spot_img
Home Blog Page 7198

ତୁର୍କୀରେ ଭାରତର ରାଷ୍ଟ୍ରଦୂତ ଭାବେ ଓଡ଼ିଆ ପୁଅ ସଞ୍ଜୟଙ୍କୁ ନିଯୁକ୍ତି

ନୂଆଦିଲ୍ଲୀ: ଓଡ଼ିଆ ପୁଅ ସଞ୍ଜୟ କୁମାର ପଣ୍ଡାଙ୍କୁ ବିଦେଶରେ ଗୁରୁଦାୟିତ୍ୱ । ସଞ୍ଜୟ କୁମାର ପଣ୍ଡାଙ୍କୁ ଭାରତର ରାଷ୍ଟ୍ରଦୂତ ଭାବେ ତୁର୍କୀରେ ନିଯୁକ୍ତି ମିଳିଛି । ନିଯୁକ୍ତି ନେଇ ଭାରତର ବୈଦେଶକି ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଓଡ଼ିଆ ପୁଅ ସଞ୍ଜୟଙ୍କ ଘର କଟକରେ ।

୧୯୯୧ ବ୍ୟାଚର ଭାରତୀୟ ବୈଦେଶିକ ସେବା ଅଧିକାରୀ(IFS) ସଞ୍ଜୟ କୁମାର ପଣ୍ଡା । ବର୍ତ୍ତମାନ ସାନ୍ ଫ୍ରାନ୍ସିସ୍କୋରେ ଭାରତର ବାଣିଜ୍ୟିକ ଅଧିକାରୀ ଅଛନ୍ତି । ସେ ଖୁବଶୀଘ୍ର ତୁର୍କୀରେ କାର୍ଯ୍ୟଭାର ଗ୍ରହଣ କରିବେ । ତେବେ, ତୁର୍କୀ ସହ ଭାରତର ସମ୍ପର୍କ ସେତେଟା ସୁଦୃଢ଼ ନଥିବା ବେଳେ ତାଙ୍କୁ ନିଯୁକ୍ତି ମିଳିଛି ।ଗତବର୍ଷ ତୁର୍କୀ ଭାରତର ଆଭ୍ୟନ୍ତରୀଣ ମାମଲାରେ ପ୍ରତିକ୍ରିୟା ରଖିଥିଲା । ଯାହାପରେ ତୁର୍କୀକୁ କଡ଼ା ଭାଷାରେ ସମାଲୋଚନା କରିଥିଲା ନୂଆଦିଲ୍ଲୀ । ଏପରିକି ଆତଙ୍କବାଦୀକୁ ପ୍ରୋତ୍ସାହନ ଦେବା ବନ୍ଦ କରିବାକୁ ଭାରତ ଚେତାଇ ଦେଇଥିଲା ।

ଲୋକସଭାରେ ବଲାଙ୍ଗିର ସାଂସଦ ସଙ୍ଗୀତା କାହିଁକି ଖାଇଲେ ମାଡ଼, କିଏ କଲା ରକ୍ଷା… ଜାଣନ୍ତୁ

ଦିଲ୍ଲୀ: ସଂସଦରେ ଅଭାବନୀୟ ଘଟଣା । ଲୋକସଭାରେ ବିଜେପିର ମହିଳା ସାଂସଦଙ୍କୁ ବିରୋଧୀ କଂଗ୍ରେସର ଦୁଇ ଜଣ ମହିଳା ସାଂସଦ ରାମ୍ୟା ହରିଦାସ ଓ ଜ୍ୟୋତିମଣି ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆକ୍ରମଣର ଶିକାର ହୋଇଛନ୍ତି ଓଡ଼ିଶାର ବଲାଙ୍ଗୀର ଲୋକସଭା ଆସନ ସଦସ୍ୟା ସଙ୍ଗୀତା ସିଂହଦେଓ ।

