spot_img
Home Blog Page 6874

ଆହୁରି ୨୪ ଘଣ୍ଟା ବର୍ଷା, ୧୦ ଜିଲ୍ଲାକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ

ଭୁବନେଶ୍ୱର: ଆଗାମୀ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ପ୍ରାୟ  ସ୍ଥାନରେ  ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ବରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ଼, ସୁନ୍ଦରଗଡ଼, ନୂଆପଡ଼ା, ବଲାଙ୍ଗିର, ସୋନପୁର, ବୌଦ୍ଧ ଏବଂ ଅନୁଗୁଳ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏନେଇ ରାଜ୍ୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

କଳାହାଣ୍ଡି, ନବରଙ୍ଗପୁର, କଟକ, ଢେଙ୍କାନାଳ, ଖୋର୍ଦ୍ଧା, ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ଜଗତସିଂହପୁର, କେନ୍ଦୁଝର ଏବଂ  ବାଲେଶ୍ୱର ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ  ବର୍ଷାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରଯାଇଛି ।

ତେବେ ଆଗାମୀ ୦୬ ତାରିଖ ଠାରୁ ଉତ୍ତର ଓଡ଼ିଶାର ଅନେକ  ସ୍ଥାନରେ  ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଦକ୍ଷିଣ ଓଡ଼ିଶାରେ କିଛି-କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ସୁନ୍ଦରଗଡ଼, କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲ୍ଲାରେ  ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ଅନ୍ୟପଟେ ଗତ ଦୁଇ ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମ ଧରଣର ବର୍ଷା ହୋଇଛି । ରାଜଧାନୀ ଭୁବନେଶ୍ୱରରେ ମଙ୍ଗଳବାର ସନ୍ଧ୍ୟାରୁ ବୁଧବାର ଅପରାହ୍ନ ପର୍ଯ୍ୟନ୍ତ ବର୍ଷା ଲାଗି ରହିିଥିଲା । ଫଳରେ ବିଭିନ୍ନ ସ୍ଥାନରେ ବର୍ଷା ଜଳ ଜମା ରହିଥିବାରୁ, ଯାତାୟତରେ ଅସୁବିଧା ଉପୁଜିଛି ।

ରାମମନ୍ଦିର ଭୂମିପୂଜା ପରେ ଏମିତି କାହିଁକି କହିଲେ ଯୋଗୀ ?

ନୂଆଦିଲ୍ଲୀ: ଆଜି ରାମ ମନ୍ଦିରର ଭୂମିପୂଜା ସରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଯୋଗୀଙ୍କ ଉପସ୍ଥିତିରେ ଭୂମିପୂଜା କରିଛନ୍ତି । ଏହାରି ଭିତରେ ଅଯୋଧ୍ୟାରେ ମସଜିଦ ନିର୍ମାଣକୁ ନେଇ ଯୋଗୀ ଆଦିତ୍ୟନାଥଙ୍କ ବୟାନ ଆସିଛି । ଯାହା ଦେଶ ରାଜନୀତିରେ ବିବାଦ ଆଣିବାର ଆଶଙ୍କା ରହିଛି । ଆଦିତ୍ୟନାଥ ଏକ ଘରୋଇ ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି ଯେ, ମସଜିଦ ଶିଳାନ୍ୟାସକୁ ମୋତେ ଡକାଯିବ ନାହିଁ କି ମୁଁ ଯିବିନାହିଁ ।

ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ଆପଣ ରାମ ମନ୍ଦିର ଭୂମିପୂଜାକୁ ସବୁ ଧର୍ମାବଳମ୍ବୀଙ୍କୁ ନିମନ୍ତ୍ରଣ କରିଥିଲେ କିନ୍ତୁ କୁହାଯାଉଛି ଆପଣ ନିଜେ ମସଜିଦ ଶିଳାନ୍ୟାସକୁ ଯିବେ ନାହିଁ । ଏହାର ଉତ୍ତରରେ ଆଦିତ୍ୟନାଥ କହିଥିଲେ ଯେ, ମୋ କାମ ଯାହା ମୁଁ ତାହା କରିବି । ମୁଁ କାମକୁ ସବୁବେଳେ କର୍ତ୍ତବ୍ୟ ଓ ଧର୍ମ ଭାବି ଚାଲେ । ମୁଁ ଜାଣିଛି ମୋତେ କେହି ନିମନ୍ତ୍ରଣ କରିବେ ନାହିଁ । ଏଥିପାଇଁ ମୁଁ ଯିବି ନାହିଁ ।

Babri Masjid

ସୂଚନାଯୋଗ୍ୟ ଯେ, ସୁପ୍ରିମକୋର୍ଟ ଅଯୋଧ୍ୟାରେ ସୁନ୍ନି ସେଣ୍ଟ୍ରାଲ ୱାକଫ ବୋର୍ଡକୁ ୫ ଏକର ଭୂମି ଦିଆଯିବାକୁ ଆଦେଶ ଦେଇଥିଲେ । ଉତ୍ତର ପ୍ରଦେଶ ସରକାର ଫେବ୍ରୁଆରି ୫ ତାରିଖରେ ଅଯୋଧ୍ୟା ମୁଖ୍ୟାଳୟଠାରୁ ୧୮ କିଲୋମିଟର ଦୂରରେ ୫ ଜମି ଆବଣ୍ଟନ କରିଥିଲେ । ସେଠାରେ ମସଜିଦ ନିର୍ମାଣ ହେବ ।

