spot_img
Home Blog Page 6873

ଫେସବୁକରେ ଗୋଟିଏ କ୍ଲିକ୍, ଖାଲି କରିଦେବ ଆକାଉଣ୍ଟ !

ଭୁବନେଶ୍ୱର: ଦୁନିଆର ସବୁଠୁ ବଡ଼ ଲୋକପ୍ରିୟ ସୋସିଆଲ୍ ମିଡିଆ ଆପ୍ ଫେସବୁକ୍ । ଆମ ନିତିଦିନିଆ ଜୀବନର ଅଭିନ୍ନ ଅଙ୍ଗ । ସଞ୍ଜ ହେଉ କି ସକାଳ, ଟିକିଏ ଫୁରସତ୍ ମିଳିଲେ ହାତ ଚାଲିଯାଏ ଫେସବୁକକୁ । ମନ ଜିଣୁଥିବା ମୁହଁବହି(ଫେସବୁକ୍) ଏବେ ସାଜିଛି ବିପଦ । ଫେସବୁକରେ ଆସୁଥିବା ବିଭିନ୍ନ ମନୋଲୋଭା ବିଜ୍ଞାପନ ଆପଣଙ୍କ ପକେଟ୍ ଖାଲି କରିଦେବ । ତେବେ, ସବୁ ବିଜ୍ଞାପନ ଏଭଳି ନୁହେଁ । କେତକ ବିଜ୍ଞାପନରେ କ୍ଲିକ୍ କରିବା ଆପଣଙ୍କୁ ମହଙ୍ଗା ପଡ଼ିପାରେ । ଯେମିତି କି ଫେସବୁକ ଆଡରେ ଦାମୀ ମୋବାଇଲ୍ ବହୁତ ଶସ୍ତାରେ ମିଳିବା । ଏଭଳି ଲିଙ୍କରେ କ୍ଲିକ୍ କରିବା ମାନେ ଆକାଉଣ୍ଟ ଖାଲି ହେବା ।

ଅନେକ ସମୟରେ ଫେସବୁକରେ ଫ୍ଲିପକାର୍ଟ ଭଳି ଲୋକପ୍ରିୟ ଇ-କମର୍ସ ୱେବସାଇଟ ନାଁରେ ଠକ ଲୋକଙ୍କ ଭରସା ଜିତିବାକୁ ନକଲି ଲିଙ୍କ୍ ଦିଅନ୍ତି । ବିଜ୍ଞାପନରେ ଲକ୍ଷେ ଟଙ୍କିଆ ଆଇଫୋନର ଦାମ ମାତ୍ର ୪ ହଜାର ୯୯୯ ଟଙ୍କା ଲେଖା ଯାଇଥାଏ । ଲୋକଙ୍କ ଭରସା ଜିତିବାକୁ ଠକ ଫ୍ଲିପକାର୍ଟ ଲୋଗୋ ବ୍ୟବହାର କରିଥାନ୍ତି । ଆମେ ଅଜାଣତରେ ତାହାକୁ ଫ୍ଲିପକାର୍ଟର ଲିଙ୍କ ଭାବି କ୍ଲିକ୍ କରିଦେଉ ।

ଦାମୀ ଜିନିଷ ଶସ୍ତା ବା ବଡ଼ ରିହାତି ଅଥବା ୯୦ ପ୍ରତିଶତ ଡିସକାଉଣ୍ଟରେ ମିଳିବାର ଦାବି କରାଯାଏ । ଏ ଲିଙ୍କ୍ କ୍ଲିକ୍ କରିବା ପରେ ନକଲି ଫ୍ଲିପକାର୍ଟ ୱେବ୍ ପେଜ୍ ଖୋଲିଥାଏ । ଏବଂ ଆପଣଙ୍କୁ କମ୍ ଦାମରେ ବିଭିନ୍ନ ନାମୀଦାମୀ କମ୍ପାନୀର ପଡକ୍ଟ ନଜର ଆସେ ।

ସାଧାରଣତଃ ଏହି ବିଜ୍ଞାପନ ଦେଖିବାକୁ ତ ଅସଲି ଲାଗେ । ଆଉ ଗୋଟିଏ କ୍ଲିକରେ ଠକ ନେଇଯାଏ ଆକାଉଣ୍ଟରୁ ଟଙ୍କା । ଏଭଳି ଠକେଇରୁ ବର୍ତ୍ତିବା ପାଇଁ ଆପଣ କ୍ଲିକ୍ କରୁଥିବା ୱେବସାଇଟ ଲିଙ୍କକୁ ପରଖନ୍ତୁ । କାରଣ ଠକ ଅସଲି ଲୋଗୋ ବ୍ୟବହାର କରି ନକଲି ଲିଙ୍କ୍ ଦେଇଥାଏ । ଏପରିକି ଲିଙ୍କରେ ସ୍ପେଲିଂ ଅଲଗା ଥାଏ । ଏଥିରୁ ଆପଣ ଜାଣିପାରିବେ ଏହା ନକଲି ୱେବସାଇଟ୍ ।

ସେଲ୍ଫି ପାଇଁ ଚୁଲିକୁ ଗଲା ସାମାଜିକ ଦୂରତା

ଭୁବନେଶ୍ୱର: କରୋନା ଯୁଦ୍ଧ । ସମସ୍ତେ ସୈନିକ, ସମସ୍ତଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି । ଟିକିଏ ଭୁଲ୍ ହେଲେ ଗୋଷ୍ଠୀ ସଂକ୍ରମଣ । ଦିନ ବଢିବା ସହ ଅଧିକ ସତର୍କ ହେବାକୁ ପରାମର୍ଶ ଦିଆଯାଉଛି । ଶୀର୍ଷ ରାଜନେତା ଏବଂ ପ୍ରଶାସନ ନିୟମିତ ବ୍ୟବଧାନରେ ଏ ନେଇ ସାଧାରଣ ଜନତାଙ୍କୁ ସଚେତନ କରୁଛନ୍ତି । ହେଲେ ବାଡ଼ ଫସଲ ଖାଇବା ନ୍ୟାୟରେ ଯଦି ଜନ ପ୍ରତିନିଧି ସାମାଜିକ ଦୂରତା ନିୟମକୁ ଫୁ କରିବେ, ତେବେ କାହାକୁ କହିବା ।