ହଠାତ୍‌ ବିରୋଧ ଦଳର ଦୁଇ ମହିଳା ସାଂସଦ ସଙ୍ଗୀତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ସଙ୍ଗୀତା ଆହତ ହୋଇଛନ୍ତି । ମନ୍ତ୍ରୀ ସ୍ମୃତି ଇରାନୀଙ୍କ ହସ୍ତକ୍ଷେପ ଫଳରେ ସଙ୍ଗୀତା ରକ୍ଷା ପାଇଥିଲେ । ପରେ ସେ ଚିକିତ୍ସାଳୟକୁ ଯାଇ ପ୍ରାଥମିକ ଚିକିତ୍ସା କରାଇଛନ୍ତି । ମେଡିକାଲ ରିପୋର୍ଟ ସହିତ ଘଟଣା ସମ୍ପର୍କରେ ସଙ୍ଗୀତା ଲୋକସଭା ବାଚସ୍ପତିଙ୍କ ନିକଟରେ ଲିଖିତ ଅଭିଯୋଗ କରିବା ସହିତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଗଣତନ୍ତ୍ରରେ ବିରୋଧ କରିବା ପାଇଁ ବିରୋଧୀଙ୍କର ଅଧିକାର ଅଛି । କିନ୍ତୁ ଗଣତନ୍ତ୍ରର ସର୍ବୋଚ୍ଚ ସଦନରେ ସାଂସଦଙ୍କୁ ସାଂସଦ ଆକ୍ରମଣ କରିବା ସବୁ ମହଲରେ ଭୃକୁଞ୍ଚନ ସୃଷ୍ଟି କରିଛି । ଏହି ଘଟଣାକୁ ସମସ୍ତେ ନିନ୍ଦା କରିଛନ୍ତି ।

ସୁନ୍ଦରଗଡ଼ରେ ୧୫ଶହ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁନ୍ଦରଗଡ଼ ଗସ୍ତ କରି ୧୫ଶହ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଥମେ ଜୁହାର କରି ସୁନ୍ଦରଗଡବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ ମୁଖ୍ୟମନ୍ତ୍ରୀ ତାଙ୍କର ଅଭିଭାଷଣ ଆରମ୍ଭ କରିଥିଲେ । ଏହି ଅବସରରେ ସେ ବିଜୁ ବାବୁଙ୍କୁ ସ୍ମରଣ କରି ବକ୍ତବ୍ୟ ଆରମ୍ଭ କରିଥିଲେ ।

ସୁନ୍ଦରଗଡ଼ ଆସିଲେ ବିଜୁ ବାବୁଙ୍କ କଥା ମନେ ପଡେ । ସୁନ୍ଦରଗଡ଼ ବିଶେଷ କରି ଇସ୍ପାତ କାରାଖାନା ପାଇଁ ବିଜୁ ବାବୁଙ୍କ ସ୍ୱତନ୍ତ୍ର ଅବଦାନ ରହିଛି । କ୍ରୀଡା ପ୍ରତି ରାଉରକେଲାର ଅବଦାନ ମଧ୍ୟ ଖୁବ ଅଧିକ । ପ୍ରସ୍ତାବିତ ମେଡିକାଲ କଲେଜ ଖୁବ ଶୀଘ୍ର ଲୋକଙ୍କୁ ସେବା ଯୋଗାଇବ । ସୁନ୍ଦରଗଡ଼କୁ ଶିଳ୍ପର ହବ୍‌ କରାଇବାକୁ ସ୍ୱପ୍ନ ଦେଖିଥିଲେ ବିଜୁ ବାବୁ । ବିଜେଡି କାମରେ ବିଶ୍ୱାସ କରେ ।

