ରାଜ୍ୟରେ ଆଉ ୧୩୬ କରୋନା ପଜିଟିଭ । ମୋଟ୍ ସଂକ୍ରମିତ ସଂଖ୍ୟା ୩ହଜାର ୩୮୬କୁ ବୃଦ୍ଧି ପାଇଛି । ସେପଟେ କରୋନା ଫାଶରେ କୋଭିଡ୍ ଯୋଦ୍ଧା । ଓଡ୍ରାଫ, ଏନ୍ଡିଆରଏଫ୍ ଓ ଅଗ୍ନିଶମ ବିଭାଗର ୫୪ ସଂକ୍ରମିତ ।
ରାଉରକେଲା ରାସ୍ତାକୁ ଏତେ ଲୋକ ଆସିଲେ କେମିତି ? ଏସପିଙ୍କ ବଦଳି ଚାହୁଁଛି ଓକିଲ ସଂଘ
ରାଉରକେଲା: ରାଉରକେଲା ସହରରେ ଗଲା ୮ତାରିଖ ସଂଧ୍ୟାରେ ଶବ ଶୋଭାଯାତ୍ରାରେ ହଜାର ହଜାର ଲୋକ ସାମିଲ ହେବା ଘଟଣାକୁ ନେଇ ବିବାଦ ବଢିବାରେ ଲାଗିଛି । କରୋନାକୁ ନେଇ ଦେଶବ୍ୟାପି ଲକଡାଉନ୍ ଲାଗୁ ହୋଇଛି । ପାଖାପାଖି ୨ ମାସ ଧରି ଦେଶରେ ସବୁକିଛି ବନ୍ଦ ରହିଛି । କୋଭିଡ୍-୧୯ ଗାଇଡଲାଇନ୍ ଅନୁସାରେ ଜନସମାଗମ ପ୍ରତିବନ୍ଧିତ କିନ୍ତୁ ରାଉରକେଲାର ଜୁନ୍ ୮ ତାରିଖ ଦିନ ଯାହା ଘଟିଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଜୁନ୍ ୮ ଘଟଣା ଉପରେ ପ୍ରତିକ୍ରିୟା ପ୍ରକାଶ କରି ପଶ୍ଚିମାଞ୍ଚଳ ପୋଲିସ ଡିଆଇଜି କବିତା ଜଲାନ କହିଛନ୍ତି ଯେ, ମାମଲା ରୁଜୁ କରି ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାସହ ଶୋଭାଯାତ୍ରା ଆୟୋଜକଙ୍କୁ ପ୍ରଶାସନ ପକ୍ଷରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବ ବୋଲି ପାନପୋଷ ଉପଜିଲ୍ଲାପାଳ ବିଶ୍ୱଜିତ୍ ମହାପାତ୍ର ସୂଚନା ଦେଇଛନ୍ତି। ପ୍ରଶାସନର ବିନା ଅନୁମତିରେ କାହିଁକି ଶୋଭାଯାତ୍ରା ଆୟୋଜନ କରାଗଲା ସେନେଇ ନୋଟିସ୍ କରାଯିବା ସହ ଆଇନ୍ ଅନୁସାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।
ଘଟଣା କ’ଣ ଥିଲା ?
ଜୁନ୍ ୭ ତାରିଖ ଦିନ ପ୍ଳ।ଣ୍ଟ ସାଇଟ୍ ଥାନା ରେଲେୱେ କଲୋନୀର ଜଣେ ଯୁବକଙ୍କୁ କିଛି ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ହାଣି ଦେଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ ହରାଇଥିଲେ । ହତ୍ୟାକାଣ୍ଡରେ ୧୫ରୁ ଅଧିକ ଦୁର୍ବୃତ୍ତ ସାମିଲ୍ ଥିବା ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା । ଏହାର ଦିନକ ପରେ ଅର୍ଥାତ୍ ୮ତାରିଖ ସଂଧ୍ୟାରେ ହଜାର ହଜାର ଲୋକ ମୃତ ବ୍ୟକ୍ତିଙ୍କ ଅନ୍ତିମ ଯାତ୍ରାରେ ସାମିଲ ହୋଇଥିଲେ ।
କ’ଣ ପୋଲିସ ପାଖରେ ଖବର ନଥିଲା ?
ତେବେ ପ୍ରଶ୍ନ ଉଠୁଛି ୫ହଜାର ଲୋକ ଶୋଭାଯାତ୍ରା କଲେ, ତଥାପି କେମିତି ଜାଣିପାରିଲାନି ପୋଲିସ ? ପ୍ଲାଣ୍ଟ ସାଇଟ୍ ଥାନା ନିକଟ ରାସ୍ତା ଦେଇ ହଜାର ହଜାର ଲୋକ ନିୟମ ଭାଙ୍ଗି ଶୋଭାଯାତ୍ରା କଲେ, କେମିତି ଜାଣିପାରିଲେନି ଥାନା ଆଇଆଇସି ? ନା ସବୁ ଜାଣି ନିରବ ରହିଲେ ? ଘଟଣାର ୩ ଦିନ ପରେ ପଶ୍ଚିମାଞ୍ଚଳ ପୋଲିସ ଡିଆଇଜି କହୁଛନ୍ତି, ମାମଲା ରୁଜୁ କରି କାର୍ଯ୍ୟାନୁଷ୍ଠାନ ନିଆଯିବ। ହେଲେ ଆଜି ଯାଏଁ କାହିଁକି ଚୁପ୍ ଥିଲା ପୋଲିସ ପ୍ରଶାସନ ? ଲକ୍ଡାଉନ୍ରେ ସମଗ୍ର ଅଞ୍ଚଳରେ ଅରାଜକତା ପ୍ରଶ୍ନ ଉଠୁଛି, ଭୟ କରୁଛି କି ପୋଲିସ ? କିଛି ଦିନ ପୂର୍ବରୁ ରାଉରକେଲା ସହରରେ ପୋଲିସ ଉପରକୁ ଆକ୍ରମଣ ହୋଇଥିଲା।
ଏସପିଙ୍କ ବଦଳି ଦାବି କଲା ଓକିଲ ସଂଘ
ଏପରିକି ଜେଲ୍ରେ ଗିରଫ ବ୍ୟକ୍ତି କରୋନାରେ ସଂକ୍ରିମତ ହୋଇଥିଲେ। ତେବେ ପ୍ରଶ୍ନ ଉଠୁଛି, ରାଉରକେଲା ସହରର ଏହି ଅଞ୍ଚଳ ସ୍ବୟଂଶାସିତ ଅଞ୍ଚଳ ହୋଇଛି କି ? କାହିଁକି ସେଠାରେ ଆଇନ୍, ନିୟମ ସବୁ ଫେଲ୍ ମାରିଛି ? ଏଣେ ରାଉରକେଲା ସହରରେ ଆଇନ ଶୃଙ୍ଖଳା ସ୍ଥିତି ବିଗିଡ଼ିଥିବା ଓ ପୋଲିସ ନିଷ୍କ୍ରିୟ ରହିଥିବା ରାଉରକେଲା ଓକିଲ ସଂଘ ଅଭିଯୋଗ କରିଛି। ରାଉରକେଲା ଏସ୍ପିଙ୍କ ବଦଳି କରିବା ପାଇଁ ସଂଘ ପକ୍ଷରୁ ଦାବି ହୋଇଛି ।
ଶପଥ ନେଲେ ଓଡ଼ିଶା ହାଇକୋର୍ଟର ତୃତୀୟ ମହିଳା ବିଚାରପତି ସାବିତ୍ରୀ ରଥ
କଟକ: ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ନେଇଛନ୍ତି ସାବିତ୍ରୀ ରଥ । ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଜଷ୍ଟିସ ସାବିତ୍ରୀ ରଥ ହାଇକୋର୍ଟର ୧୬ତମ ବିଚାରପତି ଭାବେ ଶପଥ ନେଇଛନ୍ତି । କରୋନା ପାଇଁ ନିରାଡମ୍ବର ଭାବେ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଛି । ଶପଥପାଠ ଉତ୍ସବରେ ହାଇକୋର୍ଟର ବିଚାରପତିମାନେ ଯୋଗଦେଛନ୍ତି ।

ଏହାସହ ସେ ଓଡ଼ିଶା ହାଇକୋର୍ଟର ତୃତୀୟ ମହିଳା ବିଚାରପତି ଜଷ୍ଟିସ ସାବିତ୍ରୀ ରଥ ହୋଇଛନ୍ତି । ତାଙ୍କ ପୂର୍ବରୁ ଜଷ୍ଟିସ ଅମିୟ କୁମାରୀ ପାଢି ଏବଂ ଜଷ୍ଟିସ୍ ସଞ୍ଜୁ ପଣ୍ଡା ବିଚାପତି ଭାବେ କାର୍ଯ୍ୟରତ ଥିଲେ ।
ରାଜ୍ୟରେ ସଂକ୍ରମିତଙ୍କ ୩୩ଶହ ପାର୍
ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ୨୪ଘଣ୍ଟାରେ ଆଜି ୧୩୬ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛି । ୧୪ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ୧୩୮ । ଏମାନଙ୍କ ମଧ୍ୟରୁ ୧୩୪ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୨ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ କରୋନା ପଜିଟିଭ କେସ୍ ୩୩ଶହ ଟପିଛି । ଏବେ ଯାଏଁ ରାଜ୍ୟରେ ୩୩୮୬ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି ।
COVID-19 REPORT FOR 10th JUNE
New positive cases: 136
In quarantine: 134
Local contacts: 2(Details of local contacts will be shared by concerned District Administration)
District wise Positive Cases
1. Keonjhar: 8
2. Jharsuguda: 4
3. Khordha: 17
4. Dhenkanal: 3
5. Cuttack: 7— I & PR Department, Odisha (@IPR_Odisha) June 11, 2020
ଆଜି ୧୪ଜିଲ୍ଲାରୁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏବଂ ଖୋର୍ଦ୍ଧାରୁ ସର୍ବାଧିକ ୧୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କେଉଁଝରରୁ ୮,ଝାରସୁଗୁଡ଼ାରୁ ୪, ଢେଙ୍କାନାଳରୁ ୩, କଟକରୁ ୭, କେନ୍ଦ୍ରାପଡ଼ା ଓ ସମ୍ବଲପୁରରୁ ଜଣେ ଲେଖାଏଁ , ନୁଆପଡ଼ା ୨, ଗଜପତି ୭, କନ୍ଧମାଳ ୧୫, କଳାହାଣ୍ଡି୨, ଗଞ୍ଜାମ ଏବଂ ପୁରୀ ୩ ଲେଖାଏଁ , ମୟୁରଭଞ୍ଜରୁ ୯ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଓଡ୍ରାଫ, ଏନ୍ଡିଆରଏଫ୍ ଓ ଅଗ୍ନିଶମ ବିଭାଗର ୫୪ଜଣ ସଂକ୍ରମିତ ହୋଇଛନ୍ତି। ସମସ୍ତେ ଅମ୍ଫାନ୍ ମୁକାବିଲା ପରେ ଫେରିଥିଲେ।
ଆଜି ସୁଦ୍ଧା ୩୩୮୬ଟି କରୋନା ସଂକ୍ରମଣ ମାମଲା ରାଜ୍ୟରେ ଚିହ୍ନଟ ହୋଇଛି । ୨୨୮୨ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ କରୋନା ମୃତ୍ୟୁ ସଂଖ୍ୟା ୯ ରହିଛି । ଏବେ ରାଜ୍ୟରେ ୧୦୯୨ ସକ୍ରିୟ ସଂକ୍ରମଣ ମାମଲା ରହିଥିବା ବେଳେ ସେମାନଙ୍କୁ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସା କରାଯାଉଛି ।
ଆଦିବାସୀ ପିଲାଙ୍କ ଶିକ୍ଷା କ୍ଷେତ୍ରରେ ଓଡ଼ିଶାର ସଫଳତା
ଭୁବନେଶ୍ୱର: ଆଦିବାସୀ ପିଲାଙ୍କ ଶିକ୍ଷାକ୍ଷେତ୍ରରେ ଓଡ଼ିଶାର ସଫଳତା । ଦେଶର ପ୍ରଥମ ରାଜ୍ୟ ଭାବେ ISO ସାର୍ଟିଫିକେଟ ହାସଲ କରିଛି । ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ହଷ୍ଟେଲକୁ ସ୍ୱୀକୃତି ମିଳିଛି । ଓଡ଼ିଶାର ୪୪ ଆଦିବାସୀ ହଷ୍ଟେଲକୁ ISO ସାର୍ଟିଫିକେଟ ମିଳିଛି । ମିଶନ ସୁବିଦ୍ୟାରେ ଗୁଣବତ୍ତା ଓ ମାନ ଆଧାରରେ ସ୍ୱୀକୃତି ମିଳିଛି ।
ପ୍ରଥମ ପର୍ଯ୍ୟାୟରେ କେନ୍ଦୁଝର ଓ ସମ୍ବଲପୁରରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଥିବା ସମସ୍ତ ହଷ୍ଟେଲଗୁଡିକୁ ବିଚାରକୁ ନିଆଯାଇଥିଲା । ଏଥିରେ ୬୦ଟି ହଷ୍ଟେଲ ସାମିଲ ଥିବା ବେଳେ ଲକଡାଉନ ପୂର୍ବରୁ ଅଡିଟ ଟିମ୍ ମାତ୍ର ୪୪ଟି ହଷ୍ଟେଲକୁ ଅନୁଧ୍ୟାନ କରିବାରେ ସକ୍ଷମ ହୋଇଥିଲେ । ତେଣୁ ୪୪ଟି ହଷ୍ଟେଲକୁ ISO ସାର୍ଟିଫିକେଟ ମିଳିପାରିଛି । ଲକ୍ଡାଉନ୍ ପୂର୍ବରୁ ଏସବୁ ହଷ୍ଟେଲକୁ ଅଡିଟ୍ ଟିମ୍ ଯାଇ ଅନୁଧ୍ୟାନ କରିଥିବା ବେଳେ ଲକଡାଉନ୍ ପରେ ଅନ୍ୟ ହଷ୍ଟେଲ ଅନୁଧ୍ୟାନ କରିପାରନ୍ତି ଅଡ଼ିଟ୍ ଟିମ ।
୨୦୧୯ରେ ଆରମ୍ଭ ହୋଇଥିବା ଏହି ସୁବିଦ୍ୟା ମିଶନ ଆଦିବାସୀ ହଷ୍ଟେଲର ମୌଳିକ ସେବାର ଗୁଣବତ୍ତା ଉନ୍ନତି କରିବାକୁ ଯୋଜନା ରହିଛି । ଏହି ମିଶନ ମୂଳ ଉଦ୍ଦେଶ୍ୟ ରହିଛି ହଷ୍ଟେଲ ବିଲ୍ଡିଂ, କାର୍ଯ୍ୟକ୍ଷମ ଶୌଚାଳୟ, ନିରାପଦ ପାନୀୟ ଜଳ, ଉପଯୁକ୍ତ ରୋଷେଇ ଘର ଏବଂ ଭୋଜନ, ସୁରକ୍ଷା, ସୁରକ୍ଷା, ସ୍ୱାସ୍ଥ୍ୟ, ସ୍ୱଚ୍ଛତା ଏବଂ ଛାତ୍ରମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା ଭଳି ଗୁଣାତ୍ମକ ଉନ୍ନତି ।
+୩ର ଷଷ୍ଠ ସେମିଷ୍ଟାର ପରୀକ୍ଷା ନେଇ ଆଜି ବସୁଛି ଜରୁରୀ ବୈଠକ
ଭୁବନେଶ୍ୱର: କରୋନା କାଳରେ ସବୁ ସ୍କୁଲ କଲେଜକୁ ବନ୍ଦ କରିଦିଆଯାଇଛି । ଏଭଳି ସ୍ଥିତିରେ ବିଭିନ୍ନ ପିଲାଙ୍କ ପାଠ ପଢାରେ ବିଭିନ୍ ସମସ୍ୟା ମଧ୍ୟ ଦେଖାଦେଇଛି । ଦୀର୍ଘ ୩ମାସ ହେବ କଲେଜ ବନ୍ଦ ଥିବାରୁ ବିଭିନ୍ନ ପରୀକ୍ଷା ଉପରେ ପ୍ରଭାବ ପଡ଼ିଛି । ଏବଂ +୩ ଶେଷ ସେମିଷ୍ଟାର କିଭିଳି ହେବ କିମ୍ବା କିପରି ପିଲାଙ୍କୁ ଉତ୍ତିର୍ଣ୍ଣ କରାଯିବ ସେନେଇ ଚିନ୍ତା ଦେଖା ଦେଇଥିଲା ।