ଏପରି ଏକ ଘଟଣା ଦେଖିବାକୁ ମିଳିଛି ରାଜଧାନୀରେ । ବର୍ଷେ ହେବ ସାଧାରଣ ନିର୍ବାଚନ ସରିଯାଇଛି । ଆଗକୁ ସେମିତି ରାଜନୈତିକ ପ୍ରତିଯୋଗିତା ନାହିଁ । ହେଲେ ସବୁ ସମୟରେ ରାଜନୀତିମନସ୍କ ନେତାଙ୍କୁ କିଏ ବୁଝେଇବ । ସାମାଜିକ ଦୂରତା ନିୟମକୁ ଆଖିବୁଜି ଦେଲେ ଭୁବନେଶ୍ୱର ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଦିଲ୍ଲୀ ସଭାପତିରୁ ମନୋଜ ତିୱାରୀ ବିଦା ହେବା ପରେ ଯେତିକି ଚର୍ଚ୍ଚା ହୋଇ ନ ଥିଲା, ଭୁବନେଶ୍ୱର ବିଜେପି ଗୋଷ୍ଠୀ କନ୍ଦଳ ସେତିକି ଚର୍ଚ୍ଚାର କାରଣ ପାଲଟିଗଲା । ୧୨ ଘଣ୍ଟାର ଡ୍ରାମା ପରେ ଦଳ ଛାଡିଥିବା ଜଗନ୍ନାଥ ପ୍ରଧାନ ପଦ୍ମ ପୋଖରୀକୁ ଫେରି ଆସିଲେ । ଆଉ ସେ ଫେରି ଆସିବା ପରେ କରୋନାକୁ ଯେମିତି ସାଂସଦ ମହାଶୟା ଏବଂ ତାଙ୍କ ସହଯୋଗୀ ସମ୍ପୂର୍ଣ୍ଣ ପାସୋରି ଦେଲେ ।  ଫଟୋ ଉଠାଇ ସେଲଫି ଛାଡିବା, ଫେସବୁକ୍ ରେ ପୋଷ୍ଟ କରି ଦଳ ଏକାଠି ଅଛି ବୋଲି ଦେଖାଇବାକୁ ଉଚିତ୍ ମଣିଲେ । ତେଣୁ ସାମାଜିକ ଦୂରତା ଛାଡ, ସାମାନ୍ୟ ଦୂରତା ରଖିବାକୁ ଉଚିତ ମନେ କଲେ ନାହିଁ । ସାଂସଦ ଅପରାଜିତା  ଷଡଙ୍ଗୀ ଏବଂ ବିଜେପିର ଅନ୍ୟ କେତେକ ନେତାଙ୍କ ବୁଧବାର ଭାଇରାଲ ହୋଇଥିବା ଏହି ଫଟୋ ଚର୍ଚ୍ଚାର କାରଣ ହୋଇଛି ।

ଏହି ଫଟୋକୁ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । ଦୀର୍ଘଦିନର ପ୍ରଶାସନିକ ଅଭିଜ୍ଞତା ରଖିଥିବା ଜଣେ ନେତ୍ରୀ କିପରି ଏହି ବିଶ୍ୱ ମହାମାରୀ ସମୟରେ ଏ ସବୁ ଭୁଲି ଗଲେ । ଏହା ଦ୍ୱାରା ସେ ପ୍ରତିନିଧି କରୁଥିବା ଜନସାଧାରଣଙ୍କର ଅପକାର ହିଁ କରୁଛନ୍ତି, ଏ କଥା କ’ଣ ତାଙ୍କୁ ବୁଝାଇବାକୁ ପଡ଼ିବ । ସେ ନିଜେ ବିଭିନ୍ନ ପ୍ରଶାସନିକ ଦାୟିତ୍ୱରେ ଥିବା ବେଳେ ନିଜ ଅଧସ୍ତନଙ୍କ ଉପରେ ଯେପରି କଠୋର ହେଉଥିଲେ, ତାଙ୍କର ଏହି ଭୁଲ୍ ପାଇଁ ପ୍ରଶାସନ କଠୋର ହେଲେ ମହାଶୟା ଗ୍ରହଣ କରିପାରିବେ ତ ବୋଲି ଅନେକେ ପ୍ରଶ୍ନ କରିଛନ୍ତି ?

ବଢ଼ୁଛି ଗୋଷ୍ଠୀ କନ୍ଦଳ, ବିଜେପି ଛାଡ଼ିଲେ ଜଗନ୍ନାଥ ପ୍ରଧାନ…

ମମତା ଏମିତି, ୫ ବର୍ଷର ଛୁଆକୁ ତଣ୍ଟିଚିପି ମାରିଦେଲା…

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ୫ ବର୍ଷର ଛୁଆର ତଣ୍ଟିଚିପି ହତ୍ୟା । ପଡ଼ୋଶୀ ମହିଳାଙ୍କ ଏହି କାଣ୍ଡ ପରେ ଖେଳିଯାଇଛି ଆତଙ୍କ । ଏ ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି ଖଣ୍ଡଗିରି ଥାନା କୋଳଥିଆ ରାଜୀବ ନଗରରେ । ଶିଶୁକୁ ହତ୍ୟା ପରେ ମହିଳା ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ପୋଲିସ ସୂଚନା ଅନୁସାରେ, ଶିଶୁଟି ପ୍ରତିଦିନ ପଡ଼ିଶା ଘରକୁ ଖେଳିବାକୁ ଯାଇଥାଏ । ପ୍ରତିଦିନ ଭଳି ଆଜି ବି ଖେଳିବାକୁ ଯାଇଥିବା ବେଳେ ମହିଳା ଜଣଙ୍କ ତଣ୍ଟିଚିପି ହତ୍ୟା କରିଥିଲେ । ତା’ପରେ ନିଜେ ଫାଶୀ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ମହିଳା ଜଣଙ୍କ ଚିକିତ୍ସା ଚାଲିଛି । ସେ ସୁସ୍ଥ ହେବା ପରେ ହତ୍ୟାକାଣ୍ଡ ପଛର କାରଣ ଜଣାପଡ଼ିବ । ପୋଲିସ ଉଭୟ ପରିବାର ଲୋକଙ୍କୁ ପଚରାଉଚରା କରୁଛି ।

ଦିନକ ପରେ ସ୍ନାନଯାତ୍ରା, ସୀମିତ ସେବାୟତରେ ସମ୍ପନ୍ନ ହେବ ଅଲାରନାଥଙ୍କ ନୀତି

ପୁରୀ: ଦିନକ ପରେ ସ୍ନାନଯାତ୍ରା । ଏଥିପାଇଁ ଆଜି ଦଇତାପତି ସେବାୟତମାନେ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି । ଆଜି ଶ୍ରୀଜିଉଙ୍କ ଶ୍ରୀଅଙ୍ଗରେ ବାହୁଟ କଣ୍ଟ ଓ ଆସନ୍ତାକାଲି ସେନାପଟା ଲାଗି କରାଯିବ । ବିନାଭକ୍ତରେ ସ୍ନାନଯାତ୍ରା ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ପ୍ରସ୍ତୁତି ଜୋର୍‌ସୋର୍‌ରେ ଚାଲିଛି । ସେପଟେ ବ୍ରହ୍ମଗିରିରେ ଅଲାରନାଥଙ୍କ ସ୍ୱତନ୍ତ୍ର ନୀତି ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି । ତେବେ କେବଳ ନୀତି ହେବ, ସାଧାରଣ ଦର୍ଶନ ହେବନାହିଁ ।

