spot_img
Home Blog Page 6782

ବିଶ୍ୱବିଦ୍ୟାଳୟରେ ଶେଷ ବର୍ଷର ପରୀକ୍ଷାକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ: କରୋନା ଭୂତାଣୁ ବିପର୍ଯ୍ୟୟ ମଧ୍ୟରେ ସୁପ୍ରିମକୋର୍ଟଙ୍କ ବିଶ୍ୱବିଦ୍ୟାଳୟରେ ଶେଷ ବର୍ଷର ପରୀକ୍ଷାକୁ ନେଇ ବଡ଼ ରାୟ। ବିଶ୍ୱବିଦ୍ୟାଳୟରେ ଫାଇନାଲ ପରୀକ୍ଷା ହେବ ବୋଲି କହିଛନ୍ତି କୋର୍ଟ । ଯେଉଁ ରାଜ୍ୟ ମାନେ ବର୍ତ୍ତମାନ ସମୟରେ ପରୀକ୍ଷା କରାଇବାକୁ ସମର୍ଥ ନାହାନ୍ତି ସେମାନେ ୟୁଜିସିର ଗାଇଡଲାଇନ ମାନିବାକୁ କୋର୍ଟ ପରାମର୍ଶ ଦେଇଛନ୍ତି । ଫାଇନାଲ ପରୀକ୍ଷା ନକରି ଛାତ୍ରଛାତ୍ରୀଙ୍କୁ ପାସ କରାଯାଇପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରି ଦେଇଛନ୍ତି । ତେବେ କରୋନା ଦ୍ୱାରା ପ୍ରଭାବିତ ଅଞ୍ଚଳରେ କିଛି ରିହାତି ପ୍ରଦାନ କରାଯାଇପାରେ ବୋଲି କୋର୍ଟ କହିଛନ୍ତି । ଅଗଷ୍ଟ ୧୮ ରେ ବିଶ୍ୱବିଦ୍ୟାଳୟର ଅନ୍ତିମ ବର୍ଷ ପରୀକ୍ଷା କରିବା ପାଇଁ UGC ର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଆବେଦନ ଉପରେ କୋର୍ଟ ଏହି ରାୟ ସଂରକ୍ଷଣ କରିଥିଲେ ।

ସେପଟେ ୩୦ ସେପ୍ଟେମ୍ବର ଭିତରେ ପରୀକ୍ଷା ଶେଷ କରିବାକୁ ୟୁଜିସି ଦେଇଥିବା ନିର୍ଦ୍ଦେଶକୁ ମଧ୍ୟ କୋର୍ଟ ଗ୍ରୀନ ସିଗନାଲ ଦେଇଛନ୍ତି  । ଏପରି ନିଷ୍ପତ୍ତି ପରେ ଛାତ୍ରଛାତ୍ରୀ ମାନେ ଅସନ୍ତୁଷ୍ଟ ରହିଛନ୍ତି । ପୂର୍ବରୁ ଦେଶର ବିଭିନ୍ନ ବିଶ୍ୱବିଦ୍ୟାଳୟର ପ୍ରାୟ ୩୧ ଜଣ ଛାତ୍ର ସୁପ୍ରିମକୋର୍ଟରେ ଆବେଦନ କରି ଜୁଲାଇ ୬ ରେ UGC ଦ୍ୱାରା ଜାରି କରାଯାଇଥିବା ସଂଶୋଧିତ ନିର୍ଦ୍ଦେଶାବଳୀକୁ ବାତିଲ କରିବାକୁ ଦାବି କରିଥିଲେ । UGC ଏହାର ସଂଶୋଧିତ ନିର୍ଦ୍ଦେଶାବଳୀରେ ଦେଶର ସମସ୍ତ ବିଶ୍ୱବିଦ୍ୟାଳୟକୁ ୩୦ ସେପ୍ଟେମ୍ବର ପୂର୍ବରୁ ଅନ୍ତିମ ବର୍ଷ ପରୀକ୍ଷା ସାରିବାକୁ କହିଥିଲା । ଛାତ୍ରଛାତ୍ରୀମାନେ ସେମାନଙ୍କ ପିଟିସନରେ ଦାବି କରିଥିଲେ ଯେ ଅନ୍ତିମ ବର୍ଷର ପରୀକ୍ଷା ବାତିଲ କରାଯାଉ ଏବଂ ଛାତ୍ରଛାତ୍ରୀଙ୍କ ଫଳାଫଳକୁ ସେମାନଙ୍କ ପୂର୍ବ ପ୍ରଦର୍ଶନ ଆଧାରରେ ପ୍ରକାଶ କରାଯାଉ ।

ରାଜ୍ୟରେ ରେକର୍ଡ କରୁଛି କରୋନା ସଂକ୍ରମଣ, ଏକ ଲକ୍ଷ ଛୁଇଁବ ସଂକ୍ରମିତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ କରୋନା କାୟା ବଢ଼ିବାରେ ଲାଗିଛି । ପ୍ରତି ଦିନ କରୋନା ସଂକ୍ରମଣ ରାଜ୍ୟରେ ରେକର୍ଡ କରୁଛି । ଶୁକ୍ରବାର ରାଜ୍ୟରୁ ସର୍ବାଧିକ ୩ ହଜାର ୬୮୨ ଜଣ କରୋନା ସଂକ୍ରମି ଚିହ୍ନଟ ହୋଇଛନ୍ତି । କିଛି ଦିନ ହେବ ଲଗାତାର କରୋନା ତାର ଗୋଟିଏ ପରେ ଗୋଟିଏ ରେକର୍ଡ ଭାଙ୍ଗିବାରେ ବ୍ୟସ୍ତ । କ୍ୱାରେଣ୍ଟାଇନ ସେଣ୍ଟରରୁ ୨୨୪୧ ଜଣ ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୪୪୧ ଜଣଙ୍କର ରହିଛି ଲୋକାଲ କଣ୍ଟାକ୍ଟ । ତେବେ ନୂଆ ସଂକ୍ରମଣ ଚିହ୍ନଟ ହେବା ପରେ ୯୪ ହଜାର ୬୬୮ରେ ପହଞ୍ଚିଛି ମୋଟ ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରେ ଏପର୍ଯ୍ୟନ୍ତ ୧୬ ଲକ୍ଷ ୧୨ ହଜାର ୯୭ କରୋନା ଟେଷ୍ଟ ହୋଇଛି । ୬୫ ହଜାର ୩୨୪ ଜଣ ସୁସ୍ଥ ହୋଇଥିବା ବେଳେ ୨୮ ହଜାର ୮୩୬ ଜଣ ଏବେ ସକ୍ରିୟ ରହିଛନ୍ତି ।

୩୦ ଜିଲ୍ଲାରୁ ୩୬୮୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେମାନଙ୍କର ମଧ୍ୟରୁ ଆଜି ରେକର୍ଡ କରିଛି ଖୋର୍ଦ୍ଧା । କାରଣ ଖୋର୍ଦ୍ଧାରେ ବାକି ସବୁ ଜିଲାଙ୍କଠାରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ଦିନକରେ ସର୍ବାଧିକ ୭୭୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କଟକରୁ ୩୬୯ ଏବଂ ରାୟଗଡ଼ାରୁ ୪୯୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି ୩ଟି ସ୍ଥାନରୁ ସର୍ବାଧିକ କରୋନା ଚିହ୍ନନ ହୋଇଛନ୍ତି । ସେହିଭଳି ଅନୁଗୁଳରୁ ୫୬, ବାଲେଶ୍ୱରରୁ ୮୭, ବରଗଡ଼ରୁ ୧୫୨, ଭଦ୍ରକରୁ ୫୧, ବଲାଙ୍ଗିରରୁ ୬୮, ବୌଦ୍ଧରୁ ୧୪, ଦେବଗଡ଼ରୁ ୧୨, ଢ଼େଙ୍ଗାନାଳରୁ ୬୧, ଗଜପତିରୁ ୪୮, ଗଞ୍ଜାମରୁ ୧୭୪, ଜଗତସିଂହପୁରରୁ ୪୪, ଯାଜପୁରରୁ ୮୮, ଝାରସୁଗୁଡ଼ାରୁ ୪୩, କଳାହାଣ୍ଡିରୁ ୪୧, କନ୍ଧମାଳରୁ ୩୬, କେନ୍ଦ୍ରାପଡ଼ାରୁ ୪୪, କେନ୍ଦୁଝରରୁ ୫୯, କୋରାପୁଟରୁ ୧୪୦, ମାଲକାନାଗିରିରୁ ୮୬, ମୟୂରଭଞ୍ଜରୁ ୨୭୨, ଅବରଙ୍ଗପୁରରୁ ୩୮, ନୟାଗଡ଼ରୁ ୧୦୯, ନୂଆପଡ଼ାରୁ ୨୩, ପୁରୀରୁ ୧୧୫, ସମ୍ବଲପୁରରୁ ୧୨୮, ସୋନପୁରରୁ ୨୭, ସୁନ୍ଦରଗଡ଼ରୁ ୨୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ବିଦ୍ୟାଶ୍ରୀଙ୍କୁ ୫ ଘଣ୍ଟାର ଜେରା ପରେ ଲାଏ ଡିଟେକ୍ସନ ଟେଷ୍ଟର ସମ୍ମୁଖିନ ହେବେ ଆଦିତ୍ୟଙ୍କ ୩ ସହଯୋଗୀ

ଭୁବନେଶ୍ୱର: ଅଧିକରୁ ଅଧିକ ଜଟିଳ ହେବାରେ ଲାଗିଛି ଆଦିତ୍ୟ ଦାଶ ମୃତ୍ୟୁ ମାମଲା । ବୁଢ଼ିଆଣି ଜାଲ ଭଳି ଚନ୍ଧି ହୋଇଛି ଆଦିତ୍ୟ ଦାଶଙ୍କ ମୃତ୍ୟୁ ରହସ୍ୟ । ତେବେ ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାରେ ତଦନ୍ତ ଜୋରଦାର କରିଛି କ୍ରାଇମବ୍ରାଞ୍ଚ । ଗତକାଲି ଆଦିତ୍ୟଙ୍କ ପତ୍ନୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରାଯାଇଥିଲା । ଏହା ପରେ ଆଜି ୩ ଜଣଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରୁଛି କ୍ରାଇମବ୍ରାଞ୍ଚ । ପିପୁଲ ଫର ସେବାର ସଦସ୍ୟ ପପୁ, ବିକାଶ, ଦୀପକଙ୍କର ଟେଷ୍ଟ କରାଯାଉଛି । ଲାଏ ଡିଟେକ୍ସନ ଟେଷ୍ଟର ଆଜି ହେଉଛି ଦ୍ୱିତୀୟ ଦିନ ।

ଆଦିତ୍ୟଙ୍କ ୩ ଜଣ ସାଙ୍ଗଙ୍କ ପ୍ରଶ୍ନ କରିବା ପାଇଁ ସ୍ୱତନ୍ତ୍ର ଭାବେ ପ୍ରଶ୍ନ ପ୍ରସ୍ତୁତ କରାଯାଇଛି । ୩ ଜଣଙ୍କୁ ଗୋଟିଏ ପରେ ଗୋଟଏ ପ୍ରଶ୍ନ ପଚାରିବ ସ୍ପେଶାଲ ଟିମ୍‌ । ସତ ମିଛର ପରୀକ୍ଷା ଆଜି କରାଯିବ । ଫୋରେନସିକ୍‌ ଟିମ୍‌ ତାର ଏକ୍ସପର୍ଟ ଏବଂ ଆଇଓ ରହିଛନ୍ତି । ସେପଟେ ଗତକାଲି  ବିଦ୍ୟାଶ୍ରୀଙ୍କୁ ୫ଘଣ୍ଟାର ଜେରା ବେଳେ ୫୦ ପ୍ରଶ୍ନ ପଚାରିଥିଲା କ୍ରାଇମବ୍ରାଞ୍ଚ । ବୟାନରେ ତାଳମେଳ ନରହିବାରୁ ପତ୍ନୀ ବିଦ୍ୟାଶ୍ରୀଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରିଥିଲା କ୍ରାଇମବ୍ରାଞ୍ଚ । ରାଜ୍ୟ ଫୋରେନସିକ୍ ଲ୍ୟାବ୍‌ରେ ୫ଦିଗକୁ ନେଇ ଗୁଡ଼େଇତୁଡ଼େଇ ପ୍ରଶ୍ନ ପଚାରିଥିଲା ସ୍ପେଶାଲ୍ ଇନଭେଷ୍ଟିଗେନ୍ ଟିମ୍ ।

୨୪ ଘଣ୍ଟା ମଧ୍ୟରେ ଭାରତରୁ ସର୍ବାଧିକ କରୋନା ସଂକ୍ରମିତ ଚିହ୍ନଟ, ୭୭ ହଜାର ୨୬୬ ନୂଆ ସଂକ୍ରମିତ

ନୂଆଦିଲ୍ଲୀ: ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ରେକର୍ଡ ସଂଖ୍ୟକ ୭୭,୨୬୬ ଟି ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ହେଉଛି ଦିନକରେ ଦେଶରେ ଚିହ୍ନଟ ହୋଇଥିବା ସବୁଠାରୁ ଅଧିକ ସଂକ୍ରମିତଙ୍କ ସଂଖ୍ୟା । ଏହା ପୂର୍ବରୁ ଗୋଟିଏ ଦିନରେ ଏତେ ସଂଖ୍ୟକ ସଂକ୍ରମିତ କେବେ ବାହାରି ନଥିଲେ ।   ଏହା ବ୍ୟତୀତ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧ ହଜାର ୫୭ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି । ଦେଶରେ ସମୁଦାୟ କରୋନା ମାମଲା ୩୩ ଲକ୍ଷ ୮୭ ହଜାର ୫୦୧ ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରେ ୭ ଲକ୍ଷ ୪୨ ହଜାର ୦୨୩ଟି ମାମଲା ସକ୍ରିୟ ରହିଛି । ଏବଂ ୨୫ ଲକ୍ଷ ୮୩ ହଜାର ୯୪୮ ଲୋକ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେପଟେ ଦେଶରେ କରୋନା ପାଇଁ ୬୧ ହଜାର୫୨୯ ଲୋକ ପ୍ରାଣ ହରାଇଛନ୍ତି ।

ରାଜଧାନୀ ଦିଲ୍ଲୀରେ ଗୋଟିଏ ଦିନର ସର୍ବାଧିକ ୧୮୪୦ ମାମଲା ଗୁରୁବାର ରିପୋର୍ଟ ହୋଇଛି । ଏହା ସହିତ ସହରରେ ସମୁଦାୟ ମାମଲା ୧.୬୭ ଲକ୍ଷରୁ ଅଧିକ ହୋଇଥିବାବେଳେ ଏହି ମହାମାରୀ ଯୋଗୁଁ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ୪,୩୬୯ କୁ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୨ ଜଣଙ୍କର ମୃତ୍ୟୁ ହୋଇଛି ।

ସେପଟେ କେନ୍ଦ୍ର ମନ୍ତ୍ରୀ କୃଷ୍ଣପାଲ ଗୁର୍ଜାର କରୋନା ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡିଛି । ଏହି ମାସ ଆରମ୍ଭରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା, ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଆୟୁଷ ମନ୍ତ୍ରୀ ଶ୍ରୀପଦ ନାୟକ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଏବଂ ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଥିଲେ । ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, ରାଜ୍ୟସଭା ବାଚସ୍ପତି ଜୟନଚାନ୍ଦ ଗୁପ୍ତା, ପରିବହନ ମନ୍ତ୍ରୀ ମଲଚାନ୍ଦ ଶର୍ମା ଏବଂ କୃଷି ମନ୍ତ୍ରୀ ଜେପି ଡାଲାଲଙ୍କ ସମେତ ହରିୟାଣାର ୮ ଜଣ ବିଜେପି ନେତା ମଧ୍ୟ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି।

ବଢୁଛି ସୁବର୍ଣ୍ଣରେଖା ରାଜଘାଟରେ ଟପିଲା ବିପଦ ସଂକେତ, ବାଲିଆପାଳ ବ୍ଲକର ବିଭିନ୍ନ ଗାଁ ପାଣି ଘେରରେ

ଭୁବନେଶ୍ୱର: ଲଗାଣ ବର୍ଷାରେ ବେହାଲ ରାଜ୍ୟ । ପ୍ରବଳ ବର୍ଷା କାରଣରୁ ଜଳ ବନ୍ଦୀରେ ଅଧା ଓଡ଼ିଶା । ଲଗାଣ ବର୍ଷା କାରଣରୁ ସେପଟେ ବୈତରଣୀ, ବୁଢାବଳଙ୍ଗ ଓ ଜଳକା ନଦୀରେ ଉପୁଜିଛି ବନ୍ୟାସ୍ଥିତି । ସେହିପରି ସୁବର୍ଣ୍ଣରେଖା ଓ ବ୍ରାହ୍ମଣୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ରହିଛି । ତେବେ ବର୍ଷା କାରଣରୁ ଅନ୍ୟପଟେ ୩ ଦିନରେ ୭ ଜଣଙ୍କ ମୃତ୍ୟୁ ହୋଇଛି ।

ଲଗାଣ ବର୍ଷା କାରଣଣୁ ବଢୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଯାହାଫଳରେ ଖୋଲିଲା ଆଉ ୪ ସ୍ଲୁଇସ ଗେଟ୍ । ଏବେ ୨୪ଟି ସ୍ଲୁଇସଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ । ହୀରାକୁଦ ଜଳଭଣ୍ଡାରର ବିପଦ ସଂକେତ ୬୩୦ ଫୁଟ ଥିବା ବେଳେ ଏବେ ଜଳସ୍ତର ୬୨୪.୨୭ ଫୁଟରେ ପହଁଚିଛି । ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୬ଲକ୍ଷ ୫୬ହଜାର ୦୦୬ କ୍ୟୁସେକ ବନ୍ୟାଜଳ ପ୍ରବେଶ କରୁଥିବା ବେଳେ ପ୍ରତି ସେକେଣ୍ଡରେ ୩ଲକ୍ଷ ୩୫ହଜାର ୬୫୮ କ୍ୟୁସେକ ବନ୍ୟାଜଳ ନିଷ୍କାସିତ ହେଉଛି । ବର୍ତମାନ ହୀରାକୁଦ ଜଳଭଣ୍ଡାରର ବାମ ପର୍ଶ୍ୱରୁ ୧୬ ଓ ଦକ୍ଷିଣ ପର୍ଶ୍ୱରୁ ୮ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ ।

ସେହିପରି ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ବିପଦ ସଙ୍କେତ ଉପରେ ସୁବର୍ଣ୍ଣରେଖା । ଉପରମୁଣ୍ଡ ଝାଡଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ରାଜଘାଟ ଠାରେ ବିପଦ ସଙ୍କେତ ଟପିଛି । ରାଜଘାଟ ଠାରେ ବିପଦ ସଙ୍କେତ ୧୦ ଦଶମିକ ୩୬ ମିଟର ଥିବାବେଳେ, ୧୦ ଦଶମିକ ୯୦ ମିଟରରେ ଜଳ ପ୍ରବାହିତ ହେଉଛି । ଫଳରେ ବାଲିଆପାଳ-ବିଷ୍ଣୁପୁର ରାସ୍ତାରେ ୩ଫୁଟର ପାଣି ଚାଲୁଛି । ବାଲିଆପାଳ ବ୍ଲକର ଅସ୍ତି, କୁଡ଼ମାନସିଂ, ମଧୁପୁରା, ବିଷ୍ଣୁପୁର, ଗୁଣାପୁର ଅଞ୍ଚଳରେ ପାଣି ପଶିଛି । ତଳିଆ ଅଞ୍ଚଳରୁ ୨୫୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ସମ୍ଭାବ୍ୟ ସ୍ଥିତିକୁ ନଜରରେର ପ୍ରଶାସନ ପକ୍ଷରୁ ଶୁଖିଲା ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରସ୍ତୁତ ରଖାଯାଇଛି । ସେହିଭଳି ତିଗିରିଆ ବ୍ଲକର ଚଷାଆଁରା ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ଗାଁକୁ ଯୋଗାଯୋଗ କରୁଥିବା ରାସ୍ତା ଉପରେ ୪ଫୁଟର ବନ୍ୟା ଜଳ ଏବ ଚାଲୁଛି । ମହାନଦୀରେ ଜଳସ୍ତର ବଢ଼ିବା କାରଣରୁ ବନ୍ୟା ଘେରରେ ରହିଛନ୍ତି ଉତ୍ତରବାଙ୍କୀ ବ୍ଲକର  ୬ଟି ଓ ତିଗିରିଆର ଗୋଟିଏ ପଞ୍ଚାୟତର ଲୋକେ ।

ବନ୍ୟା ପ୍ରଭାବିତ ଅଞ୍ଚଳରେ ମଧ୍ୟ ଉଦ୍ଧାର କାର୍ଯ୍ୟ ଚାଲୁରହିଛି । ଭଦ୍ରକର ଭଣ୍ଡାରୀପୋଖରୀ ବ୍ଲକ ଷୋଳମପୁରରେ ବନ୍ୟାଘେରରେ ଫସିଥିବା ୨ ଭାଇଙ୍କୁ ଉଦ୍ଧାର କଲା ଏନଡିଆରଏଫ ଟିମ୍ । ଗତକାଲି ବିଳମ୍ବିତ ରାତିରେ ପ୍ରାୟ ୨ ଘଣ୍ଟାର ଅପରେସନ ପରେ ୨ ଭାଇଙ୍କୁ ଉଦ୍ଧାର କରାଯାଇଛି । ବୈତରଣୀର ବନ୍ୟା ପାଣିରେ ଷୋଳମପୁର ଜଳବନ୍ଦୀ ହୋଇଥିବା ବେଳେ ବଲଭୀଘାଟ ଠାରେ ୨ ଭାଇ ଫସି ରହିଥିଲେ । ଏନେଇ ବିଡିଓଙ୍କୁ ଯୋଗଯୋଗ କରିବା ପରେ ଏନଡିଆରଏଫ ଟିମ ଉଭୟଙ୍କୁ ଉଦ୍ଧାର କରିଥିଲା ।

ବିଶ୍ୱରେ କରୋନା ସଂକ୍ରମଣ ୨ କୋଟି ୪୬ ଲକ୍ଷ ପାର, ଗତ ୨୪ ଘଣ୍ଟାରେ ଗଲାଣି ୬ ହଜାର ଲୋକଙ୍କ ଜୀବନ

ନୂଆଦିଲ୍ଲୀ: କରୋନା ଭାଇରସର ଜାଲରେ ସମଗ୍ର ବିଶ୍ୱ ଦିନକୁ ଦିନ ଅଧିକରୁ ଅଧିକ ଛନ୍ଦି ହେବାରେ ଲାଗିଛି । ପରିସ୍ଥିତି ସୁଧୁରିବା ପରିବର୍ତ୍ତେ ଅଧିକ ବିଗିଡ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ବିଶ୍ୱରେ ୨ ଲକ୍ଷ ୬୩ ହଜାର ୩୩୩ ଟି ନୂଆ ମାମଲା ରୁଜୁ ହୋଇଛି । ଏବଂ ୫ ହଜାର ୮୭୯ ଲୋକ ପ୍ରାଣ ହରାଇଛନ୍ତି । ତେବେ ବର୍ତ୍ତମାନ ସମଗ୍ର ବିଶ୍ୱରେ ୨ କୋଟି ୪୬ ଲକ୍ଷ ୫ ହଜାର ୮୭୬ ଲୋକ ସଂକ୍ରମିତ ହୋଇଛନ୍ତି । ଏଥିମଧ୍ୟରୁ ୮ ଲକ୍ଷ ୩୪ ହଜାର ୭୯୧ ଲୋକ ପ୍ରାଣ ହରାଇଛନ୍ତି । ସବୁଠାରୁ ବଡ଼ କଥା ହେଉଛି ସଂକ୍ରମିତର ଭୟ ଭିତରେ ସୁସ୍ଥ ସଂଖ୍ୟା ଆଶ୍ୱସ୍ତି ଦେଉଛି । ବିଶ୍ୱରେ ୧ କୋଟି ୭୦ ଲକ୍ଷ ୭୭ ହଜାର ୯୭ ଲୋକ ମଧ୍ୟ ସୁସ୍ଥ ହୋଇଛନ୍ତି । ଯଦିଓ ସମଗ୍ର ବିଶ୍ୱରେ ୬୬ ଲକ୍ଷ ୯୩ ​​ହଜାର ୯୮୮ ସକ୍ରିୟ ମାମଲା ଅଛି |

କରୋନା ଦ୍ୱାରା ଅଧିକ ପ୍ରଭାବିତ ଦେଶ ତାଲିକାରେ ଆମେରିକା ପ୍ରଥମ ସ୍ଥାନରେ ରହିଛି । ବର୍ତ୍ତମାନ ସୁଦ୍ଧା ୬୦ ଲକ୍ଷରୁ ଅଧିକ ଲୋକ ସଂକ୍ରମଣର ଶିକାର ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ଆମେରିକାରେ ୪୬ ହଜାରରୁ ଅଧିକ ନୂଆ ମାମଲା ଆସିଛି । ଏଥି ସହିତ ବ୍ରାଜିଲରେ ୨୪ ଘଣ୍ଟାରେ ୪୨ ହଜାର ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯଦି ଦେଖିବା ଭାରତରେ ପ୍ରତିଦିନ ସର୍ବାଧିକ ସଂଖ୍ୟକ କରୋନା ମାମଲା ଆସୁଛି ।

ବିଶ୍ୱର ୨୨ ଟି ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷରୁ ଅଧିକ ହୋଇଛି । ଏଥିମଧ୍ୟରେ ଇରାନ, ପାକିସ୍ଥାନ, ତୁର୍କୀ, ସାଉଦି ଆରବ, ଇଟାଲୀ, ଜର୍ମାନୀ ଏବଂ ବାଂଲାଦେଶ ଭଳି ଦେଶ ଅନ୍ତର୍ଭୁକ୍ତ ରହିଛନ୍ତି । ଦୁନିଆରେ ୬୦ ପ୍ରତିଶତ ଲୋକ କେବଳ ୬ ଟି ଦେଶରେ ପ୍ରାଣ ହରାଇଛନ୍ତି । ଏହି ଦେଶଗୁଡ଼ିକ ହେଉଛି ଆମେରିକା, ବ୍ରାଜିଲ, ମେକ୍ସିକୋ, ଭାରତ, ବ୍ରିଟେନ, ଇଟାଲୀ । ତେବେ ଭାରତ କରୋନା ସଂକ୍ରମିତଙ୍କ ତାଲିକାରେ ବିଶ୍ୱରେ ୩ୟ ସ୍ଥାନରେ ରହିଛି । ସେହିପରି ସର୍ବାଧିକ ମୃତ୍ୟୁ ସଂଖ୍ୟାରେ ଭାରତ ବିଶ୍ୱରେ ଚତୁର୍ଥ ସ୍ଥାନରେ ରହିଛି ।

ରୋଗ ପ୍ରତିରୋଧକ କ୍ଷମତାକୁ ଜାଣିବା ପାଇଁ ଭୁବନେଶ୍ୱରରେ ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବାରୁ ରାଜ୍ୟ ସରକାର ବିଭିନ୍ନ ପ୍ରକାରର ପଦକ୍ଷେକ ମାନ ନେଉଛନ୍ତି । କେମିତି ରାଜ୍ୟରୁ କରୋନା ସଂକ୍ରମଣକୁ ପ୍ରତିହତ କରାଯାଇ ପାରିବ ସେନେଇ କରୋନା ବିରୋଧି କାର୍ଯ୍ୟ ମଧ୍ୟ ପ୍ରତି ସମୟରେ କରୁଛନ୍ତି । ତେବେ ଆଜିଠୁ ଭୁବନେଶ୍ୱରରେ ଆରମ୍ଭ ହେବ ଦ୍ୱିତୀୟ ପର୍ଯ୍ୟାୟ ସେରୋ ସର୍ଭେ । ରାଜଧାନୀର ୨୫ଟି ଓ୍ୱାର୍ଡରେ ସେରୋ ସର୍ଭେଲାନ୍ସ କରାଯିବ । ନାଗରିକଙ୍କ ରୋଗ ପ୍ରତିରୋଧକ କ୍ଷମତାକୁ ଜାଣିବା ପାଇଁ ଏହି ସର୍ଭେ କରାଯିବ ।

ଏଥିପାଇଁ ୫ଟି ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ କରାଯାଇଛି । ଏହି ସବୁ ଟିମ୍‌  ବିଭିନ୍ନ ସ୍ଥାନରୁ ନମୂନା ସଂଗ୍ରହ କରିବେ । ଦ୍ୱିତୀୟ ପର୍ଯ୍ୟାୟରେ ୧୫ଶହ ଜଣଙ୍କ ନମୂନା ସଂଗ୍ରହ କରିବାର ଲକ୍ଷ୍ୟ ରଖାଯାଇଛି । ବିଏମସି ଓ ଆରଏମଆରସିର ମିଳିତ ଟିମ୍ ଏହି ସର୍ଭେ କରିଥିଲେ । ତେବେ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରର ସ୍ଥିତି ଭଲ ରହିଥିଲା । ସହରରେ ସଂକ୍ରମଣର ସ୍ଥିତି ଓ ରୋଗ ପ୍ରତିରୋଧକ ସ୍ଥିତିର ସମୀକ୍ଷା କରିବାକୁ ସେରୋ ସର୍ଭେ କରାଯାଉଥିବା ବିଏମସି କମିଶନର ପ୍ରେମଚାନ୍ଦ ଚୌଧୁରୀ ସୂଚନା ଦେଇଛନ୍ତି  ।

ପ୍ଲାଜମା ପାଇଁ ରାଜ୍ୟରେ ୦.୫% କମ୍ ହୋଇଛି ମୃତ୍ୟୁହାର, ୪୦ ଦିନ ଭିତରେ ରାଜ୍ୟରେ ୬ଟି ପ୍ଲାଜମା ବ୍ୟାଙ୍କର ପ୍ରତିଷ୍ଠା

ଭୁବନେଶ୍ୱର: କରୋନାକୁ ମୂଳପୋଛ କରିବାରେ ସହାୟକ ହେଉଛି ପ୍ଲାଜମା ଚିକତ୍ସା । ପ୍ଲାଜମା ଚିକିତ୍ସା ଦ୍ୱାରା ରାଜ୍ୟରେ ମୃତ୍ୟୁହାର ୦.୫% କମ୍ ହୋଇଛି । ଫଳରେ ଏହାର ଗରୁତ୍ୱକୁ ଦେଖି ୪୦ ଦିନ ଭିତରେ ସାରା ରାଜ୍ୟରେ ୬ଟି ପ୍ଲାଜମା ବ୍ୟାଙ୍କର ପ୍ରତିଷ୍ଠା କରାଯାଇଛି । ଜୁଲାଇ ୧୫ରେ ପ୍ରଥମ ପ୍ଲଜମା ବ୍ୟାଙ୍କ SCBରେ ପ୍ରତିଷ୍ଠା କରାଯାଇଥିଲା । ଏହାପରେ ଭୁବନେଶ୍ୱରର କ୍ୟାପିଟାଲ ହସପିଟାଲ, ରାଉରକେଲାର IGH, ବ୍ରହ୍ମପୁରର MKCG, ବୁର୍ଲାର VIMSAR, କୋରାପୁଟର SLN MC &Hରେ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା କରାଯାଇଛି ।

ବାଲେଶ୍ୱରର FM-MCHରେ ପ୍ଲାଜମା ସଂଗୃହିତ କେନ୍ଦ୍ର ଖୋଲାଯାଇଛି । ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ ପାଇଁ ଏହି ପ୍ଲାଜମା ସଂଗୃହିତ କେନ୍ଦ୍ର ଖୋଲାଯାଇଛି । ସାରା ରାଜ୍ୟରେ ଏପର୍ଯ୍ୟନ୍ତ ସଂଗୃହିତ ହୋଇଛି ୫୫୯ ୟୁନିଟ ପ୍ଲାଜମା । ତେବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଗୁରୁତର କରୋନା ରୋଗୀଙ୍କୁ ପ୍ଲାଜମା ଥେରାପି ଦିଆଯାଉଛି । ଏପର୍ଯ୍ୟନ୍ତ ୪୮୨ କରୋନା ରୋଗୀଙ୍କୁ ପ୍ଲାଜମା ଥେରାପି ଦିଆଯାଇଛି । ଏହି ଥେରାପି ଯୋଗୁ ୬୩ ଜଣ କରୋନା ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟପଟେ ରାଉରକେଲା IGHରେ  ଆଣ୍ଟିବଡି ସ୍ତରର ପରୀକ୍ଷା ପାଇଁ ସରକାରଙ୍କ ଯୋଜନା କରିଛନ୍ତି  । ଆଗକୁ ରାଜ୍ୟରେ ଆହୁରି ପ୍ଲାଜମା ବ୍ୟାଙ୍କର ବୃଦ୍ଧି କରିବା ପାଇଁ ଲକ୍ଷ ରଖିଛନ୍ତି ରାଜ୍ୟସରକାର ।

5 ‘T’ ପାଇଁ ଜାତୀୟ ସ୍ତରୀୟ ସମ୍ମାନ ପାଇଲା ଓଡ଼ିଶା

0

ଭୁବନେଶ୍ୱର : ପୁଣି ଥରେ ଓଡିଶାକୁ ଜାତୀୟ ସ୍ତରରେ ମିଳିଛି ସୁନାମ । 5T ପରସମଣୀ ଦ୍ୱାରା ପରିଚାଳିତ ପ୍ରଶାସନକୁ ମିଳିଛି ଦୁଇଟି ଟେକ୍ ସଭା ପୁରସ୍କାର । କୋଭିଡ ଡ୍ୟାସବୋର୍ଡ ଓ ଇଣ୍ଟିଗ୍ରେଟେଡ ଲିଗାଲ ମନଟରିଂ ସିଷ୍ଟମ ବା ଆଇଏଲଏମଏସ ପାଇଁ ରାଜ୍ୟକୁ ଏହି ପୁରସ୍କାର ମିଳିଛି । ଟିମ୍ ୱାର୍କ, ଟେକ୍ନୋଲୋଜି, ଟ୍ରାନ୍ସପାରେନ୍ସି ଓ ସମୟାନୁବର୍ତ୍ତିତା ଏହି ମନ୍ତ୍ରକୁ ନେଇ କାର୍ଯ୍ୟ କରୁଛି ପୂରା ପ୍ରଶାସନ । ବିଭିନ୍ନ ବିଭାଗରେ ଫଇସଲା ଅପେକ୍ଷାରେ ଥିବା ମାମଲାଗୁଡିକୁ ତ୍ୱରାନ୍ୱିତ କରିବାକୁ ୧୨ଟି ବିଭାଗରେ ଆଇଏଲଏମଏସ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରଥମେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ କରିଥିଲା । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ଦୈନିକ ୧୦ଟି ହାରରେ ବାର୍ଷିକ ହାରାହାରି ୩ହଜାର ମାମଲା ରୁଜୁ ହେଉଛି ।

୨୦୧୭ରେ ବିଦ୍ୟାଳୟ ଗଣଶିକ୍ଷା ବିଭାଗ ସମ୍ପର୍କିତ ୮୦ହଜାର ମାମଲା ପଡି ରହିଥିଲା । ଆଇଏଲଏମଏସ ବ୍ୟବସ୍ଥା ଲାଗୁ ହେବା ପରେ ବକେୟା ମାମଲା ସଂଖ୍ୟା ୨୪ ହଜାରକୁ ହ୍ରାସ ପାଇଛି । ଏହି ଅନଲାଇନ ବ୍ୟବସ୍ଥା ରାଜ୍ୟର ବିଭିନ୍ନ ବିଭାଗରେ ଫଇସଲା ହୋଇନପାରି ପଡିରହିଥିବା ମାମଲାର ସ୍ଥିତି, ଏହି ସବୁ ମାମଲାର ପରିଚାଳନାରେ ସ୍ବଚ୍ଛତା ଏବଂ ଆନ୍ତଃବିଭାଗୀୟ ସମନ୍ବୟ ରକ୍ଷା ସହଜ ହେଉଛି । ସେହିଭଳି ଓଡିଶାର କରୋନା ସଂକ୍ରମଣ ସମ୍ପର୍କିତ ତଥ୍ୟର ପରିଚାଳନା ପାଇଁ କୋଭିଡ ଡ୍ୟାସବୋର୍ଡ ବିଶ୍ବ ସ୍ତରରେ ପୁରସ୍କୃତ ହୋଇଛି ।

ଏହି ଡ୍ୟାସବୋର୍ଡ ସରକାରଙ୍କୁ ସଂକ୍ରମଣକୁ ଟ୍ରାକ କରିବାରେ ସହାୟକ ହେଉଛି । ଏହା ଦ୍ୱାରା ସମ୍ବେଦନଶୀଳ ଜନସଂଖ୍ୟାକୁ ଚେକ୍ କରିବା ଏବଂ ସାମାଜିକ ଦୂରତାକୁ ସୁନିଶ୍ଚିତ କରିବାରେ ସହାୟକ ହେଉଛି । ଏହାଦ୍ବାରା ପ୍ରଶାସନିକ ଯୋଜନା ପ୍ରସ୍ତୁତି ଏବଂ ମୃ୍ତ୍ୟୁହାରକୁ ରୋକିବାରେ ମଧ୍ୟ ସହାୟକ ହେଉଛି । ଏହି ଡ୍ୟାସବୋର୍ଡ ବିଶ୍ବସ୍ତରରେ ବିଶେଷଜ୍ଞମାନଙ୍କୁ ରିସର୍ଚ୍ଚରେ ସହୟକ ହେଉଛି । ରାଜ୍ୟରେ ବୈଷୟିକ ଅଭିବୃଦ୍ଧିରେ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ବେଶ ସଫଳତାର ସହ ବିଭିନ୍ନ ଟେକ୍ନୋଲୋଜିର ବ୍ୟବହାର କରୁଛି ।

ପୁରୀ ପାଇଁ ବିକାଶର ସମୟ, ହୀନ ରାଜନୀତିର ନୁହେଁ

ପୁରୀ : ଓଡ଼ିଶା ପର୍ଯ୍ୟଟନର ପ୍ରାଣକେନ୍ଦ୍ର ପୁରୀକୁ ହିଁ ବୁଝାଇଥାଏ । ବିଶ୍ୱନିୟନ୍ତା ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିର ହିଁ ପୁରୀର ମୁଖ୍ୟ ଆକର୍ଷଣ । ଏଥିସହିତ ସୁବିସ୍ତୀର୍ଣ୍ଣ ବେଳାଭୂମି ଏହି ପର୍ଯ୍ୟଟନ ଭୂମିକୁ ଆହୁରି ସମୃଦ୍ଧ କରୁଅଛି । ସ୍ଥାନୀୟ ଲୋକଙ୍କୁ ରୋଜଗାର ଦେବା ସହ ରାଜ୍ୟ ଅର୍ଥନୀତିକୁ ପୁରୀର ସ୍ୱତନ୍ତ୍ର ଅବଦାନ ରହିଛି । ମଠ,ମନ୍ଦିର ସଂସ୍କୃତି ମଧ୍ୟ ପୁରୀ ସଂସ୍କୃତିକୁ ଅନ୍ୟ ସମସ୍ତ ଧାର୍ମିକସ୍ଥଳୀଠାରୁ ଅଲଗା କରିଥାଏ । ସମଗ୍ର ବିଶ୍ୱ ଦରବାରରେ ପୁରୀର ଗୁରୁତ୍ୱକୁ ଅନୁଭବ କରି ରାଜ୍ୟ ସରକାର ଏକାଧିକ ବିକାଶମୂଳକ କାର୍ଯ୍ୟକ୍ଷମ ଜାରି ରଖିଛନ୍ତି । ଦୁଇବର୍ଷ ତଳେ ପୁରୀକୁ ଦେଖିଥିବା ବ୍ୟକ୍ତିଟିଏ ଯଦି ବର୍ତ୍ତମାନ ପୁରୀକୁ ଦେଖିବ, ତେବେ ସେ ନିଶ୍ଚୟ ପରିବର୍ତ୍ତନ ଅନୁଭବ କରିପାରିବ ।

ଗତବର୍ଷ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ୟକ୍ତିଗତ ଭାବେ ସ୍ୱତନ୍ତ୍ର ଦୃଷ୍ଟି ଦେଇ ପୁରୀ ପର୍ଯ୍ୟଟନର ସାମଗ୍ରିକ ବିକାଶ ନେଇ ପ୍ରକ୍ରିୟା ଆରମ୍ଭ କରିଥିଲେ । ମୋଟ ଉପରେ କହିବାକୁ ଗଲେ ପୁରୀ ବିଶ୍ୱ ଐତିହ ନଗରରେ ପରିଣତ ହେବା ରାସ୍ତାରେ ଗତି କରିସାରିଛି । ପ୍ରାୟ ୫୧୦ କୋଟି ଟଙ୍କା ବ୍ୟୟବରାଦରେ ୭ ପ୍ରକଳ୍ପ ନିର୍ମାଣ ନେଇ ପରିକଳ୍ପନା କରାଯାଇଛି । ଏହି ପଦକ୍ଷେପକୁ ଶ୍ରୀମନ୍ଦିରର ସେବାୟତମାନେ ମଧ୍ୟ ସ୍ୱାଗତ କରିଛନ୍ତି । ପୁରୀ ସହରରେ ହେବାକୁ ଥିବା ପ୍ରକଳ୍ପଗୁଡିକ ମଧ୍ୟରେ ରହିଛି- ଶ୍ରୀସେତୁ, ଜଗନ୍ନାଥ ବଲ୍ଲଭ ଯାତ୍ରୀ ସେବା କେନ୍ଦ୍ର, ସ୍ଵର୍ଗ ଦ୍ୱାର ନବୀକରଣ, ଜେଲ୍ ରୋଡ଼ରେ ବହୁତଳ ପାର୍କିଂ, ବେଳାଭୂମିରେ ଭେଣ୍ଡିଂ ଜୋନ, ମାର୍କେଟ ଛକରେ ବହୁମୁଖୀ ମାର୍କେଟ କମ୍ପେକ୍ସ, ଆହାର ଓ ମଧ୍ୟାନ୍ନ ଭୋଜନ ରୋଷେଇ ପାଇଁ ଅତ୍ୟାଧୁନିକ କିଚେନ୍ ।