ତେଣୁ ଯୁକ୍ତ ତିନି ଷଷ୍ଠ ସେମିଷ୍ଟାର ପରୀକ୍ଷା ନେଇ ଆଜି ଉଚ୍ଚ ଶିକ୍ଷାମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ବସୁଛି ଜରୁରୀ ବୈଠକ । ଭିଡିଓ କନଫରେନସିଂ ଜରିଆରେ ସବୁ ବିଶ୍ୱବିଦ୍ୟାଳୟ କୁଳପତି, ସମସ୍ତ ସ୍ୱୟଂଶାସିତ ଓ ବେସରକାରୀ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟ ଅଧ୍ୟକ୍ଷମାନଙ୍କ ସହ ଏନେଇ ଆଲୋଚନା କରିବେ । ସକାଳ ୧୧ଟାରୁ ଦିନ ୨ଟା ଯାଏଁ ବୈଠକ ଚାଲିବ ।
ବୈଠକରେ ପରୀକ୍ଷା ଓ ଶିକ୍ଷାୟତନ ନେଇ ଆଲୋଚନା ହେବ। ପୂର୍ବରୁ ବିଭାଗ ପକ୍ଷରୁ ଯ଼ୁକ୍ତ ତିନି ଓ ପିଜିର ଶେଷ ସେମିଷ୍ଟର ପରୀକ୍ଷାକୁ ଛାଡି ଅନ୍ୟ ସେମିଷ୍ଟାର ପରୀକ୍ଷା ନକରିବାକୁ ନିଷ୍ପତ୍ତି ନିଆଯାଇଛି । ଏହାକୁ ନେଇ ଅସନ୍ତୋଷ ଦେଖାଦେଇଛି। ପ୍ରତିବାଦରେ ଛାତ୍ରଛାତ୍ରୀ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଛନ୍ତି ।
ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ଲକ୍ଷେ ଆଡକୁ ମୁହାଁଉଛି
ନୂଆଦିଲ୍ଲୀ: ଦେଶରେ ବଢୁଛି କରୋନା। ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୦ହଜାର ଟପିଛି। ଆକ୍ରାନ୍ତଙ୍କ ମଧ୍ୟରୁ ଏକ ତତୀୟାଂଶ ପଜିଟିଭ ଜୁନ୍ ମାସରେ ଚିହ୍ନଟ କରାଯାଇଛି । ଜୁନ୍ ପହିଲା ପରଠାରୁ ଦେଶରେ ପ୍ରାୟ ୯୦ ହଜାର ନୂଆ ମାମଲା ସାମନାକୁ ଆସିଛି। ମହାରାଷ୍ଟ୍ରରେ ସଂକ୍ରମିତଙ୍କ ସଂଖ୍ୟା ଏକ ଲକ୍ଷ ଆଡକୁ ମୁହାଁଉଛି ।

ଗତକାଲି ୩ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଫଳରେ ରାଜ୍ୟରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୯୪ହଜାର ପାର ହୋଇଛି । ସେହିପରି ମହାରାଷ୍ଟ୍ରରେ ମୃତ୍ୟୁସଂଖ୍ୟା ୩ ହଜାର ୪ଶହ ଟପିଛି। କେବଳ ମୁମ୍ବାଇରେ ସଂକ୍ରମିତଙ୍କ ସଂଖ୍ୟା ୫୨ ହଜାର ଉପରେ ରହିଥିବା ବେଳେ ୧୮ଶହରୁ ଅଧିକ ଜୀବନ ନେଇଛି କରୋନା ।
![]()
ଦିଲ୍ଲୀରେ କରୋନା ସଂକ୍ରମଣ ସ୍ଥିତି ନେଇ ଗୃହମନ୍ତ୍ରୀ ଅମିତ ଶାହାଙ୍କ ସହ ଆଲୋଚନା କରିଛନ୍ତି ଅରବିନ୍ଦ କେଜିରୱାଲ । ଗତ କିଛି ଦିନ ଧରି ଦିଲ୍ଲୀରେ ଦୈନିକ ଏକ ହଜାରରୁ ଅଧିକ ପଜିଟିଭ ଚିହ୍ନଟ ହେଉଛନ୍ତି । ସେହିପରି ଚେନ୍ନାଇରେ ବି ବିଗୁଡୁଛି କରୋନା ସ୍ଥିତି ।
ସୋପିଆଁରେ ଲଗାତାର ତିନି ଥର ଏନକାଉଣ୍ଟର
