spot_img
Home Blog Page 7158

ଭାରତରେ ବିଦେଶୀ ମୁଦ୍ରାର ରେକର୍ଡ ବୃଦ୍ଧି

ମୁମ୍ୱାଇ: ଦେଶରେ ବିଦେଶ ପୁଞ୍ଜିର ଭଣ୍ଡାର ବା ଫରେକ୍ସ ରିଜର୍ଭ ମଇ ମାସ ଶେଷ ସପ୍ତାହ ଅର୍ଥାତ ୨୯ ମଇ ସୁଦ୍ଧା ୩.୪୩ ଅରବ ଡଲାରର ବୃଦ୍ଧି ହୋଇଛି ।  ଏଥିସହିତ ୪୯୩.୪୮ ଅରବ ଡଲାର ଅର୍ଥାତ (୩୭ ଲକ୍ଷ କୋଟି ଟଙ୍କା)ର ରେକର୍ଡ ସ୍ତରରେ ପହଞ୍ଚିଛି । ବିଦେଶୀ ମୁଦ୍ରାରେ ବୃଦ୍ଧି ଯୋଗୁଁ ପୁଞ୍ଜି ଭଣ୍ଡାରରେ ରେକର୍ଡ ବୃଦ୍ଧି ଘଟିଛି । ଏ ନେଇ ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୂଚନା ଦେଇଛନ୍ତି । ବିଦେଶୀ ପୁଞ୍ଜି ଭଣ୍ଡାରକୁ ଦେଶର ଅର୍ଥବ୍ୟବସ୍ଥାର ମଜବୁତ ପ୍ରତୀକଭାବେ ଗ୍ରହଣ କରାଯାଏ । ଗତ ସପ୍ତାହରେ ୩ ଅରବ ଡଲାରର ବୃଦ୍ଧି ସହିତ ୪୯୦.୦୪୪ ଅରବ ଡଲାରରେ ପହଞ୍ଚିଛି । ଆରବିଆଇର ଏହି ସଂଖ୍ୟା ଅନୁଯାୟୀ ୨୯ ମଇ ସପ୍ତାହ ଶେଷରେ ମୋଟ ରିଜର୍ଭର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଅଂଶ ଅର୍ଥାତ ବିଦେଶୀ ମୁଦ୍ରା ୩.୫୦ ଅରବ ଡଲାରକୁ ବୃଦ୍ଧି ଘଟି ୪୫୫.୨୧ ଡଲାରରେ ପହଞ୍ଚିଛି ।  ସୂଚନା ଯୋଗ୍ୟ ଗତ ଅପ୍ରେଲ ଶେଷ ସପ୍ତାହରେ ୧୧୩ ମିଲିୟନ ଡଲାରର ବିଦେଶ ପୁଞ୍ଜି ହ୍ରାସ ହୋଇଥିବା ବେଳେ ମଇ ମାସରେ ଏଥିରେ ବୃଦ୍ଧି ଘଟିଛି । ଯାହା ଅର୍ଥନୀତି ପାଇଁ ଏକ ଭଲ ଖବର ।

Boycott ଚାଇନା କହିବାରୁ ଅମୁଲ୍‌କୁ ଡିଆକ୍ଟିଭ୍‌ କଲା ଟ୍ୱିଟର୍‌…! ପରେ ଦେଲା ସଫେଇ…

ନୂଆଦିଲ୍ଲୀ: ଭାରତ-ଚୀନ୍ ମଧ୍ୟରେ ଚାଲିଥିବା ସୀମା ବିବାଦକୁ ନେଇ କମାଣ୍ଡର ସ୍ତରୀୟ ଆଲୋଚନା ଚାଲିଛି । ହେଲେ ଦୁଗ୍ଧଜାତ ଦ୍ରବ୍ୟ ପ୍ରସ୍ତୁତ କରିବାରେ ସାରା ବିଶ୍ୱରେ ନିଜକୁ ପରିଚିତ କରିଥିବା ଅମୁଲର ଟ୍ୱିଟର ହ୍ୟାଣ୍ଡେଲକୁ ପ୍ରଥମେ ଡିଆକ୍ଟିଭ ଓ ପରେ ପୁଣି ଆକ୍ଟିଭ କରି ବିବାଦ ଭିତରକୁ ଆସିଛି ଟ୍ୱିଟର ।   ଅମୁଲ ପକ୍ଷରୁ ଏକ ପୋଷ୍ଟ କରାଯାଇଥିଲା ଯେଉଁଥିରେ ଲେଖାଥିଲା, ‘ଏକ୍‌ଜିଟ୍‌ ଡ୍ରାଗନ୍’ ବା ଡ୍ରାଗନ୍‌ ଛାଡ଼ । ଏହି ପୋଷ୍ଟ କରିବା ପରେ ଟ୍ୱିଟର୍‌ ପକ୍ଷରୁ ଅମୁଲ କମ୍ପାନୀର ଆକାଉଣ୍ଟକୁ ବ୍ଲକ୍‌ କରି ଦିଆଯାଇଥିଲା ।

ତେବେ ଅମୁଲର ଟ୍ୱିଟର ହ୍ୟାଣ୍ଡେଲକୁ ବ୍ଲକ୍‌ କରାଯିବା ପରେ ଲୋକମାନେ ଏହାର ଘୋର ବିରୋଧ କରିଥିଲେ । ସୋସିଆଲ ସାଇଟ୍‌ରେ ଲୋକମାନେ ଅନେକ ପ୍ରକାରର ଫଟୋ, ଭିଡିଓ ଏବଂ ମେସେଜ୍‌ ଲେଖି ଆକାଉଣ୍ଟକୁ ଆକ୍ଟିଭ୍‌ କରିବା ପାଇଁ ଦାବି କରିଥିଲେ ।

ଅମୁଲ ପକ୍ଷରୁ ଏହି ପୋଷ୍ଟ କରାଯାଇଥିଲା…

ଅମୁଲ ପାକ୍ଷରୁ ଚୀନ୍‌ର ଡ୍ରାଗନ୍‌କୁ ଛାଡ଼ (ଏକ୍‌ଜିଟ୍‌ ଦ ଡ୍ରାଗନ୍‌) ବୋଲି ଏକ ପୋଷ୍ଟ କରାଯାଇଥିଲା । ଯାହା ଉଦ୍ଦେଶ୍ୟ ଥିଳା ଚାଇନା ପ୍ରଡକ୍ଟକୁ ବର୍ଜନ କରନ୍ତୁ । ଏହା ସହ ଇଂରାଜୀରେ ମଧ୍ୟ ଏକ କ୍ୟାପ୍‌ସନ୍‌ ଲେଖିଥିଲା ଯେ, ବୟ କଟ୍‌ ଦ ଚାଇଟା ପ୍ରଡକ୍ଟ….