ଗୁରୁବାର ରାତି ଗୋଟାଏରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ଆରମ୍ଭ ହେବ । ଶ୍ରୀଜିଉମାନେ ସ୍ନାନବେଦୀକୁ ବିଜେ କରିବେ । ଏଥିପାଇଁ ଦଇତାପତି ସେବାୟତମାନେ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଗୁପ୍ତସେବା ଆରମ୍ଭ କରିଛନ୍ତି । ଆଜି ଶ୍ରୀଅଙ୍ଗରେ ବାହୁଟ କଣ୍ଟ ଲାଗି କରାଯାଉଥିବା ବେଳେ କାଲି ସେନାପଟା ଲାଗି ହେବ । ସୀମିତ ସେବାୟତ ଓ ବିନାଭକ୍ତରେ ନୀତି ସମ୍ପନ୍ନ ପାଇଁ ପ୍ରସ୍ତୁତି କରାଯାଇଛି ।

ସେପଟେ ବ୍ରହ୍ମଗିରିରେ ଅଲାରନାଥ ଦେବଙ୍କ ଅଣସର ନୀତି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି । କୋଭିଡ୍‌ କଟକଣା ପାଳନ କରି ଠାକୁରଙ୍କ ସ୍ୱତନ୍ତ୍ର ସମ୍ପନ୍ନ ପାଇଁ ବୈଠକରେ କରାଯାଇଛି ସ୍ୱତନ୍ତ୍ର ପ୍ରସ୍ତୁତି । ୧୪ ଦିନ ଧରି ଅଲାରନାଥଙ୍କର କେବଳ ସ୍ୱତନ୍ତ୍ର ନୀତି କରାଯିବ । ସୀମିତ ସେବାୟତ ନିୟୋଜିତ ହେବେ । କରୋନା କଟକଣା ଯୋଗୁଁ ଦର୍ଶନ ପାଇଁ ଭକ୍ତମାନଙ୍କୁ ସୁଯୋଗ ମିଳିବ ନାହିଁ । ଶୃଙ୍ଖଳିତ ଭାବେ ନୀତି ସମ୍ପନ୍ନ ହେବ ବୋଲି ସେବାୟତ ଓ ପ୍ରଶାସନ ଆଶାବାଦୀ ଅଛନ୍ତି ।

ସେହି ବ୍ୟକ୍ତି ଯିଏ ଗୁମ୍ଫାରେ ରହୁଥିଲେ,ଏବେ ତାଙ୍କ ପାଇଁ ଦୁନିଆ ଲକଡାଉନ୍ ଭିତରେ ଜିଇଁବାକୁ ବାଧ୍ୟ…

ସି ଜିନ୍ ପିଙ୍ଗ୍ । ଚୀନର ରାଷ୍ଟ୍ରପତି । ପିପୁଲ’ସ ଲିବରେସନ୍ ଆର୍ମିର ସୁପ୍ରିମ କମାଣ୍ଡର । ଆଉ ଏବେ ଦୁନିଆର ଖଳନାୟକ । କରୋନାକୁ ଦୁନିଆ ନଜରରୁ ଲୁଚାଇ ରଖିଥିବା ବ୍ୟକ୍ତି । ଦୁନିଆଠାରୁ ସତକୁ ଲୁଚାଇ ରଖି ମହାମାରୀ ଆତଙ୍କ ଭିତରକୁ ୭ଶହ କୋଟି ଲୋକଙ୍କୁ ଠେଲି ଦେଇଥିବା ବ୍ୟକ୍ତି ହେଉଛନ୍ତି ସି ଜିନ୍ ପିଙ୍ଗ । ସେଇ ବ୍ୟକ୍ତି ଯିଏ ଏବେ ଭାରତୀୟ ସୀମାରେ ନିଜ ମଶଲ ପାୱାର ଦେଖାଉଛନ୍ତି । ଆମେରିକାକୁ ଆଖି ଦେଖାଉଛନ୍ତି । ପଡୋଶୀଙ୍କୁ ଡରାଇ ରଖିବା ପାଇଁ ଉଦ୍ୟମ କରୁଛନ୍ତି । ପୂରା ଦୁନିଆ ଯେତେବେଳେ ଉହାନରୁ ବାହାରିଥିବା ଚାଇନିଜ୍ ଭାଇରସ ପାଇଁ ତାଙ୍କ ଆଡକୁ ଆଙ୍ଗୁଳି ଉଠାଉଛି ସେତେବେଳେ ସି ଜିନ୍ ପିଙ୍ଗ୍ ହଂକଂ, ତାଇୱାନ ଓ ଲଦାଖରେ ଶକ୍ତି ପ୍ରଦର୍ଶନ କରି ଦେଶ ଭିତର ଓ ବାହାରର ଦୃଷ୍ଟି କରୋନାଠାରୁ ହଟାଇବା ପାଇଁ ଉଦ୍ୟମ କରୁଛନ୍ତି । ତେବେ ଏଇଠି ଅନେକଙ୍କ ମନରେ ପ୍ରଶ୍ନ ଉଠୁଥିବ ସି ଜିନ୍ ପିଙ୍ଗ୍ କିଏ ? କେଉଁଠୁ ଆସିଲେ ? ଓ କେମିତି ସେ ଚୀନର ସର୍ବେସର୍ବା ହୋଇଗଲେ ? ଆସନ୍ତୁ ସେ ସବୁ ପ୍ରଶ୍ନର ଉତ୍ତର ଖୋଜିବା ଇତିହାସ ପୃଷ୍ଠାରୁ ।

