ବିହାର ନିର୍ବାଚନ : ହାବିଲଦାରଙ୍କଠାରୁ ମାତ୍ ଖାଇ ବକ୍ସର ଟିକେଟ୍ ହରାଇଲେ ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ

ପାଟନା: ବିହାର ରାଜନୈତିକ ରଣଭୂମୀରେ ବକ୍ସର ସିଟରୁ ନିର୍ବାଚନ ଲଢିବା ସ୍ୱପ୍ନ ନେଇ ପୋଲିସ ଚାକିରିରୁ ଭିଆରସ୍ ନେଇଥିଲେ ପୂର୍ବତନ ଡିଜିପି ଗୁପ୍ତେଶ୍ୱର ପାଣ୍ଡେ । ଜେଡିୟୁ ହାତଧରି ନିଜର ବହୁଦିନର ରାଜନୈତିକ ସ୍ୱପ୍ନକୁ ପୁରଣ କରିବା ଥିଲା ପାଣ୍ଡେଙ୍କ ଲକ୍ଷ୍ୟ । କିନ୍ତୁ ପୂର୍ବତନ ଡିଜିପି ଟିକେଟ୍ ଲଢେଇର ଜଣେ ପୂର୍ବତନ ହାବିଲଦାରଙ୍କଠାରୁ ମାତ୍ ଖାଇଛନ୍ତି । ଏହି ହାବିଲଦାରଙ୍କ ନାମ ହେଉଛି ପରଶୁରାମ ଚତୁର୍ବେଦୀ । ପର୍ଶୁରାମ ଏମିତି ରାଜନୈତିକ ବ୍ୟୁହ ସେଟ୍ କରିଥିଲେ ଯେ,ପାଣ୍ଡେଙ୍କ ସ୍ୱପ୍ନ ଭାଙ୍ଗିଯାଇଥିଲା ।

ନିଜକୁ ବକ୍ସର ପୁଅ ବୋଲି କହିଥିଲେ

ଗୁପ୍ତେଶ୍ୱର ବକ୍ସର ସିଟ୍ ପାଇଁ ସବୁ ଉଦ୍ୟମ କରୁଥିଲେ । ଏଥି ପାଇଁ ଚାକିରି ଛାଡିଥିଲେ । ନୀତିଶଙ୍କୁ ପ୍ରଶଂସାରେ ପୋତୁଥିଲେ । ନିଜକୁ ବକ୍ସରର ପୁଅ ବୋଲି କହୁଥିଲେ । କିନ୍ତୁ କିଛି କାମ ଦେଲା ନାହିଁ । ଏହି ସିଟ୍ ପାରମ୍ପାରିକ ଭାବେ ବିଜେପିର । ବିଜେପି ୨୦୧୫ରେ ଏଠାରୁ ପରାସ୍ତ ହୋଇଥିଲା ।  ଆରଜେଡି ସିଟ୍ ହାତେଇଥିଲା । ଏଥର ଗୁପ୍ତେଶ୍ୱର ସିଟ୍ ଜେଡିୟୁ କୋଟାକୁ ଆସିବ ବୋଲି ଭାବିଥିଲେ । କିନ୍ତୁ ସିଟ୍ ଗଲା ବିଜେପି ଖାତାକୁ  ।

pandey

ଡିଜିପି ନୁହେଁ ହାବିଲଦାରଙ୍କୁ ମିଳିଲା ଟିକେଟ୍

ଗୁପ୍ତେଶ୍ୱରଙ୍କ ପକ୍ଷରେ ସବୁ ସମୀକରଣ ଥିଲା । କିନ୍ତୁ ଏହାରି ଭିତରେ ଜଣେ ପୂର୍ବତନ ହାବିଲଦାର ତଥା କୃଷକ ନେତା ପର୍ଶୁରାମ ଚତୁର୍ବେଦୀ ବିଜେପି ତରଫରୁ ନିର୍ବାଚନ ଲଢିବାକୁ ନିଜ ଦାବୀ ରଖିଥିଲେ । ସିଟ୍ ସେୟାରିଂ ଫର୍ମୁଲା ଅନୁସାରେ ସିଟ୍ ବିଜେପି ହାତକୁ ଗଲା । ଟିକେଟ୍ ମଧ୍ୟ ହାବିଲଦାରଙ୍କୁ ମିଳିଲା । ଏମିତିରେ କୁହାଯାଉଛି ଯେ, ବିହାରର ପୂର୍ବତନ ଡିଜିପି ଜଣେ ହାବିଲଦାରଠାରୁ ଟିକେଟ୍ ଲଢେଇରେ ହାରିଗଲେ । ତେବେ ଗୁପ୍ତେଶ୍ୱରଙ୍କ କହିବା ହେଉଛି ,ଏଥର ସେ ନିର୍ବାଚନ ଲଢିବେ ନାହିଁ । କାରଣ ହେଉଛି ଜେଡିୟୁର ୧୧୫ ଆସନ ପାଇଁ ଘୋଷିତ ପ୍ରାର୍ଥୀ ତାଲିକାରେ ତାଙ୍କ ନାମ ନାହିଁ ।

୨୦୦୯ରେ ମଧ୍ୟ ଏମିତି ହିନସ୍ତା ହୋଇଥିଲେ ପାଣ୍ଡେ

ପାଣ୍ଡେଙ୍କ ପାଇଁ ଏହା ନୁଆ ନୁହେଁ । ୨୦୦୯ରେ ରାଜନୀତି କରିବେ ବୋଲି ଭିଆରଏସ ନେଇଥିଲେ ପାଣ୍ଡେ । ସେତେବେଳେ ବିଜେପି ଟିକେଟ୍ ଦେବ ବୋଲି ଆଶା କରିଥିଲେ । କିନ୍ତୁ ବିଜେପି ଠିକ୍ ସମୟରେ ତାଙ୍କୁ ମଝି ଦରିଆରେ ଏକାକୀ ଛାଡି ଦେଇଥିଲା । ୨୦୦୯ ଲୋକସଭା ନିର୍ବାଚନରେ ସେ ବକ୍ସର ଆସନରୁ ଲଢିବା ପାଇଁ ପ୍ରସ୍ତୁତ ହେଉଥିଲେ । ବିଜେପିର ଲାଲମୁନି ଚୌବେଙ୍କୁ ଟିକେଟ୍ ମିଳିବ ନାହିଁ ବୋଲି ତାଙ୍କର ଆଶା ଥିଲା । କିନ୍ତୁ ଶେଷ ମୂହୁର୍ତ୍ତରେ ଲାଲମୁନି ଚୌବେଙ୍କ ଧମକ ଆଗରେ ବିଜେପି ମୁଣ୍ଡ ନୁଆଁଇଥିଲା ଓ ପାଣ୍ଡେଙ୍କୁ ପୁଣି ଚାକିରିକୁ ଫେରିବାକୁ ପଡିଥିଲା । ୨୦୨୦ରେ ମଧ୍ୟ ପାଣ୍ଡେଙ୍କ ଅବସ୍ଥା ସମାନ ।

 

Leave a Reply