ଓଡ଼ିଶାବାସୀଙ୍କ ସେବା ଯୋଗାଇବାରେ ଦଳ ବିଶ୍ୱାସ କରେ । ରାଜନୀତିରେ ନୁହେଁ । ସୁନ୍ଦରଗଡ଼ର ବିକାଶ ପାଇଁ ଦଳ କାମ କରୁଛି । ଏବଂ କାମ କରି ଚାଲିଥିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।  ଆଜି ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀ ସୁନ୍ଦରଗଡ଼ରେ ପହଞ୍ଚି ସୁନ୍ଦରଗଡ଼ ଷ୍ଟାଡିୟମରେ ୪୯୪ କୋଟି ୪୩ ଲକ୍ଷ ଟଙ୍କାର ୪୧ଟି ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି ।

ଆଇଟିଡିଏ ସୁନ୍ଦରଗଡ଼ ଦ୍ଵାରା ନିର୍ମିତ ୧୫ଟି ଶିକ୍ଷା ଭିତ୍ତିଭୂମି ପ୍ରକଳ୍ପ, ୪ଟି ସଡ଼କ ପ୍ରକଳ୍ପ, ୪ଟି ସ୍ୱାସ୍ଥ୍ୟ ଭିତ୍ତିଭୂମି ପ୍ରକଳ୍ପ ପରି ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି । ସେହିପରି ୧ ହଜାର ୩୨ କୋଟିରୁ ଅଧିକ ଟଙ୍କାରେ ନିର୍ମିତ ହେବାକୁ ଥିବା ୧୦୨ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

 

 

ଭିମ୍‌ସାରରେ ରୋଗୀ ମୃତ୍ୟୁ ନେଇ ଛେଚା ଖାଇଲେ ଡାକ୍ତର

ବୁର୍ଲା: ଡାକ୍ତରଖାନାରେ ଡାକ୍ତରଙ୍କୁ ପୁଣି ଆକ୍ରମଣ । ରୋଗୀ ମୃତ୍ୟୁ ନେଇ ଡାକ୍ତରଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି । ଏଭଳି ଏକ ଘଟଣା ବୁର୍ଲା ଭିମ୍‌ସାରରେ ଦେଖିବାକୁ ମିଳିଛି । ଆକ୍ରମଣ ପରେ ଡାକ୍ତରଙ୍କର ଅବସ୍ଥା ଗୁରୁତର ହୋଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁଯାୟୀ, ରାଉରକେଲାର ଜଣେ ରୋଗୀ ହୃଦରୋଗ ବିଭାଗରେ ଚିକିତ୍ସାଧୀନ ଥିଲେ । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ରୋଗୀଙ୍କ ମୃତ୍ୟୁ ପରେ ତାଙ୍କ ସଂପର୍କୀୟ ସେଠାରେ ଉପସ୍ଥିତ ପିଜି ଡାକ୍ତରଙ୍କ ଉପରକୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆହତ ଡାକ୍ତର ଆଇସିୟୁରେ ଚିକିତ୍ସାଧୀନ ଅଛନ୍ତି । ଏହି ଘଟଣାକୁ ନେଇ ଭିମ୍‌ସାର ଜୁନିଅର ଡାକ୍ତର ସଂଘ ପକ୍ଷରୁ ଜରୁରୀ ବୈଠକ ଡକାଯାଇଛି ।

ସୋସିଆଲ ମିଡିଆ ଆଉ ବ୍ୟବହାର କରିବେନି ପ୍ରଧାନମନ୍ତ୍ରୀ ମୋଦି !

ସୋସିଆଲ ମିଡିଆ ଛାଡ଼ିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ପ୍ରଧାନମନ୍ତ୍ରୀ ଟ୍ୱିଟ୍‌ କରିଛନ୍ତି । ଆସନ୍ତା ରବିବାର ଫେସବୁକ୍‌, ଟ୍ୱିଟର, ଇନ୍‌ଷ୍ଟାଗ୍ରାମ୍‌ ଓ ୟୁଟ୍ୟୁବ ଭଳି ସୋସିଆଲ୍‌ ମିଡିଆରୁ ବିଶ୍ରାମ ନେବାକୁ ଚିନ୍ତା କରୁଥିବା ମୋଦି ଟ୍ୱିଟ୍‌ କରି ଜଣାଇଛନ୍ତି ।

