ସଚିନ ପାଇଲଟ ଆଣ୍ଡ୍ କୋ’ଙ୍କୁ ସୁପ୍ରିମକୋର୍ଟଙ୍କ ଆଶ୍ୱସ୍ତି,ହାଇକୋର୍ଟଙ୍କ ରାୟ ଉପରେ ରୋକ୍ ଲଗାଇବାକୁ ମନା କଲେ ସର୍ବୋଚ୍ଚ ଅଦାଲତ

1 min read

 

ନୂଆଦିଲ୍ଲୀ: ରାଜସ୍ଥାନ ରାଜନୈତିକ ଡ୍ରାମା ଭିତରେ ସଚିନ ପାଇଲଟ ଓ ତାଙ୍କ ଗ୍ରୁପକୁ ସୁପ୍ରିମକୋର୍ଟ ସାମୟିକ ଆଶ୍ୱସ୍ତି ଦେଇଛନ୍ତି । ହାଇକୋର୍ଟଙ୍କ ରାୟ ଉପରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି  ।  ଅର୍ଥାତ ଶୁକ୍ରବାର ଦିନ ହାଇକୋର୍ଟ ନିଜ ରାୟ ଶୁଣାଇ ପାରିବେ । ଗୁରୁବାର ଦିନ ଶୁଣାଣି କାଳରେ ସର୍ବୋଚ୍ଚ ଅଦାଲତ କହିଥିଲେ ଯେ, ପ୍ରଥମେ ହାଇକୋର୍ଟଙ୍କ ରାୟ ଆସିବାକୁ ଦିଅ,ତା’ପରେ ସୋମବାର ଦିନ ଆଗକୁ ଶୁଣାଣି ହେବ । ରାଜସ୍ଥାନ ବାଚସ୍ପତିଙ୍କ ପକ୍ଷରୁ ଅଦାଲତରେ ହାଜର ହୋଇ କପିଲ ସିବଲ ଯୁକ୍ତି କରିଥିଲେ ଯେ,ହାଇକୋର୍ଟଙ୍କ ରାୟକୁ ବାତିଲ କରାଯାଉ । କୌଣସି ନିର୍ଣ୍ଣୟ ପୂର୍ବରୁ ବାଚସ୍ପତି ନିଷ୍ପତିରେ ହସ୍ତକ୍ଷେପ କରାଯାଇ ପାରିବ ନାହିଁ ।

ସୁପ୍ରିମକୋର୍ଟରେ ଶୁଣାଣିର ମୁଖ୍ୟ କଥା

-ଜଷ୍ଟିସ ଅରୁଣ ମିଶ୍ର କପିଲ ସିବଲଙ୍କୁ ପଚାରିଥିଲେ ଯେ, ଜନତା ଦ୍ୱାରା ନିର୍ବାଚିତ ଜନପ୍ରତିନିଧିଙ୍କର କ’ଣ ନିଜ ଅସହମତି ବ୍ୟକ୍ତ କରିବାର ଅଧିକାର ନାହିଁ ? ସେ କହିଥିଲେ ଯେ, ଅସନ୍ତୋଷକୁ ଦବା ଯାଇପାରିବ ନାହିଁ । ଗଣତନ୍ତ୍ରରେ କ’ଣ କାହାକୁ ଏମିତି ଚୁପ୍ କରାଯାଇ ପାରିବ କି ?

-ସୁପ୍ରିମକୋର୍ଟ କହିଥିଲେ ଯେ, ରାଜସ୍ଥାନ ହାଇକୋର୍ଟ ଆପଣଙ୍କୁ କେବଳ ୨୪ ଜୁଲାଇ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହିଛନ୍ତି । କପିଲ ସିବଲ ଉତ୍ତରରେ କହିଥିଲେ ଯେ,ଆଦେଶରୁ ‘ନିର୍ଦ୍ଦେଶ’ ଶବ୍ଦକୁ ହଟାଯାଉ । ଅଦାଲତ ଏମିତି କରିପାରିବେ ନାହିଁ । ସୁପ୍ରିମକୋର୍ଟ କହିଥିଲେ ଯେ, ତେବେ ସମସ୍ୟା କେବଳ ଶବ୍ଦକୁ ନେଇକରି କି ? ଆଦେଶରେ ‘ଅନୁରୋଧ’ ରହିଥାଏ ।

-କପିଲ ସିବଲ କହିଥିଲେ ଯେ, ବାଚସ୍ପତିଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟସୀମା ଭିତରେ ଅଯୋଗ୍ୟତା ଉପରେ ନିଷ୍ପତି ନେବାକୁ କୁହାଯାଇ ପାରିବ କିନ୍ତୁ ତାଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରାଯାଇ ପାରିବ ନାହିଁ ।

-ସୁପ୍ରିମକୋର୍ଟ କହିଥିଲେ ଯେ,ଏହା କୌଣସି ସାଧାରଣ ମାମଲା ନୁହେଁ । ଏହି ସବୁ ବିଧାୟକ ନିର୍ବାଚିତ ପ୍ରତିନିଧି । ଏହା ଜାଣିବାକୁ ଚେଷ୍ଟା କରୁଛନ୍ତି ଯେ, ବିଧାୟକଙ୍କ ସଦସ୍ୟତା ରଦ୍ଦ କାର୍ଯ୍ୟ ସ୍ୱୀକୃତି ଯୋଗ୍ୟ କି ନୁହେଁ । ବିରୋଧରେ ସ୍ୱରକୁ ଗଣତନ୍ତ୍ରରେ ଦବା ଯାଇ ପାରିବ ନାହିଁ ।

-କପିଲ ସିବଲଙ୍କୁ ପୁଣିଥରେ ସୁପ୍ରିମକୋର୍ଟ ପଚାରିଥିଲେ ଯେ, କେଉଁ ଆଧାରରେ ବିଧାୟକଙ୍କୁ ଅଯୋଗ୍ୟ ଘୋଷଣା କରାଯାଇଥିଲା  । ସିବଲ କହିଥିଲେ ଯେ,ବିଧାୟକ ଦଳୀୟ ସଭାରେ ଯୋଗ ଦେଇନଥିଲେ । ସେମାନେ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିଲେ । ସେମାନେ ହରିଆନାର ଏକ ହୋଟେଲରେ ରହି ନିଜ ଦଳ ବିରୋଧରେ ଫ୍ଲୋର ଟେଷ୍ଟ ଦାବି କରୁଥିଲେ ।

-ଜଷ୍ଟିସ ଅରୁଣ ମିଶ୍ର ଏହାର ଉତ୍ତରରେ ସିବଲଙ୍କୁ ପଚାରିଥିଲେ ଯେ,ଜନତା ଦ୍ୱାରା ନିର୍ବାଚିତ ବ୍ୟକ୍ତି କଣ ନିଜର ଅସହମତି ବ୍ୟକ୍ତ କରିପାରିବେନି ? ଅସନ୍ତୋଷର ସ୍ୱରକୁ ଦବା ଯାଇପାରିବ ନାହିଁ ।  ଗଣତନ୍ତ୍ରରେ କ’ଣ କାହାକୁ ଏମିତି ବନ୍ଦ କରାଯାଇ ପାରିବ କି ?

 

Leave a Reply