply