spot_img
Home Blog Page 7011

ପୁରୁଷମାନଙ୍କ ପାଇଁ କରୋନା ଅଧିକ ମାରାତ୍ମକ ? କିଏ ଦାୟୀ, ଜିନ୍ସ ନା ଅଭ୍ୟାସ !

ନୂଆଦିଲ୍ଲୀ: କରୋନା ସ୍ଥିତି ଦିନକୁ ଦିନ ବିଗିଡି ଚାଲିଛି । ତେବେ ମହିଳାଙ୍କ ତୁଳନାରେ ପୁରୁଷମାନେ ଅଧିକ କୋଭିଡ -୧୯ ର ଶିକାର ହେଉଛନ୍ତି ବୋଲି କୁହାଯାଉଛି । ଏକ ପ୍ରି-ପ୍ରିଣ୍ଟ୍ ଦ୍ୱାରା ଜଣା ପଡିଛି ଯେ, ମହିଳା ଏବଂ ପୁରୁଷମାନଙ୍କ ମଧ୍ୟରେ କରୋନାଭାଇରସ୍ ଭିନ୍ନ ଭିନ୍ନ ପ୍ରଭାବ ପକାଏ । ୟୁନିଭରସିଟି ଅଫ ଟେକ୍ସାସ୍, ହ୍ୟୁଷ୍ଟନ୍ ମେଥୋଡିଷ୍ଟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଏବଂ ଟେନେସୀ ବିଶ୍ୱବିଦ୍ୟାଳୟ ସ୍ୱାସ୍ଥ୍ୟ ବିଜ୍ଞାନ କେନ୍ଦ୍ରର ଅନୁସନ୍ଧାନ ଅନୁସାରେ ବିଭିନ୍ନ କାରଣ ଏଥିପାଇଁ ଦାୟୀ ହୋଇପାରେ। ଯେମିତିକି ଉଭୟ ଲିଙ୍ଗର ଜେନେଟିକ୍ ଗଠନ ଏବଂ ସଂକ୍ରମଣ ବଢାଇବାର ଅଭ୍ୟାସ ।

WHOର ୧୯ ଏପ୍ରିଲର ସାପ୍ତାହିକ ରିପୋର୍ଟ ଅନୁସାରେ, ୟୁରୋପରେ କୋଭିଡ -୧୯ରେ ମୋଟ୍ ୬୩ ପ୍ରତିଶତ ପୁରୁଷଙ୍କର ମୃତ୍ୟୁ ହୋଇଛି । କୋଭିଡ-୧୯ ମନିଟରିଂ ଗ୍ରୁପ୍ ଦ୍ୱାରା ପ୍ରସ୍ତୁତ ଅନ୍ୟ ଏକ ରିପୋର୍ଟ ଅନୁସାରେ, ମାର୍ଚ୍ଚରେ ଇଟାଲୀରେ କରୋନାଭାଇରସ୍ ଯୋଗୁଁ ପ୍ରାୟ ୨୯.୧ ପ୍ରତିଶତ ମହିଳାଙ୍କର ମୃତ୍ୟୁ ହୋଇଥିଲା ।

ୟୁନିଭରସିଟି ଅଫ ଟେକ୍ସାସ୍, ହ୍ୟୁଷ୍ଟନ୍ ମେଥୋଡିଷ୍ଟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ ଏବଂ ଟେନେସୀ ବିଶ୍ୱବିଦ୍ୟାଳୟ ସ୍ୱାସ୍ଥ୍ୟ ବିଜ୍ଞାନ କେନ୍ଦ୍ରର ଅନୁସନ୍ଧାନ ଅନୁସାରେ ମହାମାରୀ SARS ଓ MERS ର କୋଭିଡ୍ -୧୯ର ଡାଟା ସହ ତୁଳନା କରାଯାଇଛି । ଫଳରେ ଏହା ଦ୍ୱାରା ଜଣାପଡିଛି ଯେ, ଏହି ତିନୋଟି ରୋଗରେ ପୁରୁଷଙ୍କ ମୃତ୍ୟୁ ହାର ଅଧିକ ରହିଛି ।

ସୂଚନାଯୋଗ୍ୟ ଯେ, SARS ରୋଗରେ ୨୧.୯ ପ୍ରତିଶତ ପୁରୁଷମାନଙ୍କର ଏବଂ ୧୩.୨ ପ୍ରତିଶତ ମହିଳାମାନଙ୍କର ମୃତ୍ୟୁ ହୋଇଥିଲା। ସେହିଭଳି, MERS ରୋଗରେ ୨୧.୨ ପ୍ରତିଶତ ପୁରୁଷମାନଙ୍କ ତୁଳନାରେ ମହିଳାଙ୍କର ୧୫.୨ ପ୍ରତିଶତ ମୃତ୍ୟୁ ହୋଇଥିଲା। ବର୍ତ୍ତମାନର କୋଭିଡ୍-୧୯ର ମୃତ୍ୟୁ ହାର ପୁରୁଷ-ମହିଳାଙ୍କ ଆଧାରରେ ରିପୋର୍ଟ ଆସିନାହିଁ । କିନ୍ତୁ ଆମେରିକାର ଅନୁସନ୍ଧାନ ଅନୁସାରେ MERS, SARS-CoV ଏବଂ SARS-CoV2 (Covid-19) ରୋଗରେ ମହିଳାଙ୍କ ତୁଳନାରେ ପୁରୁଷଙ୍କର ଅଧିକ ମୃତ୍ୟୁ ହୋଇଛି ।

ଅନୁସନ୍ଧାନ ଅନୁସାରେ, ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ କରୋନାଭାଇରସ୍ ପ୍ରତିରୋଧକ ରେସପନ୍ସ ଭିନ୍ନ ହୋଇପାରେ । ଅଧିକ ଧୂମ୍ରପାନ ଅଭ୍ୟାସ ଏବଂ ପୁରୁଷମାନଙ୍କ ହୃଦ୍‌ରୋଗ ଜଡିତ ସମସ୍ୟା ଏହି ସବୁ ରୋଗରେ ସଂକ୍ରମିତ ହେବାର ଏକ ଗୁରୁତ୍ୱପୂର୍ଣ୍ଣ କାରଣ ଥିଲା । ସାଉଦି ଆରବର ଲୋକଙ୍କ ମଧ୍ୟରେ MERS ରୋଗ ନେଇ ଅନୁସନ୍ଧାନରୁ ଜଣା ପଡିଛି ଯେ, ବିଭିନ୍ନ ପ୍ରକାରର ଲୋକଙ୍କ ସଂସ୍ପର୍ଶରେ ଆସିବା ଯୋଗୁଁ ସେଠାରେ ଅଧିକ ପୁରୁଷଙ୍କ ମୃତ୍ୟୁ ହୋଇଛି । ରିସର୍ଚ୍ଚ ଅନୁସାରେ ଆଉ ଏକ ବଡ କାରଣ ହେଉଛି ହାତ ନଧୋଇବା ଅଭ୍ୟାସ । ୨୦୦୩ ମସିହାର ଏକ ଅନୁସନ୍ଧାନରୁ ଜଣା ପଡିଥିଲା ଯେ, ପୁରୁଷମାନଙ୍କଠାରୁ ମହିଳାମାନେ ଅଧିକ ହାତ ଧୁଅନ୍ତି ।

 

କୁଆଡେ ଗଲେ ଉତ୍ତର କୋରିଆ ଶାସକ, କାହିଁକି ସର୍ବସମ୍ମୁଖକୁ ଆସୁ ନାହାଁନ୍ତି କିମ ଜଙ୍ଗ ଉନ୍…‌

ୱାସିଂଟନ୍: କୁଆଡେ ଗଲେ ଉତ୍ତର କୋରିଆ ଶାସକ । କାହିଁକି ସର୍ବସମ୍ମୁଖକୁ ଆସୁ ନାହାଁନ୍ତି କିମ ଜଙ୍ଗ ଉନ୍‌ । ଏଭଳି ଅନେକ ପ୍ରଶ୍ନ ଗତ କିଛି ଦିନ ଧରି ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଥିବାବେଳେ ସେ ପ୍ରଶ୍ନର ଉତ୍ତର ଦେଇଛନ୍ତି କିମ ଜଙ୍ଗ ଉନ୍‌ଙ୍କ ବୈଦେଶିକ ପରାମର୍ଶଦାତା ମୁନ ଚଙ୍ଗ ଇନ୍‌ । ଆମେରିକାର ଜାତୀୟ ଗଣମାଧ୍ୟମ ସିଏନଏନକୁ ସୂଚନା ଦେଇ ମୁନ ଚଙ୍ଗ ଇନ କହିଛନ୍ତି, ସୁସ୍ଥ ଅଛନ୍ତି ଉତ୍ତର କୋରିଆ ଶାସକ ।

ସାରା ଦୁନିଆରେ କରୋନା ଟେନସନ୍‌ ପରେ ଯେଉଁ ଚର୍ଚ୍ଚା ହେଉଛି, ତାହା ହେଉଛି ଉତ୍ତର କୋରିଆ ଶାସକ କିମ ଜଙ୍ଗ ଉନକୁ ନେଇ । ଅନେକ ଅନ୍ତର୍ଜାତୀୟ ଗଣମାଧ୍ୟମରେ ଉତ୍ତର କୋରିଆର ଶାସକଙ୍କୁ ନେଇ ହୋଇଛି ଅନେକ ଚର୍ଚ୍ଚା । କୁଆଡେ ଗଲେ କିମ ଜଙ୍ଗ ଉନ୍‌ । କାହିଁକି ସର୍ବସମ୍ମୁଖକୁ ଆସୁ ନାହାଁନ୍ତି ଉତ୍ତର କୋରିଆ ଶାସକ । ସ୍ୱାସ୍ଥ୍ୟବସ୍ଥା ଭଲ ନାହିଁ, ନାଁ ଦେଶ ବାହାରେ ଅଛନ୍ତି କିମ ଜଙ୍ଗ ଉନ୍‌ । ଏଭଳି ଅନେକ ପ୍ରଶ୍ନ ଉଠିଥିବାବେଳେ ଏ ସବୁ ପ୍ରଶ୍ନ ଉପରୁ ସସପେନସ ଉଠାଇଛନ୍ତି କିମ ଜଙ୍ଗ ଉନ୍‌ଙ୍କ ବୈଦେଶିକ ପରାମର୍ଶଦାତା ମୁନ୍ ଚଙ୍ଗ ଇନ୍‌ । ତାଙ୍କ ଅନୁସାରେ ଉତ୍ତର କୋରିଆର ବିଗ୍ ବସ୍ ସୁସ୍ଥ ଓ ସୁରକ୍ଷିତ ଅଛନ୍ତି । ଠିକ୍ ସମୟ ଆସିଲେ ସେ ବାହାରକୁ ଆସି ଦର୍ଶନ ଦେବେ ।

ଆମେରିକାର ଜାତୀୟ ଗଣମାଧ୍ୟମ ସିଏନଏନକୁ ସୂଚନା ଦେଇ ମୁନ ଚଙ୍ଗ ଇନ କହିଛନ୍ତି, ସୁସ୍ଥ ଅଛନ୍ତି ଉତ୍ତର କୋରିଆ ଶାସକ । ତାଙ୍କ ଦେହ ଏବେ ଭଳ ଅଛି । ସେ ନିଜ ଦେଶରେ ଅଛନ୍ତି । ରାଷ୍ଟ୍ରପତି ଭବନ ଆସୁ ନାହାଁନ୍ତି, ହେଲେ ସମସ୍ତ ସ୍ଥିତି ଉପରେ ନଜର ରଖିଛନ୍ତି । କିମ ଜଙ୍ଗ ଉନକୁ ନେଇ ଯେଉଁ ଗୁଜବ ଉଠୁଛି ତାହା ସବୁ ମିଛ । ଖୋଦ କିମ ଜଙ୍ଗ ଉନ୍‌ଙ୍କ ବୈଦେଶିକ ପରାମର୍ଶଦାତା ମୁନ ଚଙ୍ଗ ଇନଙ୍କ ଏଭଳି ବୟାନ ଆସିବା ପରେ ଗତ କିଛି ଦିନ ଧରି ଲାଗି ରହିଥିବା ଚର୍ଚ୍ଚା ଉପରେ ବିରାମ ଲାଗିଛି ।

 

ହେଲେ କଣ ପାଇଁ ହେଉଥିଲା ଏଭଳି ଚର୍ଚ୍ଚା । ଗତ କିଛି ଦିନ ଧରି ସର୍ବସମ୍ମୁଖକୁ ଆସୁନଥିଲେ କିମ ଜଙ୍ଗ ଉନ୍‌ । କୈାଣସି ସରକାରୀ କାର୍ଯ୍ୟକ୍ରମରେ ସାମିଲ ହେଉନଥିଲେ । ଏଭଳିକି ନିଜ ଜେଜେଙ୍କର ଶ୍ରାଦ୍ଧ ଦିବସରେ ସାମିଲ ହୋଇନଥିଲେ କିମ ଜଙ୍ଗ । ତେଣୁ କିମ ଜଙ୍ଗ ଉନ୍‌ ଜିବୀତ ଅଛନ୍ତି ନାଁ ନାହିଁ ତାକୁ ନେଇ ଉଠିଥିଲା ଅନେକ ପ୍ରଶ୍ନ । ଯେଉଁ ପ୍ରଶ୍ନର ଉତ୍ତର ଏବେ ଖୋଦ ଉତ୍ତର କୋରିଆ ସରକାର ଦେଇଛନ୍ତି । ନିଜର ପରମାଣୁ ଅସ୍ତ୍ର ବଳରେ ଆମେରିକା ଭଳି ଶକ୍ତିଶାଳୀ ରାଷ୍ଟର ହୋସ ଉଡାଉଥିବା କିମ ଜଙ୍ଗ ଉନ୍‌ କେବେ ସର୍ବସମ୍ମୁଖକୁ ଆସିବେ ତାକୁ ଅପେକ୍ଷା କରିଛି ସାରା ବିଶ୍ୱ ।

‘ଲକ୍‌ଡାଉନ୍‌ ସତ୍ତ୍ୱେ ଦେଶର ଅର୍ଥ ବ୍ୟବ‌ସ୍ଥା ଭଲ ରହିଛି, ଚିନ୍ତାର ଆବଶ୍ୟକତା ନାହିଁ’

ନୂଆଦିଲ୍ଲୀ: ସୋମବାର ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ସବୁ ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ସ୍ଥିତି ନେଇ ଆଲୋଚନା କରିଛନ୍ତି । କେବଳ ଦୁଇ ଜଣ ମୁଖ୍ୟମନ୍ତ୍ରୀ ଲକ୍‌ଡାଉନ୍‌ ଅବଧି ବୃଦ୍ଧି କରିବା ବିପକ୍ଷରେ ମତ ଦେଇଥିବା ବେଳେ ଅନ୍ୟ ସବୁ ମୁଖ୍ୟମନ୍ତ୍ରୀ ଲକ୍‌ଡାଉନ୍‌କୁ ସମର୍ଥନ କରିଛନ୍ତି । କେରଳ ମୁଖ୍ୟମନ୍ତ୍ରୀ ଏହି ଆଲୋଚନାରେ ଭାଗ ନନେଇ ଚିଠି ମାଧ୍ୟମରେ ନିଜର ପରାମର୍ଶ ପଠାଇଥିଲେ ।

ଅନ୍ୟପଟେ ସାରା ଦେଶ ଏବେ ମାସେରୁ ଅଧିକ ସମୟ ଧରି ଲକ୍‌ଡାଉନ୍‌ ସ୍ଥିତି ଦେଇ ଗତି କରୁଛି । ତେଣୁ ଦେଶରେ କରୋନା ସଂକ୍ରମଣକୁ କିଛି ମାତ୍ରାରେ ନିୟନ୍ତ୍ରଣ କରାଯାଇପାରିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ଏଥିପାଇଁ ସେ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଲକ୍‌ଡାଉନ୍‌ ନିୟମକୁ ସାରା ଦେଶବାସୀ ପାଳନ କରିଛନ୍ତି । ଯାହାଫଳରେ ଅନ୍ୟ ଦେଶ ତୁଳନାରେ ଭାରତରେ କରୋନା ନିଜର କାୟା ବିସ୍ତାର କରିପାରି ନାହିଁ । ରାଜ୍ୟ ସରକାରମାନେ ଭଲ କାମ କରିଛନ୍ତି ବୋଲି ମଧ୍ୟ କହିଛନ୍ତି ମୋଦି । ମୁଖ୍ୟମନ୍ତ୍ରୀ ମାନଙ୍କ ସହ ପ୍ରାୟ ତିନି ଘଣ୍ଟା ଧରି ପ୍ରଧାନମନ୍ତ୍ରୀ ବିଶେଷ ଆଲୋଚନା କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟମାନେ ଲକ୍‌ଡାଉନ୍‌ ଖୋଲିବା ନେଇ ଖସଡ଼ା ପ୍ରସ୍ତୁତ କରନ୍ତୁ । ରେଡ୍‌, ଅରେଞ୍ଜ ଓ ୟୋଲୋ ଜୋନ୍‌ ପ୍ରସ୍ତୁତ କରି ଲକ୍‌ଡାଉନ୍‌ ଖୋଲିବା ପାଇଁ ପ୍ରସ୍ତୁତ ହୁଅନ୍ତୁ । ଏହାସହ ଯେଉଁ ରାଜ୍ୟଗୁଡ଼ିକରେ କରୋନା ସଂକ୍ରମଣ ନିୟନ୍ତ୍ରଣ ବାହାରେ ରହିଛି ସେଠାରେ ଲକ୍‌ଡାଉନ୍‌ ବଳବତ୍ତର ରହିବ ଏବଂ ଜିଲ୍ଲାଓ୍ୱାରୀ ଲକ୍‌ଡାଉନ୍‌ ଖୋଲିବାକୁ ପ୍ରଧାନମନ୍ତ୍ରୀ ସେମାନଙ୍କୁ ପରାମର୍ଶ ଦେଇଛନ୍ତି ।

ତେବେ ଏହି ଲକ୍‌ଡାଉନ୍‌ ଯୋଗୁଁ ଦେଶର ଅର୍ଥନୀତି ଭୁଶୁଡ଼ିବା କଥା ଚର୍ଚ୍ଚା ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି ଅର୍ଥନୀତି ବିଷୟରେ ଚିନ୍ତା କରିବା ଆବଶ୍ୟକ ନାହିଁ । ଆମର ଅର୍ଥବ୍ୟବସ୍ଥା ଭଲ ରହିଛି ।