ଚୀନ୍ ବିରୋଧରେ ଆମୁଲ ପ୍ରଚାର କରିଥିଲା

ଅମୁଲ୍‌ର ପୋଷ୍ଟରେ, ଆଇକନିକ ଅମୁଲ ଗାର୍ଲ ଏକ ଡ୍ରାଗନ୍ ସହିତ ଯୁଦ୍ଧ କରି ନିଜ ଦେଶକୁ ବଞ୍ଚାଇବା ପାଇଁ ଚାଷ୍ଟା କରୁଥିବା ଦେଖାଯାଇଛି । ଖାଲି ସେତିକି ନୁହେଁ ଏହି ପୋଷ୍ଟରେ ଚାଇନାର ଭିଡିଓ ସେୟାରିଂ ଆପ୍‌ ଟିକ୍‌ଟକ୍‌ର ଲୋଗୋ ମଧ୍ୟ ରହିଥିବା ଦେଖାଯାଇଛି । ସବୁଠାରୁ ବଡ଼ କଥା ହେଲା ଏହି ପୋଷ୍ଟରେ ବଡ ଅକ୍ଷରରେ ଲେଖାଯାଇଛି, ଅମୁଲ ହେଉଛି ‘ମେଡ୍ ଇନ୍ ଇଣ୍ଡିଆ’ ।

ଏଥି ସହିତ, ଏହି ପ୍ରସଙ୍ଗରେ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଆର.ଏସ୍ ସୋଡି କହିଛନ୍ତି ଯେ, ଆମୁଲ ଆକାଉଣ୍ଟକୁ ଜୁନ୍ ୪ରେ ବ୍ଲକ୍‌ କରାଯାଇଥିଲା । କିଛି ପ୍ରୋଟୋକଲ୍‌କୁ ଅନୁସରଣ କରିବା ପରେ, ଏହା ପୁନଃ ଆକ୍ଟିଭ୍‌ କରାଯାଇଛି ।

ଟୁଇଟର ଇଣ୍ଡିଆର ଏମ୍‌ଡି ମନୀଷ ମହେଶ୍ୱରୀଙ୍କ ଅନୁଯାୟୀ, ଅମୁଲ ଆକାଉଣ୍ଟ ଟେକ୍ନିକାଲ କାରଣ ଯୋଗୁଁ ଡିଆକ୍ଟିଭ୍‌ ହୋଇଥିଲା, ନାଁ କି କୌଣସି ପ୍ରକାର ଟ୍ୱିଟ କାରଣରୁ ।

ତେବେ ଏହାକୁ ନେଇ ନେଟିଜନ ଟ୍ୱିଟରକୁ ଟାର୍ଗେଟ୍ କରିଛନ୍ତି । ଉପରେ ଦିଆଯାଇଥିବା ଫଟୋରେ ଜଣେ ଟ୍ୱିଟର ୟୁଜର ଲେଖିଛନ୍ତି ଯେ, ଚୀନରେ ଟ୍ୱିଟରକୁ ଅନୁମତି ନାହିଁ କିନ୍ତୁ ଟ୍ୱିଟର ଏହି ପୋଷ୍ଟ୍ ପାଇଁ ଅମୁଲକୁ ବ୍ଲକ୍ କରୁଛି,କାଲିଫର୍ଣ୍ଣିଆର କମ୍ୟୁନିଷ୍ଟ୍ କେତେ ବେଲଜ୍ୟା !

ସଟ୍‌ଡାଉନ୍‌ ଓ କର୍ଫ୍ୟୁ ମାନିଲେ କ’ଣ ହେବ?

ଭୁବନେଶ୍ୱର: କରୋନାର ପ୍ରତିରୋଧ ଅଛି ପ୍ରତିଷେଧକ ନାହିଁ । ମାସକ ୩୦ ଦିନ । ଦିନକୁ ୨୪ ଘଣ୍ଟା ଅର୍ଥାତ ମାସକ ୭୨୦ ଘଣ୍ଟା । ଏହି ୭୨୦ ଘଣ୍ଟାରୁ ଜଣେ ଯଦି ୧୦ ଘଣ୍ଟା ବାହାରକୁ ନଯାଏ ଏବଂ ସପ୍ତାହକୁ ୨ ଦିନ ଶନିବାର, ରବିବାର ଘର ଭିତରେ ରହେ, ତେବେ ୭୨୦ ଘଣ୍ଟାରୁ ୪୯୨ ଘଣ୍ଟା କରୋନାଠାରୁ ଜଣେ ସୁରକ୍ଷିତ ରହିପାରିବ । ଏଣୁ ସଟ୍‌ଡାଉନ୍‌ ଏବଂ କର୍ଫ୍ୟୁ କଟକଣାକୁ ମାନି ବହୁ ମାତ୍ରାରେ କରୋନା ଆଶଙ୍କା ଏଡ଼ାଇ ଦିଆଯାଇପାରିବ ବୋଲି କହିଛନ୍ତି କରୋନା ମୁକାବିଲା କମିଟିର ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ।

କରୋନା ମୁକାବିଲା ଦାୟିତ୍ୱରେ ଥିବା ବରିଷ୍ଠ ଆଇଏଏସ୍‌ଙ୍କୁ ଅବ୍ୟାହତି ଦିଆଯିବାକୁ ନେଇ ମଧ୍ୟ ସୂଚନା ଦେଇଛନ୍ତି ଶ୍ରୀ ବାଗଚୀ । ରାଜ୍ୟ ପ୍ରଶାସନର ବହୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ଥିବା ଆଇଏଏସ୍‌ ଅଧିକାରୀଙ୍କୁ କରୋନା ମୁକାବିଲା ନେଇ ବିଭିନ୍ନ ଦାୟିତ୍ୱରେ ନିଯୁକ୍ତି ଥିଲେ । ସେମାନେ ମୂଳ ଦାୟିତ୍ୱ ସହ ଏହି ଅତିରିକ୍ତ ଦାୟିତ୍ୱ ଦିଆଯାଇଥିଲା । ସେମାନଙ୍କୁ ମୂଳ ଦାୟିତ୍ୱକୁ ନଫେରାଇଲେ ପ୍ରଶାସନକୁ ଅସୁବିଧା ପହଞ୍ଚିବ । ଏଥିସହିତ ଋଣ କ୍ଷେତ୍ରକୁ ନୂଆ ଯୋଦ୍ଧାକୁ ନଅଣାଗଲେ ସମସ୍ତେ କ୍ଳାନ୍ତ ହୋଇଯିବେ । ଅଦଳବଦଳକୁ ଏହି ଦୃଷ୍ଟିକୋଣରୁ ହିଁ ଦେଖନ୍ତୁ, କୌଣସି ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ ବୋଲି ସେ  କହିଛନ୍ତି ।

