spot_img
Home Blog Page 6766

ସଚିନ ପାଇଲଟ ଆଣ୍ଡ୍ କୋ’ଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି,ହାଇକୋର୍ଟଙ୍କ ରାୟ ଉପରେ ରୋକ୍ ଲଗାଇବାକୁ ମନା କଲେ ସର୍ବୋଚ୍ଚ ଅଦାଲତ

 

ନୂଆଦିଲ୍ଲୀ: ରାଜସ୍ଥାନ ରାଜନୈତିକ ଡ୍ରାମା ଭିତରେ ସଚିନ ପାଇଲଟ ଓ ତାଙ୍କ ଗ୍ରୁପକୁ ସୁପ୍ରିମକୋର୍ଟ ସାମୟିକ ଆଶ୍ୱସ୍ତି ଦେଇଛନ୍ତି । ହାଇକୋର୍ଟଙ୍କ ରାୟ ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି  ।  ଅର୍ଥାତ ଶୁକ୍ରବାର ଦିନ ହାଇକୋର୍ଟ ନିଜ ରାୟ ଶୁଣାଇ ପାରିବେ । ଗୁରୁବାର ଦିନ ଶୁଣାଣି କାଳରେ ସର୍ବୋଚ୍ଚ ଅଦାଲତ କହିଥିଲେ ଯେ, ପ୍ରଥମେ ହାଇକୋର୍ଟଙ୍କ ରାୟ ଆସିବାକୁ ଦିଅ,ତା’ପରେ ସୋମବାର ଦିନ ଆଗକୁ ଶୁଣାଣି ହେବ । ରାଜସ୍ଥାନ ବାଚସ୍ପତିଙ୍କ ପକ୍ଷରୁ ଅଦାଲତରେ ହାଜର ହୋଇ କପିଲ ସିବଲ ଯୁକ୍ତି କରିଥିଲେ ଯେ,ହାଇକୋର୍ଟଙ୍କ ରାୟକୁ ବାତିଲ କରାଯାଉ । କୌଣସି ନିର୍ଣ୍ଣୟ ପୂର୍ବରୁ ବାଚସ୍ପତି ନିଷ୍ପତିରେ ହସ୍ତକ୍ଷେପ କରାଯାଇ ପାରିବ ନାହିଁ ।

ସୁପ୍ରିମକୋର୍ଟରେ ଶୁଣାଣିର ମୁଖ୍ୟ କଥା

-ଜଷ୍ଟିସ ଅରୁଣ ମିଶ୍ର କପିଲ ସିବଲଙ୍କୁ ପଚାରିଥିଲେ ଯେ, ଜନତା ଦ୍ୱାରା ନିର୍ବାଚିତ ଜନପ୍ରତିନିଧିଙ୍କର କ’ଣ ନିଜ ଅସହମତି ବ୍ୟକ୍ତ କରିବାର ଅଧିକାର ନାହିଁ ? ସେ କହିଥିଲେ ଯେ, ଅସନ୍ତୋଷକୁ ଦବା ଯାଇପାରିବ ନାହିଁ । ଗଣତନ୍ତ୍ରରେ କ’ଣ କାହାକୁ ଏମିତି ଚୁପ୍ କରାଯାଇ ପାରିବ କି ?

-ସୁପ୍ରିମକୋର୍ଟ କହିଥିଲେ ଯେ, ରାଜସ୍ଥାନ ହାଇକୋର୍ଟ ଆପଣଙ୍କୁ କେବଳ ୨୪ ଜୁଲାଇ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଛନ୍ତି । କପିଲ ସିବଲ ଉତ୍ତରରେ କହିଥିଲେ ଯେ,ଆଦେଶରୁ ‘ନିର୍ଦ୍ଦେଶ’ ଶବ୍ଦକୁ ହଟାଯାଉ । ଅଦାଲତ ଏମିତି କରିପାରିବେ ନାହିଁ । ସୁପ୍ରିମକୋର୍ଟ କହିଥିଲେ ଯେ, ତେବେ ସମସ୍ୟା କେବଳ ଶବ୍ଦକୁ ନେଇକରି କି ? ଆଦେଶରେ ‘ଅନୁରୋଧ’ ରହିଥାଏ ।

-କପିଲ ସିବଲ କହିଥିଲେ ଯେ, ବାଚସ୍ପତିଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଅଯୋଗ୍ୟତା ଉପରେ ନିଷ୍ପତି ନେବାକୁ କୁହାଯାଇ ପାରିବ କିନ୍ତୁ ତାଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରାଯାଇ ପାରିବ ନାହିଁ ।

-ସୁପ୍ରିମକୋର୍ଟ କହିଥିଲେ ଯେ,ଏହା କୌଣସି ସାଧାରଣ ମାମଲା ନୁହେଁ । ଏହି ସବୁ ବିଧାୟକ ନିର୍ବାଚିତ ପ୍ରତିନିଧି । ଏହା ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ, ବିଧାୟକଙ୍କ ସଦସ୍ୟତା ରଦ୍ଦ କାର୍ଯ୍ୟ ସ୍ୱୀକୃତି ଯୋଗ୍ୟ କି ନୁହେଁ । ବିରୋଧରେ ସ୍ୱରକୁ ଗଣତନ୍ତ୍ରରେ ଦବା ଯାଇ ପାରିବ ନାହିଁ ।

-କପିଲ ସିବଲଙ୍କୁ ପୁଣିଥରେ ସୁପ୍ରିମକୋର୍ଟ ପଚାରିଥିଲେ ଯେ, କେଉଁ ଆଧାରରେ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା  । ସିବଲ କହିଥିଲେ ଯେ,ବିଧାୟକ ଦଳୀୟ ସଭାରେ ଯୋଗ ଦେଇନଥିଲେ । ସେମାନେ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିଲେ । ସେମାନେ ହରିଆନାର ଏକ ହୋଟେଲରେ ରହି ନିଜ ଦଳ ବିରୋଧରେ ଫ୍ଲୋର ଟେଷ୍ଟ ଦାବି କରୁଥିଲେ ।

-ଜଷ୍ଟିସ ଅରୁଣ ମିଶ୍ର ଏହାର ଉତ୍ତରରେ ସିବଲଙ୍କୁ ପଚାରିଥିଲେ ଯେ,ଜନତା ଦ୍ୱାରା ନିର୍ବାଚିତ ବ୍ୟକ୍ତି କଣ ନିଜର ଅସହମତି ବ୍ୟକ୍ତ କରିପାରିବେନି ? ଅସନ୍ତୋଷର ସ୍ୱରକୁ ଦବା ଯାଇପାରିବ ନାହିଁ ।  ଗଣତନ୍ତ୍ରରେ କ’ଣ କାହାକୁ ଏମିତି ବନ୍ଦ କରାଯାଇ ପାରିବ କି ?

 

ରାଜ୍ୟରେ ଦୁର୍ବଳ ହେଲାଣି ନଦୀବନ୍ଧ, ସରକାର କହିଲେ, ବନ୍ୟା ପାଇଁ ପୂର୍ବ ପ୍ରସ୍ତୁତି ସରିଛି…..

ଭୁବନେଶ୍ୱର : ନଦୀବନ୍ଧ ଦୁର୍ବଳ ହେବା ବନ୍ୟା ପଛର ଏକ ପ୍ରମୁଖ କାରଣ ବୋଲି ବିଚାର କରାଯାଏ । ତେବେ ରାଜ୍ୟରେ ଏବେ ୨୦ଟି ଜିଲ୍ଲାର ନଦୀବନ୍ଧ ଦୁର୍ବଳ ହୋଇ ସାରିଲାଣି । ପ୍ରାୟ ୪୯ଟି ନଦୀବନ୍ଧ ଏଭଳି ବିପଦଜନକ ସ୍ଥିତି ଦେଇ ଗତି କରୁଛି । ଏନେଇ ରାଜ୍ୟ ଜଳସମ୍ପଦ ବିଭାଗର ପ୍ରମୁଖ ଯନ୍ତ୍ରୀ ବିଭାଗୀୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି । ସେହିଭଳି ସରକାର ଏନେଇ ବିହିତ ପଦକ୍ଷେପ ନେବା ଆରମ୍ଭ କରିସାରିଛନ୍ତି ଓ ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିଛନ୍ତି ବୋଲି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଜୋର୍ତିମୟ ରଥ ଜଣାଇଛନ୍ତି । ସେ କହିଛନ୍ତି ଯେ ସ୍ଥିତି ଅଣାୟତ୍ତ ହେଲେ ସେସବୁର ମୁକାବିଲା କରିବା ପାଇଁ ସବୁ ପ୍ରକାର ପୂର୍ବ ପ୍ରସ୍ତୁତି ସରିଛି । ବାଲି ବସ୍ତା, ବହ୍ଲା, ବାଉଁଶ ଇତ୍ୟାଦି ମହଜୁଦ୍ କରି ରଖାଯାଇଛି ।

ସେହିଭଳି ଜିଲ୍ଲା ସ୍ତରର ବିଭାଗୀୟ ଅଧିକାରୀମାନଙ୍କୁ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆ ସରିଛି । ତେବେ କେନ୍ଦୁଝର, ନୟାଗଡ଼, କେନ୍ଦ୍ରାପଡା, ଗଞ୍ଜାମ, ଗଜପତି, ରାୟଗଡ଼ା, ଭଦ୍ରକ, ବୌଦ୍ଧ, ଫୁଲବାଣୀ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, କଟକ, ଜଗତ୍ସିଂହପୁର, ମୟୁରଭଞ୍ଜ, ବାଲେଶ୍ୱର, ସୋନପୁର, କଳାହାଣ୍ଡି, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଥିବା ନଦୀ ବିପଦଜନକ ହେବାର ସମ୍ଭାବନା ରହିଛି । ତେବେ ସର୍ବାଧିକ ପୁରୀ ଜିଲ୍ଲାର ୮ଟି ନଦୀବନ୍ଧ ଅସୁରକ୍ଷିତ ବୋଲି ସେ ଜଣାଇଛନ୍ତି । ଅନ୍ୟପକ୍ଷରେ ୨୦୦୮ ଜଳସମ୍ପଦ ଗାଇଡଲାଇନ ଅନୁଯାୟୀ ନଦୀବନ୍ଧ ମରାମତି କାର୍ଯ୍ୟକ୍ରମ ଚାଲୁ ରହିଛି । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟର ୧୧ଟି ଉପତ୍ୟକାରେ ୭୪୭୦ କିଲୋମିଟର ନଦୀବନ୍ଧ ଅଛି। ଏପ୍ରିଲରୁ ଜୁନ ୧୨ ତାରିଖ ଭିତରେ ବିଭାଗୀୟ ଅଧିକାରୀ ଏସବୁର ତଦାରଖ କରିଛନ୍ତି । ଜିଲ୍ଲାଗୁଡିକରେ କଣ୍ଟ୍ରୋଲ ରୁମ ମେ ୧୬ରୁ ଖୋଲା ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବି ହୋଇସାରିଛି।

( ରିପୋର୍ଟ : ପ୍ରିୟ ପ୍ରିତମ୍ ମହାନ୍ତି, ଭୁବନେଶ୍ୱର )

ଦେଶରେ ଦିନକରେ ୪୫ହଜାର ସଂକ୍ରମିତ ଚିହ୍ନଟ,୧୨ ଲକ୍ଷ ଟପିଲା ସଂକ୍ରମିତଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗଛି । ଦେଶରେ ୧୨ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା । ୨୪ଘଣ୍ଟାରେ ୪୫ହଜାର ୭୨୦ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ବେଲେ ୧୧ଶହ୨୯ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା ୧୨ଲକ୍ଷ ୩୮ହଜାର ୬୩୫କୁ ବୃଦ୍ଧି ହୋଇଛି । ୪ଲକ୍ଷ ୨୬ହଜାର ୧୬୭ ଆକ୍ଟିଭ୍ କେସ୍ ରହିଛି । ସୁସ୍ଥ ହେଲେଣି ୭ଲକ୍ଷ ୮୨ହଜାର ୬୦୬ଜଣ । ଦେଶରେ ମୋଟ୍ ମୃତ୍ୟୁ ସଂଖ୍ୟା ୨୯ହଜାର ୮୬୧ରେ ପହଞ୍ଚିଲାଣି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।

କରୋନା ସଂକ୍ରମଣ ସଂଖ୍ୟା ଅନୁଯାୟୀ ଭାରତ ବିଶ୍ୱର ତୃତୀୟ ସର୍ବାଧିକ ପ୍ରଭାବିତ ଦେଶ ହୋଇଛି । ଆମେରିକା ବ୍ରାଜିଲ ପରେ କରୋନା ମହାମାରୀରେ ସର୍ବାଧିକ ପ୍ରଭାବିତ ଭାରତ ହୋଇଛି । କିନ୍ତୁ ଯଦି ଆମେ ପ୍ରତି ୧୦ ଲକ୍ଷ ଜନସଂଖ୍ୟାରେ ସଂକ୍ରମିତ ରୋଗ ଏବଂ ମୃତ୍ୟୁହାର ବିଷୟରେ କହିବା, ତେବେ ଅନ୍ୟ ଦେଶ ତୁଳନାରେ ଭାରତ ବହୁତ ଭଲ ସ୍ଥିତିରେ ରହିଛି । ଭାରତ ତୁଳନାରେ ଅଧିକ ମାମଲା ଆମେରିକାରେ ରହିଛି  । ଆମେରିକାରେ ୪,୧୦୦,୮୭୫ଜଣ କୋରନା ଆକ୍ରାନ୍ତ ହୋଇଥିବା ବେଳେ ବ୍ରାଜିଲରେ ୨,୨୩୧,୮୭୧ଜଣ ଚିହ୍ନଟ ହୋଇଛନ୍ତି ।