ଯୋଗୀ ମଧ୍ୟ ଆଜି ପ୍ରିୟଙ୍କାଙ୍କୁ ଟାର୍ଗେଟ୍ କରିଛନ୍ତି । ରାମ ସମସ୍ତଙ୍କର ବୋଲି ପ୍ରିୟଙ୍କା ଗାନ୍ଧୀଙ୍କ ବୟାନର ଉତ୍ତର ଦେଇ ସେ କହିଥିଲେ ଯେ, ଆମେ ଆରମ୍ଭରୁ ସେଇକଥା କହୁଛୁ । ଏହି ସଦବୁଦ୍ଧି ଆଗରୁ ଆସିଲା ନାହିଁ କାହିଁକି ? ସେମାନେ କିଏ ଯେଉଁମାନେ ରାମ ମନ୍ଦିର ନିର୍ମାଣକୁ ବିରୋଧ କରୁଥିଲେ ବୋଲି ଯୋଗୀ ପ୍ରଶ୍ନ କରିଛନ୍ତି ।

ଆଟମ୍ ବମ୍ ଭଳି ବିସ୍ଫୋରଣରେ ଛାରଖାର୍ ବେରୁତ୍‌: ଦେଖନ୍ତୁ ବିସ୍ଫୋରଣ ପୂର୍ବ ଓ ପରର ଚିତ୍ର

ବେରୁତ୍: ଲେବାନନ୍‌ର ରାଜଧାନୀ ବେରୁତ୍‌ରେ ମଙ୍ଗଳବାର ସନ୍ଧ୍ୟାରେ ଯେଉଁ ବିସ୍ଫୋରଣ ଘଟିଥିଲା ତାହା ଏକ ଛୋଟ ପରମାରୁ ବୋମା ସଦୃଶ୍ୟ । ଯାହାଫଳରେ ସହରର ଅଧା ଅଂଶ ଛାରଖାର ହୋଇଯାଇଛି । ପାଖାପାଖି ୧୦ କିଲୋମିଟର ପରଧି ଅଞ୍ଚଳରେ ଏହାର ଭୟଙ୍କର ପ୍ରଭାବ ଦେଖିବାକୁ ମିଳିଛି । ସଡ଼କରେ ମୃତଦେହର ଖଣ୍ଡ ବିଖଣ୍ଡିତ ହୋଇପଡ଼ିଥିବା ଦେଖିବାକୁ ମିଳିଛି । ଫଟୋ ଦେଖାଯାଉଥିବା ବହୁ ତଳ କୋଠା କେତେ ସୁନ୍ଦର ଦେଖାଯାଉଥିଲା କିନ୍ତୁ ବିସ୍ଫୋରଣ ପରେ ସବୁ କିଛି ଏବେ ଛାରଖାର୍ ।

एटम बम जैसे धमाके से उजड़ा बेरूत, देखिए पहले और अब की तस्वीरें

            ବେରୁତର ପୋର୍ଟ ଅଞ୍ଚଳ ନିକଟରେ ନିର୍ମିତ ଏହି ବହୁତଳ କୋଠା, ଘର ସପିଂ କମ୍ପ୍ଳେକ୍ସ ସବୁ ଭାଙ୍ଗି ଚୁରମାର୍ ହୋଇଯାଇଛି । ସେପଟେ ଆହତଙ୍କ ଚିକିତ୍ସା କରିବା ଭି ଅସମ୍ଭବ ହୋଇପଡ଼ିଛି କାହିଁକି ନାଁ ହସ୍ପିଟାଲ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ତେବେ ଏଭଳି ଭୟଙ୍କର ବିସ୍ଫୋରଣର କାରଣ ଏଯାଏଁ ସ୍ପଷ୍ଟ ହୋଇପାରିନି । ଏହା ଆତଙ୍କୀ ଆକ୍ରମଣ ଅବା ଦୁର୍ଘଟଣା ଏ ନେଇ ସସପେନ୍ସ ଲାଗି ରହିଛି ।

एटम बम जैसे धमाके से उजड़ा बेरूत, देखिए पहले और अब की तस्वीरें

ହସ୍ପିଟାଲରେ ଏତେ ସଂଖ୍ୟକ ରୋଗୀ ଭର୍ତ୍ତି ହେଲେଣି ଯେ, ଶଯ୍ୟାର ଅଭାବ ରହିଛି । ଭୂକମ୍ପ ବିଜ୍ଞାନୀଙ୍କ କହିବା ହେଲାରେ ଯେ, ବେରୁତରେ ଯେଉଁ ବିସ୍ଫୋରଣ ହେଲା ଏହାର ପ୍ରଭାବରେ ୪.୫ ତୀବ୍ରତାର ଭୂକମ୍ପ ଅନୁଭୁତ ହୋଇଛି । ଯେଉଁଠାରେ ବିସ୍ଫୋରଣ ହୋଇଛି ସେଠାରେ ୨୭୫୦ ଟନ୍‌ରୁ ଊର୍ଦ୍ଧ୍ୱ ଆମୋନିୟମ୍ ନାଇଟ୍ରେଟ୍ ରଖାଯାଇଥିଲା । ଫଳରେ ଯେଉଁ ବିସ୍ଫୋରଣ ହୋଇଥିଲା ତାହା ଏକ ଛୋଟ ପରମାଣୁ ବିସ୍ଫୋରଣ ସଦୃଶ୍ୟ ।