ଅପରପକ୍ଷରେ ଓଡ଼ିଶା ପାଇଁ ଜୁନ ମାସ ହିଁ ନିର୍ଣ୍ଣାୟକ ହେବ । ମୁଖ୍ୟମନ୍ତ୍ରୀ ଏହା ଉପରେ ବାରମ୍ୱାର ଗୁରୁତ୍ୱ ଦେଇଆସୁଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ଏହି ବାର୍ତ୍ତାକୁ ଦୋହରାଇଛନ୍ତି ବାଗଚୀ । ସେ କହିଛନ୍ତି, ଗତ କିଛି ସପ୍ତାହରେ ୫ଲକ୍ଷରୁ ଊର୍ଦ୍ଧ୍ୱ ଭାଇ ଭଉଣୀ ଫେରିଛନ୍ତି । ସେମାନଙ୍କ ଉପରେ କରୋନା ପ୍ରଭାବ ପଡ଼ିଛି କି ନାହିଁ ଆଗାମୀ ୧୫ ଦିନ ମଧ୍ୟରେ ଜଣାପଡ଼ିବ । ଏହି ଘାଟି ପାରକଲା ପରେ, ଆମ ସମସ୍ତଙ୍କ ଉପରୁ କୋଭିଡ ସଂକ୍ରମିଣର ଆଶଙ୍କା ଅପେକ୍ଷାକୃତ କମ ହେବ ।

ଭାରତ-ଚୀନ୍ ଲେଫ୍ଟନାଣ୍ଟ ଜେନେରାଲ ସ୍ତରୀୟ ଆଲୋଚନା ଶେ‌ଷ,ଉତ୍ତେଜନା ହ୍ରାସ ପାଇଁ କୂଟନୈତିକ ଓ ସାମରିକ ସ୍ତରରେ ବାର୍ତ୍ତା

ନୂଆଦିଲ୍ଲୀ: ଗତ ମାସ ଧରି ପୂର୍ବ ଲଦାଖରେ ଭାରତ ଏବଂ ଚୀନ୍ ମଧ୍ୟରେ ଚାଲିଥିବା ସୀମା ବିବାଦକୁ ନେଇ ଶନିବାର ଉଭୟ ଦେଶର ଲେପ୍ଟେନାଣ୍ଟ ଜେନେରାଲ ସ୍ତରୀୟ ଆଲୋଚନା ହୋଇଯାଇଛି । ସରକାରୀ ସୂତ୍ରରୁ ପ୍ରକାଶ ଯେ, ଉଭୟ ଦେଶ ମଧ୍ୟରେ ସୀମାରେ ଲାଗିରହିଥିବା ତିକ୍ତତାକୁ ସମାଧାନ କରିବା ପାଇଁ ସରକାରୀ ସ୍ତରରେ ଏହି ଆଲୋଚନା ଏକ ବଡ଼ ପ୍ରୟାସ ଥିଲା । ଦୁଇ ଦେଶ ମଧ୍ୟରେ ଏବେ ବି ସାମରିକ ଏବଂ କୂଟନୈତିକ ଆଲୋଚନା ଜାରି ରହିଛି ।

ଲେହ ସ୍ଥିତ ୧୪ତମ କୋର୍‌ର ଜେନେରାଲ କମାଣ୍ଡିଂ ଅଫିସର ଲେଫ୍ଟନାଣ୍ଟ ଜେନେରାଲ ହରିନ୍ଦର ସିଂଙ୍କ ଉକ୍ତ ବୈଠକରେ ଭାରତ ପକ୍ଷରୁ ଯାଇଥିବା ପ୍ରତିନିଧି ମଣ୍ଡଳିର ନେତୃତ୍ୱ କରିଥିଲେ । ସେହିଭଳି ଚୀନ୍‌ ପକ୍ଷରୁ ତିବ୍ଦତ ମିଲିଟାରୀ ଡିଷ୍ଟ୍ରିଟ୍‌ର କମାଣ୍ଡର ପ୍ରତିନିତ୍ୱ କରିଥିଲେ ।

ଏହି ବୈଠକ ପୂର୍ବ ଲଦାଖର ଚୀନ୍ ନିକଟକରେ ଥିବା ଲାଇନ୍ ଅଫ୍ ଆକ୍‌ଚୁଆଲ୍ କଣ୍ଟ୍ରୋଲ୍‌ର ମାଲ୍‌ଡୋରେ ହୋଇଥିଲା । ଏହି ସ୍ଥାନରେ ଉଭୟ ଦେଶର ସୀମାକୁ ନେଇ ବିଶେଷ ଆଲୋଚନା କରାଯାଇଥାଏ ।

ଭାରତୀୟ ସେନାର ଜଣେ ଅଧିକାରୀ କହିଛନ୍ତି ଯେ, ଭାରତ-ଚୀନ୍ ସୀମାରେ ସାମ୍ପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବଂ ଚୀନ୍‌ର ଅଧିକାରୀମାନେ ସାମରିକ ଏବଂ କୂଟନୈତିକ ଆଲୋଚନା ମଧ୍ୟମରେ ଯୋଡ଼ି ହୋଇ ରହିବେ ।

ଶନିବାର ଉଭୟ ପକ୍ଷର ଲେଫ୍ଟନାଣ୍ଟ ଜେନେରାଲ ସ୍ତରୀୟ ଆଲୋଚନା ପୂର୍ବରୁ ଦୁଇ ସେନା ମଧ୍ୟରେ ସ୍ଥାନୀୟ କମାଣ୍ଡର ସ୍ତରରେ ୧୨ ରାଉଣ୍ଡ ଆଲୋଚନା ହୋଇସାରିଛି । ଏହା ବ୍ୟତୀତ ୩ଟି ମେଜର ଜେନେରାଲ ସ୍ତରୀୟ ଆଲୋଚନା ମଧ୍ୟ ହୋଇସାରିଛି ।