ଚାଷରୁ ଜୀବନ ଆରମ୍ଭ

୫ ଦଶକ ତଳେ ଚୀନରେ ଚାଲିଥିଲା ସାଂସ୍କୃତିକ ବିପ୍ଲବର ପର୍ବ । କମ୍ୟୁନିଷ୍ଟ ଚୀନର ପ୍ରତିଷ୍ଠାତା ମାଓ ଦଳ ଭିତରୁ ନିଜ ବିରୋଧୀଙ୍କୁ ସବୁଦିନ ପାଇଁ ହଟାଇବାକୁ ଆରମ୍ଭ କରିଥିଲେ ଏହି ନାଟକ । ସବୁ ପୁରୁଣା ପରମ୍ପରାକୁ ବୁର୍ଜୟା ଚିନ୍ତାଧାରା ଆଖ୍ୟା ଦେଇ ସେ ଆରମ୍ଭ କରିଥିଲେ ଆତଙ୍କରାଜ । ଦଳ ଭିତରେ ଯେଉଁମାନଙ୍କୁ ସେ ପସନ୍ଦ କରୁନଥିଲେ, ସେମାନଙ୍କୁ ବୁର୍ଜୟା କହି ହତ୍ୟା କରାଯାଉଥିଲା କିମ୍ବା ଲେବର କ୍ୟାମ୍ପକୁ ପଠାଇ ଦିଆଯାଉଥିଲା । ସେହି ସମୟରେ ଜଣେ ୧୫ ବର୍ଷୀୟ ପିଲାର ବାପାଙ୍କୁ ମଧ୍ୟ ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ନିର୍ଯାତନା ଦିଆଯାଇଥିଲା । ସେହି ପିଲା ନିଜ ବିଲରେ କାମ କରି ଆଗକୁ ବଢିଥିଲା । ଯିଏ ପରବର୍ତ୍ତୀ କାଳରେ ସି ଜିନ୍ ପିଙ୍ଗ୍ ଭାବେ ପରିଚିତ ହୋଇଥିଲେ ।

ସି ଜିନପିଙ୍ଗଙ୍କ ଗାଁ ଥିଲା ଚୀନ ଗୃହଯୁଦ୍ଧ କାଳରେ କମ୍ୟୁନିଷ୍ଟଙ୍କ ଗଡ । ଚୀନ୍ ଏବେ ସୁପରପାୱାର ହେବାକୁ ଉଦ୍ୟମ କରୁଛି । ଚୀନ, ବିଶ୍ୱ ଜିଓ ପଲିଟିକ୍ସରେ ଆମେରିକାକୁ ଟକ୍କର ଦେବାକୁ ଉଦ୍ୟମ କରୁଛି । କିନ୍ତୁ ସି ଜିନ୍ ପିଙ୍ଗଙ୍କ ଗାଁ  ୫୦ ବର୍ଷ ତଳେ ଯେମିତି ଥିଲା ଏବେ ମଧ୍ୟ ସେମିତି ଅଛି ।  କାରଣ ହେଉଛି ଏହା କମ୍ୟୁନିଷ୍ଟଙ୍କ ତୀର୍ଥକ୍ଷେତ୍ର । ସେମାନେ ତାଙ୍କ ଗାଁକୁ ଗୋଟିଏ ଜୀବନ୍ତ ମ୍ୟୁଜିୟମରେ ପରିଣତ କରିଛନ୍ତି ।

ସାଧାରଣ ଜୀବନରେ ଜବରଦସ୍ତ ଅଭିନୟ

ସି ଜିନ୍ ପିଙ୍ଗଙ୍କ ବିରୋଧୀ କୁହନ୍ତି ସେ ରାଜନୀତିରେ ଜଣେ ଅଭିନେତା । ସେ ସାଧାରଣ ଲୋକଙ୍କ ସହ ଥିବାର ଅଭିନୟ କରିପାରନ୍ତି କିନ୍ତୁ ପ୍ରକୃତରେ ସେ କ୍ଷମତାଲୋଭୀ । ମାଓଙ୍କ ଅତ୍ୟାଚାରର ଶିକାର ହୋଇଥିବା ସି ଜିନ୍ ପିଙ୍ଗ୍ କେବେ ମଧ୍ୟ ତାଙ୍କ ଅସନ୍ତୋଷକୁ ଜାହିର ହେବାକୁ ଦେଇନଥିଲେ । ୧୯୬୮ରେ ମାଓ ଚୀନର ଯୁବାବର୍ଗଙ୍କୁ କହିଥିଲେ ଗାଁ’କୁ ଚାଲ । ଜିନ୍ ପିଙ୍ଗ୍ ମଧ୍ୟ ଗାଁକୁ ଯାଇଥିଲେ । ସେତେବେଳେ ସେ ମାଓଙ୍କ ରେଡ୍ ବୁକ୍ ପଢୁଥିଲେ । ମାଓ ତାଙ୍କ ଆଦର୍ଶ ଥିଲେ ବୋଲି ଦେଖାଇ ହେଉଥିଲେ ।

ମାଓଙ୍କ ଅତ୍ୟାଚାର କରିଥିଲା ଶକ୍ତ

୬୦ ଦଶକର ଅନ୍ତିମ ଭାଗରେ ମାଓ ପାଗଳାମି କରୁଥିଲେ । ଦଳରେ ନିଜର ଆଧିପତ୍ୟ ପ୍ରତିଷ୍ଠା ପାଇଁ ସେ ସମ୍ଭାବ୍ୟ ଶତ୍ରୁଙ୍କୁ ନିପାତ ନୀତି ଆପଣାଇଥିଲେ । ଖୋଦ ସି ଜିନପିଙ୍ଗଙ୍କ ପିତାଙ୍କୁ ଦଳ ବିରୋଧୀ କାମ ପାଇଁ ଜେଲ ପଠାଇ ଦିଆଯାଇଥିଲା । ଏହି ସମୟରେ ତାଙ୍କର ଜଣେ ଭଉଣୀଙ୍କର ମୃତ୍ୟୁ ହୋଇଥିଲା । ନିଜେ ସି ଜିନ୍ ପିଙ୍ଗ ରେଡ୍ ଗାର୍ଡଙ୍କ ଭୟରେ ଲୁଚିକି ବୁଲୁଥିଲେ । ତେବେ ଏହି ଆତଙ୍କ ଓ ଅତ୍ୟାଚାର ତାଙ୍କୁ ଅଧିକ ଶକ୍ତ କରିଥିଲା । ମାଓଙ୍କ ଅତ୍ୟାଚାରର ଶିକାର ହୋଇଥିଲେ ମଧ୍ୟ ଜିନପିଙ୍ଗ୍ କେବେ ମଧ୍ୟ ଖୋଲାଖୋଲି ମାଓ କିମ୍ବା ଦଳୀୟ ନୀତିକୁ ବିରୋଧ କରିନଥିଲେ । କାରଣ ସେ ଜାଣିଥିଲେ କ୍ଷମତା ପାଇଁ ଅଭିନୟ ଜରୁରୀ ।