ସକ୍ରିୟ ମାମଲାରେ ଶ୍ରେଷ୍ଠ ୫ଟି ରାଜ୍ୟ

ସୂଚନା ଅନୁସାରେ, ଏହି ସମୟରେ ଦେଶରେ ୪ ଲକ୍ଷ କରୋନା ଆକ୍ରାନ୍ତ ସକ୍ରିୟ ରହିଥନ୍ତି । ଏମଧ୍ୟରୁ ସବୁଠାରୁ ଅଧିକ ସକ୍ରିୟ ମାମଲା ମହାରାଷ୍ଟ୍ରରେ ଚିହ୍ନଟ ହୋଇଛି । ମହାରାଷ୍ଟ୍ରରେ ଲକ୍ଷେରୁ ଅଧିକ ସଂକ୍ରମିତ ଲୋକଙ୍କୁ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି । ଏହା ପରେ ତାମିଲନାଡୁ ଦ୍ୱିତୀୟ ସ୍ଥାନରେ ରହିଛି । ସେହିଭଳି ଦିଲ୍ଲୀ ତୃତୀୟ ସ୍ଥାନରେ କର୍ଣ୍ଣାଟକ, ଚତୁର୍ଥ ନମ୍ବରରେ ଆନ୍ଧ୍ରପ୍ରଦେଶ ଏବଂ ପଞ୍ଚମ ସ୍ଥାନରେ ରହିଛି ଦିଲ୍ଲୀ । ଏହି ପାଞ୍ଚଟି ରାଜ୍ୟରେ ସର୍ବାଧିକ ସକ୍ରିୟ ମାମଲା ରହିଛି । ସକ୍ରିୟ ମାମଲାରେ ଭାରତ ବିଶ୍ୱରେ ଚତୁର୍ଥ ସ୍ଥାନରେ ରହିଛି। ଅର୍ଥାତ୍ ଭାରତ ହେଉଛି ଚତୁର୍ଥ ଦେଶ ଯେଉଁଠାରେ ଅଧିକାଂଶ ସଂକ୍ରମିତ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।

ଦିଲ୍ଲୀରେ ୪୬ ଲକ୍ଷ ଲୋକଙ୍କୁ ହୋଇଥିଲା କରୋନା! ବିନା ଚିକିତ୍ସାରେ କେମିତି ଠିକ୍ ହେଲେ ଏତେ ?

ନୂଆଦିଲ୍ଲୀ: ଦୁଇ ଦିନ ତଳେ ଦେଶର ରାଜଧାନୀ ଦିଲ୍ଲୀରେ କରୋନା ଭାଇରସକୁ ନେଇ ସିରୋ ସର୍ଭ ରିପୋର୍ଟ ଆସିଛି । ଏଥିରୁ ଜଣା ପଡିଛି ଯେ,ଦିଲ୍ଲୀ ଜନସଂଖ୍ୟାର ୨୩.୪୮ ପ୍ରତିଶତ କରୋନା କବଳରେ ପଡିଥିଲେ । ରେଣ୍ଡମ୍ ସାମ୍ପଲିଂ ଆଧାରରେ ଏହି ସର୍ଭେ ହୋଇଥିଲା । ଦିଲ୍ଲୀ ଜନସଂଖ୍ୟା ପାଖାପାଖି ୨ କୋଟି । ଅର୍ଥାତ ଏହି ଦିଲ୍ଲୀ ଜନସଂଖ୍ୟାର ୪୬ ଲକ୍ଷ ଲୋକଙ୍କୁ କରୋନା ହୋଇଥିଲା । ଏମିତିରେ ପ୍ରଶ୍ନ ଉଠୁଛି ଦିଲ୍ଲୀର ଲୋକ କେମିତି ଆପେ ଆପେ ଠିକ୍ ହୋଇଗଲେ?

ସିରୋ ସର୍ଭେ କ’ଣ ?

ଏହି ସର୍ଭରେ ଲୋକଙ୍କ ରକ୍ତ ନମୂନା ନିଆ ଯାଇଥାଏ । ନମୂନାରୁ ଏହା ଜାଣିବାକୁ ଚେଷ୍ଟା କରାଯାଇଥାଏ ଯେ, କେତେ ଲୋକଙ୍କ ଶରିରରେ କରୋନା ଭାଇରସ ପାଇଁ ଆଣ୍ଟିବଡି ତିଆରି ହୋଇଛି ।  କରୋନା ସଂକ୍ରମଣର ଅନୁମାନ ଲଗାଇବା ପାଇଁ କେନ୍ଦ୍ର ସରକାର ଦେଶର ୧୧ ପ୍ରଭାବିତ ସହରର କଣ୍ଟେନମେଣ୍ଟ୍ ଜୋନରେ ସିରୋ ସର୍ଭେ କରାଇ ଥିଲେ । ଏହି ସବୁ ସହରର ଜନସଂଖ୍ୟା ଉପରେ କରୋନାର କେତେ ପ୍ରଭାବ ପଢିଛି  ତାହା ଜାଣିବା ଏହି ସର୍ଭେର ଲକ୍ଷ୍ୟ ଥିଲା ।

ହର୍ଡ ଇମ୍ୟୁନିଟି ଦ୍ୱାରା ଠିକ୍ ହେଲେ ଲୋକ !

corona virus

ସିରୋ ସର୍ଭେର ଫଳାଫଳ ଆଧାରରେ ଏହା ଧରା ଯାଉଛି ଯେ,ଦିଲ୍ଲୀର ଅନେକ ଲୋକଙ୍କ ମଧ୍ୟରେ ହର୍ଡ ଇମ୍ୟୁନିଟି ତିଆରି ହୋଇ ସାରିଛି । ଏମିତିରେ ଆଗାମୀ ଦିନରେ ଦିଲ୍ଲୀରେ କରୋନା ସଂକ୍ରମଣ ସଂଖ୍ୟା କମିବା ଆଶା କରାଯାଉଛି । ଏମିତି ମଧ୍ୟ ହେଉଛି । ଗତ ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣର ୧୨୨୭ ମାମଲା ଆସିବା ପରେ ସହରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୨୬ ହଜାର ୩୨୩ ରହିଛି । ସୂଚନାଯୋଗ୍ୟ ଯେ, ଜୁନ୍ ମାସରେ ପ୍ରତିଦିନ ୩ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିଲେ ।

ହର୍ଡ ଇମ୍ୟୁନିଟି କ’ଣ ?