ସୂତ୍ରରୁ ପ୍ରକାଶ ଯେ, ଅନେକ ଆଲୋଚନା ପରେ ମଧ୍ୟ କୌଣସି ସମାଧାନ ନବାହାରିବାରୁ, ଏହି ଉଚ୍ଚସ୍ତରୀୟ ଆଲୋଚନା ରଖାଯାଇଥିଲା । ଗୋଟିଏ ଦିନ ପୂର୍ବରୁ ଦୁଇ ଦେଶ ପରସ୍ପରର ସମ୍ବେଦନଶୀଳତା ଏବଂ ଚିନ୍ତାଧାରାକୁ ସମ୍ମାନ ଜଣାଇ ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ନିଜର ‘ମତଭେଦ’କୁ ଦୂର କରିବା ପାଇଁ ସହମତି ପ୍ରକାଶ କରିଥିଲେ ।

ସୂତ୍ରରୁ ପ୍ରକାଶ ଯେ, ଆଲୋଚନା ସମୟରେ ଭାରତୀୟ ପ୍ରତିନିଧି ଦଳ ପୂର୍ବ ଲଦାଖର ଗାଲଭାନ୍ ଘାଟିର, ପାଙ୍ଗୋଙ୍ଗ ସୋ ଏବଂ ଗୋଗ୍ରାଠାରେ ପୂର୍ବ ସ୍ଥିତିର ସୁଧାର ପାଇଁ ଜୋରଦାର ଦାବି କରିବେ ।

ଟ୍ୱିଟର୍‌ରେ ଟ୍ରେଣ୍ଡ୍‌ କରୁଛି ଅଭିନେତ୍ରୀ ସ୍ୱରାଙ୍କ ଗିରଫ ଦାବି, ହେଲେ କାହିଁକି ?

ନୂଆଦିଲ୍ଲୀ: ଚଳଚ୍ଚିତ୍ର ଅଭିନେତ୍ରୀ ସ୍ୱରା ଭାସ୍କରଙ୍କ ଏକ ଭିଡିଓ ବର୍ତ୍ତମାନ ଟ୍ୱିଟରରେ ଟ୍ରେଣ୍ଡ କରୁଛି । #ArrestSwaraBhaskar ନାମରେ ଏହା ଟ୍ୱିଟରର ଟ୍ରେଣ୍ଡିଂ ତାଲିକାରେ ରହିଛି । ଏଥିରେ ସ୍ୱରା ଭାସ୍କରଙ୍କୁ ଗିରଫ କରିବାକୁ ଦାବି କରାଯାଇଛି । ଆଣ୍ଟି CAA ବିରୋଧୀ ରାଲି ସମୟରେ ସ୍ୱରା ଭାସ୍କରଙ୍କ ଭାଷଣର ଏକ ଭିଡିଓ କ୍ଲିପ୍ ମଧ୍ୟ ଟ୍ୱିଟରରେ ଭାଇରାଲ ହେଉଛି । ଅନେକ ଟ୍ୱିଟର ୟୁଜର୍ସ ଏହି ଭିଡିଓକୁ ଟୁଇଟ୍ କରି ଲେଖିଛନ୍ତି ଯେ ସ୍ୱରା ଭାସ୍କରଙ୍କୁ ଗିରଫ କରାଯିବା ଉଚିତ୍ । ତେବେ ଉକ୍ତ ଭିଡିଓର ସତ୍ୟାସତ୍ୟ ଉପରେ କୌଣସି ପୃଷ୍ଟି କରାଯାଇ ନାହିଁ ।

ସ୍ୱରା ଭାସ୍କର ଦିଲ୍ଲୀ ଦଙ୍ଗାକୁ ପ୍ରୋତ୍ସାହନ କରିଥିବା କିଛି ଟ୍ୱିଟର ୟୁଜର୍ସ ଅଭିଯୋଗ ମଧ୍ୟ କରିଛନ୍ତି । ବିଷ୍ଣୁ ସିଂ ନାମକ ଜଣେ ଟ୍ୱିଟର ୟୁଜର୍ସ ଲେଖିଛନ୍ତି ଯେ, ସ୍ୱରା ଭାସ୍କର ମୁମ୍ବାଇରୁ ଦିଲ୍ଲୀ ଆସି ଏଠାରେ ନିଆଁ ଲଗାଇଛନ୍ତି । ଫଳରେ ଅନେକ ଲୋକଙ୍କୁ ନିଜ ଘର ଛାଡ଼ିବାକୁ ପଡିଥିଲା । ଏହାସହ ସେମାନଙ୍କ ଆତ୍ମୀୟଙ୍କର ମୃତ୍ୟୁ ମଧ୍ୟ ହେଲା । ସ୍ୱରା ଜେଲର ଚାରି କାନ୍ଥ ମଧ୍ୟରେ ରହିବା ଉଚିତ୍‌ । ଜାନୁଆରୀ ୫ରେ ସ୍ୱରା କରିଥିବା ଏକ ଟ୍ୱଟ୍‌କୁ ରି-ଟ୍ୱିଟ୍ କରି ବିଷ୍ଣୁ ଏଭଳି କଡ଼ା ସମାଲୋଚନା କରିଛନ୍ତି ।

ହେମନ୍ତ ରାଘବ ନାମକ ଜଣେ ଟ୍ୱିଟର ୟୁଜର୍ସ କହିଛନ୍ତି ଯେ, ସ୍ୱରା ହେଉଛନ୍ତି ଜଣେ ଅର୍ବାନ୍‌ ନକ୍ସଲ । ତାଙ୍କୁ ଗିରଫ କରାଯିବା ଉଚିତ୍ । ସେହିଭଳି ତନିଶା ଗୁପ୍ତା ଲେଖିଛନ୍ତି ଯେ, ଭାରତ ଏପରି ଏକ ଦେଶ ଯେଉଁଠାରେ ବାକ୍‌ ସ୍ୱାଧୀନତା ନାଁରେ ଦଙ୍ଗା କିମ୍ବା ହିଂସାକୁ ପ୍ରୋତ୍ସାହନ ଦିଆଯାଇପାରେ । ତେବେ ସରକାର ଏଭଳି ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ଲୋକଙ୍କ ବିଶ୍ୱାସ ଗୋଟାଇବାରେ ଲାଗିଛି ।