ମ୍ୟୁଚୁଆଲ୍‌ ଫଣ୍ଡ କମ୍ପାନୀଙ୍କ ପାଇଁ ରିଜର୍ଭ ବ୍ୟାଙ୍କର ବଡ଼ ଘୋଷଣା

କରୋନା ମହାମାରୀ ଯୋଗୁ ଏବେ ମ୍ୟୁଚୁଆଲ୍‌ ଫଣ୍ଡ କମ୍ପାନୀ ଗୁଡ଼ିକ ଘୋର ସଙ୍କଟ ଦେଇ ଗତି କରୁଛନ୍ତି । ତେଣୁ ସେମାନଙ୍କୁ ସଙ୍କଟରୁ ଉଦ୍ଧାର କରିବା ପାଇଁ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି । ସୋମବାର ଭାରତୀୟ ରିଜର୍ଭ ବ୍ୟାଙ୍କ ସମସ୍ତ ମ୍ୟୁଚୁଆଲ୍‌ ଫଣ୍ଡ କମ୍ପାନୀଗୁଡ଼ିକ ପାଇଁ ୫୦ ହଜାର କୋଟି ଟଙ୍କାର ବିଶେଷ ସହାୟତା ପ୍ରଦାନର ଘୋଷଣା କରିଛି । ଗତ ସପ୍ତାହରେ ଫ୍ରାଙ୍କଲିନ୍‌ ଟେମ୍ପଲ୍‌ଟନ୍‌ ୬ଟି ଫଣ୍ଡ ବନ୍ଦ କରିବା ପରେ ରିଜର୍ଭ ବ୍ୟାଙ୍କ ଏହି ପଦକ୍ଷେପ ଗ୍ରହଣ କରିଛି । ଯାହାକି କମ୍ପାନୀ ଗୁଡ଼ିକ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଇପାରେ ।

ଲକ୍‌ଡାଉନ୍‌ ଯୋଗୁ ପୁଞ୍ଜି ବଜାରରେ ଅସ୍ଥିରତା ଲାଗିରହିଛି । ମ୍ୟୁଚୁଆଲ୍‌ ଫଣ୍ଡ ଉପରେ ମଧ୍ୟ ଏହାର ବିଶେଷ ପ୍ରଭାବ ଦେଖିବାକୁ ମିଳିଛି ଚାପ ପଡ଼ିଛି । କେତେକ ମ୍ୟୁଚୁଆଲ୍‌ ଫଣ୍ଡ ବନ୍ଦ ଯ଼ୋଗୁଁ ଋଣ ପରିଶୋଧ ଚାପ ଲିକ୍ୟୁଡିଟି ଷ୍ଟ୍ରେନକୁ ତୀବ୍ରତର କରିଛି । ବର୍ତ୍ତମାନ ସ୍ଥିତିରେ କେବଳ ହାଇ-ରିସ୍କ ଡେଟ୍‌ ମ୍ୟୁଚୁଆଲ୍‌ ଫଣ୍ଡ୍ ଉପରେ ଚାପ ସୀମିତ ରହିଥିବା ରିଜର୍ଭ ବ୍ୟାଙ୍କ ସୂଚନା ଦେଇଛି । ଛୁଟିଦିନ ବ୍ୟତୀତ ସୋମବାରଠାରୁ ଶୁକ୍ରବାର ମୃଧ୍ୟରେ ଯେକୌଣସି ଦିନ ବ୍ୟାଙ୍କଗୁଡ଼ିକ ସେମାନଙ୍କର ବିଡ୍‌ ଦାଖଲ କରି ଫଣ୍ଡ ପାଇ ପାରିବେ ବୋଲି ଅନୁମତି ଦିଆଯାଇଛି ।

ବାହାର ରାଜ୍ୟରେ ଅଟକି ରହିଥିବା ଓଡ଼ିଆଙ୍କୁ ଫେରାଇ ଆଣିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

ଭୁବନେଶ୍ୱର: ଓଡିଶା ବାହାରେ ଫସିଛନ୍ତି ଓଡିଆ । ଚିନ୍ତାରେ ସେମାନଙ୍କ ପରିବାର, ଚିନ୍ତାରେ ସରକାର । ସରକାର କେବଳ ସେମାନଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ଚାହୁଁନାହାଁନ୍ତି, ସେମାନଙ୍କ ଜରିଆରେ ସଂକ୍ରମଣ ନହେବା ବି ଲକ୍ଷ୍ୟ । ଲକଡାଉନ ଉଠିବା ପୂର୍ବରୁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଥିବା ବେଳେ ଆଜି ଏଦିଗରେ ପ୍ରଧାନମନ୍ତ୍ରୀଙ୍କ ସହଯୋଗ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦାବି କରିଛନ୍ତି ଏନେଇ ଜାତୀୟ ସ୍ତରରେ ଗଠନ ହେଉ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡୁୟର ।

ଓଡିଶା ଛାଡି ବାହାର ରାଜ୍ୟରେ କାମ କରୁଛନ୍ତି ପ୍ରାୟ ସାଢେ ସାତ ଲକ୍ଷ ଓଡିଆ । କିଏ ରୋଜଗାର ସନ୍ଧାନରେ ତ କିଏ ପରିବାରର ଭରଣପୋଷଣ ତ ଆଉ କିଏ ବୃଦ୍ଧ ବାପା ମାଙ୍କ ଚିକିତ୍ସା ପାଇଁ ପରିବାର ଓ ଗାଁ ମାଟି ଛାଡିଛନ୍ତି । କରୋନା ସଂକ୍ରମଣ ପରେ ଏବେ ସେମାନେ ଘରକୁ ଫେରିଆସିବାକୁ ଚାହୁଁଛନ୍ତି । ନିଜ ପରିବାର ପାଖକୁ, ନିଜ ବନ୍ଧୁ ପରିଜନଙ୍କ ପାଖକୁ । ହେଲେ ବାଧକ ସାଜିଛି ଲକଡାଉନ । ସେହି ପ୍ରବାସୀ ଓଡିଆଙ୍କୁ ଫେରାଇ ଆଣିବାକୁ ଉଦ୍ୟମ ଚଲାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେମାନେ କେବଳ ଫେରିବେନି, ସୁରକ୍ଷିତ ଭାବେ ଫେରିବେ । କେବଳ ଓଡିଶା ନୁହେଁ, ଅନ୍ୟ ରାଜ୍ୟଗୁଡିକ ବି ସେନେଇ ଚିନ୍ତାରେ । ତେଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାମନ୍ତ୍ରୀଙ୍କୁ ଜାତୀୟ ସ୍ତରରେ ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡୁୟର ବା ଏସଓପି ଗଠନ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଯାହାଦ୍ଵାରା ପ୍ରବାସୀ ଲୋକଙ୍କ ଘରବାହୁଡା ପାଇଁ ସବୁ ରାଜ୍ୟ ଏକ ପ୍ରକାର ନିୟମକୁ ପାଳନ କରିବେ । ଏହାଦ୍ଵାରା ସଂକ୍ରମଣର ଆଶଙ୍କା କମିବ ।