delhi people

ହର୍ଡ ଇମ୍ୟୁନିଟି ସେହି ରୋଗ ପ୍ରତିରୋଧକ କ୍ଷମତା ଯାହା ଜନସଂଖ୍ୟାର ବଡଭାଗରେ କୌଣସି ରୋଗର ପ୍ରତିରୋଧ ପାଇଁ ବିକଶିତ ହୋଇଥାଏ । ଏହା ଭାଇରସ ସଂପର୍କରେ ଆସିବା ଦ୍ୱାରା ହେଉ କିମ୍ବା ଭ୍ୟାକ୍ସିନ୍ ନେବା ପରେ ବିକଶିତ ହୋଇଥାଏ । ଅନେକ ସମୟରେ ଏମିତି ବି ହୋଇଥାଏ ଯେ, ଅନେକ ଲୋକଙ୍କ ମଧ୍ୟରେ ଭାଇରସ କିମ୍ବା ରୋଗ ସହ ଲଢିବା କ୍ଷମତା ସମୟ ସହ ବିକଶିତ ହୋଇଥାଏ ।  ଯଦି ମୋଟ ଜନସଂଖ୍ୟାର ୭୫ ପ୍ରତିଶତ ଲୋକଙ୍କ ମଧ୍ୟର ପ୍ରତିରୋଧକ କ୍ଷମତା ବିକଶିତ ହୋଇଥାଏ ତେବେ ଏହାକୁ ହର୍ଡ ଇମ୍ୟୁନିଟି କୁହାଯାଏ । ଫଳରେ ୪ ଜଣ ଯଦି ଜଣେ ସଂକ୍ରମିତଙ୍କ ସଂସ୍ପର୍ଷରେ ଆସନ୍ତି ତେବେ ୩ ଜଣ ଭାଇରସ ଦ୍ୱାରା ସଂକ୍ରମିତ ହେବେ ନାହିଁ  କିମ୍ବା ଭାଇରସକୁ ପ୍ରସାରିତ କରିବେ ନାହିଁ ।

corona hospital

ଦିଲ୍ଲୀରେ କରୋନା ପିକ୍ ଗଲାଣି !

ଏମସ ନିର୍ଦ୍ଦେଶକ ଡକ୍ଟର ରଣଦିପ ଗୁଲେରିଆଙ୍କ ଅନୁସାରେ ଦିଲ୍ଲୀରେ କରୋନାର ପିକ୍ ବା  ସର୍ବୋଚ୍ଚ ସ୍ତର ସମ୍ଭବତଃ ଯାଇ ସାରିଲାଣି । ସେ କହିଛନ୍ତି ଯେ, ଦିଲ୍ଲୀର ତଥ୍ୟକୁ ଦେଖିଲେ ଲାଗୁଛି ଯେ, କର୍ଭ ଫ୍ଲାଟ୍ ହେବାର ଲାଗିଲାଣି ଓ ଟ୍ରେଣ୍ଡ୍ ନିମ୍ନଗାମୀ ହେଉଛି । ତେଣୁ ଆମେ ପିକ୍ ଅର୍ଥାତ କରୋନାର ଉଚ୍ଚତମ ସ୍ତରକୁ ପାର କରିଯାଇଥିବାର ସମ୍ଭାବନା ରହିଛି । ତେବେ ଏହାର ଅର୍ଥ ନୁହେଁ ଯେ, ଆମେ ସୁରକ୍ଷା ସମ୍ବନ୍ଧିତ ଉପାୟକୁ ଢିଲା କରିବା ।

ଡାଏରୀରେ ଥିବା ଅକ୍ଷର ଆଦିତ୍ୟଙ୍କର, ଶେଷ ପୋଷ୍ଟ ବାବଦରେ ଫେସବୁକକୁ ତଥ୍ୟ ମାଗିଲା ଜିଆରପି

ଭୁବନେଶ୍ୱର : ହ୍ୟାଣ୍ଡ୍ ରାଇଟିଂ ବ୍ୟୁରୋର ରିପୋର୍ଟ ଆସିବା ପରେ ଆଦିତ୍ୟ ନିଜେ ନିଜ ଡାଏରୀରେ ଲେଖିଥିବା କଥା ସ୍ପଷ୍ଟ ହୋଇଛି । ହ୍ୟାଣ୍ଟ ରାଇଟିଂ ବ୍ୟୁରୋ ଆଦିତ୍ୟଙ୍କ ପୁରୁଣା ହସ୍ତାକ୍ଷର ସହ ଡାଏରୀରେ ଲେଖା ଥିବା ଅକ୍ଷରକୁ ମ୍ୟାଚ୍ କରି ଏଭଳି ରିପୋର୍ଟ ଦେଇଛନ୍ତି । ରେଲଓ୍ୱେ ଏଡିଜିଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ , ଆଦିତ୍ୟଙ୍କ ନୋଟ୍ କିଏ ଲେଖିଥିଲା ସେ ନେଇ ଅନେକ କଳ୍ପନାଜଳ୍ପନା ଲାଗି ରହିଥିଲା । ତେବେ ଏବେ ସେ ନିଜେ ନିଜ ଡାଏରୀରେ ଉକ୍ତ ନୋଟ୍ ଲେଖିଥିବା ସ୍ପଷ୍ଟ ହୋଇଛି ।

ଉଲ୍ଲେଖଯୋଗ୍ୟ ଯେ ଡାଏରୀର ହସ୍ତାକ୍ଷରକୁ ନେଇ ତଦନ୍ତର ପ୍ରାରମ୍ଭିକ ପ୍ରର୍ଯ୍ୟାୟରେ ମତ ବିଭେଦ ଦେଖାଯିବା ପରେ ହ୍ୟାଣ୍ଡ ରାଇଟିଂ ବ୍ୟୁରୋକୁ ଏହି ଦାୟିତ୍ୱ ଦିଆଯାଇଥିଲା । ତେବେ ଏହା ତଦନ୍ତର ଏକ ଅଂଶ ଯାହା ପରବର୍ତ୍ତୀ ସମୟରେ ହେବାକୁ ଥିବା ଅନ୍ୟ ତଦନ୍ତରେ ସହାୟକ ହେବ ବୋଲି ଏଡିଜି କହିଛନ୍ତି । ଆଦିତ୍ୟଙ୍କ ଡାଏରୀର ହସ୍ତାକ୍ଷରକୁ ନେଇ ଥିବା ଦ୍ୱନ୍ଦ ହଟିବା ପରେ ଅତିକମରେ ଏତକ ସ୍ପଷ୍ଟ ହୋଇଛି ଯେ ଆଦିତ୍ୟ ମାନସିକ ସ୍ତରରେ ଚିନ୍ତାଗ୍ରସ୍ତ ଥିଲେ । ତେବେ ସେ ନିଜ ଆତ୍ମହତ୍ୟା କରିଛନ୍ତି କିମ୍ୱା ତାଙ୍କର ହତ୍ୟା ହୋଇଛି ସେ ଘଟଣା ଉପରୁ ପରଦା ହଟିବା ଏବେ ବି ବାକି ଅଛି ।