ଏହା ପୂର୍ବରୁ ମଧ୍ୟ ସ୍ୱରା ଭାସ୍କର CAA ବିରୋଧରେ ଅନେକ ବିବୃତ୍ତି ଦେଇଛନ୍ତି । ଜାନୁଆରୀରେ ସ୍ୱରା ଜାମିଆ ମିଲିଆ ଇସଲାମିଆର ଛାତ୍ରମାନଙ୍କୁ ପ୍ରଶଂସା କରିଥିଲେ ଏବଂ କହିଥିଲେ ଯେ, ସିଏଏ ଏକ ସ୍ୱତନ୍ତ୍ର ଉଦ୍ଦେଶ୍ୟ ରଖି ଅଣାଯାଇଛି । ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ ସାଧାରଣ ସଭାରେ ସେ ଏଭଳି ଭାଷଣ ଦେଇଥିଲେ ।

ଚଳିତ ବର୍ଷ ମାର୍ଚ୍ଚରେ ସ୍ୱରା ଭାସ୍କର ଦିଲ୍ଲୀ ସିଏମ୍ ଅରବିନ୍ଦ କେଜ୍ରିୱାଲଙ୍କ ଭାଷଣର ଟ୍ୱିଟ୍‌କୁ ରିଟ୍ୱିଟ୍‌ କରିି କହିଥିଲେ ଯେ ଏହା ଏକ ‘ମାଷ୍ଟର ଷ୍ଟ୍ରୋକ’ । ଅରବିନ୍ଦ କେଜ୍ରିୱାଲ ସାର୍ CAA, NRC ଓ NPR କିଭଳି ଗୋଟିଏ ସୁତାରେ ବନ୍ଧା ତାହା ଦର୍ଶାଇଛନ୍ତି । ଏହି ପୁରା ପ୍ରୋଜେକ୍ଟ କେବଳ ମୁସଲମାନ ବିରୋଧୀ ନୁହେଁ ବରଂ ଲୋକଙ୍କ ବିରୋଧୀ ।

ତେବେ ସ୍ୱରାଙ୍କ ଏଭଳି ଭାଷଣ ପରେ ଅନେକ ଲୋକ ତାଙ୍କୁ ଟ୍ରୋଲ୍‌ କରିଥିଲେ ଓ କଡ଼ା ସମାଲୋଚନା ମଧ୍ୟ କରିଥିଲେ । ଏମିତିକି କିଛି ଲୋକ ଲେଖିଥିଲେ, ଟୁକ୍‌ଡ଼େ ଟୁକ୍‌ଡ଼େ ଗ୍ୟାଙ୍ଗରେ ସ୍ୱରା ମଧ୍ୟ ସାମିଲ୍‌ ।

ତବେ ଟ୍ୱିଟରରେ #ArrestSwaraBhaskar ଟ୍ରେଣ୍ଡ କରୁଥିବା ଏହାର ଜବାବ ମଧ୍ୟ ରଖିଛନ୍ତି ସ୍ୱରା ।

ICMR ଗାଇଡଲାଇନ୍‌ ଅନୁଯାୟୀ ହେଉଛି ଟେଷ୍ଟିଂ: ସସ୍ମିତ ପାତ୍ର

ଭୁବନେଶ୍ୱର: କରୋନା ଟେଷ୍ଟ ବାବଦରେ ବିଜେପି ଅଭିଯୋଗର ଜବାବ ରଖିଲା ବିଜେଡି । ପ୍ରତିକ୍ରିୟା ରଖିଲେ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । କହିଲେ ବିଜେପି କରୋନା ମହାମାରି ବେଳେ ମଧ୍ୟ ରାଜନୀତି କରୁଛି । ଓଡ଼ିଶାକୁ ଫେରୁଥିବା ସବୁ ପ୍ରବାସୀ ଶ୍ରମିକଙ୍କ ଟେଷ୍ଟ୍ ପାଇଁ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କରିଥିବା ଦାବି ଉପରେ ପ୍ରତିକ୍ରିୟା ରଖି ସସ୍ମିତ ପାତ୍ର କହିଛନ୍ତି ଯେ, ବିଜେପି ଦୋମୁହାଁ ନୀତି ଅବଲମ୍ବନ କରୁଛି । ବିଜେପି ଶାସିତ ରାଜ୍ୟଗୁଡିକୁ ୮୦ଲକ୍ଷରୁ ୧ କୋଟି ପ୍ରବାସୀ ଶ୍ରମିକ ଫେରିଛନ୍ତି । ତେବେ ଏହି ସବୁ ରାଜ୍ୟ କଣ ଫେରୁଥିବା ସମସ୍ତ ପ୍ରବାସୀ ଶ୍ରମିକଙ୍କ କରୋନା ଟେଷ୍ଟ କରୁଛନ୍ତି କି ବୋଲି ପ୍ରଶ୍ନ କରିଛନ୍ତି ପାତ୍ର ।

ବିଜେପିର ଦୋମୁହାଁ ନୀତି

ବିଜେପି ଦୋମୁହାଁ ନୀତି ଅବଲମ୍ବନ ସହ ମହାମାରୀ କାଳରେ ରାଜନୀତି କରୁଥିବା ଅଭିଯୋଗ ଆଣି ସେ କହିଛନ୍ତି ଯେ, ରାଜ୍ୟ ବିଜେପିର ନେତା କ’ଣ ବିଜେପି ଶାସିତ ରାଜ୍ୟର ସରକାରଙ୍କୁ ଘରକୁ ଫେରୁଥିବା ସବୁ ଶ୍ରମିକଙ୍କ କରୋନା ଟେଷ୍ଟ ପାଇଁ ଦାବି କରିପାରିବେ କି?  ଭାରତରେ ଯେତେବେଳେ ଏପର୍ଯ୍ୟନ୍ତ ୩୦ରୁ ୪୦ ଲକ୍ଷ କରୋନା ଟେଷ୍ଟ୍ ହୋଇଛି ସେତେବେଳେ ଏଭଳି ଦୋମୁହାଁ ନୀତି କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି ।