ଗୁମ୍ଫାରେ ରହୁଥିଲେ, ଡିବି ଆଲୁଅରେ ପଢୁଥିଲେ

୬୦ ଦଶକ ଚୀନରେ ଗାଁକୁ ବିଜୁଳି ଯାଇନଥିଲା । ସିଙ୍କର ନିଜର ଘର ନଥିଲା । ଅନେକ ଚୀନ ନାଗରିକଙ୍କ ଭଳି ସେ ଗୁମ୍ଫାରେ ନିଜ ପରିବାର ସହ ରହୁଥିଲେ । ଡିବି ଆଲୁଅରେ ପାଠ ପଢୁଥିଲେ । କିନ୍ତୁ ଏହି ସମୟରେ ସେ ବନ୍ଧ ମରାମତିଠାରୁ ରାସ୍ତା ତିଆରି କାମ ଶିଖି ଥିଲେ । ଯେଉଁ ଗୁମ୍ଫାରେ ସେ ରହୁଥିଲେ ସେହି ଗୁମ୍ଫାରେ ତାଙ୍କ ସହିତ ଅନ୍ୟ ତିନିଜଣ ରହୁଥିଲେ । ଗୁମ୍ଫା ଭିତରେ ବିଛଣା ନଥିଲା । ଇଟା ଉପରେ ତାଙ୍କୁ ଶୋଇବାକୁ ପଡୁଥିଲା ।

ରାଷ୍ଟ୍ରପତି ଜିନ୍ ପିଙ୍ଗ୍

୨୦୧୨ ଆସୁ ଆସୁ ସି ଜିନ୍ ପିଙ୍ଗ୍ ଚୀନର ରାଷ୍ଟ୍ରପତି ହୋଇସାରିଥିଲେ । ଏହା ସହ ଦଳ ମୁଖ୍ୟ ଓ ସେନାର ସୁପ୍ରିମ କମାଣ୍ଡର । ରାଷ୍ଟ୍ରପତି ହେବା ସହ ଚୀନରେ ନିଜ ନୀତିକୁ ଲାଗୁ କରିବା ଆରମ୍ଭ କରିଥିଲେ ଜିନ୍ ପିଙ୍ଗ୍ । ଅନେକ ଆଇନରେ ପରିବର୍ତ୍ତନ ଆସିଥିଲା ଓ ଆଇନକୁ କଠୋରତାର ସହ ଲାଗୁ କରାଯାଇଥିଲା । ଖର୍ଚ୍ଚକାଟ ପାଇଁ ସେ ରାଜକୀୟ ଭୋଜି ଉପରେ ପ୍ରତିବନ୍ଧକ ଲାଗୁ କରିଥିଲେ । ସି ଜିନପିଙ୍ଗ୍ ଦୁଇଥର ବିବାହ କରିଛନ୍ତି । ଜଣେ କମ୍ୟୁନିଷ୍ଟ ପାର୍ଟି ନେତାଙ୍କ ଝିଅ ସହିତ ତାଙ୍କ ପ୍ରଥମ ବିବାହ ବିଫଳ ହୋଇଥିଲା । ଏହାପରେ ସେ ଚୀନର ଜଣେ ପ୍ରସିଦ୍ଧ ଗାୟିକାଙ୍କୁ ବିବାହ କରିଥିଲେ ।

ରାଷ୍ଟ୍ରପତି ହେବା ପରେ ଜିନ୍ ପିଙ୍ଗ୍ ଦଳର ବାକି ନେତାଙ୍କୁ ନିଜ ନିୟନ୍ତ୍ରଣରେ ରଖିବାକୁ ଉଦ୍ୟମ କରିଥିଲେ । କେଉଁ ନେତାଙ୍କ ଅଫିସ ସାଇଜ୍ କେତେ ହେବ, ସରକାରୀ ଭୋଜନରେ କେଉଁ ନେତାଙ୍କୁ କେଉଁ ପ୍ରକାର ଓ କେତେ ସଂଖ୍ୟାରେ ବାସନରେ ଖାଦ୍ୟ ପରିବେଷଣ କରାଯିବ ସେ ନେଇ ମଧ୍ୟ ଜିନ୍ ପିଙ୍ଗ୍ ନିୟମ ତିଆରି କରିଛନ୍ତି ।

କରୋନା ଓ ଜିନ୍ ପିଙ୍ଗ୍

କରୋନା ବିରୋଧରେ ଯୁଦ୍ଧ ଲଢୁଛି ବିଶ୍ୱ । ଚୀନର ଉହାନରୁ ଜନ୍ମ ନେଇଥିବା କରୋନା ପାଇଁ ଦୁନିଆ ଲକଡାଉନ୍ ଭିତରେ ରହିଛି । ଆମେରିକାଠାରୁ ଭାରତ ସବୁ ଦେଶ ଆର୍ଥିକ ସଂକଟ ଦେଇ ଗତି କରୁଛନ୍ତି । କିନ୍ତୁ ଚୀନ ଏହା ଭିତରେ ମନି ବ୍ୟାଗ୍ ନେଇ ସପିଂରେ ବାହାରିଛି । ବିଶ୍ୱ ବଜାରର ମାନ୍ଦାବସ୍ଥା ଭିତରେ ଦୁର୍ବଳ ହୋଇପଡିଥିବା କଂପାନୀଙ୍କୁ ଶସ୍ତାରେ ଚୀନ୍ କଂପାନୀ ମାନେ ଟେକ୍ ଓଭର କରୁଛନ୍ତି । କୁହାଯାଉଛି ଯେ, ଏସବୁ ଚୀନର ଚାଲ । ଚୀନ୍ ଦୁନିଆର ସବୁ ଦେଶର ଅର୍ଥନୀତିକୁ ଡୁବାଇ ନିଜେ ସୁପର ପାୱାର ହେବାକୁ ଉଦ୍ୟମ କରୁଛି । କରୋନାକୁ ଟ୍ରମ୍ପ ଚୀନ୍ ଭାଇରସ୍ କହୁଛନ୍ତି । ଜିନ୍ ପିଙ୍ଗ୍ ଏହି ଅସ୍ଥିରତା ଭିତରୁ ଲାଭ ଉଠାଇବାକୁ ଉଦ୍ୟମ କରୁଛନ୍ତି ।

ଚୀନର ଏହି କରୋନା ଚାଲକୁ ଦୁନିଆ ବୁଝିସାରିଲାଣି । କାରଣ ଜିନ୍ ପିଙ୍ଗ୍ ଜଣେ ଜବରଦସ୍ତ ଅଭିନେତା । ଏମିତି ଅଭିନେତା ଯିଏ ପିତାଙ୍କ ପତନ ପାଇଁ ଦାୟୀ ମାଓଙ୍କୁ ମଧ୍ୟ କେବେ ଜୀବନରେ ବିରୋଧ କରିନଥିଲେ । ଚୁପଚାପ ବସିଥିଲେ ସୁଯୋଗ ଅପେକ୍ଷାରେ । ଥରେ ସୁଯୋଗ ପାଇବା ପରେ ନିଜ ବିରୋଧୀଙ୍କୁ ହଟାଇ ପାଲଟିଯାଇଥିଲେ ଚୀନ କମ୍ୟୁନିଷ୍ଟ ପାର୍ଟିର ସର୍ବେସର୍ବା । ଏମିତିରେ ଜିନ୍ ପିଙ୍ଗ୍ ଆଗାମୀ ଦିନରେ କଣ କରୁଛନ୍ତି ତାହା ଉପରେ ପୂରା ଦୁନିଆର ନଜର ରହିବ ।