ଅନ୍ୟପକ୍ଷରେ ଜିଆରପି ଫେସବୁକକୁ ଆଦିତ୍ୟଙ୍କ ଶେଷ ପୋଷ୍ଟ ବାବଦରେ ଅଧିକ ତଥ୍ୟ ମାଗିଛି । ସୂଚନାଯୋଗ୍ୟ ଯେ, ଆଦିତ୍ୟ ତାଙ୍କ ପୋଷ୍ଟରେ ମୃତ୍ୟୁ ଧିରେ ଧିରେ ଆସେ ବୋଲି ଲେଖିଥିଲେ । ଏହି ପୋଷ୍ଟକୁ ନେଇ କିଛି ସେ ଆତ୍ମହତ୍ୟା କରିଥିବା କହୁଛନ୍ତି । ତେବେ ଏହି ପୋଷ୍ଟ ସେ ନିଜେ ଲେଖିଥିଲେ କି ତାକୁ ଆଉ କେହି ଲେଖି ପୋଷ୍ଟ କରିଥିଲା ତାକୁ ନେଇ ମଧ୍ୟ ଅନେକଙ୍କ ମନରେ ସନ୍ଦେହ ରହୁଛି । ଫେସବୁକର ଉତ୍ତର ପରେ ଚିତ୍ର ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି ।

(ଭୁବନେଶ୍ୱରରୁ ଅରୁଣ କୁମାର ସାହୁଙ୍କ ରିପୋର୍ଟ)

ଶେଷ କୃତ୍ୟ ପାଇଁ ମଶାଣିରୁ ମଶାଣି ବୁଲିଲା କରୋନା ଯୋଦ୍ଧାଙ୍କ ଶବ ତଥାପି…

କନ୍ଧମାଳ: କରୋନା ଯୋଦ୍ଧାଙ୍କ ମୃତଦେହକୁ ମିଳିଲାନି ସମ୍ମାନ । ଜୀବନ ଥିବା ଅବସ୍ଥାରେ ଲୋକଙ୍କ ସେବା କରି ନିଜର କର୍ତ୍ତବ୍ୟ ସୁଚାରୁ ରୂପେ ତୁଲେଇ ଥିଲେ ମଲା ପରେ କିନ୍ତୁ ଲୋକେ ସେମାନଙ୍କ କର୍ତ୍ତବ୍ୟକୁ ତୁଲେଇବାକୁ ମାନ କରିଦେଲେ । ଗାଁ ଶ୍ମଶାନରେ ମାଟିର ପୁଅକୁ ଦୁଇ ହାତ ଯାଗା ଦେବାକୁ କୁଣ୍ଠା ବୋଧ ହେଲେ । ସରକାରଙ୍କ ନିବେଦନ ସତ୍ତ୍ୱେ ଅବହେଳିତ ହେଲା କରୋନା ଯୋଦ୍ଧାଙ୍କ ମରଶରୀର  । ମୃତଦେହକୁ କବର ଦେବାକୁ ବିରୋଧ କଲେ ଗ୍ରାମବାସୀ  ।

ଏପରି ଏକ ଘଟଣା ଘଟିଛି କନ୍ଧମାଳ ଜିଲ୍ଲାର ଜି. ଉଦୟଗିରି ବ୍ଲକ ଅନ୍ତର୍ଗତ ମାଲିକ ପୋଡ଼ି ଆୟୁଷ ଡାକ୍ତର ତପନ ପ୍ରଧାନଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା  । କିନ୍ତୁ ପରେ ତାଙ୍କ ଦେହ ଅତି ଗୁରୁତର ହେବାରୁ ଫୁଲବାଣୀ ମୁଖ୍ୟଚିକିତ୍ସାଳୟକୁ ସ୍ଥାନାସ୍ତର ବେଳେ ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା  । ଏହାପରେ ମୃତଦେହକୁ ଗାଁକୁ ନିଆଯାଇଥିଲା  ।

ମାଲିକ ପୋଡ଼ି ଗ୍ରାମବାସୀ ଡାକ୍ତରଙ୍କ ମୃତ ଦେହକୁ କରୋନା ସନ୍ଦିଗ୍ଧ ଭାବି ବିରୋଧ କରିଥିଲେ  । ଏଥିରେ ବ୍ଲକ ଅଧିକାରୀଙ୍କ ହସ୍ତକ୍ଷେପ ପରେ ମଧ୍ୟ କୌଣସି ସୁଫଳ ମିଳିନଥିଲା  । ଏହାପରେ ତାଙ୍କୁ ନିକଟସ୍ଥ କନବାଗିରୀ ଶ୍ମଶାନକୁ ନିଆଯାଇଥିଲା  । କିନ୍ତୁ ସେଠାରେ ମଧ୍ୟ ଗ୍ରାମବାସୀ କବର ଦେବାକୁ ବିରୋଧ କରିଥିଲେ । ତେବେ ବିରୋଧ ସତ୍ତ୍ୱେ ବ୍ଲକ ଅଧିକାରୀ ଓ ତହସିଲଦାରଙ୍କ ହସ୍ତକ୍ଷେପ ଫଳରେ କରୋନା ଯୋଦ୍ଧାଙ୍କୁ କବର ଦିଆଯାଇଥିଲା  । ଏଠି ପ୍ରଶ୍ନ ଉଠୁଛି ଜଣେ ଡାକ୍ତରଙ୍କ ଅନ୍ୟ କାରଣରୁ ମୃତ୍ୟୁ ପରେ କାହିଁକି ଅନ୍ତିମ ସଂସ୍କାର ପାଇଁ ବାଧା ଉପୁଜିଲା  । ସଂପର୍କୀୟ ମଧ୍ୟ ଏଥିପାଇଁ ପ୍ରଶାସନକୁ ଦାୟୀ କରିଛନ୍ତି  ।

( ଫୁଲବାଣୀରୁ ପ୍ରଶାନ୍ତ କୁମାର ଜେନା )

ବିଗ ବସ ୧୪ର ତାଲିକା ଜାରି,ଏହି ୯ ସେଲିବ୍ରିଟି ଆସିବେ ନଜର !

ମୁମ୍ବାଇ: ବିଗ୍ ବସ୍ ୧୪କୁ ନେଇ ଆଜିକାଲି ବହୁତ ଚର୍ଚ୍ଚା ଦେଖିବାକୁ ମିଳୁଛି । ଶୋକୁ ନେଇ ପ୍ରତିଦିନ କିଛି ନା କିଛି ଅପଡେଟ୍ ଆସୁଛି । କେଉଁ ସବୁ ତାରକା ଏଥର ଶୋ’ରେ ପ୍ରବେଶ କରିବେ ଏସବୁକୁ ନେଇ ମଧ୍ୟ ଅନେକ ନାମ ଶୁଣିବାକୁ ମିଳୁଛି । ତଥାପି, ଏପର୍ଯ୍ୟନ୍ତ କାହାର ନାମ ଅଫିସିଆଲ ଭାବେ ଘୋଷଣା କରାଯାଇନାହିଁ । ଆସନ୍ତୁ ଜାଣିବା କେଉଁ ତାରକାଙ୍କ ନାମ ବିଗ୍ ବସ୍ ୧୪ ହାଉସରେ ପ୍ରବେଶ ନେଇ ଆଲୋଚନା ଚାଲୁଛି….