            ସୂଚନା ଯୋଗ୍ୟ ଯେ, ଆମୋନିୟମ୍ ନାଇଟ୍ରେଟର ବ୍ୟବହାର ଚାଷ କାମ ସହ ଖଣି ଖାଦାନରେ ବିସ୍ଫୋରଣ କରି ଉଡ଼ାଇବାକୁ ବ୍ୟବହାର କରାଯାଏ । ଚିଲିର ଅଟାକାମା ମରୁଭୂମି ଅଞ୍ଚଳରେ ଏହା ସବୁଠାରୁ ଅଧିକ ପରିମାଣରେ ମିଳିଥାଏ । ତେବେ ଏହି ବିସ୍ଫୋରଣର ଶଦ୍ଦ ଯେତେବେଳେ ପୂରା ସହରରେ ଖେଳିଯାଇଥିଲା ଗାଡ଼ିଗୁଡ଼ିକ ଜଳିଯାଇଥିଲା । ଫ୍ଳାଏ ଓଭର ବ୍ରିଜ ଉପରେ ଚାଲୁଥିବା ଗାଡ଼ିଗୁଡ଼ିକ ପରସ୍ପର ମଧ୍ୟରେ ଧକ୍କା ହୋଇଥିଲା । ଘରର ଝରକା କାଚ ଭାଙ୍ଗି ରାସ୍ତାରେ ପଡ଼ିଥିଲା । ସାରା ସହର ଅଳିଆ ଗଦା ପାଲଟିଥିଲା  ।

ଚାଷୀଙ୍କ ପାଇଁ ସରକାରଙ୍କ ଚିନ୍ତା: ଅଭାବ ରହିବନି ସାର ! ଅଧିକ ଦରରେ ବିକ୍ରୟ ହେଉଥିଲେ କାର୍ଯ୍ୟାନୁଷ୍ଠାନ…

ଭୁବନେଶ୍ୱର: କରୋନା ମହାମାରୀ ସମସ୍ତଙ୍କ ମେରୁଦଣ୍ଡ ଭାଙ୍ଗିଦେଇଥିବା ଚାଷୀ ମଧ୍ୟ ହତାଶ ହୋଇଛନ୍ତି । ଏଭଳି ପରିସ୍ଥିତିରେ ରାଜ୍ୟ ସରକାର ଚାଷୀଙ୍କ ଉନ୍ନତି ପାଇଁ ଅଣ୍ଟା ଭିଡ଼ିଛନ୍ତି । ଚାଷୀଙ୍କୁ ଏଭଳି ଖରାପ ସ୍ଥିତିରୁ ବାହାର କରିବା ପାଇଁ ଯୋଜନା କରିଛନ୍ତି ସରକାର । ଚାଷୀମାନେ ଯେପରି ଠକାମିର ଶିକାର ନହୁଅନ୍ତି କିମ୍ବା ତାଙ୍କୁ ଅଧିକ ଦରରେ ସାର ବିକ୍ରି ନକରାଯାଏ ସେଥିପ୍ରତି ଧ୍ୟାନ ଦେଇଛନ୍ତି ରାଜ୍ୟ ସରକାର ।

କୋଭିଡ୍‌-୧୯ ସ୍ଥିତିରେ ଚଳିତ ଖରିଫ୍‌ ଚାଷ ନିମନ୍ତେ ଚାଷୀମାନେ ଯେପରି ସାର ଓ ଅନ୍ୟାନ୍ୟ କୃଷି ସାମଗ୍ରୀ ଠିକଣା ସମୟରେ ଓ ଧାର୍ଯ୍ୟ ଦରରେ ପାଇପାରିବେ ସେଥି ନିମନ୍ତେ ପ୍ରତ୍ୟେକ ସ୍ତରରେ ତଦାରଖ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି । ରାଜ୍ୟକୁ ଅଧିକ ପରିମାଣର ସାର ଯୋଗାଇଦେବା ପାଇଁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି । ଏନେଇ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ସୂଚନା ଦେଇଛନ୍ତି । ସାର ଯେପରି ଧାର୍ଯ୍ୟ ଦରରେ ବିକ୍ରି ହୁଏ ଓ ଏହାର ସୁଷମ ବଣ୍ଟନ ନିମନ୍ତେ ଯାଞ୍ଚ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରିବା ପାଇଁ ମନ୍ତ୍ରୀ ଡ. ସାହୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ଦରରେ ସାର ବିକ୍ରୟ ଅଭିଯୋଗ ଆସିଲେ, ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଡ. ସାହୁ କହିଛନ୍ତି ।

