ଆଜି ରାଜ୍ୟରେ ଅନଲକ ୨.୦ର ପ୍ରଥମ ସଟଟାଉନ, ପୋଲିସ ଟାର୍ଗେଟରେ ଅମାନିଆ

1 min read

ଭୁବନେଶ୍ୱର: ଆଜି ରାଜ୍ୟରେ ଅନଲକ ୨.୦ ର ପ୍ରଥମ ସଟଟାଉନ । କରୋନା ସ୍ଥିତିକୁ ଦେଖି ରାଜ୍ୟର ୧୦ ଜିଲ୍ଲାରେ ଶନିବାର ଓ ରବିବାର ସଟଡାଉନ ପୂର୍ବବତ୍ତ ଲାଗୁ ରଖିବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି ।

ତେବେ ଏହି ତାଲିକାରେ ଯୋଡି ହୋଇଯାଇଛି ଆଉ ୬ ଜିଲ୍ଲା । ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକାକ୍ରମେ ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ ନିର୍ଦ୍ଦେଶନାମାନ ଜାରି କରାଯାଇଛି । ସେହିପରି କେନ୍ଦ୍ରାପଡା, ନୟାଗଡ, ବଲାଙ୍ଗୀର, ରାୟଗଡା ଓ ବରଗଡ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ସାପ୍ତାହିକ ୨ ଦିନିଆ ସଟଡାଉନ ଘୋଷଣା କରାଯାଇଛି । ତେଣୁ ଆଜିଠାରୁ ପୂର୍ବ ଘୋଷିତ ୧୦ ଜିଲ୍ଲା ସହିତ ଏହି ୬ ଜିଲ୍ଲାରେ ଜୁଲାଇ ୩୧ ଯାଏଁ ସାପ୍ତାହିକ ସଟଡାଉନ କଟକଣା ଜାରି ରହିବ ।

ସଟଡାଉନ୍ ଖଟି ମହଙ୍ଗା ପଡିଲା

ସେହିପରି ସଟଡାଉନ ସମୟରେ ଏକାଠି ହୋଇ ଖଟି କରିବା ମହଙ୍ଗା ପଡିଲା। ଜୟଦେବ ଭବନ ନିକଟରେ ଥିବା ଓମଫେଡ୍ ବୁଥ ସମ୍ମୁଖରେ ସଟଡାଉନ କଟକଣା ମାନିନଥିବା ଅଭିଯୋଗରେ ୯ ଜଣଙ୍କ ଠାରୁ ଜୋରିମାନା ଆଦାୟ କରିଛି କ୍ୟାପିଟାଲ ଥାନା ପୋଲିସ । ସେପଟେ ରାଜଧାନୀରେ ବୃଦ୍ଧି ପାଉଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ଅଗ୍ନିଶମ ବିଭାଗ ପକ୍ଷରୁ ଜାରିରହିଛି ବିଶୋଧନ ପ୍ରକ୍ରିୟା ।

ଭୁବନେଶ୍ୱର ମହାନଗର ନିଗମ ନିର୍ଦ୍ଦେଶରେ ବରମୁଣ୍ଡା, କଳ୍ପନା ଓ ଚନ୍ଦ୍ରଶେଖରପୁର ଶାଖା ପକ୍ଷରୁ ପର୍ଯ୍ୟାୟ କ୍ରମେ ଚାଲିଛି ବିଶୋଧନ ପ୍ରକ୍ରିୟା। ଆଜି ୟୁନିଟ-୧ ମାର୍କେଟ ଓ ହାଇସ୍କୁଲ ଏରିଆରୁ ଆରମ୍ଭ ହୋଇଥିବା ଏହି କାର୍ଯ୍ୟ ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରହିବ। ଅପରାହ୍ନରେ ଲୋକସେବା ଭବନ ସମେତ ଅନ୍ୟ ସରକାରୀ କାର୍ଯ୍ୟାଳୟକୁ କରାଯିବ ବିଶୋଧନ।

ପୁରୀରେ ଲାଗୁ ହେବନାହିଁ ସଟଡାଉନ୍

ତେବେ ଆଜି ତଥା ରବିବାର ପୁରୀରେ ଲାଗୁ ହେବନାହିଁ ସଟଡାଉନ୍ । କିନ୍ତୁ ଆସନ୍ତା ସପ୍ତାହ ଠାରୁ ଏହା ଲାଗୁ ହେବ । ୩୨ଟି ୱାର୍ଡରେ ୩୨ଟି ଟିମ ଘର ଘର ବୁଲି ରୋଗୀ ଚିହ୍ନଟ ଓ ସଚେତନ କରିବେ । ଆଜିଠାରୁ ୫ଟି ଟିମ ସହରରେ ବୁଲିବ । ଦୋକାନ ଓ ଠେଲା ଗାଡି ଯଦି କୋଭିଡ ୧୯ ନିୟମ ନମାନୁଥିବେ ସେମାନଙ୍କୁ ଫାଇନ କରାଯିବ ।

ମାସ୍କ ଓ ସାମାଜିକ ଦୂରତା ନମାନିଲେ ଫାଇନ କରାଯିବା ସହ କଡା ଆଭିମୁଖ୍ୟ ଦେଖାଇବ ପ୍ରଶାସନ । ଖାସକରି ହସ୍ପିଟାଲକୁ ସ୍ୱତନ୍ତ୍ର ନଜରରେ ରଖାଯାଇଛି । ଗୁରୁତର ରୋଗ ନହେଲେ ମେଡିକାଲ କୁ ନଆସିବାକୁ ନିବେଦନ କରିଛନ୍ତି ଜିଲ୍ଲାପାଳ । ଔଷଧ ଆବଶ୍ୟକ ହେଲେ ଟେଲି ମେଡ଼ିସିନ ନମ୍ବରରେ ଯୋଗାଯୋଗ କରିବାକୁ କହିଛନ୍ତି ଜିଲ୍ଲାପାଳ । ସଟଡାଉନ ସମୟରେ ଜରୁରୀ କାଳୀନ ସେବା ଯୋଗାଇବା ପାଇଁ ଜିଲ୍ଲାପ୍ରଶାସନ ପ୍ରସ୍ତୁତ ଥିବା କହିଛନ୍ତି ଜିଲ୍ଲାପାଳ ।

ସେହିପରି ଝାରସୁଗୁଡ଼ାରେ ୪୮ଘଣ୍ଟା ସଟଡାଉନ୍ । ୧୬ ଜିଲ୍ଲାରେ ଘୋଷଣା ହୋଇଥିବା ସଟଡାଉନ ଏଠାରେ ମଧ୍ୟ ବଳବତ୍ତର ରହିଛି । ସପ୍ତାହିକ ୨ଦିନ ଶନି ଓ ରବିବାର ସଟଡାଉନ୍ ହୋଇଥିବା ବେଳେ ସହରରେ ଗାଡ଼ି ଚଳାଚଳ ସମ୍ପୁର୍ଣ୍ଣ ଠପ୍ ରହିଛି । ଜରୁରୀ କାମ ନପଡ଼ିଲେ ଲୋକେ ଘରୁ ନବାହାରିବାକୁ ଜିଲ୍ଲାପ୍ରଶାସନ ପରାମର୍ଶ ଦେଇଛି । ଛକ ବଜାରରେ ପୋଲିସ ପଇଁତରା ମାରୁଥିବାର ଦେଖିବାକୁ ମିଳିଛି ।

Leave a Reply