ନିଜ ସରକାର କଥା ମାନୁ ବିଜେପି

ବିଜେପିକୁ ସମାଲୋଚନା କରି ସେ କହିଛନ୍ତି ଯେ, ବିଜେପି ଅତିକମରେ ନିଜ ଦଳର ସରକାର ଓ ଏହାର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ତଥା ଆଇସିଏମଆର ଗାଇଡଲାଇନକୁ ବିଶ୍ୱାସ କରିବା ଆବଶ୍ୟକ । କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କ ଟେଷ୍ଟିଂ ପାଇଁ ଗାଇଡ୍ ଲାଇନରେ କୁହାଯାଇଛି । ଯାହା ବିଜ୍ଞାନ ସମ୍ମତ ବୋଲି କହିଛନ୍ତି ସସ୍ମିତ ପାତ୍ର ।

ଓଡ଼ିଶାରେ ପରିସ୍ଥିତି ନିୟନ୍ତ୍ରଣାଧିନ

ଓଡ଼ିଶାରେ ପରିସ୍ଥିତି ନିୟନ୍ତ୍ରଣାଧିନ ରହିଛି ଓ  ଆଇସିଏମଆର ଗାଇଡ୍ ଲାଇନ୍ ଅନୁସାରେ ଟେଷ୍ଟିଂ ହେଉଛି ବୋଲି କହିଛନ୍ତି ସସ୍ମିତ ପାତ୍ର ।

ବିଜେପି ବିଜ୍ଞାନ ଉପରେ ବିଶ୍ୱାସ କରୁ

କରୋନା କାଳରେ ବିଜ୍ଞାନରେ ବିଶ୍ୱାସ କରିବା ସହ କେନ୍ଦ୍ର କେନ୍ଦ୍ର ସରକାରଙ୍କ ଗାଇଡଲାଇନ୍ ମାନିବା ଉଚିତ ଓ ମହାମାରୀ କାଳରେ ରାଜନୀତିରୁ ବିଜେପି ଦୁରେଇ ରହୁ ବୋଲି ସେ କହିଛନ୍ତି ।

 

ରାଜ୍ୟରେ ଆଉ ୧୧୨ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱର: ପୁଣି ଆସିଲା ଭଲ ଖବର । ରାଜ୍ୟରେ ଆଉ ୧୧୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସମସ୍ତେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ରାଜ୍ୟରେ ଗତ କିଛି ଦିନ ଧରି ଲଗାତାର ଭାବେ ପ୍ରତିଦିନ ୧୦୦ରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି ।

ତେବେ ଆଜି ୧୧୨ ଜଣ ଆକ୍ରାନ୍ତ ସୁସ୍ଥ ହେବା ସହ ରାଜ୍ୟରେ ମୋଟ ସୁସ୍ଥଙ୍କ ସଂଖ୍ୟା ୧୭୧୬ରେ ପହଞ୍ଚି । ଆଜି ୩୩ ଜଣ କେନ୍ଦ୍ରାପଡ଼ାରୁ ସୁସ୍ଥ ହୋଇଥିବା ବେଳେ ୧୬ ଜଣ ବଲାଙ୍ଗିରରୁ, ୧୧ ଜଣ ଯାଜପୁରରୁ, ୧୦ ଜଣ ସୁନ୍ଦରଗଡ଼, ୮ ଜଣ ଜଗତସିଂହପୁର, ୭ ଜଣ ଗଞ୍ଜାମ, ୭ ଜଣ ଖୋର୍ଦ୍ଧା ଓ ୪ ଜଣ ଲେଖାଏଁ କଟକ ଓ ସୋନପୁର ଅଞ୍ଚଳରୁ ସୁସ୍ଥ ହୋଇଛନ୍ତି । ସେହିଭଳି ବାଲେଶ୍ୱର, ପୁରୀ, ସମ୍ବଲପୁରରୁ ୩ ଜଣ ଲେଖାଏଁ ସୁସ୍ଥ ହୋଇଛନ୍ତି ଏବଂ ଦୁଇ ଜଣ ନୟାଗଡ଼ ଓ ଜଣେ ମୟୁରଭଞ୍ଜର କରୋନା ଆକ୍ରାନ୍ତ ସୁସ୍ଥ ହାେଇ ଘରକୁ ଫେରିଛନ୍ତି ।

ଯେତେବେଳ ଥାର୍ଡ ସ୍ଲିପରୁ ଶିଖର ଧୱନ୍ ହଠାତ ଗୀତ ଗାଇବା ଆରମ୍ଭ କଲେ…

ଭାରତୀୟ କ୍ରିକେଟ ଟିମ୍ ଓପନର ଶିଖର ଧୱନ ମଇଦାନରୁ ବାହାରେ ତାଙ୍କର ମସ୍ତିଭରା ଅନ୍ଦାଜ ପାଇଁ ଖୁବ୍ ଜଣାଶୁଣା । ମଇଦାନରେ ମଧ୍ୟ ବହୁଥର ବ୍ୟାଟିଂ ବ୍ୟତୀତ ତାଙ୍କ ମସ୍ତି ଦେଖାଇଛନ୍ତି ଯାହାକୁ କ୍ରିକେଟ ପ୍ରେମୀ ମଧ୍ୟ ଖୁବ୍ ପସନ୍ଦ କରିଛନ୍ତି । ଠିକ୍ ଏମିତି ଏକ ଘଟଣା ୫ବର୍ଷ ପୂର୍ବରୁ ହୋଇଥିଲା ଯାହା ବିଷୟରେ ଧୱନଙ୍କ ଓପନିଂ ଜୋଡ଼ିଦାର ରୋହିତ ଶର୍ମା ଖୁଲାସା କରିଛନ୍ତି ।

https://t.co/uKFHYdKZLG

ଧାୱନ ସ୍ଲିପରେ ଗୀତ ଗାଇବା ଆରମ୍ଭ କରିଥିଲେ

ଭାରତୀୟ କ୍ରିକେଟର ସର୍ବୋତ୍ତମ ଓପନିଂ ଯୋଡି ଭାବେ ରୋହିତ ଏବଂ ଧାୱନ ପ୍ରାୟ ୭ ବର୍ଷ ଧରି ଏକାଠି ବ୍ୟାଟିଂ ପାଇଁ କ୍ରିଜକୁ ଆସିଥାନ୍ତି ।  ଏଭଳି ପରିସ୍ଥିତିରେ ଉଭୟଙ୍କର ପରସ୍ପର ସହ  ଅନେକ ମଜାଳିଆ କାହାଣୀ ମଧ୍ୟ ରହିଛି । ରୋହିତ ଏମିତି ଏକ ଘଟଣା ବିଷୟରେ କହିଥିଲେ, ଯାହା ତାଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା ।