ବୁଧବାର ଆୟୋଜିତ ଏକ ଭର୍ଚୁଆଲ୍‌ ବୈଠକରେ ଅଧ୍ୟକ୍ଷତା କରି ରାଜ୍ୟରେ ଖରିଫ୍‌ ଚାଷ ସମେତ ବିଭିନ୍ନ ଯୋଜନାର ଅଗ୍ରଗତି ସଂପର୍କରେ ସମୀକ୍ଷା କରିବା ଅବସରରେ ମନ୍ତ୍ରୀ ଡ. ସାହୁ କହିଲେ କୋଭିଡ୍‌-୧୯ ପରି ଏକ ଜଟିଳ ସ୍ଥିତିରେ ଚାଷ କାର୍ଯ୍ୟ ଯେପରି ବାଧାପ୍ରାପ୍ତ ନହୁଏ, ସେଥିପ୍ରତି କ୍ଷେତ୍ର ଅଧିକାରୀମାନେ ଅଧିକ କ୍ରିୟାଶୀଳ ହେବା ଆବଶ୍ୟକ । ଚାଷ କାର୍ଯ୍ୟ ନିମନ୍ତେ ସାରର ଯେପରି କୌଣସି ଅଭାବ ନରୁହେ, ସେଥିପ୍ରତି ସମବାୟ ବିଭାଗ ସହିତ ସମନ୍ୱୟ ରକ୍ଷା କରି ସାରର ସୁଷମ ବଣ୍ଟନ ନିମନ୍ତେ ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଯେପରି କୌଣସି ଜଣେ ଚାଷୀଙ୍କୁ ଧାର୍ଯ୍ୟ ଦରଠାରୁ ଅଧିକ ଦରରେ ସାର କିଣିବାକୁ ନପଡ଼େ ସେଥିପ୍ରତି ଅଧିକାରୀମାନେ ସତର୍କ ଦୃଷ୍ଟି ଦେବା ପାଇଁ ମନ୍ତ୍ରୀ କହିଥିଲେ । ଅଧିକାରୀମାନେ ସଦର ମହକୁମାରେ ଉପସ୍ଥିତ ରହି ଚାଷକାର୍ଯ୍ୟକୁ ଆଗେଇ ନେବା ପାଇଁ ମନ୍ତ୍ରୀ ଡ. ସାହୁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ଚାଷୀମାନଙ୍କୁ ଯୋଗାଇ ଦିଆଯାଉଥିବା କୃଷି ସାମଗ୍ରୀର ଗୁଣାତ୍ମକ ମାନ ଓ ପରିମାଣରେ କୌଣସି ପ୍ରକାରର ସାଲିସ କରାଯିବ ନାହିଁ ବୋଲି ମନ୍ତ୍ରୀ ଡ. ସାହୁ କହିଥିଲେ ।

କୋଭିଡ ଯୋଦ୍ଧାଙ୍କ ସମ୍ମାନାର୍ଥେ ଓଡ଼ିଶାବାସୀଙ୍କ ନିରବ ପ୍ରାର୍ଥନା: ଶପଥ ପାଠ କରାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କୋଭିଡ ମୁକାବିଲାରେ ଆଗଧାଡ଼ିର ଯୋଦ୍ଧା ସାଜିଥିବା ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ପୋଲିସ, ଆଶା, ଅଙ୍ଗଡ଼ଓ୍ୱାଡି କର୍ମୀ, ଆମ୍ୱୁଲାନ୍ସ କର୍ମଚାରୀ, ସଫେଇକର୍ମୀ ଏଭଳି ସମସ୍ତ କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇଛି ସାରା ଓଡ଼ିଶା । କୋଭିଡ ମୁକାବିଲାରେ ଯୋଦ୍ଧା ଭୂମିକା ତୁଲାଇ ତୁଲାଇ ନିଜ ପ୍ରାଣ ହରାଇଥିବା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ୧ ମିନିଟର ନିରବ ପ୍ରାର୍ଥନା କରିଛନ୍ତି ଓଡ଼ିଶାବାସୀ । ଯାହାର ନେତୃତ୍ୱ ନେଇଥିଲେ ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ନିବାସରୁ ଭିଡିଓ କନ୍‌ଫରେନ୍ସଂ ଜରିଆରେ ଏହି କାର୍ଯ୍ୟକ୍ରମର  ନେତୃତ୍ୱ ନେଇଥିଲେ ମୁଖ୍ୟମନ୍ତ୍ରୀ । ଏହି ପରିପ୍ରେକ୍ଷୀରେ ବିଜେଡି କାର୍ଯ୍ୟାଳୟ, କଳିଙ୍ଗ ଷ୍ଟାଡିୟମ୍ ପରିସର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ମୁଖ୍ୟାଳୟରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସେଠାରେ ବହୁ ସଂଖ୍ୟାରେ ଲୋକେ ଏକତ୍ରିତ ହୋଇ ସାମାଜିକ ଦୂରତ୍ୱ ରକ୍ଷା କରି କୋଭିଡ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ନିରବ ପ୍ରାର୍ଥନା କରିଥିଲେ । ଏହା ପରେ କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ଓ କୋଭିଡ ଗାଇଡ୍ ଲାଇନ୍ ପାଳନ କରିବା ନେଇ ଶପଥ ପାଠ କରାଇଥିଲେ ମୁଖ୍ୟମନ୍ତ୍ରୀ ।

            ସୂଚନା ଯୋଗ୍ୟ ଯେ, କୋଭିଡ ଯୋଦ୍ଧାଙ୍କ ଅକ୍ରାନ୍ତ ପରିଶ୍ରମ ଯୋଗୁଁ ରାଜ୍ୟରେ କରୋନା ସ୍ଥିତି ଦେଶର ଅନ୍ୟ ରାଜ୍ୟ ତୁଳନାରେ ଭଲ ରହିଛି । ମୃତ୍ୟୁ ହାର ମଧ୍ୟ ଜାତୀୟ ହାରଠାରୁ କମ୍ । ଏଥିସହିତ ଏଯାବତ୍ ମୋଟ୍ ୨୫ ହଜାର କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ରାଜ୍ୟରେ ଆଉ ୧୨୫୫ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ..?