୧-ଜୟ ସୋନି

ଶଶୁରାଲ ଗେଣ୍ଡା ଫୁଲ ଧାରାବାହିକର ମୁଖ୍ୟ ଅଭିନେତା ଜୟ ସୋନି ଏଥର ଶୋ’ରେ ଏଣ୍ଟ୍ରି କରିବେ ବୋଲି ସୂଚନା ମିଳିଛି  । ଜୟ ସୋନି ଟିଭି ଇଣ୍ଡଷ୍ଟ୍ରିର ଏକ ଉଜ୍ଜ୍ୱଳ ତାରକା  ।

୨- ନିଆ ଶର୍ମା

ନିଆ ଶର୍ମା ବର୍ତ୍ତମାନ ଏକତା କପୁରଙ୍କ ସିରିଏଲ ନାଗିନ୍ ରେ ନଜର ଆସୁଛନ୍ତି | ଏହି ଶୋ ଶୀଘ୍ର ବନ୍ଦ ହେବାକୁ ଯାଉଛି । ଯଦି ନିଆ ଶର୍ମା ଏଥର ବିଗ୍ ବସ୍ ରେ ପ୍ରବେଶ କରନ୍ତି, ତେବେ ଏହା ପ୍ରଶଂସକଙ୍କ ପାଇଁ କମ୍ ଖୁସିର କଥା ନୁହେଁ ।

୩-ଅବିନାଶ ମୁଖାର୍ଜୀ

ଅବିନାଶ ମୁଖାର୍ଜୀ ପ୍ରଶଂସକଙ୍କ ଆଗରେ ଜଗିଆ ନାମରେ ବେଶ୍ ଜଣାଶୁଣା | ତାଙ୍କୁ ଶୋ ’ବାଲିକା ବଧୂ’ରେ ଦେଖିବାକୁ ମିଳିଥିଲା । ଏହି ଶୋ’ରୁ ତାଙ୍କୁ ବହୁତ ଭଲ ପାଇବା ମିଳିଥିଲା ​​| ଯଦି ଅବିନାଶ ବିଗ୍ ବସ୍ ରେ ଆସନ୍ତି, ତେବେ ସେ ସେଠାରେ ମଧ୍ୟ ପ୍ରଶଂସକଙ୍କ ଅପାର ପ୍ରେମ ପାଇବେ ।

୪- ଶିରିନ୍ ମିର୍ଜା

ଶିରିନ୍ ମିର୍ଜା ସିମି ଭଲ୍ଲା ନାମରେ ବେଶ୍ ପରିଚିତ । ତାଙ୍କୁ ଏକତା କପୁରଙ୍କ ଶୋ ‘ୟେ ହେ ମୋହାବତେଁ’ ରେ ଦେଖିବାକୁ ମିଳିଥିଲା ​​। ଏହି ଶୋ’ରେ ସେ କରନ୍ ପଟେଲଙ୍କ ସାନ ଭଉଣୀ ହୋଇଥିଲେ । ତାଙ୍କର ନକରାତ୍ମକ ଏବଂ ସକରାତ୍ମକ ଉଭୟ ଅଭିନୟ ଏହି ଶୋ’ରେ ଦେଖିବାକୁ ମିଳିଥିଲା ​​ । ଶୋ’ରେ ତାଙ୍କୁ ଦେଖାଯିବା ଖବରକୁ ନେଇ ବିଗ୍ ବସ୍ ପ୍ରଶଂସକମାନେ ଉତ୍ସାହିତ ଅଛନ୍ତି ।

୫-ନିଖିଲ ଚିନପା

ନିଖିଲ ଚିନପାଙ୍କୁ ଦର୍ଶକ ରିଆଲିଟି ସୋ ଜଜ୍ କରୁଥିବା ଦେଖିଥିବେ । ରିଆଲିଟି ସୋ ସହିତ ନିଖିଲଙ୍କର ଏକ ପୁରୁଣା ସମ୍ପର୍କ ଅଛି । ଏବେ ଦେଖିବା ବାକି ଅଛି ଯଦି ସେ ବିଗ ବସ ୧୪କୁ ଆସିବେ ତେବେ କ’ଣ ଧମାଲ୍ କରୁଛନ୍ତି ।

୬-ବିବିୟନ୍ ଡିସେନା

ବିବିୟନ୍ ଡିସେନା ମଧୁବାଲା, ପ୍ୟାର୍ କି ୟେ ଏକ କାହାନି, ତେରେ ଇସ୍କ ମେଁ ମରଯାୱାଁ ଭଳି ଅନେକ ହିଟ୍ ସୋ’ରେ ଅଭିନୟ କରିଛନ୍ତି । ବିଗ୍ ବସରେ ବିବିୟନଙ୍କ ଏଣ୍ଟ୍ରି  ନେଇ ଚାରିଆଡେ ଚର୍ଚ୍ଚା ଚାଲିଛି ।

୭-ଶୁଭାଙ୍ଗୀ ଅତ୍ରେ
ଶୁଭାଙ୍ଗୀଙ୍କୁ ଦର୍ଶକ ଭାବିଜୀ ଘର୍ ପର୍ ହେଁରେ ଦେଖିବାକୁ ପାଉଛନ୍ତି | ବିଗ୍ ବସ୍ କୁ ଶୁଭାଙ୍ଗି ଆସିବା ବିଷୟରେ କ୍ରମାଗତ ଖବର ଆସୁଛି | ତେବେ ଅଭିନେତ୍ରୀ ବିଗ୍ ବସ୍ ଯିବାକୁ ମନା କରିଦେଇଥିଲେ । ଅଭିନେତ୍ରୀ କହିଛନ୍ତି- ‘ହଁ, ମୋତେ ବିଗ୍ ବସ୍ ୧୪  ପାଇଁ କଲ୍ ଆସିଥିଲା କିନ୍ତୁ ବର୍ତ୍ତମାନ ମୁଁ  ଭାବିଜୀ ଘର୍ ପର୍ ହେଁ ଶୋ କରୁଛି ଏବଂ ମୋ ପାଇଁ ମୋ ସିରିଏଲ ପ୍ରଥମ, ତେଣୁ ବିଗ୍ ବସକୁ ଯିବାର କୌଣସି ପ୍ରଶ୍ନ ଉଠୁନାହିଁ ।

