୨୯ ଏପ୍ରିଲରେ ପୃଥିବୀ ଧ୍ୱଂସ ହେବ ! ଜାଣନ୍ତୁ ଏହାର ସତ୍ୟତା କ’ଣ ?

ନୂଆଦିଲ୍ଲୀ: କରୋନା ଏବେ ସାରା ବିଶ୍ୱକୁ ଗ୍ରାସ କରିଥିବା ବେଳେ ଏଥିରେ ଦୁଇ ଲକ୍ଷରୁ ଅଧିକ ଲୋକଙ୍କ ପ୍ରାଣ ଗଲାଣି । ଏମିତି ଏକ ଘଡ଼ି ସନ୍ଧି ମୂହୁର୍ତ୍ତରେ ସୋସିଆଲ ମିଡିଆରେ ପୃଥିବି ଧ୍ୱଂସ ହେବ ବୋଲି ଅପପ୍ରଚାର କରାଯାଉଛି ଏବଂ ଏନେଇ ଏକ ଭିଡିଓ ସୋସିଆଲ ମିଡ଼ିଆରେ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗୁଛି । ଯାହା ମାଧ୍ୟମରେ ଦାବି କରାଯାଉଛି ଯେ, ୨୯ ଏପ୍ରିଲ୍, ୨୦୨୦ରେ ପୃଥିବୀରେ ପରିବର୍ତ୍ତନ ଆସିବାକୁ ଯାଉଛି । ଏପ୍ରିଲ୍୨୯ରେ, ପୃଥିବୀଆଡ଼କୁ ଏକ ଉଲକାପୀଣ୍ଡ ଅତି ଦ୍ରୁତ ଗତିରେ ମାଡ଼ିଆସୁଛି । ପୃଥିବୀ ସହିତ ଏହି ଉଲକା  ଧକ୍କା ହେଲେ ପୃଥିବି ଧ୍ୱଂସ ହୋଇଯିବ । ଏବଂ ଏହା ମଧ୍ୟ ଦାବି କରାଯାଉଛି ଯେ, ଆମେରିକାର ଅନୁସନ୍ଧାନ ଏଜେନ୍ସି ନାସା ଏହି ତଥ୍ୟ ଦେଇଛି । କିନ୍ତୁ ନାସା ନିଜେ ୪ ମାର୍ଚ୍ଚରେ ଏହି ଗୁଜବକୁ ଅସ୍ୱୀକାର କରିଛି ।

କ’ଣ ଦାବି କରୁଛି ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏହି ଭିଡ଼ିଓ ?

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ପୃଥିବୀ ନିକଟକୁ ଏକ ଗ୍ରହ ଅତି ଦ୍ରୁତ ଗତିରେ ମାଡ଼ି ଆସୁଛି । ଏହି ଭିଡିଓର କ୍ୟାପସନ ଦିଆଯାଇଛି ଯେ ଏପ୍ରିଲ ୨୯ରେ ପୃଥିବୀ ଧ୍ୱଂସ ହେବାକୁ ଯାଉଛି ।

ଏହାର ସତ୍ୟାତ୍ୟ କ’ଣ ?

ନାସା ଅନୁଯାୟୀ,  ୫୬୭୬୮ (୧୯୯୮ ଓଆର ୨) ନାମକ ଏକ କ୍ଷୁଦ୍ର ଗ୍ରହ ଗ୍ରହ ପୃଥିବୀଠାରୁ ପ୍ରାୟ ୪ ନିୟୁତ ମାଇଲ୍ ଦୂରରେ ପୃଥିବୀକୁ ଅତିକ୍ରମ କରିବ । ୧୯୯୮ ଓଆର ୨ ନାମକ ଏକ ଆଷ୍ଟେରଏଡ୍ ଏହାର ଆକାର ଏତେ ବଡ଼ ଯେ, ସମ୍ଭାବ୍ୟ ବିପଜ୍ଜନକ ମଧ୍ୟ ହୋଇପାରେ । କିନ୍ତୁ ପୃଥିବୀ ଏହାଠାରୁ ସମ୍ପୂର୍ଣ୍ଣ ସୁରକ୍ଷିତ ରହିଛି । ତେବେ ଏନେଇ ଭୟଭୀତ ହେବାର କିଛି ନାହିଁ ବୋଲି ନାସା ସୂଚନା ଦେଇଛି । ତେଣୁ ଏପ୍ରିଲ ୨୯ରେ  ବିଶ୍ୱ ଧ୍ୱଂସ ହେବା ନେଇ ନାସା ଘୋଷଣା କରିଥିବା ଦାବି ମିଥ୍ୟା ଅଟେ ।

କରୋନାରେ ଏପର୍ଯ୍ୟନ୍ତ କେତେ ଲୋକ ସଂକ୍ରମିତ ?

ସାରା ବିଶ୍ୱରେ କରୋନାରେ ମୃତ୍ୟୁ ସଂଖ୍ୟା ୨ଲକ୍ଷ ୬ହଜାରରୁ ଅଧିକ ହୋଇଛି । ବର୍ତ୍ତମାନ ସୁଦ୍ଧା ୨୧୦ଟି ଦେଶରେ ୨୯ଲକ୍ଷ ୯୪ ହଜାର ୩୫୨ ଲୋକ କରୋନା ସଂକ୍ରମିତ ହୋଇଛନ୍ତି । ଏଥିମଧ୍ୟରୁ ୨ ଲକ୍ଷ ୬ ହଜାର ୯୬୯ ଜଣଙ୍କର ମୃତ୍ୟୁ ହୋଇଛି। ତଥାପି, ୮୭୮,୭୦୧ ଲୋକ ମଧ୍ୟ ସଂକ୍ରମଣ ମୁକ୍ତ ତଥା ସୁସ୍ଥ ହୋଇପାରିଛନ୍ତି।

Leave a Reply