ଭୁବନେଶ୍ୱର: ରାଜ୍ୟରେ ଆଉ ୧୨୫୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ସମସ୍ତ ସୁସ୍ଥଙ୍କୁ ଘରକୁ ଫେରିବାକୁ ଅନୁମତି ଦିଆଯାଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ରହିଛି । ରାଜ୍ୟରେ ଗୋଟିଏ ପଟେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଅନ୍ୟପଟେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବଢ଼ୁଛି । ଆକ୍ରାନ୍ତଙ୍କ ସଂଖ୍ୟା ମୁଣ୍ଡ ବ୍ୟଥା ବଢ଼ାଉଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ସାମ୍ନାକୁ ଆସିବା ପରେ କିଛି ମାତ୍ରା ଆଶ୍ୱସ୍ତି ମିଳୁଛି । ତେବେ ରାଜ୍ୟରେ ଏବେ ସୁଦ୍ଧା ୨୫ ହଜାର ୭୩୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

୧୨୫୫ ସୁସ୍ଥଙ୍କ ମଧ୍ୟରେ ଗଞ୍ଜାମର ସର୍ବାଧିକ ୪୮୫ ଜଣ ଥିବା ବେଳେ ଖୋର୍ଦ୍ଧାର ୧୨୫ ଜଣ ସୁସ୍ଥ ହେଇଛନ୍ତି । ସେହିଭଳି ସୁନ୍ଦରଗଡ଼ର ୧୨୨ ଜଣ, ସମ୍ବଲପୁରର ୧୦୭ ଜଣ, ପୁରୀର ୭୫ ଜଣ, ମୟୂରଭଞ୍ଜର ୪୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଅନ୍ୟପଟେ  କଟକର ୪୦ ଜଣ ସୁସ୍ଥ ହୋଇଥିବା ବେଳେ ଜଗତସିଂହପୁରର ୨୯ ଜଣ, କନ୍ଧମାଳାର ୨୮ ଜଣ, ବାଲେଶ୍ୱରର ୨୭, ବଲାଙ୍ଗିରରୁ ୨୪, କୋରାପୁଟରୁ ୨୨, ଅନୁଗୁଳରୁ ୨୦, ନବରଙ୍ଗପୁରରୁ ୧୮, ଗଜପତିରୁ ୧୬, ନୟାଗଡ଼ରୁ ୧୪, କେନ୍ଦ୍ରାପଡ଼ାରୁ ୧୨, ମାଲକାନଗିରିରୁ ୧୧, ଭଦ୍ରକରୁ ୧୦, କଳାହାଣ୍ଡିରୁ ୮, ନୂଆପଡ଼ାରୁ ୬, ଯାଜପୁରରୁ ୫, ଢ଼େଙ୍କାନାଳରୁ ୪, ଝାରସୁଗୁଡ଼ାରୁ ୩, କେନ୍ଦୁଝରରୁ ଜଣେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଭିମ୍‌ସାର୍‌-ଏମ୍‌କେସିଜିରେ ପ୍ଲାଜ୍‌ମା ଥେରାପି ଆରମ୍ଭ…

ଭୁବନେଶ୍ୱର: ରାଜ୍ୟରେ ଚତୁର୍ଥ ଓ ପଞ୍ଚମ ପ୍ଲାଜ୍‌ମା ବ୍ୟାଙ୍କର ଶୁଭାରମ୍ଭ ହୋଇଯାଇଛି । ଏହାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି । ବୁର୍ଲା ଭିମସାର ଓ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଆଜିଠୁ ପ୍ଲାଜମା ଚିକିତ୍ସା ଆରମ୍ଭ ହେବା ନେଇ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଭିଡିଓ କନ୍‌ଫରେନ୍‌ସିଂ ମାଧ୍ୟମରେ ପ୍ଲାଜମା ବ୍ୟାଙ୍କର ଶୁଭ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସମଗ୍ର ପଶ୍ଚିମ ଓଡ଼ିଶାର ଲାଇଫ୍‌ ଲାଇନ୍‌ କୁହାଯାଉଥିବା ବୁର୍ଲା ଭିମସାରରେ ଏହି ପ୍ଲାଜମା ବ୍ୟାଙ୍କ ଖୋଲିଲେ ଅନେକ କରୋନା ରୋଗୀ ଲାଭବାନ ହେବେ ବୋଲି କୁହାଯାଇଛି ।

ତେବେ ରାଜ୍ୟରେ ଜୁଳାଇ ୧୫ରେ ପ୍ରଥମ ପ୍ଲାଜମା ଥେରାପି ଆରମ୍ଭ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଭିଡିଓ କନଫରେନ୍ସିଂ ଯୋଗେ ଉଦଘାଟନ କରିଥିଲେ । କଟକ ଏସସିବିରେ ପ୍ରଥମ ପ୍ଲାଜମା ବ୍ୟାଙ୍କ ଉଦ୍‌ଘାଟନ ହୋଇଥିଲା । କରୋନାରେ ପୀଡ଼ିତ ହୋଇ ସମ୍ପୂର୍ଣ୍ଣ ସୁସ୍ଥ ହୋଇସାରିଥିବା ଲୋକଙ୍କଠାରୁ ପ୍ଲଜ଼ମା ନିଆଯିବ । କରୋନାରେ ଗୁରୁତର ରୋଗୀଙ୍କୁ ସେହି ପ୍ଲାଜମା ଦିଆଯିବ ।