ଏବେ ଦେଖିବା ବାକି ଅଛି ଯେ ଶୁଭାଙ୍ଗୀ ଶୋ’ରେ ଅଂଶଗ୍ରହଣ କରିବେ କି ନାହିଁ, କାରଣ ଏହା ପୂର୍ବରୁ ଏମିତି ଦେଖାଦେଇଛି ଯେ, ଷ୍ଟାରମାନେ ଶେଷ ପର୍ଯ୍ୟନ୍ତ ଶୋ’ରେ ପ୍ରବେଶକୁ ଅସ୍ୱୀକାର କରନ୍ତି ଏବଂ ପରେ ପ୍ରଶଂସକଙ୍କୁ ସରପ୍ରାଇଜ ଦିଅନ୍ତି  ।

୮-ମିସାଲ୍ ରହେଜା

ଶୋ କୁମକୁମ୍ ଭାଗ୍ୟରେ ଅଭିନୟ କରିଥିବା ମିସାଲ୍ ରହେଜା ଏଥର ବିଗ୍ ବସ୍ ରେ ପ୍ରବେଶ କରିବାର ଖବର ରହିଛି । କିନ୍ତୁ ଏହା ବାସ୍ତବ ନା ଗୁଜବ ଜାଣିବା ବାକି ରହିଛି ।

୯-ସୁଗନ୍ଧା ମିଶ୍ର

ହାସ୍ୟ ଅଭିନେତ୍ରୀ ସୁଗନ୍ଧା ମିଶ୍ର ମଧ୍ୟ ବିଗ୍ ବସ୍ ଆସିବା ନେଇ ଚର୍ଚ୍ଚାରେ ଅଛନ୍ତି। ଯଦି ସୁଗନ୍ଧା ମିଶ୍ରଙ୍କୁ ଶୋ’ରେ ଦେଖିବାକୁ ମିଳେ ତେବେ ଶୋରେ ଡବଲ୍ ଧମାଲ୍ ଦେଖିବାକୁ ମିଳିବ|

ପୁଅର ଆକୁଳ ନିବେଦନକୁ ଶୁଣିଲାନି ପ୍ରଶାସନ ଶେଷରେ…

ପାଟଣା: ବାପା ଚାଲିଗଲା ପରେ ପୁଅର ଆକୁଳ ନିବେଦନ । ମୋ ବାପାକୁ ଟିକେ ନେଇଚାଲ…ଦୟାକର…ବାପାଙ୍କୁ ଟିକେ ମଶାଣିକୁ ନେଇ ଯିବାକୁ ସାହାଯ୍ୟ କର । ପୁଅର ଆକୁଳ ନିବେଦନ ପରେ ବି ଆସିଲେନି କେହି । ଶେଷରେ ନିଜେ ପିପିଇ କିଟ୍ ପିନ୍ଧି ବାପାଙ୍କ ଶବ ଉପରେ ଚାଦର ପକାଇଲା ପୁଅ ।

ଘଟଣାଟି ହେଉଛି  ପାଟଣା ସହର ଚୌକ ଥାନା ଅଧିନରେ ଥିବା ହରମନ୍ଦିର ଗଳିର, ଏଠାରେ ଗୋଟିଏ ୫୦ ବର୍ଷିୟ କରୋନା ରୋଗୀଙ୍କୁ ନିଜ ଘରେ ହିଁ ଆଇସୋଲେସନ ରଖାଯଆଇଥିଲା । ତାଙ୍କର ମୃତ୍ୟୁ ୨୨ଜୁଲାଇ ସକାଳ ପ୍ରାୟ ୪ ସମୟରେ ହୋଇଯାଇଥିଲା । ମୃତ୍ୟୁ ପରେ ସଂକ୍ରମଣ ଯେମିତି ଆଉ ନ ବଢୁ ସେଥିପାଇଁ ପୂରା ପରିବାର ଘର ବାହାରକୁ ପଳାଇ ଆସିଥିଲା । ପରିବାର ଓ ସ୍ଥାନୀୟ ଲୋକଙ୍କ ସୂଚନା ପରେ ବହୁ କଷ୍ଟରେ ଏକ ଆମ୍ବୁଲାନ୍ସ ସେଠାରେ ଆସି ପହଞ୍ଚି ଥିଲା ।

ଏହାପରେ ମୃତକଙ୍କ ଦୁଇ ପୁଅ ନିଜେ ପିପିଇ କିଟ୍ ପିନ୍ଧି ମୃତ ବାପାଙ୍କୁ ଚାଦର ପକାଇ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ନେଇ ଆସିଥିଲେ । ଦିନସରା ଅସ୍ତବ୍ୟସ୍ତ ହେବା ପରେ ବି ସ୍ୱାସ୍ଥ୍ୟ ବିଭାଗର କୌଣସି ବି କର୍ମଚାରୀ ସେଠାରେ ପହଞ୍ଚି ନଥିଲେ । ଏବଂ ମୃତ୍ୟୁର ୧୪ଘଣ୍ଟା ପରେ କେବଳ ଗୋଟିଏ ଡ୍ରାଇଭର ସହ ଆମ୍ବୁଲାନ୍ସକୁ ପଠାଇ ଦେଇଥିଲେ ।

ମୃତକଙ୍କ ପରିବାର କହିଛନ୍ତି ଯେ, କରୋନା ରିପୋର୍ଟ ପଜିଚିଭ୍ ଆସିବା ପରେ ଡାକ୍ତର ହୋମ କ୍ୱାରେଣ୍ଟାଇନରେ ରହିବା ପରାମର୍ଶ ଦେଲେ । ଗତକାଲି ରାତିରେ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିବାରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।  ଏହାପରେ ସ୍ୱାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଥିଲା । ତାଙ୍କ କହିବା କଥା ହେଉଛି ମୃତ୍ୟୁ ପରେ ପରିବାର ବାହାରକୁ ଚାଲି ଆସିଥିଲା ଏବଂ ବାରମ୍ବାର ଡିଏମ, ଏସପି, ସ୍ୱାସ୍ଥ୍ୟ ବିଭାଗକୁ ଫୋନ କରି ଶବ ଉଠାଇବାକୁ କହିଥିଲେ କିନ୍ତୁ କୌଣସି ବି ସାହାଯ୍ୟ ମିଳି ନଥିଲା । ପ୍ରାୟ ୧୪ଘଣ୍ଟା ପରେ ଗୋଟିଏ ଆମ୍ବୁଲାନ୍ସ ଆସିଥିଲା । ତେଣୁ ସେମାନେ ନିଜେ ପିପିଇ କିଟ୍ ପିନ୍ଧି ବାପାଙ୍କୁ ଚାଦର ଘୋରାଇ ମଶାଣି ନେଇଥିଲେ ।

