ଦେଶରେ ସୁଧୁରୁଛି କରୋନା ସ୍ଥିତି, ମହାରାଷ୍ଟ୍ର ସ୍ଥିତି ବେହାଲ..

ନୂଆ ଦିଲ୍ଲୀ: ଦେଶରେ ସୁଧୁରୁଛି ସ୍ଥିତି । ହ୍ରାସ ପାଉଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରିପୋର୍ଟ ଅନୁଯାୟୀ ଗତ ସପ୍ତାହରେ ଯେଉଁ ହାରରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିଲା ସେହି ତୁଳନାରେ ଗତ ଦୁଇ ଦିନ ଧରି ଆକ୍ରାନ୍ତଙ୍କ ସଂଖ୍ୟା ସେତେ ବଢ଼ି ନାହିଁ । ଦିଲ୍ଲୀରେ ଗତ ତିନି ଦିନ ଭିତରେ ସଂକ୍ରମଣ ହାର ବହୁତ କମ୍‌ ଦେଖିବାକୁ ମିଳିଛି । ଏବେ ସୁଦ୍ଧା ଦିଲ୍ଲୀରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ୬୦୦ ରହିଛି । ତେବେ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭ ହଜାର ୮୯୦ ଥିବା ବେଳେ ମୃତ୍ୟୁ ସଂଖ୍ୟା ୮୮୧ ରହିଛି । କେବଳ ମୁମ୍ବାଇରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ପ୍ରାୟ ୩୨୩ ରହିଛି । ମୁମ୍ବାଇରେ ଆକ୍ରାନ୍ତ ସାମ୍ବାଦିକମାନଙ୍କ ମଧ୍ୟରୁ ୩୧ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେହିଭଳି ଗୁଜରାଟରେ ଆକ୍ରାନ୍ତଙ୍କ ସଂଖ୍ୟା ୩ ହଜାର ୭୧ ଥିବା ବେଳେ ମୃତ୍ୟୁ ସଂଖ୍ୟା ୧୩୩ ରହିଛି । ସେହିଭଳି ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ୨ ହଜାର ଟପିଛି ଆକ୍ରାନ୍ତଙ୍କ ସଂଖ୍ୟା ।

ବିଶ୍ୱ ସ୍ତରରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୩୦ ଲକ୍ଷ ରହିଛି । ୨ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇସାରିଛି । ଆମେରିକାରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬୦ ହଜାର ୮ ଶହ ଟପିଛି । ଏଥିସହ ୫୪ ହଜାର ଲୋକ ପ୍ରାଣ ହରାଇଛନ୍ତି । ସ୍ପେନ, ଇଟାଲୀ, ଫ୍ରାନ୍ସ, ଜର୍ମାନୀ ଓ ବ୍ରିଟେନରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ସାଂଘାତିକ ରହିଛି । ସେପଟେ ତୁର୍କିରେ କିଛି ଦିନ ମଧ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ଟପିଲାଣି ।

Leave a Reply