ପ୍ଲାଜ୍‌ମା ଥେରାପି କରୋନା ପାଇଁ ରାମ ବାଣ ସଦୃଶ କାମ କରିଛି । ପ୍ଲାଜ୍‌ମା ଥେରାପି ଯୋଗୁଁ ଅନେକ ଗୁରୁତର କରୋନା ଗୋଗୀ ଏବେ ସୁସ୍ଥ ହୋଇସାରିଛନ୍ତି । ତେଣୁ ଯେଉଁମାନେ କରୋନାରୁ ସୁସ୍ଥ ହେଉଛନ୍ତି ସେମାନେ ସ୍ୱଇଚ୍ଛାରେ ପ୍ଲାଜ୍‌ମା ଦାନ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ୍‌ ଦେଇଛନ୍ତି ।

ତେବେ ପ୍ଲାଜମା କେନ୍ଦ୍ରକୁ ସ୍ଥାପନ କରିବାରେ ଯେଉଁ ମେଡିକାଲ ଟିମ୍‌ ଗୁଡିକ କଠିନ ପରିଶ୍ରମ କରିଛନ୍ତି ସେମାନଙ୍କ ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ଉଚ୍ଚପ୍ରଶଂସା କରିଛନ୍ତି । ରାଜ୍ୟରେ ପ୍ଲାଜମା ଥେରାପି ଉତ୍ସାହଜନକ ଫଳାଫଳ ପ୍ରଦର୍ଶନ କରୁଛି ଏବଂ ବର୍ତ୍ତମାନ ସୁଦ୍ଧା ୬୦ ଜଣ କୋଭିଡ ରୋଗୀଙ୍କୁ ପ୍ଲାଜମା ଥେରାପିରେ ଚିକିତ୍ସା ସେବା ଦିଆଯାଇଛି ଏବଂ ୪୮ ଜଣ ରୋଗୀଙ୍କ ଅବସ୍ଥାରେ ଦ୍ରୁତ ଉନ୍ନତି ଆସିଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ ଯୋଗ୍ୟ କୋଭିଡ୍‌ ମୁକ୍ତ ବ୍ୟକ୍ତିମାନଙ୍କୁ ପ୍ଲାଜମା ଦାନ କରିବାକୁ ଆଗେଇ ଆସିବା ପାଇଁ ପୁଣିଥରେ ନିବେଦନ କରିଥିଲେ ।

ସୂଚନାଯୋଗ୍ୟ ଯେ ପୂର୍ବରୁ କଟକର ଏସ୍‌ସିବି, ଭୁବନେଶ୍ୱରର କ୍ୟାପିଟାଲ ହସ୍‌ପିଟାଲ ଓ ରାଉରକେଲାର ଆଇଜିଏଚ୍‌ ଠାରେ ତିନୋଟି ପ୍ଲାଜମା ବ୍ୟାଙ୍କ କାର୍ଯ୍ୟକ୍ଷମ ହୋଇପାରିଛି ।

କୋଭିଡ୍‌ ଯୋଦ୍ଧାଙ୍କୁ ପୃଥ୍ୱୀରାଜଙ୍କ ଅସମ୍ମାନ, ବିଜେଡି କହିଲା ଏଭଳି ସମୟରେ ରାଜନୀତି ଉଚିତ୍‌ ନୁହେଁ…

ଭୁବନେଶ୍ୱର: କୋଭିଡ ଯୋଦ୍ଧାଙ୍କୁ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନଙ୍କ ଅସମ୍ମାନ କରିବା ଘଟଣାରେ ପ୍ରତିକ୍ରିୟା ରଖିଛି ବିଜେଡି । ପୃଥ୍ୱୀରାଜଙ୍କ ଏଭଳି ବିବୃତ୍ତିକୁ ସମାଲୋଚନା କରିଛନ୍ତି ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଓ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା । କୋଭିଡ ଯୋଦ୍ଧାଙ୍କୁ ସମସ୍ତେ ସମ୍ମାନ ଦେବା ଉଚିତ । ଏହାକୁ ନେଇ ରାଜନୀତି କରାଯିବା ଉଚିତ ନୁହେଁ ବୋଲି ସେ କହିଛନ୍ତି । ଦଳମତ ନିର୍ବିଶେଷରେ ଏଭଳି ଉଦ୍ୟମକୁ ସମସ୍ତେ ସମର୍ଥନ କରିବା ଉଚିତ୍‌ ବୋଲି କହି ବିଜେପି ନେତାଙ୍କୁ ସମାଲୋଚନା କରିଛି ବିଜେଡି ।