ସୋପିଆଁ: ଜମ୍ମୁକଶ୍ମୀରରେ ପୁଣି ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ । ଜମ୍ମୁ ବଡ଼ଗାମ ଜିଲ୍ଲା ଆତଙ୍କବାଦୀ ଲୁଚିଥିବା ଖବର ପାଇ ସୁରରକ୍ଷାକର୍ମୀ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ହେଲେ ସେଠାରେ ଆତଙ୍କୀ ସୁରକ୍ଷାକର୍ମୀଙ୍କ ଉପରେ ଗୁଳିଚାଳନା କରିଥିଲେ । ଏବେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଭୟଙ୍କର ଗୁଳିବିନିମୟ ଜାରି ରହିଛି ।

ବୁଧବାର ସୋପିଆଁ ସୁଗୁରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୫ ଆତଙ୍କବାଦୀ ନିହତ ହୋଇଥିଲେ । ୪ଦିନ ଭିତରେ ସୋପିଆଁରେ ତିନି ଥର ଏନକାଉଣ୍ଟର ହୋଇଥିବା ବେଳେ ସୁରକ୍ଷାକର୍ମୀଙ୍କ ଗୁଳିରେ ୧୪ ଆତଙ୍କୀଙ୍କ ମୃତ୍ୟୁ ହେଲାଣି । ସିଆରପିଏଫ୍, ରାଷ୍ଟ୍ରୀୟ ରାଇଫଲ ଓ ଏସଓଜିର ମିଳିତ ଅପରେସନରେ ସୋପିଆଁରେ ସର୍ଚ୍ଚ ଅପରେସନ୍ ହୋଇଥିଲା।
ଡିକିରେ ଚାମ୍ବର କରି ନେଇ ଯାଉଥିଲେ ଟଙ୍କା ବଣ୍ଡଲ
ମହାସମୁନ୍ଦ: କାର୍ ଭିତରୁ ମିଳିଲା ୧କୋଟି ୧୩ ଲକ୍ଷ ଟଙ୍କା । ଡ଼ିକିରେ ଚାମ୍ବର କରି ବଣ୍ଡଲ ବଣ୍ଡଲ ଟଙ୍କା ନେଇ ଯାଉଥିବା ବେଳେ ଧରିଲା ପେଲିସ । ଏହି ଟଙ୍କା ଚାଲାଣ ବେଳେ ପୋଲିସ ଧରିବା ସହ ଟଙ୍କା ସହ ଦୁଇ ଜଣଙ୍କୁ ଗିରଫ କରିଛି ପୋଲିସ ।

ବରଗଡ଼ରୁ ରାୟପୁର ଯାଉଥିବା ବେଳେ ଛତିଶଗଡ଼ ପୋଲିସ ଏହି କାର ଜବତ କରିଛି । ଟଙ୍କା ଚାଲାଣ ଅଭିଯୋଗରେ ୨ଜଣଙ୍କୁ ଗିରଫ କରାଯାଇଛି । ଗିରଫ ଯୁବକ ହେଲେ ସୁନା ଓ ରୂପା ବ୍ୟବସାୟୀ ପ୍ରତୀକ ଛାବରିଆ ଓ ତାର ଡ୍ରାଇଭର ସୁରୋନ୍ଦ୍ର ସୋନା । ଡିକିରେ ଚାମ୍ବର କରି ହଜାରେ, ୫ଶହ ଓ ୨ହଜାର ଟଙ୍କିଆ ନୋଟ୍ ବଣ୍ଡଲ ଭର୍ତ୍ତି କରାଯାଇଥିଲା ।

ଛତିଶଗଡ଼ ମହାସମୁନ୍ଦ ଜିଲ୍ଲାରେ ପୋଲିସ ଗାଡ଼ି ଯାଞ୍ଚ ବେଳେ କୋଟିଏ ୧୨ଲକ୍ଷ ୯୯ହଜାର ଟଙ୍କା ଜବତ ହୋଇଛି । ଏନେଇ ସାମ୍ବାଦିକ ସମ୍ମିଳନୀ କରି ମହାସମୁନ୍ଦ ଏସପି ପ୍ରଫୁଲ୍ଲ ଠାକୁର ସୂଚନା ଦେଇଛନ୍ତି।
କାର୍ ଭିତରୁ ମିଳିଲା ୧ କୋଟି ୧୩ ଲକ୍ଷ ଟଙ୍କା… ବରଗଡ଼ରୁ ରାୟପୁର ଯାଉଥିବା ବେଳେ ଛତିଶଗଡ଼ ପୋଲିସ ଏହି କାର ଜବତ କରିଛି
କାର୍ ଭିତରୁ ମିଳିଲା ୧ କୋଟି ୧୩ ଲକ୍ଷ ଟଙ୍କା… ବରଗଡ଼ରୁ ରାୟପୁର ଯାଉଥିବା ବେଳେ ଛତିଶଗଡ଼ ପୋଲିସ ଏହି କାର ଜବତ କରିଛି

