ହୁସିଆର ବୁଲୁଛି 5T ଖଣ୍ଡା ! ଦୁର୍ନୀତି ଖୋରଙ୍କୁ ଦଣ୍ଡ ଦେବାରେ ଓଡ଼ିଶା ଆଗରେ…

1 min read
5T

ଭୁବନେଶ୍ୱର: ହୁସିଆର ବୁଲୁଛି 5T ଖଣ୍ଡା ! ସରକାରୀ କର୍ମଚାରୀଙ୍କ ସଚ୍ଚୋଟତା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ । ଲାଞ୍ଚୁଆଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ବିରୋଧରେ ମାମଲା ରୁଜୁ କ୍ଷେତ୍ରରେ ଓଡ଼ିଶା ଆଗରେ ।

5T ଓ ମୋ ସରକାର ବ୍ୟବସ୍ଥା ଲାଗୁ ପରେ ଦୁର୍ନୀତିଗ୍ରସ୍ତଙ୍କ ପିଠିରେ ସରକାରଙ୍କ ଛାଟ ବାଜିଛି । କାହାକୁ ବାଧ୍ୟତାମୂଳକ ଅବସର ତ ଆଉ କାହାକୁ ସରକାର ସସ୍‌ପେଣ୍ଡ କରିଛନ୍ତି । ଅନ୍ୟ ରାଜ୍ୟ ତୁଳନାରେ ଦୁର୍ନୀତି ବିରୋଧରେ ଓଡ଼ିଶା ସରକାରଙ୍କ ଆଭିମୁଖ୍ୟ ଆଗରେ ରହିଛି । ଏହି ରିପୋର୍ଟ ଦେଇଛି ନ୍ୟାସନ୍ୟାଲ କ୍ରାଇମ୍‌ ରେକର୍ଡ ବ୍ୟୁରୋ । ୨୦୧୮ରେ ଓଡ଼ିଶା ଦୁର୍ନୀତି ତାଲିକାର ଦ୍ୱିତୀୟ ସ୍ଥାନରେ ଥିଲା । ୨୦୧୯ରେ ପଞ୍ଚମ ସ୍ଥାନକୁ ଖସିଛି । ୨୦୧୯ରେ ୮୮ଟି ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ଓ ୧୫୧ଟି ଲାଞ୍ଚ ମାମଲା ରୁଜୁ ହୋଇଛି । ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନରେ ଦେଶରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି ଓଡ଼ିଶା ।

ରାଜ୍ୟରେ ବର୍ଷକ ମଧ୍ୟରେ ୯୯ଜଣ ବାବୁ 5T ଜାଲରେ ପଡ଼ିଛନ୍ତି । ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ବା ଜିରୋ ଟଲରାନ୍‌ସ ନୀତି ଗ୍ରହଣ କରିଛନ୍ତି ରାଜ୍ୟ ସରକାର। ୨୦୦୦ ମସିହାରେ ଓଡ଼ିଶାର ଶାସନ ଭାର ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ନୀତି ଗ୍ରହଣ କରିଛନ୍ତି ।

ନୈତିକତା ଓ ସଚ୍ଚୋଟତାର ନିକିତିରେ ଯିଏ ଏପଟ ସେପଟ କରିଛି, ତା’ ବିରୋଧରେ ହୋଇଛି ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ । ୨୦୧୯ ଅଗଷ୍ଟରୁ ଚଳିତବର୍ଷ ଅଗଷ୍ଟ ମାସ ମଧ୍ୟରେ ୬୦ଜଣ ଅଫିସରଙ୍କୁ ବହିଷ୍କାର କରାଯାଇଛି । ୧୭ ଜଣଙ୍କୁ ଦିଆଯାଇଛି ବାଧ୍ୟତାମୂଳକ ଅବସର । ୨୨ଜଣ ଅଫିସରଙ୍କ ଅବସରକାଳୀନ ପେନସନ ବନ୍ଦ କରାଯାଇଛି । ଆଇଏଏସ ଅଫିସର ବିଜୟ କେତନ ଉପାଧ୍ୟାୟଙ୍କୁ ଗିରଫ କରାଯାଇଥିଲା । ସେହିପରି ଚିଲିକା ଡିଏଫ୍‌ଓ ଏବଂ ରାଜସ୍ୱ ବିଭାଗ ଅତିରିକ୍ତ ସଚିବଙ୍କୁ ଭିଜିଲାନ୍‌ସ ଗିରଫ କରିଛି । ବହିଷ୍କୃତଙ୍କ ମଧ୍ୟରେ ୫ରୁ ଅଧିକ ଇଞ୍ଜିନିୟର, ପ୍ରଧାନଶିକ୍ଷକ, ରାଜସ୍ୱ ନିରୀକ୍ଷକ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଅଛନ୍ତି । କୋମନା ବିଡିଓ ଏବଂ ଲୋଇସିଂହା ତହସିଲଦାରଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।

ଉତ୍ତମ ଓ ସ୍ଵଚ୍ଛ ଶାସନକୁ ପ୍ରଶାସନିକ ବ୍ୟବସ୍ଥାର ମୁଖ୍ୟ ଆଧାର କରିବା ସହ 5T କୁ ଅକ୍ଷରେ ଅକ୍ଷରେ ପାଳନ କରିବାର ନିଷ୍ପତ୍ତି ସଫଳ ହେଉଛି ।

Leave a Reply