ପର ରାଇଜରୁ ଘରକୁ ଫେରିଲେ ପ୍ରବାସୀ, ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲେ କୃତଜ୍ଞତା

ଭୁବନେଶ୍ୱର: ଉତ୍ତରପୂର୍ବରୁ ଓଡ଼ିଶା ଫେରିଲେ ପ୍ରବାସୀ ଓଡ଼ିଆ । ଦୁଇଟି ବିମାନରେ ସେମାନଙ୍କୁ ଅଣାଯାଇଛି । ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତଙ୍କୁ ନିଜ ନିଜ ଘରକୁ ପଠାଇବା ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ପାଖାପାଖି ୩୦୦ ଜଣ ବିମାନରେ ଓଡ଼ିଶା ଫେରୁଥିବା ବେଳେ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ପ୍ରଶଂସା କରିଛନ୍ତି ।

ତ୍ରିପୁରା, ମଣିପୁର, ନାଗାଲାଣ୍ଡ, ଆସାମ ଏବଂ ମେଘାଳୟରେ ଫସିରହିଥିବା ପ୍ରବାସୀ ଓଡ଼ିଆ, ରାଜ୍ୟ ସରକାରଙ୍କ ଉଦ୍ୟମରେ ଓଡ଼ିଶା ଫେରୁଛନ୍ତି । ଆଜି ଗୋଟିଏ ଦିନରେ ଦୁଇଟି ସ୍ୱତନ୍ତ୍ର ବିମାନରେ ଫେରିଛନ୍ତି ପ୍ରବାସୀ । ପ୍ରଥମ ବିମାନରେ ମଣିପୁରରୁ ମୋଟ ୧୩୮ ଜଣ ପ୍ରବାସୀ ଆସିଥିବା ବେଳେ ଦ୍ୱିତୀୟ ବିମାନରେ ତ୍ରିପୁରାରୁ ୨୯ ଜଣ ଛାତ୍ରଛାତ୍ରୀ ଓ ୩୨ ଜଣ ପ୍ରବାସୀ ଫେରିଛନ୍ତି । ସେହିପରି ଆସାମରୁ ଆସୁଛନ୍ତି ୭୨, ନାଗାଲାଣ୍ଡରୁ ୨୨ ଜଣ ଓ ଇମ୍ଫାଲରୁ ୧୪ ଜଣ ପ୍ରବାସୀ ଶ୍ରମିକ ।

ପ୍ରଥମ ପର୍ଯ୍ୟାୟରେ ମଣିପୁରରୁ ସ୍ୱତନ୍ତ୍ର ବିମାନରେ ୧୩୮ ଜଣ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ । ସେମାନଙ୍କ ମଧ୍ୟରୁ କେନ୍ଦ୍ରାପଡ଼ାରୁ ସର୍ବାଧିକ ୧୨୬ ଜଣ ଥିବା ବେଳେ ଯାଜପୁରରୁ ୭, ଖୋର୍ଦ୍ଧା ଓ ଭଦ୍ରକରୁ ୨ଜଣ ଲେଖାଏଁ ଏବଂ ମୟୂରଭଞ୍ଜରୁ ଜଣେ ପ୍ରବାସୀ ଥିଲେ । ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତଙ୍କ ଥର୍ମାଲ ସ୍କ୍ରିନିଂ କରାଯାଇଥିଲା । ଏହାପରେ ସ୍ୱତନ୍ତ୍ର ବସ୍‌ ଯୋଗେ ନିଜ ନିଜ ଜିଲ୍ଲାକୁ ରାଜ୍ୟ ସରକାର ବସରେ ପଠାଇଥିଲେ । ପ୍ରବାସୀଙ୍କୁ ବିମାନ ବନ୍ଦରରେ ବିଧାୟକ ପ୍ରତାପ ଦେବ ଓ ଅତନୁ ସବ୍ୟସାଚୀ ନାୟକଙ୍କ ସହ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ସ୍ୱାଗତ କରିଥିଲେ ।

କିଏ ରୋଜଗାର ଅନ୍ୱେଷଣରେ ତ ଆଉ କିଏ ଉଚ୍ଚଶିକ୍ଷା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ । ହେଲେ ଲକ୍‌ଡାଉନ୍‌ରେ ଫସି ଯାଇଥିଲେ ଏମାନେ । ପର୍ଯ୍ୟାୟକ୍ରମେ ଲକ୍‌ଡାଉନ୍‌ ଅବଧି ବୃଦ୍ଧି ଯୋଗୁଁ ଓଡିଶା ଫେରିବା ରାସ୍ତା ବନ୍ଦ ହୋଇଯାଇଥିଲା । ଦୁଃଖକଷ୍ଟରେ ଥିବା ପ୍ରବାସୀ ଓଡ଼ିଶା ଫେରିବା ପାଇଁ ରାଜ୍ୟ ସରକାରଙ୍କୁ କରିଥିଲେ ଆକୁଳ ନିବେଦନ । ସରକାରଙ୍କ ପଦକ୍ଷେପ ଯୋଗୁଁ ଆଜି ନିଜ ଘରେ ପହଞ୍ଚିବାର ସୁଯୋଗ ପାଇଛନ୍ତି । ଯାହାକୁ ନେଇ ରାଜ୍ୟ ସରକାରଙ୍କୁ ଖାସ୍‌ କରି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରବାସୀ ।

ଆମେରିକାରେ କୃଷ୍ଣକାୟଙ୍କ ହତ୍ୟା ବିରୋଧରେ ବଲିଉଡ୍,ପଙ୍ଗା କ୍ୱିନ୍ ପଚାରିଲେ ସାଧୁଙ୍କ ହତ୍ୟା ବେଳେ ଚୁପ୍ ଥିଲ କାହିଁକି ?

