ଡାଏରୀରେ ଥିବା ଅକ୍ଷର ଆଦିତ୍ୟଙ୍କର, ଶେଷ ପୋଷ୍ଟ ବାବଦରେ ଫେସବୁକକୁ ତଥ୍ୟ ମାଗିଲା ଜିଆରପି

ଭୁବନେଶ୍ୱର : ହ୍ୟାଣ୍ଡ୍ ରାଇଟିଂ ବ୍ୟୁରୋର ରିପୋର୍ଟ ଆସିବା ପରେ ଆଦିତ୍ୟ ନିଜେ ନିଜ ଡାଏରୀରେ ଲେଖିଥିବା କଥା ସ୍ପଷ୍ଟ ହୋଇଛି । ହ୍ୟାଣ୍ଟ ରାଇଟିଂ ବ୍ୟୁରୋ ଆଦିତ୍ୟଙ୍କ ପୁରୁଣା ହସ୍ତାକ୍ଷର ସହ ଡାଏରୀରେ ଲେଖା ଥିବା ଅକ୍ଷରକୁ ମ୍ୟାଚ୍ କରି ଏଭଳି ରିପୋର୍ଟ ଦେଇଛନ୍ତି । ରେଲଓ୍ୱେ ଏଡିଜିଙ୍କ ଠାରୁ ମିଳିଥିବା ସୂଚନା ଅନୁଯାୟୀ , ଆଦିତ୍ୟଙ୍କ ନୋଟ୍ କିଏ ଲେଖିଥିଲା ସେ ନେଇ ଅନେକ କଳ୍ପନାଜଳ୍ପନା ଲାଗି ରହିଥିଲା । ତେବେ ଏବେ ସେ ନିଜେ ନିଜ ଡାଏରୀରେ ଉକ୍ତ ନୋଟ୍ ଲେଖିଥିବା ସ୍ପଷ୍ଟ ହୋଇଛି ।

ଉଲ୍ଲେଖଯୋଗ୍ୟ ଯେ ଡାଏରୀର ହସ୍ତାକ୍ଷରକୁ ନେଇ ତଦନ୍ତର ପ୍ରାରମ୍ଭିକ ପ୍ରର୍ଯ୍ୟାୟରେ ମତ ବିଭେଦ ଦେଖାଯିବା ପରେ ହ୍ୟାଣ୍ଡ ରାଇଟିଂ ବ୍ୟୁରୋକୁ ଏହି ଦାୟିତ୍ୱ ଦିଆଯାଇଥିଲା । ତେବେ ଏହା ତଦନ୍ତର ଏକ ଅଂଶ ଯାହା ପରବର୍ତ୍ତୀ ସମୟରେ ହେବାକୁ ଥିବା ଅନ୍ୟ ତଦନ୍ତରେ ସହାୟକ ହେବ ବୋଲି ଏଡିଜି କହିଛନ୍ତି । ଆଦିତ୍ୟଙ୍କ ଡାଏରୀର ହସ୍ତାକ୍ଷରକୁ ନେଇ ଥିବା ଦ୍ୱନ୍ଦ ହଟିବା ପରେ ଅତିକମରେ ଏତକ ସ୍ପଷ୍ଟ ହୋଇଛି ଯେ ଆଦିତ୍ୟ ମାନସିକ ସ୍ତରରେ ଚିନ୍ତାଗ୍ରସ୍ତ ଥିଲେ । ତେବେ ସେ ନିଜ ଆତ୍ମହତ୍ୟା କରିଛନ୍ତି କିମ୍ୱା ତାଙ୍କର ହତ୍ୟା ହୋଇଛି ସେ ଘଟଣା ଉପରୁ ପରଦା ହଟିବା ଏବେ ବି ବାକି ଅଛି ।

ଅନ୍ୟପକ୍ଷରେ ଜିଆରପି ଫେସବୁକକୁ ଆଦିତ୍ୟଙ୍କ ଶେଷ ପୋଷ୍ଟ ବାବଦରେ ଅଧିକ ତଥ୍ୟ ମାଗିଛି । ସୂଚନାଯୋଗ୍ୟ ଯେ, ଆଦିତ୍ୟ ତାଙ୍କ ପୋଷ୍ଟରେ ମୃତ୍ୟୁ ଧିରେ ଧିରେ ଆସେ ବୋଲି ଲେଖିଥିଲେ । ଏହି ପୋଷ୍ଟକୁ ନେଇ କିଛି ସେ ଆତ୍ମହତ୍ୟା କରିଥିବା କହୁଛନ୍ତି । ତେବେ ଏହି ପୋଷ୍ଟ ସେ ନିଜେ ଲେଖିଥିଲେ କି ତାକୁ ଆଉ କେହି ଲେଖି ପୋଷ୍ଟ କରିଥିଲା ତାକୁ ନେଇ ମଧ୍ୟ ଅନେକଙ୍କ ମନରେ ସନ୍ଦେହ ରହୁଛି । ଫେସବୁକର ଉତ୍ତର ପରେ ଚିତ୍ର ସ୍ପଷ୍ଟ ହେବ ବୋଲି ଆଶା କରାଯାଉଛି ।

(ଭୁବନେଶ୍ୱରରୁ ଅରୁଣ କୁମାର ସାହୁଙ୍କ ରିପୋର୍ଟ)

Leave a Reply