ତେବେ କାହିଁକି ସୋସିଆଲ୍‌ ମିଡିଆ ବ୍ୟବହାର କରିବେ ନାହିଁ ସେ ନେଇ କୈାଣସି କାରଣ କହିନାହାନ୍ତି ମୋଦି । ଟ୍ୱିଟ୍‌କୁ ଅନେକ ଲୋକ ଲାଇକ୍‌ କରିଛନ୍ତି । ଫେସବୁକ୍‌ରେ ମୋଦିଙ୍କର ୪ କୋଟି ୪୫ ଲକ୍ଷ ଫଲୋଅର, ଟ୍ୱିଟରରେ ୫ କୋଟି ୩୩ ଲକ୍ଷ ଓ ଇନ୍‌ଷ୍ଟାଗ୍ରାମରେ ୩କୋଟି ୫୨ ଲକ୍ଷ ଫଲୋଅର ଅଛନ୍ତି । ସେପଟେ ମୋଦିଙ୍କ ଏଭଳି ଟ୍ୱିଟ୍‌କୁ ନେଇ ବିଭିନ୍ନ ଦଳର ନେତା ପ୍ରତିକ୍ରିୟା ରଖିଛନ୍ତି ।

ମୋଦି ଘୃଣା ଛାଡ଼ନ୍ତୁ, ସୋସିଆଲ ମିଡିଆ ଆକାଉଣ୍ଟ ନୁହେଁ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି । ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି ।

ରାସ୍ତା ମଝିରେ ବସ୍‌ର ବାଟ ଓଗାଳିଲା ଦନ୍ତା ହାତୀ

କଳାହାଣ୍ଡି: ରାସ୍ତାରେ ଗଜରାଜ, ହାତୀ ଯୋଗୁଁ ୨ ଘଣ୍ଟା ଅଟକିଲା ବସ। କଳାହାଣ୍ଡି କରଲାପାଟ ଅଭୟାରଣ୍ୟ ମଧ୍ୟ ଦେଇ ଥିବା ଥୁଆମୂଳ ରାମପୁରରୁ ଭବାନୀପାଟଣା ରାସ୍ତାରେ କିଆପଦର ନିକଟରେ ରାସ୍ତା ଉପରେ ହାତୀ ଦେଖିବାକୁ ମିଳିଥିଲା।

ଦନ୍ତା ହାତୀକୁ ରାସ୍ତା ଉପରେ ଦେଖି ଭୟ ଖେଳିଯାଇଥିଲା। ହାତୀ ଯୋଗୁଁ ଅଟକିଥିବା ବସରେ ୪୦ରୁ ଅଧିକ ଯାତ୍ରୀ ଥିଲେ। ଥୁଆମୂଳ ରାମପୁରରୁ ଭବାନୀପାଟଣା ଯାଉଥିଲା ବସ୍‌। ହେଲେ ରାସ୍ତା ଉପରେ ହାତୀକୁ ଦେଖି ଆତଙ୍କିତ ହୋଇପଡିଥିଲେ ଯାତ୍ରୀ।

ଭିଜିଲାନ୍ସ ଜାଲରେ ଫସିଲେ ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ

ଗଞ୍ଜାମ: ଭିଜିଲାନ୍‌ସ ଜାଲରେ ଅଧୀକ୍ଷଣ ଯନ୍ତ୍ରୀ । ବ୍ରହ୍ମପୁର ରାସ୍ତା ଓ କୋଠାବାଡ଼ି ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ବିନୋଦ ପାଢ଼ୀ । ବିନୋଦଙ୍କ  ଘର ଓ ଅଫିସ ସମେତ ଏକକାଳୀନ ୧୩ଟି ସ୍ଥାନରେ ଭିଜିଲାନ୍‌ସ ଚଢ଼ାଉ କରିଛି ।  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍‌ କରିଛି ଭିଜିଲାନ୍ସ । ବର୍ତ୍ତମାନ ସୁଦ୍ଧା ଚଢ଼ାଉ ଜାରି ରହିଛି ।