ସାରା ପୁରୀ ସହରର ଟ୍ରାଫିକ ସମସ୍ୟାକୁ ଶୃଙ୍ଖଳିତ କରିବା ପାଇଁ ଅବଢ଼ା ଯୋଜନା ଅନ୍ତର୍ଗତ ଶ୍ରୀସେତୁ ପ୍ରକଳ୍ପରେ ୨.୩ କିଲୋମିଟର ଲମ୍ବାର ପୋଲ ନିର୍ମିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ଟ୍ରମ୍ଫେଟ ଆକାରରେ ଏହି ବ୍ରିଜ ମଙ୍ଗଳାଘାଟରୁ ଜଗନ୍ନାଥ ବଲ୍ଲଭ ପର୍ଯ୍ୟନ୍ତ ଲମ୍ବିବ । ଏହି ବ୍ରିଜ ପାଇଁ ଖର୍ଚ୍ଚ ହେବ ୧୮୧ କୋଟି ଟଙ୍କା । ସେହିପରି ଶ୍ରୀଜଗନ୍ନାଥ ବଲ୍ଲଭ ଯାତ୍ରୀ ସହାୟକ କେନ୍ଦ୍ର । ୧,୦୦୦ କାର୍ ପାଇଁ ବହୁତଳ ପାର୍କିଂ ସହ ଛଅ ତାଲା କୋଠାର ନିର୍ମାଣ ଯୋଜନା ପାଇଁ ୧୯୦ କୋଟି ଟଙ୍କାର ଅଟକଳ ହୋଇଛି । ଜେଲ ରୋଡରେ ମଲ୍ଟି ଲେଭଲ କାର ପାର୍କିଂରେ ୫୦୦ କାର୍ ଓ ୫୦୦ ଦୁଇଚ଼କିଆ ଗାଡ଼ି ରହିବାର ବ୍ୟବସ୍ଥା ସହ ୩୫୦ ୟୁନିଟ ଦୋକାନ ଘର କରାଯିବ । ସେଥିପାଇଁ ଖର୍ଚ୍ଚ ଅଟକଳ ୯୦ କୋଟି ୨୨ ଲକ୍ଷ ଟଙ୍କା । ସେହିଭଳି ପୌରସଂସ୍ଥା ମାର୍କେଟ କଂପ୍ଲେକ୍ସର ନବୀକରଣ, ଯେଉଁଥିରେ ପାଞ୍ଚ ତାଲା କୋଠା ହେବ ଓ ସେଥିରେ ୫୦୦ଟି ଦୋକାନ ଘର, ୪୦୦ଟି କାର ପାର୍କିଂ, ୩୦୦ କିଲୋୱାଟର ରୁଫ୍ଟପ୍ରେ ସୋଲାର୍ ପ୍ୟାନେଲ ଆଦି ରହିବ, ସେଥି ପାଇଁ ୪୪.୮୨ କୋଟି ଟଙ୍କା ଅଟକଳ ରଖାଯାଇଛି । ସେହିପରି ସ୍ୱର୍ଗଦ୍ୱାରର ନବୀକରଣ ପାଇଁ ରଖାଯାଇଥିବା ୧୨ କୋଟି ଟଙ୍କାରେ ସମୁଦ୍ର କୂଳ ଅଞ୍ଚଳରେ ଭେଣ୍ଡିଂ ଜୋନ୍ ନିର୍ମାଣ, ମଙ୍ଗଳାଘାଟ ଅଞ୍ଚଳରେ ୫୦,୦୦୦ ଛାତ୍ରଛାତ୍ରୀଙ୍କ ପାଇଁ ମିଡ୍ ଡେ ମିଲ ଓ ଆହାର ପାଇଁ ସେଣ୍ଟ୍ରାଲାଇଜ୍ଡ୍କିଚେନ ନିର୍ମାଣର ଶିଳାନ୍ୟାସ ହୋଇଛି ।

ହେଲେ ଶାନ୍ତିପ୍ରିୟ ଓଡ଼ିଶାରେ ନିଜର ରାଜନୈତିକ ଉପସ୍ଥିତି ଖୋଜୁଥିବା ଦଳ ଏବଂ କେତେକ କୁଚକ୍ରୀ ଗୋଷ୍ଠୀ ବର୍ତ୍ତମାନ ଅପ୍ରସଙ୍ଗଗୁଡିକ ପ୍ରସଙ୍ଗ କରି ପୁରୀ ବିକାଶରୁ ସମସ୍ତଙ୍କ ଧ୍ୟାନ ହଟାଇବାକୁ ଚାହୁଁଛନ୍ତି । ଯାହାର ସଦ୍ୟତମ ଉଦାହରଣ ହେଉଛି-ବଗଲା ଧର୍ମଶାଳାକୁ ନେଇ ହୀନ ରାଜନୀତି । ଏହା ପଛରେ କୌଣସି ଜନସମର୍ଥନ ଥିବା ଖୋଦ୍ କଂଗ୍ରେସ ନେତା ତଥା ବିଶ୍ୱାବସୁ ବିନାୟକ ଦାସ ମହାପାତ୍ର କହିଛନ୍ତି । ରାଜ୍ୟ ସରକାର ନେଇଥିବା ପଦକ୍ଷେପରେ କୌଣସି ଆଇନର ଉଲ୍ଲଂଘନ ହୋଇନାହିଁ । ଦେଶକୁ ୬ ବର୍ଷ ଧରି ଭଲ ଶାସନ ଦେଇ ପାରି ନ ଥିବା ଦଳ ଏସବୁ କରୁଛନ୍ତି ।

ପୁରୀ ସହର ପ୍ରକୃତ ସମସ୍ୟାରୁ ଧ୍ୟାନ ହଟାଇବା ପାଇଁ ଏହି ହୀନ ରାଜନୀତି କରାଯାଉଛି । ବିସ୍ଥାପିତକୁ ଦିଆଯାଇଥିବା ଜାଗା ସେମାନଙ୍କ ତ୍ୟାଗ ତୁଳନାରେ କିଛି ନୁହେଁ ବୋଲି ବିନାୟକ ଦାସମହାପାତ୍ର କହିଛନ୍ତି । ପୁରୀର ସାମଗ୍ରିକ ବିକାଶ ଉପରେ ମତ ଦେଇ ସଂସ୍କୃତି ଗବେଷକ ପ୍ରଫୁଲ୍ଲ ରଥ କହିଛନ୍ତି ଯେ, ରାଜ୍ୟ ସରକାର ଯେଉଁ ସାହାସ ଦେଖାଇ ଏ ସବୁ କରିଛନ୍ତି, ତାହା ଫଳାଫଳ ଭବିଷ୍ୟତରେ ଆସିବ । ରାଜ୍ୟର ଉନ୍ନତି ପାଇଁ ପୂର୍ବରୁ ବିଜୁ ଯେପରି ସାହସ ପ୍ରଦର୍ଶନ କରି ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଥିଲେ, ଯାହା ଏବେବି ବିଦ୍ୟମାନ । ଅନୁରୂପ ଭାବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେଉଥିବା ପଦକ୍ଷେପ ଆଗାମୀ ଦିନରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବ ବୋଲି ପ୍ରଫୁଲ୍ଲ ରଥ ମତ ଦେଇଛନ୍ତି ।