ସେହି ଘଟଣାକୁ ମନେ ପକାଇ ରୋହିତ କହିଛନ୍ତି, “୨୦୧୫ରେ ଆମେ ବାଂଲାଦେଶରେ ଖେଳୁଥିଲୁ । ମୁଁ ପ୍ରଥମ ସ୍ଲିପ୍‌ରେ ଛିଡା ହୋଇଥିଲି ଏବଂ ଧାୱନ ତୃତୀୟ ସ୍ଲିପ୍‌ରେ ଥିଲେ । ତା’ପରେ ହଠାତ୍ ଧୱନ ଜୋରରେ ଗୀତ ଗାଇବା ଆରମ୍ଭ କଲେ । ବୋଲର ରନ୍ଅପ୍ ନେଇଥିଲେ । ”

ଡରିଯାଇଥିଲେ ତମିମ ଇକବାଲ

ରୋହିତ ଏହା ମଧ୍ୟ କହିଛନ୍ତି ଯେ ଧୱନଙ୍କୁ ଏମିତି ଗୀତ ଗାଇବା ଦେଖି ସମସ୍ତ ଖେଳାଳି ଜୋରରେ ହସିବାକୁ ଲାଗିଲେ। ଏହାସହ ରୋହିତ କହିଛନ୍ତି ଯେ, “ତମିମ ଇକବାଲ ବ୍ୟାଟିଂ କରୁଥିଲେ ଏବଂ ସେ ଏମିତି କିଏ ଗୀତ ଗାଉଛି ଶୁଣି ପ୍ରଥମେ ଡ଼ରି ଯାଇଥିଲେ । ବୋଧହୁଏ ଏକଥା ଏବେ କହିବାରୁ ଏତେ ମଜା ନଲାଗୁଥାଇ ପାରେ କିନ୍ତୁ ଯେତେବେଳେ ଏହା ପଡ଼ିଆରେ ହୋଇଥିଲା ଆମେ ସମସ୍ତେ ଜୋରରେ ହସିଥିଲୁ । ”

ରୋହିତ ଟେଷ୍ଟ ଟିମରେ ତାଙ୍କ ଓପନିଂ ସହଯୋଗୀ ମାୟଙ୍କ ଅଗ୍ରୱାଲଙ୍କ ସହ ବିସିସିଆଇ ଭିଡିଓ ଧାରାବାହିକ ‘ ଓପନ ନେଟସ୍ ୱିଥ୍ ମୟଙ୍କ’ ସମୟରେ କହିଛନ୍ତି । ଏହି ସମୟରେ ଶିଖର ଧୱନ ମଧ୍ୟ ତାଙ୍କ ସହ ଉପସ୍ଥିତ ଥିଲେ । ଧାୱନ ନିଜେ ମଧ୍ୟ ସେହି ଗୀତ ଗାଇଥିଲେ। ବିସିସିଆଇ ଏହି ଭିଡିଓ ଟୁଇଟ୍ କରିଛି।

ଏମ୍ସର ଅଧ୍ୟୟନରେ ହାଇଡ୍ରୋକ୍ସିକ୍ଲୋରୋକ୍ୱିନ୍ ପ୍ରଭାବଶାଳୀ, ୨ରୁ ୩ ମାସ ଭିତରେ ଆସିବ କରୋନା ବଟିକା !

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକଟ । କରୋନା ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏଇ ଭିତରେ ଲୋକେ କେବେ ଏହାର ପ୍ରତିକାର ଆସିବ ସେନେଇ ଚିନ୍ତାରେ ରହିଥିବା ବେଳେ ଏମ୍‌ସ ଏକ ଖୁସି ଖବର ଆଣିଛି । ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସର ନିର୍ଦ୍ଦେଶକ ରଣଦୀପ ଗୁଲେରିଆ କହିଛନ୍ତି  ୨ରୁ ୩ ମାସ ଭିତରେ ଆସିପାରେ କରୋନା ବଟିକା । ସେ ଆହୁରି ମଧ୍ୟ କହିଛନ୍ତି ଯେ  ଡାକ୍ତରଖାନା ଏବଂ କିଛି ସ୍ୱେଚ୍ଛାସେବୀ ହାଇଡ୍ରୋକ୍ସିକ୍ଲୋରୋକୁଇନ୍ ଉପରେ ପରୀକ୍ଷା କରିଥିଲେ । ପ୍ରତିଷେଧକ ଔଷଧ ଭାବରେ ଏହା କିଛି ମାତ୍ରାରେ ପ୍ରଭାବଶାଳୀ ବୋଲି ପରୀକ୍ଷା ପରେ ସୂଚନା ମିଳିଛି । AIIMS ନିର୍ଦ୍ଦେଶକଙ୍କ ଅନୁଯାୟୀ, କରୋନା ଔଷଧ ଦୁଇରୁ ତିନି ମାସ ମଧ୍ୟରେ ଆସିବ । ଅନ୍ୟପକ୍ଷରେ ଟିକା ବର୍ଷ ଶେଷ ସୁଦ୍ଧା କିମ୍ବା ଆସନ୍ତା ବର୍ଷ ଆରମ୍ଭରେ ପହଞ୍ଚିପାରେ ବୋଲି କହିଛନ୍ତି । ଡକ୍ଟର ରଣଦୀପ ଗୁଲେରିଆ କହିଛନ୍ତି ଯେ ଭାରତରେ ମୃତ୍ୟୁ ହାର କମ୍ । କେବଳ ଗୁରୁତର ରୋଗୀଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯିବାର ଆବଶ୍ୟକତା ରହିଛି ।

ମାସ୍କକୁ ନେଇ ରଣଦୀପ ଗୁଲେରିଆ କହିଛନ୍ତି, ‘ଆମର ତିନି ପ୍ରକାରର ମାସ୍କ ଅଛି – କପଡ଼ା, ସର୍ଜିକାଲ ଏବଂ N-95 । ଏହି ସମସ୍ତ ତିନୋଟି ମାସ୍କ ଭଲ ଭାବରେ ସଂକ୍ରମଣ ରୋକିବାରେ କାମ କରୁଛି । ଯଦି କୌଣସି ବ୍ୟକ୍ତିର କରୋନା ଲକ୍ଷଣ ନଥାଏ ଏବଂ ସେ ପଜିଟିଭ ଥାଏ ତେବେ ଏହା ବିପଜ୍ଜନକ ଅଟେ  । ଏପରି ପରିସ୍ଥିତିରେ, ଯଦି ସେ ମାସ୍କ ପ୍ରୟୋଗ କରନ୍ତି, ତେବେ ସଂକ୍ରମଣ ହେବ ନାହିଁ  ।