 

୧୩ଟି ଯାକ ସ୍ଥାନରେ ଚଢ଼ାଉ ପରେ ଅଧୀକ୍ଷଣ ଯନ୍ତ୍ରୀ ବିନୋଦ ପାଢ଼ୀଙ୍କ ମୋଟ୍‌ ସଂପତ୍ତିର ପରିମାଣ ଜଣାପଡ଼ିବ । ଅନ୍ୟପଟେ ପାଢ଼ୀ ବ୍ୟାଙ୍କ ଓ ବିଭିନ୍ନ ଲୋକଙ୍କଠାର ଋଣ ଆଣିଥିବା ସୂଚନା ମିଳିଛି ।

ପାଢ଼ୀଙ୍କ ଗଞ୍ଜାମସ୍ଥିତ ୨ଟି ବାସଗୃହ ଓ ଗୋଟିଏ ମାର୍କେଟ କମ୍ପ୍ଲେକ୍ସ, ଗଞ୍ଜାମରେ ଥିବା ପୈତୃକ ବାସଭବ, ବ୍ରହ୍ମପୁର ଅଫିସ, ହିଲପାଟଣା ହରଭିନସ୍କୁଲ କୋଠା ଓ ମାର୍କେଟ କମ୍ପ୍ଲେକ୍ସ, ଖଲ୍ଲିକୋଟ ଡିମିରିଆଠାରେ ଥିବା ଫାର୍ମହାଉସ, ଆମ୍ବପୁଆଠାରେ ଥିବା ଫାର୍ମହାଉସ, ପଙ୍କାଳପଲିଠାରେ ଥିବା ଅର୍ଦ୍ଧନିର୍ମିତ ଗୃହ, ଜୟପ୍ରକାଶ ନଗରରେ ରହୁଥିବା

 

ଠିକାଦାର ସଚିନ ପାଢ଼ୀ, ଗୋଶାଣିନୂଆଗାଁରେ ରହୁଥିବା ଠିକାଦାର ସୀମାଞ୍ଚଳ ପାତ୍ର, ଗୋଦାବରୀଶ ନଗରରେ ରହୁଥିବା ପାଢ଼ୀଙ୍କ ଭଣଜା ଅଶୋକ ପଣ୍ଡା, ଭୁବନେଶ୍ୱର ଭିଆଇପି କଲୋନୀରେ ଥିବା ବାସଗୃହ ଓ ନୟାପଲ୍ଲୀରେ ଥିବା ମେଟ୍ରୋ ରେସିଡେନ୍ସି ଫ୍ଲାଟ ୧୦୨/ ଏ ରେ ଚଢଉ ଜାରି ରହିଛି ବୋଲି ଏସ୍‌ପି ସ୍ୱାଇଁ କହିଛନ୍ତି।


ଚଢ଼ାଉ ସମୟରେ ଏଏସ୍‌ଆଇ ଡି.କେ. ପାଢ଼ୀ, ପି. ଛୋଟରାୟ, କନଷ୍ଟେବଳ ଉମା ଚରଣ ନାୟକ, ଦିଲ୍ଲୀପ ପ୍ରଧାନ, ନାରାୟଣ ସେଠୀ, ନିଲୁ ହୋତା ପ୍ରମୁଖ ଉପସ୍ଥିତ ଅଛନ୍ତି ।