ନିଜ ଦଳର ନେତା ତଥା ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରିଥିବା ପୃଥ୍ୱୀରାଜ, ରାଜ୍ୟ ସରକାରଙ୍କ ନିବେଦନକୁ ସମାଲୋଚନା କରିଛନ୍ତି । ତାଳି, ଥାଳି ଓ ଘଣ୍ଟପିଟାକୁ ସମର୍ଥନ କରିଥିବା ପୃଥ୍ୱୀ ଏବେ ନିରବ ପ୍ରାର୍ଥନାର କୌଣସି ଯଥାର୍ଥତା ନାହିଁ  ବୋଲି କହିଛନ୍ତି । ପୃଥ୍ୱୀରାଜ କହିଛନ୍ତି ଯେ, କୋଭିଡ ଯୋଦ୍ଧାଙ୍କ ପାଇଁ ନିରବ ପ୍ରାର୍ଥନାର କୌଣସି ଯଥାର୍ଥତା ନାହିଁ । କୋଭିଡ ଯୋଦ୍ଧାଙ୍କ ସମ୍ମାନ ପାଇଁ ଯଦି ନିରବ ପାର୍ଥନା କରାଯାଉଛି ତେବେ ଏହା ସ୍ୱାଗତ ଯୋଗ୍ୟ । କିନ୍ତୁ କୋଭିଡ ଯୋଦ୍ଧାଙ୍କ ମୃତ୍ୟୁ ବେଳେ ତାଙ୍କୁ ସମ୍ମାନ ଦିଆଯାଉନି । କୋଭିଡ ଯୋଦ୍ଧାଙ୍କ ସୁରକ୍ଷା ଲାଗି ଆଜି ପର୍ଯ୍ୟନ୍ତ ଚିନ୍ତା କରାଯାଉନି । ରାଜ୍ୟ ସରକାର ନିଜର ନୈତିକ ଦାୟିତ୍ୱ ଭୁଲି ଯଦି ଏଭଳି କରିବେ ତେବେ ଏହାଠୁ ବଳି ଦୁର୍ଭାଗ୍ୟଜନକ କଥା ଆଉ କିଛି ନାହିଁ । ଶପଥ ପାଠ ନାଁରେ କେବଳ କର୍ତ୍ତବ୍ୟ ସାରିଦେବାକୁ ଚେଷ୍ଟା କରୁଛନ୍ତି ସରକାର ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ  ।

Captain Dibya shankar Mish

ଅନ୍ୟପକ୍ଷରେ କୋଭିଡ ଯୋଦ୍ଧା ମାନଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨ମିନିଟ ନିରବ ପ୍ରାର୍ଥନା କରିବା ପ୍ରସଙ୍ଗକୁ ସମର୍ଥନ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ  । ସେ କହିଛନ୍ତି କୋଭିଡ ଯୋଦ୍ଧାମାନଙ୍କୁ ଯଦି ସମ୍ମାନ ଦେବାର ଅଛି ତା ହେଲେ ସମସ୍ତେ ଏକ ହେବା ଉଚିତ  । ବିକାଶର କ୍ଷେତ୍ରରେ ଆମେ ସମସ୍ତେ ଏକ ଅଛୁ  । ବିକାଶ ସମୟରେ ଦଳମତ ନିର୍ବିଶେଷରେ ସମସ୍ତେ ଉର୍ଧ୍ୱରେ ରହି କାମ କରିବାର ଅଛି ବୋଲି କହିଛନ୍ତି  ।  ବିକାଶର କୌଣସି ଦଳ ନଥାଏ । ଯଦି କରୋନା ଯୋଦ୍ଧା ମାନଙ୍କ ଉଦ୍ଦେଶ୍ୟରେ ସମ୍ମାନ ଦେବା ପାଇଁ ଏହି କାର୍ଯ୍ୟ ତେବେ ଏଥିରେ ସମସ୍ତେ ସାମିଲ ହେବାକୁ କହିଛନ୍ତି ଅପରାଜିତା  ।

Aparajita-Sarangi

ସେପଟେ ପୃଥ୍ୱୀରାଜଙ୍କର ଏପରି ଆଭିମୂଖ୍ୟକୁ ନେଇ କଡ଼ା ଜବାବ ରଖିଛନ୍ତି ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର । ମୁଖ୍ୟମନ୍ତ୍ରୀ କୌଣସି ଦଳର ନୁହନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ । ଏଭଳି କରୋନା ସମୟରେ କରୋନା ଯୋଦ୍ଧାଙ୍କ ମନୋବଳ ବଢେଇବା ପାଇଁ ଏବଂ ସମ୍ମାନ ଜଣାଇବା ପାଇଁ ଶପଥ ପାଠ ଓ ନିରବ ପ୍ରାର୍ଥନା କଲେ କିଛି ଅସୁବିଧା ନାହିଁ । ଏଥିରେ କୌଣସି ରାଜନୀତି ନାହିଁ । ଯିଏ ଯେଉଁ ଦଳର ହୁଅନ୍ତୁ ସମସ୍ତଙ୍କୁ ଆହ୍ଵାନ ଦିଆଯାଇଛି । ତେବେ ପ୍ରଶ୍ନ ଉଠୁଛି ପ୍ରଧାନମନ୍ତ୍ରୀଙ୍କ ତାଳି, ଥାଳି ଘଣ୍ଟ ବାଡେଇବାକୁ ସେ ସମର୍ଥନ କରି ପାଳନ କରିଥିଲେ  । ଏବେ ମୁଖ୍ୟମନ୍ତ୍ରୀଙ୍କ ନିବେଦନକୁ ଅଯଥାର୍ଥ କହିବା କେତେଦୂର ଠିକ ?