ମୁମ୍ବାଇ: କରୋନା ମହାମାରୀ ମଧ୍ୟରେ ଏବେ ଆଉ ଏକ ଖବର ସାରା ବିଶ୍ୱରେ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି । ଯାହାକୁ ନେଇ ବଲିଉଡ୍‌ରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି । ପୋଲିସର ବର୍ବରତା କାରଣରୁ ୪୬ ବର୍ଷୀୟ କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲୋଏଡଙ୍କ ଜୀବନ ଚାଲିଯାଇଛି । ଏହା ପରେ ଆମେରିକାରେ ପ୍ରତିବାଦ ତୀବ୍ର ହେବାରେ ଲାଗିଛି । ଲୋକମାନେ ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରୁଛନ୍ତି ।

ତେବେ ହଲିଉଡ୍‌ଠାରୁ ଆରମ୍ଭ କରି ବଲିଉଡ୍‌ କଳାକାର ମଧ୍ୟ ଏହି ଘଟଣାକ ନିନ୍ଦା କରିଛନ୍ତି । ଏହାରି ମଧ୍ୟରେ ବଲିଉଡ୍‌ର ପଙ୍ଗା କୁଇନ୍‌ ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହ, ଯେଉଁ ବଲିଉଡ୍‌ ଷ୍ଟାର୍‌ମାନେ #BlackLivesMatter କୁ ସମର୍ଥନ କରୁଛନ୍ତି ଏବଂ ଏହାର କ୍ୟାମ୍ପେନ୍‌ କରୁଛନ୍ତି ସେମାନଙ୍କୁ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି ।

ଦେଶର ବିଭିନ୍ନ ପ୍ରସଙ୍ଗରେ କଙ୍ଗନା ନିଜର କିଛି ନା କିଛି ମତ ଦେଉଥିବା ପୂର୍ବରୁ ନଜିର ରହିଛି । ଏହି ପ୍ରସଙ୍ଗରେ ମଧ୍ୟ ସେ ନିଜର ମତ ରଖିଛନ୍ତି । ଅନ୍ୟ ବଲିଉଡ୍‌ କଳାକାର ମାନଙ୍କଠାରୁ ସେ ଭିନ୍ନ ବୋଲି କୁହାଯାଏ । ନିକଟରେ ସେ ପିଙ୍କଭିଲ୍ଲା ସହିତ ଏକ ସାକ୍ଷାତକାର କରିଥିଲେ । ଏଥିରେ ସେ ମହାରାଷ୍ଟ୍ରରେ ଦୁଇଜଣ ସାଧୁ ଏବଂ ତାଙ୍କ ଡ୍ରାଇଭର ମବ୍‌ଲିଞ୍ଚିଂର ଶିକାର ହୋଇଥିବା କଥା ଉଠାଇଥିଲେ । ସେ କହିଛନ୍ତି ଯେ, ଯଦି ଜର୍ଜ ଫ୍ଲୋଏଡଙ୍କ ହତ୍ୟାକୁ ଭାରତ ସହ ଯୋଡ଼ା ଯାଏ ତେବେ ନିକଟରେ ମହାରାଷ୍ଟ୍ରରେ ଦୁଇ ସାଧୁଙ୍କ ଲିଞ୍ଚିଂ ହୋଇଥିଲା । କିନ୍ତୁ ଏହି ଘଟଣାରେ କୌଣସି ବଲିଉଡ୍‌ ସେଲିବ୍ରେଟି ମୁହଁ ଖୋଲିନଥିଲେ । ଆଉ ସବୁଠୁ ବଡ଼ କଥା ହେଲା ଯେଉଁ ସହରରେ ସାଧୁଙ୍କୁ ଲିଞ୍ଚିଂ କରାଯାଇଥିଲା ସେଠାରେ ଅଧିକାଂଶ ସେଲିବ୍ରେଟି ରୁହନ୍ତି ।

କଙ୍ଗନା ଆହୁରି କହିଛନ୍ତି ଯେ, ଲଜ୍ଜାଜନକ କଥା ହେଉଛି, ବଲିଉଡ୍‌ ସେଲିବ୍ରେଟି ମାନେ ସବୁବେଳେ ହଲିଉଡ୍‌କୁ ନକଲ କରିବାକୁ ଚେଷ୍ଟା କରନ୍ତି । ଆଉ ଏହା ଦ୍ୱାରା ସେମାନେ ଶସ୍ତା ଲୋକ ପ୍ରିୟତା ହାସଲ କରିବାକୁ ଚାହାନ୍ତି ।

କଙ୍ଗନା ଆହୁରି କହିଛନ୍ତି ଯେ, ଭାରତୀୟଙ୍କ ରକ୍ତରରେ ଦାସତ୍ୱ ଭରି ରହିଛି । ବ୍ରିଟିଶମାନେ ସେଠାରେ ଏକ କ୍ୟାମ୍ପେନ୍‌ ଚଳାନ୍ତି ଆଉ ଏଠାରେ ସେମାନେ ଏହାକୁ ଅନୁକରଣ କରନ୍ତି ।

୧୨ ଘଣ୍ଟାର ଇସ୍ତଫା ନାଟକ, ଦଳକୁ ଫେରିଲେ ଜଗନ୍ନାଥ

ଭୁବନେଶ୍ୱର: ଭୁବନେଶ୍ୱର ଜିଲ୍ଲା ସଭାପତି ନିଯୁକ୍ତି ପରେ ବିଜେପିରେ ଦେଖିବାକୁ ମିଳିଛି ପଲ୍ଟିକାଲ ଡ୍ରାମା । ବାବୁ ସିଂଙ୍କ ଜିଲ୍ଲା ସଭାପତି ନିଯୁକ୍ତି ହେବାର କିଛି ସମୟ ପରେ ଜଗନ୍ନାଥ ପ୍ରଧାନ ଏକ ସାଧା କାଗଜରେ ଦଳରୁ ଇସ୍ତଫା ଦେଇଥିଲେ । ହେଲେ ଇସ୍ତଫାର ୧୨ ଘଣ୍ଟା ନ ପୁରୁଣୁ ପୁଣି ଥରେ ଦଳକୁ ଫେରିଛନ୍ତି । ଜଗନ୍ନାଥଙ୍କ ଏପରି ପଲ୍ଟିକାଲ  ଷ୍ଟଣ୍ଟକୁ କେହି ଡ୍ରାମା ତ କେହି ବ୍ଲାକମେଲିଂର ନାଁ ଦେଇଛନ୍ତି । ଆଜି ବାବୁ ସିଂଙ୍କୁ ଦଳୀୟ କର୍ମୀ ବିଜେପି କାର୍ଯ୍ୟାଳୟ ବାହାରେ ସମ୍ବର୍ଦ୍ଧିତ କରିଥିଲେ । ଏହା ପରେ ବାବୁ ସିଂ ଧାଇଁଲେ ଜଗନ୍ନାଥଙ୍କ ଘରକୁ । ଜଗନ୍ନାଥଙ୍କ ଘରେ ବି ସମର୍ଥକଙ୍କ ଭିଡ଼ ଜମିଥିଲା । ବହୁ ସମୟ ଧରି ଚାଲିଲା ଡ୍ରାମା । ଶେଷରେ କୋଳାକୋଳି ହେଲେ ବାବୁ ଓ ଜଗନ୍ନାଥ ।