ପୂର୍ବରୁ ମୁଖ୍ୟମନ୍ତ୍ରୀ ଗୁଜୁରୁ।ଟ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ସହ ଏନେଇ ଆଲୋଚନା କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଭିଡିଓ କନଫରେନସିଂରେ କରୋନା ମୁକାବିଲା ନେଇ ଆଲୋଚନା କରୁଥିବା ବେଳେ ନବୀନ ପଟ୍ଟନାୟକ ଏସଓପି ଗଠନର ପ୍ରସ୍ତାବ ଦେଇଛନ୍ତି । ଏହାଦ୍ଵାରା ନିଜ ନିଜ ରାଜ୍ୟକୁ ଫେରିବା ପୂର୍ବରୁ ପ୍ରବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ସେମାନଙ୍କୁ କୋଭିଡ-୧୯ ପ୍ରମାଣପତ୍ର ବି ଦିଆଯିବ । ଏଥିସହିତ ସାମାଜିକ ଦୂରତା ମଧ୍ୟରେ ସେମାନଙ୍କୁ ସେମାନଙ୍କ ରାଜ୍ୟକୁ ଫେରାଇ ଦିଆଯିବ । ନିଜ ନିଜ ରାଜ୍ୟକୁ ଫେରିବା ପରେ ସେମାନଙ୍କୁ ୧୪ ଦିନ କ୍ୱାରେଣ୍ଟାଇନରେ ରଖାଯିବ । ଏଥିପାଇଁ ରାଜ୍ୟରେ ୭୧୦୨ଟି ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି । ଏହିସବୁ ସ୍ୱାସ୍ଥ୍ୟକେନ୍ଦ୍ରରେ ୨ଲକ୍ଷ ୨୭ ହଜାର ଶଯ୍ୟା ପ୍ରସ୍ତୁତ ହୋଇ ରହିଛି । ଗତ ୪୮ ଘଣ୍ଟା ମଧ୍ୟରେ ଓଡିଶା ଫେରିବାକୁ ୪ଲକ୍ଷ ୮୬ ହଜାର ପ୍ରବାସୀ ଓଡିଆ ରାଜ୍ୟ ସରକାରଙ୍କ କୋଭିଡ ପୋର୍ଟାଲରେ ପଂଜିକରଣ କରିଛନ୍ତି ।

୮୦ ବର୍ଷର କରୋନା ଯୋଦ୍ଧା: ଏହି ମହିଳା ଘରେ ପ୍ରତିଦିନ ତିଆରି କରୁଛନ୍ତି ମାସ୍କ୍

ଜୟପୁର: ବୟସର ଅପରାହ୍ନରେ ସାହାଯ୍ୟ କରିବାର ନିଶା । ବୟସ ୮୦, ନା ସେ ଠିକରେ ଚାଲିପାରୁଛନ୍ତି ନା ଦେଶର ଏଭଳି ଅବସ୍ଥାକୁ ଦେଖି ପାରୁଛନ୍ତି । କରୋନା ଭଳି ଏମିତି ଭୟଙ୍କର ସମୟରେ ନିଜର ଅଣ୍ଟା ସଳଖି ପାରୁ ନଥିବା ଏହି ୮୦ ବର୍ଷିୟ ମହିଳା ଜଣଙ୍କ ଅଣ୍ଟା ଭିଡ଼ିଛନ୍ତି ଅସହାୟ ଲୋକଙ୍କୁ ସାହାଯ୍ୟ କରିବାକୁ । ରାଜସ୍ଥାନର ଜୟପୁର ସହରରେ ରହୁଥିବା ଏହି ୮୦ ବର୍ଷିୟ ମହିଳା ମାୟା ଶର୍ମା ଖୁବ୍ ପରିଶ୍ରମୀ ।

ବୟସର ଅପରାହ୍ନରେ ହାତ ତ ଥରୁଛି କିନ୍ତୁ ଛୁଞ୍ଚିରେ ସେ ସୂତାକୁ ଖୁବ ସୁନ୍ଦର ଭାବେ ଭର୍ତ୍ତି କରି ତିଆରି କରୁଛନ୍ତି ଶହ ଶହ ମାସ୍କ । ଏହି ମାସ୍କ ଗୁଡ଼ିକୁ ତାଙ୍କ ପୁଅ ମନୀଷ ନେଇ ବିଭିନ୍ନ ହସପିଟାଲର ରୋଗୀ, ପରିବା ବେପାରୀ, ପୋଲିସ ଏବଂ ଗରୀବ ଲୋକଙ୍କୁ ବାଣ୍ଟୁଛନ୍ତି । ମାୟାଙ୍କୁ ଯେତେବେଳେ ଏନେଇ ପଚରା ଗଲା ସେ କହିଛନ୍ତି, ଜଣେ ଡାକ୍ତର ଯେତେବେଳେ ଦିନସାରା ପରିଶ୍ରମ କରି ଘରକୁ ଆସି ଆରାମ କରିବା ବଦଳରେ ଅସହାୟ ଲୋକଙ୍କ ପାଇଁ ମାସ୍କ ତିଆରି କରୁଛନ୍ତି ତେବେ ମୁଁ ଘରେ ବସି କାହିଁକି ମାସ୍କ ପ୍ରସ୍ତୁତ କରିପାରିବି ନାହିଁ । ଲୋକଙ୍କ ସୁରକ୍ଷିତ ରହିବାକୁ ସମସ୍ତେ ପ୍ରୟାସ କରୁଛନ୍ତି ତେଣୁ ମୁଁ ବି ଏହି କାର୍ଯ୍ୟରେ ଲାଗି ପଡ଼ିଛି ।