ମାଆର ଗୁହାରି: ୧୦ ଦିନ ହେବ ପୁଅକୁ ଖୋଜୁଛି

କଟକ: ମୋ ପୁଅ କୁ ଖୋଜି ଆଣ…୧୦ ଦିନଠୁ ତାକୁ ମୁ ଦେଖିନି…ତାକୁ ନଦେଖିଲେ ମୁଁ ପାଗେଳି ହୋଇଯିବି ଏମିତି ଏକ ଆକୁଳ ନିବେଦେନ କରିଛନ୍ତି ଜଣେ ମାଆ । ୮ବର୍ଷର ପୁଅକୁ ଖୋଜି ଖୋଜି ପରିବାର ଆତ୍ମହରା ହୋଇପଡ଼ିଛନ୍ତି । ପୋଲିସ ପାଖରେ ଅଭିଯୋଗ କରିଥିଲେ ବି ପୁଅର କୌଣସି ପତ୍ତା ମିଳି ନଥିବା କହିଛନ୍ତି ପରିବାର ଲୋକ ।

ଘଟଣାଟି ହେଉଛି କଟକ ଜିଲ୍ଲା ମଧୁପଟନା ଅଞ୍ଚଳର  । ଗତ ଫେବ୍ରୁଆରୀ ୨୩ତାରିଖରେ କୈଳାଶ ବେହାରଙ୍କ ୭ବର୍ଷର ପୁଅ ଗଙ୍ଗାଧର ବେହେରା କେଉଁ ଆଡ଼େ ନିଖୋଜ ହୋଇଯାଇଛି । ଘଟଣା ଦିନ ୧୦ଟା ସମୟର ସେ ତା ସାଙ୍ଗମାନଙ୍କ ସହ ଖେଳିବାକୁ ଯାଇଥିଲା । ତାପରେ ସେ ଆଉ ଘରକୁ ଫେରିନଥିଲା । ପରିବାର ଲୋକେ ବହୁ ଖୋଜାଖୋଜି ମଧ୍ୟ କରିଥିଲେ ନପାଇବାରୁ ଥାନାରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ । କିନ୍ତୁ ଦୀର୍ଘ ୧୦ଦିନ ହେବ ପିଲାଟିର କିଛି ପତ୍ତା ମିଳୁନଥିବାରୁ ପାଗଳି ପ୍ରାୟ ହୋଇପଡ଼ିଛନ୍ତି ମାଆ ପାର୍ବତୀ ବେହେରା ।

ଖେଳୁ ଖେଳୁ ଫାଟିଗଲା ଡିଟୋନେଟର, ଅଳ୍ପକେ ବର୍ତ୍ତିଲେ ୩ ଶିଶୁ

ଗଞ୍ଜାମ: ହିଞ୍ଜିଳି  ଥାନା ସମପୁର ଗାଁରେ ଅଘଟଣ । ଡିଟୋନେଟର ଫୁଟିବାରୁ ୩ ଛାତ୍ର ଗୁରୁତର ହୋଇଛନ୍ତି । ସମସ୍ତ ଆହତଙ୍କୁ ପ୍ରଥମେ ହିଞ୍ଜିଳି ଓ ପରେ ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି । ତେବେ ବିସ୍ଫୋରଣ ପଛର କାରଣ ସ୍ପଷ୍ଟ ହୋଇପାରିନି । ସେପଟେ ହିଞ୍ଜିଳି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ପୋଲିସ ।

ସୂଚନା ଅନୁଯାୟୀ, ଆଜି ସକାଳୁ ୩ ଜଣ ନାବାଳକ ଖେଳିବା ପାଇଁ ବାହାରକୁ ଯାଇଥିଲେ । ପରିତ୍ୟକ୍ତ ସ୍ଥାନରୁ ଏକ ଡିଟୋନେଟର ପାଇ ସେଥିଲେ ଖେଳୁଥିଲେ । କୌଣସି କାରଣରୁ ସେହି ଡିଟୋନେଟରଟି ଫାଟିଯାଇଥିଲା । ଯାହାଫଳରେ ୩ ଜଣ ନାବାଳକୁ ଗୁରୁତର ଆହତ ହୋଇଥିଲେ । ନାବାଳକ ମାନଙ୍କର ବୟଷ ୧୦ ରୁ ୧୨ ମଧ୍ୟରେ ହେବ । ପରିବାର ଲୋକେ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ପ୍ରାଥମିକ ଚିକିତ୍ସା ପରେ ସମସ୍ତ ୩ ନାବାଳକଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି।