ଚାଲିଗଲା ପୁଣି ୬ ଜୀବନ, କରୋନା ସଂକ୍ରମିତ ମୃତ୍ୟୁ ସଂଖ୍ୟା ୧୧୪କୁ ବୃଦ୍ଧି…

ଭୁବନେଶ୍ୱର:  ରାଜ୍ୟରେ ଆଜି ୬ଜଣ କୋଭିଡ୍ ରୋଗୀଙ୍କର ମୃତ୍ୟୁ ଘଟିଛି । ରାଜ୍ୟ ସରକାର କୋଭିଡ ମୁକାବିଲା ନେଇ ଆପ୍ରାଣ ଉଦ୍ୟମ କରୁଥିଲେ ମଧ୍ୟ ସଂକ୍ରମିତଙ୍କ ମଧ୍ୟରେ  ମୃତ୍ୟୁ ସଂଖ୍ୟା ଆଜିକାର ମୃତକଙ୍କୁ ମିଶାଇ ୧୧୪ରେ ପହଞ୍ଚି ସାରିଛି । ତେବେ ଆଜି ମୃତ୍ୟୁବରଣ କରିଥିବା ୬ଜଣ ରୋଗୀଙ୍କ ମଧ୍ୟରୁ ଜଣେ ଖୋର୍ଦ୍ଧା ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ସମସ୍ତେ ଗଞ୍ଜାମ ଜିଲ୍ଲାର ଅଟନ୍ତି । ଗଞ୍ଜାମ ଜିଲ୍ଲାର ହାଇପର ଟେନସନ ରୋଗରେ ଆକ୍ରାନ୍ତ ଥିବା ୪୧ ବର୍ଷୀୟ ଜଣେ ବ୍ୟକ୍ତି କରୋନା ଭୂତାଣୁ ସଂକ୍ରମଣ ଆସିବା ପରେ ମୃତ୍ୟୁବରଣ କରିଛନ୍ତି ।

ସେହିଭଳି ଅନ୍ୟମାନଙ୍କ ମଧ୍ୟରେ ହାଇପରଟେନସର ଶୀକାର ଥିବା ୬୩ ବର୍ଷୀୟ ଜଣେ ପୁରୁଷ, ମଧୁମେହ ରୋଗରେ ପୀଡିତ ଥିବା ୫୧ ବର୍ଷୀୟ ମହିଳା, ୬୯ ବର୍ଷୀୟ ପୁରୁଷ ଓ ୫୭ ବର୍ଷର ଜଣେ ପୁରୁଷଙ୍କର ମୃତ୍ୟୁ ହୋଇଛି । ତେବେ ଖୋର୍ଦ୍ଧା ଜିଲ୍ଲାର କରୋନା କବଳରେ ପଡି ଜୀୱନ ହରାଇଥିବା ବ୍ୟକ୍ତିଜଣଙ୍କର ବୟସ ହେଉଛି ୮୬ । ସେ ଜଣେ ମହିଳା । ସଂକ୍ରମଣର ଶୀକାର ହେବା ପୂର୍ବରୁ ସେ ମଧୁମେହ ରୋଗରେ ପୀଡିତ ଥିଲେ । ଉଲ୍ଲେଖଯୋଗ୍ୟ ଯେ ରାଜ୍ୟରେ ଜୁଲାଇ ମାସରେ ସଂକ୍ରମିତଙ୍କ ସଂଖ୍ୟା ବଢିଥିବା ବେଳେ କୋଭିଡଜନିତ ମୃତ୍ୟୁ ମଧ୍ୟ ବଢୁଛି । ରାଜ୍ୟ ସରକାର ମୃତ୍ୟୁ ସଂଖ୍ୟା ଉପରେ ରୋକ୍ ଲଗାଇବା ପାଇଁ ପ୍ଲାଜମା ଥେରାପି ଆରମ୍ଭ କରି ସାରିଛନ୍ତି ।

ରାଜ୍ୟରେ ବୁଧବାର ଚିହ୍ନଟ ହେଲେ ସର୍ବାଧିକ ସଂକ୍ରମିତ, ଚିନ୍ତା ବଢାଉଛି ଗଞ୍ଜାମ….

ଭୁବନେଶ୍ୱର : ରାଜ୍ୟର ଗତ ୨୪ ଘଣ୍ଟାର ସଂକ୍ରମିତଙ୍କର ଜିଲ୍ଲାୱାରୀ ତାଲିକା ପ୍ରକାଶ ପାଇଛି । ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁଯାୟୀ ସାରା ରାଜ୍ୟରେ ଜୁଲାଇ ୨୨ ତାରିଖରେ ୧୨୬୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ରାଜ୍ୟରେ ହୋଇଥିବା ଏପର୍ଯ୍ୟନ୍ତର ସର୍ବାଧିକ ସଂକ୍ରମଣ । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୮୪୭ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୪୧୭ । ତେବେ ସବୁଦିନ ଭଳି ବୁଧବାରର ସଂକ୍ରମିତଙ୍କ ତାଲିକାରେ ଗଞ୍ଜାମ ସବୁଠାରୁ ଆଗରେ ରହିଛି । ସୂଚନାଯୋଗ୍ୟ ଯେ, ଗଞ୍ଜାମରୁ ୫୪୦ ଜଣ, ଖୋର୍ଦ୍ଧାରୁ ୧୩୭, ଗଜପତିରୁ ୭୪, କଟକରୁ ୪୭, କନ୍ଧମାଳରୁ ୨୯, କେନ୍ଦୁଝରରୁ ୨୫, କୋରାପୁଟରୁ ୨୭ , ରାୟଗଡାରୁ ୮୪, ନୟାଗଡରୁ ୬୧, ସୁନ୍ଦରଗଡରୁ ୬୦, ପୁରୀରୁ ୨୨, ସମ୍ୱଲପୁରରୁ ୨୦, ଯାଜପୁରରୁ ୧୭, ମୟୂରଭଞ୍ଜରୁ ୧୫, କେନ୍ଦ୍ରାପଡାରୁ ୮, କଳାହାଣ୍ଡିରୁ ୭, ନବରଙ୍ଗପୁରରୁ ୪ ଜଣ ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସେହିଭଳି ଅନ୍ୟ ଜିଲ୍ଲାଗୁଡିକରେ ମଧ୍ୟ ସ୍ୱଳ୍ପ ସଂଖ୍ୟକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ରାଜ୍ୟରେ ସୁସ୍ଥତା ହାର ମଧ୍ୟ କ୍ରମାଗତ ଭାବେ ବଢୁଛି । ତେବେ ଗଞ୍ଜାମରେ ସଂକ୍ରମଣ ରୋକିବାର ନାଁ ନେଉନି । ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ଗଞ୍ଜାମ ପ୍ଲାନ୍ ପ୍ରସ୍ତୁତ କରି କାର୍ଯ୍ୟ ଚଳାଇଥିବା ବେଳେ ଖୋର୍ଦ୍ଧା ଓ କଟକ ଭଳି ସଂକ୍ରମଣ ବହୁଳ ଜିଲ୍ଲାକୁ ମଧ୍ୟ ପ୍ରାଥମିକତା ମିଳୁଛି । କଟକ, ଖୋର୍ଦ୍ଧା ଓ ଗଞ୍ଜାମରେ ପ୍ଲାଜମା ଥେରାପି ମଧ୍ୟ ଆରମ୍ଭ ହୋଇ ସାରିଲାଣି ।