ସୁଶାନ୍ତଙ୍କ ମୃତ୍ୟୁ ମାମଲା ସିବିଆଇକୁ ହସ୍ତାନ୍ତର କରାଯିବା ପରେ କିଛି ଏଭଳି କହିଲେ ଅଙ୍କିତା

ନୂଆଦିଲ୍ଲୀ: ବୁଧବାର ସୁଶାନ୍ତ ସିଂହ ରାଜପୁତ ମାମଲାରେ ବଡ଼ ମୋଡ଼ ଆସିଛି । କେନ୍ଦ୍ର ସରକାର ଏହି ମାମଲାରେ ସିବିଆଇକୁ ହସ୍ତାନ୍ତର କରିଛନ୍ତି । ଏହାପରେ ସୁଶାନ୍ତ ମୃତ୍ୟୁକୁ ନେଇ ଲାଗିରହିଥିବା ସସପେନ୍ସ ଉପରୁ ପରଦା ଉଠାଇବ ସିବିଆଇ । ବିହାର ସରକାର ଏହି ମାମଲାର ତଦନ୍ତ ନେଇ କେନ୍ଦ୍ର ସରକାରଙ୍କ ନିକଟରେ ସୁପାରିସ କରିଥିଲେ । ଏଭଳି ପଦକ୍ଷେପ ପରେ ସୁଶାନ୍ତଙ୍କ ପ୍ରଶଂସକ ଆଶ୍ୱସ୍ତ ଅନୁଭବ କରିଛନ୍ତି ଏବଂ ମାମଲାର ନିରେପକ୍ଷ ତଦନ୍ତ ନେଇ ଆଶା ବ୍ୟକ୍ତ କରିଛନ୍ତି । ଅନ୍ୟ ପ୍ରଶଂସକଙ୍କ ସହ ସୁଶାନ୍ତଙ୍କ ପୂର୍ବତନ ପ୍ରେମିକା ଅଙ୍କିତା ଲୋଖଣ୍ଡେଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି ।

https://www.instagram.com/p/CDf_B_ZBSFU/?utm_source=ig_embed

ଇନ୍‌ଷ୍ଟାରେ ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଅଙ୍କିତା
ସୁଶାନ୍ତଙ୍କ ମାମଲା ସିବିଆଇକୁ ହସ୍ତାନ୍ତର କରାଯିବା ନେଇ ଘୋଷଣା କରାଯିବା ପରେ ଅଙ୍କିତା ଲୋଖଣ୍ଡେ ଇନଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ ସେୟାର କରି ନିଜ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ ଲେଖିଛନ୍ତି ଯେ, ଶେଷରେ ସେହି ସମୟ ଆସିଗଲା ଯାହାର ଅପେକ୍ଷା ଏତେ ଦିନ ଧରି ଲାଗିରହିଥିଲା । ଏବଂ କ୍ୟାପସନ୍‌ରେ କୃତଜ୍ଞତା ମଧ୍ୟ ପ୍ରକାଶ କରିଛନ୍ତି ଅଙ୍କିତା । ଅଙ୍କିତାଙ୍କ ଏହି ପୋଷ୍ଟରେ ଅନେକ ସେଲିବ୍ରିଟି ନିଜ ରିଆକସନ୍ ଦେଇଛନ୍ତି । ଅଭିନେତ୍ରୀ ଦିଲଜିତ କୈର ଲେଖିଛନ୍ତି ଏବେ ତ ଆରମ୍ଭ, ଆଗକୁ ସତ୍ୟ ସାମ୍ନାକୁ ଆସିବ । ସତ୍ୟମେବ୍ ଜୟତେ ।

୧୩୭ ନୂଆ ଆକ୍ରାନ୍ତ, ଜାଣନ୍ତୁ କେଉଁଠୁ କେତେ..?

ଭୁବନେଶ୍ୱର: ଭୁବନେଶ୍ୱରରେ ଦିନକୁ ଦିନ ଦ୍ରୁତ ଗତିରେ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ରାଜଧାନୀରେ ପୁଣି ୧୩୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ସେଥିମଧ୍ୟରୁ ୧୧୩ ଜଣ କ୍ୱାରେଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୨୪ ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ମନକୁ ଆଶ୍ୱାସନା ଦେବା ଭଳି ସୁସ୍ଥଙ୍କ ସଂଖ୍ୟା ମଧ୍ୟ ସାମ୍ନାକୁ ଆସୁଛି । ଗୋଟିଏ ପଟେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବା ବେଳେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି । ଭୁବନେଶ୍ୱରରେ ଆଜି ପୁଣି ୧୧୮ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଯାହା କି ଏକ ଭଲ ଖବର ବୋଲି କୁହାଯାଇପାରେ ।

ବର୍ତ୍ତମାନ ସୁଦ୍ଧା ଭୁବନେଶ୍ୱରରୁ ୩ ହଜାର ୩୫୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇସାରିଛନ୍ତି । ସେମାନଙ୍କ ମଧ୍ୟରୁ ୨ ହଜାର ୦୬୧ଜଣ ସୁସ୍ଥ ହୋଇଛନ୍ତି । ଏହାସହ ୧୮ଜଣଙ୍କର ମୃତ୍ୟୁ ଘଟିଛି । ଏବେ ୧୨୭୩ ଟି ମାମଲ ସକ୍ରିୟ ରହିଛି । ସେମାନେ କେଭିଡ୍‌ କେୟାର ସେଣ୍ଟରରେ ଚିକିତ୍ସିତ ହେଉଥିବା ଜଣାପଡ଼ିଛି ।