ଭୁବନେଶ୍ୱର ବିଜେପିର ପୁରୁଖା ନେତା ଜଗନ୍ନାଥ । ହେଲେ ତାଙ୍କ ସହ ବିନା ଆଲୋଚନାରେ ବାବୁ ସିଂଙ୍କୁ ସଭାପତି କରିବାରୁ ଅଭିମାନ କରିଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଆଲୋଚନା ପରେ ଇସ୍ତଫା ପ୍ରତ୍ୟାହାର କରିଥିବା ଜଗନ୍ନାଥ କହିଛନ୍ତି । ତେବେ ନିଜେ ନ ହେଲେ ବି ପୂର୍ବତନ ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କୁ ପୁଣି ଥରେ ଦାୟିତ୍ୱ ମିଳିବା ନେଇ ଜଗନ୍ନାଥ ଆଶାବାଦୀ ଥିବା ଚର୍ଚ୍ଚା ହେଉଛି । ହେଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ କ୍ୟାମ୍ପର ବାବୁ ସିଂଙ୍କୁ ଦାୟିତ୍ୱ ମିଳିବାରୁ ସେ ଅସନ୍ତୁଷ୍ଟ ଥିଲେ । ଅପରାଜିତା ଆସି ଭେଟିବା ପରେ ମାନଭଞ୍ଜନ କଲେ ଜଗନ୍ନାଥ ।

ବଢ଼ୁଛି ଗୋଷ୍ଠୀ କନ୍ଦଳ, ବିଜେପି ଛାଡ଼ିଲେ ଜଗନ୍ନାଥ ପ୍ରଧାନ…

କୃଷିରୁ ଶିଳ୍ପ, ୬ଟି ବଡ଼ ପ୍ରସ୍ତାବ ଉପରେ ମୋହର ମାରିଲା କେନ୍ଦ୍ର କ୍ୟାବିନେଟ୍

ନୂଆଦିଲ୍ଲୀ: ଆତ୍ମ ନିର୍ଭର ଭାରତ ପ୍ୟାକେଜରେ ଚାଷ ଓ କୃଷକଙ୍କ ପାଇଁ ହୋଇଥିବା ଘୋଷଣା ଉପରେ ମୋହର ମାରିଛି କେନ୍ଦ୍ର କ୍ୟାବିନେଟ୍ । ପ୍ରେସମିଟରେ ଏନେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଦକର ସୂଚନା ଦେଇଛନ୍ତି । ଅତ୍ୟାବଶ୍ୟକୀୟ ସାମଗ୍ରୀ ଅଧିନିୟମ ତାଲିକାରୁ କେତକ କୃଷି ସାମଗ୍ରୀକୁ ବାହାର କରିବାକୁ କେନ୍ଦ୍ର କ୍ୟାବିନେଟ୍ ସ୍ୱୀକୃତି ଦେଇଛି । କୃଷି ସମ୍ପର୍କିତ ୩ଟି ବଡ଼ ନିଷ୍ପତ୍ତି ନିଆଯାଇଥିବା ବେଳେ ନିବେଶକଙ୍କୁ ଆକୃଷ୍ଟ କରିବାକୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

ଅତ୍ୟାବଶ୍ୟକୀୟ ସାମଗ୍ରୀ ଅଧିନିୟମରୁ ଖାଦ୍ୟ ଶସ୍ୟ, ତେଲ, ଡାଲି, ପିଆଜ ଓ ଆଳୁ ଆଦିକୁ ବାଦ୍ ଦିଆଯାଇଛି । ଚାଷୀ ଏଣିକି ଏସବୁ ଖାଦ୍ୟ ସାମଗ୍ରୀ ନିଜ ଇଚ୍ଛା ଅନୁସାରେ ମହଜୁଦ୍ ରଖିବା ସହ ବିକ୍ରି କରିପାରିବେ । ଏଥିଯୋଗୁ ଚାଷୀଙ୍କୁ ଫାଇଦା ହେବ ବୋଲି ସରକାର ଆଶା ରଖିଛନ୍ତି । ଜାଭେଦକର କହିଛନ୍ତି କୃଷକଙ୍କ ୫୦ ବର୍ଷର ଦାବି ଆଜି ପୂରଣ ହୋଇଛି ।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୬ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି ।

୧) କୃଷକ ଉତ୍ପାଦିତ ସାମଗ୍ରୀକୁ କେଉଁଠି ବି ନିଜ ଇଚ୍ଛା ମୁତାବକ ଦରରେ ବିକ୍ରି କରିପାରିବେ ।

୨) ୱାନ୍ ନେସନ୍, ୱାନ୍ ମାର୍କେଟ ଆଡ଼କୁ ଭାରତ ବଢ଼ୁଛି । ଏଥିପାଇଁ ଆଇନ୍ ଆସିବ ।

୩) ଅଧିକ ଦରର ଗ୍ୟାରେଣ୍ଟି । ଯଦି କୌଣସି ରପ୍ତାନିକାରୀ, ପ୍ରୋସେସର କେହି ଅନ୍ୟ ପଦାର୍ଥର ଉତ୍ପାଦକ ଅଟନ୍ତି । ସେଥିପାଇଁ ପରସ୍ପର ମଧ୍ୟରେ ଚୁକ୍ତି ଅନୁଯାୟୀ ବିକ୍ରି କରିପାରିବେ । ଏହାଦ୍ୱାରା ସପ୍ଲାଏ ଚେନ୍ ସୃଷ୍ଟି ହେବ ।

୪) ବାଣିଜ୍ୟ ଓ ଉଦ୍ୟୋଗ ଜଗତ ପାଇଁ ପ୍ରତି ମନ୍ତ୍ରାଳୟ ପ୍ରୋଜେକ୍ଟ ଡେଭଲପମେଣ୍ଟ ସେଲ୍ ତିଆରି ହେବ । ଏହାଦ୍ୱାରା ଦେଶକୁ ନିବେଶକ ଆକୃଷ୍ଟ ହୋଇ ଆସିବେ ।

୫) କୋଲକାତା ବନ୍ଦରକୁ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ନାମରେ ନାମିତ କରାଯିବ ।

୬) ଫାର୍ମାକୋପିଆ କମିଶନ ସ୍ଥାପନ କରାଯିବ । ଏହା ଭାରତୀୟ ଔଷଧ ଓ ହୋମିଓପାଥି ଲାଗି କାମ କରିବ । ଗାଜିଆବାଦରେ ଥିବା ଆୟୁଷ ମନ୍ତ୍ରାଳୟର ୨ଟି ଲ୍ୟାବକୁ ଏହା ସହିତ ମିଶାଇ ଦିଆଯିବ ।

ମୋଦି କ୍ୟାବିନେଟ୍ ପାସ କଲା ଦୁଇ ଅଧ୍ୟାଦେଶ,କୃଷକଙ୍କ ପାଇଁ ‘ଗୋଟିଏ ଦେଶ ଗୋଟିଏ ବଜାର’ ନୀତି