ତାଙ୍କୁ ୮୦ ବର୍ଷ ତାଙ୍କ ସିଲେଇ ମେସିନକୁ ୬୦ ବର୍ଷ

ମାୟା କୁହନ୍ତି ଯେତେବେଳେ ମୋର ବିବାହ ଠିକ୍ ହୋଇଥିଲା ମୋ ବାପା ମୋ ପାଇଁ ଏହି ମେସିନ ଆଣି ଦେଇଥିଲେ ତାପର ଠାରୁ ମୁଁ ସିଲେଇ ଆରମ୍ଭ କରିଥିଲି । ସେବେଠାରୁ ଏବେ ପର୍ଯ୍ୟନ୍ତ ନା ମୋ ମେସିନ ଥକିଛି ନା ମୁଁ । ତେବେ ଏନେଇ ତାଙ୍କ ପୁଅ ମନୀଷ କୁହନ୍ତି, ମାଆ ସାହାଯ୍ୟ କରିବାକୁ ସବୁବେଳେ ଭଲପାଆନ୍ତି ଯଦି ତାଙ୍କ ପାଖରେ ୧୦ଟଙ୍କା ଥାଏ ତେବେ କେହି ଜଣେ ତାଙ୍କୁ ୮ଟଙ୍କା ମଗନ୍ତି ତ ସେ ତାଙ୍କୁ ଦେବାକୁ କେବେ ବି ପଛାଇ ନଥାନ୍ତି । ଏବଂ ୮ଟଙ୍କା ଦେଇ ନିଜେ ୨ଟଙ୍କାରେ ଚଳେଇ ନିଅନ୍ତି । ତେବେ ମାୟା ଦିନକୁ ୪୦ଟା ମାସ୍କ ତିଆରି କରୁଛନ୍ତି ଏବଂ ଏବେ ପର୍ଯ୍ୟନ୍ତ ସେ ୭୦୦ରୁ ୮୦୦ ମାସ୍କ ପ୍ରସ୍ତୁତ କରିସାରିଛନ୍ତି ।

ମୁକ୍ତିମଣ୍ଡପର ମତ: ପରିସ୍ଥିତି ଦୃଷ୍ଟିରୁ ରଥଯାତ୍ରା ବନ୍ଦ ହେଲେ କିଛି ଅସୁବିଧା ନାହିଁ

ପୁରୀ : କରୋନାକୁ ନେଇ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହେବ କି ନାହିଁ ତାକୁ ନେଇ ସଂଦେହ ଲାଗି ରହିଛି । ସାମାଜିକ ଦୂରତା ବଜାୟ ରଖି ରଥଯାତ୍ରା ଆୟୋଜନ କରିବା ପ୍ରଶାସନ ପାଇଁ ଗୋଟିଏ ବଡ ଚ୍ୟାଲେଂଜ । ଏହାରି ଭିତରେ ସୋମବାର ଦିନ ମୁକ୍ତିମଣ୍ଡପ ରଥଯାତ୍ରାକୁ ନେଇ ବଡକଥା କହିଛି । ମୁକ୍ତିମଣ୍ଡପ କହିଛି ଯେ,କୌଣସି କାରଣରୁ ରଥଯାତ୍ରା ଆଯୋଜିତ ହୋଇ ନପାରେ ତେବେ କିଛି ଅସୁବିଧା ନାହିଁ । କାରଣ ଆଗରୁ ମଧ୍ୟ ଅନେକ ଥର ରଥଯାତ୍ରା ବନ୍ଦ ରହିଛି ।

ଅତୀତରେ ରଥଯାତ୍ରା ବନ୍ଦର ଉଦାହରଣ ଦେଇ ମୁକ୍ତିମଣ୍ଡପ ତରଫରୁ କୁହାଯାଇଛି ଯେ, ୩୨୭ ବର୍ଷ ତଳେ ବିଧର୍ମୀଙ୍କ ପୁରୀ ଉପରେ ଆକ୍ରମଣ ସମୟରେ ରଥଯାତ୍ରା ଅନୁଷ୍ଠିତ ହୋଇ ପାରିନଥିଲା । ସଂପ୍ରତିକ ସମୟରେ କରୋନା କାରଣରୁ ସୃଷ୍ଟି ହୋଇଥିବା ବିପଦ କାରଣରୁ ଯଦି ରଥଯାତ୍ରାକୁ ବନ୍ଦ ହୁଏ ତେବେ କିଛି ଅସୁବିଧା ନାହିଁ । ଭକ୍ତ,ସେବାୟତଙ୍କ ସୁରକ୍ଷା କାରଣରୁ ରଥଯାତ୍ରା ବନ୍ଦ କରିବାରେ କିଛି ଅସୁବିଧା ନାହଁ ।

 

କରୋନା କାରଣରୁ ରଥଯାତ୍ରା ନେଇ ମୁକ୍ତିମଣ୍ଡପ ପକ୍ଷରୁ ଜାରି କରାଯାଇଥିବା ପ୍ରେସ ବିଜ୍ଞପ୍ତିରେ ରଥଯାତ୍ରା ବନ୍ଦ କରିବାରେ କୌଣସି ଅସୁବିଧା ନାହିଁ ବୋଲି କୁହାଯିବା ସହ କିଛି ବିକଳ୍ପ ବ୍ୟବସ୍ଥା କଥା ମଧ୍ୟ ଉଲ୍ଲେଖ କରାଯାଇଛି । ଯେମିତିକି ରାସ୍ତା ଅବରୋଧ କରି କେବଳ ପୋଲିସ ଯବାନଙ୍କ ଦ୍ୱାରା ରଥଯାତ୍ରା । ଏଥିରେ କୁହାଯାଇଛି ଯେ, ପୁରୀର ସବୁ ରାସ୍ତା ବନ୍ଦ କରି ରଥଯାତ୍ରା କରାଯାଉ । ଦୁରଦର୍ଶନରେ ମାଧ୍ୟମରେ ରଥଯାତ୍ରା ଭକ୍ତ ଘରୁ ଦେଖିପାରିବେ ବୋଲି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ।

ନୂଆପଡ଼ା ସଦର ମହକୁମା ସିଲ୍‌ଦା ଅନ୍ୱେଷା ହଷ୍ଟେଲ ପରିସରରେ ୨ଶହ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ଉଦଘାଟିତ