 

ଭାରତରେ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭାରତରେ ଭାଇରସ ଭୟ । ନୂଆଦିଲ୍ଲୀ ଓ ତେଲେଙ୍ଗାନାରେ ୨ କରୋନା ଆକ୍ରାନ୍ତ । ଦୁଇଜଣ ଆକ୍ରାନ୍ତ ନିକଟରେ ବିଦେଶ ଗସ୍ତ କରି ଫେରିଛନ୍ତି । ଦିଲ୍ଲୀର ଆକ୍ରାନ୍ତ ଇଟାଲୀରୁ ଏବଂ ତେଲେଙ୍ଗାନାର ଆକ୍ରାନ୍ତ ଦୁବାଇରୁ ଫେରିଥିବା ଜଣାପଡ଼ିଛି । ସେପଟେ  ଦିଲ୍ଲୀ, ତେଲେଙ୍ଗାନା ପରେ ଜୟପୁରରେ କରୋନା ସନ୍ଦିଗ୍ଧ । ଉଭୟ ଦିଲ୍ଲୀ ଓ ତେଲେଙ୍ଗାନାରେ ରିପୋର୍ଟ ପଜିଟିଭ ଆସିଛି । ତେବେ ଜୟପୁର ସନ୍ଦିଗ୍ଧଙ୍କ ରିପୋର୍ଟକୁ ନେଇ ଏବେ କିଛି ସ୍ପଷ୍ଟ କରିନି ସ୍ବାସ୍ଥ୍ୟବିଭାଗ । ଇଟାଲୀରୁ ଆସିଥିବା ପର୍ଯ୍ୟଟକଙ୍କ ଦେହରେ କରୋନା ଭାଇରସ ଥିବାର ଲକ୍ଷଣ ଦେଖାଯାଇଥିଲା । ତାଙ୍କୁ ଚିକିତ୍ସା ପାଇଁ ଜୟପୁରର ସଓ୍ବାଇ ମାନସିଂହ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମାଙ୍କ ଅନୁସାରେ ପ୍ରଥମ ଥର୍ମାଲ ସ୍କ୍ରୀନିଂ ସମୟରେ ରିପୋର୍ଟ ନେଗେଟିଭ ଆସିଥିଲା । ତେବେ ଦ୍ୱିତୀୟ ଥର ରିପୋର୍ଟ ପଜିଟିଭ ଆସିଥିଲା । ଭାରତରେ ଏହାକୁ ମିଶାଇ ୬ଟି କରୋନା କେସ୍‌ ସାମ୍ନାକୁ ଆସିଛି ।

ସେପଟେ ସତର୍କତା ଦୃଷ୍ଟିରୁ ଇରାନ ନାଗରିକଙ୍କୁ ଜାରି ଭିସାକୁ ବାତିଲ କରିଛି ଭାରତ । ବର୍ତ୍ତମାନ ସୁଦ୍ଧା ଇରାନରେ କରୋନାରେ ୬୬ ଜଣଙ୍କର ମୃତ୍ୟୁ ଓ ୧ ହଜାରରୁ ଅଧିକ ଆକ୍ରାନ୍ତ ରହିଛନ୍ତି । ଏଭଳି ସ୍ଥିତିରେ ସେଠାରେ ରହୁଥିବା ଭାରତୀୟ ଛାତ୍ର, ମତ୍ସ୍ୟଜୀବୀ ଓ ତୀର୍ଥଯାତ୍ରୀ ଫଶି ରହିଛନ୍ତି ।  ସାରା ବିଶ୍ବରେ ଆତଙ୍କ ଖେଳାଇଥିବା କରୋନା ଭାଇରସ, ୨ ହଜାର ୮୦୦ ଲୋକଙ୍କ ଜୀବନ ନେଇସାରିଛି ।