ସେ କହିଛନ୍ତି ଯେ ଛିଙ୍କିବା ଦ୍ୱାରା ଭୁତାଣୁ ଅଧିକ ବ୍ୟାପିଥାଏ । ଏହି ଭୁତାଣୁ ୧୦ ରୁ ୧୫ ମିନିଟରୁ ଅଧିକ ସମୟ ବାୟୁରେ ରହିପାରିବ ନାହିଁ  । ସେଥିପାଇଁ ଆମେ କହୁ ଯେ ଯଦି ଆମେ ସାମାଜିକ ଦୂରତା ବଜାୟ ରଖୁ, ତେବେ ସମସ୍ୟା ବହୁ ପରିମାଣରେ ଦୂର ହେବ  । ଯଦି ସେହି ସମୟ ଭିତରେ ଭାଇରସ ଆମ ଶରୀରରେ ସଂସ୍ପର୍ଶରେ ଆସେ ତେବେ ଏହି ଭୂତାଣୁ ଶରୀର ମଧ୍ୟକୁ ପ୍ରବେଶ କରିବ ।

ଅଣ୍ଡରୱାର୍ଲଡ୍ ଡନ୍ ଦାଉଦ୍ ଇବ୍ରାହିମର ଜୀବନ ନେଲା କରୋନା !

ନୂଆଦିଲ୍ଲୀ: ମୁମ୍ବାଇର କୁଖ୍ୟାତ ଡନ୍ ତଥା ପଳାତକ ଅପରାଧୀ ଦାଉଦ୍ ଇବ୍ରାହିମ୍ କରୋନା ସଂକ୍ରମଣ କାରଣରୁ ପ୍ରାଣ ହରାଇଥିବା ଖବର ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଶୁକ୍ରବାର ଦିନ ଗୁଇନ୍ଦା ଏଜେନ୍ସି ଦାଉଦ୍ କରୋନାରେ ସଂକ୍ରମିତ ବୋଲି ଖବର ଦେଇଥିଲେ । ଦାଉଦ୍ ଓ ତା’ ପତ୍ନୀ ମହଜବିନ୍ କରୋନା ସଂକ୍ରମଣ କାରଣରୁ କରାଚୀର ଆର୍ମି ହସ୍ପିଟାଲରେ ଭର୍ତ୍ତି ହୋଇଥିବା ଖବର ଆସିଥିଲା । ଦାଉଦ୍ ସହ ତାର ବ୍ୟକ୍ତିଗତ ସୁରକ୍ଷାକର୍ମୀ ମଧ୍ୟ କ୍ୱାରେଣ୍ଟାଇନରେ ଥିବା ଖବରରେ ଦାବି କରାଯାଇଥିଲା ।

ତେବେ ଶନିବାର ଦିନ ଆସୁଥିବା ଖବର ଅନୁସାରେ ଦାଉଦ କରୋନାରେ ପ୍ରାଣ ହରାଇଛି । ଆର୍ମି ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଦାଉଦ୍ ପ୍ରାଣ ହରାଇଛି ବୋଲି ସୋସିଆଲ ମିଡିଆରେ ଖବର ଭାଇରାଲ ହେଉଛି । ତେବେ ଏହି ଖବର ଆଇଏସଆଇ ଦ୍ୱାରା ଚଳାଯାଉଥିବା ଫେକ୍ ନ୍ୟୁଜ୍ ବୋଲି କିଛି ସୁରକ୍ଷା ବିଶେଷଜ୍ଞ କହୁଛନ୍ତି ।

ଅନ୍ୟପକ୍ଷରେ ନ୍ୟୁଜ୍ ଏଜେନ୍ସି ଆଇଏଏନଏସ ଅନୁସାରେ ଦାଉଦ୍ ମୃତ୍ୟୁ ଖବରକୁ ତା’ର ଭାଇ ଅନିସ ଇବ୍ରାହିମ୍ ଖଣ୍ଡନ କରିଛି । କୌଣସି ଏକ ଗୁପ୍ତସ୍ଥାନରେ ଆଇଏନଏସକୁ ଦେଇଥିବା ଫୋନ୍ ସାକ୍ଷାତକାରରେ ଅନିସ ଦାବି କରିଛି ଯେ, ଏହା ମିଛ ଖବର । ସେ IANSକୁ କହିଛି ଯେ, ଦାଉଦ୍ ସୁସ୍ଥ ଓ ସୁରକ୍ଷିତ ଅଛି । କରୋନା ଏକ ଭୟଙ୍କର ସଂକ୍ରାମକ ବ୍ୟାଧି । ଏହା ଦୁନିଆକୁ ନିଜ କବଜାକୁ ନେଇଛି ସତ କିନ୍ତୁ ଦାଉଦ୍ ଓ ତାର ପରିବାର ସୁରକ୍ଷିତ ଅଛନ୍ତି । ସେମାନଙ୍କ ପରିବାରର କାହାରିକି ମଧ୍ୟ କରୋନା ହୋଇନାହିଁ ବୋଲି ଅନିସ କହିଛି ।

ଅଣ୍ଡରୱାର୍ଲଡ ଡନ୍ ଦାଉଦ୍ ଇବ୍ରାହିମ କରୋନା ପଜିଟିଭ୍, ପାକ୍ ଆର୍ମୀ ହସ୍ପିଟାଲରେ ଭର୍ତ୍ତି

ଅନିସ କିଏ ?

ଅନିସ୍ ହେଉଛି ଦାଉଦ୍ ଇବ୍ରାହିମର ସାନ ଭାଇ । ଦାଉଦର ଅପରାଧ ସାମ୍ରାଜ୍ୟକୁ ଏବେ ଅନିସ ପରିଚାଳନା କରୁଛି । ଦୁବାଇରେ ଅନିସର ହୋଟେଲ ବ୍ୟବସାୟ ରହିଥିଲେ ମଧ୍ୟ ତା’ର ଅସଲ ଧନ୍ଦା ହେଉଛି ଡ୍ରଗ୍ସ କାରବାର ।