ନୂଆପଡ଼ା: ନୂଆପଡ଼ା ସଦର ମହକୁମା ସିଲ୍‌ଦା ଅନ୍ୱେଷା ହଷ୍ଟେଲ ପରିସରରେ ୨ଶହ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ଉଦଘାଟିତ ହୋଇଯାଇଛି । ଏହାକୁ ଜିଲ୍ଲାପାଳ ମଧୁସ୍ମିତା ସାହୁ ଉଦ୍‌ଘାଟନ କରିଛନ୍ତି । କରୋନା ମୁକାବିଲା ପାଇଁ ଏଠାରେ ୧୪ଟି ଆଇସୋଲେସନ ରୁମର ବ୍ୟବସ୍ଥା ହୋଇଛି । ୫ ଗୋଟି ଆଇସିୟୁ ବ୍ୟବସ୍ଥା ମଧ୍ୟ କରାଯାଇଛି ।

ଏଠାରେ ୨୦ ଜଣ ଡାକ୍ତର, ୭୫ ଜଣ ନର୍ସ, ଜଣେ ଏଲଟି ଏବଂ ୪ ଜଣ ଫାର୍ମାସିଷ୍ଟ ନିୟୋଜିତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ଗୋଟିଏ ମଧ୍ୟ କରୋନା ରୋଗୀ ଚିହ୍ନଟ ହୋଇନାହାଁନ୍ତି । ପୂର୍ବରୁ ୫୮ ଜଣଙ୍କ ନମୁନା ସଂଗ୍ରହ କରାଯାଇ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି । ଏବେ ଆଉ ୫୮ ଜଣଙ୍କ ନମୁନା ସଂଗ୍ରହ କରାଯାଇଛି । ସେମାନଙ୍କ ରିପୋର୍ଟକୁ ଅପେକ୍ଷା କରାଯାଇଛି ।

ମାନବୀକତାର ହତ୍ୟା: ସ୍ତ୍ରୀର ଚିକିତ୍ସା ପାସ ବାହାର କରି ତମ୍ବାଖୁ ବିକୁଥିଲେ,ତା’ପରେ କଣ ହେଲା ଜାଣନ୍ତୁ

ଭୋପାଳ: କରୋନାର ବିନାଶ ପାଇଁ ସବୁ ପ୍ରକାର ପ୍ରୟାସ କରୁଛନ୍ତି ରାଜ୍ୟ ଓ କେନ୍ଦ୍ର ସରକାର । ଏନେଇ ପୂରା ଦେଶରେ ଲକଡାଉନ କରାଯାଇଛି । ଏହାସହ ଗୁଟଖା, ତମ୍ବାଖୁ ଏବଂ ଅନ୍ୟାନ୍ୟ ନିଶା ଦ୍ରବ୍ୟଗୁଡ଼ିକର ବିକ୍ରି ଉପରେ ମଧ୍ୟ ରୋକ ଲାଗିଛି । କିନ୍ତୁ କିଛି ଲୋକ ଏମିତି ମଧ୍ୟ ଅଛନ୍ତି ଯେଉଁମାନେ ମିଛସତ କହି ଏହି ଦ୍ରବ୍ୟ ଗୁଡ଼ିକୁ ଏବେ ବି ବିକ୍ରି କରୁଛନ୍ତି ।

ଏହିପରି ଏକ ଘଟଣା ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରୁ ଆସିଛି । ଯେଉଁଠାରେ ତମ୍ବାଖୁ ଭଳି ଦ୍ରବ୍ୟ ଗୁଡ଼ିକୁ ଜଣେ ବ୍ୟକ୍ତି ବିକିବାର ଘଟଣା ସାମ୍ନାକୁ ଆସିଛି  ଏବଂ ଉକ୍ତ ବ୍ୟକ୍ତିଙ୍କୁ ଗିରଫ ମଧ୍ୟ କରାଯାଇଛି । ଭୋପାଳର ଚୁନାଭାଟ୍ଟୀ ଅଞ୍ଚଳର ପୋଲିସ କହିଛି ଯେ, ଏହି ତମ୍ବାଖୁ ବେପାରୀଙ୍କ ସ୍ତ୍ରୀଙ୍କ ଦେହ ଅସୁସ୍ଥଥିବାରୁ ସେ ହସପିଟାଲରେ ଚିକିତ୍ସିତ ହେଉଛନ୍ତି । ତେଣୁ ଉକ୍ତ ବେପାରୀଙ୍କୁ ରାଜଧାନୀ ଯିବା ଆସିବାକୁ ପାସ ଦିଆଯାଇଛି । କିନ୍ତୁ ଏହି ବ୍ୟକ୍ତି ଜଣଙ୍କ ତମ୍ବାଖୁ ବିକ୍ରି କରିବାରେ ଏହି ପାସ୍ ବ୍ୟବହାର କରୁଥିଲା । ସେ କାରରେ ତମ୍ବାଖୁ , ଗୁଟଖା, ପାନ ମସଲା ଆଦି ନେଇ ରାସ୍ତାରେ ଅଧିକ ଦାମରେ ବକ୍ରି କରୁଥିଲା ।

ଡିଏସପି ଋଚା ଜୈନ୍ କହିଛନ୍ତି ଯେ, ଗିରଫ ବ୍ୟବାସାୟୀଙ୍କ ନାଁ ରାଧାବଲ୍ଲଭ ଅଗ୍ରୱାଲ । ଏବଂ ସେ ଏହା ମଧ୍ୟ କହିଛନ୍ତି ଯେ, ରାଧାବଲ୍ଲଭଙ୍କ ବିରୋଧରେ ଲକଡାଉନ୍ ନିୟମର ଉଲଂଘନ ଏବଂ ତମ୍ବାଖୁ ଉତ୍ପାଦ ଅଧିନିୟମ ଅନ୍ତର୍ଗତ ମାମଲା ରୁଜୁ କରାଯାଇଛି ।

ଏମିତି ଆଉ ଏକ ମାମଲା ଏମପି ନଗରରେ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଠାରେ ବେପାରୀ ଲିଲ୍ଲି ଗୁପ୍ତା, ନିଜ ରାସନ ଦୋକାନରେ ପାନ ମସଲା ଏବଂ ସିଗାରେଟ୍ ଭଳି ନିଶା ଦ୍ରବ୍ୟ ବିକୁଥିବାର ଦେଖାଯାଇଛି । ପୋଲିସ ତାଙ୍କ ଉପରେ ମଧ୍ୟ ତମ୍ବାକୁ ଉତ୍ପାଦ ଅଧିନିୟମ ଅନୁସାରେ ମାମଲା ରୁଜୁ କରାଯାଇଛି । ତେବେ ରାଜଧାନୀରେ ୨୨ମାର୍ଚ୍ଚରୁ ଏପର୍ଯ୍ୟନ୍ତ ଲକଡାଉନ୍ ଉଲଘଂନର ୨୪୫୬ଟି ମାମଲା ରୁଜୁ ହୋଇଛି ।

ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସହ ଫଟୋ ସେୟାର କଲେ ରାମାୟଣର ‘ସୀତା’,ଫଟୋ ହେଲା ଭାଇରାଲ

ମୁମ୍ବାଇ: କରୋନା ଭୂତାଣୁ ସମଗ୍ର ଦେଶରେ ଭୟବିତ ପରିସ୍ଥିତି ସୃଷ୍ଟି କରିଛି। ଯେଉଁଥିପାଇଁ ସରକାର ସମଗ୍ର ଦେଶରେ ଲକଡାଉନ୍ ଘୋଷଣା କରିଛନ୍ତି। ତେବେ ଲକଡାଉନ୍ ସମୟରେ ଦୁରଦର୍ଶନ ୯୦ ପ୍ରତିଶତ ଲୋକଙ୍କ ଚାହିଦା ନେଇ ରାମାୟଣର ରିଟେଲିକାଷ୍ଟ କରିଥିଲା। ଯାହାକୁ ଦର୍ଶକମାନଙ୍କ ଭଲ ପାଇବା ପୁଣି ଥରେ ମିଳିଛି । ତେବେ ରାମାୟଣ ପାଇଁ ଏଥିରେ ଅଭିନୟ କରିଥିବା କଳାକାରମାନେ ମଧ୍ୟ ବେଶ ଚର୍ଚ୍ଚାରେ ଅଛନ୍ତି । ସୋସିଆଲ ମିଡିଆରେ ରାମାୟଣ ନେଇ ଖୁବ ଆଲେଚନା ଜାରି ରହିଛି ।

ଏହି ଶୋ’ ରେ ଅରୁଣ ଗୋବିଲ ରାମ ଭୂମିକାରେ ଅଭିନୟ କରିଥିବାବେଳେ ଅଭିନେତ୍ରୀ ଦୀପିକା ଚିଖାଲିଆ ସୀତା ଭୂମିକାରେ ଅଭିନୟ କରିଥିଲେ। ରାମାୟଣର ରିଟେଲିକାଷ୍ଟ ପରଠାରୁ ଉଭୟ କଳାକାରଙ୍କୁ ଗୁଗୁଲରେ ଅଧିକ ସର୍ଚ୍ଚ କରାଯାଉଛି । ଦୀପିକା ଚିଖାଲିୟା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି । ସୋସିଆଲ ମିଡିଆରେ ଦୀପିକା ନିଜ ସୁଟିଂ ସମୟରେ ଅନେକ ଫଟୋ ସେୟାର କରନ୍ତି । ଏହି ଫଟୋଗୁଡିକ ମଧ୍ୟ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥାଏ । ବର୍ତ୍ତମାନ ଦୀପିକା ଏକ ଛବି ସେୟାର କରିଛନ୍ତି । ନିକଟରେ ଦୀପିକା ଏକ ଫଟୋ ସେୟାର କରିଛନ୍ତି ଯାହା ଭାଇରାଲ ହେବାରେ ଲାଗିଛି ।

ଏହି ଫଟୋରେ ଦୀପିକା ଏବଂ ରାମାୟଣର ଷ୍ଟାରକାଷ୍ଟ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସହ ଅଛନ୍ତି। ଫଟୋଟି ଦୀପିକା ତାଙ୍କ ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟ ମାଧ୍ୟମରେ ସେୟାର କରିଛନ୍ତି। ଫଟୋ ସେୟାର କରି ଦୀପିକା ଲେଖିଛନ୍ତି ଯେ, ପ୍ରଥମ ଥର ପାଇଁ ସେମାନଙ୍କୁ ସମ୍ମାନିତ କରାଯାଇଥିଲା। ସେହି ସମୟରେ ତାଙ୍କୁ ଅନୁଭବ ହୋଇଥିଲା ଯେ, ସେମାନେ ହେଉଚନ୍ତି ‘ରାମାୟଣ’ର ଗୁରୁତ୍ୱପୂର୍ଣ୍ଣ ଅଂଶ । ସେମାନେ ଇତିହାସ ସୃଷ୍ଟି କରିଥିଲେ । ଆଜି ବି ସେହିଦିନ ତାଙ୍କର ମନେ ଅଛି । ଏହି ଅଭୁଲା ମୁହୂର୍ତ୍ତ ତାଙ୍କ ପାଇଁ ଚିର ଦିନ ସ୍ମୃତି ହୋଇ ରହିଯାଇଛି । ସେହି ସମୟରେ ରାମାୟଣ ଟିମ୍ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପାଇଁ ଦିଲ୍ଲୀ ଯାଇଥିଲେ ।

ଏହି ଫଟୋରେ ଅରୁଣ ଗୋଭିଲ ଏବଂ ରାମାନନ୍ଦ ସାଗର ମଧ୍ୟ ନଜର ଆସିଛନ୍ତି। ଦୀପିକା ସେୟାର କରିଥିବା ଏହି ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି। ତାଙ୍କର ପ୍ରଶଂସକମାନେ ଏହି ଫଟୋକୁ ବେଶ ପସନ୍ଦ କରଛନ୍ତି । ଫଟୋଟି ରାମାୟଣର ପ୍ରଥମ ଟେଲିକାଷ୍ଟରୁ ଆସିଛି । ଏହି ସମୟରେ ସିରିଏଲ ଶୁଟିଂ ମଧ୍ୟ ଚାଲିଥିଲା ଏବଂ ଶୁଟିଂ ସମୟରେ ଉଭୟ କଳାକାରଙ୍କୁ  ସମ୍ମାନିତ କରିବା  ପାଇଁ  ପ୍ରଧାନମନ୍ତ୍ରୀଙ୍କ ଅଫିସ ତରଫରୁ ଆମନ୍ତ୍ରଣ କରାଯାଇଥିଲା ।  ଏବେ ରାମାୟଣ ବ୍ୟତୀତ ମହାଭାରତ, ଶକ୍ତିମାନ, ଭଳି ୯୦ ଦଶକର ଅନ୍ୟାନ୍ୟ ସିରିଏଲ ମଧ୍ୟ ଲକଡାଉନ୍ ସମୟରେ ପ୍ରସାରିତ ହେଉଛି ।